spot_img
Home Blog Page 2083

ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି : ବିଜେଡି

ଭୁବନେଶ୍ବର: ଓଡ଼ିଆ ଭାଷା, ସଂସ୍କତି ଓ ପରମ୍ପରାର ସୁରକ୍ଷା ପ୍ରସଙ୍ଗ ନେଇ ଓଡ଼ିଶା ବିଜେପିକୁ ବିଜୁ ଜନତା ଦଳର କଡ଼ା ସମାଲୋଚନା। ପ୍ରେସମିଟ କରି ତୀବ୍ର ଭାବେ ବର୍ଷିଛି ରାଜ୍ଯ ବିଜେଡି। କହିଛି, ଓଡ଼ିଆ ଭାଷା, ସଂସ୍କୃତିକୁ ଆଜି ପର୍ଯ୍ୟନ୍ତ ଦୃଢତାର ସହ ସୁରକ୍ଷା ଦେଇ ଆସିଛି ବିଜେଡି। ଓଡ଼ିଆ ଭାଷା ଓ ସଂସ୍କୃତି ଓ ପରମ୍ପରାକୁ ଗଭୀର ଭଲପାଇବା ସହ ପ୍ରତିବଦ୍ଧତା ସହ ସମୃଦ୍ଧ କରିଆସିଛି। ଭାଷା ଓ ସଂସ୍କୃତିକୁ ସୁରକ୍ଷା ଦେବାକୁ ବିଜେପିର ଆବଶ୍ୟକତା ନାହିଁ। ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ଯେକୌଣସି ରାଜନୈତିକ ଦଳଠାରୁ ବହୁ ଉର୍ଦ୍ଧ୍ଵରେ। ଅଭ୍ୟାସଗତ ଅପରାଧୀଙ୍କୁ ସମାଗମ କରି ଫୁଲମାଳ ପକାଇ ନିଜ ଦଳକୁ ଆଣି ଟିକେଟ ଦେବା ହେଉଛି ଓଡିଶା ବିଜେପିର ସଂସ୍କୃତି ଓ ପରମ୍ପରା। ଏଥିଲାଗି ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ ନିଜ ଦଳରେ ମିଶାଇବାକୁ ଖୋଜୁଛି ରାଜ୍ୟ ବିଜେପି। ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନେଇ ଓଡ଼ିଶା ବିଜେପିକୁ ଟାର୍ଗେଟ କରିଛି ବିଜେଡି। କହିଛି, ଯେଉଁ ନେତା ନିଜ ଦଳର ପ୍ରାର୍ଥୀଙ୍କ ଉପରେ ଗାଡ଼ି ମଡାଇ ମାରିବାକୁ ଚେଷ୍ଟା କଲା, ଯିଏ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଚାକିରୀ ଦେବାକୁ କହି ଲୋକଙ୍କୁ ଲକ୍ଷାଧିକ ଟଙ୍କା ଠକିନେଲା ତାକୁ ପ୍ରାର୍ଥୀ କରିଛି ବିଜେପି। ଯେଉଁ ଯୁବନେତାଙ୍କୁ ଯୁବଗୋଷ୍ଠୀ ଆଦର୍ଶଭାବେ ଗ୍ରହଣ କରିଥାନ୍ତି ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିଜ ଦଳର ନେତା ଭାବେ ବାଛିଛି ଓଡ଼ିଶା ବିଜେପି। ଅପରାଧୀଙ୍କୁ ନେଇ ଦଳରେ ସମାଗମ କରିଛନ୍ତି । ଏଇଟା ବିଜେପିର ଅସଲ ଚେହେରା ବୋଲି କହିଛି ବିଜେଡି। ଅପରାଧିକ ଚିନ୍ତାଧାରା ଓ ମାନସିକକା ରଖୁଥିବା ନେତା ଓଡ଼ିଶା ବିଜେପିର ସଂସ୍କୃତି ଓ ପରମ୍ପରା। ଓଡ଼ିଶାବାସୀଙ୍କ ନୁହେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ଵୟଂପ୍ରକାଶ ମହାପାତ୍ର ଓ ଇପସିତା ସାହୁ। ଆଗାମୀ ଦିନରେ ଓଡ଼ିଶାବାସୀ ଏହାର କଡ଼ା ଯବାବ ଦେବେ ବୋଲି କହିଛି ବିଜେଡି।

ଚିତ୍ରକୋଣ୍ଡାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଜନତାଙ୍କୁ ଦେଲେ ବିକାଶର ହିସାବ…

ଚିତ୍ରକୋଣ୍ଡା: ମାଲକାନିଗିରିବାସୀଙ୍କ ସବୁ ଆବଶ୍ୟକତାକୁ ମୁଖ୍ୟମନ୍ତ୍ରୀ ପୂରଣ କରୁଛନ୍ତି। ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ସବୁବେଳେ ଆପଣଙ୍କ ସହ ରହିବେ। ଅନ୍ୟ ନେତାଙ୍କ ଭଳି କେବଳ ନିର୍ବାଚନ ବେଳେ ଆସି ବଡ ବଡ ଭାଷଣ ଦେଇ ଚାଲିଯିବେନି। ଏହି ଦୁଇ ନେତା ହେଉଛନ୍ତି ଚିତ୍ରକୋଣ୍ଡାର ଦୁଇଟି ଇଂଜିନ । ଏହି ଦୁଇ ଇଂଜିନ ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଂଜିନ । ଯେଉଁ ଇଂଜିନ କେବେ ଫେଲ ହେବନି । ତେଣୁ ଚିତ୍ରକୋଣ୍ଡାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ବିରୋଧୀ ଦଳ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କୁ ଚିହ୍ନି ରଖିବାକୁ ପାଣ୍ଡିଆନ ଚେତାଇ ଦେଇଛନ୍ତି। ଚିତ୍ରକୋଣ୍ଡାବାସୀଙ୍କ ଅନୁରୋଧ କ୍ରମେ ଚିତ୍ରକୋଣ୍ଡାରେ ଚଳିତ ବର୍ଷ ଡିଗ୍ରୀ କଲେଜ କାର୍ଯ୍ୟକ୍ଷମ ହେବ। ନଗରବେଡା ଠାରେ ଥିବା ହାଇସ୍କୁଲକୁ ଯୁକ୍ତ ଦୁଇ କଲେଜ ଭାବେ ଉନ୍ନିତ କରାଯାଇଛି। ଗୋବିନ୍ଦପାଲ୍ଲୀ ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୬୦ ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ଡମାଲଦେଇ ମନ୍ଦିର ପାଇଁ ୩୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୮୦ ଲକ୍ଷ, ନକମାମୁଣ୍ଡିରେ ଥିବା ଶିବ ମନ୍ଦିରର ରପାନ୍ତରଣ ପାଇଁ ୨୦ ଲକ୍ଷ ଟଙ୍କା, ଆଦିବାସୀ ଭବନ ପାଇଁ ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ମାଥିଲି ଓ ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୧୦୦କୁ ବୃଦ୍ଧି କରିବା ପାଇଁ ୫୦ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, ମାଥିଲି ଶିବ ସାଗରର ଉନ୍ନତିକରଣ ପାଇଁ ୫ କୋଟି ୫୦ ଲକ୍ଷ ଟଙ୍କା, ସୀତାକୁଣ୍ଡର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ୩୪୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା କହିଛନ୍ତି 5T ଅଧ୍ୟକ୍ଷ।

ସୁରଟ ପରେ ଇନ୍ଦୋରରେ ହେଲା ‘ଖେଳ’, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର

ଇନ୍ଦୋର: ମଧ୍ୟପ୍ରଦେଶ କଂଗ୍ରେସକୁ ବଡ ଝଟକା ଲାଗିଛି। ଇନ୍ଦୋରରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ନାମାଙ୍କନ ପ୍ରତ୍ୟାହାର କରିବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଯାହା ଫଳରେ ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।

ସୂଚନା ଅନୁଯାୟୀ, ଇନ୍ଦୋର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଟିକେଟ ଦେଇଛି। ନାମାଙ୍କନ ପ୍ରତ୍ୟାହାର କରିବା ପରେ କୈଳାଶ ବିଜୟବର୍ଗିଆ ଟ୍ୱିଟ କରି କହିଛନ୍ତି ଯେ ଇନ୍ଦୋରରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଜୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି।

ଇନ୍ଦୋରରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ଯୋଗଦେବା ନେଇ କଂଗ୍ରେସ ନେତା ମୁକେଶ ନାୟକ କହିଛନ୍ତି, ଏହା ଦଳ ପ୍ରତି ଏକ ବଡ ବିଶ୍ୱାସଘାତକତା। ନିର୍ଲଜପଣର ସମସ୍ତ ସୀମା ଅତିକ୍ରମ କରିଛି ବିଜେପି। ଖଜୁରାହୋ ପରି ବର୍ତ୍ତମାନ ଇନ୍ଦୋରରେ ମଧ୍ୟ ଦଳ ଅନ୍ୟ କାହାକୁ ଟିକେଟ୍ ଦେବା ନେଇ ଚିନ୍ତା କରିବ।

ଅକ୍ଷୟ ବାମ ଗତ ଏପ୍ରିଲ ୨୪ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଇନ୍ଦୋର, ଉଜୈନ, ଧାର ସମେତ ଆଠଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ (ମେ ୧୩) ରେ ଭୋଟିଂ ହେବ । ଅପରପକ୍ଷେ ନିକଟ ଅତୀତରେ ଗୁଜୁରାଟର ସୁରଟ ଲୋକସଭା ଆସନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କିଛି ତ୍ରୁଟି ପାଇଁ ରିଟର୍ଣ୍ଣିଂ ଅଫିସର କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ବାତିଲ କରିଦେଇଥିଲେ।

ଆହୁରି ୨ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଆହୁରି ୨ ଦିନ ଆକାଶରୁ ହେବ ଅଗ୍ନି ବର୍ଷା। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି।

ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ତାତି ଅନୁଭୂତ ହେବ। ସେପଟେ ଆଜି ପାଇଁ ରାଜ୍ୟର ୧୦ଟି ଜିଲ୍ଲା ଅର୍ଥାତ୍ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକରେ ଅତ୍ୟଧିକ ଗରମ ଅନୁଭୂତ ହେବା ନେଇ ରେଡ୍ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ବାସୁଦେବପୁରରେ ତାଣ୍ଡବ ରଚିଲା କାଳବୈଶାଖୀ

ବାସୁଦେବପୁର: ତାଣ୍ଡବ ରଚିଲା କାଳବୈଶାଖୀ। ଗତକାଲି କାଳବୈଶାଖୀ ଝଡ଼ ପ୍ରଭାବରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାସୁଦେବପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ଏହାସହ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାରୁ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।

କାଳବୈଶାଖୀ ପ୍ରଭାବରେ ଅଟଳ ବିହାରୀ ମହାବିଦ୍ୟାଳୟର ନଳିନୀଦେବୀ ଛାତ୍ରୀ ନିବାସ ଆଗରେ ଥିବା ଏକ ଗଛ ଉପୁଡି ପାଚେରୀ ଭାଙ୍ଗିଛି। ପବନର ବେଗ ଏଭଳି ଥିଲା ଯେ ବାସୁଦେବପୁର ମେଡିକାଲର ସିଲିଙ୍ଗ ମଧ୍ୟ ଖସି ପଡିଥିବା ସୂଚନା ମିଳିଛି।

କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନୀ ରାଲି

କୁଚିଣ୍ଡା: କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଓ୍ବାର ଶୋ। ମନ୍ଦିର ଛକରୁ ପଞ୍ଚମୁଖୀ ଛକ, ବସଷ୍ଟାଣ୍ଡ ଦେଇ କଲେଜ ଛକ ପର୍ଯ୍ୟନ୍ତ କରିଛନ୍ତି ବିରାଟ ବାଇକ ରାଲି। ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ। ରାଲି ପରେ କଲେଜ ପଡିଆରେ ଅନୁଷ୍ଠିତ ହୋଇଥିଲା ବିରାଟ କର୍ମୀ ସମ୍ମିଳନୀ। ସମ୍ମିଳନୀରେ ଉପସ୍ଥିତ ଥିଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଆଗେଇ ନେବାକୁ ହେଲେ ଚଳିତ ନିର୍ବାଚନରେ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ ପ୍ରାର୍ଥୀମାନେ ନିବେଦନ କରିଛନ୍ତି। ଏହି ଅବସରରେ ପ୍ରଣବ ପ୍ରକାଶ କହିଛନ୍ତି, ଯେତେବେଳେ କୁଚିଣ୍ଡା ଯାହା ମାଗିଛି ତାହା ମିଳିଛି। ରାସ୍ତା ଠାରୁ ଆରମ୍ଭ କରି ଆଇଟିଆଇ ପର୍ଯ୍ୟନ୍ତ ଦାବି ପୂରଣ କରାଯାଇଛି । BSKY ଏବଂ ନୂଆ-ଓ ରେ ଛାତ୍ରବୃତ୍ତି ଦ୍ବାରା ଏଠିକାର ଲୋକେ ଅନେକ ଉପକାର ପାଇଛନ୍ତି। ପୂର୍ବଥର ଏଠାରେ ଗୋଟିଏ ବିଜେଡିକୁ ଏବଂ ଗୋଟିଏ ବିଜେପିକୁ ଭୋଟ ଦେଇଥିଲେ।

ବିଜେପି ସାଂସଦ ୫ ବର୍ଷ ଦେଖାଦେଲେନି । ଓଡିଶା ବିଜେପି ଏବଂ କଂଗ୍ରେସ ପାଇଁ ଗୋଟିଏ ବିନ୍ଦୁ। କିନ୍ତୁ ବିଜୁ ଜନତା ଦଳ ପାଇଁ ଏହା ଏକ ସିନ୍ଧୁ । ସାଢେ ଚାରିକୋଟି ଓଡିଆ ବିଜେଡିର ବଳ । ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଗାଁ ପାଇଁ କିଛି କରିପାରିଲେ ନାହିଁ ସେ ରାଜ୍ଯ ପାଇଁ ଓ ନିଜ ନିର୍ବାଚନମଣ୍ଡଳି ପାଇଁ କଣ କରିବେ? ସେ କେବଳ ମିଠା ଭାଷଣ ଦେବା ଜାଣିଛନ୍ତି । କେନ୍ଦ୍ର ସରକାର ରାଜ୍ୟରୁ MCL ମାଧ୍ୟମରେ କୋଇଲାରୁ ବର୍ଷକୁ ୨୫ ହଜାର କୋଟି ଟଙ୍କା ଲାଭ ନେଉଛନ୍ତି। ନାଲକୋ ୫ ହଜାର କୋଟି ଲାଭ କରୁଛି। ରେଲୱେ ୧୫ ହଜାର କୋଟି ଟଙ୍କା ଲାଭ କରୁଛି। ବର୍ଷକୁ ୫୦ ହଜାର କୋଟି ରୁ ଅଧିକ ନେଉଛନ୍ତି କେନ୍ଦ୍ର ସରକାର । କେବଳ ଏହି ୪/୫ଟି ନିର୍ବାଚନୀମଣ୍ଡଳିରୁ ଅଢେଇ ଲକ୍ଷ କୋଟି ଟଙ୍କା ନେଇଛନ୍ତି। ହେଲେ ଦେଇଛନ୍ତି କଣ ? ତାଙ୍କୁ ହିସାବ ମାଗନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ହିସାବ ମାଗନ୍ତୁ କଣ ନ ମିଳିଛି। 5T ସ୍କୁଲ, ମିଶନଶକ୍ତି ପରବର୍ତ୍ତୀସ୍ତରକୁ ଗଲାଣି। ବିଜୁ ଏକ୍ସପ୍ରେସ ଓ୍ବେ ଏବଂ 55 ନମ୍ବର ଜାତୀୟ ରାଜପଥ ଦେଖନ୍ତୁ। ଗତ ୩ ଦିନ ତଳେ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଏଥିରୁ ଜାଣନ୍ତୁ କଣ ବିକାଶ ହୋଇଛି ? ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦେଖନ୍ତୁ । କେନ୍ଦୁପତ୍ର ତୋଳାଳିଙ୍କ ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଗେଇଛନ୍ତି। ଅନେକ ଥର ମୁଖ୍ୟମନ୍ତ୍ରୀ ଛାଡ କରିବା ପାଇଁ ଚିଠି ଲେଖିଛନ୍ତି। କିନ୍ତୁ କିଛି ହେଲାନି। ମୁଖ୍ୟମନ୍ତ୍ରୀ ନିଜେ ରିହାତି ଦେଇଛନ୍ତି, ଝିଅ ବାହାଘର ସହାୟତା ମିଳୁଛି। ସମୟ ଆସିଛି ବିଚାର କରିବା ପାଇଁ ବୋଲି ଜନତାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଣବ।

କାଲିମେଳାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ; କହିଲେ ଶାନ୍ତି ଆସିଲେ ବିକାଶ ହେବ

କାଲିମେଳା: ଓଡ଼ିଶାରେ ଡବଲ ଇଂଜିନ ନୁହେଁ, ନବୀନ ଇଂଜିନ କାମ କରୁଛି। ଛତିଶଗଡରେ କିଛି ବର୍ଷ ପୂର୍ବରୁ ଡବଲ ଇଂଜିନ ଥିଲା, ଗୋଟେ ଇଂଜିନ ଖରାପ ହୋଇଗଲା। ଏବେ ପୁଣି ଡବଲ ଇଂଜିନ ଆସିଛି । କିନ୍ତୁ ସେଠି ଗୁଳି ଫୁଟୁଛି । କାଲିମେଳାରେ ମଧ୍ୟ ପୂର୍ବରୁ ବୋମା ଓ ଗୁଳି ଫୁଟୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସେଠାରେ ଶାନ୍ତି ଫେରିଛି। ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରିର କାଲିମେଳା ଗସ୍ତରେ ଯାଇ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ।

ମାଲକାନଗିରିକୁ ପୁଂଜିନିବେଶ ଆସିବ, ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ବଢିବ । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତଥର ମାଲକାନଗିରି ଜିଲ୍ଲାରୁ ଜଣେ ବିଧାୟକ ପ୍ରାର୍ଥୀ ଜିତିଥିଲେ। ହେଲେ ଗତ ୫ ବର୍ଷ ହେଲା ତାଙ୍କର ଦେଖା ଦର୍ଶନ ମିଳୁନି । ସେ କେଉଁ ବିକାଶ ମୂଳକ କାମ କରିଛନ୍ତି? ସେ କେଉଁ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଗତ ଦୁଇ ବର୍ଷ ମଧ୍ୟରେ ମାଲକାନିଗିରି ଜିଲ୍ଲାରେ ହୋଇଥିବା ବିକାଶମୂଳକ କାମର ସେ ହିସାବ ଦେଇଛନ୍ତି। ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଅଂଚଳରୁ ଆରମ୍ଭ ହୋଇଛି।

ବିଜେପି ଦଳ କହୁଛନ୍ତି ଯେ, ଚାଉଳ ସେମାନେ ଦେଉଛନ୍ତି। ହେଲେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରୁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ୨୦୧୮ରେ ଆରମ୍ଭ କଲେ ଟଙ୍କିକିଆ ଚାଉଳ ଯୋଜନା। ଆଉ ଏବେ ମାଗଣାରେ ଚାଉଳ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାଭିମାନ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମାଲକାନଗିରିରୁ ଆରମ୍ଭ ହୋଇଛି ଐତିହାସିକ ଲକ୍ଷ୍ମୀ ବସ ଯୋଜନା ।

ଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ମଂଜୁର କରିଛନ୍ତି । ମଲିକେଶ୍ବର ମନ୍ଦିରର ରୂପାନ୍ତରଣ ଓ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ହରିଚନ୍ଦପୁର ଆଶ୍ରମ ପାଇଁ କୋଟିଏ ୨୮ ଲକ୍ଷ ଟଙ୍କା, ମା ଭୈରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଏବଂ ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀଙ୍କ ଭାଷା, କଳା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଗଠନ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିର୍ବାଚନ କାମରେ କରାଯାଉଛି ପିଲାଙ୍କୁ ବ୍ଯବହାର, ବିଜେପି ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେପି ଏକ ଆଲୋଡ଼ା ରେକର୍ଡ ଆଡ଼କୁ ଯାଉଛି। ବାରମ୍ବାର ଆଇନ ଉଲ୍ଲଂଘନ କରୁଛି ବିଜେପି । ଏନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହୋଇ କାର୍ଯ୍ଯାନୁଷ୍ଠାନ ଦାବି କରିଛି ବିଜେପି।

ଅଭିଯୋଗ ଅନୁଯାୟୀ, ବିଜେପିର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପିଲାମାନଙ୍କୁ ନିର୍ବାଚନ କାମରେ ବ୍ୟବହାର କରୁଛନ୍ତି। ପ୍ରତି ନିର୍ବାଚନ ରାଲିରେ କୋମଳମତି ପିଲାଙ୍କୁ ବ୍ୟବହାର କରୁଛନ୍ତି ବିଜେପି ପ୍ରାର୍ଥୀ।

ପୁରୀ ଲୋକସଭା ଆସନ ପ୍ରାର୍ଥୀ ସମ୍ବିତ ପାତ୍ର । ଯିଏ ଆଇନ କଥା କୁହନ୍ତି, ସେ ନିର୍ବାଚନ କାମରେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ୪୩ ଡିଗ୍ରୀ ତାପମାତ୍ରାରେ ପିଲାମାନଙ୍କୁ ବ୍ୟବହାର କରାଯିବ ନାହିଁ। କିନ୍ତୁ ବିଜେପି ଏହା ମାନୁନାହିଁ। ଏହା ନିନ୍ଦନୀୟ। ଏନେଇ ବିଜେଡି କାର୍ଯ୍ଯାନୁଷ୍ଠାନ ଦାବି କରିଛି।

ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମାଲୋଚନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମାଲୋଚନା। ଗୋଟିଏ ମଞ୍ଚରେ ନଡ୍ଡା ଓ ପ୍ରଦୀପ ପାଣିଗ୍ରାହୀ ଏକାଠି ବସିବା ଆଶ୍ଚର୍ଯ୍ଯଜନକ। ଚାକିରି ପାଇଁ ଲୋକଙ୍କୁ ଠକି ଜେଲ ଯାଇଛନ୍ତି ପ୍ରଦୀପ। ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ସହ ମଞ୍ଚରେ ବସୁଛନ୍ତି ନଡ୍ଡା।

ଭୃଗୁ କହିଛନ୍ତି, ଏକ ଭିନ୍ନ ଆଭିମୁଖ୍ଯର ଦଳ ଭାବି ବିଜେପିରେ ଯୋଗ ଦେଇଥିଲି। ୨୩ ବର୍ଷ ଧରି ବିଜେପିକୁ ମୁଁ ଝାଳ ଓ ରକ୍ତ ଦେଇଛି। କିନ୍ତୁ ପ୍ରଦୀପଙ୍କ ଭଳି ଜଣେ ଅପରାଧିଙ୍କୁ ଦଳରେ ଗ୍ରହଣ କରିବା ଉଦବେଗଜନକ। ଏହା ବିଜେପିର ତୃଣମୂଳ କ୍ଯାଡରଙ୍କୁ କ୍ଷୁବ୍ଧ କରିଛି। ଅପରାଧିଙ୍କୁ ସାଙ୍ଗରେ ରଖି ବିଜେପି କିଭଳି ଭିନ୍ନ ଆଭିମୁଖ୍ଯର ଦଳ ?

ପ୍ରଦୀପ ଓ ପ୍ରଶାନ୍ତଙ୍କ ଭଳି ଅପରାଧି ଓଡିଆ ଅସ୍ମିତାର ପରିଚୟ କି ? ବିଜେପିର ଓଡିଆ ଅସ୍ମିତାର ଏହି ଦୁଇ ନେତା ପୋଷ୍ଟର ବୟ କି ? ବ୍ରହ୍ମପୁର ଓ ଓଡିଶାବାସୀ ବିଜେପି ଉପରେ ହସୁଛନ୍ତି। ବିଜେପିର ଏହିଭଳି ଛଳନା ମୋତେ ଆଶ୍ଚର୍ଯ୍ଯ କରିଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର।

ସିଙ୍ଗାପୁରରୁ ଇଣ୍ଟର୍ଣ୍ଣସିପ୍ ସାରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ସାରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱର ବିମାନବନ୍ଦରଠାରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନିରେ କାମ କରିବାର ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚରୁ ଗତ ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନେ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି।

ସିଙ୍ଗାପୁରର ଏହି ଅନୁଭୂତି ସେମାନଙ୍କ ଭବିଷ୍ୟତ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶେଷ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି। ‘‘ସିଙ୍ଗାପୁରର ଗୁଡଉଡ୍‌ ପାର୍କ ହୋଟେଲରେ ୬ ମାସ ଧରି ମୁଁ କାମ କରିବାର ସୁଯୋଗ ପାଇଲି। ପ୍ରଥମ ଦରମାରେ ମୁଁ ନୂଆ ଫୋନ୍‌ କିଣିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲି। ତା’ଛଡ଼ା ଏଠାରେ ମୁଁ ନୂଆ ନୂଆ କାମ ବିଷୟରେ ଜାଣିବାକୁ ପାଇଲି। ଏହା ମୋ’ କ୍ୟାରିୟରକୁ ଆଗକୁ ନେବାରେ ସାହାଯ୍ୟ କରିବ’’, କହନ୍ତି ସୋନାଲିକା ସେଠୀ। ସୋନାଲିକା ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌ ବିଷୟରେ ତାଲିମ ନେଇ ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିଲେ।

‘‘ସିଙ୍ଗାପୁର ସହରରେ ଏକ ପ୍ରମୁଖ କମ୍ପାନିରେ କାମ କରିବା ପାଇଁ ମୁଁ ଦିନେ ସ୍ୱପ୍ନ ଦେଖିଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାଟ୍ରୋନିକ୍ସ ବିଷୟରେ ତାଲିମ ନେବା ଫଳରେ ମୋର ସ୍ୱପ୍ନ ପୂରଣ ହୋଇଛି। ସିଙ୍ଗାପୁରରୁ ମୁଁ ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଛି। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ’’ ବୋଲି କହିଥିଲେ ଛାତ୍ର ଅଜୟ ମଙ୍ଗରାଜ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି।