spot_img
Home Blog Page 2099

ଲୋକମତ ସଂସଦୀୟ ପୁରସ୍କାର ୨୦୨୩; ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର। ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ଲାଭ କରିଛନ୍ତି ଡକ୍ଟର ପାତ୍ର। ସେହିପରି କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁର ବି ଏହି ପୁରସ୍କାର ଲାଭ କରିଛନ୍ତି। ଡକ୍ଟର ସସ୍ମିତ ପାତ୍ର ଓ ଶଶୀ ଥରୁରଙ୍କ ବ୍ଯତୀତ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ସାଂସଦ ବି ବିଭିନ୍ନ କ୍ଷେତ୍ର ଲାଗି ପୁରସ୍କୃତ ହୋଇଛନ୍ତି।

ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ସାଂସଦ ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ଯୁଟାଣ୍ଟ ଭାବେ ପୁରସ୍କୃତ ହୋଇଥିଲେ। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ଓ ବିଜେପି ଲୋକସଭା ସାଂସଦ ମାନେକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ମିଳିଛି। ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହରେ ଶ୍ରେଷ୍ଠ ମହିଳା ସାଂସଦ ଭାବରେ ପୁରସ୍କୃତ କରାଯାଇଥିଲା।

ପ୍ରତିବର୍ଷ ଲୋକସଭାରୁ ୪ଜଣ, ରାଜ୍ୟସଭାରୁ ୨ ଜଣଙ୍କୁ ଲୋକମତ ସଂସଦୀୟ ପୁରସ୍କାର ମିଳିଥାଏ। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଯୋଗ ଦେଇଥିଲେ।

ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ଯବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ସସ୍ମିତ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ଯ ଶୀଘ୍ର ଶେଷ କରିବା, ଭୁବନେଶ୍ବର ଆଉଟର ରିଙ୍ଗରୋଡ, ଉପକୂଳ ରାଜପଥ ନିର୍ମାଣ ଭଳି ଦାବି ଉଠାଇଛନ୍ତି।

ଏଥିସହିତ ଓଡିଶା ପାଇଁ ଆବଶ୍ଯକ ବଳକା ୭ ଲକ୍ଷ ଆବାସ ଯୋଜନା ଘର ଯୋଗାଣ, ୧୬୯ ଜନଜାତୀଙ୍କୁ ଜନଜାତି ତାଲିକାଭୁକ୍ତ କରିବା, ହୋ, ମୁଣ୍ଡାରୀ, ଭୁମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦୀର୍ଘ ଦିନ ହେଲା ରାଜ୍ଯ ଦାବି କରିଆସୁଛି। କିନ୍ତୁ ଏହାକୁ ଏପର୍ଯ୍ଯନ୍ତ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର। ସେହିପରି କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ ସ୍ବଚ୍ଛଳତା ପାଇଁ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଦାବିକୁ ଦୋହରାଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉତ୍କଳମଣୀଙ୍କ ନାଁ ଉଲ୍ଲେଖ କରିଥିବାରୁ ସେ ଧନ୍ଯବାଦ ଜଣାଇଥିଲେ।

ଇମ୍ରାନ ଖାନଙ୍କୁ ହେବ କି ଫାଶୀ; ଜାଣନ୍ତୁ, କ’ଣ ରହିଛି ସେନାର ନିୟମ..

କରାଚୀ: ଫେବୃଆରୀ ୮ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କାରଣ ସେ ଏବେ ଜେଲରେ ଅଛନ୍ତି।

ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନ ପ୍ରତୀକ ‘ବଲା’କୁ ମଧ୍ୟ ଛଡ଼ାଇ ନିଆଯାଇଛି। ତେବେ ସମ୍ପ୍ରତି ରାୱଲପିଣ୍ଡିର ଆଡିଆଲା ଜେଲରେ ଥିବା ଇମ୍ରାନ ଖାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାରମୟ ଦେଖାଯାଉଛି। ଏମିତିକି ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଇମ୍ରାନଙ୍କ ବିରୋଧରେ ୧୫୦ ରୁ ଅଧିକ ମାମଲା
ଇମ୍ରାନ ଖାନଙ୍କ ବିରୋଧରେ ଅତି କମରେ ୧୫୦ ମାମଲା ଚାଲିଛି। ୨୦୨୩ରେ ଅଲ କାଦ୍ରି ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ତାଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସରକାରୀ ଅଟ୍ଟାଳିକା ଏବଂ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଇମ୍ରାନଙ୍କ ସମର୍ଥକମାନେ ପାକିସ୍ତାନୀ ସେନା ବେସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏଥିସହିତ ରାୱଲପିଣ୍ଡି ସ୍ଥିତ ହେଡ କ୍ୱାର୍ଟର ଉପରେ ମଧ୍ୟ ଆକ୍ରମଣ କରିଥିଲେ।

 କ’ଣ କହୁଛି ପାକ୍ ଆର୍ମି ଆକ୍ଟ?
୨୦୨୩ ମେ ୯ରେ ହୋଇଥିବା ଏହି ହିଂସାରେ ଇମ୍ରାନ ଖାନଙ୍କ ସମେତ ୧୦୦ ଜଣ ଅଭିଯୁକ୍ତ ରହିଛନ୍ତି, ଯେଉଁମାନଙ୍କ ବିରୋଧରେ ଆତଙ୍କବାଦ ଠାରୁ ଆରମ୍ଭ କରି ବିଭିନ୍ନ ଧାରାରେ ମାମଲା ଚାଲିଛି। ପାକିସ୍ତାନୀ ସେନା ଆଇନର ଧାରା ୫୯ ଅନୁଯାୟୀ, ଯଦି କେହି ବ୍ୟକ୍ତି ପାକିସ୍ତାନ ବିରୁଦ୍ଧରେ ଅସ୍ତ୍ର ଉଠାନ୍ତି କିମ୍ବା ପାକିସ୍ତାନୀ ସେନା ତଥା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

ମିଲିଟାରୀ କୋର୍ଟରେ ମାମଲା
ମେ ୯ରେ ହୋଇଥିବା ହିଂସା ମାମଲା ଏବେ ପାକିସ୍ତାନୀ ମିଲିଟାରୀ କୋର୍ଟରେ ଚାଲିଛି। କିନ୍ତୁ ପାକିସ୍ତାନର ସୁପ୍ରିମକୋର୍ଟ ମିଲିଟାରୀ କୋର୍ଟକୁ ଏହାର ରାୟ ଦେବା ଉପରେ ରୋକ ଲଗାଇଛନ୍ତି ।

ପାକିସ୍ତାନର ରାଜନୀତିକୁ ଅତି ନିକଟରୁ ବୁଝୁଥିବା ଲୋକମାନେ କୁହନ୍ତି ଯେ ଇମ୍ରାନ ଖାନ ଯେପରି ପାକିସ୍ତାନୀ ସେନା ବିରୁଦ୍ଧରେ ମୋର୍ଚ୍ଚା ଉଠାଇଛନ୍ତି, ତାଙ୍କୁ ସେନାର ବରିଷ୍ଠ ଅଧିକାରୀମାନେ ହିଂସାର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରିଛନ୍ତି । ଯାହା ଏକ ଗମ୍ଭୀର ମାମଲା। ଯଦି ମିଲିଟାରୀ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ଏ ସଂପର୍କିତ ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ସ୍ପଷ୍ଟ ଭାବେ ଏହି ଯୋଜନାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଗ୍ରାମାଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସମ୍ବିଧାନ ଓ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଆଧାରରେ ଏହି ଯୋଜନା ପ୍ରସ୍ତୁତ ହୋଇଛି।

ତେଣୁ ଯୋଜନା ଚୟନ, ଏହାର କାର୍ଯ୍ୟକାରିତା ଓ ଯୋଜନା ପାଇଁ ଅର୍ଥ ବରାଦ କୌଣସି କାର୍ଯ୍ୟରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ତେବେ ରାଜ୍ୟ ସରକାର ଚାହିଁଲେ ପ୍ରକଳ୍ପ ଚୟନରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାମିଲ କରିପାରନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଥିବା ବ୍ୟବସ୍ଥା ଅନୁଯାୟୀ ବିଭାଗ ଜରିଆରେ ପଂଚାୟତ ସମିତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବ।

ଜିଲ୍ଲାପାଳ ଚାହିଁଲେ ଯୋଜନାର କାର୍ଯ୍ୟକାରୀତା ପାଇଁ ଜିଲ୍ଲାପାଳ ଅନ୍ୟ ଏଜେନ୍ସିକୁ ମଧ୍ୟ ନିୟୋଜିତ କରିପାରିବେ। ଯୋଜନାର ଏହି ବ୍ୟବସ୍ଥାକୁ ଚ୍ୟାଲେଂଜ କରି ପଂଚାୟତ ପ୍ରତିନିଧି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏଥିସହିତ ଯୋଜନାର କାର୍ଯ୍ୟକାରିତା ରେ ସେମାନଙ୍କ ସମ୍ପୃକ୍ତି ଦାବି କରିଥିଲେ । କିନ୍ତୁ ଯୋଜନା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ କେବଳ ପଂଚାୟତ ସମିତିର ନୁହେଁ, ପଂଚାୟତ ପ୍ରତିନିଧିମାନେ ଏଥିରେ ସେମାନଙ୍କ ସମ୍ପୃକ୍ତି ଦାବି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି। ବିରୋଧୀ ଏନେଇ ହୀନ ରାଜନୀତି କରୁଛନ୍ତି।

BSKY ଦେଶର ସବୁଠାରୁ ଭଲ ଯୋଜନା। ଲାଭ ଯୋଜନା ଆଦିବାସୀଙ୍କ ପାଇଁ ବହୁତ ସହାୟକ ହେବ। ଓଡିଶା ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ ହୋଇଛି । ୨୦୦୦ ମସିହାରେ ମୁଁ ସରକାରକୁ ଆସିଲା ବେଳେ ରାଜ୍ୟରେ ୭୦ ଭାଗ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିଲେ। ଏବେ ୧୦ ପ୍ରତିଶତ ଅଛନ୍ତି। ଏହା ଏକ ବଡ଼ ସଫଳତା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି। ଆହୁରି ମଧ୍ୟ ରାଜ୍ୟର ବିକାଶ ପ୍ରକ୍ରିୟା ସାମିଲ ହୋଇ ନୂଆ ଓ ସଶକ୍ତ ଓଡିଶା ଗଠନରେ ସାମିଲ ହେବାକୁ ବିରୋଧୀଙ୍କୁ ଅପିଲ କରିବା ସହ ନିର୍ବାଚନ ସମୟରେ ରାଜନୀତି କରାଯାଉ କିନ୍ତୁ ସ୍ପର୍ଶକାତର ଅପରାଧିକ ଘଟଣା କିମ୍ବା ରାଜ୍ୟର ବିକାଶ କି ରାଜ୍ୟବାସୀଙ୍କୁ ନନ୍ଦିତ କଲାଭଳି ଘଟଣାରେ ରାଜନୀତି କରାନଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗବାର ନୟାଗଡ ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ପରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ଘଟଣାକୁ ଭିନ୍ନ ମୋଡ ଦେବାକୁ ବିରୋଧୀ କିଭଳି ରାଜନୀତି କରୁଥିଲେ ସେ କଥାକୁ ମନେ ପକେଇଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ଜାଣିଛନ୍ତି କିଏ ଅଭିଯୁକ୍ତକୁ ସୁରକ୍ଷା ଦେଉଥିଲେ ଓ ତଦନ୍ତ ପ୍ରକ୍ରିୟାରେ ବିଘ୍ନ ସୃଷ୍ଟି କରୁଥିଲେ ।

ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର, ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର। ରାଜ୍ଯ ପାଇଁ ଆଣିବେ ଗୌରବ। ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ। ପ୍ରତିଭାବାନ ଖେଳାଳିଙ୍କୁ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଓସିଏ ପ୍ରଥମ ଥର ଲାଗି ସ୍କୁଲ ସ୍ତରରେ କ୍ରିକେଟ ପ୍ରତିଭା ଅନ୍ବେଷଣ ପାଇଁ ଆରମ୍ଭ କରିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ସାରା ରାଜ୍ଯରେ ପ୍ରତି ଜିଲ୍ଲାରେ ୧୦ରୁ ୨୦ଟି ସ୍କୁଲ କ୍ରିକେଟ ଟିମକୁ ନେଇ ଚାଲିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟିମଗୁଡିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ ଲିଗ ଭିତ୍ତିରେ ୪୦ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି।

ପ୍ରତି ସ୍କୁଲ କ୍ରିକେଟ ଟିମ ୪ଟି ଲେଖାଁଏ ମ୍ୟାଚ ଖେଳିବା ପରେ ଗ୍ରୁପ ଚାମ୍ପିଅନ ଟିମକୁ ନେଇ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ। ପରେ ଏଥିରୁ ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ଖେଳାଳିଙ୍କୁ ବଛାଯିବ। ପ୍ରଥମ ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟରୁ ୧୨ରୁ ୧୪ବର୍ଷ ମଧ୍ଯରେ ଥିବା ଶ୍ରେଷ୍ଠ ୫୦ କ୍ରିକେଟରଙ୍କୁ ଚୟନ କରାଯାଇ ଓସିଏ ଏକାଡେମୀରେ ରଖାଯିବ। ଅଭିଜ୍ଞ କୋଚମାନେ ଚିହ୍ନଟ କ୍ରିକେଟର ମାନଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ଯ ଦଳ ପାଇଁ ପ୍ରସ୍ତୁତ କରିବେ। ଓସିଏର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି କ୍ରୀଡା ଶିକ୍ଷକ।

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ, ମାଇକ୍ ଭାଙ୍ଗିଲେ

ଭୁବନେଶ୍ୱର: ବିଧାନସଭାରେ ସୀମା ଟପୁଛି ବିଜେପି । ସତ ଧରାପଡିବା ପରେ ବି କମିନି ମୁହଁ ଫୁଟାଣୀ । ନିଜ ବିଫଳତା ଲୁଚାଇବାକୁ ଭିନ୍ନ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଏଭିତରେ ସେମାନେ ଗୃହ ଓ ବାଚସ୍ପତିଙ୍କ ଗାରିମାକୁ ମଧ୍ଯ କ୍ଷୁର୍ଣ୍ଣ କରିବାକୁ ପଛାଉନାହାଁନ୍ତି । ଗୃହ ମଧ୍ଯରେ ଦାବି ଉପସ୍ଥାପନା କରିବା କିମ୍ବା ପ୍ରତିବାଦ କରିବା କିଛି ନୂଆ ନୁହେଁ । କିନ୍ତୁ ତାହା ବି ଶାଳିନତା ଭିତରେ ହେବା କଥା।

କିନ୍ତୁ ବିଜେପି ବିଧାୟକମାନେ ଶାଳିନତାକୁ ଭୁଲି ଆଜି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ଯମ କରିଥିଲେ। ବାଚସ୍ପତିଙ୍କ ସୁରକ୍ଷାକର୍ମୀ ପ୍ରତିରୋଧ କରିବାରୁ ବିଧାୟକ ନାଉରୀ ନାୟକ ଓ ବିରୋଧୀଦଳ ମୁଖ୍ଯ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମରେ ଥିବା ମାଇକକୁ ଭାଙ୍ଗି ଦେଇଥିଲେ। ଗତକାଲି ନୟାଗଡ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ରାୟ ପରେ ପରୀ ହତ୍ଯା ମାମଲାରେ ରାଜ୍ଯ ବିଜେପିର ଚକ୍ରାନ୍ତ ଧରାପଡିଥିଲା। ତେଣୁ ରାଜ୍ଯ ବିଜେପି ନେତାମାନେ କ୍ଷମା ମାଗିବାକୁ ଦାବି କରିଥିଲା ବିଜେଡି।

ବିଜେଡିର ଏହି ଦାବି ପରେ ବିଜେପି ବିଧାୟକମାନେ ପରୀ ହତ୍ଯା ମାମଲାରେ ସିବିଆଇ ତଦନ୍ତ ଦାବି କରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଅପରାହ୍ନ ଅଧିବେଶନରେ ବିଜେପି ବିଧାୟକମାନେ ପୁଣି ଥରେ ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଉଦ୍ଯମ କରି ମାଇକ ଭାଙ୍ଗିଥିଲେ। ବିଜେପି ନେତାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରୁ ନନ୍ଦା କରାଯାଉଛି।

NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ, ଟାର୍ଗେଟରେ ଝିଅ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା ହାତରେ ବ୍ଲାକମେଲର କୋରିଅର ଠକ। NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ। ହିମାଚଳ ପ୍ରଦେଶ ଯମୁନା ନଗର ଜିଲ୍ଲାର ରଜତ କୁମାର ଗିରଫ। ରଜତକୁ ଗିରଫ ପରେ କୋର୍ଟ ଚାଲାଣ କଲା EOW। ନୟାପଲ୍ଲୀ ଅଞ୍ଚଳର ରତ୍ନା ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ଗିରଫ କରିଛି EOW। ୧୯ ଜୁନ ୨୦୨୩ରେ ରତ୍ନା ଏକ ଫୋନ କଲ୍ ପାଇଥିଲେ।

ଫୋନ କଲରେ ରତ୍ନାଙ୍କ ନିକଟକୁ ଏକ ପାର୍ଶଲ ଆସୁଥିବା କହିଥିଲେ ଠକ। ଯେଉଁ ପାର୍ଶଲରେ କିଛି ପାସପୋର୍ଟ ସହ ଡ୍ରଗ୍ସ ଜବତ ହୋଇଥିବା କୁହାଯାଇଥିଲା। NCB ଘଟଣାର ତଦନ୍ତ ଭାର ନେଇଥିବା ସେହି ଫୋନ କଲରେ କୁହାଯାଇଥିଲା। ଭୟଭୀତ ହୋଇ Skype ରେ ଯୋଗାଯୋଗ କରିବା ମାତ୍ରେ ଠକେଇ ପାଇଁ ଜାଲ ବିଛାଇଥିଲେ ଠକ। ନାର୍କୋଟିକ୍ସ ସ୍ମଗଲିଂ ଓ ମନି ଲଣ୍ଡରିଂର ଭୟ ଦେଖାଇ ଆରମ୍ଭ ହୋଇଥିଲା ବ୍ଲାକମେଲ। ଶେଷରେ ଭୟଭୀତ ହୋଇ ଠକଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ ଏତଲାକାରୀ।

ତଦନ୍ତ ପରେ ସାରା ଦେଶରୁ ଅଭିଯୁକ୍ତ ୫ କୋଟି ୫୮ ଲକ୍ଷ ଠକିଥିବା ଜଣାପଡିଛି। ଠକେଇରେ ବ୍ୟବହୃତ ୧୭ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ମାଷ୍ଟରମାଇଣ୍ଡ ଦୁବାଇରେ ଲୁଚିଥିବା ସୂଚନା ପାଇଛି EOW। କେସ ନମ୍ବର ୨୦ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ IT ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ବନ୍ଦ୍ବ, ଜାଣନ୍ତୁ କ’ଣ କହୁଛି ପଞ୍ଜିକା…

ଭୁବନେଶ୍ୱର: ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ଯୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ ୨୦୨୪-୨୫ ବର୍ଷର ପାଞ୍ଜି ଯେପରି କୌଣସି ପ୍ରକାର ଅମେଳ ନହେବ ସେ ନେଇ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଗଣନାକାର ଓ ପଞ୍ଜିକାର ପ୍ରକାଶକ ।

ପଞ୍ଜିକା ପଞ୍ଜିକା ଭିତରେ ମେଳ ଖାଉନଥିବାରୁ ବିଭିନ୍ନ ଯାନି ଯାତ୍ର, ପର୍ବପର୍ବାଣି, ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ହୋଉଛି ଦ୍ବନ୍ଦ୍ବ। ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ତେବେ ବୈଠକରେ ମହାବିଷୁବ ସଂକ୍ରାନ୍ତି ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଅପ୍ରେଲ ୧୩ ତାରିଖ ନା ୧୪ତାରିଖରେ ସଂକ୍ରାନ୍ତି ପଡିବ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ରାଧାରମଣ ପଞ୍ଜିକା, କୋହିନୂର ପଞ୍ଜିକାରେ ୧୪ତାରିଖ ଥିଵା ବେଳେ ସାମନ୍ତ ଚନ୍ଦ୍ର ଶେଖର ପଞ୍ଜିକା, ବିରଜା ପଞ୍ଜିକାରେ ୧୩ ତାରିଖରେ ପଣାସଂକ୍ରାନ୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଦ୍ବନ୍ଦ ଉଠିବାରୁ ଆଗାମୀ ୧୨ତାରିଖକୁ ପଞ୍ଜିକା ନିର୍ଦ୍ଧାରଣ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ସାନ୍ନଯାତ୍ର ପରେ ମହାପ୍ରଭୁଙ୍କ ଅନବସର ନୀତିକୁ ନେଇ ବିରାଟ ପରିବର୍ତ୍ତନ ସୃଷ୍ଟି ହୋଇଛି । ଚଳିତବର୍ଷ ଅନବସର ନୀତିକାନ୍ତି ମାତ୍ର ୧୩ଦିନ ହେବ ତାହା ହେଲେ କିଭଳି ଭାବରେ ନୀତିକାନ୍ତି ଓ ଗୁପ୍ତନୀତି କରାଯିବ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତଢଉକରଣଙ୍କୁ ବିଗତ ୧୯୭୧-୭୨ ରେ ହୋଇଥିବା ନୀତି କିପରି କରାଯାଇଥିଲା ତାହା ତର୍ଜମା କରିବାକୁ ଦାୟିତ୍ବ ଦିଆଯାଇଛି । ସେହିପରି ଚଳିତବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି। ଫଳରେ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବ ନାହିଁ।

ସେପଟେ ଚଳିତ ବର୍ଷ ଯାନିଯାତ, ତିଥି, ପର୍ବପର୍ବାଣି ନିର୍ଭୁଲ ତଥା ତୃଟିଶୂନ୍ୟ କରିବା ପାଇଁ ଗଣନାକାର ମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ପଞ୍ଜିକାର ପ୍ରକାଶକ କହିଛନ୍ତି । ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ଯୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ ।

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସର ବହୁ କର୍ମୀ

ଭୁବନେଶ୍ୱର: ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମନ୍ତ୍ରୀ ତଥା ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୩୨ ଜଣ ପ୍ରମୁଖ ନେତା ସାମିଲ ହୋଇଛନ୍ତି।

ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର, ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ଓ୍ବାର୍ଡର କାଉନସିଲର ପ୍ରତାପ ସେଠୀ, ନୀଳଗିରି ବ୍ଳକ ପୂର୍ବତନ ଅଧ୍ୟକ୍ଷା ଝରଣା ସିଂ, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅର୍ଜୁନ ମାରାଣ୍ଡିଙ୍କ ସମେତ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେଡି ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧେଇ ଦଳକୁ ସ୍ବାଗତ କରିଥିଲେ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀଳଗିରି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ସ୍ଵଚ୍ଛ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଏହି ସବୁ ସଦସ୍ୟ ସାମିଲ ହେବା ପରେ ଦଳ ଆହୁରି ମଜଭୁତ ହୋଇଛି।