spot_img
Home Blog Page 2102

ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବ୍ରତା ୪.୫ ଓ ୩.୬

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସକାଳୁ ଦୁଇ ଥର ଭୂକମ୍ପ ଝଟକା। ୧୦ ମିନିଟ୍ ମଧ୍ଯରେ ୨ଥର ଭୂକମ୍ପ ଝଟକା ଅନୁଭବ କରିଥିଲେ ଲୋକେ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଗୁରୁବାର ସକାଳେ ଲଗାତର ଭାବେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ହିଙ୍ଗୋଳିରେ ପ୍ରଥମ ଥର ସକାଳ ୬ଟା ୮ ମିନିଟରେ ଭୂମିକମ୍ପ ଅନୁଭବ କରିଥିଲେ ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିଲା। ଏହାପରେ ପୁଣି ଥରେ ୬ଟା ୧୯ ମିନିଟରେ ଆଉ ଥରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି।

ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶରେ ୨ ଘଣ୍ଟାରେ ୨ଥର ଭୂମିକମ୍ପ ଝଟକା ଦେଖିବାକୁ ମିଳିଥିଲା।

ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଠା ଭୁଶୁଡି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ। ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା। ଏନେଇ ସୂଚନା ପାଇବା ପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଆନନ୍ଦ ତିର୍କି କହିଛନ୍ତି ।

ବର୍ଷାରେ ଲାଗିଲା ବ୍ରେକ୍, ବଦଳିଲା ପାଗ କାଲିଠୁ ଉପରମୁହାଁ ହେବ ପାରଦ

ଭୁବନେଶ୍ୱର: ରାଜ୍ଯରେ ବଦଳିଲା ପାଗ। ଦୁଇଦିନର ଲଗାଣ ବର୍ଷାରେ ବ୍ରେକ୍ ଲାଗି ଆଜିଠୁ ଫିଟିଲା ପାଗ। କାଲିଠୁ ଉପରମୁହାଁ ହେବ ପାରଦ। ସାରା ରାଜ୍ଯରେ ବଢିବ ତାପମାତ୍ରା। କାଲିଠୁ ୨୪ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ।

ଦୁଇଦିନର ଲଗାଣ ବର୍ଷା ପରେ ଆଜି ଖରା ଦେଖିବାକୁ ମିଳିଛି। ଆଜି ସକାଳୁ ପାଗରେ ପରିବର୍ତ୍ତନ ସହ ଟୁଇନସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଟୁଇନସିଟି କଟକ-ଭୁବନେଶ୍ବରରେ ପ୍ରବଳ ଥଣ୍ତା ସହ ଘନ କୁହୁଡ଼ି ଦେଖିବାକୁ ମିଳିିଛି। କୁହୁଡ଼ି ଯୋଗୁ ଦୃଶ୍ଯମାନ ଦୂରତା ୨୦ ମିଟର ରହିଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଖରା ବଢିବା ସହିତ ଦିନର ତାପମାତ୍ରା ବୃଦ୍ଧି ପାଇଛି।

ଚୀନ କର୍ମଚାରୀ ନିୟୋଜିତ ପାକିସ୍ତାନ ଗ୍ଵାଦର ପୋର୍ଟ ଉପରେ ଆତଙ୍କବାଦୀ ହମଲା

ବ୍ୟୁରୋ ରିପୋର୍ଟ: ପାକିସ୍ତାନ-ଚୀନ ସମ୍ପର୍କକୁ ଲାଗିଲା ଝଟକା। ଗ୍ଵାଦର ପୋର୍ଟ ଅଥରିଟ କମ୍ପେକ୍ସ ଉପରେ ଆତଙ୍କବାଦୀ ହମଲା। ହଠାତ ଅଜଣା ବନ୍ଧୁକଧାରୀ ବନ୍ଦର ମଧ୍ୟକୁ ପଶି ଆକ୍ରମଣ କରିଥିଲେ। ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଗ୍ଵାଦର ପୋର୍ଟ ଉପରେ ମୋଟ ୮ ଆତଙ୍କବାଦୀ ହମଲା କରିଛନ୍ତି। ତେବେ ପାକିସ୍ତାନ ସେନାର ପ୍ରତି ଆକ୍ରମଣରେ ସମସ୍ତ ଆତଙ୍କବାଦୀଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ନିହତ ଆତଙ୍କବାଦୀ ବଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।

ଅନେକ ସମୟ ଧରି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗ୍ଵାଦର ପୋର୍ଟ ଅଥରିଟିରେ ପାକିସ୍ତାନର ଅନେକ ସରକାରୀ ଅନୁଷ୍ଠାନ ରହିଛି । ଏଠାରେ ଗ୍ଵାଦର ପୋର୍ଟର ମଧ୍ୟ ଅଫିସ ରହିଛି। ଏହି ସମସ୍ତ ଅଫିସକୁ କବଜା କରିବାକୁ ଚାହୁଁଥିଲେ ଆତଙ୍କବାଦୀ। ଏହା ପୂର୍ବରୁ ମଧ୍ୟ ଚୀନ କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ। ସେଠାରେ ଏକ ଆଇଇଡି ବିସ୍ଫୋରଣ ମଧ୍ୟ କରିଥିଲେ ଆତଙ୍କବାଦୀ। ସେଠାରେ ଚୀନର ଅନେକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ତୃତୀୟ ବୃହତ ନିର୍ମାଣାଧିନ ବନ୍ଦର ହେଉଛି ଗ୍ଵାଦର ପୋର୍ଟ। ଚୀନ-ପାକିସ୍ତାନ ଆର୍ଥନୈତିକ କରିଡର ମଧ୍ୟରୁ ଗୋଟିଏ ହେଉଛି ଗ୍ଵାଦର ପୋର୍ଟ। ସିଇପିସି ମାଧ୍ୟମରେ ଚୀନ ଏଠାରେ ବିପୁଳ ପରିମାଣର ପୁଂଜିନିବେଶ କରିଛି। ଚାଇନା ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମ ଜରିଆରେ ପ୍ରାକୃତିକ ସମ୍ପଦରେ ଭରପୂର ବାଲୋଚିସ୍ତାନରେ ବିପୁଳ ଅର୍ଥ ନିବେଶ କରିଛି ଚୀନ। ଅର୍ଥ ବିନିଯୋଗ କରି ଗ୍ୱାଦର ପୋର୍ଟକୁ ବିକଶିତ କରୁଛି। ତେବେ ଚୀନ ନିବେଶ କରିଥିବା ଗ୍ଵାଦର ପୋର୍ଟ ଉପରେ ବାରମ୍ବାର ଆତଙ୍କବାଦୀ ହମଲା ବେଜିଂକୁ ଚିନ୍ତାରେ ପକାଇଛି।

ରାଜନୈତିକ ଦଳଙ୍କ ଲୋଭନୀୟ ଅଫର ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନରେ ଭୋଟରଙ୍କୁ ମାଗଣା ଉପହାର ଘୋଷଣା ପ୍ରସଙ୍ଗ। ଆଜି ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି। ଏ ପ୍ରସଙ୍ଗରେ ଜନସ୍ଵାର୍ଥ ମାମଲାକୁ ବିଚାର ଲାଗି ତାଲିକାଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ସମୟରେ ଭୋଟରଙ୍କୁ ଲୋଭନୀୟ ଉପହାର ପ୍ରଦାନ ସହ ମାଗଣା ଘୋଷଣା ସମ୍ପର୍କିତ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାର୍ଦିୱାଲା, ଏବି ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିଛନ୍ତି। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ଘୋଷଣା କରୁଥିବା ମାଗଣା ଉପହାର ସହ ଲୋଭନୀୟ ଘୋଷଣାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦାବି କରାଯାଇଛି। ଏଭଳି ଘୋଷଣା କରି ଭୋଟରଙ୍କ ସମର୍ଥନ ଜୁଟାଇବାକୁ ପ୍ରୟାସ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହା ସମ୍ବିଧାନର ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ ସଠିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ବିଷଦ ଆଲୋଚନା ସହ ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିବାକୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କହିଥିଲେ ବିଚାପତି। ଅନେକ ରାଜନୈତିକ ଦଳରେ ଥିବା ଚିହ୍ନକୁ ନେଇ ରାଜନୈତିକ ଦଳ ଉପହାର ପ୍ରଦାନ କରୁଥିବାରୁ ଏସବୁ ଚିହ୍ନକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା।  ଏଭଳି ଘଟଣା ଭୋଟରଙ୍କୁ ଲାଞ୍ଚ ପ୍ରଦାନ ସହ ପ୍ରଭାବିତ କରିବା ଆବେଦନରେ ଉଲ୍ଲେଖ କରିଥିଲେ।

ନିର୍ବାଚନୀ ବଣ୍ଡ ତଥ୍ଯ ପ୍ରସଙ୍ଗ…ଆଜି ସନ୍ଧ୍ଯା ୫ଟା ସୁଦ୍ଧା ସମ୍ପୂର୍ଣ୍ଣ ଡାଟା ଦେବ ଏସବିଆଇ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ତଥ୍ଯକୁ ନେଇ ସୁପ୍ରିମକୋର୍ଟ ପୁଣିଥରେ ଏସବିଆଇକୁ ତାଗିଦ କରିଛନ୍ତି । ଗତ ୧୮ ତାରିଖରେ ମାମଲାର ଶୁଣାଣି ଆଜି ସନ୍ଧ୍ଯା ୫ଟା ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ଯ ଦେବାକୁ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ତଥ୍ଯ ଦେବାବେଳେ ଭାରତୀୟ ଷ୍ଟେଟବ୍ଯାଙ୍କ ସିଲେକ୍ଟିଭ୍ ହୋଇପାରିବ ନାହିଁ। ଅର୍ଥାତ କେଉଁ ତଥ୍ଯ ଦିଆଯିବ ଓ କେଉଁ ତଥ୍ଯ ଦିଆଯିବ ନାହିଁ ତାହା ବାଛିପାରିବ ନାହିଁ। ସମସ୍ତ ଉପଲବ୍ଧ ତଥ୍ଯ ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ୫ ଜଣିଆ ଖଣ୍ଡପୀଠ। ସମସ୍ତ ନିର୍ବାଚନୀ ବଣ୍ଡର ଗୁପ୍ତ ଆଲଫାନ୍ଯୁମେରିକ ନମ୍ବର ଆଜି ଯେପରି ଇସିଆଇଙ୍କୁ ମିଳେ ସେନେଇ ନିଶ୍ଚିତ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦିଆଯାଇଛି।

ବଣ୍ଡର ୟୁନିକ ନମ୍ବରରୁ ବଣ୍ଡ କ୍ରେତା ଏବଂ ଏହି ଅର୍ଥ ପାଇଥିବା ରାଜନୀତିକ ଦଳ ମଧ୍ଯରେ ରହିଥିବା ସଂଯୋଗ ସମ୍ପର୍କରେ ରହିଥିବା ଜାଣିବାର ସୁଯୋଗ ରହିଥିବାବେଳେ ଏହି ୟୁନିକ ନମ୍ବର ମଧ୍ଯ ସ୍ପଷ୍ଟ କରିବାକୁ ଏସବିଆଇକୁ କୁହାଯାଇଛି। ସର୍ବୋଚ୍ଚ ନ୍ଯାୟାଳୟ ଏହି ନିର୍ଦ୍ଦେଶ ପାଳନ ହୋଇଥିବା ଏବଂ କୌଣସି ତଥ୍ଯ ଲୁଚାଯାଇନଥିବା ନେଇ ଏକ ସତ୍ଯପାଠ ଆଜି ଏସବିଆଇ ଅଧ୍ଯକ୍ଷ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନୀ ବଣ୍ଡ ଗୁଡ଼ିକର ଆଲଫାନ୍ଯୁମେରିକ ନମ୍ବର ମିଳିଲେ କିଏ କେତେ ନମ୍ବର ବଣ୍ଡ କିଣିଛନ୍ତି ଓ ସେହି ବଣ୍ଡରୁ କେଉଁ ରାଜନୈତିକ ଦଳ କେତେ ଟଙ୍କା ଉଠାଇଛି ତାହା ଜଣାପଡ଼ିବ।

କେଉଁ ଦେଶର ଯୁବବର୍ଗ ସବୁଠୁ ଅଧିକ ଖୁସି

ନନ୍ଦିଘୋଷ ବ୍ୟୁରୋ: ନିକଟରେ ପ୍ରକାଶ ପାଇଛି ୱାର୍ଲଡ୍ ହାପିନେସ୍ ରିପୋର୍ଟ ୨୦୨୪ । ଏଥିରେ ଫିନଲାଣ୍ଡ ସବୁଠାରୁ ଅଧିକ ଖୁସିରେ ରହୁଥିବା ଲୋକଙ୍କ ଦେଶ ହୋଇଛି । କିନ୍ତୁ ୩୦ ବର୍ଷ ବୟସ ତଳକୁ ଖୁସିରେ ଥିବା ଦେଶ ଭିନ୍ନ ରହିଛି । ତାଲିକା ଷଷ୍ଠ ସ୍ଥାନରେ ଥିଲେ ବି ଯୁବବର୍ଗ ଅଧିକ ଖୁସି ଲିଥ୍ୟୁଆନିଆରେ ରହୁଛନ୍ତି ।  ଇଉରୋପ ମହାଦେଶର ଏକ ଛୋଟିଆ ଦେଶ ଲିଥ୍ୟୁଆନିଆ । ୨୦୨୧ ଜନଗଣନା ଅନୁସାରେ ଏଠାରେ ମୋଟ୍ ଜନସଂଖ୍ୟା ୨୮ ଲକ୍ଷ । ମୋଟ୍ ଜନସଂଖ୍ୟାର ୧୭ ପ୍ରତିଶତ ଯୁବବର୍ଗ ଏଠାରେ ଅଛନ୍ତି । ଦେଶରେ ହିଂସା କମ୍ ରହିବା ସହ ଯୁବବର୍ଗ ଚିନ୍ତାମୁକ୍ତ ଅଛନ୍ତି । କମ୍ ଜନସଂଖ୍ୟା କାରଣରୁ ସେମାନଙ୍କ ଆବଶ୍ୟକତା ପୂରଣ ହୋଇପାରୁଛି । ଆମେରିକା ଓ ଜର୍ମାନୀ ଭଳି ଦେଶ ହାପିନେସ ଇଣ୍ଡେକ୍ସର ଟପ୍ ୨୦ରେ ନାହାନ୍ତି । ଭାରତ ଖୁସି ରହୁଥିବା ଦେଶଙ୍କ ମଧ୍ୟରେ ୧୨୬ରେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କ୍ରିକେଟର ତଥା ଭାରତୀୟ କ୍ରିକେଟ ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଶାରେ କ୍ରୀଡ଼ାର ବିକାଶ ନେଇ ଉନ୍ନତମାନର ଭିତ୍ତିଭୂମି ଗଠନକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଓଡ଼ିଶାରେ ଉଚ୍ଚସ୍ତରର କ୍ରିକେଟ ଏକାଡେମୀ ଖୋଲିବା ନେଇ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। କୋଚିଂ ବିୟଣ୍ଡ ସଂସ୍ଥା ସହ କଟକ ସ୍ଥିତ ଏମଜିଏମ ସ୍କୁଲ ଅଫ୍ ସ୍ପୋର୍ଟ୍ସ ସହ ଏମଓୟୁ ଅବସରରେ ଓଡ଼ିଶା ଆସିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ।

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ୍‌

କେନ୍ଦୁଝର: ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ୍‌। ୨୦୧୮ ମସିହା ଯୋଡ଼ା ଥାନା ଅଞ୍ଚଳରେ ଘଟିଥିଲା ଘଟଣା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ସାବତ ଆଈକୁ ୩୦ବର୍ଷ ଜେଲ୍‌ ଦଣ୍ଡ ଦେଲେ କେନ୍ଦୁଝର ସ୍ବତନ୍ତ୍ର ପୋକ୍ସ କୋର୍ଟ। ଯୋଡ଼ା ହନୁମାନ ହଟିଙ୍ଗ ସାହିର ସହାଦତ୍ତ ଅଲ୍ଲୀଙ୍କୁ ୩୦ ବର୍ଷ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅନାଦେୟ ଅଧିକ ୩ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୀଡିତାଙ୍କ ସାବତ ଆଈ ଅମିତା କାରୁଆଙ୍କୁ କୋର୍ଟ ୩୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦ ଜଣଙ୍କର ସାକ୍ଷୀ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରିଥିଲେ ।

ଶାଶୁଘରୁ ଉଦ୍ଧାର ହେଲା ବୋହୂର ମୃତଦେହ

ନୟାଗଡ଼: ଶାଶୁଘରୁ ଉଦ୍ଧାର ହେଲା ବୋହୂର ମୃତଦେହ। ଶାଶୁଘର ଲୋକେ ଝିଅକୁ ମାରିଦେଇଥିବା ନେଇ ରଣପୁର ଥାନାରେ ଅଭିଯୋଗ କଲେ ପରିବାର ଲୋକେ l ୭ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ପଣସପୁର ଗ୍ରାମର ବସନ୍ତ ମହାରଣାଙ୍କ ବଡ଼ ଝିଅ ସନ୍ଧ୍ୟାରାଣୀ ନୟାଗଡ ଜିଲ୍ଲା ରଣପୁର ମାନିନାଗ ସାହିର ବିଷ୍ଣୁ ପ୍ରସାଦ ମହାରଣାଙ୍କୁ ବିବାହ କରିଥିଲେ l ଉଭୟଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି ।  କିଛି ଦିନହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା  l ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଝିଅର ପରିବାର l ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି।