ଆଠଗଡ଼: ତିଗିରିଆ ଥାନା ବିନ୍ଧାଣୀମା ରାସ୍ତାରେ ଦୁର୍ଘଟଣା। ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘର କାନ୍ଥରେ ପିଟି ହେଲା କାର। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ସାଙ୍ଗ ଖଜୁରୀପଦାରୁ ଭୋଜି ଖାଇ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତୁଷାର ତାଣ୍ଡବ ପାଇଁ ବନ୍ଦ ସ୍କୁଲ କଲେଜ, ବାହ୍ୟ ଜଗତରୁ ବିଚ୍ଛିନ୍ନ ସିମଲା
ଶିମଲା: ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ। ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବରଫ ବର୍ଷା। ଆଜି ବି ଲାହୌଲ ସ୍ପିତି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ କଲେଜ। ସେହିପରି ରାଜଧାନୀ ହିମାଚଳ ପ୍ରଦେଶରେ ବି ଜାରି ରହିଛି ତୁଷାର ତାଣ୍ଡବ। ରାଜପଥ ସମେତ ବିଭିନ୍ନ ଅଞ୍ଚଳରେ ବରଫପାତ ଯୋଗୁଁ ସିମଳାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
ତୁଷାରପାତ ଯୋଗୁ କୁଫ୍ରି, ମସୋବରା, ନରକଣ୍ଡାରେ ବି ଜନଜୀବନ ବାଧାପ୍ରାପ୍ତ ହୋଇଛି। ମନାଲି,ଗୁଲାବା, ସୋଲାଙ୍ଗ ଓ କୋଠି ଅଞ୍ଚଳରେ ଘରୁ ବାହାରିବା ମୁସ୍କିଲ ହୋଇଛି। କେତେକ ସ୍ଥାନରେ ୫୦ ସେଣ୍ଟିମିଟରର ବରଫ ଆସ୍ତରଣ ପଡିଥିବା ଦେଖାୟାଇଛି। ଗତ ବୁଧବାର ଠାରୁ ଲାହୌଲ ସ୍ପିତି, କିନ୍ନାଉର, କୁଲ୍ଲୁ, ସିମଳା, ସିରମାଉର, ସାମ୍ବା ଜିଲ୍ଲାରେ ବରଫପାତ ଜାରି ରହିଛି।
ପ୍ରଦୀପଙ୍କ ବାଚାଳାମି ଚରମସୀମାରେ ପହଞ୍ଚିଛି
ଭୁବନେଶ୍ବର: ଜନବିରୋଧୀ ନେତା ପ୍ରଦୀପଙ୍କ ବାଚାଳାମି ଚରମସୀମାରେ ପହଞ୍ଚିଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ପ୍ରଦୀପଙ୍କ ବୁଦ୍ଧି ହଜିଯାଇଛି । ସେ କେତେବେଳେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଜାଣିପାରୁନାହାଁନ୍ତି କହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛି ଗଞ୍ଜାମ ବିଜେଡି ।
ଏହାସହ ପ୍ରଦୀପ ଗଣମାଧ୍ୟମରେ ଦେଇଥିବା ବିବୃତିର ପ୍ରତିକ୍ରିୟା ରଖିଛି ଗଞ୍ଜାମ ଜିଲ୍ଲା ବିଜେଡି । ତାଙ୍କ ମୁଣ୍ଡ ଠିକ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ । ଲୋକ ପ୍ରତିନିଧି ହୋଇ ଲୋକଙ୍କୁ ଠକିଛନ୍ତି । ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ବିଜେଡିରୁ ତଡା ଖାଇବା ପରେ ଦଳ ବିରୋଧରେ ପାଗଳଙ୍କ ଭଳି ପ୍ରଳାପ କରୁଛନ୍ତି । ସେ ଭଲ ଭାବରେ ଜାଣିଛନ୍ତି ସେ ଦୋଷ କରିଛନ୍ତି । ତଥ୍ଯ ଓ ପ୍ରମାଣ ଅଛି । କଠିନ ଦଣ୍ଡ ପାଇବା ଭୟରେ ସେ ଏଭଳି ଆଚରଣ କରୁଛନ୍ତି । ଏବେ ଏକ ନିର୍ଦ୍ଦିଷ୍ଟ ଦଳକୁ ଯିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସେ ଦଳ ଏଭଳି ଲୋକଙ୍କୁ ଗ୍ରହଣ କରୁନାହିଁ । ଏଭଳି ବିବୃତିକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।
ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସ୍ମାରକୀ ହେବ ଅକ୍ଷର ଭୂମି
ଭୁବନେଶ୍ବର: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ସଜେଇ ହୋଇଛି ଭୁବନେଶ୍ବର । ଜନତା ମଇଦାନଠାରୁ ଆରମ୍ଭ କରି ରାସ୍ତାରେ ଓଡ଼ିଆ ଭାଷାର ଝଲକ ଦେଖିବାକୁ ମିଳିଛି । ଏହି ଅବସରରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଭାଷାକୁ ନେଇ ତିଆରି ହୋଇଛି ନୂଆ କାରୁକାର୍ଯ୍ୟ । ଭାଷା ସମ୍ମିଳନୀ ଉପଲକ୍ଷେ ଏହା ଏକ ସ୍ମାରକୀ ହେବାକୁ ଯାଉଛି । ଯାହା ଭାଷାବିତ୍, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରୁଛି । ଦିନରେ ଯେତିକି ଝଲସୁଛି ରାତି ହେଲେ ସେତିକି ବଖାଣୁଛି ଓଡ଼ିଆ ଭାଷା ଏବଂ ସଂସ୍କୃତିର ଗାଥା । ସବୁଠାରୁ ଆକର୍ଷଣୀୟ ହୋଇଛି ଓଡ଼ିଆ ଲିପି- ଅ।
ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସ୍ମାରକୀ ହେବ ଅକ୍ଷର ଭୂମି। କାନ୍ଥବାଡ ବଖାଣୁଛି ଓଡ଼ିଆ ଲିପିର କାହାଣୀ । ପଥର ଖୋଦିତ ଅକ୍ଷର ସାଙ୍ଗକୁ ଥ୍ରୀଡି ଝଲକ । ଦିନ ଅପେକ୍ଷା ରାତିରେ ଦିଶୁଛି ଅଧିକ ଆକର୍ଷଣୀୟ । ମନ ମୋହୁଛି ମୁକ୍ତେଶ୍ବର ମନ୍ଦିର ତୋରଣ ଆକୃତିର ତୋରଣ । ଭାଷାବିତଙ୍କୁ ଟାଣି ନେଉଛି ବୃହତ୍ ଆକୃତିର ଓଡ଼ିଆ ଲିପି `ଅ’। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଭୁବନେଶ୍ବର ଗଜପତି ନଗର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଥିବା ଅକ୍ଷର ଭୂମି ପ୍ରତିଟି ଓଡ଼ିଆଙ୍କୁ କରିବ ଆକର୍ଷିତ । ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡାର ଏହି ପ୍ରକଳ୍ପ । ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମସ୍ତ ନିର୍ମାଣ ଖଣ୍ଡୋଲାଇଟ୍ ପଥରେ କରାଯାଇଛି ।
ଶିଳ୍ପୀମାନଙ୍କ ହାତଛୁଆଁରେ ପଥରର କାରୁକାର୍ଯ୍ୟ ଜୀବନ୍ତ ହୋଇ ଉଠିଛି । ଅକ୍ଷର ଭୂମି ମଝି ଅଂଶରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି କରାଯାଇଛି । ତୋରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ବୃହତ ଅକ୍ଷର କରାଯାଇଛି । ଦୁଇ ପାର୍ଶ୍ଵରେ ୬ଟି ଅକ୍ଷର କାନ୍ଥ ରହିଛି । କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି । ଖୋଦେଇ ଅକ୍ଷର ଭିତରେ ଅତ୍ୟାଧୁନିକ ଆଲୋକ ଲଗାଯାଇଛି । ଯାହା ରାତି ସମୟରେ ପରିସର ଅଧିକ ସୁନ୍ଦର କରୁଛି । ଖାଲି ସେତିକି ନୁହେଁ ଏଠାରେ ପଥରର କାରୁକାର୍ଯ୍ୟ ସହ ସବୁଜମୟ ପରିବେଶ ଆଖିଦୃଶିଆ ହୋଇଛି । ଚାରି କୋଣରେ ସବୁଜ ଘାସ ସହ ଫୁଲ ଗଛ ଲଗାଯାଇଛି । ଏଥିସହ ଫୁଟ୍ ପାଥ୍, ସେଲଫି ଜୋନ୍ ମଧ୍ୟ କରାଯାଇଛି ।
ପାଚେରି ଚାରିପାଖରେ ବଡ଼ ବଡ଼ ବଉଳ ଗଛ ଓ ଆଲୋକୀକରଣ ପରିବେଶକୁ ସ୍ବତନ୍ତ୍ର ପରିଚୟ ଦେଉଛି । ଭାଷା ସମ୍ମିଳନୀର ସ୍ମାରକୀ ଭାବେ ‘ଅକ୍ଷର ଭୂମି’ ସବୁ ବେଳେ ସ୍ମୃତିକୁ ସତେଜ କରି ରଖିବ ।
ଚିତ୍ରକଳା ପ୍ରଦର୍ଶନୀ
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା ସମସାମୟିକ ଚିତ୍ରକଳା । ଏଥିରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀଙ୍କ ଦ୍ୱାରା ୩୬ଟି ସୁନ୍ଦର ସୁନ୍ଦର ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଉତ୍ସବକୁ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ର ଶିଳ୍ପୀ ବିନୋଦ ମହାରଣା, ବଂଶୀଧର ପ୍ରତିହାରୀ ଓ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ ଉଦଘାଟନ କରିଥିଲେ । ଏଥିରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ରଶିଳ୍ପୀ ଡ଼ ମୁରଲିଧର ଟାଲି, ରବିନାରାୟଣ ନାୟକ, ଅଜିତ କେଶରୀ ରାୟ, ଅନନ୍ତ କୁମାର ପଣ୍ଡା, ଅସିତ ମୁଖାର୍ଜୀ, ଗୋକୁଳ ବିହାରୀ ପଟ୍ଟନାୟକ, ଡ଼ ଦୁର୍ଗା ପ୍ରସାଦ ଦାସ, ପଦ୍ମଭୂଷଣ ଡ଼ ଯତୀନ ଦାସ, ଦୀନନାଥ ପାଠୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବନବିହାରୀ ପରିଡ଼ା, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ ପ୍ରମୁଖଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଧାରଣ ଲୋକ ସକାଳ ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୁଲି ଏହି ଚିତ୍ରକଳାର ମଜା ନେଇପାରିବେ ।
କାଲିଠୁ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ, ଆଜି ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ । ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ କରାଯାଉଛି । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ ଯୋଗଦେଇ ରଖିବେ ସେମାନଙ୍କର ମତ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ କରିବେ ରୋଡ ମ୍ୟାପ ।
ସେପଟେ ଲୋକାର୍ପଣ ପୂର୍ବରୁ କାର୍ଯ୍ୟର ସମୀକ୍ଷା କରିଛନ୍ତ ବିଭାଗୀୟ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ । ଅକ୍ଷର ଭୂମି ତଦାରଖ କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଭୁବନେଶ୍ୱର ଗଜପତି ନଗରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଅକ୍ଷର ଭୂମିରେ ଶୋଭା ପାଉଛି ଓଡ଼ିଆ ଅକ୍ଷର । ଆକର୍ଷଣ ସାଜିଛି ବୃହତ ଓଡ଼ିଆ ଲିପି ‘ଅ’।
ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି । ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ହୋଇଛି । ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହେବେ । ଆସନ୍ତାକାଲି ୧୧ ଟା ସମୟରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ କୁହାଯାଇଛି ।
ସାଧୁ ମେହେର: ସମୟଠାରୁ ଥିଲେ ଆଗରେ, ଟ୍ରାକରୁ ହଟି କରୁଥିଲେ କାମ
ଭୁବନେଶ୍ବର: ସାଧୁ ମେହର । ସମାନ୍ତରାଳ ସିନେମାର ସନ୍ଥ । ଗୁରୁ ଗମ୍ଭୀର ସ୍ୱର । ଅଭିନୟ ଏମିତି, ଯାହା ସିଧା ହୃଦୟକୁ ଆଘାତ କରୁଥିଲା । ପ୍ରଥମ ଓଡିଆ ଯିଏ ଅଭିନୟ ପାଇଁ ପାଇଥିଲେ ଜାତୀୟ ସମ୍ମାନ । ଓଡିଆ ଫିଲ୍ମକୁ ସର୍ବଭାରତୀୟ ସ୍ତରରେ ପହଂଚାଇବାର ଶ୍ରେୟ ତାଙ୍କୁ ମଧ୍ଯ ଯାଏ । ବଳିଷ୍ଠ ଅଭିନୟ ଓ ଦମଦାର ସ୍ୱର ପାଇଁ ପରିଚିତ ସାଧୁ ମେହରଙ୍କ ଜୀବନ ଯାତ୍ରା ଶୁକ୍ରବାର ଶେଷ ହୋଇଛି ।
ଦୁନିଆ ରଙ୍ଗମଞ୍ଚରେ ନିଜ ଅଭିନୟ ସାରି ସାଧୁ ମେହର ଚାଲିଯାଇଛନ୍ତି । ପଛରେ ଛାଡ଼ିଯାଇଛନ୍ତି ଉପଲବ୍ଧିର ପାହାଡ଼ । ଯାହା ଆଗକୁ ପ୍ରେରଣା ଦେବ ।
ସାଧୁ ମେହରଙ୍କ ଯେତେବେଳେ ଆଜି ଆମେ ମନେ ପକାଉ, ସେତେବେଳେ ହୁଏତ ସେ ଆଜିର ପୀଢି ପାଇଁ ଜଣେ ବର୍ଷୀୟାନ ଅଭିନେତା ହୋଇପାରନ୍ତି । ଯିଏ ଅଭିନୟରୁ ଅବସର ନେଇ ନିଜ ଅବସର ଜୀବନ କାଟୁଥିଲେ । କିନ୍ତୁ ଗୋଟିଏ ସମୟ ଥିଲା ,ସାଧୁ ଥିଲେ ସମାନ୍ତରାଳ ସିନେମାର ବଳିଷ୍ଠ ଚେହେରା । ୧୯୮୦ ଦଶକରେ ପାରାଲାଲ ସିନେମାର ଗୋଟିଏ ଚିହ୍ନା ନାମ ଥିଲେ ସାଧୁ ମେହର । ୧୯୭୪ ମସିହାରେ ଅଙ୍କୁର ପାଇଁ ସେ ପାଇଥିଲେ ଜାତୀୟ ଫିଲ୍ମ ପୁରସ୍କାର । ଏଭଳି ସମ୍ମାନ ପାଇବାର ସେ ଥିଲେ ପ୍ରଥମ ଓଡ଼ିଆ । ଅଙ୍କୁର ତାଙ୍କୁ ପରିଚୟ ଦେବାର ୩ ବର୍ଷ ପରେ ସେ ଅଭିମାନ ଜରିଆରେ କ୍ୟାମେରା ପଛକୁ ଆସିଥିଲେ । ଅଭିମାନ ଥିଲା ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ । ଏହି ଫିଲ୍ମକୁ ଆଜି ମଧ୍ୟ ଏକ କଲ୍ଟ କ୍ଲାସିକ୍ ଭାବେ ବିବେଚନା କରାଯାଏ ।
ସାଧୁ ମେହର ଟ୍ରାକରୁ ହଟି କାମ କରୁଥିଲେ । ୧୯୮୦ ଦଶକରେ ଓଡ଼ିଆ ଫିଲ୍ମ ଶିଳ୍ପ ଯେତେବେଳେ ମସଲା ମୋଭି’ରେ ବ୍ୟସ୍ତ ଥିଲା ସେତେବେଳେ ସାଧୁ ଲିକରୁ ହଟି ଓଡିଶାକୁ ଦେଇଥିଲେ ପ୍ରଥମ ସାଇନ୍ସ ଫିକ୍ସନ ଫିଲ୍ମ । ଫିଲ୍ମର ନାଁ ଥିଲା ବାବୁଲା । ୧୯୮୫ରେ ଆସିଥିବା ଏହି ଫିଲ୍ମ ତା’ ସମୟଠାରୁ ଢେର ଆଗରେ ଥିଲା । ଫଳରେ ଫିଲ୍ମ ଚାଲି ନଥିଲା । କିନ୍ତୁ ଗୋଟିଏ କଥା ପ୍ରମାଣିତ କରିଥିଲା, ସାଧୁ ନିଜ ସମୟଠାରୁ ଆଗରେ ଥିଲେ । ବାବୁଲ ଫିଲ୍ମ ଶିଶୁ ଚଳଚିତ୍ର ଥିଲା । ପିଲାଙ୍କୁ ଫିଲ୍ମ ଦ୍ୱାରା ପ୍ରେରିତ କରିବା ପାଇଁ ସାଧୁଙ୍କର ଇଏ ଗୋଟିଏ ଉଦ୍ୟମ ଥିଲା ।
୧୯୬୯ରେ ଭୁବନସୋମ୍ ଜରିଆରେ ସାଧୁ ଫିଲ୍ମ ଦୁନିଆକୁ ପ୍ରଥମେ ପ୍ରବେଶ କରିଥିଲେ । ପାଖାପାଖି ୬ ଦଶକର ଅଭିନୟ ଯାତ୍ରାରେ ସେ ପ୍ରାୟ ୨୭ ଫିଲ୍ମରେ ଅଭିନୟ କରିଥିଲେ ଓ ୫ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ରେ ଅଭିମାନ ନିର୍ଦ୍ଦେଶନା ଦେବାର ୨୦ ବର୍ଷ ପରେ ୧୯୯୫ରେ ଶେଷ ଥର ପାଇଁ ଗୋପରେ ବଢୁଛି ମୋ କଳା କହ୍ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

