spot_img
Home Blog Page 2121

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ

ଭୁବନେଶ୍ୱର :  ଅଯୋଧ୍ୟା ଦିବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିବ୍ୟ ଦୁର୍ଲ୍ଲଭ ମୁହୂର୍ତ୍ତକୁ ଦର୍ଶନ କଲାବେଳେ ହାତଯୋଡି ପ୍ରାର୍ଥନା କରିଛନ୍ତି ନବୀନ । ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସାରା ଦେଶ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଭୋର। ଦେଶବାସୀ ଏହି ମୁହୂର୍ତ୍ତକୁ ଚାହିଁ ରହିଥିବାବେଳେ ଆଜି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । କାଲିଠୁ ସର୍ବସାଧାରଣ ଦର୍ଶନ ।

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ, ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମମୟ ସାରା ଜଗତ। ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମାର ପ୍ରଥମ ଫଟୋ। ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ ହୋଇଛି । ମନ୍ଦିରରେ ବିରାଜମାନ ପରେ ଶ୍ରୀରାମଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଛି । ଧାର୍ଯ୍ୟ ସମୟ ମୁତାବକ ଶୁଭ ମୁହୂର୍ତ୍ତ ୮୪ ସେକେଣ୍ଡର ରହିଥିଲା । ଏହି ଶୁଭବେଳାରେହିଁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମଧ୍ୟାହ୍ନ ୧୨ଟା ୨୯ ମିନିଟ ୨ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଶୁଭ ମୁହୂର୍ତ୍ତ ଥିଲା । ସମସ୍ତ ରୀତିନୀତି ଅନୁଯାଇ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶ୍ରୀରାମଙ୍କ ମନ୍ଦିର ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ମନ୍ତ୍ରୋଚ୍ଚାରଣ ସହ ଅନ୍ୟ ବିଧିବିଧାନ ମୁତାବକ ଏହି ନୀତି ସମ୍ପନ୍ନ ହୋଇଛି ।

ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ପ୍ରତିମାର ପ୍ରଥମ ଫଟୋ ସାମନାକୁ ଆସିଛି । ଏହି ଅବସରରେ ଦୁଲୁକୁଛି ରାମଙ୍କ ନଗରୀ ଅଯୋଧ୍ୟା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚାରିଆଡେ ଶୁଭୁଛି ରାମନାମର ସ୍ବର। ପୂରା ଜଗତ ରାମମୟ ହୋଇପଡିଛି। ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅଭିନେତା ଚିରଂଜିବୀ, ବିକି କୌଶଲ,ଅଭିନେତ୍ରୀ କାଟ୍ରିନା କୈଫ, ଅନୁପମ ଖେରଙ୍କ ସହ ସିନେମା ଓ କ୍ରୀଡା ଜଗତର ଅନେକ ବିଶିଷ୍ଟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂରା ଅଯୋଧ୍ୟାରେ ଦୀପାବଳୀ ଆୟୋଜନ ହେଉଛି। ୧୦ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା ନଗରୀ।

ଆସାମରେ ରାହୁଲ ଗାନ୍ଧୀଙ୍କୁ ବିରୋଧ: ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କୁ ବିରୋଧ କରିବ କଂଗ୍ରେସ

ବ୍ୟୁରୋ ରିପୋର୍ଟ : ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ। ଆସାମର ନୂଆଗାଁଓ ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରାଯାଇଛି।  କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି। ଆଜି ନୂଆଗାଁଓରେ ରାହୁଲ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରୋକିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅପରପଟେ, ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ କଂଗ୍ରେସ ବିରୋଧ କରିବ। ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରାକୁ ବିଜେପି ଭଣ୍ଡୁର କରିବାକୁ ଚାହୁଁଛି। ବିଭିନ୍ନ ଜାଗାରେ ଗଣ୍ଡଗୋଳ କରୁଛି । ଏହାର ପ୍ରତିବାଦରେ ବିଜେପିର କୌଣସି ନେତାଙ୍କୁ କଂଗ୍ରେସ ଓଡ଼ିଶାରେ ପୂରାଇ ଦେବ ନାହିଁ ବୋଲି ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ସୁର। ସେ କହିଛନ୍ତି, ରାହୁଲ ଓ ନେହରୁ ପରିବାର ପ୍ରତି ହିମନ୍ତ ଶର୍ମା ଦେଇଥିବା ମନ୍ତବ୍ୟ ଲଜ୍ଜାଜନକ । ହିମନ୍ତ ଶର୍ମା ଓଡ଼ିଶାକୁ ଆସିଲେ ଆମେ ତାଙ୍କୁ କଡ଼ା ଜବାବ ଦେବୁ । ହିମନ୍ତ ଶର୍ମା ପୂର୍ବରୁ କଂଗ୍ରେସରେ ଥିଲେ । ତେଣୁ ରାହୁଲ ଗାନ୍ଧୀଙ୍କୁ ଏମିତି କହିବା ଠିକ୍  ନୁହେଁ ବୋଲି ସୁର କହିଛନ୍ତି  ।

ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ

ହଜିଗଲା ମାଆର ମମତା । ସନ୍ତାନ ଜନ୍ମ ଦେଇ କେନାଲକୁ ଫିଙ୍ଗିଦେଲା ମାଆ । ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଏଭଳି ଅମାନୁଷିକ ଘଟଣା ଘଟିଛି । ଆଜି ନାଲୋକ ନଗର ମୁଣ୍ଡା ହଟିଂ ନିକଟରେ ଯାଇଥିବା ଏକ କେନାଲରେ ଏକ ନବଜାତ ଶିଶୁକନ୍ୟା ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସମାଜସେବୀ ଚିନ୍ମୟୀଙ୍କୁ ଖବର ଦେବା ପରେ ଚିନ୍ମୟୀ ଘଟଣାସ୍ଥଳରେ ପହଞ୍ଚି ନାଲକୋ ପୋଲିସକୁ ସୂଚନା ଦେବା ସହ ପାଣିରୁ ନବଜାତକକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ୍ୟୁ ଘୋଷଣା କରିଛନ୍ତି ।

କୌଣସି ଅବିବାହିତା ଯୁବତୀ ଅନୈତିକ ସମ୍ପର୍କରୁ ଶିଶୁ ଜନ୍ମଦେବା ପରେ ଲୋକଲଜ୍ଜା ଭୟରେ କେନାଲକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

ଟ୍ରକ୍‌ ପଛପଟକୁ ଧକ୍କା ଦେଲା ବାଇକ, ୨ ମୃତ

କଟକ: ଦୁର୍ଘଟଣାରେ ଦୁଇ ମୃତ । କଟକ-ପାରାଦ୍ୱୀପ ରାସ୍ତାର ରାହାମା ତେରମାଣପୁର ମଠସାହିଠାରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍‌ ପଛପଟେ ବାଇକ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାଇକରେ ପାରାଦ୍ୱୀପ ଯାଉଥିବା ବେଳେ ପଛପଟୁ ଏକ ଟ୍ରକକୁ ପିଟିଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ସଠିକ ପରିଚୟ ମିଳିନାହିଁ । ଘର କୁଜଙ୍ଗ ବିଶ୍ୱାଳି ସାହି ବୋଲି ଅନୁମାନ କରାଯାଉଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ସ୍ବାମୀ- ସ୍ତ୍ରୀ ମୃତ । ମୃତ ଦମ୍ପତି ଦୁହେଁ ଆଇଅତିପୁର ଗାଁର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଗଞ୍ଜାମରେ ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ

ଗଞ୍ଜାମ : ଟ୍ରାକ୍ଟର ଓଲଟି ଦୁଇ ମହିଳାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପାତ୍ରପୁର କେ. ନୂଆଗାଁ ଥାନା ଆମୁଣ୍ଡି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନମଳା ଟ୍ରାକ୍ଟର ଓଲଟି ଦୁଇଜଣ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି। ଚୈତନ୍ୟଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକ ଓ ମୁରଲୀ ନାଇକଙ୍କ ସ୍ତ୍ରୀ ଧାନ ଅମଳ ପାଇଁ ଯାଇ ଟ୍ରାକ୍ଟରରେ ଫେରୁଥିଲେ। ଟ୍ରାକ୍ଟର ପଛକୁ ଲାଗିଥିବା ମେସିନଟି କୌଣସି କାରଣରୁ ଓଲଟି ପଡିଥିଲା। ଦୁଇ ମହିଳା ମେସିନ ତଳେ ଚାପିହୋଇ ରହିଯାଇଥିଲେ।

ସ୍ଥାନୀୟ ଲୋକେମାନେ ଉଭୟଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲାI ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଶ୍ରୀକ୍ଷେତ୍ର ଆସିବ

ପୁରୀ: ପୁରୀ ଆସିବ ଅର୍ପଣ ଟଙ୍କା। ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ  ଲାଗିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ତେବେ ଅର୍ପଣ ରଥରେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲରେ ଜମା ହେବ । ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲରେ ଦେବେ। ୨୫ ତାରିଖ ପର୍ଯ୍ୟନ୍ତ ଏହି ସେଲରେ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଏହି ଟଙ୍କା ଗଣତି କରି ରଖିବେ ।

ସେହିପରି ଅର୍ପଣ ରଥରେ ସଂଗୃହୀତ ଗୁଆ, ଅରୁଆ ଚାଉଳ ଓ ନଡ଼ିଆ ଆଣି ପ୍ରତ୍ୟେକ ଜିଲ୍ଲାରୁ ପୁରୀକୁ ଆସିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରୁ ଆରମ୍ଭ କରାଯିବ । ନିଜ ଜିଲ୍ଲାରୁ ବସରେ ଲୋକମାନେ ୨୪ ତାରିଖରେ ବାହାରିବେ। ପୁରୀରେ ପହଞ୍ଚି ୨୫ ତାରିଖରେ ଅରୁଆ ଚାଉଳ, ଗୁଆ ଗୁଣ୍ଡିଚା ମନ୍ଦିରରେ ସେମାନଙ୍କଠାରୁ ଗ୍ରହଣ କରାଯିବ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଲୋକ ଆସି ପ୍ରଥମେ ସଙ୍ଗମ ପାର୍କିଂରେ ପହଞ୍ଚିବେ। ସେମାନେ ଆଣିଥିବା ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଦେବା ପରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବେ। ସମଙ୍ଗଠାରେ ୧୦ ହଜାର ଲୋକଙ୍କ ଖାଇବା ସହ ବିଶ୍ରାମ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ପ୍ରତି ଲୋକଙ୍କୁ ତାଳପତ୍ର ଭୋଗେଇରେ ଶୁଖିଲା ମହାପ୍ରସାଦ ପ୍ରଦାନ କରାଯିବ । ଏଥିପାଇଁ ସୁଆର ମହାସୁଆର ନିଯୋଗଙ୍କୁ ଦାୟିତ୍ୱ ଦିଆଯାଇଛି ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେଲେ ସେଲିବ୍ରେଟି

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍କଣ୍ଠା ବଢୁଛି। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସାରା ଦେଶରେ ଉତ୍ସାହର ମାହୋଲ ଥିବା ବେଳେ ଅଯୋଧ୍ୟାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଥିରେ ସାମିଲ ହୋଇଛନ୍ତି ସିନେମା ଜଗତର ବହୁ ନାମିଦାମୀ ସେଲିବ୍ରେଟି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ  ଅନେକ ସେଲିବ୍ରେଟି ଅଯୋଧ୍ୟାରେ ପହଞ୍ଚି ସାରିଲେଣି ତ ଆଉ କିଏ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଛନ୍ତି।

ଆଜି ଭୋରୁ ମୁମ୍ୱାଇ ବିମାନ ବନ୍ଦରରେ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ନଜର ଆସିଛନ୍ତି । ଉଭୟ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ଏହାସହ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି  ଆଲୟା ଓ ରଣବୀର । ରଣବୀର ଧୋତି, କୁର୍ତା ପିନ୍ଧିଥିବା ବେଳେ ଆଲିୟା ସାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ  ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ, ବଲିଉଡ୍ ଅଭିନେତା ଅମିତାଭ୍ ବଚ୍ଚନ ଓ ପୁଅ ଅଭିଷେକ୍ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ୍‍, ବିକି କୌଶଲ ବାହାରିଛନ୍ତି ।  ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ସ୍ୱାମୀଙ୍କ ସହ ଅଯୋଧ୍ୟା ଗସ୍ତ କରିଛନ୍ତି।

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ ଅନେକ ସେଲିବ୍ରେଟି ।

ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ। କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ ମାରିବାକୁ କରିଛି ଯୋଜନା। ନାରଦଙ୍କ ପରାମର୍ଶ କ୍ରମେ ମଥୁରାରେ ଆୟୋଜନ କରିଛି ଧନୁଯାତ୍ରା। ଏଥିପାଇଁ ନିଜର ସମର୍ଥିତ ସମସ୍ତ ଅସୁର ରାଜାଙ୍କ ସହଯୋଗ ଲୋଡିଛି। ଆଜି ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଅକ୍ରୁର ଗୋପପୁର ଯାତ୍ରା କରିବେ । ଯମୁନାରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଭାବବିହ୍ବଳ ହେବେ ଭକ୍ତ ଅକ୍ରୁର। ଏହାପରେ କୃଷ୍ଣ ବଳରାମଙ୍କ ସହ ସାକ୍ଷାତ କରିବେ।

ସେପଟେ ଗୋପରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ। ବର୍ଷା ଓ ଝଡରୁ ଗୋପପୁରବାସୀଙ୍କୁ ଲକ୍ଷା କରିବାକୁ ନିଜର ଆଙ୍ଗୁଠିରେ ଧାରଣ କରିବେ ଗିରି ଗୋବର୍ଦ୍ଧନ। ଯାତ୍ରାର ସପ୍ତମ ଦିନରେ ଗୋପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼। ଦେବଗଡ଼ ମନୋବନ୍ଧରେ ଏହି ଦୃଶ୍ୟକୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ। ସେହିପରି ଗୋପରେ କଂସଙ୍କ ଅସୁର ରାଜାଙ୍କ ସହ ମନ୍ତ୍ରଣା, ବିଭିନ୍ନ ଅଫିସରଙ୍କ ସହ ଆଲୋଚନା ସାଙ୍ଗକୁ ଦୁର୍ଗା ମନ୍ଦିରରେ ପୂଜା ଦୃଶ୍ୟ ଅଭିନିତ ହୋଇଥିଲା।

ସାରା ରାଜ୍ୟରେ କୋହଲା ପାଗ, ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହଲୁକା ବର୍ଷା ହୋଇଛି । ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କୋହଲା ପାଗ ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଘନ କୁହୁଡି ପାଇଁ ଆଜି ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି ।