spot_img
Home Blog Page 2130

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ। ନମ୍ବର ପ୍ଲେଟ ପରେ ଏବେ ଫାସଟ୍ୟାଗ୍ ଉପରେ ନୂଆ ଆଇନ ଛାଟ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହେଲାଣି। କାରଣ ଜାନୁଆରୀ ୩୧ ସୁଦ୍ଧା କେଓ୍ବାଇସି ପୂରଣ ନକଲେ, ଅକାମୀ ହୋଇଯିବ ଫାସଟ୍ୟାଗ । ଧୀରେ ଧୀରେ ବିବାଦକୁ ଆସୁଥିବା ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ ଅଭିଯାନରେ ଏକାଧିକ ଫାସଟ୍ୟାଗ୍ ହୋଇଯିବ କଳାତାଲିକାଭୁକ୍ତ। ଏହାକୁ ନେଇ ଏବେଠାରୁ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି।

କେନ୍ଦ୍ର ସରକାରଙ୍କ ମନମୁଖୀ ନିୟମ ଯୋଗୁ ଦୁଇ ସପ୍ତାହ ଭିତରେ ଦେଖିବାକୁ ମିଳିପାରେ ନୋଟବନ୍ଦୀ ପରି ଲମ୍ବା ଲାଇନ୍। ବାରମ୍ବାର ନିୟମ ପରିବର୍ତ୍ତନ କରି ଲୋକଙ୍କୁ ଅସୁବିଧାରେ ପକାଇବାରେ ଲାଗିଛି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଗୋଟାଏ ଗାଡ଼ିରେ ଏକାଧିକ ଫାସଟ୍ୟାଗ୍ ଥିଲେ ଜାନୁଆରୀ ୩୧ ପରେ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଫାଷ୍ଟଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଯିବ। ଫଳରେ ଫାସଟ୍ୟାଗ୍ ଉପଭୋକ୍ତାଙ୍କୁ ନିକଟସ୍ଥ ଟୋଲ ପ୍ଲାଜା କିମ୍ବା ବ୍ୟାଙ୍କର କଷ୍ଟମର କେୟାର ବାହାରେ ଲମ୍ବାର ଲାଇନରେ ଠିଆ ହେବାକୁ ପଡ଼ିବ। ଗୋଟିଏ ଫାସଟ୍ୟାଗ୍ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଗାଡ଼ି ମାଲିକଙ୍କୁ ସେମାନଙ୍କ ଫାସଟ୍ୟାଗ୍ ପାଇଁ କେଓ୍ବାଇସି ପୂରଣ କରିବାକୁ ପଡ଼ିବ। ବାଲାନ୍ସ ଥିଲେ ବି ଅସଂପୂର୍ଣ୍ଣ କେଓ୍ବାଇସି ଥିବା ଫାସଟ୍ୟାଗକୁ ନିଷ୍କ୍ରିୟ କରିବା ସହ ବ୍ଲାକଲିଷ୍ଟ କରିଦେବେ ବ୍ୟାଙ୍କ। ଏକାଧିକ ଫାସଟ୍ୟାଗ୍ କ୍ଷେତ୍ରରେ ସଦ୍ୟତମ ଫାସଟ୍ୟାଗକୁ ଛାଡ଼ି ଅନ୍ୟ ସବୁକୁ ନିଷ୍କ୍ରିୟ କରାଯିବ। ହଠାତ୍ ଏ ନିୟମ ଆସିବାରୁ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି। କାରଣ ହାତରେ ଅଳ୍ପ ଦିନ ଅଛି। ଘର କାମ, ଅଫିସ୍ କାମ ଭିତରେ କେତେବେଳେ ସମୟ ବାହାର କରି ପୁଣି କେଓ୍ବାଇସି ପୂରଣ କରିବେ, ତାକୁ ନେଇ ଚିନ୍ତା ବଢିଛି।

ଟୋଲ୍ ପ୍ଲାଜାରେ ଗୋଟିଏ କମ୍ପାନିର ଫାସଟ୍ୟାଗ୍ କାମ ନକଲେ, ଲୋକେ ବାଧ୍ୟ ହୋଇ ଅନ୍ୟ କମ୍ପାନିର ଫାସଟ୍ୟାଗ୍ ଲଗାଉଛନ୍ତି। ଟୋଲ୍ ପ୍ଲାଜାରେ ଏଭଳି ସମସ୍ୟାର ତତ୍କାଳ ସମାଧାନ ହୋଇପାରୁଥିଲେ ଏକାଧିକ ଫାଷ୍ଟଟ୍ୟାଗ୍ ଲଗାଇବାକୁ ପଡୁନଥାନ୍ତା। ଏପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତ, ଫାସଟ୍ୟାଗ୍ ଆସିବା ପରେ ବି ଟୋଲ୍ ପ୍ଲାଜାରେ ନିରବଚ୍ଛିନ୍ନ ଯାତାୟାତ ସୁଗମ ହୋଇପାରିନି। ଅନେକ ସମୟରେ ଟୋଲ ପ୍ଲାଜାରେ ବହୁ ଗେଟ୍ ବନ୍ଦ ରହୁଛି। ଫଳରେ ଲୋକଙ୍କୁ ଏବେବି ଲାଇନ ଲଗାଇବାକୁ ପଡୁଛି। କେନ୍ଦ୍ର ସରକାର ପ୍ରଥମେ ଏସବୁ ସମସ୍ୟାର ସମାଧାନ କରନ୍ତୁ। ଦେଶରେ ଏବେ ୮କୋଟିରୁ ଅଧିକ ଫାସଟ୍ୟାଗ୍ ଉପଭୋକ୍ତା ଅଛନ୍ତି। ପ୍ରାୟ ୯୮ ପ୍ରତିଶତ ଗାଡ଼ିରେ ଫାସଟ୍ୟାଗ୍ ଲାଗିଛି । ନୂଆ ଫାସଟ୍ୟାଗ୍ ପ୍ଲେଟ ଜରିଆରେ ଲୋକଙ୍କୁ ଆର୍ଥିକ ବୋଝ ଦେଇ କେନ୍ଦ୍ର ସରକାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହୋଇଛି। ଏ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଉପସ୍ଥାପନ କରାଯିବ।

ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଶ୍ଵଭରି ଓଡ଼ିଆ ଭୌତିକ ଓ ବୌଦ୍ଧିକ ଅନୁଦାନ ପ୍ରଦାନ କରିବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ( ୱା.ଓ.ସୋ.) ପକ୍ଷରୁ ଆହ୍ବାନ ଦିଆଯାଇଛି। ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ସଭାରେ ସଭାପତିତ୍ବ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଶା ବାହାରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡ଼ିଆ ସମୁଚିତ ଯୋଗଦାନ ପ୍ରଦାନ କଲେ ସୁନାର ଓଡ଼ିଶା ପୁନର୍ଗଠନ ନିଶ୍ଚିତ ଭାବେ ସମ୍ଭବପର ହୋଇପାରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ। ବିଶେଷ କରି ୨୦୩୬ ମସିହାରେ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ଶତାବ୍ଦୀ ପୂର୍ତ୍ତି କାଳରେ ଓଡ଼ିଶାକୁ ଦେଶର ଏକ ନମ୍ୱର ରାଜ୍ୟରେ ପରିଣତ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ସାରା ଦୁନିଆର ସମସ୍ତ ଓଡ଼ିଆ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ଦ୍ବିବେଦୀ ନିବେଦନ କରିଥିଲେ।

ଉଭୟ ଆଭାସି ଓ ବାସ୍ତବ ଢଙ୍ଗରେ ଆୟୋଜିତ ଉତ୍କଳ ଉତ୍ସବ ନାମରେ ନାମିତ ୱା.ଓ.ସୋର ସଂସ୍ଥାପନା ଦିବସ ସମାରୋହ ବିପୁଳ ଭାବେ ସଫଳ ହୋଇଥିବା ଜଣାଯାଇଛି। ଏହି ଉପଲକ୍ଷେ ସୋସାଇଟି ତରଫରୁ ପ୍ରଥମଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଦୁବାଇ ଠାରେ ଜାତୀୟ ସ୍ତରରେ ଗଜିଆବାଦ ଠାରେ ରାଜ୍ୟସ୍ତରରେ ଭୁବନେଶ୍ୱର ଠାରେ ଉତ୍ସବ ମାନ ବାସ୍ତବିକ ମଞ୍ଚରେ ଆୟୋଜନ କରାଯାଇଥିବା ବେଳେ ଡିଜିଟାଲ ଲିଙ୍କ ଜୁମ୍ ଜରିଆରେ ଆଭାସି ମଞ୍ଚରେ ସାରା ବିଶ୍ଵର ବିଭିନ୍ନ ଦେଶରୁ ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖାଦେଇଥିଲା। ଦୁବାଇରୁ ସୁଧାଶ୍ରୀ ଦାଶ ସୂଚାରୁ ରୂପେ ସଭା ସଞ୍ଚାଳନ କରିଥିଲେ। ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ଡିଜିଟାଲ କକ୍ଷକୁ ନିୟନ୍ତ୍ରଣ କରିଥିଲେ।

ସମାବେଶକୁ ସମ୍ବୋଧନ କରି ବିଶିଷ୍ଟ ଅତିଥି ରାଜ୍ୟ ସରକାରଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଓଡ଼ିଶାର ବହୁବିଧ ବିବିଧତା ଓ ବ୍ୟାପକ ବୈଭବ କୁ ଆନ୍ତର୍ଜାତିକ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରିବା ନେଇ ୱାର୍ଲଡ୍  ଓଡ଼ିଶା ସୋସାଇଟିର ସକ୍ରୀୟ ସାହାଯ୍ୟ କାମନା କରିଥିଲେ। ବରେଣ୍ୟ ଅତିଥି ଆଟମୋସସ୍ଫିଅର୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ନେଇ ୱା. ଓ.ସୋ ସାମ୍ନାରେ ଭରପୂର ସୁଯୋଗ ରହିଥିବା ପ୍ରକାଶ କରିଥିଲେ। ସୋସାଇଟି ର ପ୍ରତିଷ୍ଠାତ୍ରୀ ଡଃ ଅରୁନ୍ଧତୀ ଦେବୀ, କୋଭିଡ ର କରାଳ କାଳରେ ପଙ୍କରେ ପଦ୍ମ ଫୁଟିବା ଭଳି ୱା. ଓ.ସୋ ଜନ୍ମ ଧାରଣ କରି ଧରା ପୃଷ୍ଠର ୭୨ ଗୋଟି ଦେଶର ଓଡ଼ିଆଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିବା ଦର୍ଶାଇଥିଲେ। ଏହି ଜୟଯାତ୍ରା ଆଗକୁ ଆହୁରି ପ୍ରଖର ଭାବେ ଜାରି ରହିବ ବୋଲି ଡଃ ଦେବୀ ଘୋଷଣା କରିଥିଲେ।

ଅଷ୍ଟ୍ରେଲିଆରୁ ୱା. ଓ.ସୋ ର ଉପାଧ୍ୟକ୍ଷ ଡଃ ନଳିନୀ ପତି, ୟୁ.କେ ରୁ ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, ଦକ୍ଷିଣ କୋରିଆରୁ ସଂଯୁକ୍ତ ମହାସଚିବ ଡଃ ସୀତାଂଶୁ ଶେଖର ନନ୍ଦ, ଦୁବାଇରୁ ପ୍ରେସିଡିୟମ୍ ସଦସ୍ୟ ପ୍ରଦୀପ ରଥ, ସହ କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ବରିଷ୍ଠ ସଦସ୍ୟ ସୁଶାନ୍ତ ମହାପାତ୍ର, ସଞ୍ଜୟ ଦଳାଇ, ପ୍ରିୟଦର୍ଶୀ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମେହେର, ଓଡ଼ିଶାରୁ ଡଃ ରବି ନାରାୟଣ ବେହେରା, ଲିଲି ଜେନାମଣି, ଡଃ ସାଗର ରଞ୍ଜନ ତ୍ରିପାଠୀ, ହୃଷୀକେଶ ପାତ୍ର ଓ ମହାରାଷ୍ଟ୍ରରୁ ଆଲୋକ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ବିଗତ ତିନିବର୍ଷ ମଧ୍ୟରେ ୱା. ଓ.ସୋର କାରୁକାର୍ଯ୍ୟ ନେଇ ସମୀକ୍ଷା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ଯୋଜନା ନିର୍ଦ୍ଧାରଣ କରାଯିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉଲ୍ଲେଖଯୋଗ୍ୟ ସେବା ପାଇଁ ଆଧ୍ୟାତ୍ମିକ ପ୍ରବକ୍ତା ସୌଭାଗ୍ୟ ମହାପାତ୍ର, ୱା. ଓ.ସୋର ଆମେରିକା ଅଧ୍ୟାୟର ସାଧାରଣ ସମ୍ପାଦକ ପ୍ରାନ୍ତଶ୍ରୀ ଜେନା, ଚଳଚ୍ଚିତ୍ର ପ୍ରଯୋଜକ ସନଲିସା ପଟେଲ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ପ୍ରସିଦ୍ଧ କାର୍ଟୁନିଷ୍ଟ ପରେଶ ନାଥ, ଧର୍ମାଉପାସକ ନିର୍ମଳ ଧଳ, ପ୍ରବୀଣ ପ୍ରଶାସକ ଡଃ ଦେବେନ୍ଦ୍ର ମାଝୀ, ସୁନାମ ଧନ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ, ଯୁବନେତା ମନୋଜ ନାୟକ, ଯୁବ ଶିଳ୍ପୋଦ୍ୟୋଗୀ ଦେବସ୍ମିତା ମହାନ୍ତି, ପ୍ରବୋଧ କୁମାର ସାମନ୍ତରା, ପ୍ରିୟ ରଂଜନ ପଟ୍ଟନାୟକ, ଅର୍ପଣ ମହାନ୍ତି, ମଧ୍ୟ ପ୍ରାଚ୍ୟ ସ୍ଥିତ ପ୍ରତିମ୍ବିବ ମିଡ଼ିଆର ମୁଖ୍ୟ ପ୍ରତାପ କୁମାର ନାୟକ, ୱା. ଓ.ସୋର କୁଏତ ଅଧ୍ୟାୟର ସଭାପତି ବିଶ୍ବରଂଜନ ସାହୁ, ମାତୃଭାଷା ପ୍ରଚାରକ ରାକେଶ କୁମାର ସାହୁ, ସମାଜସେବୀ ସୁଶାନ୍ତ ଦାସ, ଦେବରାଜ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ବେହେରା, ରିତୁରାଣୀ ସାସମଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଜାତା ପ୍ରିୟମ୍ବଦା ନନ୍ଦ, ଓଡ଼ିଶୀ ନୃତ୍ୟାଙ୍ଗନା ଦେବଦୀପ୍ତି ବିଶ୍ଵାଳ, ଯୁବ ମିଡିଆ ବିଶେଷଜ୍ଞ ସୁଧାଶ୍ରୀ ଦାଶ ଓ ଦିବ୍ୟାଶା ସାମନ୍ତରାୟ, ଆର ଆର ଇଭେଣ୍ଟସର ପ୍ରତିଷ୍ଠାତା ରମେଶ ବାରିକ ଓ ସିଇଓ ଶାଶ୍ଵତୀ ପତି, ଦ୍ରୋଣ ଉତ୍ପାଦକ ବୋଧିସତ୍ୱ ସଙ୍ଗପ୍ରୀୟ ଓ ଓମପ୍ରକାଶ ଦାସ, ଏୟାର ଲାଇନ୍ ପାଇଲଟ ମଧୁସ୍ମିତା ପଟ୍ଟନାୟକ, ରେକର୍ଡଧାରୀ ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ, ପ୍ରସିଦ୍ଧ ଚ୍ଚିତ୍ରକାର ମୋନା ବିଶ୍ୱରୁପା ମହାନ୍ତି, ପ୍ରବାସୀ ଓଡ଼ିଆ ନେତୃବର୍ଗ ସୁଶାନ୍ତ କୁମାର ଚୌଧୁରୀ, ସୁଜୀତ କୁମାର ରାଉତରାୟ , ଉଦୀୟମାନ ଡିଜାଇନର ରାଜେଶ ବେହେରା, ସୁର ତରଙ୍ଗ ଷ୍ଟୁଡିଓ ର ପ୍ରତିଷ୍ଠାତା ପ୍ରିୟରଞ୍ଜନ ମହାନ୍ତି ଏବଂ ଶିଳ୍ପୀକା ନୃତ୍ୟବିଦ୍ୟାଳୟର ସମ୍ପାଦକ ବାସୁଦେବ ନାଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ମହୋତ୍ସବର ସ୍ଵତନ୍ତ୍ର ଆକର୍ଷଣ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଥିଲା। ଏଥିମଧ୍ୟରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତଙ୍କର ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ, ଆଚାର୍ଯ୍ୟ ଅଭିମନ୍ୟୁ, ପୁଷ୍ପାଞ୍ଜଳି ବାରିକ ଓ ସ୍ଵପ୍ନାରାଣୀ ରାଉତଙ୍କର ସୁମଧୁର ଭଜନ ଏବଂ ଅଜିତ କୁମାରଙ୍କର ସୁଗମ ସଙ୍ଗୀତ ପ୍ରସ୍ତୁତି ତଥା ଶିଳ୍ପୀକା ସଂସ୍ଥାର କଳାକାର ମାନଙ୍କ ଦ୍ଵାରା ମନଲୋଭା ଆଧୁନିକ ଓ ସମ୍ବଲପୁରୀ ଲୋକନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା। ଉତ୍କଳ ଉତ୍ସବ ଆୟୋଜନ କରିବାରେ ଭୁବନେଶ୍ୱର ଠାରେ ଆୟୋଜନ କମିଟିର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ପାଳନ କମିଟିର ଅଧ୍ୟକ୍ଷା ଅନିନ୍ଦୀତା ଦାସ ଏବଂ ୱା. ଓ.ସୋ ର ଆଇଟି ବିଭାଗର ସାଧାରଣ ସମ୍ପାଦକ ଡଃ ରବି ନାରାୟଣ ବେହେରା, ଗାଜିଆବାଦ ଠାରେ ୱା. ଓ. ସୋ ର ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା ଓ ମହିଳା ଶାଖାର ଉପସଭାପତି ରୀତା ପାତ୍ର ଓ ଦୁବାଇ ଠାରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅମୀୟ ମିଶ୍ର, ୱା. ଓ.ସୋ ର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ କୁମାର ଚୌଧୁରୀ ଏବଂ ଦେବାଶିଷ ପାତ୍ର ପ୍ରମୁଖ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିତୀଶ ଦାଶ, ଅକ୍ଷୟ ମହାନ୍ତି, କୃପାନିଧି ବିଶ୍ଵାଳ, ଦୀପକ ଦାସ, ଡଃ ଶୀତଳ କୁମାର ପାଲବାବୁ , ସିଦ୍ଧାର୍ଥ ଉପାଧ୍ୟାୟ, ପବିତ୍ର ମହାରଥ, ଦିଲ୍ଲୀପ ମହାନ୍ତି, ପ୍ରିୟତମା କର, ଆଶୀଷ ମିଶ୍ର, ଡଃ ନିର୍ମଳ ପଟ୍ଟନାୟକ, ଅଳ୍ପନା ପଟ୍ଟନାୟକ, ଡ଼ଃ ଅର୍ଚ୍ଚନା ବାରିକ ,ଜ୍ଞାନ ପ୍ରକାଶ ଜେନା,ରବି ମହାପାତ୍ର ଓ ପିତାମ୍ବର ବାରିକ ପ୍ରମୁଖ ସାମିଲ ଥିଲେ।

ଛାତ ଉପରେ ବଗିଚା, ପଳୁଛି ପରିବା

ଭୁବନେଶ୍ବର: ରୋଷେଇ ଶାଳର ମହଙ୍ଗା ମାଡରୁ ବଞ୍ଚାଉଛି ରୁଫଟପ ଗାର୍ଡେନ । ହାଣ୍ଡି ଶାଳକୁ ସମ୍ଭାଳିଛି ଛାତ ବଗିଚା । କମ ଖର୍ଚ୍ଚ ଓ ଦୁଇରୁ ତିନି ଘଣ୍ଟା ସମୟ ଦେଲେ ପନିପରିବା ଓ ଫଳର ରହିବନି ଅଭାବ। ଏହାକୁ ସତ କରିଦେଖାଇଛନ୍ତି ଭୁବନେଶ୍ବର ମୈତ୍ରୀ ବିହାର ଜଣେ ବାସିନ୍ଦା ।

ଗଛ ଲତାରେ ସବୁଜ ହୋଇଛି ସିମେଣ୍ଟ ଛାତ । ଭଳିକି ଭଳି ଫୁଲରେ ରଙ୍ଗୀନ ରୁଫଟପ ଗାର୍ଡେନ। ପନିପରିବା ଏବଂ ନାନା ଫଳରେ ଭର୍ତ୍ତି ଚାରିଦିଗ । ସୁସ୍ମିତାଙ୍କ ପରିଶ୍ରମ ସଫଳତା ପାଇଁ ଦେଖାଇଛି ବାଟ । ଆଉ ତାଙ୍କୁ ବାଧୁନି ରୋଷଇ ଶାଳାର ମହଙ୍ଗା ମାଡ଼ । ଭୁବନେଶ୍ବର  ମୈତ୍ରୀ ବିହାର ବାସିନ୍ଦା ସସ୍ମିତା ସାହୁ ନିଜ ଉଦ୍ୟମରେ ଛାତର ଖୋଲା ସ୍ଥାନକୁ ଦେଇଛନ୍ତି ନୂଆରୂପ । ବନ୍ଧା କୋବି, ଫୁଲ କୋବି , ବାଇଗଣ , କଞ୍ଚା ଲଙ୍କା ,ଟମାଟ, ଅମୃତ ଭଣ୍ଡା, ଭଳି ଉତ୍କୃଷ୍ଟ ପନିପରିବା ସେ ଚାଷ କରିଛନ୍ତି । ଏ ହାସହ ଏହି ରୁଫଟପ ଗାର୍ଡେନରେ ଆମ୍ବ ଗଛ, କଟକି ବରକୋଳି , ଅଭୋଗର୍ଡ, ଆମ୍ବଡା, କଦଳୀ, ଅଙ୍ଗୁରୁ କୋଳି, ସେଓ,ପିଜୁଳି ଫଳାଇ ପାରିଛନ୍ତି । ମଲି ମାଳତୀ,ଟଗର ସେବତୀ, ଠାରୁ ଆରମ୍ଭ କରି ଦୁଇଶହ ପ୍ରକାରର ଫୁଲ ଗଛରେ ଭର୍ତ୍ତି ହୋଇଛି ସୁସ୍ମିତାଙ୍କ ଘର ଛାତ।

ଟିକିଏ ଫୁରସତ ମିଳିଲେ ଗଛଙ୍କ ଯତ୍ନରେ ଲାଗି ପଡନ୍ତି ସ୍ମିତା। ମାତ୍ର ଗୋଟେ ବର୍ଷ ପରିଶ୍ରମ କରିବା ସହିତ କମ ସମୟ ଦେଇ ଏହି ଗାର୍ଡେନ ସେ ପ୍ରସ୍ତୁତ କରିଛନ୍ତି । ପରିବା ଦର ବୃଦ୍ଧି ତାଙ୍କୁ ରୁଫଟପ ଗାର୍ଡେନ ପାଇଁ ଯୋଗାଇଥିଲା ଶଚ୍ଛାଶକ୍ତି । ସସ୍ମିତା ନିଜ ରୁଫଟପ ଗାର୍ଡେନ ପାଇଁ ରିଜିଓନାଲ ପ୍ଲାନେଟ ରିସୋର୍ଶ ସେଣ୍ଟର ପକ୍ଷରୁ ବେଷ୍ଟ ଗାର୍ଡେନର ଭାବେ ପୁରସ୍କୃତ ହୋଇଛନ୍ତି ।

ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଜାପାନ ରଚିପାରେ ଇତିହାସ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଜାପାନ ରଚିବ ଇତିହାସ। ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରେ ସ୍ପେସକ୍ରାଫ୍ଟ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଟିଂ ମୁନ୍ ବା ସ୍ଲିମ । ଜାପାନ ଏରୋସ୍ପସ ଏକ୍ସପ୍ଲୋରେସନ ଏଜେନ୍ସି- ଜାକ୍ସା ପକ୍ଷରୁ ଲଞ୍ଚ ହୋଇଥିବା ଏହି ସ୍ପେସକ୍ରାଫ୍ଟର ସଫଳତାକୁ ସାରା ବିଶ୍ବର ଅପେକ୍ଷା । ଗତ ୨୦୨୩ ସେପ୍ଟେମ୍ବର ୬ରେ ଏଚ-୨ଏ ରକେଟ ଜରିଆରେ ଆରମ୍ଭ ହୋଇଥିଲା ମୁନ୍ ମିଶନ । ସଫଳତାର ସହ ପ୍ରେରିତ ସ୍ଲିମ ଗତ ବର୍ଷ ଡିସେମ୍ବର ୨୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏହି ଲ୍ୟାଣ୍ଡିଂ ସଫଳ ହେଲେ ଜାପାନର ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଇତିହାସ ରଚିବ । ରାତି ସାଢେ ୮ଟାରେ ପେରିଲ୍ୟୁନ ପଏଣ୍ଟରେ ଅବସ୍ଥାପିତ ହେବ ସ୍ଲିମ ।

ଯଦି ଏହି ଲ୍ୟାଣ୍ଡିଂ ସଫଳ ହୁଏ ତେବେ ସୋଭିଏତ ଋଷିଆ, ଆମେରିକା, ଚୀନ ଓ ଭାରତ ସହ ସମକକ୍ଷ ହେବ ଜାପାନ । ପିନପଏଣ୍ଟ ଲ୍ୟାଣ୍ଡିଂ ଟେକନୋଲୋଜି ଅର୍ଥାତ ୧୦୦ ମିଟର ଲକ୍ଷ୍ୟ ସ୍ଥଳ ମଧ୍ୟରେ କୌଣସି ମହାକାଶ ଯାନର ଅବତରଣ ସଫଳ କରିବା କ୍ଷେତ୍ରରେ ଏହି ଅଭିଯାନ ହେବ ମାଇଲଖୁଣ୍ଟ। ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଶକ୍ତିସମ୍ପନ୍ନ କୌଣସି ଏକ ବସ୍ତୁର ଅବତରଣ ଆଶାତୀତ ବୋଲି କୁହାଯାଇଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ଲିମ ସହ ପଠାଯାଇଥିବା ପେଲୋଡ ଜରିଆରେ ଫଟୋ ଓ କମ୍ୟୁନିକେସନ ସିଷ୍ଟମ ସମ୍ଭବ ହୋଇପାରିବ ।

ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଦେଇଥିଲା । ଚତୁର୍ଥ ଥର ଲାଗି କେଜ୍ରିଓ୍ବାଲଙ୍କୁ ଜାରି ହୋଇଥିଲା ସମନ । ଗତ ଜାନୁଆରୀ ୩ରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ । ଜାରି ହୋଇଥିବା ସମନ ବେଆଇନ ବୋଲି ଦର୍ଶାଇଥିଲେ କେଜ୍ରିଓ୍ବାଲ । ପୂର୍ବରୁ ତାଙ୍କୁ ନଭେମ୍ବର ୨, ଡିସେମ୍ବର ୨୧ରେ ମଧ୍ୟ ନୋଟିସ ଜାରି ହୋଇଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିଓ୍ବାଲ ଅଭିଯୁକ୍ତ ହୋଇ ନଥିଲେ ବି ତାଙ୍କୁ ବାରମ୍ବାର ନୋଟିସ ଜାରି କରାଯାଉଛି । ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ନେଇ ବାରମ୍ବାର ଆଶଙ୍କା ପ୍ରକାଶ ପାଇଆସୁଛି । ପୂର୍ବରୁ ମଦ ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ସେହିପରି ଗତବର୍ଷ ଅକ୍ଟୋବର ୪ରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି ।

ରାସ୍ତା ପାଲଟିଛି ମରଣଯନ୍ତା, କାମ ଅଧାରୁ ଠିକାଦାର ଛୁ

ସୁବର୍ଣ୍ଣପୁର: ଅସୁରକ୍ଷିତ ରାସ୍ତା। ସୁବର୍ଣ୍ଣପୁର କୋଟସମଲେଇ ଠାରୁ ହରିହର ଜୋର ଡ୍ୟାମକୁ ଥିବା ରାସ୍ତା ପାଲଟିଛି ମରଣଜନ୍ତା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଉଥିବାବେଳେ ଅଧାରେ କାମ ଛାଡି ଛୁ ମାରୁଛି ଠିକାଦାର। ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଥିବାରୁ ଅସନ୍ତୋଷ ସ୍ଥାନୀୟ ବାସିନ୍ଦା ।

ରାସ୍ତା ପାଲଟିଛି ମରଣଯନ୍ତା। ନିମ୍ନମାନର କାମ ପାଇଁ ଯିବା ଆସିବାରେ ହେଉଛି ସମସ୍ୟା । ସୁବର୍ଣ୍ଣପୁର କୋଟସମଲେଇ ଠାରୁ ହରିହରଜୋର ଡ୍ୟାମକୁ ଥିବା ରାସ୍ତା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଉଥିବାବେଳେ ଅଧାରେ କାମ ଅଛକି ରହିଛି । କାମ ଛାଡି ଠିକାଦାର ଛୁ ମାରିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ। ଏହି ରାସ୍ତା ଦେଇ ପର୍ଯ୍ୟଟକଙ୍କ ସହିତ ଜଙ୍ଗଲି ଅଂଚଳରେ ବାସ କରୁଥିବା ଲୋକେ ଯାତାୟାତ କରିଥାନ୍ତି।

ଜଗନ୍ନାଥଙ୍କ ଅନନ୍ୟ ଲିଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରୁ ହରିହର ଯୋର ଡ୍ୟାମକୁ ଥିବା ଏହି ଏକ ମାତ୍ର ରାସ୍ତା ଜଙ୍ଗଲ ଭିତର ଦେଇ ଯାଇଛି। ଏହାର ଉନ୍ନତିକରଣ କରିବାକୁ ପୁର୍ତ୍ତ ବିଭାଗ ପକ୍ଷରୁ ୫ କିମି ରାସ୍ତା ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ ସହ ଟେଣ୍ଡର କରାଯାଇଥିବା ବେଳେ କାମ ମଧ୍ୟ ଆରମ୍ଭ ହୋଇଥିଲା। ତେବେ କିଛି ଦୂର କାମ ହେଲା ପରେ ଅଧାରେ କାମ ବନ୍ଦ କରି ଠିକା ସଂସ୍ଥା ଫେରାର ମାରିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଖୁବ ଶୀଘ୍ର ରାସ୍ତା କାମ ସରିଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

 

ମନମୋହୁଛି ଅସ୍ତରଙ୍ଗ ମାଣ୍ଡୁକି ପଞ୍ଚାୟତର ଗ୍ରାମୀଣ ଉଦ୍ୟାନ

ଅସ୍ତରଙ୍ଗ: ଗାଁରେ ସହରର ମଜା । କର୍ମମୟ ଜୀବନ ସାଙ୍ଗକୁ ଧାଁ ଦୌଡରୁ ବାହାରି ନିଜର ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି ଗ୍ରାମବାସୀ  । ପୁରୀ ଅସ୍ତରଙ୍ଗ ମାଣ୍ଡୁକି ପଞ୍ଚାୟତ ଗ୍ରାମୀଣ ଉଦ୍ୟାନରେ ଲାଗୁଛି ଲୋକଙ୍କ ଭିଡ। ଗାଁରେ ସହରର ମଜା । ମନମୋହୁଛି ଗ୍ରାମୀଣ ଉଦ୍ୟାନ। ସକାଳ ଓ ସନ୍ଧ୍ୟାରେ ଜମୁଛି ଲୋକଙ୍କ ଭିଡ । ପୁରୀ  ଅସ୍ତରଙ୍ଗ ମାଣ୍ଡୁକି ପଞ୍ଚାୟତ ଗ୍ରାମୀଣ ଉଦ୍ୟାନ। ବିଜୁ ଗ୍ରାମୀଣ ଉଦ୍ୟାନ ଯୋଜନା ଜରିଆରେ ସାକାର ହୋଇପାରିଛି ଗ୍ରାମାଞ୍ଚଳ ଲୋକଙ୍କର ସ୍ବପ୍ନ। ଉଦ୍ୟାନରେ ଶୋଭା ପାଉଛି ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ଘାସ ଗାଲିଚା ,କୁନି ପିଲାଙ୍କୁ ଆକୃଷ୍ଠ କରୁଛି ପଶୁପକ୍ଷୀଙ୍କ ପ୍ରତିମୂର୍ତ୍ତି। ଉଦ୍ୟାନରେ କିଏ ସେଲଫି ନେଉଛି ତ ଆଉ କିଏ ବୁଲାବୁଲି କିର ପାର୍କର ମଜା ନେଉଛି। ପଞ୍ଚାୟତର ନୂତନ ସରପଞ୍ଚ ରୋଜିନା ଜେନା ନିଜ ପ୍ରଚେଷ୍ଟାରେ ପାର୍କଟି ନିର୍ମାଣ କରିଛନ୍ତି। ଏଠାରେ ଯୋଗ, ବ୍ୟାୟମ କୁନି ପିଲାଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଗାଁ ମାଟିରେ ସହରୀ ସୁବିଧା ପାଇଁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।

କାଳିଆ କାମରେ ଲାଗିବ ଅର୍ପଣ ଚାଉଳ, ଅଯଥା ବିବାଦ ପାଇଁ ଚେଷ୍ଟା କରୁଥିବା ବିରୋଧୀଙ୍କ ଚକ୍ରାନ୍ତ ଫେଲ୍

ପୁରୀ: ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ। ଅର୍ପଣ ରଥରେ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜିଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ରାଜ୍ୟର ଗାଁ ଗାଁରେ ଗଡ଼ିଥିଲା ଜୟ ଜଗନ୍ନାଥ ଅର୍ପଣ ରଥ । ଏହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ବତଃସ୍ଫୂର୍ତ୍ତ ଭାବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ଗୁଆ ଓ ନଡ଼ିଆ ପ୍ରଦାନ କରିଥିଲେ । ଯାହାକୁ ନେଇ ବିରୋଧୀ ଅଯଥାରେ ବିବାଦ ସୃଷ୍ଟି କରିଥିଲେ । ତେବେ ଆଜି ଏଭଳି ନିଷ୍ପତ୍ତି ନିଆଯିବା ପରେ ଅଯଥା ବିବାଦ ପାଇଁ ଚେଷ୍ଟା କରୁଥିବା ବିରୋଧୀଙ୍କ ଚକ୍ରାନ୍ତ ଫେଲ ମାରିଛି ।

 

ଅଣ୍ଡର ୧୯ ବିଶ୍ବକପରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଣ୍ଡର-୧୯ ବିଶ୍ବକପ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଭାରତ ପ୍ରସ୍ତୁତ ରହିଥିବା କୁହାଯାଉଛି । ତେବେ ଭାରତ ଏଯାବତ ଅଣ୍ଡର-୧୯ ବିଶ୍ବକପ ୫ଥର ଜିତିଥିବା ଷଷ୍ଠଥର ଲକ୍ଷ୍ୟରେ ରହିଛି । ଯଦି ଆମେ କହିବା ତାହେଲେ ୫ଜଣ ଅଧିନାୟକ ବିଶ୍ବକପ ଜିତାଇଥିବାବେଳେ ସେମାନଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା । ଭାରତ ପ୍ରଥମେ ମହମ୍ମଦ କୈଫଙ୍କ ଅଧିନାୟକତ୍ବରେ ଅଣ୍ଡର ୧୯ ବିଶ୍ବକପ ଜିତିଥିଲା । ୨୦୦୦ ମସିହାରେ ପ୍ରଥମ ଚାମ୍ପିୟନ ହୋଇଥିଲା । ଏହାପରେ ଦୀର୍ଘ ୮ ବର୍ଷ ପରେ ଟିମ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ୨୦୦୮ ମସିହାରେ ଚାମ୍ପିୟନ ହୋଇଥିଲା । ଏହାପରେ ୨୦୧୨ ମସିହାରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ବରେ ଭାରତ ତୃତୀୟ ଅଣ୍ଡର ୧୯ ବିଶ୍ବକପ ଜିତିବାରେ ସଫଳ ହୋଇଛି । ପରେ ୨୦୧୮ ମସିହାରେ ପୃଥୀ ସ ଏବଂ ୨୦୨୨ରେ ୟସ ଧୁଲଙ୍କ ଅଧିନାୟକତ୍ବରେ ଦଳ ଚାମ୍ପିୟନ ହୋଇଛି । ୫ଥର ବିଜୟୀ ହୋଇଥିବା ଭାରତୀୟ ଦଳ ଷଷ୍ଠଥର ବିଜୟୀ ହେବା ଲକ୍ଷ୍ୟରେ ରହିଛି ।

ପ୍ରକୃତି କଣ୍ଠରେ ‘ପରିକ୍ରମା’ଭଜନ

ଭୁବନେଶ୍ବର: ସାକାର ହେଲା ଶତାବ୍ଦୀର ସ୍ବପ୍ନ। ଶ୍ରୀମନ୍ଦିର ସ୍ବର୍ଣ୍ଣିମ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ବିଶ୍ବନିଅନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ଝଟକୁଛି ଉତ୍କଳୀୟ କଳା, ଐତିହ୍ୟ, ସଂସ୍କୃତିର ଝଲକ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ ଓ ଭଗବାନ ହେଲେ ଏକାଠି ସବୁଠି କାଳିଆର ନାମ ହେଉଛି ଗୁଞ୍ଜରିତ । ଏହାରି ଭିତରେ ଓଲିଉଡର ଲୋକପ୍ରିୟ କଳାକାର ପ୍ରକୃତି ମିଶ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗୀତ ଗାଇଛନ୍ତି । ଗୀତକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ଭଲ ପାଇବା ଏବଂ ପ୍ରଶଂସା ମିଳିଛି । ଅତି ଚମତ୍କାର ଢଙ୍ଗରେ ଗୀତ ଠିକୁ ଗାଇଛନ୍ତି  ଅଭିନେତ୍ରୀ । ଗୀତକୁ ସଂଯୋଜନା କରିଛନ୍ତି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ।