spot_img
Home Blog Page 2132

ଉତ୍ତର-ପୂର୍ବ ଭାରତରେ ଭାଇଚାରାର ରାଲି, ପଞ୍ଚମ ଦିନରେ ଭାରତ ଯୋଡୋ ନ୍ୟାୟ ଯାତ୍ରା

0

ନନ୍ଦିଘୋଷ ବ୍ୟୁରୋ: ଭାରତ ଯୋଡୋ ନ୍ୟାୟ ଯାତ୍ରାର ପଞ୍ଚମ ଦିନ । ଉତ୍ତର-ପୂର୍ବ ଭାରତରେ ଚାଲିଛି ଭାଇଚାରାର ରାଲି । ସବୁ ଧର୍ମ, ଜାତି ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଲାଗି ଏହି ଅଭିଯାନ ଜାରି ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ବିଜେପି ଓ ଆରଏସଏସ ସାରା ଦେଶରେ ଅନ୍ୟାୟ କରୁଛନ୍ତି । ଆର୍ଥିକ ଅନ୍ୟାୟ, ସାମାଜିକ ଅନ୍ୟାୟ ଓ ରାଜନୈତିକ ଅନ୍ୟାୟ କରୁଛନ୍ତି ଏହି ସଂଗଠନ ।

ମଣିପୁରରେ ଗୃହଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି । ନାଗାଲାଣ୍ଡରେ ବି ଶାନ୍ତି ବ୍ୟାହତ ହୋଇଛି । ସାରା ହିନ୍ଦୁସ୍ତାନର ଭ୍ରଷ୍ଟ ସରକାର ଆସାମରେ ଚାଲିଛି । ଦେଶରେ ନ୍ୟାୟ ପ୍ରତିଷ୍ଠା ଲାଗି ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଛି ବୋଲି କହିଛନ୍ତି ରାହୁଲ ।

ଇରାନ ଆକ୍ରମଣର ଦିନକ ପରେ ପାକିସ୍ତାନର ଜବାବ, ୪ ଶିଶୁଙ୍କ ସହ ମହିଳା ମୃତ

ଇସଲାମାବାଦ: ଇରାନ ଉପରେ ପାକିସ୍ତାନର ବଦଲା । ଇରାନର ବିଭିନ୍ନ ଆତଙ୍କୀ ଆଡ୍ଡାସ୍ଥଳୀରେ ପାକିସ୍ତାନ କରିଛି ହମଲା । ଘଟଣାରେ ପ୍ରାଣ ହରାଇଛନ୍ତି ୪ ଶିଶୁ ଓ ୩ ମହିଳା । ପାକିସ୍ତାନର ବାଲୋଚିସ୍ତାନସ୍ଥିତ ଜୈସ ଉଲ ଆଦଲର କେତେକ ଆତଙ୍କବାଦୀ ଆଡ୍ଡାସ୍ଥଳୀରେ ଇରାନ ଆକ୍ରମଣ କରିବାର ଦିନକ ପରେ ଏହାର ଜବାବ ଦେଇଛି ପାକିସ୍ତାନ ।

ଇରାନ ସୀମା ଅନ୍ତର୍ଗତ କେତେକ ସ୍ଥାନରେ ପାକିସ୍ତାନ କରିଛି ହମଲା । ଇରାନର ସିସ୍ତାନ-ଓ-ବାଲୁଚିସ୍ତାନ ପ୍ରଜାତନ୍ତ୍ର ମଧ୍ୟରେ ଥିବା କେତେକ ଆତଙ୍କୀ ଆଡ୍ଡାସ୍ଥଳୀରେ ପ୍ରିସିସନ ମିଲିଟାରୀ ଷ୍ଟ୍ରାଇକ କରିଛି ପାକିସ୍ତାନ । ମର୍ଗ ବାର୍ ସମାଚାର ନାମକ ଏହି ଗୁଇନ୍ଦାଭିତ୍ତିକ ଅପରେସନରେ ପାକିସ୍ତାନ ଅଭିଯାନ ଜାରି ରଖିଛି । ଏହି ହମଲା କ୍ରମେ ଇରାନର ସରବାନସ ସିସ୍ତାନ ଓ ବାଲୁଚିସ୍ତାନର ଅନେକ ସ୍ଥାନରେ ବିସ୍ଫୋରଣ ଘଟିଛି ।

ଗତ ମଙ୍ଗଳବାର ଇରାନର ଆକ୍ରମଣକୁ ପାକିସ୍ତାନ ତୀବ୍ର ସମାଲୋଚନା କରିବା ସହ ଏହା ପାକିସ୍ତାନର ସାର୍ବଭୌମତ୍ବ ଉପରେ ଆକ୍ରମଣ ବୋଲି କହିଥିଲା ପାକିସ୍ତାନ । ବିଗତ ୨୦୧୨ରେ ସୁନ୍ନି ଆତଙ୍କବାଦୀ ସଂଗଠନ ଜୈସ ଉଲ ଆଦଲ ବା ଆର୍ମି ଅଫ ଜଷ୍ଟିସ ଗଠିତ ହୋଇଥିଲା । ଆକ୍ରମଣକୁ ବିରୋଧ କରି ଇରାନରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇଆଣିବା ଲାଗି ପାକିସ୍ତାନ ନିର୍ଦ୍ଦେଶ ଦେବା ସହ ପାକିସ୍ତାନରେ ପ୍ରବେଶ ଉପରେ ଇରାନୀୟ ରାଷ୍ଟ୍ରଦୂତଙ୍କ ଉପରେ ନିଷେଧାଦେଶ ଜାରି କରିଥିଲା ପାକିସ୍ତାନ ।

ଶୀତ ରାତିରେ ଟ୍ରକ ତଳେ ଶୋଇଥିଲେ ଶ୍ରମିକ, ଅସାବଧାନତାରୁ ମାଡିଗଲା

ବରଗଡ଼: ମେଲଛାମୁଣ୍ଡାରେ ଅଭାବନୀୟ ଘଟଣା । ୪ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ । ନଳକୂଅ ଖୋଳିବା ପାଇଁ ଆସିଥିବା ଟ୍ରକ ଚଢିଯିବା ଫଳରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତେ ମଧ୍ୟପ୍ରଦେଶର । ଜଣେ ଆହତ ଶ୍ରମିକଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି।

ଗତକାଲି ରାତିରେ ବିର୍ଜାମ ଅଞ୍ଚଳରେ ଦୁଇଟି ବୋରିଂ ଟ୍ରକ ନଳକୂଅ ଖୋଳୁଥିବା ବେଳେ ତଳେ ଶୋଇଥିବା ଶ୍ରମିକଙ୍କ ଉପରେ ଅନ୍ୟ ଏକ ଟ୍ରକ ମାଡ଼ିଯାଇଥିଲା । ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ତଦନ୍ତ କରୁଛି ।

ଯାଆଁଳା ଶିଶୁଙ୍କ ହତ୍ୟା ଘଟଣାରେ ବଡ ଖୁଲାସା, ଦୁଇ ଛୁଆଙ୍କୁ ହତ୍ୟା କରିଥିବା ସ୍ବୀକର କଲା ମା’

ଅନୁଗୁଳ: ମା ସାଜିଲା ପିଶାଚ । ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ଗାଁରେ ଦୁଇ ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଘଟଣା । ଶିଶୁ ଦୁଇଙ୍କ ମା ତପସ୍ୱିନୀ ସାହୁକୁ ଥାନାକୁ ଉଠେଇ ନେଲା ବନ୍ତଳା ପୋଲିସ । ମା ନିଜେ ଶିଶୁ ଦୁଇଟିକୁ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ ଆଗରେ ମାନିଲା ପରେ ତପସ୍ବିନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଛୁଆଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ପରିବାର ଲୋକେ ମାଆକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ୩ ମାସର କଅଁଳା ପିଲାଙ୍କୁ କୂଅରେ ପକାଇ ଗତକାଲି କିଏ ହତ୍ୟା କଲା ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଗତକାଲି ଅପରାହ୍ନରେ କୂଅରୁ ମିଳିଥିଲା ଭାଇଭଉଣୀଙ୍କ ମୃତଦେହ । ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଝିଅ ଶ୍ରଦ୍ଧା । ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ ବୋଲି କୁହାଯାଉଥିଲା ।

ପରେ କୂଅରେ ଉଭୟ ଶିଶୁ ଭାସୁଥିବା ଦେଖିବାକୁ ମିଳିଥିଲା । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ହାଲୁକା ଶୀତକୁ ଘନ କୁହୁଡି କରୁଛି ଅସ୍ତବ୍ୟସ୍ତ, ଦୃଶ୍ୟମାନ କ୍ଷମତା ବହୁତ କମ୍‌

ଭୁବନେଶ୍ବର: ପ୍ରବଳ ଜାଡ ସହ ଘନ କୁହୁଡି ବି କରୁଛି କଲବଲ । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ଦୃଶ୍ୟମାନ କ୍ଷମତା ବହୁତ କମ୍‌ ରହିଛି । କୁହୁଡିକୁ ନେଇ ପରିବହନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଘନ କୁହୁଡି ଯୋଗୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ ପଛେ ଗାଡି ଧୀରେ ଚଳାନ୍ତୁ ।

ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଘନ କୁହୁଡିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପୋଲିସ ଏବଂ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ବିମାନଯାତ୍ରୀଙ୍କୁ ରନଓ୍ବେରେ ଖୁଆଇବା ପଡ଼ିଲା ମହଙ୍ଗା, ଜରିମାନା ଗଣିବ ଇଣ୍ଡିଗୋ

ମୁମ୍ବାଇ: ଘରୋଇ ବିମାନ ଇଣ୍ଡିଗୋର ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରର ରନଓ୍ବେରେ ତଳେ ବସି ଖାଦ୍ୟ ଖାଉଥିବାର ଭିଡିଓ ଭାଇରାଲ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଇଣ୍ଡିଗୋ କମ୍ପାନୀ ଉପରେ ୧ କୋଟି ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । କେବଳ ଇଣ୍ଡିଗୋ ଏୟାରଲାଇନ୍ସ ନୁହେଁ ମୁମ୍ବାଇ ବିମାନବନ୍ଦର ଉପରେ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଇଣ୍ଡିଗୋ ଏୟାରଲାଇନ୍ସର କିଛି ଯାତ୍ରୀ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବସି ଖାଦ୍ୟ ଖାଉଥିଲେ । କୁହୁଡ଼ି ହେତୁ ବିମାନ ବିଳମ୍ବ ହେବାପରେ ଯାତ୍ରୀମାନଙ୍କୁ ରନୱେରେ ବସି ଖାଦ୍ୟ ଦିଆଯାଉଥିଲା ଏବଂ ସେମାନଙ୍କ ସହ ଅସଦାଚରଣ ମଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବିମାନ ସେବା କହିଛି ଯେ ଯାତ୍ରୀମାନେ ବିମାନରୁ ଦୂରେଇ ଯିବାକୁ ଚାହୁଁନଲେ । ସେଥିପାଇଁ ତାଙ୍କୁ ସେଠାରେ ଖାଦ୍ୟ ଦିଆଯାଇଥିଲା ।

ଭିଡିଓ ଭାଇରାଲ ହେବା ପରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ପ୍ରାଧିକଧିରଣ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୧ କୋଟି ୨୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି ।

ବାରିପଦାରେ ହନ୍ତସନ୍ତ କରୁଛି ହାତୀ, ଘରୁ ନ ବାହାରିବାକୁ ବନବିଭାଗ କଲା ସତର୍କ

ବାରିପଦା: ସହରରେ ହାତୀ ଆତଙ୍କ । ବାରିପଦାର ଏମକେସି ହାଇସ୍କୁଲ ପରିସରରେ ଗୋଟିଏ ଦନ୍ତା ହାତୀ ପ୍ରଵେଶ କରି ନାକେଦମ କଲାଣି  । ଉଭୟ ବନ ବିଭାଗ ଏବଂ ପୋଲିସ ପ୍ରଶାସନ ସେଠାରେ ପହଂଚି ହାତୀଟିକୁ ବାହାରକୁ ଆଣିବାକୁ ଉଦ୍ୟମ କରିଥିଲା । ସ୍କୁଲ କ୍ୟାମ୍ପସ ଭିତରେ ହଷ୍ଟେଲ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଥିଲେ ।

ଏହି ଅଂଚଳରେ କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି । ହାତୀ ସ୍କୁଲ କ୍ୟାମ୍ପସରୁ ବାହାରି ଵାରିପଦା ସହର ଭିତରେ ପଶୁଥିବା ବେଳେ ବନବିଭାଗ ବୁଢାବଳଙ୍ଗ ନଦୀ ଆଡ଼କୁ ହାତୀକୁ ଘଉଡାଇ ଦେଇଛି । ହାତୀକୁ ଶିମିଳିପାଳ ଜଙ୍ଗଲକୁ ଯିବା ରାସ୍ତାକୁ ନେବାକୁ ପ୍ରୟାସ କରାଯାଉଛି ।

ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ !

ନୂଆଦିଲ୍ଲୀ: ଆଜି ଇଡିରେ ହାଜର ହେବେ ନା ପୁଣି ବାହାନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି।

ଚତୁର୍ଥ ଥର ଲାଗି କେଜ୍ରିଓ୍ବାଲଙ୍କୁ ଜାରି ହୋଇଛି ସମନ । ଗତ ଜାନୁଆରୀ ୩ରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ । ଜାରି ହୋଇଥିବା ସମନ ବେଆଇନ ବୋଲି ଦର୍ଶାଇଥିଲେ କେଜ୍ରିଓ୍ବାଲ । ପୂର୍ବରୁ ତାଙ୍କୁ ନଭେମ୍ବର ୨, ଡିସେମ୍ବର ୨୧ରେ ମଧ୍ୟ ନୋଟିସ ଜାରି ହୋଇଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିଓ୍ବାଲ ଅଭିଯୁକ୍ତ ହୋଇ ନଥିଲେ ବି ତାଙ୍କୁ ବାରମ୍ବାର ନୋଟିସ ଜାରି କରାଯାଉଛି ।

ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ନେଇ ବାରମ୍ବାର ଆଶଙ୍କା ପ୍ରକାଶ ପାଇଆସୁଛି । ପୂର୍ବରୁ ମଦ ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ସେହିପରି ଗତବର୍ଷ ଅକ୍ଟୋବର ୪ରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି ।

ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ, ୧୫ ଜିଲ୍ଲାରେ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ପୁରୀ: ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ । ସୁଦୁର ସୁନ୍ଦରଗଡ଼ ହେଉ କି ସୀମାନ୍ତ ନୂଆପଡ଼ା, ଯାତ୍ରୀମାନେ ପୁରୀକୁ ଆରାମଦାୟକ ଯାତାୟତ କରିବାର ସୁବିଧା ପାଇବେ । ତାହା ପୁଣି ସୁଲଭ ମୂଲ୍ୟରେ । କାରଣ ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ଫ୍ଲାଗଅଫ୍ କରିବେ । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ବିଳାସପୂର୍ଣ୍ଣ ବସ ।

ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି । ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ପରି ୧୫ଟି ଜିଲ୍ଲାର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ବସ୍ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରୁଟ୍ ଚାର୍ଟ ବି ସ୍ଥିର ହୋଇ ସାରିଛି ।

ବସ୍ ଯେଉଁ ଜିଲ୍ଲାରୁ ବି ଆସିଲେ, ଭୁବନେଶ୍ବରର ଦେଇ ପୁରୀ ଯିବ । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆଗ୍ରହ ରହିଛି । ଯେଉଁଥିପାଇଁ ଜଗନ୍ନାଥ ଏକ୍ସପ୍ରେସ ସହାୟ ସାଜିବ । ଯାହାକୁ ନେଇ ସାରା ରାଜ୍ୟର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି ।

ଏୟାର ଷ୍ଟ୍ରାଇକ ପରେ କୂଟନୈତିକ ସମ୍ପର୍କ କ୍ଷୁର୍ଣ୍ଣ କରିବାକୁ ପାକିସ୍ତାନର ରଣନୀତି

ଇସଲାମାବାଦ: ପାକିସ୍ତାନରେ ଇରାନର ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କୁଟନୈତିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ଆହୁରି ବିଗିଡିପାରେ । ପାକିସ୍ତାନ ନିଜ ରାଷ୍ଟ୍ରଦୂତଙ୍କୁ ଇରାନରୁ ଡକାଇଥିବା ବେଳେ ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ପଠାଇଦେଇଛି । ଏଥିସହ ସବୁ ଗସ୍ତକୁ ତୁରନ୍ତ ବାତିଲ କରାଯାଇଛି । ପାକିସ୍ତାନର ବେଲୁଚିସ୍ତାନରେ ସକ୍ରିୟ ଆତଙ୍କବାଦୀ ଜୈଶ-ଏ-ଅଦଲର ଶିବିର ଉପରେ ଆକ୍ରମଣ କରିଥିଲା ଇରାନ ।

ଜୈସ ଏ ଅଦଲ ପାକିସ୍ତାନର ବଲୁଚ ଅଂଚଳରେ ଏକ ସକ୍ରିୟ ଆତଙ୍କୀ ସଂଗଠନ । ଡ୍ରୋନ ସହାୟତାରେ ମିସାଇଲ ଆକ୍ରମଣ କରିଥିଲା ଇରାନ । ହମଲାରେ ଅନେକ ଆତଙ୍କବାଦୀଙ୍କ ନିହତ ହୋଇଥିବା ଇରାନ ଦାବି କରିଛି । ସେପଟେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛି ପାକିସ୍ତାନ । ହମଲାରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିବା କହିଛି ପାକିସ୍ତାନ ।

ଆକ୍ରମଣ ଘଟଣାରେ ବାୟୁସୀମାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ଇରାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି । ଆକ୍ରମଣର ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଇରାନ ସେନା ଉପରେ ଜୈସ ଏ ଅଦଲର ଆତଙ୍କୀ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନର ରିଭୋଲ୍ୟୁଶାନାରୀ ଗାର୍ଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।