spot_img
Home Blog Page 2137

ପିଛା ଛାଡ଼ୁନି ହେମନ୍ତ ସୋରେନଙ୍କ ଅଡୁଆ, ୨୦ ତାରିଖରେ ହୋଇପାରନ୍ତି ହାଜର

ରାଞ୍ଚି: ବଢୁଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ । ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜିଠାରୁ ଆସନ୍ତା ୨୦ ତାରିଖ ମଧ୍ୟରେ ହାଜର ହୋଇପାରନ୍ତି ହେମନ୍ତ । ଖଣି ଦୁର୍ନୀତି ମାମଲାରେ ଅଷ୍ଟମ ଥର ଲାଗି ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଲାଗି ହେମନ୍ତଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ବି ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥଚାଲାଣ ଓ ବେଆଇନ ଖଣି ମାମଲାରେ ହେମନ୍ତକୁ ବାରମ୍ବାର ସମନ ଜାରି କରିଆସୁଛି ଇଡି । ପୂର୍ବରୁ ଅଭିଷେକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସବ୍ୟାପୀ ସର୍ଚ୍ଚ ଅପରେସନ କରିଥିଲା ।

ଦୁର୍ନୀତି ମାମଲାରେ ଅଭିଷେକ ପ୍ରସାଦ ଓ ସାହେବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ଘର ସମେତ ୧୨ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାମ ନିବାସଙ୍କ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ୨୧ଟି କାଟ୍ରିଜ ଜବତ କରିଥିଲା ଇଡି । ପୂର୍ବରୁ ଗତ ୨୦୨୩ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।

ପୁଣି ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା

କଟକ: ପୁଣି ଗିରଫ ହେଲା କୁଖ୍ୟାତ ଅପରାଧୀ ଛବି ଲେଙ୍କା । ଦାଦା ବଟି ଓ ହତ୍ୟା ଧମକ ଦେବା ଅଭିଯୋଗରେ ଛବିକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ  ।  ଗତକାଲି ବିଳମ୍ବିତ ରାତିରେ ବେଲଗଛିଆ ଗାଁର ଛବିନ୍ଦ୍ର ଲେଙ୍କା ନରଣପୁର ବାଲି ଘାଟରେ ୨ ଲକ୍ଷ ଟଙ୍କା ଦାଦା ବଟି ମାଗିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଘାଟ କର୍ମଚାରୀ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଚାଲିଯାଇଥିଲା ଛବି । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଛବି ଲେଙ୍କାକୁ ଗିରଫ କରିଛି ପୋଲିସ  । ତା ନିକଟରୁ ୩୦ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି । ଛବି  ନାଁରେ ୬ରୁ ଅଧିକ ଥାନାରେ ହତ୍ୟା ଏବଂ ଚୋରି ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

ପେଟ୍ରୋଲ ପମ୍ପ ନିକଟରେ ନବଜାତକୁ ଛାଡ଼ି ଚାଲିଗଲେ ପରିବାର ଲୋକ

ଭଦ୍ରକ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପେଟ୍ରୋଲ ପମ୍ପନିକଟରେ ନବଜାତକୁ ଛାଡ଼ି ପଳାଇଗଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁଟିକୁ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ ସୂଚନା ମିଳିନି ।

ଗତକାଲି ମାଆ ଧାମରାଇଙ୍କ ପବିତ୍ର ମକର ଯାତ୍ରା ଅବସରରେ ସ୍ଥାନୀୟ ଅଞ୍ଚଳରେ ଗହଳି ଲାଗିରହିଥିଲା  । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଶିଶୁକନ୍ୟାଟିକୁ ସ୍ଥାନୀୟ ସୁମନ୍ତ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ  । ନବଜାତକୁ ଉଦ୍ଧାର କରି ଧାମରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ  । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁକନ୍ୟାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ପାକିସ୍ତାନରେ ଅଣ୍ଡା ୧୨ଟା ୪ଶହ ଟଙ୍କା, କଦଳୀ କିଲୋ ୨୫୦

ଇସଲାମାବାଦ: ନିଜ ଇତିହାସର ସବୁଠୁ ଖରାପ ସମୟ ଦେଇ ଗତି କରୁଛି ପାକିସ୍ତାନ । ସେଠାକାର ଖାଦ୍ୟ ସାମଗ୍ରୀର ଦର ଏତେ ଯେ, ଲୋକେ ଖାଇବେ ତ ଖାଇବେ କ’ଣ  ।

ଆର୍ଥିକ ସଙ୍କଟରେ ବୁଡ଼ିଥିବା ପାକିସ୍ତାନକୁ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା କୋଷଠୁ ଆରମ୍ଭ କରି ବହୁ ରାଷ୍ଟ୍ରରୁ ସାହାଯ୍ୟ ମିଳିଛି । କିନ୍ତୁ ନିଜର ଆର୍ଥିକ ସ୍ଥିତି ସୁଧୁରିବା ନାଁ ନେଉନାହିଁ । ମହଙ୍ଗା ମାଡ଼ ଏତେ ହୋଇଛି ଯେ, ଚିକେନ୍, ମଟନ ଛାଡ଼ନ୍ତୁ ଅଣ୍ଡା ବି ଗାଏବ ହୋଇଯାଇଛି । ସେଠାରେ ୧୨ଟା ଅଣ୍ଡାକୁ ୪ ଶହ ଟଙ୍କାରେ ବିକ୍ରି ହେଉଛି ।

ପାକିସ୍ତାନ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଆସନ୍ତା ମାସରେ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଆର୍ଥିକ ସ୍ଥିତି ସୁଧୁରୁନି । ସେଠାରେ ରହୁଥିବା ଲୋକଙ୍କ ହାଲ୍ ବେହାଲ ହୋଇଯାଇଛି । ପିଆଜ କେଜି ୨୫୦ ଟଙ୍କା ପରିବା କେଜି ୧୭୫ ଟଙ୍କାରେ ପହଞ୍ଚିଛି । ଚିକେନ୍ କେଜି ୬୧୫ ଟଙ୍କା, କ୍ଷୀର ପ୍ରତି ଲିଟର ୨୧୩, ଚାଉଳ ୩୨୮, ଟମୋଟୋ ୨ଶହ ଟଙ୍କାରେ ବିକ୍ରି ହେଉଛି । ଖାଦ୍ୟ ସାମଗ୍ରୀର ଦର ଏତେ ବଢ଼ି ଯାଇଥିବାରୁ ଗରିବ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।

ମନ୍ଦିରରେ ନିଜ ବେକ କାଟିଦେଲେ ଯୁବକ, ମା’ଙ୍କୁ ନିଜ ମୁଣ୍ଡ ଅର୍ପଣ କରିବାକୁ ଚାହୁଁଥିଲେ

ଭୋପାଳ: ମନ୍ଦିରରେ ନିଜେ ବେକ କାଟିଦେଲେ ଯୁବକ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର । ତାଙ୍କ ବୟସ ୩୭ ବର୍ଷ ହେବ । ମଧ୍ୟ ପ୍ରଦେଶ ମା’ ସାରଦା ମନ୍ଦିରକୁ ଆସିଥିବା ଜଣେ ଯୁବକ ଅନ୍ଧବିଶ୍ବାସର ବସବର୍ତ୍ତି ହୋଇ ଏପରି କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମା’ ସାରଦା ମନ୍ଦିରର ଯଜ୍ଞ ସ୍ଥଳ ଆଗରେ ଯୁବକ ଜଣଙ୍କ ନିଜ ବେକ କାଟୁଥିବା କିଛି ଲୋକ ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ତାଙ୍କୁ ରୋକିବାକୁ ଚେଷ୍ଟା ବି କରିଥିଲେ । କିନ୍ତୁ ସେତେବେଳକୁ ଡେରି ହୋଇଯାଇଥିଲା । ଅଧିକ ବେକ କାଟି ଦେଇଥିବାରୁ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଅନ୍ୟ ଏକ ମେଡିକାଲକୁ ରେଫର କରିଦେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଯୁବକ ଜଣଙ୍କ ଅନ୍ଧବିଶ୍ବାସରେ ଶିକାର ହୋଇ ମା’ଙ୍କୁ ନିଜ ମୁଣ୍ଡ ଅର୍ପଣ କରିବାକୁ ଚାହୁଁଥିଲା । ଆତ୍ମହତ୍ୟା କରିବା ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

 

ରକ୍ତରଞ୍ଜିତ ହେଲା ବଲାଙ୍ଗୀରର ଶୁଲିଆ ପୀଠ, ପଡ଼ିଲା ଶହଶହ ବଳି

ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ବଲାଙ୍ଗୀରର ଶୁଲିଆ ପୀଠ । ବଲାଙ୍ଗୀରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଦେଓଗାଁର ଖଇରଗୁଡ଼ାରେ ପଡ଼ିଲା ଶହଶହ ବଳି । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ନିଶିପୂଜା କରିଥିଲେ I ଆଦିବାସୀଙ୍କ ବେଶଭୂଷା ଓ ପାରମ୍ପରିକ ବାଦ୍ୟଯନ୍ତ୍ରରେ ସୁସଜ୍ଜିତ ଶୋଭାଯାତ୍ରାରେ ବଡଖଳାକୁ ପୂଜାରୀ ଆସିଥିଲେ । ସେଠାରେ ପୂଜା କାର୍ଯ୍ୟ କରି ବରୁଆ ଦେହରେ ଦେବତାଙ୍କୁ ବରଣ କରାଯାଇଥିଲା ।

ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା I ପରେ ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଇଛି I ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଛି I ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି ଖଳାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ । ହେଲେ ଜିଦରେ ଅଟଳ ରହିଥିଲା ଶୁଲିଆ ଯାତ୍ରା କମିଟି I

ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ, ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି

ପୁରୀ: ମନ୍ତ୍ରଧ୍ବନିରେ ମୁଖରିତ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ମହାଯଜ୍ଞ  । ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡ଼ୁଛି ଶଙ୍ଖକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପାଇଁ ଅଧିକ ଉତ୍ସବମୁଖର ହୋଇପଡ଼ିଛି ପୁରୀ । ସାରା ସହର ସହ ସଜେଇ ହୋଇଛି ବଡ଼ଦାଣ୍ଡ  । ପରିକ୍ରମା ପ୍ରକଳ୍ପ ଯଜ୍ଞଶାଳାରେ ଚାଲିଛି ମନ୍ତ୍ରପାଠ  । ଚାରିଦ୍ବାରରେ ଗୁଞ୍ଜରିତ ହେଉଛି ବେଦଧ୍ବନି ।

ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ । ଜାନୁଆରୀ ୧୭, ୨୦୨୪, ପୌଷମାସ ଶୁକ୍ଳପକ୍ଷ ସପ୍ତମୀ ତିଥି । ଏହି ସ୍ମରଣୀୟ ମୁହୂର୍ତ୍ତକୁ ଆଉ କିଛି ଘଣ୍ଚା ବାକି ରହିଲା । ଏହାପୂର୍ବରୁ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । କାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି । ମୌଳିକ ସୁବିଧା ଉପଲବ୍ଧ ରହିଥିବା ବେଳେ ୫୦ରୁ ଅଧିକ ବ୍ୟାଟେରୀ ଗାଡ଼ି ଦ୍ୱାରା ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ପ୍ରଦକ୍ଷିଣ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି  ।

୧୭ରେ ଦୀପ ଜାଳି ଘଣ୍ଟ ବଜାଇ ବିଶ୍ବର କୋଣ ଅନୁକୋଣରେ ପାଳିବା ଅନନ୍ୟ ଦିବସ, ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର: ଆନନ୍ଦ, ଭକ୍ତି ଓ ସମର୍ପଣ ସହ ପାଳନ କରିବା ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ । ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଫୁଙ୍କିବା ସହ ଦୀପ ଜାଳି, ଘଣ୍ଟ ବଜାଇ ପୂଜା ଏବଂ ଭଜନ କୀର୍ତ୍ତନ କରି ଭକ୍ତି ପ୍ରକାଶ କରିବା ବୋଲି ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ନବୀନ କହିଛନ୍ତି, ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ପ୍ରତି ଓଡ଼ିଆ ମହାପ୍ରଭୁଙ୍କୁ ସ୍ମରଣ କରି ଶୁଭକାର୍ଯ୍ୟ କରିଥାନ୍ତି ।  ସାରା ବିଶ୍ବ ତାଙ୍କର ସୃଷ୍ଟି  । ଆମ ସଂସ୍କୃତି, ପରମ୍ପରା ଆଉ ଚେତନାର ଆଧାର ହେଉଛନ୍ତି ମହାପ୍ରଭୁ  । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାର ଇତିହାସ ଜଗନ୍ନାଥ ମନ୍ଦିର ଇତିହାସ ସହ ଯୋଡ଼ି ହୋଇରହିଛି । ମହାପ୍ରଭୁଙ୍କ ଇଚ୍ଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି  । ମହାପ୍ରଭୁ ସକଳ ଶକ୍ତିର ଆଧାର ।

ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେ ନାହିଁ । ଆମ ମାନଙ୍କର ପରମ ସୌଭାଗ୍ୟ ଯେ ଆମ ଜୀବନକାଳ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ  । ଶହଶହ ବର୍ଷ ଧରି ସାଧୁସନ୍ଥ, ରାଜାମହାରାଜା ମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇଆସୁଥିଲେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜାମହାରାଜାମାନେ ଶ୍ରୀମନ୍ଦିର ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଥିଲେ  । ସାଧୁସନ୍ଥ, ସାଧାରଣ ଭକ୍ତ ଓ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ । ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ ତାହା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲକ୍ଷ୍ୟ  । ଗଜପତି ମହାରାଜାଙ୍କ ଭାଷାରେ ୭୦୦ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏପରି କାମ ହୋଇନାହିଁ । ଏହା ହେଉଛି ସାରା ଓଡ଼ିଆ ଜାତି ପାଇଁ ଏକ ଉତ୍ସବର ଦିନ । ସମସ୍ତେ ଏହି ଦିନ ଓ ଉତ୍ସବଟିକୁ ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  । ନିଜ ନିଜ ଭାବରେ ଶଙ୍ଖ ଫୁଙ୍କି, ଦୀପ ଜାଳି, ଘଣ୍ଟ ବଜାଇ ପୂଜା ଏବଂ ଭଜନ କୀର୍ତ୍ତନ କରି ଭକ୍ତି ପ୍ରକାଶ କରିବା । ଘରେ ଘରେ ଭକ୍ତି, ସମର୍ପଣ ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ପାଳନ କରିବା  ।

ବିଶ୍ବର କୋଣଅନୁକୋଣରେ ଜଗନ୍ନାଥପ୍ରେମୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିଜ ନିଜସ୍ଥାନରେ ଆନନ୍ଦ , ଭକ୍ତି ଓ ସମର୍ପଣ ସହ ପାଳନ କରିବାକୁ ନବୀନ ଅନୁରୋଧ କରିଛନ୍ତି । ବିଶ୍ବନିନ୍ତାଙ୍କ ଏହି ଉତ୍ସବରେ ପରିବାର ସହ ନିଜକୁ ସାମିଲ କରରିବା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓଡ଼ିଆ ଜାତିର ଇତିହାସରେ ଏହା ଗୌରବମୟ ମୁହୂର୍ତ୍ତ । ପ୍ରତିଦିନ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସମସ୍ତେ ଯେପରି ଦିବ୍ୟ ଅନୁଭୂତି ନେଇ ଫେରିବେ ତାହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯାଇଛି । ଏହାସହିତ ମହାପ୍ରଙ୍କୁର ବାହାର ଯାନିଯାତ୍ରା ସୁନ୍ଦର ଭାବେ ହୋଇପାରିବ । ଜନ୍ମ ଜନ୍ମର ପୂଣ୍ୟ ଫଳରେ ଏହି ଐତିହାସିକ ମୁହୂର୍ତ୍ତ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି  ଏହି ଅବସରରେ ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି । ଜମି ଦାନ କରିଥିବା ବ୍ୟକ୍ତିଙ୍କ ସହିତ ସେବାୟତ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଳ୍ପୀ, କାରିଗରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହି ପବିତ୍ର ଦିନରେ ତାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରି ତାଙ୍କ ଆଶୀଷ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏୟାର ଫୋର୍ସ ଅଫିସର ଜିତିଲେ ସୁନ୍ଦରୀ ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: ଏୟାର ଫୋର୍ସ ଅଫିସର ଜିତିଲେ ସୁନ୍ଦରୀ ପ୍ରତିଯୋଗିତା । ୨୨ ବର୍ଷୀୟ ମ୍ୟାଡିସନ ମାର୍ସ ହେଲେ ମିସ ଆମେରିକା ୨୦୨୪ । ଚାକିରିରେ ଥାଇ ସୁନ୍ଦରୀ ପ୍ରତିଯୋଗିତା ଜିତିବାରେ ମ୍ୟାଡିସନ ପ୍ରଥମ ମହିଳା । ଆମେରିକା ଏୟାର ଫୋର୍ସରେ ଲ୍ୟୁଟନାଣ୍ଟ ଅଫିସର ଭାବେ କାର୍ଯ୍ୟ କରନ୍ତି । ହାୱାର୍ଡ ୟୁନିଭରସିଟିରୁ ପବଲିକ ପଲିସିରେ ସ୍ନାତ୍ତକୋତ୍ତର କରିଛନ୍ତି । ଫ୍ଲୋରିଡାରେ ମିସ ଆମେରିକା ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୫୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟେଲ ହାତେଇଲେ ମ୍ୟାଡିସନ । ଗତ ବର୍ଷ ମିସ କଲରାଡୋ ଟାଇଟେଲ ଜିତିଥିଲେ ମ୍ୟାଡିସନ । ଗତ ବର୍ଷ ୟୁଏସ ଏୟାର ଫୋର୍ସ ଏକାଡେମୀରୁ ସେ ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରକାଶ ପାଇଲା ଜୁନିଅର ଟିଚର ସ୍କିମାଟିକ ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଜୁନିଅର ଟିଚର ସ୍କିମାଟିକ ଫଳ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ।  କମ୍ପ୍ୟୁଟର୍ ବେସଡ ଟେଷ୍ଟ- ସିବିଟି ମାଧ୍ୟମରେ ପରୀକ୍ଷା ହୋଇଥିଲା  । ଯେଉଁଥିରେ  ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି  ।  osepa.odisha. gov.in ରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ରାଜ୍ୟର ୫୮ଟି କେନ୍ଦ୍ରରେ ହୋଇଥିଲା ଶିକ୍ଷକ ନିଯୁକ୍ତି ଲାଗି ପରୀକ୍ଷା । ପରୀକ୍ଷାର ସୁପରିଚାଳନା ଦାୟିତ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରହିଥିଲେ । ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡାଲ୍ ଅଫିସର ଓ ବିଭିନ୍ନ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀ ପରୀକ୍ଷା ଦିନ ଜିଲ୍ଲା ଗସ୍ତ କରି ପରୀକ୍ଷା ତଦାରଖ କରିଥିଲେ । ଏହାସହ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା କାର୍ଯ୍ୟାଳୟରେ ଏକ କମାଣ୍ଡ ସେଣ୍ଟର୍ ଖୋଲାଯାଇଥିଲା । ସେଠାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିରେ ଲାଇଭ୍ ଷ୍ଟ୍ରିମିଂ ଦେଖି ପରୀକ୍ଷା ନିୟନ୍ତ୍ରଣ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଇଥିଲା ।