spot_img
Home Blog Page 2144

ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ପାଇବେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର । ୨୦୨୩ ପାଇଁ ଅନୁବାଦରେ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତେଲୁଗୁ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ପାଇଁ ବଙ୍ଗାଳୀ ନନ୍ଦଙ୍କୁ ଏହି ସମ୍ମାନ ମିଳିବ ।

୨୦୧୯ ମସିହାରେ ତାଙ୍କର ଏହି ପୁସ୍ତକ ଏନବିଟି ଦ୍ବାରା ପ୍ରକାଶିତ ହୋଇଥିଲା । ହିନ୍ଦୀ, ଇଂରାଜୀ ଓ ତେଲୁଗୁ ସମେତ ଅନ୍ୟ ଭାଷାରୁ ଅନେକ ଗଳ୍ପ ଓ କବିତା ଅନୁବାଦ କରି ପ୍ରସିଦ୍ଧି ଲାଭ କରିଛନ୍ତି ବଙ୍ଗାଳୀ ନନ୍ଦ । ଏନବିଟିର ସମ୍ପାଦକ ତାଙ୍କୁ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ବହିଟିକୁ ଅନୁବାଦ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବହିଟି ମୂଳତଃ ତେଲୁଗୁ ଭାଷାରେ ଲେଖିତ । କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ଖୁସି ପ୍ରକାଶ କରିଛନ୍ତି ।

୫ ଜିଲ୍ଲାରେ ଲେଖାଗଲା ଭିତ୍ତିଭୂମି ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ବର: ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଆଜି ଓଡ଼ିଶାକୁ ଦେଇଛି ନୂଆ ପରିଚୟ । ଆଜି ୫ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କିଲୋମିଟର ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ବ୍ରିଜ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଓଭର-ବ୍ରିଜ, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ ଓ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ,  ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ, ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କାମରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ 5T ଅଧ୍ୟକ୍ଷ ଧନ୍ୟବାଦ ଜଣାଇଛନ୍ତି ।

ଢୋ ଢୋ ଶବ୍ଦରେ ଥରିଲା ସୁନ୍ଦରଗଡ଼ର ବଣାଇଁ ଅଞ୍ଚଳ

ସୁନ୍ଦରଗଡ଼: ସବୁଦିନ ପରି ସାମାନ୍ୟ ଥିଲା ସୁନ୍ଦଗଡ଼ । ହଠାତ ହେଲା ପ୍ରଚଣ୍ଡ ଶବ୍ଦ । ଢୋ ଢୋ ଶବ୍ଦରେ ଥରିଗଲା ସୁନ୍ଦରଗଡ଼ର ଅଧିକାଂଶ ଅଞ୍ଚଳ । ଲୋକଙ୍କ ମଧ୍ୟରେ ଖେଳିଗଲା କୋକୁଆ ଭୟ ।

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ର ବଣାଇଁ ଅଞ୍ଚଳରେ ଏପରି ଶବ୍ଦ ଶୁଣିବାକୁ ମିଳିଛି । ବଣାଇଁ ସମେତ କୋଇଡ଼ା, ଟେନସା, ଲହୁଣିପଡ଼ା, ଗୁଆଲି, ବଡ଼ବିଲ ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଦୁଇଥର ଏପରି ଶବ୍ଦରେ ପ୍ରକମ୍ପିତ ହୋଇଯାଇଥିଲା ସମଗ୍ର ଅଞ୍ଚଳ l ଲୋକ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ଅଞ୍ଚଳ ଲୋକ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଶବ୍ଦ ସମୟରେ ଦୁଇଟି ଜେଟ୍ ବିମାନ ଯାଉଥିଲା ବୋଲି କିଛି ଲୋକ କହିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

ଗାଜାରେ ୬ ସପ୍ତାହ ଯୁଦ୍ଧ ବିରତି ଚାହୁଁଛି ଆମେରିକା

ଓ୍ବାସିଂଟନ: ଆଗକୁ ପବିତ୍ର ରମଜାନ ମାସ । ଏ ସମୟରେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ମୁସଲିମ ସମ୍ପ୍ରଦାୟକୁ ରମଜାନ ଅଭିନନ୍ଦନ ଜଣାଇବା ସହ ଗାଜାରେ ଅସ୍ତ୍ରବିରତି ଲାଗି ଉଦ୍ଯମ କରିବେ ବୋଲି କହିଛନ୍ତି ବାଇଡେନ । ଏହାସହ ପଣବନ୍ଦୀଙ୍କ ମୁକ୍ତି ଲାଗି ଏହି ସମୟରେ ଉଦ୍ଯମ କରାଯିବ । ଗାଜାରେ ମାନବିକ ସହାୟତା ଲାଗି ଅନ୍ତର୍ଜାତୀୟ ସ୍ତରରେ ଉଦ୍ଯମ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ପଣବନ୍ଦୀଙ୍କ ମୁକ୍ତି ଦାବିରେ ତେଲ ଆବିବରେ ବଡଧରଣ ବିକ୍ଷୋଭ ହୋଇଛି ।  ଗାଜାରେ ଚାଲିଛି ଇସ୍ରାଏଲର ଆକ୍ରମଣ । ଗାଜାର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି । ହମଲାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଦକ୍ଷିଣ ଗାଜାର ଅଲ ମାୱାସି ଅଂଚଳର ନୁସିରାତ ଶରଣାର୍ଥୀ ଶିବିର ଉପରେ ହୋଇଥିଲା ଏ ଆକ୍ରମଣ । ଉତ୍ତର ଗାଜାରେ ଜଣେ ନବଜାତ ସହ ଜଣେ ଯୁବତୀଙ୍କ ଖାଦ୍ୟାଭାବରୁ ମୃତ୍ଯୁ ହୋଇଛି ।   ଖାଦ୍ୟାସଂକଟରୁ ଗାଜାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ଯୁ ହେଲାଣି ।

ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ହମାସ ସହ ଆଲୋଚନା ଲାଗି କଥାବାର୍ତ୍ତା ଚାଲିଥିବା ଜଣାପଡିଛି । ଇସ୍ରାଏଲ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ହେଲାଣି । ୭୨ ହଜାରରୁ ଅଧିକ ପାଲେଷ୍ଟିନୀୟ ଆହତ ହୋଇଛନ୍ତି । ଏବେ ବି ଆତଙ୍କୀ ସଂଗଠନ ହମାସ ପାଖରେ ଅନେକ ଇସ୍ରାଏଲ ନାଗରିକ ପଣବନ୍ଦୀ ଅଛନ୍ତି ।

ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଗଡ଼ିବ ନୂଆ ଜଗନ୍ନାଥ ଏକ୍ସପ୍ରେସ ପ୍ରିମିୟମ୍ ବସ୍। ସବୁ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଗଡ଼ିବ ଏହି ବିଳାସମୟ ସ୍ଳିପର ବସ୍ । ଏହି ଭଲଭୋ ବସରେ ସମସ୍ତ ସିଟ୍ ସ୍ଳିପର । ବସରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରାକୁ ଗୁରୁତ୍ୱ ଦିଆଯାଇଛି।

ଜନସାଧାରଣଙ୍କ ଅବଗତି ନିମନ୍ତେ ଆଜି ବରମୁଣ୍ଡା ଭୀମରାଓ ଆମ୍ବେଦକର ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍, ମାଷ୍ଟରକ୍ୟାଣ୍ଟିନ୍, ପୁରୀ ଏବଂ କଟକ ବସଷ୍ଟାଣ୍ଡରେ ବସଗୁଡ଼ିକ ସୁସଜ୍ଜିତ କରି ପ୍ରଦର୍ଶନ କରାଯାଇଛି। ବସ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ । ସିଟ୍ ଗୁଡିକ ବେଶ୍ ଆରାମଦାୟକ । ଏହି ବସରେ ଯିବାକୁ ଚାହିଁଲେ ଓ.ଏସ.ଆର.ଟି.ସିରୁ ଅନଲାଇନ ଏବଂ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡରେ ଅଫଲାଇନରେ ଟିକଟ ବୁକିଂ କରିପାରିବେ। ଗୋଟିଏ ବସରେ ୪୨ ଜଣ ଯାତ୍ରୀ ଶୋଇକି ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି।

‘ନିର୍ବାଚନ କମିଶନର ଓ ଅନ୍ଯ କମିଶନରଙ୍କ ନିଯୁକ୍ତିରେ କେନ୍ଦ୍ର ସରକାରଙ୍କୁ ରଖାଯାଉ ବିରତ’

ନୂଆଦିଲ୍ଲୀ :  ନିର୍ବାଚନ କମିଶନର ଓ ଅନ୍ଯାନ୍ଯ କମିଶନରଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାରଙ୍କୁ ବିରତ ରଖାଯାଉ। ନିର୍ବାଚନ କମିଶନ ବିବାଦ ମାମଲାରେ ନୂଆ ପିଟିସନର ଏଣ୍ଟ୍ରି। କଂଗ୍ରେସ ନେତା ଜୟ ଠାକୁର ଦାଖଲ କରିଛନ୍ତି ପିଟିସନ। ମୁଖ୍ଯ ନିର୍ବାଚନ କମିଶନର ଓ ଅନ୍ଯାନ୍ଯ ନିର୍ବାଚନ କମିଶନର ଆଇନ ୨୦୨୩ ଅନୁସାରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ବିରତ ରଖାଯାଉ ବୋଲି ପିଟିସନରେ ଆବେଦନ କରାଯାଇଛି।

ଏହା ସହ ଅରୂପ ବରନୱାଲ ରାୟ ଅନୁସାରେ ଇସିଆଇ ସଦସ୍ଯଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି। ମୁଖ୍ଯ ନିର୍ବାଚନ କମିଶନର ଓ ଅନ୍ଯାନ୍ଯ ନିର୍ବାଚନ କମିଶନର ଆଇନ ୨୦୨୩ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଇସି ଚୟନ ପ୍ରକ୍ରିୟାରୁ ପ୍ରଧାନବିଚାରପତିଙ୍କୁ ବାଦ୍ ଦେବା ବିରୋଧରେ ଏହି ପିଟିସନ ଦାୟର ହୋଇଥିଲା। ଗତ ମାର୍ଚ୍ଚ ୯ ତାରିଖରେ ଅଚାନକ ଅନ୍ଯତମ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଥିଲେ।

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା , ଅଳିଆଗଦାରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳାଙ୍କୁ ହତ୍ୟା । ଅଳିଆଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ମୃତକ ମହିଳା ଜଣକ ହେଲେ ହାଇଦ୍ରାବାଦର ୩୬ ବର୍ଷୀୟା ଚୈତନ୍ୟା ମଧାଗାନୀ  । ସେ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ଶନିବାର ତାଙ୍କ ମୃତଦେହ ରାସ୍ତା କଡ଼ରେ ଥିବା ଏକ ଡଷ୍ଟବିନରୁ ମିଳିଛି। ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣା ପରେ ପରେ ଚୈତନ୍ୟାଙ୍କ ସ୍ୱାମୀ ହାଇଦ୍ରାବାଦ ଯାଇ ନିଜ ପୁଅକୁ ତାଙ୍କ ମାତାପିତାଙ୍କ ପାଖରେ ଛାଡି ଦେଇଥିଲେ। ଖବର ଅନୁଯାୟୀ, ଅଷ୍ଟ୍ରେଲୀୟ ନାଗରିକ ହେବା ପରେ ଚୈତନ୍ୟା ଏବଂ ତାଙ୍କ ସ୍ବାମୀ ଅଶୋକ ରାଜ ଭାରିକୁପାଲା ନିଜ ପୁଅଙ୍କ ସହ ଅଷ୍ଟ୍ରେଲିଆର ପଏଣ୍ଟ କୁକରେ ରହୁଥିଲେ। ଏବେ ପୋଲିସ୍ ଅଷ୍ଟ୍ରେଲିଆ ସ୍ଥିତ ଘରେ ଘଟଣାର ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ରାଜ ତାଙ୍କ ୫ ବର୍ଷର ପୁଅ ସହିତ ମାର୍ଚ୍ଚ ୫ରେ ଭାରତ ଯାଇଥିଲେ। ସେବେଠାରୁ ହିଁ ସେ ନିଖୋଜ ଅଛନ୍ତି ଏବଂ କୌଣସି ସମ୍ପର୍କୀୟ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ସମ୍ପର୍କରେ ନାହାନ୍ତି ।

କରୋନା ସମୟରେ ବୃଦ୍ଧି ପାଇଥିବ ଭଡ଼ାକୁ ପ୍ରତ୍ୟାହାର କରିବ ରେଳବାଇ

ପାଟନା : ରେଳବାଇ ତରଫରୁ ବଡ଼ ଘୋଷଣା । କୋରନା ସମୟରେ ବୃଦ୍ଧି ପାଇଥିବା ଭଡ଼ାକୁ କରାଯିବ ପ୍ରତ୍ୟାହାର ।  କରୋନା ଅବଧି ସମୟରେ, ଅନ୍ୟ ରାଜ୍ୟରୁ ବିହାରର ଲୋକଙ୍କୁ ଫେରାଇ ଆଣିବା ପାଇଁ ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ରେଲୱେ ଡିଭିଜନରେ ଯାତ୍ରୀବାହୀ ଟ୍ରେନକୁ ସ୍ପେଶାଲ ଟ୍ରେନ୍ ଭାବେ ଚଲାଯାଉଥିଲା ଏବଂ ଏହାର ସର୍ବନିମ୍ନ ଭଡା ୩୦ ଟଙ୍କା କରାଯାଇଥିଲା। କିନ୍ତୁ କରୋନା ଅବଧି ଶେଷ ହେବା ପରେ ମଧ୍ୟ ଏହି ସମାନ ଧାରା ଜାରି ରହିଥିଲା । କିନ୍ତୁ ରେଳବାଇ ତରଫରୁ ବର୍ତ୍ତମାନ ଏହି ନିୟମ ବଦଳାଇ ଦିଆଯାଇଛି ଏବଂ ସମସ୍ତ ୭୮ ଟି ଟ୍ରେନକୁ ପାସେଞ୍ଜର ଟ୍ରେନ୍ କରାଯାଇଛି । ଯାହା ପରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ୧୦ ଟଙ୍କା ଭଡା ଦେବାକୁ ପଡିବ।

ଅନେକ ଦିନ ଧରି ବିହାରରେ ଦୈନିକ ଟ୍ରେନରେ ଯାତାୟତ କରୁଥିବା ଯାତ୍ରୀ ମାନେ ଏହାକୁ ସାଧାଣଣ ପାସେଞ୍ଜର ଟ୍ରେନ୍ କରିବାକୁ ଦାବି କରିଆସୁଥିଲାଲେ । ଯାହା ପାଇଁ ଡିଆରଏମଙ୍କ ଠାରୁ ଆରମ୍ଭ କରି ରେଲଓ୍ୱେ ବୋର୍ଡ ସଭିଙ୍କୁ ଦାବିପତ୍ର ଦିଆଯାଇଥିଲା ।  ଏବେ ଦୀର୍ଘ ଦିନ ପରେ ସେମାନଙ୍କ ଦାବି ପୂରଣ ହୋଇଛି । ଆପଣଙ୍କୁ ଜଣାଇଦେଉଛୁ କି, ଏକ୍ସପେସ୍ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରିବାର ନିମ୍ନତମ ଭଡା ୩୦ଟଙ୍କା ରହିଛି । ଅନ୍ୟପକ୍ଷେ କେବଳ ପାସେଞ୍ଜର ଟ୍ରେନ୍ ପାଇଁ ନିମ୍ନତମ ଭଡା ୧୦ଟଙ୍କା ରଖାଯାଇଛି । ରବିବାର ଠାରୁ ହିଁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ବୋଲି ଡିଆରଏମ ଜୟନ୍ତ କୁମାର ଚୌଧୁରୀ କହିଛନ୍ତି।

 

ପୋଲିସ ଚଲାଇଲା ହ୍ୟାଣ୍ଡପମ୍ପ,ବାହାରିଲା ମଦ !

ନନ୍ଦିଘୋଷ ବ୍ୟୁରୋ : ପୁଣି ଝାନସୀରେ ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ବାହାରିଲା ମଦ । ବେଆଇନ ମଦ କାରବାରକୁ ନେଇ ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଘଟଣା  । ମାଟି ତଳେ ଡ୍ରମରେ ଲୁଚାଯାଇ ରଖାଯାଇଥିବା ମଦକୁ ବାହାର କରି ଜବତ କରିଛି ପୋଲିସ । ଏମିତି କି ହ୍ୟାଣ୍ଡପମ୍ପ ତଳୁ ପୋତା ହୋଇରହିଥିବା ମଦ ଭର୍ତ୍ତି ଡ୍ରମକୁ ବାହାର କରିବା ପାଇଁ ଅବକାରୀ ବିଭାଗକୁ ବୁଲଡୋଜର ବ୍ୟବହାର କରିବାକୁ ପଡିଥିଲା ।

ଝାନସୀର ମୋଡ କୋତବାଲୀ ସ୍ଥାନରେ ବେଆଇନ ମଦ କାରବାର ନେଇ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଏଭଳି ଅଭିନବ ଭାବେ ମଦ ଲୁଚାଇ ରଖିବା ଘଟଣା ସାମ୍ନାକୁ ଆସିଛି । ଏହି ରେଡ୍ ବେଳେ ସ୍ଥାନୀୟ ଅଞ୍ଚଳରୁ ପୋଲିସ ହଜାର ହଜାର ଲିଟର ମହୁଲି ମଦ ନଷ୍ଟ କରିଛି ।  ଏହା ସହିତ ମଦ ତିଆରି ସାମଗ୍ରୀ ଏବଂ ଉପକରଣ ଜବତ ସହ ୨ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମଦ ତିଆରି ଆଡ୍ଡାରେ ଚଢଉ ସତ୍ତ୍ୱେ ବେଆଇନ ମଦ କେଉଁଠି ଲୁଚାହୋଇ ରଖିାଯାଇଥିଲା ତାହା ଜଣାପଡି ନଥିଲା  । କିନ୍ତୁ ପରେ ଚାଷ ଜମିର ଭୂତଳରେ ମଦ ଭର୍ତ୍ତି ଏକ ବିରାଟ ଡ୍ରମ୍ ଜବତ କରାଯାଇଛି  ।

ତଦନ୍ତ ବେଳେ ଯେତେ ବେଳେ ହ୍ୟାଣ୍ଡପମ୍ପ ଚାଲା ଯାଇଥିଲା , ସେଥିରୁ ପାଣି ବଦଳରେ ମଦର ଧାରା ବୋହିଥିଲା  । ଯାହା ପରେ ମଦ ଲୁଚାଇବାର ଗୁମର ଫିଟିଯାଇଥିଲା । ପୋଲିସ ସୂଚନା ଅନୁଯାୟୀ ମାଟିତଳୁ ପାଖାପାଖି ୫୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି ଏବଂ ଘଟଣାକୁ ନେଇ ଅଧିକ ତଦନ୍ତ ଜାରିରହିଛି ।

ସାହିତ୍ୟ ଉତ୍ସବ-୨୦୨୪ : ୬ ଦିବସୀୟ ସମାରୋହରେ ୧୧୦୦ରୁ ଅଧିକ ଲେଖକ ଓ ବିଦ୍ୱାନ ସାମିଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ସାହିତ୍ୟ ମହାକୁମ୍ଭ ସାହିତ୍ୟ ଉତ୍ସବ-୨୦୨୪ । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏହି ଉତ୍ସବକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ସମ୍ପାଦକ କେ. ଶ୍ରୀନିବାସ ରାଓ, ଉପସଭାପତି କୁମୁଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ୬ ଦିବସୀୟ ସମାରୋହରେ ୧୧ ଶହରୁ ଅଧିକ ଲେଖକ ଓ ବିଦ୍ୱାନ ଭାଗ ନେଉଛନ୍ତି।

ଚଳିତବର୍ଷ ସାହିତ୍ୟ ଏକାଡେମୀ ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଚଳିତବର୍ଷର ସାହିତ୍ୟ ଉତ୍ସବକୁ ବିଶ୍ଵର ସବୁଠାରୁ ବଡ଼ ସାହିତ୍ୟ ଉତ୍ସବ ଭାବେ ପାଳନ କରାଯାଉଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରବୀନ୍ଦ୍ର ଭବନ ପରିସରରେ ଉତ୍ସବ ଚାଲିବ ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ, ଜଣାଶୁଣା କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଆଜି ଲାଲଦେୟ ସଭାଗାରରେ ‘ମେରେ ଲିୟେ କବିତା କା ଅର୍ଥ’ ବା ମୋ ପାଇଁ କବିତାର ଅର୍ଥ ଆଲୋଚନାରେ ଅଭିଭାଷଣ ରଖିଥିଲେ । ଉତ୍ସବରେ ୨୦୦ରୁ ଅଧିକ ଅଧିବେଶନ ଥିବା ବେଳେ ହିନ୍ଦୀ ସମେତ ୧୭୫ରୁ ଅଧିକ ଭାରତୀୟ ଭାଷାରେ ଆଲୋଚନା କରାଯିବ । ଭାରତୀୟ ସନ୍ଥଙ୍କ ନାମରେ ନିର୍ମିତ ସଭାସ୍ଥଳ ଗୁଡ଼ିକରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଆଲୋଚନା ହେବ । ଏଥିରେ ବହୁଭାଷୀ କାହାଣୀ ଓ କବିତା ପାଠ, ପୂର୍ବୋତ୍ତର, ଉତ୍ତର ପୂର୍ବ ଲେଖକ ସମ୍ମିଳନୀ, ଯୁବ ସାହିତ୍ୟିକ  ସମ୍ମିଳନୀ, ଭାରତର ଭକ୍ତି ସାହିତ୍ଯ, ଭାରତର ସାଂସ୍କୃତିକ ଅଭିବ୍ୟକ୍ତି ମାଧ୍ୟମ ରୂପରେ ରଙ୍ଗମଞ୍ଚ, ଭାରତୀୟ ବାଳ ସାହିତ୍ୟର ଅନୁବାଦ ସମ୍ବନ୍ଧିତ ସମସ୍ୟା, ସାହିତ୍ୟ ଏବଂ ନାରୀ ସଶକ୍ତିକରଣ ଆଦି ଅନ୍ୟାନ୍ୟ ବିଷୟରେ ଆଲୋଚନା ହେଉଛି । ଏଥିସହିତ ଅଖିଳ ଭାରତୀୟ ଦିବ୍ୟାଙ୍ଗ ଲେଖକ ସମ୍ମିଳନୀ, ଗୋପିଚନ୍ଦ ନାରଙ୍ଗଙ୍କ ଉପରେ ମହତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ।