spot_img
Home Blog Page 2152

ନୂଆ-ଓ କାର୍ଯ୍ୟକ୍ରମରେ କାର୍ତ୍ତିକ ପାଣ୍ଡିଆନ, ୧୦୦ରୁ ଅଧିକ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା

ବଲାଙ୍ଗୀର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ  । ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ୧୦୦ରୁ ଅଧିକ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଏହାପରେ କଣ୍ଟାବାଞ୍ଜିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । କଣ୍ଟାବାଞ୍ଜିର ଭୋକେଶନାଲ କଲେଜ ଖେଳପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ 5T ଅଧ୍ୟକ୍ଷ। କଣ୍ଟାବାଞ୍ଜି ପରେ ସଇଁତଲାରେ ଆରଏନ ସିଂହଦେଓ ଷ୍ଟାଡିୟମରେ ଆୟୋଜିତ ସାଧାରଣସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ଶ୍ରୀନଗର: ନ୍ୟାସନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ୍ କରିଛି ଇଡି । ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କା ହେରଫେର ମାମଲାରେ ତାଙ୍କୁ ଆଜି ହାଜର ହେବା ପାଇଁ ସମନ ଜାରି କରାଯାଇଛି । ୮୬ ବର୍ଷୀୟ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଇଡି ଅଫିସରେ ହାଜର ହେବା ପାଇଁ କୁହାଯାଇଛି ।

ଜମ୍ମୁ ଓ କଶ୍ମୀର କ୍ରିକେଟ ସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି । ଏନେଇ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି । ୨୦୦୧ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ।

ସେ ସମୟରେ ସେ ନିଜ ପଦର ଦୁରୂପଯୋଗ କରି ବେଆଇନ ନିଯୁକ୍ତି ଦେବା ସହ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ ଚାଲିଛି ।

ଗାଜାରେ ଗଣହତ୍ୟା ବିରୋଧରେ ଶୁଣାଣି କରିବେ ଜାତିସଂଘର କୋର୍ଟ, ଦକ୍ଷିଣ ଆଫ୍ରିକାର ଆବେଦନ

ଗାଜା: ଗାଜାରେ ଇସ୍ରାଏଲର ଗଣହତ୍ୟା ବିରୋଧରେ ଜାତିସଂଘର କୋର୍ଟ ଆଜି ଶୁଣାଣି କରିବେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ହୋଇଥିବା ଆବେଦନରେ ଦକ୍ଷିଣ ଆଫ୍ରିକାକୁ ଦୋଷୀ ସାବ୍ୟସ୍ତ କରିବା ସହ ଗଣହତ୍ୟା ଉପରେ ରୋକ ଲଗାଇବା ପାଇଁ ଆବେଦନ କରାଯାଇଛି । କିନ୍ତୁ ଇସ୍ରାଏଲ ଗାଜାରେ ହମାସ ବିରୋଧରେ କରୁଥିବା ଯୁଦ୍ଧକୁ ଗଣହତ୍ୟା ବୋଲି ମାନିବା ପାଇଁ ନାରାଜ ।

ଇସ୍ରାଏଲ-ହମାସ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍ରେ ୨୩ ହଜାର ୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୋମବାର ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଏଲିଟ୍ ରାଦ୍ୱାନ୍ ଫୋର୍ସର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛି ବୋଲି ଜଣାପଡ଼ିଛି । ହମାସକୁ ସମର୍ଥନ କରି ଲେବାନନ ସୀମା ସେପଟେ ବୋମାମାଡ଼ ଆରମ୍ଭ ହେବା ପରେ ଇସ୍ରାଏଲ ପ୍ରତିଆକ୍ରମଣ କରିଥିଲା । ଦକ୍ଷିଣ ଲେବାନନରେ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନର ୧୩୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଲେଣି ।

ଗ୍ୟାସ କଟରରେ ATM କାଟି ଲୁଟିନେଲେ ୨୦ ଲକ୍ଷ

ବାଲେଶ୍ବର: ଏଟିଏମରୁ ୨୦ ଲକ୍ଷ ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମ କାଟି ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି ।

ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି  । ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି ।

୧୭ରେ ଶ୍ରୀକ୍ଷେତ୍ରରେ ଏକାଠି ହେବ ସାରା ଦେଶ, ପୌଷ ମାସରେ ରଥ ଦେଖିବେ ଭକ୍ତ

ପୁରୀ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଶ୍ରୀକ୍ଷେତ୍ରରେ ଏକାଠି ହେବ ସାରା ଦେଶ । ପୁରୀ ଆସିବେ ପ୍ରମୁଖ ଦେବପୀଠର ମୁଖ୍ୟ, ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମସ୍ତଙ୍କୁ ଆକୃଷ୍ଟ କରିବ । ବଡ଼ଦେଉଳ ଚତୁଃପାର୍ଶ୍ବର ନୂଆରୂପକୁ ଦେଖି ସଭିଏଁ ହେବେ ବିମୋହିତ । ତେବେ ବାହାରୁ ଆସୁଥିବା ଅତିଥିମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଯୋଡିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ସୃଷ୍ଟି ହେବ ରଥଯାତ୍ରାର ଭ୍ରମ ।

ପୌଷ ମାସରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖିପାରିବେ ଆଷାଢ ମାସରେ ହେଉଥିବା ତିନିରଥ । ଏଥିପାଇଁ ରଥଗୁଡ଼ିକର ପ୍ରସ୍ତୁତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଶ୍ରୀକ୍ଷେତ୍ରକୁ ଜଗନ୍ନାଥମୟ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ତିନିରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ପ୍ରଦର୍ଶନ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ନନ୍ଦିଘୋଷର ରଥ ମୁଖ୍ୟ ରୂପକାର ରାଜେନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛି ପ୍ରଶାସନ ।

ନିର୍ଦ୍ଦେଶ ପାଇବା ମାତ୍ରେ ମହାପ୍ରଭୁଙ୍କ କାମରେ ଲାଗିପଡିଛନ୍ତି ରାଜେନ୍ଦ୍ର ଏବଂ ସାଥୀ । ଆଷାଢ ମାସରେ ବଡ଼ଦାଣ୍ଡରେ ଗଡୁଥିବା ତିନିରଥ ଅବିକଳ ଭାବେ ତିଆରି କରାଯାଉଛି । କେବଳ ଫରକ୍ ରହିବ ରଥର ଉଚ୍ଚତା । ଏହାବାଦ୍ ଆଉ ସବୁକିଛିକୁ ନିଖୁଣ ଭାବେ ନିର୍ମାଣ କରିଛନ୍ତି କାରିଗର । ନିଷ୍ଠାର ସହ ପ୍ରାୟ ୨୦ରୁ ୨୫ ଜଣ ମାସେ ହେବ ଏହି ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଅବିକଳ ଭାବେ ତିନିରଥକୁ ରୂପ ଦେବାରେ ଲାଗି ପଡିଛନ୍ତି ।

୧୭ଶହ ୧୩ କୋଟିରୁ ଅଧିକ ଟଙ୍କା ଅନୁମୋଦନ, ୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ୧୪ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟରେ ନିବେଶର ନୂଆଯୁଗ । ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା । ୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୭୧୩ ଦଶମିକ ୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଧାତବ କ୍ଷେତ୍ର ଉପରେ ନିର୍ଭର କରୁଥିବା ଆନୁଷଙ୍ଗିକ ଶିଳ୍ପ, ଶକ୍ତି, ଔଷଧ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ସବୁଜ ସଙ୍କେତ ଦିଆଯାଇଛି । ଏହାଦ୍ବାରା ୫ ହଜାର ୧୩୪ ନିଯୁକ୍ତି ସୃଷ୍ଟି ସମ୍ଭାବନାଥିବାବେଳେ ୭ଟି ଜିଲ୍ଲାର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରହିବ ।

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିକ୍ ମେଟାଲ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡର ୭୨ କୋଟି ଟଙ୍କାର ପ୍ରକଳ୍ପ ସହିତ ରାଜ୍ୟରେ ଇସ୍ପାତ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ବୃଦ୍ଧି ଘଟିବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ୧୬ ହଜାର ୟୁନିଟ୍ କ୍ଷମତା ବିଶିଷ୍ଟ ଇସ୍ପାତ ୟୁନିଟ୍ ପାଇଁ କ୍ରୋମ ପ୍ଲେଟିଂ, ଗ୍ରାଇଣ୍ଡିଂ ଓ ଟେକ୍ଟରି” କରାଯିବ । ଏହା ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଷ୍ଟେନଲେସ୍ ଷ୍ଟିଲ୍ ଆଣ୍ଡ ଫେରୋ ଆଲଏଜ୍ କ୍ଷେତ୍ରରେ ‘ଆନନ୍ଦ ଏକ୍ସପୋର୍ଟ ଯାଜପୁରରେ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛି ।

ଏହାଦ୍ବାରା ୨ ହଜାର ୮୨୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାଜପୁରର କଳିଙ୍ଗ ନଗରରେ ଆସୋକା ସ୍କାଏ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ମେଟାଲ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ମହିନ୍ଦ୍ରା ହୋଲିଜେଜ୍ ଆଣ୍ଡ ରିସୋର୍ଟ ପ୍ରକଳ୍ପକୁ ଗଂଜାମ ଜିଲ୍ଲାରେ ବାହୁଡ଼ା ନଦୀ ମୁହାଣ ନିକଟ ସୋନାପୁର ବେଳାଭୂମିରେ ୨୨୮ ଦଶମିକ ୪୫ କୋଟି ଟଙ୍କା ବିନିଯୋଗ କରି ଏକ ଆକର୍ଷଣୀୟ ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ଅନୁମୋଦନ ମିଳିଛି ।ଟିଏସ୍ ବିଚ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୨ ଦଶମିକ ୧୬ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ କନଭେନ୍ସନ୍ ସେଣ୍ଟର ଏବଂ ୪ ଟି ଷ୍ଟାର୍ ହୋଟେଲ୍ ସହିତ ଆତିଥେୟତା ପ୍ରଦାନ କ୍ଷେତ୍ରରେ ନୂତନ ଆକର୍ଷଣୀୟ ପରିକଳ୍ପନା ସୃଷ୍ଟି କରିଛି ।

ସେହିପରି ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଯାଜପୁରରେ କ୍ୟାପ୍ତିଲ୍ ରୁଫ୍ ଟପ୍ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ । ଏସିକେମ୍ ରେମେଳି ପ୍ରାଇଭେଟ୍ ଲିମିଟେଡ୍ ପୁରୀର କୁର୍କିଠାରେ ଟ୍ୟାବଲେଟ୍, କ୍ୟାପସୁଲ୍, ମଲମ ଏବଂ ଲିକୁଇଡ୍ ଓରାଲ୍ ଉତ୍ପାଦନ କରି ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଛି । ବେଷ୍ଟ ପାୱାର ଇକ୍ସିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୟୁପିଏସ ସିଷ୍ଟମ ଓ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ୟୁନିଟ୍ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଓରିବାକେ ପ୍ରାଇଭେଟ୍ ଲିମିଟେଡ୍ କଟକ ଜିଲ୍ଲା ଟାଙ୍ଗୀ-ଚୌହାରଠାରେ ବିସ୍କୁଟ୍ ଏବଂ ଅନ୍ୟାନ୍ୟ ବେକ୍ଟ ଉତ୍ପାଦ ଉତ୍ପାଦନ ୟୁନିଟ୍ ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଉଛି । ଏହିପରି ମୋଟ ୧୪ଟି ଶିଳ୍ପକୁ ଅନୁମୋଦନ ମିଳିଛି ।

ବଣଭୋଜି ବେଳେ ଗରେଇଝୁଳି ଗାଁରେ ଫୁଟିଲା ଗୁଳି, ସମିତି ସଭ୍ୟ ଗୁରତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗରେଈଝୁଳି ଗାଁରେ ଗୁଳିମାଡ଼ । ବଣଭୋଜି ବେଳେ ମାରପିଟ ଓ ଗୁଳିମାଡ଼ରେ ଜଣେ ଗୁରୁତର । ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି  । ଗୁରୁତର ବ୍ୟକ୍ତି ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ  । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ଏକ ଇଟା ଭାଟିରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି  ।

ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାପରେ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗାଁ ଭିତରେ ବାଇକ ସ୍ପିଡ଼ ଚଲାଇବାକୁ ନେଇ ଏଭଳି ଘଟଣା ହୋଇ ଥିବା ସୂଚନା ମିଳିଛି

ଆସନ୍ତାକାଲି ଯାଏଁ ଲାଗି ରହିବ ଘନ କୁହୁଡି, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ହାଲୁକା ଶୀତ ସହ ଘନ କୁହୁଡିରେ ଆକ୍ତାମାକ୍ତା ହେଉଛି ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା ସମେତ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ରାୟଗଡା, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ୧୯ଟି ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଘନ କୁହୁଡିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପୋଲିସ ଏବଂ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗୋଆ ଡେଥ୍ ମିଷ୍ଟ୍ରିରେ ବଢୁଛି ସସପେନ୍ସ, ହତ୍ୟା ଅଭିଯୋଗକୁ ମାଆଙ୍କ ଖଣ୍ଡନ

ପାଣାଜୀ: କେତେ ସତ କହୁଛନ୍ତି ସୂଚନା । ଜନ୍ମ କଲା ସନ୍ତାନକୁ ମା’ କାହିଁକି କଲେ ହତ୍ୟା । ହତ୍ୟା ପଛରେ କଣ ରହିଛି ରହସ୍ୟ । ଏସବୁର ତନାଘନା କରୁଛି ଗୋଆ ପୋଲିସ୍ । ଆଜି ପୁଣି ସୂଚନାଙ୍କୁ ଗୋଆ ପୋଲିସ ପଚରାଉଚରା କରିବ । ହତ୍ୟା ନା ଅନ୍ୟ କୌଣସି କାରଣରୁ ଶିଶୁର ହୋଇଛି ମୃତ୍ୟୁ ? ଅଭିଯୁକ୍ତ ମା ସୁଚନା ସେଠଙ୍କ ବିବୃତିକୁ ନେଇ ବଢୁଛି ସସପେନସ । ସେ ସନ୍ତାନକୁ ହତ୍ୟା କରିନାହାନ୍ତି ବୋଲି କହିଥିବା ପୋଲିସ କହିଛି ।

ତେଣେ ହୋଟେଲରୁ ୨ଟି ଖାଲି କଫ ସିରପ ବୋତଲ ଜବତ ହେବାକୁ ନେଇ ଉଠିଛି ପ୍ରଶ୍ନ । ଯଦି ହତ୍ୟା ନୁହେଁ ତେବେ ସମ୍ଭବତଃ ଅଧିକ କଫସିରପ ଦିଆଯାଇଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ୪ ବର୍ଷର ପୁଅକୁ ମାରିବା ଲାଗି ସେ ତକିଆ କିମ୍ବା ଟାଓ୍ବେଲ ବ୍ୟବହାର କରିଥିଲେ ବୋଲି କହିଛନ୍ତି ଡାକ୍ତର । ପ୍ରତି ରବିବାର ପୁତ୍ରକୁ ଭେଟିବା ଲାଗି ବାପା ଭେଙ୍କଟ ରମଣଙ୍କୁ ଅନୁମତି ଦେଇଥିଲେ କୋର୍ଟ । ତେବେ ଏହାକୁ ନେଇ ଅଶାନ୍ତି ଥିଲେ ସୁଚନା ।

ଆଳୁ ସାଜିବ ଜୀବନ ରକ୍ଷକ ଏବଂ କ୍ୟାନସରର ଔଷଧ

ନନ୍ଦିଘୋଷ ବ୍ୟୁରୋ: ଆଳୁ କରିବ କ୍ୟାନସରର ମୁକାବିଲା। ଆଳୁରେ ତିଆରି  ହେବ ଏବେ କ୍ୟାନସରର ଔଷଧ। କର୍କଟ ରୋଗ ଏବେ ବିଶ୍ବରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଆଗାମୀ ୨୦ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟ ୨.୮କୋଟି ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ବୈଜ୍ଞାନିକମାନେ ଆଳୁରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଳୁରେ ଥିବା ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର ଜୀବାଣୁକୁ ମାରିବାକୁ ସହାୟକ ହେବ । ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର କୋଷିକାଗୁଡିକୁ ନଷ୍ଟ କରିବା ସହ ବୃଦ୍ଧି କରିବାରୁ ରୋକିବ । ଏଥିରେ ସୋଲାନାଇନ, ଚାକୋନାଇନ, ସୋଲାସୋନାଇନ, ସୋଲାମାର୍ଜାଇନ ଓ ଟୋମାଟାଇନ ଅଛି। ଯାହା କ୍ୟାନସର ରୋଗୀଙ୍କୁ ଭଲ କରିବାରେ ସାହାଯ୍ୟ କରିବ । ସେଥିପାଇଁ ଭବିଷ୍ୟତରେ କ୍ୟାନସର ରୋଗୀକୁ ଆଳୁ ଭଲ କରିପାରିବ ଏଥିରେ ସନ୍ଦେହ ନାହିଁ।