spot_img
Home Blog Page 2159

ବିଜେଡିର ଚାଲିଛି ସଂସଦୀୟ କ୍ଷେତ୍ର ସମୀକ୍ଷା, ବ୍ରହ୍ମପୁର ଓ ଆସିକା ସମୀକ୍ଷା ଶେଷ

ଭୁବନେଶ୍ୱର: ନବୀନ ନିବାସରେ ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ଯସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି। ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆସିକା ଲୋକସଭା କ୍ଷେତ୍ର ସମୀକ୍ଷା ଶେଷ ହେବାପରେ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଢ ହେବ, ସେ ଦିଗରେ ବି ଆଲୋଚନା କରାଯାଇଛି ବୋଲି କହିଛନ୍ତି ଲତିକା ପ୍ରଧାନ।

ଏହି ଅବସରେ ବୈଠକରେ ଉପସ୍ଥିତ ଥିଲେ  ବ୍ରହ୍ମପୁର ସାଂସଦଙ୍କ ସହ ଲୋକସଭା କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାନସଭା ଆସନର ବିଧାୟକ, ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚିକିଟି ବିଧାୟିକା ଉଷା ଦେବୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ବିଜେଡି ନେତା ସୁବାସ ମହାରଣା, ବିପ୍ଳବ ପାତ୍ର, ନାରାୟଣ ଜେନା, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ଉପସ୍ଥିତ ଥିଲେ। ତେବେ ଆଜି ୪ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳେ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସମୀକ୍ଷା ପରେ ଅପରାହ୍ମରେ ଭୁବନେଶ୍ବର ଓ କନ୍ଧମାଳ ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ: ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ

ସମ୍ୱଲପୁର: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ। ବୁର୍ଲା ଭିସୁଟ କୁଳପତି ଭିସୁଟ ଛାତ୍ରଛାତ୍ରୀଙ୍କ ଲାଗି ଏହି କଡା ନୋଟିସ ଜାରି କରିଛନ୍ତି। ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ରହିଛି। ସାଂସ୍କୃତିକ କାର୍ଯକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି।

ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା. ଦାମୋଦର ରାଉତ ଗୁରୁତର

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା. ଦାମୋଦର ରାଉତ ଗୁରୁତର। ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଦାମୋଦର। ହୃଦଘାତ ପରେ ସେ ଗୁରୁତର ହୋଇପଡ଼ିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। ଏସମ୍ପର୍କରେ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ସୂଚନା ଦେଇଛନ୍ତି ।

ଦାମଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ସୂଚନା ପାଇ ତାଙ୍କର ଆଶୁ ଆରୋଗ୍ଯ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଦାମୋଦର ରାଉତଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ଯ ସହ ଦୀର୍ଘ ଜୀବନ କାମନା କରୁଛି।

ଏଲପିଜି ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ଯୁ

ଜୟପୁର: ରାଜସ୍ଥାନ ଜୟପୁରରେ ଅଘଟଣ। ଏଲପିଜି ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ଯୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ନାବାଳକ ଶିଶୁ ରହିଛନ୍ତି। ଘରେ ରଖିଥିବା ଏଲପିଜି ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ସିଲିଣ୍ଡର ଫାଟି ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଘରେ ଥିବା ୩ ଶିଶୁଙ୍କ ସମେତ ୨ ଜଣ ଜୀଅନ୍ତା ଜଳି ଯାଇଥିଲେ।

ରାଜସ୍ଥାନ ଜୟପୁରର ବିଶ୍ଵକର୍ମା ଥାନା ଅନ୍ତର୍ଗତ ଜୈସଲ୍ୟା ଗାଁରେ ଘଟିଛି ଏ ଦୁର୍ଘଟଣା। ସମସ୍ତ ମୃତକ ବିହାର ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି। ଏଠାରେ ଘର ଭଡ଼ା ନେଇ ରହୁଥିଲେ। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସହ ପୋଲିସ ଟିମ ପହଞ୍ଚିଥିଲେ। ତେବେ ନିଆଁର ତୀବ୍ରତା ଜୋର ଥିବାରୁ କାହାରକୁ ଜୀବନ୍ତ ଉଦ୍ଧାର କରିପାରିନଥିଲେ। ମୃତକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି।

ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡିଆ ଡାକ୍ତର

ପୁଣେ : ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡିଆ ଡାକ୍ତର। ହଠାତ୍ ଉଡୁଥିବା ବିମାନରେ ଅସୁସ୍ଥ ହୋଇପଡିଥିଲେ ହୃଦ୍‌ଘାତରେ ପୀଡିତ ଥିବା ଜଣେ ମହିଳା। ମହିଳାଙ୍କ ଜୀବନ ରକ୍ଷା କରିବା ପାଇଁ ବିମାନରେ ଚହଳ ପଡିଯାଇଥିଲା। ସେହି ସମୟରେ ଦେବଦୂତ ସାଜିଥିଲେ ବିମାନରେ ଉପସ୍ଥିତ ଥିବା କିମସ୍ ଡାକ୍ତର। ହୃଦରୋଗ ବିଶେଷଜ୍ଞ ଅଶୋକ କୁମାର ବଡମାଳି ଅସୁସ୍ଥ ହୋଇଥିବା ମହିଳାଙ୍କ ଜୀବନ ରକ୍ଷା କରିଥିଲେ ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୭ ରବିବାର ସକାଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଦିଲ୍ଲୀରୁ ପୁଣେକୁ ଯାଉଥିଲେ ଡାକ୍ତର ଅଶୋକ ବଡମାଳି। ସେହି ବିମାନରେ ଜଣେ ମହିଳାଙ୍କର ହୃଦଘାତ ହୋଇଥିଲା। ହଠାତ୍ ମଝି ଆକାଶରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ କ୍ୟାବିନ କ୍ରୁ ସଦସ୍ୟ ଘୋଷଣ କରିଥିଲେ ଯେ, ବିମାନରେ ଯଦି କେହି ଡାକ୍ତର କିମ୍ୱା ନର୍ସ ଅଛନ୍ତି ତେବେ ଜଲଦି ସହାୟତା କରନ୍ତୁ । ଏହି ଘୋଷଣା ଶୁଣି ଡାକ୍ତର ଅଶୋକ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଅସୁସ୍ଥ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ସେ ହୃଦଘାତ ବିଷୟରେ ଜାଣିବାକୁ ପାଇଥିଲେ। ଡାକ୍ତର ଅଶୋକ କ୍ରୁ ମେମ୍ୱରଙ୍କ ସାହାଯ୍ୟରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ତୁରନ୍ତ ଯୋଗାଇ ଦେଇଥିଲେ। ଏହାପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଶୁଦ୍ଧାର ଆସିଥିଲା।

ବିମାନଟି ପୁଣେରେ ଅବତରଣ କରିବା ବେଳକୁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା। ମହିଳା ଜଣଙ୍କ ଡାକ୍ତର ଅଶୋକଙ୍କ ସମେତ ବିମାନର କ୍ରୁ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ବ୍ୟୁରୋ ରିପୋର୍ଟ: ନିର୍ବାଚନ ପୂର୍ବରୁ ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଜଣ ଏସପିଙ୍କୁ ବଦଳି କରିବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଏସପି ଓ ଦେବଗଡ଼ ଏସପିଙ୍କୁ  ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅଣ-କ୍ଯାଡର ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଅଣକ୍ୟାଡର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ରାଜ୍ୟର ମୋଟ ୫ ଜିଲ୍ଲାପାଳ, ୮ ଜଣ ଏସପି ଏବଂ ଏସଏସପିଙ୍କୁ ବଦଳି କରିବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନିର୍ବାଚନ ଆୟୋଗ ଯେଉଁ ଅଣକ୍ୟାଡର ଅଧିକାରୀମାନେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ ସୁପରିଟେଣ୍ଡେଣ୍ଟ (ପୁଲିସ ଅଧୀକ୍ଷକ) ପଦବୀରେ ଅଛନ୍ତି ସେମାନଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ଚାରୋଟି ରାଜ୍ୟକୁ ଏହି ନୋଟିସ୍ ପଠାଯାଇଛି।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ। ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ପ୍ରାର୍ଥନା କରିଛି ପତଞ୍ଜଳି। ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ମାନ୍ୟବର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି।

ସୂଚନା ଅନୁଯାୟୀ, କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ ପଠାଇଥିଲେ। ଆଜି ପତଞ୍ଜଳି ପକ୍ଷରୁ ଏନେଇ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଆଫିଡେଭିଟ୍‌ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶୃତି ଦେଉଛି।

ସେ ଆହୁରି କହିଛନ୍ତି, କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଏବଂ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହରକୁ ଗୁରୁତ୍ୱ ଦେବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର

ଭୁବନେଶ୍ୱର:  କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର। ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ହୋଇଛି ଚେକିଂ। ରସୁଲଗଡ଼,ବମିଖାଲ, ଲକ୍ଷ୍ମୀସାଗର,ରାଜମହଲ, ଡେଲ୍ଟା ଛକ, ଆପୋଲୋ ହସ୍ପିଟାଲ ଓ କିଟ ଛକରେ ଚେକିଂ ଓ ବ୍ଳକିଂକୁ ବ୍ୟାପକ କରାଯାଇଛି। ଗତକାଲି ସେଫ ସିଟି ଡ୍ରାଇଭ ଅଧୀନରେ ୧୨ଟି ସେକ୍ସନ ଫୋର୍ସ ମୁତୟନ ହୋଇ ଚେକିଂ କରିଥିଲେ।

ନିଶାପାନ କରି ଗାଡ଼ିଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ମଦ ପିଇ ଗାଡି ଚଲାଉଥିଲେ ମୋଟା ଅଙ୍କର ଜରିମାନା ସହ ଗାଡ଼ିଗୁଡିକୁ ସିଜ କରାଯିବ। ଆଗକୁ ମଧ୍ୟ ଏଭଳି ଚେକିଂ ଚାଲିବ ବୋଲି ଡିସିପି କହିଛନ୍ତି।

ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି, ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି। ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା। ଆଜି ତିନୋଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳ ସାଢେ ୧୦ଟାରୁ ବ୍ରହ୍ମପୁର ଓ ସାଢେ ୧୧ଟାରୁ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ବ୍ରହ୍ମପୁର ସାଂସଦଙ୍କ ସହ ଲୋକସଭା କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାନସଭା ଆସନର ବିଧାୟକ, ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ଯବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚିକିଟି ବିଧାୟିକା ଉଷା ଦେବୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ବିଜେଡି ନେତା ସୁବାସ ମହାରଣା, ବିପ୍ଳବ ପାତ୍ର, ନାରାୟଣ ଜେନା ପ୍ରମୁଖ ବୈଠକରେ ଯୋଗଦେଇଛନ୍ତି। ସବୁ ନେତାଙ୍କ ସହ ୱାନ ଟୁ ୱାନ କରୁଛନ୍ତି ମୁଖ୍ଯମନ୍ତ୍ରୀ ।

ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ ସହ ଲୋକଙ୍କର ଅଧିକ ନିକଟର ହୋଇ ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଉଛନ୍ତି ନବୀନ। ବୈଠକରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି। ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଉଛି। ସେହିପରି ଅପରାହ୍ମରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ଆକ୍ସନ ମୋଡରେ କୁଲଡିହା ବନବିଭାଗ, ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ

ବାଲେଶ୍ବର: ଶିକାରୀ ଗୁଳିରେ ୨ ସବୁଜ ବାହିନୀ ଗୁରୁତର ପରେ ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି।

ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି । କୁଲଡିହାରେ ଦୁଇଜଣ ସବୁଜ ବାହିନୀ କର୍ମଚାରୀ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ।