spot_img
Home Blog Page 217

ଅପରେସନ ଅନ୍ବେଷଣର ଉଡ଼ିଲା ଧଜ୍ଜିଆ: ଏକ ସପ୍ତାହ ପରେ ବି ମିଳୁନି ମହିଳା କନଷ୍ଟେବଳଙ୍କ ପତ୍ତା, ନିଖୋଜ ପଛରେ ପୋଲିସର ହାତ ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ମହିଳା କନଷ୍ଟେବଳ ନିଖୋଜ ଘଟଣାକୁ ସପ୍ତାହେ ବିତିଲା । କମିଶନରଙ୍କୁ ଭେଟି ଗୁହାରୀ ଜଣାଇଲେ ପରିବାର । ସିଡ଼ିଆର ଯାଞ୍ଚ ସହ ସ୍ପେଶାଲ ଟିମ ଚଳାଇଛି ତଦନ୍ତ । ସେପଟେ ମଞ୍ଚେଶ୍ୱର ମର୍ଡର କେସରେ ଅପରାଧୀ ଧରା ହେବା ଦୂର କଥା, ମୃତକଙ୍କ ଏଯାଏଁ ମିଳିଲାନି ପରିଚୟ ।

ପୋଲିସକୁ ଖୋଜି ଦେଲେ ପୋଲିସ ଦେବ ପୁରସ୍କାର । କନଷ୍ଟେବଳ ଝିଅକୁ ଖୋଜିବା ପାଇଁ ପରିବାରର ଆକୁଳ ନିବେଦନ । ଅପରେସନ ଅନ୍ୱେଷଣର ଉଡିଲା ଧଜ୍ଜିଆ । ସେପଟେ ମଞ୍ଚେଶ୍ୱର ମର୍ଡର କେସରେ ମିଳୁନି ମୃତକଙ୍କ ପରିଚୟ । ଯିଏ ଖୋଜି ଦେବ ପାଇବ ୨୫ ହଜାର ଟଙ୍କା ପୁରସ୍କାର । ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ଘଟଣାରେ ସୋସିଆଲ ମିଡିଆରେ ଜାରି ହୋଇଛି ପୋଷ୍ଟର । ଗତ ୬ ତାରିଖରୁ ଭୁବନେଶ୍ୱରରୁ ଡ୍ୟୁଟି ସାରି ସେ ନିଖୋଜ ଅଛନ୍ତି । କ୍ୟାପିଟାଲ ଥାନାରେ ଏତଲାକୁ ସପ୍ତାହେ ବିତିଯାଇଥିବା ବେଳେ ଝିଅର ଖୋଜ ଖବର ନମିଳିବାରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ପୋଲିସ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ଭାବେ ନେବା ସହ ସ୍ପେଶାଲ ଟିମ ଗଠନ କରିଛି । ସିଡିଆର ରିପୋର୍ଟ ଯାଞ୍ଚ କରୁଛି । ଟ୍ରାଫିକ କନଷ୍ଟେବଳଙ୍କ ନିଖୋଜ ପଛରେ ପୋଲିସ ଡିପାର୍ଟମେଣ୍ଟର ଜଣଙ୍କ ସମ୍ପୃକ୍ତି ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ସୁରକ୍ଷିତ ଭାବେ ଝିଅ କିଭଳି ଘରକୁ ଫେରିବ, ସେ ନେଇ କମିଶନରଙ୍କ ନିକଟରେ ଗୁହାରୀ କରିଛନ୍ତି ଶୁଭମିତ୍ରାଙ୍କ ବାପା ।

ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ଓଡିଶା ପୋଲିସ ନିର୍ଦ୍ଦେଶରେ ସାରା ରାଜ୍ୟରେ ଜୋରଦାର ହୋଇଛି ଅପରେସନ ଅନ୍ୱେଷଣ । ସେପଟେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟ ଖେଳ ପଡ଼ିଆ ମଧ୍ୟରୁ ମିଳିଥିବା ମୃତଦେହର ଏଯାଏଁ ମିଳିନି ପରିଚୟ । ଜନଗହଳିପୂର୍ଣ ସ୍ଥାନରେ ପୋଷ୍ଟର ଲାଗିଛି । ଚିହ୍ନଟ କଲେ ପୁରସ୍କାର ରାଶି ଘୋଷଣା ମଧ୍ୟ ହୋଇଛି । ମୃତଦେହ ନିକଟରୁ ମିଳିଥିବା ବେଲ୍ଟ, ଘଣ୍ଟା, ରୁମାଲର ଫଟୋ ସାର୍ବଜନୀନ ହୋଇଛି । ହତ୍ୟା ମାମଲା ରୁଜୁ ହେବାର ୪ ଦିନ ବା ୯୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହର କେହି ଦାବିଦାର ନମିବାରୁ ଶେଷରେ ପୋଲିସ ସତ୍କାର କରିବ । ଅନ୍ୟପଟେ କେହି ଅନ୍ୟ ସ୍ଥାନରେ ହତ୍ୟା କରି ସେହି ସ୍ଥାନରେ ଆଣି ମୃତଦେହ ପକାଇଥିବା ସନ୍ଦେହ କରାଯାଉଛି ।

କନଷ୍ଟେବଳ ନିଖୋଜ ମାମଲା ହେଉ ବା ମଞ୍ଚେଶ୍ୱର ମର୍ଡର କେସ । ଦୁଇଟି ଘଟଣା ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ସେପଟେ ଘଟଣାରୁ ପର୍ଦ୍ଦା ହଟାଇବା ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ ।

ପୁରୀରେ ଆରମ୍ଭ ହେଲା ଶାରଦୀୟ ପୂଜା ପ୍ରସ୍ତୁତି: ଶ୍ରୀନଅରରେ ଗୁଆ, ନଡ଼ିଆ ଓ ବସ୍ତ୍ରଦାନ କରି ବ୍ରାହ୍ମଣ ବରଣ କଲେ ଗଜପତି ମହାରାଜା

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି ।  ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରିଥିଲେ । ସେପଟେ ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଶହସ୍ର କୁମ୍ଭାଭିଷେକ ନୀତି ସହ ଆରମ୍ଭ ହୋଇଛି ଦୁର୍ଗାମାଧବ ଉପାସନା ।

ମୁଳାଷ୍ଟମୀ ଅବସରରେ ପୁରୀରେ ଆରମ୍ଭ ହୋଇଛି ଷୋଳପୂଜା ବିଧି । ଗଜପତିଙ୍କ ଶ୍ରୀନଅରରେ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ସ୍ତ୍ରୋତ୍ରୀୟ ବ୍ରହ୍ମଣ, ମୁକ୍ତିମଣ୍ଡପ ବ୍ରହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିଛନ୍ତି । ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା କରିବେ । ଆଶ୍ବିନ ମାସ କୃଷ୍ଣପକ୍ଷଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଚାଲିବ ପୂଜାର୍ଚ୍ଚନା ।

ଶ୍ରୀକ୍ଷେତ୍ରର ଅଧିଶ୍ବରୀ ମାଆ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୂବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ବିଧି ବିଧାନରେ ଆରମ୍ଭ ହୋଇଛି ଷୋଳପୂଜା । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମାଆ ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିଛନ୍ତି । ମାଆ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ଶହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି ।

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।

ଶକ୍ତି ପୀଠରେ ଆରମ୍ଭ ହେଲା ଶକ୍ତି ଆରାଧନା

ନନ୍ଦଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଷ ଦିନାତ୍ମକ ପୂଜା । ମୂଳାଷ୍ଟମୀରେ ମହାନଦୀରୁ ପବିତ୍ର ଜଳ ଅଣାଯାଇ କଟକଚଣ୍ଡୀ ଓ ଗଡଚଣ୍ଡୀଙ୍କଠାରେ ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି । ଆଜି କଟକଚଣ୍ଡୀଙ୍କ ସୁନା ବେଶ ଓ ଗଡଚଣ୍ଡୀଙ୍କୁ ଚାନ୍ଦୀ ବେଶ ଅନୁଷ୍ଠିତ ହେବ । ସେପଟେ କୋଣାର୍କ, ବାଙ୍କୀ, ଜଗତସିଂହପୁର, ଯାଜପୁର, ଘଟଗାଁରେ ମଧ୍ୟ ମାଆଙ୍କ ନିକଟରେ ଆରମ୍ଭ ହୋଛି ଷୋଳପୂଜା ।

ଆରମ୍ଭ ହେଲା ଶକ୍ତି ଆରାଧନା । ମୂଳାଷ୍ଟମୀ ଅବସରରେ କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । କଳସ ଶୋଭାଯାତ୍ରାରେ ମହାନଦୀରୁ ପବିତ୍ର ଜଳ ଆଣି ସହସ୍ର କୁମ୍ଭାଭିଷେକ ଓ ଘଟସ୍ଥାପନ କରାଯାଇଛି । ସୋମବାର କଟକଚଣ୍ଡୀ ଓ ଗଡଚଣ୍ଡୀ ଉଭୟ ସୁନା ବେଶରେ ଭୂଷିତ ହେବେ । ମଙ୍ଗଳବାର ଭୁବନେଶ୍ବରୀ ଓ ସରସ୍ବତୀ ବେଶରେ ଦର୍ଶନ ଦେବେ । ୨୨ ତାରିଖରୁ ନବରାତ୍ର ପୂଜା ସହ ଅକ୍ଟୋବର ୨ରେ ବିଜୟା ଦଶମୀ ।

ସେପଟେ କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସହସ୍ର କୁମ୍ଭାଭିଷେକ ସହ ଆରମ୍ଭ ହୋଇଛି ପୂଜାବିଧି । ୨୨ରୁ ଆରମ୍ଭ ହେବ ନବଦିନାତ୍ମକ ପୂଜାନୀତି । ୨୬ ତାରିଖ ପଞ୍ଚମୀ ଦିନ ତୀରକମାଣ ବେଶ, ଷଷ୍ଠୀ ଦିନ କାର୍ତ୍ତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଓ ଦଶମୀ ଦିନ ହରଦୁର୍ଗା ଭେଟ ସହ ସରିବ ଶାରଦୀୟ ପାର୍ବଣ । ଶକ୍ତି ପୀଠ ବାଙ୍କୀ ସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା । ମହାନଦୀର ପବିତ୍ର ଜଳରେ କୁମ୍ଭାଭିଶେକ ସହ ମାଆ ବିଭିନ୍ନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଜଗତସିଂହପୁର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଏହି ଅବସରରେ ପ୍ରତ୍ୟେକ ଦିନ ମାଆଙ୍କ ମଣ୍ଡା ପିଠା ଲାଗି କରାଯିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ସୁନା ଅଳଙ୍କାରରେ ସୁସଜିତ ହେବେ। ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀରେ ମହିଷାମର୍ଦ୍ଦିନ ବେଶରେ ଦର୍ଶନ ଦେବେ ମାଆ । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଳପୂଜା । ପ୍ରତିପଦାଠାରୁ ପ୍ରତିଦିନ ମାଆଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହୋଇ ବେଢ଼ା ପରିକ୍ରମା କରିବେ । ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ସାରା ଦେଶରୁ ଲୋକଙ୍କ ସୁଅ ଛୁଟିଛି ।

ଷୋଳପୂଜା ପାଇଁ ଚଳଚଞ୍ଚଳ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ପୀଠ । ମାଆଙ୍କ ପୂଜାବିଧି ଆରମ୍ଭ ହୋଇଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିଛି ।

ITR ଭରିବାର ଶେଷ ସୁଯୋଗ, ନହେଲେ ଦେବାକୁ ପଡ଼ିବ ଏତେ ଟଙ୍କା ଫାଇନ୍

ନନ୍ଦିଘୋଷ ବ୍ୟୁରୋ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ଅର୍ଥାତ ଆସନ୍ତାକାଲି । ଯଦି ଆପଣ ଏପର୍ଯ୍ୟନ୍ତ ITR ଫାଇଲ କରିନାହାନ୍ତି ତେବେ ଶୀଘ୍ର କରି ଦିଅନ୍ତୁ । କାରଣ ଶେଷ ତାରିଖ ପରେ ରିଟର୍ଣ୍ଣ ଫାଇଲ କରିବାରେ ଲାଗି ପାରେ ଜରିମାନା । ସରକାର ସମସ୍ତ ଟ୍ୟାକ୍ସ ପ୍ଲେୟରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ସମୟ ପୂର୍ବରୁ ନିଜ ITR ଭରି ଦେବାକୁ । ନହେଲେ ସମସ୍ୟାରେ ପଡ଼ିପାରନ୍ତି । ତେବେ ITR ବିଳମ୍ବରେ ଭରିଲେ କେତେ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ଜାଣିଛନ୍ତି କି ? ଆସନ୍ତୁ, ଜାଣିବା ITR ସମୟରେ ନଭରିଲେ କେତେ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

ଆୟକର ବିଭାଗ ସ୍ପଷ୍ଟ କରିଛି ITR ନଭରିବା କିମ୍ବା ସମୟରେ ନଭରିବା ଦ୍ବାରା ଫାଇନ୍ ଦେବାକୁ ପଡ଼ିବ । ଆୟକର ଆଇନ ଧାରା 234F ଅନୁସାରେ ଯେଉଁମାନେ ନିର୍ଦ୍ଧାରିତ ସମୟ ପରେ ରିଟର୍ଣ୍ଣ ଫାଇଲ କରିବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ।

ଯଦି ଆପଣଙ୍କ ବାର୍ଷିକ ରୋଜଗାର ୫ ଲକ୍ଷରୁ କମ ହୋଇଥିବ ଓ ଆପଣ ITR ଭରି ନଥିବେ ତେବେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

ସେହିପରି ଯଦି ଆପଣଙ୍କ ବାର୍ଷିକ ରୋଜଗାର ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ ତେବେ ଆପଣଙ୍କୁ ୫୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ପୂର୍ବରୁ ଏହି ଫାଇନ୍ ୧୦,୦୦୦ ଟଙ୍କା ଥିଲା । ଯାହାକୁ କମାଇ ୫୦୦୦ ଟଙ୍କା କରିଦିଆଯାଇଛି ।

ସେପ୍ଟେମ୍ବର ୧୫ ପରେ ବି ଭରି ପାରିବେ ITR

ଯଦି ଆପଣ ୧୫ ସେପ୍ଟେମ୍ବର ସୁଦ୍ଧା ITR ଫାଇନ କରିପାରିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆସେସମେଣ୍ଟ ବର୍ଷ ଶେଷର ତିନି ମାସ ପୂର୍ବରୁ କିମ୍ବା ବର୍ଷ ଶେଷ ପୂର୍ବରୁ ଭରି ଦିଅନ୍ତୁ । ହେଲେ, ଏଥିରେ ଆପଣ ଫାଇନ୍ ଦେବାକୁ ବାଧ୍ୟ ।

ITR ଭରିବା ଦ୍ବାରା ଆପଣଙ୍କ ଟ୍ୟାକ୍ସ ପ୍ଲାନିଂ ଭଲ ହୋଇପାରିବ । ସମୟରେ ITR ଫାଇଲ ଦ୍ବାରା ଆପଣ ବିଭିନ୍ନ ସରକାରୀ ଲାଭ ସହ ରିଫଣ୍ଡର ବି ଫାଇଦା ପାଇପାରିବେ । ଏଥିପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ITR ଫାଇଲ କରିନାହାନ୍ତି ତେବେ ଏହି କାମକୁ ପ୍ରାଥମିକତାର ସହ ଶେଷ କରନ୍ତୁ । ସମୟ ପୂର୍ବରୁ କାମ କରିବା ଦ୍ବାରା ଆପଣ ଫାଇନରୁ ବି ବର୍ତ୍ତି ଯିବେ ।

ଆସାମରେ ଭୂକମ୍ପ ଝଟକା: ଦୋହଲି ଗଲା ଏକାଧିକ ଉତ୍ତର-ପୂର୍ବ ରାଜ୍ୟ

ନନ୍ଦିଘୋଷ ବ୍ୟୁରୋ: ଆସାମର ଉଦଲଗୁଡି ସମେତ ଉତ୍ତ-ପୂର୍ବ ଭାରତର ଏକାଧିକ ସ୍ଥାନରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ରିକ୍ଟଲ ସ୍କେଲରେ ଏହାର ତିବ୍ରତା ୫.୮ ମପାଯାଇଛି । ଆସାମର ଉଦଲଗୁଡିରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା । ଅପରାହ୍ନ ୫ଟା ୨୦ ମିନିଟରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା । ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଧନଜୀବନ କ୍ଷତିର କୌଣସି ସୂଚନା ମିଳିନାହିଁ । ଉଦ୍ଧାରକାରୀ ଦଳ ସତର୍କ ରହିଥିବା ବେଳେ ସ୍ଥିତି ଉପରେ ନଜର ରଖାଯାଇଛି ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁସାରେ ଭୂକମ୍ପର କେନ୍ଦ୍ର ଆସାମର ଉଦଲଗୁଡି ଜିଲ୍ଲାରେ ଥିଲା ଓ ଏହାର ଗଭୀରତା ୫ କିମି ଥିଲା । ଭୁକମ୍ପର ଝଟକା ଆସାମ ସମେତ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର ଓ ଉତ୍ତର ପଶ୍ଚିମବଙ୍ଗରେ ମଧ୍ୟ ଅନୁଭୂତ ହୋଇଛି ।

ଦିବ୍ୟାଙ୍ଗ ପିଲାକୁ ଧରି ୧୩ ମହଲାରୁ ଡେଇଁ ପଡ଼ିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ହୃଦୟ ବିଦାରକ ଘଟଣା । ନିଜର ୧୩ ବର୍ଷର ଦିବ୍ୟାଙ୍ଗ ସନ୍ତାନ ସହ ୧୩ ମହଲାରୁ ଡେଇଁ ପଡିଲେ ମହିଳା । ଗ୍ରେଟର ନୋଏଡାର ଏସ୍ ସିଟି ସୋସାଇଟିରେ ଘଟିଛି ଘଟଣା । ବହୁତଳ ପ୍ରାସାଦରୁ ଡେଇଁ ପଡିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି ।

ଖବର ପାଇ ବିସରାଖ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ମହିଳାଙ୍କ ନାଁ ସାକ୍ଷୀ ଚାୱଲା ବୋଲି ଜଣାପଡିଛି । ପୋଲିସ ସାକ୍ଷୀଙ୍କ ଏକ ଚିଠି ଜବତ କରିଛି । ସ୍ବାମୀ ଦର୍ପଣ ଚାୱଲାଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ ସେ ଲେଖିଛନ୍ତି- ଆମେ ଏହି ଧରାରୁ ବିଦାୟ ନେଉଥିବାରୁ ଦୁଃଖିତ । ଆମେ ଆପଣଙ୍କୁ କଷ୍ଟ ଦେବାକୁ ଚାହୁଁନାହୁଁ । ଆପଣଙ୍କ ଜୀବନ ନଷ୍ଟ ଲାଗି ଆମେ ଚାହୁଁନାହୁଁ । ଆମର ମୃତ୍ୟୁ ଲାଗି କେହି ଦାୟୀ ନୁହନ୍ତି ।

ସାକ୍ଷୀଙ୍କ ସନ୍ତାନ ଦୀର୍ଘ ଦିନ ଧରି ମାନସିକ ଅକ୍ଷମ ଥିଲେ । ଦୀର୍ଘ ଚେଷ୍ଟା କରିଥିଲେ ବି ତାଙ୍କ ଅବସ୍ଥା ସୁଧୁରି ନଥିଲା । ଏହାକୁ ନେଇ ସେ ଗଭୀର ମାନସିକ ଦୁଃଶ୍ଚିନ୍ତାରେ ଗତି କରୁଥିଲେ । ଛାତରୁ ଡେଇଁବା ପୂର୍ବରୁ ପୁଅକୁ ଔଷଧ ଦେବାକୁ ସାକ୍ଷୀ  କହିଥିଲେ। ଏହାର କିଛି ସମୟ ପରେ ସାକ୍ଷୀ ତାଙ୍କ ସନ୍ତାନକୁ ନେଇ ବାଲକୋନିକୁ ଯାଇ ଡେଇଁ ପଡିଥିଲେ।

ସମ୍ବିଧାନ ଲୋକଙ୍କୁ ନ୍ୟାୟ ଦେଇ ପାରିଲାନି, ନେପାଳରେ ରାଜତନ୍ତ୍ରକୁ ସ୍ଥାନ ମିଳିବା ଦରକାର: ମନୀଷା କୋଇରାଲା

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଦେଖା ଦେଇଥିବା ରାଜନୈତିକ ସଙ୍କଟକୁ ନେଇ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ପ୍ରତିକ୍ରିୟା ଆସିଛି । ଏକ ପୋଡକାଷ୍ଟରେ ନେପାଳରେ ରାଜତନ୍ତ୍ରକୁ ବି ଜାଗା ମିଳିବା ଦରକାର ବୋଲି କହିଛନ୍ତି ମନୀଷା । ନେପାଳ ସମ୍ବିଧାନ ଲୋକଙ୍କୁ ନ୍ୟା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି । ମନୀଷା କୋଇରାଲା ନେପାଳର ଏକ ଦିଗଜ୍ଜ ରାଜନୈତିକ ପରିବାରରୁ ଆଓନ୍ତି । ତାଙ୍କ ଜେଜେ ବିପି କୋଇରାଲା ନେପାଳର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବାପା ପ୍ରକାଶ କୋଇରାଲା ଜଣେ ମନ୍ତ୍ରୀ ଥିଲେ ।

ପୋଡକାଷ୍ଟରେ ନେପାଳରେ ବାରମ୍ବାର ସରକାର ଭାଙ୍ଗିବାର କାରଣ ସମ୍ପର୍କରେ ପଚରା ଯାଉଥିଲା । ଏଥିରେ ସେ କହିଥିଲେ, ନେପାଳର ବର୍ତ୍ତମାନ ରାଜନୈତିକ ସ୍ଥିତିକୁ ମୁଁ ଗୁରୁତ୍ବର ସହ ଦେଖୁଛି । ହେଲା ଏହା କିଛି ନୂଆ କଥା ନୁହେଁ । ମୁଁ ପିଲାଟି ଦିନରୁ ରାଜନୀତିକୁ ବୁଝି ଆସୁଛି । ହୁଏତ ମା’ଙ୍କ ଗର୍ଭରେ ମୁଁ ଶୁଣିବା ଆରମ୍ଭ କରି ଦେଇଥିଲି । ସେ ସମୟରେ ମୋ ବାପା କହୁଥିଲେ, ରାଜନୀତି ଏକ ସେବା । ଆଉ ଜନତାଙ୍କ ପାଇଁ ଏହି ସେବା କରାଯାଇଥାଏ । ଏହା ଏକ ସ୍ବପ୍ନ, ଯାହା ଆପଣ ଜନତାଙ୍କ ପାଇଁ ଦେଖିଥାନ୍ତି । ହେଲେ ଯେତେବେଳେ ଏହି ସ୍ବପ୍ନ, ବାସ୍ତବତାଠାରୁ ଦୂରେଇ ଯାଏ ସେତେବେଳେ ସମସ୍ୟା ସୃଷ୍ଟି ହୁଏ ।

ମନୀଷା କହିଛନ୍ତି, ମୋତେ ଲାଗୁ ନାହିଁ ଆଜିର ନେତା ରାଜନୀତିର ଅର୍ଥ ଠିକରେ ବୁଝି ନାହାନ୍ତି । ଯୁବାବସ୍ଥାରେ ସେମାନେ ହୁଏତ ଭଲ ଭାବନା ନେଇ ରାଜନୀତିକୁ ଆସିଥିଲେ । ହେଲେ, ଯେମିତି ଯେମିତି ସେମାନଙ୍କୁ ସାଲିସ କରିବାକୁ ପଡେ, ପାଦେ ପାଦେ ସେମାନେ ସେମାନଙ୍କ ସିର୍ଦ୍ଧାନ୍ତ ହରାଇ ବସିଲେ । ଆଉ ରାଜନୀତିକୁ ଆସିବାର ସ୍ବପ୍ନ ଧୂଆଁ ହୋଇଗଲା । ନେପାଳ ଚାରିପଡୁ ଘେରିକି ରହିଛି (ଲ୍ୟାଣ୍ଡ ଲକ୍) । ନେପାଳର ଗୋଟିଏ ଅଂଶ ଆଧୁନିକ ହୋଇଥିବା ବେଳେ ଅନ୍ୟ ଅଂଶ ପରମ୍ପରା ସହ ଆଜି ବି ଜୋଡି ହୋଇ ରହିଛି । ନେପାଳୀ ପରିବାର ଯୁଆଡ଼େ ବି ଯାଆନ୍ତୁ, ସେମାନେ ଲାଲ ଟୀକା ନିଶ୍ଚିତ ଲଗାଇଥାନ୍ତି । ଯଦି ବିବାହିତ ହୋଇଥିବେ ତେବେ ମଙ୍ଗଳସୂତ୍ର ନିଶ୍ଚିତ ପିନ୍ଧି ଥିବେ । ଆମ ପାଖରେ ଏକ ସୁନ୍ଦର ସମାଜ ରହିଛି । ଯେଉଁଥିରେ ଆଧୁନିକତା ସହ ପରମ୍ପରା ବି ରହିଛି । ଯଦି ଆମେ ଏହି ପରମ୍ପରା ଓ ଆଧୁନିକତା ମଧ୍ୟରେ ତାଳମେଳ କରିଥାନ୍ତେ ତେବେ ସ୍ଥିତି ଅଲଗା ହୋଇଥାନ୍ତି ।

ଆଗକୁ ସେ କହିଛନ୍ତି, ମୁଁ ମାନୁଛି ଲୋକତନ୍ତ୍ର ଏକମାତ୍ର ରାସ୍ତା । ହେଲେ ଏହା ସଠିକ ଲୋକତନ୍ତ୍ର ହେବା ଆବଶ୍ୟକ । କେବଳ ଦେଖାଇବା ଭଳି ଲୋକତନ୍ତ୍ର ଦରକାର ନାହିଁ । ଏମିତି ଲୋକତନ୍ତ୍ର, ଯେଉଁଥିରେ ସଂସ୍ଥାମାନେ ରାଜନୈତିକ ଦଖଲରୁ ମୁକ୍ତ ଥିବେ । ରାଜନୈତିକ ନିଯୁକ୍ତି ନୁହେଁ, ଯୋଗ୍ୟତା ଆଧାରରେ କାମ ମିଳୁଥିବ ।

ଗାୟିକା ହେବାର ସ୍ୱପ୍ନ ଦେଖାଇ ଡାକିଲେ : ମୃଦ୍ୟୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କଲେ

ନନ୍ଦିଘୋଷ ବ୍ୟୁରୋ :। ରାଜଧାନୀର ଛାତି ଉପରେ ଘଟିଥିବା ଦୁଷ୍କର୍ମ ଘଟଣାରେ ମହିଳା ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ରାଜେଶ ଦାସ । BNSS 183 ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ଗୀତିକାର ହେବାର ପ୍ରଲୋଭନ ଦେଖାଇ, ପାନୀୟରେ ନିଶା ଦେଇ ଅଭଯୁକ୍ତମାନେ ଏଭଳି ଘଟାଇଥିବା ପୋଲିସ କହିଛି । ଅଭିଯୁକ୍ତଙ୍କ ଏଭଳି ଘଟଣାରେ ନିଜେ ଲଜ କେୟାର ଟେକର ସାମିଲ ଥିବା ଜାଣିବାକୁ ମିଳିଛି ।

 

ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା : ବ୍ରିଜରୁ ତଳକୁ ଖସି ପଡ଼ିଲା କାର୍

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା । ମୁକାର୍ବା ଅଞ୍ଚଳର ରେଳ ୱେ ବ୍ରିଜରୁ ଖସି ପଡ଼ିଛି ଏକ କାର୍। କାର୍ ଟି ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଡ୍ରାଇଭର ଜଣକ ନିୟନ୍ତ୍ରଣ କରିନପାରିଥିଲେ। କାର୍ ଟି ତଳେ ରେଳ ଧାରଣା ଉପରେ ପଡ଼ି ଯାଇଥିଲା। ପରେ କାରକୁ ଧାରଣାରୁ ହଟାଇ ଦିଆଯାଇଛି। ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ଜଣେ ବାଇକ ଆରୋହୀ ମଧ୍ୟ ବ୍ରିଜରୁ ତଳେ ପଡ଼ି ଯାଇଥିଲେ। ଆଶଙ୍କା କରାଯାଉଛି, ଉଭୟଙ୍କ ମଧ୍ୟରେ ଧକ୍କା ପରେ ସେମାନେ ତଳକୁ ଖସି ପଡ଼ିଛନ୍ତି। ବାଇକ୍ ଆରୋହୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।  … ତେବେ ସୌଭାଗ୍ୟବଶତଃ ଉଭୟ କାର୍ ଡ୍ରାଇଭର ଓ ବାଇକ୍ ଆରୋହୀ ବର୍ତ୍ତି ଯାଇଛନ୍ତି, କାରଣ ସେ ସମୟରେ କୌଣସି ଟ୍ରେନ୍ ଟ୍ରାକରେ ଆସୁନଥିଲା। ଯଦି ଟ୍ରେନ ଆସୁଥାନ୍ତା, ତେବେ ନିଶ୍ଚିତ ଭାବେ ଆହୁରି ବଡ଼ ଅଘଟଣ ହେବାର ଆଶଙ୍କା ଥିଲା।

ଲକ୍ଷ୍ମୌ ବିମାନ ବନ୍ଦରରେ ଅଘଟଣ : ସଠିକ୍ ଉଡାଣ ଭରି ପାରିଲା ନାହିଁ ଇଣ୍ଡିଗୋ ବିମାନ

ନନ୍ଦିଘୋଷ ବ୍ୟୁରୋ : ଲକ୍ଷ୍ମୌ ବିମାନ ବନ୍ଦରରେ ଅଘଟଣ। ସଠିକ୍ ଉଡାଣ ଭରି ପାରିଲା ନାହିଁ ଇଣ୍ଡିଗୋ ବିମାନ। ଫଳରେ ସେହି ବିମାନ ବଦଳରେ ଅନ୍ୟ ବିମାନରେ ଯାଇଛନ୍ତି ଯାତ୍ରୀ। ବିମାନରେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବଙ୍କ ସମେତ ୧୫୧ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତକାଲି ଦିନ ୧୧ଟାରେ ଲକ୍ଷ୍ମୌ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ। ତେବେ ରନୱେରେ ବିମାନ ଗଡ଼ିବା ମାତ୍ରେ ବିମାନରେ ସମସ୍ୟା ଦେଖାଦେଇଥିଲା। ସମ୍ଭାବ୍ୟ ବିପଦ ଆଶଙ୍କା କରି ପାଇଲଟ ବିମାନର ଏମର୍ଜେନ୍ସି ବ୍ରେକ ଲଗାଇଥିଲେ। କିଛି ଦୂର ଯିବା ପରେ ବିମାନ ସ୍ଥିର ରହିଥିଲା। ପରେ ସମସ୍ତ ୧୫୧ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଅନ୍ୟ ବିମାନରେ ପଠାଯିବା ବ୍ୟବସ୍ଥା କରିଥିଲା। କିଛି ଦିନ ତଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଆବୁଧାବି ଅଭିମୁଖୀ ବିମାନ କୋଚି ବିମାନ ବନ୍ଦରକୁ ଫେରିଥିଲା।