spot_img
Home Blog Page 2173

ଆତ୍ମବିଶ୍ବାସ ରଖ, ପୁଣିଥରେ ଫେରିବ..ଇଶାନ ଶ୍ରେୟାସଙ୍କୁ ସମର୍ଥନ ଦେଲେ ପୂର୍ବତନ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଇଶାନ କିଶାନ ଓ ଶ୍ରେୟାସ ଆୟାରଙ୍କ ଖରାପ ସମୟରେ ତାଙ୍କୁ ସମର୍ଥନ ଦେଇଛନ୍ତି ପୂର୍ବତନ କୋଚ  । ବିସିସିଆଇର ନିର୍ଦ୍ଦେଶ ନ ପାଲିବା କାରଣରୁ କଣ୍ଟ୍ରାକ୍ଟରୁ ବାଦ୍ ପଡିଛନ୍ତି ଦୁଇ ଖେଳାଲୀ  । ବିସିସିଆଇ ଯେଉଁ ୩୦ ଅନୁବନ୍ଧିତ ଖେଳାଳୀଙ୍କ ତାଲିକା ଜାରି କରିଛି ସେଥିରେ ଦୁଇ ଖେଳାଳୀଙ୍କ ନାଁ ସାମିଲ ନାହିଁ  । ଶ୍ରେୟସ ଗ୍ରେଡ ବିରେ ସାମିଲ ଥିବାବେଳେ ଇଶାନଙ୍କ ପାକରେ ଗ୍ରେଡ ସିର କଣ୍ଟ୍ରାକ୍ଟ ଥିଲା  ।

ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ୍‌ ପଡିବା ପରେ ଦୁଇ ଖେଳାଳୀଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ  । ସେ ଟ୍ବିଟ କରିଛନ୍ତି ଯେ, ‘‘ଆତ୍ମବିଶ୍ବାସ ରଖ ଶ୍ରେୟାସ ଆୟାର ଓଇଶାନ କିଶାନ  । ଚ୍ୟାଲେଞ୍ଜକୁ ସାମନା କର ଏବଂ ଦୃଢ ହୋଇ ଟିମ୍‌କୁ ଫେର  । ତୁମ ଉପଲବ୍ଧି ବହୁତ କିଛି କହୁଛି  । ତମେ ପୁଣିଥରେ ଶୀର୍ଷରେ ପହଞ୍ଚିବ ଏଥିରେ ସନ୍ଦେହ ନାହିଁ’’  ।

୨୫ ବର୍ଷୀୟ ଇଶାନ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଆସିଥିଲେ  । କିନ୍ତୁ ରଣଜୀ ଟ୍ରଫିରେ ଝାଡଖଣ୍ଡ ପାଇଁ ଖେଳିବାକୁ ମନା କରିଥିଲେ  । ଏହା ପରିବର୍ତ୍ତେ ସେ ଆଗାମୀ ମାସରେ ହେବାକୁ ଥିବା ଆଇପିଏଲ ମ୍ୟାଚରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନେଇଥିଲେ  ।

ଶ୍ରେୟାସ ଓ ଇଶାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଥମ ଶ୍ରେଣୀ କ୍ରିକେଟ ପରିବର୍ତ୍ତେ ଆଇପିଏଲକୁ ଅଧିକ ଗୁରୁତ୍ବ ଦେଉଥିବା ଯୁବ ଖେଳାଳୀଙ୍କୁ କଡା ଚେତାବନୀ ଦେଇଛି ବିସିସିଆଇ  ।

ମାସ୍କ ଓ ଟୋପି ପିନ୍ଧି ରାମେଶ୍ବରମ କାଫେରେ ବିସ୍ଫୋରଣ କରିଥିଲା ସନ୍ଦିଗ୍ଧ, ସିସିଟିଭିରେ କଏଦ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେରେ ହୋଇଥିବା ବିସ୍ଫୋରଣ ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ବିସ୍ଫୋରଣରେ ୧୯୦ ଜଣ ଆହତ ହୋଇଛନ୍ତି। ବୋମା ସ୍କ୍ବାଡ, ଫରେନସିକ୍ ଏବଂ ଏନଆଇଏ ଟିମ୍ ଏହି ବିସ୍ଫୋରଣର ତଦନ୍ତ କରୁଛନ୍ତି।  ଏହି ବିସ୍ଫୋରଣରେ ଆତଙ୍କବାଦୀଙ୍କ ସମ୍ପୃକ୍ତି କଥା ବି ସାମନାକୁ ଆସୁଛି।  ବିସ୍ଫୋରଣ ସହ ଜଡିତ ଦୁଇଟି ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

 

ବିସ୍ଫୋରଣ ବେଳେ ରମେଶ୍ୱରମ୍ କାଫେରେ ବହୁ ସଂଖ୍ୟାରେ ଭିଡ ଥିଲା। ବିସ୍ଫୋରଣ ଘଟିବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡିବାକୁ ଲାଗିଥିଲେ। ପ୍ରମାଣ ମିଳିବା ପାଇଁ ସିସିଟିଭି ଯାଞ୍ଚ କରାଯାଉଛି।

 

କାଫେ ବିସ୍ଫୋରଣ ପରେ କର୍ଣ୍ଣାଟକରେ ରାଜନୀତି ଗରମ ରହିଛି।  ବେଙ୍ଗାଲୁରୁ ବିସ୍ଫୋରଣର ତଦନ୍ତ ଜାରି ରହିଛି। ବେଙ୍ଗାଲୁରୁ ବିସ୍ଫୋରଣରେ ତଦନ୍ତକାରୀ ସଂସ୍ଥା ତିନୋଟି ଆତଙ୍କବାଦୀ ମଡ୍ୟୁଲକୁ ସନ୍ଦେହ କରୁଛନ୍ତି । ଆଇଏସ୍, ପିଏଫ୍ଆଇ ମଡ୍ୟୁଲ୍ ଏବଂ ଲଶ୍କର-ଇ-ତୋଇବାର ବଲାରୀ ମଡ୍ୟୁଲର  ନମୁନା ବିସ୍ଫୋରଣ ମଡ୍ୟୁଲ ସହିତ ମେଳ ଖାଉଛି । ଏହି ତିନୋଟି ମଡ୍ୟୁଲ୍ ଦୀର୍ଘ ସମୟ ଧରି ବେଙ୍ଗାଲୁରୁକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା।

 

ମାଙ୍ଗାଲୋର କୁକର ବିସ୍ଫୋରଣକୁ ପୋଲିସ ସମୀକ୍ଷା କରିଛି

ରାମେଶ୍ୱରମ୍ କାଫେରେ ହୋଇଥିବା ବିସ୍ଫୋରଣ ରାଜ୍ୟରେ ହୋଇଥିବା ପୂର୍ବ ବିସ୍ଫୋରଣ ଭଳି ମନେହୁଏ। ପୋଲିସ ଏହାର ତଦନ୍ତ କରୁଛି। ମାଙ୍ଗାଲୋର କୁକର ବିସ୍ଫୋରଣର ମଧ୍ୟ ସମୀକ୍ଷା କରାଯାଇଛି। ରମେଶ୍ୱରମ୍ କାଫେ ଏବଂ ମାଙ୍ଗାଲୋର କୁକର ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ସମାନ ପରି ଦେଖାଯାଉଛି | ବିସ୍ଫୋରଣ ପାଇଁ ବ୍ୟାଟେରୀ, ଡିଟୋନେଟର, ବାଦାମ ଏବଂ ବୋଲ୍ଟ ବ୍ୟବହାର କରାଯାଇଛି | ମାଙ୍ଗାଲୋର ବିସ୍ଫୋରଣ ଅଭିଯୁକ୍ତ ରୁୱାରୀ ଶାରିକ୍ ଏବଂ ତାଙ୍କର ଅନ୍ୟ ସହଯୋଗୀଙ୍କୁ ପୋଲିସ ପଚରାଉଚରା କରିବ। ଏଥି ସହିତ, ବିଳମ୍ବିତ ରାତିରେ ସେଣ୍ଟ୍ରାଲ୍ ଆଇବି ବିସ୍ଫୋରଣ ସ୍ଥାନରୁ ନମୁନା ସଂଗ୍ରହ କରିଛି  ।

 

ସିନ୍ଧିଆ ଗଡରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ଭୋପାଳ: ଆଜି ମଧ୍ଯପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡ ନ୍ୟାୟ ଯାତ୍ରା। ରାଜସ୍ଥାନର ଧୋଲପୁରରୁ ମଧ୍ଯପ୍ରଦେଶରେ ପ୍ରବେଶ କରିବ ଯାତ୍ରା। ମଧ୍ଯପ୍ରଦେଶର ବିଭିନ୍ନ ସ୍ଥାନରେ ହେବ ସାଧାରଣ ସଭା ଓ ରୋଡ ଶୋ। ଆସନ୍ତା ମାର୍ଚ୍ଚ ୬ ଯାଏ ରାଜ୍ଯରେ ଚାଲିବ ଅଭିଯାନ। ଲୋକସଭା ନିର୍ବାଚନ ପୂର୍ବରୁ ଏହି ଯାତ୍ରା ରାଜନୈତିକ ଭାବେ ଗୁରୁତ୍ବ ବହନ କରିଛି।

ପ୍ରଥମ ଦିନରେ ମୋରେନା ଜିଲ୍ଲାର ପିପ୍ରାଇରେ ଏହି ଯାତ୍ରା ପହଞ୍ଚିବ। ଅଭିଯାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମିଲ ରହିବେ। ରାହୁଲ ଗାନ୍ଧୀଙ୍କ କେତେକ କାର୍ଯ୍ୟକ୍ରମ ଥିବାରୁ ଗତ ଫେବୃଆରୀ ୨୬ରୁ ମାର୍ଚ୍ଚ ୧ ଯାଏ ଏହି ଅଭିଯାନ ସ୍ଥଗିତ ରହିଥିଲା। ମଧ୍ଯପ୍ରଦେଶର ମୋରେନା, ଗ୍ବାଲିୟର, ଗୁନା, ମଣ୍ଡସର, ଶିବପୁରୀ, ରାଜଗଡ଼, ଇନ୍ଦୋର, ଶାଜାପୁର, ଉଜ୍ଜୟିନୀ, ଧର ଓ ରତଲାମ ଜିଲ୍ଲା ଦେଇ ଏହି ଯାତ୍ରା ଗତି କରିବ।

ମାର୍ଚ୍ଚ ୭ରେ ଏହି ରାଲି ରାଜସ୍ଥାନର ବାନସ୍ବାରାରେ ପ୍ରବେଶ କରି ଗୁଜରାଟ ଅଭିମୁଖେ ଯିବ। ଗୁଜରାଟର ଦାହୋଦ, ପଞ୍ଚମହଲ, ଛୋଟା ଉଦୟପୁର, ନର୍ମଦା, ଭାରୁଚ, ସୁରଟ ଓ ତାପି ଜିଲ୍ଲାରେ ଅଭିଯାନ ଚାଲିବ। ମଣିପୁରରୁ ମୁମ୍ବାଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ସମେତ ୧୫ ରାଜ୍ଯ ଦେଇ ଚାଲିଛି ଭାରତ ଯୋଡ ନ୍ୟାୟ ଯାତ୍ରା।

ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ ବିଜାପୁରରେ ମାଓ ହିଂସା। ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କଲେ ମାଓବାଦୀ। ବାହାଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ମାଓବାଦୀ।

ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ବିଜାପୁର ଜିଲ୍ଲା ତୟନାର୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ଏବର୍ଷ ଆରମ୍ଭରୁ ଅସମ୍ଭାଳ ହେବ ତାତି, ଓଡ଼ିଶାରେ ଅଧିକ ଦିନ ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ । ଆରମ୍ଭରୁ ଅସମ୍ଭାଳ ହେବ ତାତି । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା । ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ସ୍ବାଭାବିକ ଦିନ ଠାରୁ ଅଧିକ ଦିନ ହିଟ୍ଓ୍ବେଭ୍ ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି । ସିଜିନାଲ ଫୋରକାଷ୍ଟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜାରି ହୋଇଥିବା ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପାଇଁ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ।

ମେ ମାସ ପର୍ଯ୍ୟନ୍ତ ଏଲନିନୋ ସକ୍ରିୟ ରହୁଥିବାରୁ ଗ୍ରୀଷ୍ମ ପ୍ରବାହ ପ୍ରଭାବ ଅଧିକ ରହିବ । ଏଥିପାଇଁ ଦେଶର ଅଧିକାଂଶ ରାଜ୍ୟକୁ ରେଡ୍, ଅରେଞ୍ଜ ମାର୍କ ଜାରି କରାଯାଇଥିବା ବେଳେ ଯେଉଁ ରାଜ୍ୟରେ କମ୍ ତାତି ରହିବ ସେ ରାଜ୍ୟକୁ ଗ୍ରୀନ୍ ଏବଂ ବ୍ଳୁ ମାର୍କରେ ମାର୍କିଂ କରାଯାଇଛି । ତେବେ ଓଡ଼ିଶାକୁ କେବଳ ରେଡ୍ ଏବଂ ଅରେଞ୍ଜ ମାର୍କରେ ରଖାଯାଇଛି । ମାର୍ଚ୍ଚ ମାସରୁ ହିଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ । ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି । ଏପ୍ରିଲ ଏବଂ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ।

ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବି ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ତାତି । ଗ୍ରୀଷ୍ମ ଶେଷରେ କମିବ ଏଲ୍ନିନୋର ପ୍ରଭାବ । ମନସୁନ୍ ଆରମ୍ଭରୁ ନ୍ୟୁଟ୍ରାଲ କଣ୍ଡିସନ୍ ଦେଖାଦେବ ।  ତେଣୁ ଆସନ୍ତା ମନସୁନରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ଜାରି ରହିଛି ଶୁଖିଲା ପାଗ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଦୁଇଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଆଦି ଜିଲ୍ଲାରେ ତାପମାତ୍ରା କମିବ । କିନ୍ତୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଖିଲା ପାଗ ପାଇଁ ତାପମାତ୍ରା ଅଧିକ ରହିବ ।

ଆସନ୍ତାକାଲି ନିର୍ବାଚିତ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆଜି ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ

ଇସଲାମାବାଦ: ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା । ଆସନ୍ତାକାଲି(ମାର୍ଚ୍ଚ 3) ନିର୍ବାଚିତ ହେବେ ଦେଶର ପ୍ରଧାନମନ୍ତ୍ରୀ । ଆଜି ସୁଦ୍ଧା ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ ହେବା ପରେ ଆସନ୍ତାକାଲି ହେବ ଭୋଟ । ଏନେଇ ନ୍ୟାସନାଲ ଆସେମ୍ବ୍ଳି ସେକ୍ରେଟାରିଏଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରଧାନମନ୍ତ୍ରୀ ପଦ ଲାଗି ଶେହବାଜ ସରିଫଙ୍କ ନାମକୁ ଘୋଷଣା କରିସାରିଛି ପାକିସ୍ତାନ ମୁସଲିମ ଲିଗ-ଏନ । ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଛନ୍ତି ପାକିସ୍ତାନ ପିପୁଲସ ପାର୍ଟି, ମୁତାହିଦା କ୍ବାମି ମୁଭମେଣ୍ଟ-ପାକିସ୍ତାନ ଓ ଅନ୍ୟାନ୍ୟ ଦଳ । ଗତ ଗୁରୁବାର ସଂସଦ ଅଧିବେଶର ପ୍ରଥମ ଦିବସରେ ସାଂସଦମାନେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦେଶରେ ପାକିସ୍ତାନ ତେହରିକ ଇ ଇନସାଫ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ବି ସରକାର ଗଠନ କରିବାକୁ ହୋଇଛି ଅକ୍ଷମ।

ଆଗକୁ ନିର୍ବାଚନ, ଚଳିତ ସପ୍ତାହରେ ଦେଶରେ ମୁତୟନ ହେବେ ୩ ଲକ୍ଷରୁ ଉର୍ଦ୍ଧ୍ବ ଯବାନ

ନୂଆଦିଲ୍ଲୀ: ଆଗେଇଲା ଲୋକସଭା ନିର୍ବାଚନ ପ୍ରକ୍ରିୟା । ଚଳିତ ସପ୍ତାହରେ ଦେଶରେ ମୁତୟନ ହେବେ ୪୩୦ ବିଏସଏଫ କମ୍ପାନି, ୧୫୫ ସିଆଇଏସଏଫ କମ୍ପାନି ଓ ୫୦୦ସିଆରପିଏଫ କମ୍ପାନି । ମାର୍ଚ୍ଚ ୭ ମଧ୍ୟରେ ଯବାନମାନଙ୍କୁ ବିଭିନ୍ନ ରାଜ୍ୟରେ ମୁତୟନ କରାଯିବ । ଚଳିତ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ୩ ଲକ୍ଷ ୪୦ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରିବା ଲାଗି ଚାହିଁଛନ୍ତି ।

ଏହି ଯବାନମାନେ ବି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ତଥା ଅନ୍ଯାନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ମୁତୟନ ହେବେ । ଜାମ୍ମୁ ଓ କାଶ୍ମୀରରେ ବି ଏହି ନିର୍ବାଚନ କରାଯିବ । ତେବେ ଲୋକସଭା ନିର୍ବାଚନ ସହ ଜାମ୍ମୁ ଓ କାଶ୍ମୀର ନିର୍ବାଚନ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସେଠାରେ ନିର୍ବାଚନ ପ୍ରକ୍ରିୟା ସାରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ଗତ ୨୦୧୯ ଲୋକସଭା ନିର୍ବାଚନରେ ୩ ଲକ୍ଷ ଅର୍ଦ୍ଧସାମରିକ ଯବାନ ଓ ୨୦ ଲକ୍ଷ ରାଜ୍ୟ ପୋଲିସ ମୁତୟନ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସିଆରପିଏଫର ୧ ହଜାର ୩୮୭ କମ୍ପାନି, ବିଏସଏଫର ୫୫୦ କମ୍ପାନି, ସିଆଇଏସଏଫର ୨୦୮ କମ୍ପାନି, ଏସଏସବିର ୨୪୪ କମ୍ପାନି, ଆଇଟିବିପିର ୨୧୦ କମ୍ପାନି, ଆରପିଏଫର ୭୯ କମ୍ପାନି ।

ଶେଷ ଦିନରେ ସମ୍ବଲପୁର ଯିବେ ରାଷ୍ଟ୍ରପତି, ମହିମା ସଂପ୍ରଦାୟ ଅନୁଗାମୀଙ୍କୁ ଭେଟିବେ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ୪ ଦିନିଆ ଗସ୍ତର ଶେଷ ଦିନରେ ଆଜି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ସମ୍ବଲପୁର ଗସ୍ତ କାର୍ଯ୍ଯକ୍ରମ ରହିଛି । ସେଠାରେ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଅନୁଗାମୀକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସକାଳ 10 ଟା 50ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି 11ଟା 45 ମିନିଟରେ ରେଢ଼ାଖୋଲ କଦଳୀଗଡ ହାଇସ୍କୁଲ ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି l ଦିନ 12ଟା 10ମିନିଟରେ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମସ୍ଥଳୀ ମଧୁପୁର ଯାଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଳ ଅର୍ପଣ କରିବେ l ଏହାପରେ ପୁଣି 12 ଟା 45ରେ କନ୍ଧରାରେ ଥିବା ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ଓ ଜ୍ଞାନ ପ୍ରାପ୍ତି ପୀଠକୁ ଯିବେ ମହାମହିମ  ।

ଏହାପରେ ପୁଣି ରେଢ଼ାଖୋଲରେ ଥିବା କୁକୁଡ଼ା ବାହାଲିରେ ଥିବା ଭୀମ ଭୋଇଙ୍କ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ରହିଛି l ଏହାପରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ଲୋକଙ୍କ ସହ ଆଲଚନା କରିବାର କାର୍ଯକ୍ରମ ରହିଛି । ଏହାପରେ କଦଳୀଗଡ ପୁଣି ଆସି ଫେରି ଯିବାର କାର୍ଯକ୍ରମ ରହିଛି ।

ଆଜି ବିଭିନ୍ନ ମେଡିକାଲ କଲେଜର ଶିଳାନ୍ଯାସ ଓ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ରାଜ୍ଯ ସ୍ବାସ୍ଥ୍ଯ ସେବାରେ ଯୋଡ଼ିହେବ ନୂଆ ଅଧ୍ଯାୟ । ଆଜି ରାଜ୍ଯର ବିଭିନ୍ନ ମେଡିକାଲ କଲେଜର ଶିଳାନ୍ଯାସ ଓ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୧ଟା ୩୦ରେ ଶିଳାନ୍ଯାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

୬୫୦ ଶଯ୍ଯା ବିଶିଷ୍ଟ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ, ୬୫୦ ଶଯ୍ଯା ବିଶିଷ୍ଟ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ, ୫ଶହ ଶଯ୍ୟା ବିଶିଷ୍ଟ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲ, ୫ ଶହ ଶଯ୍ଯା ବିଶିଷ୍ଟ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଏବଂ ହସପିଟାଲ, ୬୫୦ ଶଯ୍ୟା ବିଶିଷ୍ଟ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ।

ସେହିପରି କଟକ AHPGICର ସମ୍ପ୍ରସାରଣ, ବ୍ରହ୍ମପୁର ଏମକେସିଜି MC ଆଣ୍ଡ Cର ସମ୍ପ୍ରସାରଣ, ବୁର୍ଲା VIMSARର ସମ୍ପ୍ରସାରଣ, ରାଉରକେଲା ସରକାରୀ ଡାକ୍ତରଖାନା ସଂପ୍ରସାରଣ କାମର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୋଲସରାରେ ଘରେ ପଶି ହତ୍ୟା ଘଟଣା, ଦୁଇ ଜଣକୁ ଗିରଫ କଲା ପୋଲିସ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ଘରେ ପଶି ହତ୍ୟା ଘଟଣା । ଦୁଇ ଜଣକୁ ଗିରଫ କଲା ପୋଲିସ । ବଜାର ସାହି ଛକ ନିକଟ ଏକ ଘରେ ପଶି ହେମନ୍ତ କନକ ଗୋହି ଓରଫ ଟିନିଆଙ୍କୁ ହତ୍ଯା ଘଟଣାରେ ଅଭିଯୁକ୍ତ ସୂର୍ଯ୍ୟ କୁମାର ସାହୁ ଓ ଗୌରୀ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୩ଟି ଗୁଳି, ମlଉଜର, ଖଣ୍ଡା ଜବତ କରିଛି ପୋଲିସ l ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି l ଟିନିଆଙ୍କ ଘର ଗୁଜୁରାଟ ସୁରତରେ ହୋଇଥିବା ବେଳେ ସେ କିଛିବର୍ଷ ହେବ ପୋଲସରା ଅଞ୍ଚଳ ଭଡା ଘରେ ରହି ଆସୁଥିଲେ । ଗତ 26 ତାରିଖରେ ଟିନିଆଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ ଓ ପରେ ଗୁଳି କରି ହତ୍ୟା କରାଯାଇଥିଲା  l ଆଜି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାକାଣ୍ଡରେ ସଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ l