spot_img
Home Blog Page 2177

ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢିଲା କମର୍ସିଆଲ ଗ୍ୟାସ୍ ଦର

ବ୍ୟୁରୋ ରିପୋର୍ଟ: ପୁଣି ବଢିଲା ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ଦର। ସିଲିଣ୍ଡର ପିଛା ୨୫ ଟଙ୍କା ବଢିଛି ଗ୍ୟାସ ଦର। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଗ୍ୟାସ ଦର ବୃଦ୍ଧି ପରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ଚେନ୍ନାଇରେ ସବୁଠାରୁ ଅଧିକ ରହିଛି। ଚେନ୍ନାଇରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ୧୯୬୦ ଟଙ୍କା ରହିଛି।

ଏହାପରେ କୋଲକାତାରେ ଦ୍ଵିତୀୟ ସର୍ବାଧିକ ଦର ରହିଛି । କୋଲକାତାରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୯୧୧ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ଏହି ଦର ରହିଛି ୧୭୯୫ ଟଙ୍କା। ମୁମ୍ବାଇରେ ୧୯ କେଜି ଏଲପିଜି ଦର ୧୭୪୯ ଟଙ୍କା ରହିଛି। ତେବେ ସାଧାରଣ ଖାଉଟିଙ୍କ ଲାଗି ବ୍ୟବହୃତ ସବଡିଜିଯୁକ୍ତ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

ଘରୋଇ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନାହିଁ। ପ୍ରତିମାସର ପ୍ରଥମ ତାରିଖରେ ବିଭିନ୍ନ ଗ୍ୟାସ କମ୍ପାନୀ ଆନ୍ତର୍ଜାତିକ ବଜାର ଦର ଅନୁସାରେ ଏହି ଦର ସ୍ଥିର କରିଥାନ୍ତି। ଏହାସହ ବିଭିନ୍ନ  ରାଜ୍ୟ ଗୁଡିକର କର ବୃଦ୍ଧି ହୋଇଥିବାରୁ ଏହି ଦର ବୃଦ୍ଧି କରିଥିବା କହିଛନ୍ତି ବିଭିନ୍ନ ତୈଳ କମ୍ପାନୀ।

ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା

ଭୁବନେଶ୍ୱର: ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା। ଏଥିପାଇଁ କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର। ୨୦୨୫ ସୁଦ୍ଧା କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ ୱାର୍ଣ୍ଣିଙ୍ଗ ସିଷ୍ଟମ। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ବାଲେଶ୍ୱରରେ ଡଫ୍ଲର ରାଡାର ଅଧାକାମ ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ପହଞ୍ଚି ସାରିଛି।

ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ମଧ୍ୟ ପ୍ରତିଷ୍ଠା ହେବ।  ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡିଶା ରହିଛି। ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ନେଇ ରାଜ୍ୟରେ ଅଧିକ ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ

ବ୍ୟୁରୋ ରିପୋର୍ଟ: ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ୪୪ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଢାକାର ବେଲି ରୋଡରେ ଥିବା ଏକ ୭ ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ।

ସୂଚନା ଅନୁଯାୟୀ, ବେଲି ରୋଡରେ ଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏହି କୋଠାରେ ଏକାଧିକ ରେଷ୍ଟୁରାଣ୍ଟ ଥିବା ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ୍। ସେଠାରେ ଫସିଥିବା ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୪୨ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ସୂଚନା ପାଇ ପହଞ୍ଚିଥିଲେ ବାଂଲାଦେଶ ସ୍ଵାସ୍ଥ୍ୟମନ୍ତ୍ରୀ। ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ଶେଖ ହସିନା ଇନଷ୍ଟିଚ୍ଯୁଟରେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଣ୍ଟ୍ରାଲ ପୋଲିସ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ଯୁ ଘଟିଥିଲା। ୪୪ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ବାଂଲାଦେଶ ପୋଲିସ ଆଇଜି।

ଗାଜାରେ ଇସ୍ରାଏଲ ସେନାର ଜବରଦସ୍ତ ଆକ୍ରମଣ, ଗୁଳିକାଣ୍ଡରେ ଗାଜାର ୧୦୦ ନାଗରିକଙ୍କ ମୃତ୍ୟୁ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ଇସ୍ରାଏଲର ବଡ଼ ହମଲା। ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଆହତ ହୋଇଛନ୍ତି। ଗାଜାର ଉତ୍ତର ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ ହୋଇଛି। ସହାୟତା କେନ୍ଦ୍ର ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା ଇସ୍ରାଏଲ ସେନା। ଏଥିରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ଯୁ ହୋଇଛି। ୭୬୦ ଜଣ ଆହତ ହୋଇଛନ୍ତି। ସହାୟତା କେନ୍ଦ୍ରରେ ଗହଳି ହୋଇଥିବାବେଳେ ବିପଦ ଆଶଙ୍କା କରି ଆକ୍ରମଣ କରିଥିଲା ଇସ୍ରାଏଲ ସେନା। ନିଜ ନାଗରିକଙ୍କ ମୃତ୍ଯୁ ନେଇ ସ୍ପଷ୍ଟ କରିବା ସହ ଏହାର କଡ଼ା ନିନ୍ଦା କରିଛି ପାଲେଷ୍ଟାଇନ। ନରସଂହାର ଭାବେ ଏହାକୁ କହିବା ସହ ଇସ୍ରାଏଲକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛି।

ସୂଚନା ଅନୁଯାୟୀ, ସହାୟତା କେନ୍ଦ୍ରରେ ଖାଦ୍ୟ ସଂଗ୍ରହକୁ ନେଇ ହୋହାଲ୍ଲା ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ  ଇସ୍ରାଏଲ ସେନା ଆଖିବୁଜା ଗୁଳିମାଡ଼ କରିଥିଲା। ଟ୍ରକ ଭର୍ତ୍ତି ଖାଦ୍ୟସାମଗ୍ରୀ ଲୋକଙ୍କ ପାଇଁ ଆସିଥିବାବେଳେ ଲୋକେ ଖାଦ୍ଯ ପାଇଁ ହଙ୍ଗାମା କରିଥିଲେ। ସହାୟତା ଲାଗି ଆସିଥିବା ଟ୍ରକକୁ ଲୋକେ ଲୁଟ୍ କରିଥିଲେ। ଲୋକେ ସେନାର ନିକଟତର ହେବାପରେ ଗୁଳି ବର୍ଷାଇଥିଲା ଇସ୍ରାଏଲ। ଗାଜା ହମଲାକୁ ସ୍ଵୀକାର କରିଛି ଇସ୍ରାଏଲ ସେନା। ପ୍ରବଳ ହଙ୍ଗାମାରୁ ଯବାନଙ୍କ ଉପରେ ବିପଦ ସୃଷ୍ଟି ହୋଇଥିବା ଆଇଡିଏଫ୍ କହିଛି। ଆକ୍ରମଣରେ ଆଗକୁ ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅଲ ସିଫା ହସ୍ପିଟାଲରେ ଶହ ଶହ ସଂଖ୍ଯାରେ ଆହତ ଆସୁଥିବାରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଫେଲ ମାରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ କତାରର ଅମିର ଶେଖ ତମିମ ବିନ ହମ୍ମଦ ଅଲ ଥାନି ଗୁରୁବାର ଦିନ ଗାଜାରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ଯୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ: ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ରହ୍ମପୁର ଗସ୍ତ ରହିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ହେଲିପ୍ୟାଡରେ ପହଞ୍ଚିବେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ ଛାତ୍ରଛାତ୍ରୀଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି। ଏହାପରେ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛ।ତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଡ଼କ ପଥରେ ସେଠାରୁ କଟକରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି। କଟକରେ ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଆସିବେ। ଆସନ୍ତାକାଲି ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ନୂତନ ବସ ଟର୍ମିନାଲ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବେଶରୁ ପ୍ରସ୍ଥାନ ବସ୍  ଆହାର କେନ୍ଦ୍ର ସବୁ ଚକାଚକ୍‌‌। ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌‌ ଟର୍ମିନାଲ୍‌‌ ଉଭା ହେଉଛି। BSABT ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍‌‌ ବ୍ୟବସ୍ଥା କରାଯାଇଛି। ଫୁଡ୍‌‌ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍‌‌ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍‌‌ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯିବା ଆସିବା ଲାଗି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି।। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍‌‌, ଏଟିଏମ୍‌‌, ଆହାର କେନ୍ଦ୍ର ଭଳି ସେବା ମିଳିବ।

ବସ୍‌‌ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ। ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍‌‌ ହୋଟେଲ୍‌‌ ଭଳି ସୁବିଧା ମିଳିବ। ଏହାସାଙ୍ଗକୁ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର‌ମାସ ଓ ମିଲେଟ୍‌‌ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍‌‌ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍‌‌ ରହିବା ସହ ୨୦୦ ବସ୍‌‌ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି। ସିଟିବସ୍‌‌ ପାଇଁ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍‌‌ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌‌ ଅଲଗା ଅଲଗା କରାଯାଇଛି। ଗତମାସ ଦ୍ବିତୀୟ ସପ୍ତାହରେ 5T ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବର ବସ ଟର୍ମିନାଲ ନବୀକରଣ କାମର ସମୀକ୍ଷା କରିଥିଲେ। ପେବୃଆରୀ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଠିକ୍ ସମୟରେ ଏହି ବସ୍ ଟର୍ମିନାଲର କାମ ସମ୍ପନ୍ନ ହୋଇଛି। ବିଡିଏ ଦ୍ୱାରା ସାଢେ ୧୫ ଏକରରୁ ଅଧିକ ଜମିରେ ରହିଛି ଏହି ବସ୍ ଟର୍ମିନାଲ ।

ଉତ୍କଳ ବିଶ୍ୱ ବିଦ୍ୟାଳୟ ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ସୃଷ୍ଟି କରିଛି : ରାଷ୍ଟ୍ରପତି

ଭୁବନେଶ୍ୱର : ମାଆ ମାଟି ଓ ମାତୃଭାଷାକୁ ସମ୍ମାନ ଦେଲେ ଆଗକୁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ହୋଇପାରିବ । ଏହାସହ ମାତାପିତା, ଗୁରୁଜନ ଓ ଅଧ୍ୟାପକଙ୍କୁ ମଧ୍ୟ ସମ୍ମାନ ଦେଲେ ଦେଶର ଜଣେ ସୁନାଗରିକ ଭାବେ ନିଜକୁ ଗଢି ତୋଳି ପାରିବେ । ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଉତ୍କଳ ବିଶ୍ୱ ବିଦ୍ୟାଳୟ ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ସୃଷ୍ଟି କରିଛି ।  ଏହି ଅନୁଷ୍ଠାନ ଅନେକ ଛାତ୍ରଛାତ୍ରୀ ଦେଶ ଓ ବିଦେଶରେ ବିଭିନ୍ନ ବଡ଼ ବଡ଼ ପଦ ପଦବୀ ରହି କାର୍ଯ୍ୟ କରୁଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟର ୫୩ ତମ ସମାଵର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ରଖିଛନ୍ତି । କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବେ କୂଳଧିପତି ତଥା ରାଜ୍ୟପାଳ ରଘୁବର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସମାବର୍ତ୍ତନ ଉତ୍ସବରେ ୧୬୬ ଜଣ ପିଏଚଡି ପାଇଛନ୍ତି ଏବଂ  ୯୫ ଗୋଲଡ଼ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ମିଳିଛି । ସମ୍ମାନସୂଚକ ଡ଼କ୍ଟରକେଟ ଉପାଧିରେ ପାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD DG ମୃତ୍ଯୁଞ୍ଜୟ ମହାପାତ୍ର, ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ । ଏହି କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହୋଇଥିଲା । ଖୁବଶୀଘ୍ର ବିଶ୍ବବିଦ୍ଯାଳୟର ଦ୍ବିତୀୟ କ୍ୟାମ୍ପସ କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜ୍ୟରେ ୧୭୬ କୋଟି ବଜେଟ ଏବେ ୪ହଜାର କୋଟିରେ ପହଞ୍ଚିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତ୍ତିଠୁ ଆରମ୍ଭ କରି ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ରିସର୍ଚ୍ଚ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି ହୋଇଛି ବୋଲି ଏହି ଅବସରରେ କହିଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକରେ ଆମ ବ୍ୟାଙ୍କର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨ହଜାର ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । ଓଡିଶାର ୬ ହଜାର ୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୪ ହଜାର ୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିଲା । ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଟି ଆମ ବ୍ୟାଙ୍କ ଖୋଲିଥିଲା । ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ସୁବିଧା ମିଳିବ। ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି ବୋଲି ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ବ୍ୟାଙ୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ । ସାରା ଦେଶରେ ଏକ ମଡେଲ । ବ୍ୟାଙ୍କ ଗୁଡିକ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ । ସମସ୍ତ ସରକାରୀ ସୁବିଧା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ସେଥିପାଇଁ ମୋ ରାଜ୍ୟର ସବୁ ହିତାଧିକାରୀ ସୁବିଧାରେ ଓ ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ପାଉଛନ୍ତି । କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କ ଗୁଡିକ ଖୋଲାଯାଇଥିବା କହିଛନ୍ତି ମୁଖ୍ଯମନ୍ତ୍ରୀ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁମାନଙ୍କରେ ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମସ୍ତଙ୍କ ଏକ ମୌଳିକ ଅଧିକାର । ଏକ କଲ୍ୟାଣକାରୀ ରାଜ୍ୟ ଭାବରେ ସମସ୍ତ ନାଗରିକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ମୁଖ୍ୟ ଦାୟିତ୍ୱ । ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ଓ କଳାକାରମାନଙ୍କ ପେନସନ ଓ ସହାୟତା ନିକଟରେ ବୃଦ୍ଧି କରାଯାଇଛି ।  ଏମାନଙ୍କ ସହିତ ମିଶନ ଶକ୍ତି ମାଆ ମାନେ ମଧ୍ୟ ଏହି ବ୍ୟାଙ୍କ ଜରିଆରେ ସୁବିଧା ପାଇବେ । Odisha Launches 'Ama Bank' Scheme for Financial Inclusion in Unbanked Gram  Panchayats - The News Hashtag

ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କ ଘର ପାଖରେ ସେବା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବ୍ୟାଙ୍କ ଖୋଲିବାରେ ସହାୟତା କରିଥିବା ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ସଶକ୍ତ ଓଡିଶା ଗଠନ କରିବା ଦିଗରେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ପାଇଁ  ଆହ୍ୱାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ  ସୁଶୀଲ କୁମାର ଲୋହାନୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସି.ଜି.ଏମ୍ ଉପସ୍ଥିତ ଥିଲେ ।

ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନିତ

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ବହୁ ବିଶିଷ୍ଟ ବ୍ଯକ୍ତି ସମ୍ବର୍ଦ୍ଧିତ। ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ଚଳଚ୍ଚିତ୍ର ଜଗତର ସ୍ପର୍ଦ୍ଧିତ ସ୍ବର ତାନସେନ ସିଂ, ଗବେଷକ, ସାହିତ୍ଯିକ, ଚିନ୍ତାନାୟକ ଡକ୍ଟର ଗୌରାଙ୍କ ଚରଣ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ ଏକାମ୍ର ପ୍ରକଳ୍ପ ପରାମର୍ଶଦାତା ଓ ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ଗ୍ଲୋବାଲ ସିଇଓ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ବି କରାଯାଥିଲା ସମ୍ମାନିତ।

ସେହିପରି କବୟିତ୍ରୀ, ଡକ୍ଟର ପ୍ରୀତିଧାରା ସାମଲ, ଫିଟନେସ ମେଣ୍ଟର ସୀମାଞ୍ଚଳ ବାରିକ, ଗାୟକ ସୌରଭ ଭରଦ୍ବାଜ, ବରିଷ୍ଠ ଆଇନଜୀବୀ ସିତାଂଶୁ ଦ୍ବିବେଦୀ, ସିଦ୍ଧାର୍ଥ ଦାସ, ମଧୁମାଧବ ଜେନା, ଡିଏନ ଗ୍ରୁପ ଅଧ୍ଯକ୍ଷ ଜଗଦୀଶ ପ୍ରସାଦ ନାୟକ, ଖିମଜୀ ଗ୍ରୁପ ନିର୍ଦ୍ଦେଶକ ମିତେଶ ଖିମଜୀ, ଜୟ ଭାରତ ସ୍ପାଇସ ଏମଡି ସୁଶାନ୍ତ ପଣ୍ଡା ପ୍ରମୁଖଙ୍କୁ ଦିଆଯାଇଥିଲା ସମ୍ବର୍ଦ୍ଧନା।

ଆଞ୍ଚଳିକ ସିନେମାର ଗତି ଓ ପ୍ରଗତିକୁ ନେଇ କଣ କହିଲେ ବଲିଉଡ ଅଭିନେତ୍ରୀ ରେବତୀ ?

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ଆଞ୍ଚଳିକ ସିନେମାର ଗତି ଓ ପ୍ରଗତି ଶୀର୍ଷକ ନେଇ  ଆୟୋଜିତ ଅଧିବେଶନରେ ଯୋଗ ଦେଇଥିଲେ ବଲିଉଡ ଅଭିନେତ୍ରୀ ରେବତୀ। କନକ୍ଲେଭକୁ ଆସି ବହୁତ ଖୁସି ବୋଲି ସେ କହିଥିଲେ। ସମ୍ରାଟ ଅଶୋକ ଯେଉଁ ମାଟିରେ ନିଜକୁ ପରିବର୍ତ୍ତନ କରିଥିଲେ ସେ ମାଟି କଳିଙ୍ଗକୁ ଆସି ମୁଁ ଧନ୍ଯ ବୋଲି କହିଥିଲେ।  ଅଭିନେତ୍ରୀ ରେବତୀ ଅଭିନୟ ସହ ସିନେମା ନିର୍ମାଣ, ପ୍ରଯୋଜନା ତଥା ନିର୍ଦ୍ଦେଶନାରେ ସଫଳତା ହାସଲ କରିଛନ୍ତି। ହିନ୍ଦୀ ସହ ଏକାଧିକ ଆଞ୍ଚଳିକ ଭାଷା ସିନେମାରେ ସଫଳତା ହାସଲ କରିଛନ୍ତି। ପୂର୍ବ ତୁଳନାରେ ମହିଳାଙ୍କ ଭାଗିଦାରୀ ସିନେମାରେ ବଢିଛି। ତେବେ ସେ ନିଜକୁ କୋଣସି ଅଂଚଳର ନୁହେଁ ଭାରତର ବୋଲି ସମ୍ବୋଧିତ କରିଥିଲେ। ସାରା ଭାରତ କାହାଣୀରେ ପରିପୂର୍ଣ। ଆଉ ଆମେ ଭାରତୀୟ ଭାବେ କାହାଣୀ ପ୍ରସ୍ତୁତ କରିଥାଉ ଆଉ ଏହାକୁ କହିବାକୁ ଭଲ ପାଇଥାଉ। ଆଉ ସିନେମା ଏହାର ଗୋଟିଏ ଅଂଶବିଶେଷ।

ଦେଶର ସମସ୍ତ ସିନେମା ଇଣ୍ଡଷ୍ଟ୍ରିରେ କୌଣସି ପ୍ରଭେଦ ଦେଖିବାକୁ ପାଇନାହିଁ ବୋଲି କହିଥିଲେ ରେବତୀ।ଦେଶର ପ୍ରତିଟି ଇଣ୍ଡଷ୍ଟ୍ରୀ ସେଠାକାର କାହାଣୀକୁ ସୁନ୍ଦର ଭାବେ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥାନ୍ତି। ତେବେ ସିନେମାରେ ପ୍ରତିଭାର ପରିପ୍ରକାଶ ଲାଗି କୌଣସି ବାଧାବିଘ୍ନ ନାହିଁ। ଯଦି ପ୍ରତିଭା ଅଛି ତେବେ କିଏ ତୁମକୁ ରୋକିପାରିବେନି ବୋଲି କହିଛନ୍ତି ରେବତୀ। କମର୍ସିଆଲ ସିନେମା ତୁଳନାରେ ଓଟିଟି ପ୍ଲାଟଫର୍ମ ତୀବ୍ରଭାବେ ବଢିବାରେ ଲାଗିଛି। ଲେଖକ, ଅଭିନେତା ଓ ସିନେ ନିର୍ମାତାଙ୍କ ଚାହିଦା ବଢିବାରେ ଲାଗିଛି। ଫିଲ୍ମରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ପୂର୍ବ ତୁଳନାରେ ମହିଳା ଫିଲ୍ମ ନିର୍ମାତା ଏବଂ ଲେଖକଙ୍କ ପାଇଁ ଏବେ ଅଧିକ ସୁଯୋଗ ରହିଛି। ଅଭିନେତ୍ରୀଙ୍କ ପାଖରେ ମଧ୍ଯ ପୂର୍ବ ତୁଳନାରେ ସୁଯୋଗ ଅଧିକ ରହିଛି  ବୋଲି କହିଛନ୍ତି ରେବତୀ।