spot_img
Home Blog Page 2181

ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି । ପରିବେଶ ଅନୁକୂଳ ଶକ୍ତି ଉତ୍ସ ବ୍ୟବହାର କରି ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଗ୍ରୀନ୍ ଆମୋନିଆ ଓ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର କରି ହେବ ଇସ୍ପାତ ଉତ୍ପାଦନ । ଆସନ୍ତା ୫ ବର୍ଷରେ ଓଡ଼ିଶାର ଶିଳ୍ପ ଉତ୍ପାଦନ ୪୦ ବିଲିୟନ୍ ଡଲାରରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି । ଆଜି ଭୁବନେଶ୍ବରରେ ଅନୁଷ୍ଠିତ ମାନ୍ୟୁଫକ୍ଚରିଂ କନକ୍ଲେଭରେ ଓଡ଼ିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପକୁ ବହୁରାଷ୍ଟ୍ରୀୟ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘ ପ୍ରଶଂସା କରିଛନ୍ତି ।

ଦିନଥିଲା ଖଣି ଓ ଧାତବ ଶିଳ୍ପରେ ପୁଞ୍ଜି ଆକୃଷ୍ଟ କରୁଥିଲା । ଏବେ ଶିଳ୍ପାୟନର ନୂଆ ପରିଭାଷା ଲେଖିଲାଣି ଓଡ଼ିଶା । ପ୍ରତିରକ୍ଷା ଉପକରଣଠୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଓଡ଼ିଶା ହବ୍ ହେବାକୁ ଯାଉଛି । ଭାରି ଶିଳ୍ପ ହେଉକି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଇସ୍ପାତ ହେଉ କି ଔଷଧ ଉତ୍ପାଦନ । ଉତ୍ପାଦନରେ ସବୁଜ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ । ଗ୍ରୀନ୍ ହାଇଡ୍ରୋଜେନ୍ ଦ୍ବାରା ଇସ୍ପାତ ଉତ୍ପାଦନ, ଆମୋନିଆ ଶିଳ୍ପ, ଶକ୍ତି ଉତ୍ପାଦନର ବର୍ଜ୍ଯର ହେବ ସୁବିନିଯୋଗ । ଅକ୍ଷୟ ଶକ୍ତିର ବଡ଼ ପ୍ରୟୋଗଶାଳା ହୋଇଛି ଓଡ଼ିଶା । ପରିବେଶ ଅନୁକୂଳ ନିରନ୍ତର ବିକାଶ ପଥରେ ଆଗେଇ ନେବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ । ଭୁବନେଶ୍ବରରେ ଆସୋଚାମ ପକ୍ଷରୁ ଆୟୋଜିତ ଏକଦିବସୀୟ ମାନ୍ୟୁଫାକ୍ଚରିଂ କନ୍କ୍ଲେଭ-୨୦୨୪ରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବହୁରାଷ୍ଟ୍ରୀୟ କମ୍ପାନୀ ଓ ବିଭିନ୍ନ ଶିଳ୍ପ ସଂଘ । ସମଗ୍ର ବିଶ୍ବକୁ ଓଡ଼ିଶା କେତେକ ମହାନ୍ ଷ୍ଟାର୍ଟ୍ଅପ୍ ଲିଡର ଦେଇଥିବା କନକ୍ଲେଭ୍ରେ ଆଲୋଚନା ହୋଇଛି ।

ରାଜ୍ୟର ଅଭିବୃଦ୍ଧିରେ ମାନ୍ୟୁଫାକଚରିଂ ଶିଳ୍ପର ୧୪.୪୨ ପ୍ରତିଶତ ଯୋଗଦାନ ରହିଛି । ଏହି ଶିଳ୍ପରେ ୨୦୧୫ରୁ ୨୦୨୨ ଭିତରେ ୪.୭୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ରାଜ୍ୟକୁ ଆସିଛି । ୨୦୨୪ରୁ ୨୦୨୮ ଭିତରେ ଓଡ଼ିଶାର ବାର୍ଷିକ କମ୍ପାଉଣ୍ଡ୍ ଅଭିବୃଦ୍ଧି ୮.୨୧ ପ୍ରତିଶତ ହିସାବରେ ରହିବ । ଏବର୍ଷ ଶିଳ୍ପ ଉତ୍ପାଦନ ପ୍ରାୟ ୧୩୬୦ ବିଲିୟନ୍ ଡଲାର ହେବ ବୋଲି ଆଶା କରାଯାଉଛି । ଏସବୁ ସମ୍ଭବ ହୋଇପାରିଛି ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ । ୨୦୩୦ ସୁଦ୍ଧା ରାଜ୍ୟକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ନିରନ୍ତର ବିକାଶ ମାପକାଠିର ସବୁ ଦିଗକୁ ପୂରା କରୁଛନ୍ତି । କନ୍କ୍ଲେଭରେ ଆସୋଚାମ ପକ୍ଷରୁ ରିସର୍ଜେଣ୍ଟ୍, ରି-ଇମାଜିନିଂ ମାନ୍ୟୁଫାକ୍ଚରିଂ, ସ୍ମାର୍ଟ୍ ଆପ୍ରୋଚେସ୍ ଫର୍ ନେକ୍ସଟ୍ ଫେଜ୍ ନାମକ ରିପୋର୍ଟ ପ୍ରକାଶ ପାଇଥିଲା ।

ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ

ଭୁବନେଶ୍ବର: ୨୦୨୪ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳରେ ଟିକେଟ କସରତ। ବିଜେଡିରେ ଟିକେଟ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ ଦଳୀୟ ନେତାଙ୍କ ସହ ଘନଘନ ବୈଠକ ବସୁଛି । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ବିଜେପି ନେତାଏ ଖୋଲାଖୋଲି ନିଜ ପସନ୍ଦର  ନିର୍ବାଚନ ମଣ୍ଡଳୀ ପାଇଁ ଲବି ଆରମ୍ଭ କରିଥିବା ବେଳେ କଂଗ୍ରେସର ଆଗୁଆ ଟିକେଟ ଦେବା ପ୍ଲାନରେ କେଁ ପଶିଛି ।

ତାରିଖ ଘୋଷଣା ହୋଇନାହିଁ । ତଥାପି ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳରେ ଜୋରଦାର ଟିକେଟ କସରତ । ୨୪ରେ ବିଜେଡି ବଡ଼ ବିଜୟ ସହ ବିଧାନସଭା ଓ ଲୋକସଭାରେ ରେକର୍ଡ଼ ସଂଖ୍ୟକ ଆସନ ଦଖଲ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି । କିଏ କେଉଁଠୁ ନିର୍ବାଚନ ଲଢିବେ ତାହାକୁ ନେଇ ଶଙ୍ଖଭବନରୁ ନବୀନ ନିବାସ ଯାଏ ଘନଘନ ବୈଠକ । ୧୦ହଜାରରୁ ଅଧିକ ଆଶାୟୀ ବିଜେଡି ଟିକେଟ ପାଇଁ ଆବେଦନ କରିସାରିଥିବା ଦଳ କହିଛି । ତେବେ ସବୁକିଛି ନିଷ୍ପତ୍ତି ନେବେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଟେନସନ ଜାରି ରହିଛି । ବିଜେପିରେ କେତେ ଆଶାୟୀ ଆବେଦନ କରିଛନ୍ତି ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ବରିଷ୍ଠ ବିଜେପି ନେତାମାନେ କିନ୍ତୁ  ଟିକେଟ ହାତେଇବା ପାଇଁ  ଖୋଲାଖୋଲି ନିଜ ମତ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସରେ ବି ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ଓଡ଼ିଶାରୁ ଦିଲ୍ଲୀ ଯାଏ  କଂଗ୍ରେସର ଟିକେଟ ଅଙ୍କ ଛିଣ୍ଡିନାହିଁ ।  ବିଧାୟକ ପାଇଁ ପ୍ରଗମନ ଆପ ଜରିଆରେ ୩ହଜାର ଓ ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସହ ଦଳର ଆସନ ବୁଝାମଣା ନେଇ କୌଣସି ସୁଫଳ ମିଳିନାହିଁ । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି- ଦଳ କୌଣସିମତେ ଆଗୁଆ ଟିକେଟ ବାଣ୍ଟିପାରିବ ନାହିଁ । ରାଜନୀତି ସମୀକ୍ଷକ କିନ୍ତୁ ଭିନ୍ନ ଆକଳନ କରିଛନ୍ତି ।

ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କଲେ ରାଷ୍ଟ୍ରପତି

ରାଇରଙ୍ଗପୁର: ୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ପ୍ରଥମ ଦିନରେ ରାଇରଙ୍ଗପୁରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ମହୁଲଢିହା ଠାରେ ଅବକାଶ ଗୃହ ଶିଳାନ୍ୟାସ, ରାଇରଙ୍ଗପୁର ୨୨୦ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସର  ଶିଳାନ୍ୟାସ କରିବା ସହ  ବଡ଼ସାହି ଏକଲବ୍ୟ ମଡେ଼ଲ ସ୍କୁଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ପ୍ରଥମେ ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ମନ୍ଦିରେ ପହଞ୍ଚିଥିଲେ ।  ମା କୀଚକେଶ୍ୱରୀଙ୍କୁ ଦର୍ଶନ କରିବା ସହ  ପ୍ରସାଦ ସେବନ କରିଥିଲେ । ସେଠାରୁ ରାଇରଙ୍ଗପୁର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ଚାରି ଦିନିଆ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।

ଏଥିମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ । ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ବି କାର୍ଯ୍ୟକ୍ରମ ରହିଛି । କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

ସତ୍ୟନଗରରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସତ୍ୟନଗର ଛକରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତି ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସତ୍ୟନଗର ଚର୍ଚ୍ଚର ଫାଦର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ପରେ ସମସ୍ତେ ବାଇବେଲ ପାଠ କରିଥିଲେ।  ଅହରହ ନିସ୍ବାର୍ଥପର ଭାବରେ ନିଜକୁ ଓଡ଼ିଶାର ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରି କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରି ଆମେ ବହୁତ ଖୁସି ବୋଲି କହିଛନ୍ତି ଫାଦର।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଲେ ଶ୍ରେୟସ ଏବଂ ଇଶାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଗ୍ରେଡରେ ସ୍ଥାନ..

ନନ୍ଦିଘୋଷ ବୁ୍ରୋ: BCCI ପକ୍ଷରୁ ଘୋଷଣା ହେଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା । ବାଦ୍ ପଡ଼ିଲେ ଶ୍ରେୟସ ଆୟାର ଏବଂ ଇଶାନ କିଶାନ । ତେବେ ବହୁ ଯୁବ ଖେଳାଳି ବିଭିନ୍ନ ଗ୍ରେଡରେ ସାମିଲ ହୋଇଛନ୍ତି । ବୁଧବାର ବିସିଆଇ ପକ୍ଷରୁ ଏହି ବାର୍ଷିକ ଚୁକ୍ତିନାମା ଘୋଷଣା କରାଯାଇଛି । ରଣଜୀ ଖେଳିବା ପାଇଁ ଶ୍ରେୟସ ଏବଂ ଇଶାନଙ୍କୁ କୁହାଯାଇଥିବା ସତ୍ତ୍ବେ ଉଭୟ ଖେଳିନଥିବାରୁ ଏମାନଙ୍କୁ ଏକପ୍ରକାର ଏପରି ଦଣ୍ଡ ଦିଆଯାଇଛି । ନିୟମିତ ଦଳରେ ସାମିଲ ହୋଇ ଭାରତୀୟ ଟିମରେ ଖେଳୁଥିବା ଜୟସ୍ବାଲଙ୍କୁ ଗ୍ରେଡରେ ସାମିଲ କରାଯାଇଛି । ଆନ୍ତର୍ଜାତୀୟ ଖେଳୁଥିବା ଖେଳାଳିଙ୍କୁ BCCI ପକ୍ଷରୁ ୪ଟି ଗ୍ରେଡରେ ସାମିଲ କରାଯାଇଛି । ଏହି ଗ୍ରେଡ ହିସାବରେ ଦରମା ମଧ୍ୟ ମିଳିଛି । A+, A,B ଏବଂ C ଗ୍ରେଡରେ ରହିଛନ୍ତି । A+ ଖେଳାଳି ବାର୍ଷିକ ୭ କୋଟି, A ଗ୍ରେଡ ଖେଳାଳି ୫ କୋଟି, B ଗ୍ରେଡ ଖେଳାଳି ୩ କୋଟି ଏବଂ C ଗ୍ରେଡ ଖେଳାଳିମାନେ ବର୍ଷକୁ ୧ କୋଟି ଟଙ୍କା ପାଇଥାନ୍ତି ।

A+ ଗ୍ରେଡରେ ରହିଥିବା ଖେଳାଳି ତିନୋଟି ଯାକ ଫର୍ମାଟରେ ଖେଳିଥାନ୍ତି । ତେବେ ଏହି ତାଲିକାରେ ରହିଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜଶପ୍ରିତ୍ ବୁମରା । A ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି । ଏମାନେ ହେଲେ କେ.ଏଲ. ରାହୁଲ, ମହମ୍ମଦ ସିରାଜ, ଶୁଭମନ ଗିଲ, ରବିଚନ୍ଦ୍ରନ ଅଶ୍ବିନୀ, ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ରାହୁଲ,ସିରାଜ ଏବଂ ଗିଲଙ୍କୁ ପ୍ରମୋସନ ମିଳି ଏହି ଗ୍ରେଡରେ ସାମିଲ କରାଯାଇଛି ।

B ଗ୍ରେଡରେ ୫ଜଣ ଖେଳାଳି ରହିଛନ୍ତି ଏମାନେ ହେଲେ ଋଷଭ ପନ୍ଥ, ଅକ୍ଷର ପଟେଲ, ସୂର୍ଯ୍ୟ କୁମାର ଯାଦବ, କୁଲଦୀପ ଯାଦବ ଏବଂ ଜଶସ୍ବୀ ଜୟସ୍ବାଲ । ଜୟସ୍ବାଲ ପ୍ରଥମଥର ପାଇଁ ଏବଂ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି ।

ଜାଣନ୍ତୁ ମିଶନ ଗଗନୟାନରେ କାହିଁକି ନାହାନ୍ତି ମହିଳା ?

ନନ୍ଦିଘୋଷ ବ୍ୟୁରୋ: ଗଗନୟାନ ସ୍ପେଶ୍ ମିଶନ ପାଇଁ ୪ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି । ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଓ୍ବିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ମହାକାଶ ଯାତ୍ରା କରିବେ । ଏହି ଚାରିଜଣ ଦକ୍ଷ ପାଇଲଟ ସବୁ ପ୍ରକାର ଫାଇଟର ଜେଟ୍ ଉଡ଼ାଇସାରିଛନ୍ତି । ରୁଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି ଏହି ପାଇଲଟମାନେ । ୪୦ ବର୍ଷ ପରେ ଭାରତୀୟଙ୍କୁ ଅନ୍ତରିକ୍ଷ ଯିବାପାଇଁ ମଉକା ମିଳିଛି । ଏହା ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ଅନ୍ତରିକ୍ଷ ଯାଇଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କାହିଁକି କେହି ମହିଳା ଅନ୍ତରିକ୍ଷ ଯାଉ ନାହାନ୍ତି । ୪ ଜଣ ପୁରୁଷଙ୍କୁ ହିଁ କାହିଁକି ବଛାଯାଇଛି ?

ଏହି ମିଶନ ପାଇଁ ଯେଉଁ ୪ ଜଣଙ୍କ ନାଁ ଏବେ ସାମ୍ନାକୁ ଆସିଛି ସେମାନଙ୍କୁ ୪ ବର୍ଷ ପୂର୍ବରୁ ଚୟନ କରାଯାଇଥିଲା । ସେମାନେ ସମସ୍ତେ ଟେଷ୍ଟ ପାଇଲଟ୍ । ବହୁତ ଟେଷ୍ଟ ପାସ୍ କରିବା ପରେ ମୋଟ ୧୨ ଜଣ ଲୋକଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ମାତ୍ର ୪ ଜଣଙ୍କୁ ବଛା ଯାଇଛି । ୪ ବର୍ଷ ପୂର୍ବରୁ ଯେଉଁ ଚୟନ ହୋଇଥିଲା ସେତେବେଳେ କେହି ମହିଳା ଟେଷ୍ଟ ପାଇଲଟ ନଥିଲେ । ଏଥିପାଇଁ ମିଶନରେ କେହି ମହିଳା ନାହାନ୍ତି । ଟେଷ୍ଟ ପାଇଲଟ୍ ଅତ୍ୟଧିକ କୁଶଳ ହୋଇଥାନ୍ତି । ଏମର୍ଜେନ୍ସି ସମୟରେ ନିଜକୁ ଶାନ୍ତ ରଖି ମିଶନ ଉପରେ ଧ୍ୟାନ ଦେଇଥାନ୍ତି । ସେମାନଙ୍କୁ ସର୍ବଶ୍ରେଷ୍ଠ ଏୟାର ଓ୍ବାରିୟର୍ କୁହାଯାଏ ।

ଆଗାମୀ ଦିନରେ ମହିଳା ମହାକାଶଚାରୀଙ୍କୁ ଅନ୍ତରିକ୍ଷକୁ ପଠଇବା ଆମ ପାଇଁ ଖୁସିର ବିଷୟ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । କିନ୍ତୁ ଏହି ମିଶନରେ ଯେଉଁମାନଙ୍କୁ ଚୟନ କରାଯାଇଛି ଏବଂ ପ୍ରଶିକ୍ଷଣ ଦିଆଯାଇଛି ସେହିମାନେ ହିଁ  ଯିବେ । ଇସ୍ରୋର ଆଗାମୀ ମିଶନରେ ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ଡାଇରେକ୍ଟର ଏମ୍ ଉନ୍ନିକ୍ରିଷ୍ଣନ । ଏହି ବର୍ଷ ଶେଷ ସୁଦ୍ଧା ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ ପାଇଁ ନାସା ଏବଂ ଇସ୍ରୋର ମାନବ ମିଶନ ରହିଛି । ଏଥିରେ ଭାରତୀୟ ବାୟୁସେନାର ଦକ୍ଷ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ସୁଯୋଗ ମିଳିବ ।

ଗଗନୟାନ ଭାରତର ପ୍ରଥମ ମାନବ ମିଶନ୍ । ଏହି ମହାକାଶଚାରୀଙ୍କୁ ପୃଥିବୀର ୪ଶହ କିଲୋମିଟର ତଳେ ଥିବା କକ୍ଷପଥକୁ ପଠାଯିବ ଏବଂ ତାଙ୍କୁ ପୁଣି ପୃଥିବୀକୁ ଅଣାଯିବ।  ଏହି ମିଶନ ୨୦୨୫ରେ ଲଞ୍ଚ ହେବ । ଯଦି ଭାରତର ଏହି ମିଶନ ସଫଳ ହୁଏ ତାହାଲେ ଅନ୍ତରିକ୍ଷକୁ ମାନବ ପଠାଇବାରେ ଭାରତ ଚତୁର୍ଥ ଦେଶ ହେବ । ଏହା ପୂର୍ବରୁ ରୁଷ, ଆମେରିକା ଏବଂ ଚୀନ ମଣିଷଙ୍କୁ ଅନ୍ତରିକ୍ଷକୁ ପଠାଇସାରିଛି ।

 

ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା

ନୟାଗଡ଼: ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ସୁଧାଂଶୁଙ୍କ ମୁଖରୁ ବାହାରୁଛି ବେଦପାଠ ,ଶ୍ଳୋକ, ରାଷ୍ଟ୍ରପତିଙ୍କ ନାମ ସହ  ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବଡ଼ ଠାକୁର ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବଡ଼ ନଦୀରନାମ ଇଂରାଜୀରେ ଏବଂ ଓଡ଼ିଆରେ କହିବା ଏବଂ ଲେଖିବା ସହ ୫୪ଟି କୁଇଜ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଫଟାପଟ  ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି। ଏଥି ସହିତ ଇଂରାଜୀ ବର୍ଣ୍ଣମାଳା, ଇଂରାଜୀ ଏବଂ  ଓଡିଆ ରାଇମ୍, ଇଂରାଜୀରେ 12ର ମାସର ନାମ , ଶରୀରର ବିଭିନ୍ନ ଅଙ୍ଗ ,ବିଭିନ୍ନ ପ୍ରକାର ରଙ୍ଗ ସହ ପଶୁପକ୍ଷୀ, ଫଳମୂଳ, ପନିପରିବା ,ଶବ୍ଦ ସହିତ ଇଂରାଜୀ ବର୍ଣ୍ଣମାଳା, ଓଡିଆ ଇଂରାଜୀ ରାଇମ୍ ଏବଂ କୁଇଜ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି । ପିଲାଟି ବେଳୁ ସାଇ ସୁଧାଂଶୁଙ୍କ ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଏବଂ ପିଲାଟି ବେଳୁ ପୁଅର ଏଭଳି ପ୍ରତିଭା ଦେଖି ବାପା ,ମାଆ ଏବଂ ପରିବାର ବର୍ଗ ବେଶ ଖୁସି ପ୍ରକାଶ କରିଛନ୍ତି,।

ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ମରିୟମ ରଜା ନାମକ ଏୟାର ହଷ୍ଟେସ କାନାଡା ଟରୋଣ୍ଟୋ ଅବତରଣ ପରେ ନିଖୋଜ ହୋଇଯାଇଥିବା ଜଣାପଡିଛି। ସେ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇ ଯାଇଛନ୍ତି। ସୋମବାର ଇସଲାମାବାଦରୁ ପାକିସ୍ତାନର ଏହି ବିମାନ ଉଡାଣ ଭରି ଟରୋଣ୍ଟୋରେ ଅବତରଣ କରିଥିଲା। ତେବେ କରାଚୀ ଅଭିମୁଖେ ବିମାନ ଯାତ୍ରା କରିବା ପୂର୍ବରୁ ଏୟାର ହଷ୍ଟେସ ମରିୟମ ରିପୋର୍ଟ କରିନଥିଲେ। ତାଙ୍କ ହୋଟେଲ ରୁମ ଖୋଲିବା ପରେ କର୍ତ୍ତୃପକ୍ଷ ତାଙ୍କ ୟୁନିଫର୍ମ ଆବିଷ୍କାର କରିଥିଲେ ଯେଉଁଥିରେ ଲେଖାଥିଲା ଧନ୍ୟବାଦ PIA।୧୫ ବର୍ଷ ଧରି ପାକିସ୍ତାନର ଏହି ବିମାନରେ ନିୟୋଜିତ ହୋଇଥିଲେ ମରିୟମ ରଜ୍ଜା।

ଏୟାରଲାଇନ୍ସ ମୁଖପାତ୍ରଙ୍କ ସୂଚନା ଅନୁସାରେ କାନାଡାରେ ପହଞ୍ଚିବା ପରେ ମରିୟମ ହୋଟେଲ ରୁମରୁ କେଉଁଆଡେ ଚାଲି ଯାଇଥିଲେ । ପାକିସ୍ତାନୀ ଇଣ୍ଟରନ୍ୟାସନାଲ ବିମାନର କ୍ରୁ ମେମ୍ବର ନିଖୋଜର ଏହା ଚଳିତ ବର୍ଷ ଦ୍ଵିତୀୟ ଘଟଣା। ଗତ ବର୍ଷ କାନାରେ ୭ ପାକିସ୍ତାନୀ କ୍ରୁ ମେମ୍ବର ନିଖୋଜ ହୋଇଯାଇଥିଲେ। ଅନେକ ସଦସ୍ୟ କାନାଡାରେ ସବୁଦିନ ପାଇଁ ଅବସ୍ଥାପିତ ହୋଇଯାଉଥିବା ଜଣାପଡିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ PIA ପରିଚାଳନା କାନାଡା କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛିନ୍ତି।

ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଘଟଣା

ନନ୍ଦିଘୋଷ ବ୍ୟୁରୋ: ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଘଟଣା । ୧୦ ଓ ୧୧ ତମ ଖେଳାଳି ଶତକ ଅର୍ଜନ କରିଛନ୍ତି । ୧୨୯ ବଲ୍ରୁ ୧୨୦ ରନର ଅପରାଜିତ ଶତକୀୟ ପାରି ଖେଳିଥିଲେ ଅଫ୍ ସ୍ପିନର ତନୁସ କୋଟିଆନ୍ । ଦ୍ରୁତ ବୋଲର୍ ତୁଷାର ଦେଶପାଣ୍ଡେ ୧୨୯ ବଲ୍ରୁ ୧୨୩ ରନ୍ ଅର୍ଜନ କରିଛନ୍ତି । ତନୁସଙ୍କ ପାଳିରେ ୧୦ ଚୌକା ସହ ୨ଟି ଛକା ରହିଥିବାବେଳେ ତୁଷାର ୧୦ଟି ଛକା ସହ ୮ଟି ଚୌକା ମାରିଛନ୍ତି । ବରୋଦା ବୋଲରଙ୍କୁ ଧୁଲାଇ କରିଥିଲେ ଏହି ଯୋଡ଼ି । ଶେଷ ଓ୍ବିକେଟ ପାର୍ଟନରସିପରେ ବଡ଼ ବଡ଼ ସଟ ଖେଳି ନୂଆ ରେକର୍ଡ ଅର୍ଜନ କରିଛନ୍ତି । ୨୪୦ ବଲରେ ଦଶମ ଓ୍ବିକେଟ ଭାଗିଦାରୀରେ ୨୩୨ ରନ୍ର ପାର୍ଟନରସିପ୍ କରିଥିଲେ । ସେପଟେ ପ୍ରଥମ ଶ୍ରେଣୀ କ୍ରିକେଟରେ ଉଭୟ ପ୍ରଥମ ଶତକ ମଧ୍ୟ ହାସଲ କରିଛନ୍ତି । ୧୧ ନମ୍ବର ସ୍ଥାନରେ ଶିବରାମକ୍ରୀଷ୍ଣାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦେଶପାଣ୍ଡେ । ୨୦୦୦-୦୧ ସିଜନରେ ତାମିଲନାଡ଼ୁ-ଦିଲ୍ଲୀ ମ୍ୟାଚରେ ୧୧୫ ରନ୍ କରିଥିଲେ ଶିବରାମକ୍ରିଷ୍ଣା ।

 

 

ଥାଇଲାଣ୍ଡ ବରକୋଳି ଚାଷ କରି ସଫଳ ଚାଷୀ ଚନ୍ଦନ

ସତ୍ୟବାଦୀ: କଥାରେ ଅଛି ଚାଷ ଅଛି ଯାହାର କି ସୁଖ ତାହାର। ଚାକିରି ଛାଡି ଚାଷ କରି ସ୍ଵାବଲମ୍ବୀ ପାଲଟିଛନ୍ତି ସତ୍ୟବାଦୀ ବ୍ଲକ ଗୁଆଳି ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ଯକୁ ଦେଉଛନ୍ତି ରୋଜଗାର। ପାଲଟିଛନ୍ତି ଅନ୍ଯ ପାଇଁ ପ୍ରେରଣା ।

ଚାଷ ଦେଉଛି ରୋଜଗାର । ଚାକିରୀ ପଛରେ ନଗୋଡେଇ କ୍ଷେତରେ ସୁନାର ଫସଲ ଫଳାଇଛନ୍ତି ସତ୍ଯବାଦୀ ବ୍ଲକ ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଥାଇଲାଣ୍ଡ ବରକୋଳି ଚାଷ କରି ହୋଇଛନ୍ତି ସଫଳ ଚାଷୀ ।  ୧୨ ବର୍ଷ ହେବ ଜୈବିକ ପଦ୍ଧତିରେ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ଯକୁ ଦେଉଛନ୍ତି ରୋଜଗାର।  କଲିକତାରୁ ୨୫୦ଟି ଥାଇଲାଣ୍ଡ ବରକୋଳି ଚାରା ଆଣି ଚାଷ କରି ଦୈନିକ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରୁଛନ୍ତି ।

ବଜାରରେ କୋଳିର ଚାହିଦା ଭଲ ରହିଛି । କୋଳି ସହିତ କାଙ୍କଡ, ପନିପରିବା ଚାରା ପ୍ରସ୍ତୁତ କରି ଚାଷ କରିବା ପାଇଁ ଅନ୍ଯ ଚାଷୀଙ୍କୁ ଦେଉଛନ୍ତି ପ୍ରୋତ୍ସାହନ । ବିଭିନ୍ନ ଟ୍ରେନିଂ ଆୟୋଜନ କରି ଚାଷୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରି ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଚନ୍ଦନଙ୍କ ଜ୍ଞାନ କୌଶଳରେ ପ୍ରେରିତ ହୋଇ ଅନେକଙ୍କର ଚାଷ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି । ତାଙ୍କୁ ଚାଷ କାର୍ଯ୍ଯ ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସାହାର୍ଯ୍ଯ ସହଯୋଗ ଯୋଗାଇଦିଆଯାଉଥିବା ନେଇ ଉଦ୍ଯାନ ବିଭାଗ ଅଧିକାରୀ କହିଛନ୍ତି ।