ସୋରୋ: ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟ୍ରାଭେରା ମୁହାଁ ମୁହିଁ ଧକ୍କା। ଦୁର୍ଘଟଣାରେ ୧୬ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ବିଦୁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରାଭେରାରେ ୧୨ ଜଣ ଝିଅ ଓ ୪ ଜଣ ପୁଅ ଆସୁଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତି କରିଥିଲେ ।ଗୁରୁତର ଡ୍ରାଇଭର ସମେତ ୩ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ୍
କେନ୍ଦୁଝର: ପୋଲିସ ହାତରେ ଧରାପଡ଼ିଲେ ୧୦ ଜଣିଆ ଡକାୟତ ଗ୍ଯାଙ୍ଗ। କେନ୍ଦୁଝର ଚମ୍ପୁଆ ପୋଲିସ ହାତରେ ଧରାପଡିଛନ୍ତି ଏହି ଡକାୟତ ଗ୍ୟାଙ୍ଗ ସଦସ୍ୟ। ଗତକାଲି ରାତିରେ ଚମ୍ପୁଆ ପାଞ୍ଚ ପୋଖରିଆ ନିକଟ ଜଙ୍ଗଲରେ ଡକାୟତି ଯୋଜନାବେଳେ ମାଡ଼ି ବସିଥିଲା ପୋଲିସ। ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବନ୍ଧୁକ, ୨ ଅଫୁଟା ଗୁଳି, ୨ କଟୁରୀ, ୱିକେଟ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି। ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା କରୁଥିଲେ। ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।ଡକାୟତ ଗ୍ୟାଙ୍ଗର ସମସ୍ତ ସଦସ୍ୟ ଚମ୍ପୁଆ ଓ ଆଖ ପାଖ ଅଂଚଳର। ଗିରଫ ୧୦ ଜଣଙ୍କ ମଧ୍ୟରେ ୨ ନାବାଳକ ଅଭିଯୁକ୍ତ ରହିଛନ୍ତି । ଅଭିଯୁକ୍ତ ସିପୁନ ବାରିକ ଏହି ଗ୍ୟାଙ୍ଗର ମୁଖ୍ୟ ବୋଲି ପୋଲିସ କହିଛି ।
ଆଡମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ
ନନ୍ଦିଘୋଷ ବ୍ୟୁରୋ: ପର୍ଣ୍ଣଷ୍ଟାର ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଏପରି କିଛି ଚର୍ଚ୍ଚା ଜୋର ଧରିଛି। ବାସ୍ତବ କଥା କିନ୍ତୁ ଅଲଗା। ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଳ ପରୀକ୍ଷାକୁ ନେଇ ଏବେ ନାନା ସନ୍ଦେହ। ଆଡମିଟ କାର୍ଡରେ ସ୍ଥାନ ପାଇଛନ୍ତି ପ୍ରାର୍ଥୀଙ୍କ ବଦଳରେ ଅଭିନେତ୍ରୀ ସନ୍ନି ଲିଓନି । ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ରିକ୍ରୁଟମେଣ୍ଟ ପରୀକ୍ଷାରେ ଏହି ଆଡମିଟ କାର୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାଁ ସନ୍ନି ଲିଓନି ରହିଥିବାବେଳେ ତାଙ୍କର ଫଟୋ ବି ସ୍ଥାନୀତ ହୋଇଛି । ଏହି ଆଡମିଟ କାର୍ଡକୁ ନେଇ ପୋଲିସ ପରୀକ୍ଷାର ସ୍ବଚ୍ଛତା ଉପରେ ସସପେନ୍ସ ସୃଷ୍ଟି କରିଛି । ରାଜ୍ୟର ୭୫ଟି ଜିଲ୍ଲାର ୨ ହଜାର ୩୮୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ବଡ଼କଥା ହେଉଛି ସନ୍ନି ଲିଓନିଙ୍କ ପରୀକ୍ଷା କେନ୍ଦ୍ର ବି ଆଡମିଟ କାର୍ଡରେ ଦର୍ଶାଯାଇଥିଲା । ତାହା ଥିଲା ତିରଓ୍ବା ତହସିଲ ଅନ୍ତର୍ଗତ କନୌଜସ୍ଥିତ ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ ଗର୍ଲସ୍ କଲେଜ । ଏହି ଘଟଣାରେ କନୌଜ ପୋଲିସର ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଏହି ଦୁଇ ସାଉଥ ଅଭିନେତ୍ରୀ !
ନନ୍ଦିଘୋଷ ବ୍ୟୁରୋ: ନ୍ୟାସନାଲ କ୍ରସଭାବେ ପରିଚିତ ରଶ୍ମିକା ମାନ୍ଦନା ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି । ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହା ଅଚାନକ ଲ୍ୟାଣ୍ଡିଂ କରିଥିଲା । ତେବେ ଏହାକୁ ନେଇ ପାଇଲଟ ଏବଂ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ରଶ୍ମିକା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସୋ ସ୍ପଷ୍ଠଭାବେ ଲେଖିଛନ୍ତି କି, ମୁଁ ମୃତ୍ୟୁମୁଖରୁ ବଞ୍ଚିଛି । ସେ ଫ୍ଳାଇଟରେ ବସିଥିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଗଲା । ଯାହାକୁ ନେଇ ପ୍ରଶଂସକମାନେ ବେଶ ଚିନ୍ତାରେ ପଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ରଶ୍ମିକାଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଥିଲେ ଶ୍ରଦ୍ଧା ଦାସ । ନିଜ ଇନଷ୍ଟାଗ୍ରାମ ପେଜରେ ସେ ଏହାକୁ ସେୟାର କରିବା ସହ ଲେଖିଛନ୍ତି କି, ଏହା ଆପଣ ଗାଣିବା ପାଇଁ, ଆମେ ମୃତୁ୍ୟ ମୁଖରୁ ବଞ୍ଚିଲୁ । ଫ୍ଲାଇଟଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିବାବେଳେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା । ଯେଉଁ କାରଣରୁ ଜରୁରୀକାଳିନ ଅବତରଣ କରିଥିଲା ।
କଂଗ୍ରେସକୁ ଅନାଥ କରିପାରନ୍ତି କମଳନାଥ, ବଢ଼ିଲା ବିଜେପିରେ ମିଶିବା ଚର୍ଚ୍ଚା
ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । କଂଗ୍ରେସକୁ ଅନାଥ କରିପାରନ୍ତି କମଳନାଥ । କଂଗ୍ରେସକୁ ଲାଗିପାରେ ବଡ ଧରଣର ଧକ୍କା । ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଲୋକସଭା ନିର୍ବାଚନ ପୂର୍ବରୁ କମଳନାଥଙ୍କ ଭୂମିକାକୁ ନେଇ ସସପେନ୍ସରେ ଅଛି ରାଜ୍ୟ କଂଗ୍ରେସ । ଶନିବାର କମଳନାଥ ଦିଲ୍ଲୀରେ ପହଞ୍ଚିବା ପରେ ସେ ଦଳ ଛାଡିବା ଆଶଙ୍କା ଘନୀଭୂତ ହୋଇଛି ।
ଯଦିଓ ସେ ବିଜେପି ହାଇକମାଣ୍ଡଙ୍କୁ ଭେଟିନାହାନ୍ତି ତଥାପି ତାଙ୍କ ଗସ୍ତ ପରେ ବିଜେପିର କେତେକ ନେତା କହିଛନ୍ତି ତାଙ୍କୁ ଦଳରେ ସ୍ବାଗତ କରାଯିବ । ଛିନ୍ଦଓ୍ବାରାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଳନାଥଙ୍କ ପୁଅ ନକୁଳନାଥଙ୍କୁ ନେଇ ବି ସସପେନ୍ସ ଜାରି ରହିଛି । କୁହାଯାଉଛି କମଳନାଥ ରାଜ୍ୟସଭାକୁ ଯିବା ଲାଗି ଆଗ୍ରହୀ ଥିଲେ । ମାତ୍ର ତାଙ୍କ ଅନୁରୋଧ ରକ୍ଷା ନହେବାରୁ ସେ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଦଳ ନଛାଡିବା ଲାଗି କମଳନାଥଙ୍କୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ପରାମର୍ଶ ଦେଇଥିବା ଜଣାଯାଇଛି । ୧୯୭୯ରେ କମଳନାଥଙ୍କ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଚାର କରୁଥିବା ବେଳେ ତାଙ୍କୁ ଇନ୍ଦିରା ନିଜର ତୃତୀୟ ପୁଅ ବୋଲି ସମ୍ବୋଧନ କରିଥିଲେ ।
୨୦୧୯ରେ ମଧ୍ୟପ୍ରଦେଶରେ କଂଗ୍ରେସ ଗୋଟିଏ ମାତ୍ର ଲୋକସଭା ଆସନ ଜିତିଥିଲା । ଯଦି କମଳନାଥ ଦଳ ଛାଡନ୍ତି ତେବେ ରାଜ୍ୟ କଂଗ୍ରେସ ଲାଗି ବଡ ଧକ୍କା ଲାଗିପାରେ । ଗତ ୨୦୨୦ରେ ତାଙ୍କର ଘନିଷ୍ଠ କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ।
ବିଜେଡିରେ ମିଶିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା
ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ ବିପ୍ଳବ ଜେନା । ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସେ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ । ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ । ମିଶ୍ରଣ ପୂର୍ବରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶଙ୍ଖ ଭବନ । ବିପ୍ଳବ ଓ ୧୫ଶହ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡିରେ ମିଶ୍ରଣ ସହ କଂଗ୍ରେସ ଶିବିର ନିୟମିତ ଝଟକା ପାଉଛି । କଂଗ୍ରେସ ଛାଡ଼ିଥିବା ପୂର୍ବତନ ରାଜନଗର ବିଧାୟକ ତଥା ପୂର୍ବତନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ, ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କୁ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି । ତେଣୁ ୨୪ ବର୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି । ବିପ୍ଳବ ଜଣେ ଶ୍ରମିକ ନେତା । ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣବ ଜଣାଇଥିଲେ । ବିପ୍ଳବ ମଧ୍ୟ ନିଜ ଆଡୁ ମିଶିବାକୁ କହିଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି । ଏକ ସମନ୍ୱୟ କମିଟି କରି ବିପ୍ଳବଙ୍କ ସହ ମିଶି କାମ କରିବାକୁ ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦଳକୁ ଆସିଥିବା ନେତାମାନଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଣବ ଜଣାଇଛନ୍ତି । ସେହିପରି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି ଯେ, ବିପ୍ଳବ ଜଣେ ଲଢୁଆ ନେତା, ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିକାଶ ଯାତ୍ରାରେ ଅନୁପ୍ରାଣିତ ହୋଇ ବିପ୍ଳବ ଜେନା ବିଜେଡିରେ ମିଶିଛନ୍ତି । ତାଙ୍କ ସହ ମିଶି ଅନୁଗୁଳ ବିକାଶକୁ ଆଗକୁ ନେବାକୁ ସେ ସୂଚନା ଦେଇଛନ୍ତି । ବିପ୍ଳବ ଜେନା ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରେ ମିଶିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି BSKY କାର୍ଡ ଯୋଗୁଁ କାହାର ଚିକିତ୍ସାରେ କିଛି ଅସୁବିଧା ହେଉ ନାହିଁ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ କାମ କରିବାକୁ ବିପ୍ଳବ କହିଛନ୍ତି ।
ମାତିଲେ ମାଓବାଦୀ, ଯବାନଙ୍କୁ ଟାଙ୍ଗିଆରେ ହାଣିଲେ
ବିଜାପୁର: ଛତିଶଗଡ ବିଜାପୁରରେ ମାତିଲେ ମାଓବାଦୀ। ମାଓବାଦୀମାନେ ଯବାନଙ୍କୁ ଟାଙ୍ଗିଆରେ ହାଣିଛନ୍ତି । ଦରଭା ସାପ୍ତାହିକ ହାଟରେ ଡ୍ୟୁଟି କରିବା ବେଳେ ମାଓବାଦୀ ଏହି ଆକ୍ରମଣ କରିଛନ୍ତି । ମାଓବାଦୀଙ୍କ ଏଭଳି କାଣ୍ଡ ନେଇ ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। CAFର କମ୍ପାନୀ କମାଣ୍ଡାଣ୍ଟ ତିଜାଉ ରାମ ଭୂରୀୟାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ମାଓବାଦୀ ସଂଗଠନର ଦର୍ଭା ଗ୍ରୁପର ସଦସ୍ୟ ମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ଯବାନଙ୍କୁ ମୁତୟନ କରାଯାଇଛି।
ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ
ଭୁବନେଶ୍ବର: ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଏସବୁ କଲେଜ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ କରିଥିଲେ। ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ଏହି ସୂଚନା ଦେଇଛନ୍ତି।
୨ ହଜାର ମସିହାରେ ଓଡ଼ିଶାର ୫୪୮ଟି ଡିଗ୍ରୀ କଲେଜ ଥିଲା। ଏବେ ୧ ହଜାର ୪୦ରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ବବିଦ୍ୟାଳୟ ଅଛନ୍ତି । କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଛି। ରାଜ୍ୟରେ ୨୧ଟି ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ଖୋଲିଛି। କଲେଜଗୁଡ଼ିକର ସ୍ଥାୟୀ ଭିତ୍ତଭୂମି ତିଆରି ହୋଇଥିବାରୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲାବରେଟୋରି ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦିର ଲାଭ ନେଇପାରିବେ | ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଯୋଜନା, ମାଗଣା ସିଭିଲ୍ ସର୍ଭିସ କୋଚିଂ ଭଳି ବିଭିନ୍ନ ଯୋଜନା କରାଯାଇଛି। ମୋ କଲେଜ ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରାଉଛନ୍ତି। କଲେଜଗୁଡ଼ିକରେ ଖାଲିଥିବା ପଦବି ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧ ହଜାର ୩୩ ଜଣ ମନୋନୀତ ହୋଇଛନ୍ତି। ଲାପଟପ ଯୋଜନା ଦ୍ବାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପଠା ଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ସୂଚନା ଦେଇଛନ୍ତି। ।
ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ!
ଲକ୍ଷ୍ନୌ: ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଏପରି କିଛି ଚର୍ଚ୍ଚା ଜୋର ଧରିଛି। ବାସ୍ତବ କଥା କିନ୍ତୁ ଅଲଗା। ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଳ ପରୀକ୍ଷାକୁ ନେଇ ଏବେ ନାନା ସନ୍ଦେହ ଉପୁଜିଛି। ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ସ୍ଥାନ ପାଇଛନ୍ତି ସନ୍ନି ଲିଓନି । ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ରିକ୍ରୁଟମେଣ୍ଟ ପରୀକ୍ଷାରେ ଏହି ଆଡମିଟ କାର୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା ।
ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାଁ ସନ୍ନି ଲିଓନି ରହିଥିବାବେଳେ ତାଙ୍କର ଫଟୋ ବି ସ୍ଥାନୀତ ହୋଇଛି । ଏହି ଆଡମିଟ କାର୍ଡକୁ ନେଇ ପୋଲିସ ପରୀକ୍ଷାର ସ୍ବଚ୍ଛତା ଉପରେ ସସପେନ୍ସ ସୃଷ୍ଟି କରିଛି । ରାଜ୍ୟର ୭୫ଟି ଜିଲ୍ଲାର ୨ ହଜାର ୩୮୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ବଡ଼କଥା ହେଉଛି ସନ୍ନି ଲିଓନିଙ୍କ ପରୀକ୍ଷା କେନ୍ଦ୍ର ବି ଆଡମିଟ କାର୍ଡରେ ଦର୍ଶାଯାଇଥିଲା । ତାହା ଥିଲା ତିରଓ୍ବା ତହସିଲ ଅନ୍ତର୍ଗତ କନୌଜସ୍ଥିତ ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ ଗର୍ଲସ୍ କଲେଜ । ଏହି ଘଟଣାରେ କନୌଜ ପୋଲିସର ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।
ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ
ପୁରୀ: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ ୨୧ ତାରିଖରେ ଖୋଲାଯିବ ଟେଣ୍ଡର । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ ମଧ୍ଯରେ ପିପିପି ମୋଡରେ ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ।
ଏହାପରେ ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।
୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି ।

