spot_img
Home Blog Page 2223

ହଜିଗଲା ମାଆର ମମତା, ଜନ୍ମ କଲା ଶିଶୁକୁ କେନାଲରେ ଫିଙ୍ଗିଦେଲା ମାଆ

ହଜିଗଲା ମାଆର ମମତା । ସନ୍ତାନ ଜନ୍ମ ଦେଇ କେନାଲକୁ ଫିଙ୍ଗିଦେଲା ମାଆ । ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଏଭଳି ଅମାନୁଷିକ ଘଟଣା ଘଟିଛି । ଆଜି ନାଲୋକ ନଗର ମୁଣ୍ଡା ହଟିଂ ନିକଟରେ ଯାଇଥିବା ଏକ କେନାଲରେ ଏକ ନବଜାତ ଶିଶୁକନ୍ୟା ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସମାଜସେବୀ ଚିନ୍ମୟୀଙ୍କୁ ଖବର ଦେବା ପରେ ଚିନ୍ମୟୀ ଘଟଣାସ୍ଥଳରେ ପହଞ୍ଚି ନାଲକୋ ପୋଲିସକୁ ସୂଚନା ଦେବା ସହ ପାଣିରୁ ନବଜାତକକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ୍ୟୁ ଘୋଷଣା କରିଛନ୍ତି ।

କୌଣସି ଅବିବାହିତା ଯୁବତୀ ଅନୈତିକ ସମ୍ପର୍କରୁ ଶିଶୁ ଜନ୍ମଦେବା ପରେ ଲୋକଲଜ୍ଜା ଭୟରେ କେନାଲକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

ଟ୍ରକ୍‌ ପଛପଟକୁ ଧକ୍କା ଦେଲା ବାଇକ, ୨ ମୃତ

କଟକ: ଦୁର୍ଘଟଣାରେ ଦୁଇ ମୃତ । କଟକ-ପାରାଦ୍ୱୀପ ରାସ୍ତାର ରାହାମା ତେରମାଣପୁର ମଠସାହିଠାରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍‌ ପଛପଟେ ବାଇକ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାଇକରେ ପାରାଦ୍ୱୀପ ଯାଉଥିବା ବେଳେ ପଛପଟୁ ଏକ ଟ୍ରକକୁ ପିଟିଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ସଠିକ ପରିଚୟ ମିଳିନାହିଁ । ଘର କୁଜଙ୍ଗ ବିଶ୍ୱାଳି ସାହି ବୋଲି ଅନୁମାନ କରାଯାଉଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ସ୍ବାମୀ- ସ୍ତ୍ରୀ ମୃତ । ମୃତ ଦମ୍ପତି ଦୁହେଁ ଆଇଅତିପୁର ଗାଁର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଗଞ୍ଜାମରେ ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ

ଗଞ୍ଜାମ : ଟ୍ରାକ୍ଟର ଓଲଟି ଦୁଇ ମହିଳାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପାତ୍ରପୁର କେ. ନୂଆଗାଁ ଥାନା ଆମୁଣ୍ଡି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନମଳା ଟ୍ରାକ୍ଟର ଓଲଟି ଦୁଇଜଣ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି। ଚୈତନ୍ୟଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକ ଓ ମୁରଲୀ ନାଇକଙ୍କ ସ୍ତ୍ରୀ ଧାନ ଅମଳ ପାଇଁ ଯାଇ ଟ୍ରାକ୍ଟରରେ ଫେରୁଥିଲେ। ଟ୍ରାକ୍ଟର ପଛକୁ ଲାଗିଥିବା ମେସିନଟି କୌଣସି କାରଣରୁ ଓଲଟି ପଡିଥିଲା। ଦୁଇ ମହିଳା ମେସିନ ତଳେ ଚାପିହୋଇ ରହିଯାଇଥିଲେ।

ସ୍ଥାନୀୟ ଲୋକେମାନେ ଉଭୟଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲାI ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଶ୍ରୀକ୍ଷେତ୍ର ଆସିବ

ପୁରୀ: ପୁରୀ ଆସିବ ଅର୍ପଣ ଟଙ୍କା। ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ  ଲାଗିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ତେବେ ଅର୍ପଣ ରଥରେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲରେ ଜମା ହେବ । ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲରେ ଦେବେ। ୨୫ ତାରିଖ ପର୍ଯ୍ୟନ୍ତ ଏହି ସେଲରେ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଏହି ଟଙ୍କା ଗଣତି କରି ରଖିବେ ।

ସେହିପରି ଅର୍ପଣ ରଥରେ ସଂଗୃହୀତ ଗୁଆ, ଅରୁଆ ଚାଉଳ ଓ ନଡ଼ିଆ ଆଣି ପ୍ରତ୍ୟେକ ଜିଲ୍ଲାରୁ ପୁରୀକୁ ଆସିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରୁ ଆରମ୍ଭ କରାଯିବ । ନିଜ ଜିଲ୍ଲାରୁ ବସରେ ଲୋକମାନେ ୨୪ ତାରିଖରେ ବାହାରିବେ। ପୁରୀରେ ପହଞ୍ଚି ୨୫ ତାରିଖରେ ଅରୁଆ ଚାଉଳ, ଗୁଆ ଗୁଣ୍ଡିଚା ମନ୍ଦିରରେ ସେମାନଙ୍କଠାରୁ ଗ୍ରହଣ କରାଯିବ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଲୋକ ଆସି ପ୍ରଥମେ ସଙ୍ଗମ ପାର୍କିଂରେ ପହଞ୍ଚିବେ। ସେମାନେ ଆଣିଥିବା ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଦେବା ପରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବେ। ସମଙ୍ଗଠାରେ ୧୦ ହଜାର ଲୋକଙ୍କ ଖାଇବା ସହ ବିଶ୍ରାମ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ପ୍ରତି ଲୋକଙ୍କୁ ତାଳପତ୍ର ଭୋଗେଇରେ ଶୁଖିଲା ମହାପ୍ରସାଦ ପ୍ରଦାନ କରାଯିବ । ଏଥିପାଇଁ ସୁଆର ମହାସୁଆର ନିଯୋଗଙ୍କୁ ଦାୟିତ୍ୱ ଦିଆଯାଇଛି ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେଲେ ସେଲିବ୍ରେଟି

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍କଣ୍ଠା ବଢୁଛି। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସାରା ଦେଶରେ ଉତ୍ସାହର ମାହୋଲ ଥିବା ବେଳେ ଅଯୋଧ୍ୟାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଥିରେ ସାମିଲ ହୋଇଛନ୍ତି ସିନେମା ଜଗତର ବହୁ ନାମିଦାମୀ ସେଲିବ୍ରେଟି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ  ଅନେକ ସେଲିବ୍ରେଟି ଅଯୋଧ୍ୟାରେ ପହଞ୍ଚି ସାରିଲେଣି ତ ଆଉ କିଏ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଛନ୍ତି।

ଆଜି ଭୋରୁ ମୁମ୍ୱାଇ ବିମାନ ବନ୍ଦରରେ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ନଜର ଆସିଛନ୍ତି । ଉଭୟ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ଏହାସହ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି  ଆଲୟା ଓ ରଣବୀର । ରଣବୀର ଧୋତି, କୁର୍ତା ପିନ୍ଧିଥିବା ବେଳେ ଆଲିୟା ସାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ  ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ, ବଲିଉଡ୍ ଅଭିନେତା ଅମିତାଭ୍ ବଚ୍ଚନ ଓ ପୁଅ ଅଭିଷେକ୍ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ୍‍, ବିକି କୌଶଲ ବାହାରିଛନ୍ତି ।  ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ସ୍ୱାମୀଙ୍କ ସହ ଅଯୋଧ୍ୟା ଗସ୍ତ କରିଛନ୍ତି।

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ ଅନେକ ସେଲିବ୍ରେଟି ।

ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ। କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ ମାରିବାକୁ କରିଛି ଯୋଜନା। ନାରଦଙ୍କ ପରାମର୍ଶ କ୍ରମେ ମଥୁରାରେ ଆୟୋଜନ କରିଛି ଧନୁଯାତ୍ରା। ଏଥିପାଇଁ ନିଜର ସମର୍ଥିତ ସମସ୍ତ ଅସୁର ରାଜାଙ୍କ ସହଯୋଗ ଲୋଡିଛି। ଆଜି ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଅକ୍ରୁର ଗୋପପୁର ଯାତ୍ରା କରିବେ । ଯମୁନାରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଭାବବିହ୍ବଳ ହେବେ ଭକ୍ତ ଅକ୍ରୁର। ଏହାପରେ କୃଷ୍ଣ ବଳରାମଙ୍କ ସହ ସାକ୍ଷାତ କରିବେ।

ସେପଟେ ଗୋପରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ। ବର୍ଷା ଓ ଝଡରୁ ଗୋପପୁରବାସୀଙ୍କୁ ଲକ୍ଷା କରିବାକୁ ନିଜର ଆଙ୍ଗୁଠିରେ ଧାରଣ କରିବେ ଗିରି ଗୋବର୍ଦ୍ଧନ। ଯାତ୍ରାର ସପ୍ତମ ଦିନରେ ଗୋପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼। ଦେବଗଡ଼ ମନୋବନ୍ଧରେ ଏହି ଦୃଶ୍ୟକୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ। ସେହିପରି ଗୋପରେ କଂସଙ୍କ ଅସୁର ରାଜାଙ୍କ ସହ ମନ୍ତ୍ରଣା, ବିଭିନ୍ନ ଅଫିସରଙ୍କ ସହ ଆଲୋଚନା ସାଙ୍ଗକୁ ଦୁର୍ଗା ମନ୍ଦିରରେ ପୂଜା ଦୃଶ୍ୟ ଅଭିନିତ ହୋଇଥିଲା।

ସାରା ରାଜ୍ୟରେ କୋହଲା ପାଗ, ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହଲୁକା ବର୍ଷା ହୋଇଛି । ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କୋହଲା ପାଗ ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଘନ କୁହୁଡି ପାଇଁ ଆଜି ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି ।

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ

ସମ୍ୱଲପୁର : ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ ସମଲେଇ ପୀଠର ରୂପାନ୍ତରିତ ରୂପ। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ସାରା ଓଡ଼ିଶା। ପବିତ୍ର ଦିବସରେ ମହାଯଜ୍ଞ ପାଇଁ ଆଜି ହେବ ଅଙ୍କୁରାରୋପଣ। ଏହାପରେ ଆରମ୍ଭ ହେବ ହୋମଯଜ୍ଞ। ୨୪ ତାରିଖରେ କଳସ ଯାତ୍ରା ସହ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମାଆଙ୍କ ପୀଠରେ ଅଧିବାସ କରାଯିବ। ୨୭ରୁ ଯଜ୍ଞ ଆରମ୍ଭ ସହ ମନ୍ଦିରର ୪ ଦ୍ବାର ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟିରେ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତି କରାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ୩୧ତାରିଖରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ।

ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାବାବେଗକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ । ସିନ୍ଦୂର ଓ ଚୁନରି ମାଆଙ୍କର ଅତ୍ୟନ୍ତ ପ୍ରିୟ। ଭକ୍ତଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩୦ ତାରିଖ ପରଠାରୁ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ସିନ୍ଦୂର ଓ ଚୁନରି ଅର୍ପଣ କରିବେ।

ଆଜି ନୟାଗଡ଼ରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା

ନୟାଗଡ : ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର । ଦେଶରେ ରାମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଫତେଗଡ଼ ନିକଟ ପାହାଡ଼ ଉପରେ ଭବ୍ୟ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରତିଷ୍ଠା ଅବସରରେ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଯୋଗଦେବେ । ପ୍ରତିଷ୍ଠା ପରେ ପ୍ରଥମେ ରାମଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ। ପାହାଡ଼ ଶୀର୍ଷରେ ରାମ ମନ୍ଦିରର ସୁନ୍ଦର କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଆଖି ଲାଖି ଗଲା ପରି କାରୁକାର୍ଯ୍ୟ ସହ ପ୍ରାକୃତିକ ପରିବେଶରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ରହିଛି ଏହି ମନ୍ଦିର।

ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ୱ ପୁଞ୍ଜିରେ ମନ୍ଦିର ନିର୍ମାଣ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ରାମ ମନ୍ଦିର ନିର୍ମାଣ କରିଛନ୍ତି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୫ ଫୁଟ । କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର । ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଚତୁଃପାର୍ଶ୍ବ ।

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ସାରା ଦେଶରେ ଉତ୍ସୁକତା

ଅଯୋଧ୍ୟା : ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଦେଶରେ ଉତ୍ସୁକତା । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ। ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ଉତ୍ସବକୁ ନେଇ ଅଯୋଧ୍ୟାରେ ୧୩ ହଜାର ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି । ଉତ୍ସବରେ ସାମିଲ ହେବାକୁ ସୁପରଷ୍ଟାର ଅମିତାଭ ବଚ୍ଚନା, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଏମଏସ ଧୋନିଙ୍କୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଣ୍ଟିବମ୍ବ ଓ ଡଗସ୍କ୍ୱାଡ ମୁତୟନ ହୋଇଛନ୍ତି । ଏନଡିଆରଏଫ ବି ମୁତୟନ ହୋଇଛନ୍ତି ।

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ମହୀଶୂରର ସ୍ଥପତି ଅରୁଣ ଯୋଗୀରାଜ ୫୧ ଇଞ୍ଚର ରାମ ଲାଲା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବା ବେଳେ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି। ଯେକୌଣସି ପ୍ରକାର ରାସାୟନିକ, ଜୈବିକ, ତେଜଷ୍କ୍ରିୟ ଓ ଆଣବିକ ଆକ୍ରମଣ କ୍ଷେତ୍ରରେ ରେସ୍କ୍ୟୁ ଲାଗି ପ୍ରସ୍ତୁତ ରହିଛି ଏନଡିଆରଏଫ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି କେନ୍ଦ୍ର ସରକାର ହାଫ-ଡେ ଘୋଷଣା କରିଥିବା ବେଳେ ଓଡ଼ିଶାରେ ବି ହେବ ହାଫ ଡେ ।