spot_img
Home Blog Page 2236

ଆଜି ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ବଢ଼ିବ ବିରୋଧୀଙ୍କ ବଳ । ମଙ୍ଗଳବାର ଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ । ସିଟ୍ ସେୟାରିଂ, ମିଳିତ କାର୍ଯ୍ୟକ୍ରମ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ସଂସଦରେ ନିରାପତ୍ତା ତ୍ରୁଟି, ବେକାରୀ ଆଦି ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ବହୁ ନେତା ସାମିଲ ହେବା ଆଶା କରାଯାଉଛି । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ବ୍ୟାପକ ପରାଜୟ ପରେ ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ । ସଂସଦ ଭବନ ପରିସରରେ ଏହି ବୈଠକ ବସିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ପରେ ଏହାକୁ ଏକ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଛି ।

ଘର ଆଗରୁ ୬ ବର୍ଷୀୟା ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ

ଦେବଗଡ଼: ଦେବଗଡ଼ରେ ଚାଞ୍ଚଲ୍ୟ । ଘର ଆଗରୁ ୬ ବର୍ଷୀୟା ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ସହରର ମୁଖ୍ୟ ବଜାରରେ ଏପରି ଘଟଣା ଘଟିଛି । ଘର ଆଗରେ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ କେହି ଦୁର୍ବୃତ୍ତ ଝାମ୍ପିନେଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ପଲସର ବାଇକରେ ଆସି ଅପହରଣ କରିନେଇଥିବା ଜଣାପଡିଛି।

ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା ଝିଅ ପିହୁ ଅଗ୍ରୱାଲକୁ ଅପହରଣ କରାଯାଇଛି। ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ଆଦର୍ଶ ଥାନା ପୋଲିସ। ରାଞ୍ଚି-ବିଜୟୱାଡା ରାସ୍ତାରେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ ଙ୍କ ସମେତ ଥାନା ଅଧିକାରୀ ସରୋଜ ସେଠି ଘଟଣାର ତଦନ୍ତ କରିବା ସହ ସମସ୍ତ ରାସ୍ତାକୁ ସିଲ କରିଥିବା ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅପହରଣ କାରି କିମ୍ବା ଅପହୃତା ଶିଶୁ କନ୍ୟାର କୌଣସି ସନ୍ଧାନ ମିଳିନଥିବା ବେଳେ ଜିଲ୍ଲାର ସମସ୍ତ ରାସ୍ତାରେ ଯାନବାହାନ ଯାଞ୍ଚ କରୁଛି ପୋଲିସ।

ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ କର୍ପୋରେଟ ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ। ଭୁବନେଶ୍ବର ଜୟଦେବ ବିହାର ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଏକର ପରିମିତ ଜାଗାରେ ନିର୍ମିତ ଏହି ପ୍ଲାଟିନମ ରେଟେଡ୍ ଗ୍ରୀନ ବିଲ୍ଡିଂ ସହରର ଏକ ନୂତନ ଲ୍ୟାଣ୍ଡମାର୍କ ସାଜିବ । ଏହି ନୂଆ ବିଲ୍ଡିଂ ସହ ଏହାର ଡ୍ରିଲ କୋର ଲାଇବ୍ରେରୀ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିବା ସହ ୭ଟି ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର, ୧୦ଟି ନମୁନା ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ ଓ ୬ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଆରୋଗ୍ୟ ବାହିନୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜରେ କ୍ରୀଡା, ସ୍ବାସ୍ଥ୍ୟ, ଶିକ୍ଷା ଓ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଓଏମସି ସବୁବେଳେ ପ୍ରୟାସ ଜାରି ରଖିଛି। ନିଜର ନୂଆ କର୍ପୋରେଟ ଅଫିସ ପାଇଁ ଓଏମସିକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର କୁର୍ମିତାର ଠାରେ ଥିବା ଓଏମସି କୁର୍ମିତାର ଲୌହ ଖଣି ନମୁନା ପ୍ରକ୍ରିୟା କରଣ କେନ୍ଦ୍ର ଓ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୩ଟି ସ୍ଥାନ ଶୁଆକାଟୀ, ବଡ଼ବିଲ ଓ ଦୈତାରୀ ଠାରେ OMC ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ୩ଟି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା ଜିଲ୍ଲାର OMC ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଉତ୍ତମ ଶିକ୍ଷା ଓ ସ୍ଵାସ୍ଥ୍ୟସେବା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଧାମନଗରର ଧାର୍ମିକ ସ୍ଥଳ ‘ଖାନଓ୍ବା’ରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର

ଧାମନଗର: ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନଓ୍ବାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଏଥିରେ ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନଓ୍ବାରେ ଏକ ପାଣି ଟାଙ୍କି ସହ ଜଳଯୋଗାଣର ସୁବ୍ୟବସ୍ଥା କରାଯିବ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଧାମନଗର ଗସ୍ତ ଅବସରରେ ଖାନଓ୍ବାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏନେଇ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ପାଣି ଟାଙ୍କୀ ଓ ଜଳଯୋଗାଣ ସୁବିଧା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି। ପୀରବାବା ହୁଜୁର ମୁଜାହିଦ ଏ ମିଲାତପେଙ୍କ ଅନୁଗାମୀମାନେ ପ୍ରତିଦିନ ବହୁ ସଂଖ୍ୟାରେ ଖନଓ୍ବାକୁ ଆସିଥାନ୍ତି। ପୀରବାବା ହୁଜୁର ମୁଜାହିଦଙ୍କ ଉର୍ସ ଉତ୍ସବ ସମୟରେ ଏଠାରେ ବିଶେଷ ଭିଡ ପରିଲକ୍ଷିତ ହୋଇଥାଏ । ସେଠାରେ ଜଳଯୋଗଣରେ ଉନ୍ନତି ହେବା ଦ୍ୱାରା ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଉର୍ସ ମୁଜାହିଦ ଏ ମିଲାତ କମିଟିର ସଦସ୍ୟମାନଙ୍କ ସମେତ ୨ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେବେ। ସେମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ହୋଇଥିବାରୁ ଧାମନଗର ଅଞ୍ଚଳର ମୁସଲମାନ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଶୀତ ଦିନେ ବି ପରିବା ଦର କମିବାର ନାଁ ଧରୁନାହିଁ। ରାଜ୍ୟରେ ଉତ୍ପାଦନ କମୁଥିବାରୁ ଆମଦାନୀ ପରିବା ଉପରେ ଭରସା କରିବାକୁ ପଡୁଛି। ଭେଣ୍ଡି, ପୋଟଳ, ବିନ୍ସ, ବାଇଗଣ, ସାରୁ ସବୁ ପରିବା ଦର ଉପରମୁହାଁ। ତା ସାଙ୍ଗକୁ ଗ୍ରାହକଙ୍କୁ ଘାଇଲା କରୁଛି ଅଦା, ରସୁଣ ଦର। ରସୁଣ କିଲୋ ୩୦୦ଟଙ୍କା ଉପରେ, ଅଦା ୨୦୦ ଛୁଇଁଲାଣି। ଶୀତଦିନରେ ସାଧରଣତଃ ପରିବା ଅମଳ ସମୟ ହୋଇଥିବାରୁ ଦର କମିଥାଏ। ହେଲେ ଏବେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର କମିବା ବଦଳରେ ବଢିଚାଲିଛି।

ସାଧାରଣତଃ ଶୀତ ଦିନରେ ବାଇଗଣ, କୋବି, ଶିମ୍ବ, କଲରା, ଜହ୍ନି ଭଳି ପରିବା ସ୍ଥାନୀୟ ମାର୍କେଟରେ ଉପଲବ୍ଧ ହୋଇଥାଏ । ହେଲେ ପରିବା ଚାଷ କମୁଥିବାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ବେଙ୍ଗାଲୁରୁ ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ପରିବାର ଦର ବଢୁଛି। ଭେଣ୍ଡି, କାଙ୍କଡ଼ ୫୦ ଟଙ୍କା, ସଜନା ଛୁଇଁ-୬୦, ବିନ୍ସ-୮୦, ଝୁଡ଼ଙ୍ଗ, ପୋଟଳ, ଜହ୍ନି, କଲରା ସବୁ କିଛି ୬୦ ଉପରେ ରହିଛି । ଏବେ ଓଡ଼ିଶାରୁ କେବଳ ଫୁଲକୋବି ମାର୍କେଟକୁ ଆସିଥିବାରୁ ଏହାର ଦର ଟିକେ କମ୍ ରହିଛି। ହେଲେ ଅନ୍ୟ ସବୁ ପରିବା ପାଇଁ ବାହାର ରାଜ୍ୟ ହିଁ ଭରସା।

ହୋଲସେଲ ମାର୍କେଟରେ ପରିବା ଦର ଯାହା, ଖାଉଟିଙ୍କ ପାଖରେ ପହଞ୍ଚିଲା ବେଳକୁ ଏହା ବଢିଯାଉଛି। ବେଙ୍ଗାଲୁରୁ ଓ ନାସିକରୁ ନୂଆ ପିଆଜ ଏବେ ଆସିବା କଥା, ହେଲେ ସେଥିରେ ବିଳମ୍ବ ହେଉଥିବାରୁ ଦର ନିୟନ୍ତ୍ରଣକୁ ଆସୁନାହିଁ। ରାଜ୍ୟର ସବୁ ଜାଗାରେ ପିଆଜ ସାଙ୍ଗକୁ ପରିବା ବି ଚଢା ଦର ରହିଛି। ଦର ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ଥିବା ବେଳେ ବେପାରୀ ମଧ୍ୟ ଖୁସି ନାହାନ୍ତି।

ମଙ୍ଗଳବାର ବୁଖାରିକୁ ରିମାଣ୍ଡରେ ଆଣିବ STF

ଭୁବନେଶ୍ୱର: ୫ ଦିନ ରିମାଣ୍ଡରେ ଆସିବ କାଶ୍ମୀର ଠକ ସୟଦ ଇଶାନ ବୁଖାରୀ। ଆସନ୍ତାକାଲି ବୁଖାରିକୁ ରିମାଣ୍ଡରେ ଆଣିବ STF। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା STF। ରିମାଣ୍ଡ ସମୟରେ ଠକେଇ ନେଇ ହେବ ଅଧିକ ଖୋଳତାଡ଼। ପିଏମଓରେ ଚାକିରି କରିଥିବା କିମ୍ବା ନ୍ୟୁରୋଲୋଜିଷ୍ଟ ଭାବେ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲା ବୁଖାରୀ। ବୁଖାରୀଠାରୁ ଅନେକ ନଥିପତ୍ର ଜବତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି  । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା ତଥ୍ୟ ବାହାର କରିବା ପାଇଁ SFSLକୁ ପଠାଯାଇଛି ଜବତ ମୋବାଇଲ । ଏନଆଇଏ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ମାମଲାର ତଦନ୍ତ କରିବ ।

ଅପରପକ୍ଷେ ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ୭ ଜଣ ମହିଳାଙ୍କୁ ସେ ବିବାହ କରିଥିବା ନେଇ ମିଳିଛି ସୂଚନା । ଖୁବଶୀଘ୍ର ଏହି ୭ ଜଣ ମହିଳାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ । କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା ଇଶାନ । ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା STF ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ରଗଡି ସ୍ଥିତ ଉପକାରାଗାରକୁ ପଠାଯାଇଛି।

ଯାଜପୁର ମିଲତ ନଗର ଭଡାଘରେ ରହିବା ସହ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲେ । ୨୦୨୦ରେ ଧର୍ମଶାଳାରେ ଆଧାର କାର୍ଡ ପାଇଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । ତେବେ ଆବଶ୍ୟକୀୟ ଡ଼କୁମେଣ୍ଟ ଦେଖାଇ ନପାରିବାରୁ ଆଧାର କାର୍ଡ ହୋଇପାରି ନଥିଲା।

ଅପପ୍ରଚାର କରୁଥିବା ଲୋକଙ୍କୁ ଓଡ଼ିଶାର ରୂପାନ୍ତରୀକରଣ କାମ ଦେଖାଯାଉନି: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କେନ୍ଦ୍ରାପଡା: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି ତେରଛା ବାଣ ମାରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି ।

ରୂପାନ୍ତରଣର ଅର୍ଥ ବୁଝାଇବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଆଗକୁ ବଢ଼ିଛି ତା’ର ସବୁ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଥିଲେ। ତେବେ ଏଭଳି ରୂପାନ୍ତିକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ। ସେମାନେ ଆଖି ଥାଇ ଅନ୍ଧ। ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି ମଧ୍ୟ କହିଛନ୍ତି।

କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମଭୂମି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ କେନ୍ଦ୍ରାପଡ଼ର କେମିତି ଉନ୍ନତି ହେବ ସେନେଇ ବରାବର ଚେଷ୍ଟିତ । କେନ୍ଦ୍ରାପଡ଼ାରେ ବିଶ୍ବର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି । ଆର୍ସଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା ସେମାନଙ୍କ କାରଖାନା ପ୍ରତିଷ୍ଠା କରିବା ପରେ ଜିଲ୍ଲାର ରୂପରେଖ ବଦଳିଯିବ। ଯୁବପିଢ଼ି ନିଯୁକ୍ତି ପାଇବେ। ଜିଲ୍ଲାରୁ ଆସୁଥିବା ସବୁ ଦାବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇମାସ ସୁଦ୍ଧା ରୂପାନ୍ତରଣ ସରିବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ଦକ୍ଷତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ସଂପର୍କରେ ପାଣ୍ଡିଆନ ଲୋକଙ୍କୁ ସୂଚନା ଦେଇଥିଲେ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ମୂଳମନ୍ତ୍ରକୁ ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କରୁଥିବା ନେଇ ସୂଚନା ଦେଇଥିଲେ। ୨୦୦୭ ମସିହାରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। କୃଷି ଉତ୍ପାଦନ ଓ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ ନୂଆନୂଆ ଯୋଜନା ହାତକୁ ନେଉଥିବା ନେଇ ପ୍ରକାଶ କରିଛନ୍ତି। ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି କହିବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି।

କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ବିଶ୍ବ ତା’ର ସାକ୍ଷୀ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ଗୋଟେ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ରାଜସ୍ବ ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି । ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, BSKY ଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟ ସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡ଼ା ଗସ୍ତ ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଛନ୍ତି।

ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାଇିରମ ସେକେଣ୍ଡାରୀ ସ୍କୁଲ ଓ କଲେଜ ପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା
ଶ୍ରୀଜଗନ୍ନାଥ ହାଇଅର ସେକେଣ୍ଡାରୀ ସ୍କୁଲ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଂଜପର ହୋଇଥିବା ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। କେରଡ଼ାଗଡ଼ଠାରେ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ କେନ୍ଦ୍ରାପଡ଼ା ତାଙ୍କ ଶ୍ବଶୁର ଘର ବୋଲି କହିବା ସହ କେନ୍ଦ୍ରାପଡ଼ା ପାଇଁ କରାଯାଇଥିବା ବିକାଶ କାମର ଠିକଠିକ୍ ହିସାବ ନଦେଲେ ଘରେ ଅସୁବିଧାରେ ପଡ଼ିବେ ବୋଲି ମଜା କରି ୫ T ଅଧ୍ୟକ୍ଷ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଫେବ୍ରୁଆରୀ ମାସ ସୁଦ୍ଧା ଲକ୍ଷ୍ମୀ ବସ୍ ଗଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ଦିଲ୍ଲୀ ମଦ ନୀତି ମାମଲା; ପୁଣି ବଢ଼ିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ

0

ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ। ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଗୁରୁବାର ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ପୂର୍ବରୁ ଗତ ନଭେମ୍ବରରେ ହାଜର ହେବା ଲାଗି ସମନ ଜାରି ହୋଇଥିଲେ ମଧ୍ୟ ସେ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଲାଗି ଯାଉଥିବାରୁ ଇଡିରେ ହାଜର ହୋଇପାରି ନଥିଲେ। ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୩ଥର ସମନକୁ ଏଡାଇ ଦେଇପାରିବେ। ଏହା ପରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ।

ଗତ ଏପ୍ରିଲରେ ତାଙ୍କୁ ମଦନୀତି ମାମଲାରେ ଇଡି ୫୬ଟି ପ୍ରଶ୍ନ ପଚାରିଥିଲା। ଏହି ମାମଲାରେ ଗିରଫ ହୋଇସାରିଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂ।

ରାଉରକେଲାରେ ଝାଡ଼ାବାନ୍ତି ଆକ୍ରାନ୍ତ; ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାଉରକେଲା: ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ରାଉରକେଲାରେ ସ୍ବାସ୍ଥ୍ୟ ଟିମର ତନାଘନା। ସହରରେ ୫୯୫ ଜଣ ସଂକ୍ରମିତ ହୋଇଥିବାବେଳେ ୧୬୨ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

ସହରର ୧୨ଟି ଓ୍ବାର୍ଡରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଳ ଜନିତ ରୋଗ ହୋଇଥାଇପାରେ ବୋଲି ସନ୍ଦେହ କରି ଜଳ କଲଚର୍ କରିବାକୁ ପଠାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଓ୍ବାଟକୋକୁ ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଏହା ଜଳରୁ ବ୍ୟାପିନଥିବା ଓ୍ବାଟକୋ ପକ୍ଷରୁ କୁହାଯାଇଛି। ୧୮ ଟି ଟିମ ବିଭିନ୍ନ ସ୍ଥାନରେ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ପାଣି ପାଇପ କେଉଁଠି ଲିକେଜ ଅଛି ଯାଞ୍ଚ କରୁଛନ୍ତି।

ଏପଟେ ରାଉରକେଲାର ସରକାରୀ ଡାକ୍ତରଖାନାରେ ୧୩୦ ଜଣ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ ସହରରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରତିକାର ପାଇଁ ୬ଟି ରାପିଡ ରେସପନ୍ସ ଟିମ୍ ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ ମେଡ଼ିକାଲ କଲେଜରୁ ୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ଘଟଣାରେ ଜିଲ୍ଲାପାଳ ଲଗାତର ରିଭ୍ୟୁ କରୁଛନ୍ତି। ହସ୍ପିଟାଲରେ ରୋଗୀଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଛନ୍ତି ଶ୍ରମମନ୍ତ୍ରୀ। ତେବେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ଫୁଡ୍ ସେଫଟି ଅଫିସର।

୨୦ ବର୍ଷିୟ ଯୁବତୀଙ୍କ କିଡନୀରୁ ବାହାରିଲା ୩ଶହ ଷ୍ଟୋନ୍, ପ୍ରତିଦିନ ପିଉଥିଲେ ଏହିସବୁ ଜିନିଷ

ତାଇୱାନ୍: ତାଇୱାନର ୨୦ ବର୍ଷିୟ ଯୁବତୀ ୟାଓ ୟୁଙ୍କ କିଡନୀରୁ ବାହାରିଲା ୩ଶହ ଷ୍ଟୋନ୍। ଜ୍ବର ଓ ତଳିପେଟ ଯନ୍ତ୍ରଣା ପରେ ଅଲଟ୍ରାସାଉଣ୍ଡ ସ୍କାନ୍ ରେ ଜଣା ପଡିଥିଲା ଏସମ୍ପର୍କରେ। ମହିଳା ଜଣକ ଦୀର୍ଘବର୍ଷ ଧରି ପିଉନଥିଲେ ପାଣି। ଶୋଷ ହେଲେ ବବଲ୍ ଚା, ଫଳ ରସ ଓ ମଦ୍ୟପାନ କରୁଥିଲେ।  ଫଳରେ କିଡନୀ ସଠିକ୍ ଭାବରେ କାର୍ଯ୍ୟ କରୁନଥିଲା।

ଫଳ ରସ, ମଦ ଓ ବବଲ ଚା କିଡନୀରେ ଖଣିଜ ପଦାର୍ଥ ଜମା ହେବା ଯୋଗୁଁ ଷ୍ଟୋନ ହୋଇଥିଲା। ପ୍ରତ୍ୟେକ ଷ୍ଟୋନ୍ ର ସାଇଜ ୫ ଏମଏମରୁ ୨ ସିଏମ ମଧ୍ୟରେ ରହିଥିଲା। ଗୋଟିଏ ସ୍ଥାନରେ ଗଦା ହୋଇ ରହିଥିବା ଏହି ଷ୍ଟୋନ୍ ବନ୍ ବ୍ରେଡ ଭଳି ଦେଖାଯାଉଥିଲା। ତାଇୱାନର ଚି ମେଇ ଡାକ୍ତରଖାନାରେ ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ଏହି ସମସ୍ତ ଷ୍ଟୋନ୍ କୁ ବାହାର କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ଦୀର୍ଘ ୨ଘଣ୍ଟା ଧରି ଅସ୍ତ୍ରୋପଚାର କରି ଏହି ସମସ୍ତ ଷ୍ଟୋନ୍ ବାହାର କରିଥିଲେ। ଏହି ଅସ୍ତ୍ରୋପଚାରକୁ ପରକ୍ୟୁଟାନିୟସ ନେଫ୍ରୋଲିଥୋଟୋମି ବୋଲି କୁହାଯାଏ।

ଅସ୍ତ୍ରୋପଚାରର କିଛି ଦିନ ପରେ ସଂପୃକ୍ତ ଯୁବତୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଯୁବତୀଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତର ଲିମ୍ ଚେୟେ ୟାଙ୍ଗ କହିଛନ୍ତି ଯେ, ପର୍ଯ୍ୟାପ୍ତ ପାଣି ଅଭାବରୁ କିଡନୀରେ ଷ୍ଟୋନ୍ ହୋଇଥିଲା। ଶରୀରରେ କାଲସିୟମ ଓ ପ୍ରୋଟିନର ଅଭାବ ମଧ୍ୟ କିଡନୀ ଷ୍ଟୋନ୍ ହେବାର ମୁଖ୍ୟ କାରଣ। ମହିଳାଙ୍କ ତୁଳନାରେ ପୁରୁଷଙ୍କ ଶରୀରରେ ସର୍ବାଧିକ କିଡନୀ ଷ୍ଟୋନ୍ ହେବା ଆଶଙ୍କା ରହିଥାଏ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ କିଡନୀ ଷ୍ଟୋନ୍ ହେବା ଆଶଙ୍କା ୯.୪ ପ୍ରତିଶତ କମ ହୋଇଥାଏ।