ଇସଲାମବାଦ: ପାକିସ୍ତାନର କରାଚିରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର । ଅସୁସ୍ଥ ହେବା ପରେ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।
‘ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍’
ଭୁବନେଶ୍ବର: ପ୍ରମେୟ ୧୨ ବର୍ଷ ପୂର୍ତ୍ତି ଓ NEWS-7ର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଏଡ଼ିଟର ସାନ୍ତ୍ବନା ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିକୂଳ ପରିସ୍ଥିତି ଭିତରେ ସାମ୍ବାଦିକମାନେ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ରଖିଛନ୍ତି । ଉତ୍ତର ପ୍ରଦେଶର ଓ କାଶ୍ମୀରରେ ବିପଦପୂର୍ଣ୍ଣ ରିପୋର୍ଟିଂ, ସିରିଆରେ ବିପଦପୂର୍ଣ୍ଣ ରିପୋର୍ଟିଂ ସମୟର ତିକ୍ତ ଅନୁଭୂତ ଓ ଅଭିଜ୍ଞତା ବଖାଣିଛନ୍ତି । ଯେ କୌଣସି ପରିସ୍ଥିତିରେ ସାମ୍ବାଦିକମାନେ ବିଚଳିତ ନ ହୋଇ ଭଲ କାହାଣୀ ତିଆରି କରିବା ଆବଶ୍ୟକ । ଲୋକମାନେ ସାମ୍ବାଦିକମାନଙ୍କ ଆଖିରେ ଖବରକୁ ଦେଖନ୍ତି । ତେଣୁ ଟେଲିଭିଜନ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ସଚେତନ ଭାବେ ଖବରକୁ ଭଲ ଭାବେ ତର୍ଜମା କରି ପ୍ରସାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଶବ୍ଦର ସଂଯୋଜନାକୁ ନେଇ ପ୍ରତିଦିନ ସାମ୍ବାଦିକମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆସେ । ଯେପରି ପ୍ରତି ମୂହୁର୍ତ୍ତରେ ସାମ୍ବାଦିକମାନଙ୍କୁ ପରୀକ୍ଷା ଦେବାକୁ ହୁଏ । ତେଣୁ ସବୁ ପରିସ୍ଥିତି ଭିତରେ ଚ୍ୟାଲେଞ୍ଜ ଗ୍ରହଣ କରି ସାମ୍ବାଦିକ ଓ ସଂପାଦକମାନେ କାମ କରିବା ଦରକାର । ବର୍ତ୍ତମାନ ଯୁଗରେ ଟେଲିଭିଜନ ଓ ଛାପା ଗଣମାଧ୍ୟମ ତୁରନ୍ତ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ । କିନ୍ତୁ କମ୍ ସମୟ ଓ କମ୍ ଶବ୍ଦରେ ଅଧିକ ତଥ୍ୟ ଉପସ୍ଥାପନ କରିବା ଉଚିତ୍ ବୋଲି ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର, ନ୍ୟୁଜ ୭ ସିଇଓ ସୁନୀଲ ଦାସ, ନ୍ୟୁଜ ୭ କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ଡିଜିଟାଲ ମୁଖ୍ୟ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ନିକଟରେ ସଠିକ ଖବର ପହଞ୍ଚାଇବା ପାଇଁ ଅନେକ ସମୟରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରନ୍ତି । ସାମ୍ବାଦିକମାନଙ୍କ ନିଷ୍ଠା, ନିସ୍ଵାର୍ଥପର ଯୋଗଦାନ ପାଇଁ ଗଣତନ୍ତ୍ରରେ ଗଣମାଧ୍ୟମ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକମାନେ ଲୋକଙ୍କୁ ସଠିକ୍ ଓ ନିରପେକ୍ଷ ଖବର ପହଞ୍ଚାଇବାର ଦାୟିତ୍ୱ ନେବା ଉଚିତ ବୋଲି କହିଛନ୍ତି ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର । କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା, ତଥା ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଗଞ୍ଜାମର ବିଭିନ୍ନ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା ହୋଇଛି: 5T ଅଧ୍ୟକ୍ଷ
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର, ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ବର, ପୁରୁଷୋତ୍ତମପୁରର ତୁମ୍ବେଶ୍ବର, ପୋଲସରା ନିକଟସ୍ଥ ମାରଦାର ଶୂନ୍ୟ ମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ବର ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ତାଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ବପ୍ନ ଦେଖିବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଥିଲେ ।
ବିଭିନ୍ନ ମନ୍ଦିର ଓ କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା କଥା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକର ଧବଳେଶ୍ୱର ମନ୍ଦିର ପାଇଁ ୧ କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ୱର ମନ୍ଦିର ପାଇଁ ଦେଢ କୋଟି, ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ଲକ୍ଷ, ବଟେଶ୍ୱର ମନ୍ଦିର ପାଇଁ ୧ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୨୦ ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଲକର ମାରଦା ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧବିନାୟକ ମନ୍ଦିର ଉନ୍ନତି ପାଇଁ ୧ କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା, କେଶପୁର କଲେଜର ବିକାଶ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ୱତୀ ମନ୍ଦିର ପାଇଁ ୧ କୋଟି, କୋଦଳା ଦଣ୍ଡେଶ୍ୱର ମନ୍ଦିର ପାଇଁ ୫୦ ଲକ୍ଷ ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧ କୋଟି ଲେଖାଏଁ ମଞ୍ଜୁର ହୋଇଥିବା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।

