ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ । ଚତୁର୍ଥଥର ପାଇଁ ଇଡିର ସମନ ହୋଇଥିବାବେଳେ ଜାନୁଆରୀ ୧୮ରେ ଇଡି ଅଫିସରେ ହାଜର ହେବାକୁ ନୋଟିସ ହୋଇଛି । ତେବେ ଏହା ପୂର୍ବରୁ ଇଡି ପକ୍ଷରୁ ୩ଥର ନୋଟିସ ହୋଇଥିଲେ ସୁଦ୍ଧା ହାଜର ହୋଇନାହାନ୍ତି । ଏହି ମଦ ଦୁର୍ନୀତି ମାମଲାରେ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଜାନୁଆରୀ ୩ରେ ହାଜର ହେବାକୁ ନୋଟିସ ହୋଇଥିଲା । ମାତ୍ର ସେ ହାଜର ହୋଇନଥିଲେ । ଇଡିର ନୋଟିସକୁ ବେଆଇନ ବୋଲି କହିଥିଲେ କେଜ୍ରିଓ୍ବାଲ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ।
ଆରମ୍ଭ ହେଲା ଇ -ଲେକଚର ବ୍ୟବସ୍ଥା
ଭୁବନେଶ୍ବର: ଉଚ୍ଚଶିକ୍ଷାରେ ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି । ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭରଚୁଆଲ ପ୍ଲାଟଫର୍ମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି ।
vtputkal.odisha.gov.in ଲିଙ୍କ କ୍ଲିକ୍ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ । ଘରେ ବସି ସେମିଷ୍ଟାର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ଫିଜିକ୍ସ, କେମେଷ୍ଟ୍ରି, ବଟାନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ହିଷ୍ଟ୍ରି, ଇଂଲିଶ, ସାଇକୋଲୋଜି, କମର୍ସ ଓ ଇକୋନୋମିକ୍ସ ପରି ୧୧ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ହୋଇଛି । ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ।
ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ ଲୋକାର୍ପିତ, ଜାଣନ୍ତୁ ଗାଡ଼ି ଚଳାଚଳ ନେଇ କ’ଣ ରହିଛି ନିୟମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କର ଉଦଘାଟନ କରିଛନ୍ତି। ଏହା ସମୁଦ୍ର ଉପରେ ନିର୍ମିତ ଦେଶର ଦୀର୍ଘତମ ସେତୁ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ। ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।
ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ ‘ଅଟଳ ସେଟୁ’ ଭାବରେ ମଧ୍ୟ ପରିଚିତ । ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସେତୁ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଯାତାୟାତ ସମୟକୁ ମଧ୍ୟ ହ୍ରାସ କରିବ। ଆହୁରି ମଧ୍ୟ ଏଥିଯୋଗୁଁ ମୁମ୍ବାଇ ପୋର୍ଟ ଏବଂ ଜବାହରଲାଲ ନେହେରୁ ପୋର୍ଟ ମଧ୍ୟରେ ମଧ୍ୟ ଭଲ ସଂଯୋଗିକରଣ ହେବ। ତେବେ ଆସନ୍ତୁ ଜାଣିବା ସେତୁର କ’ଣ ବିଶେଷତ୍ୱ ରହିଛି ଏବଂ ଏହା ଉପରେ କେଉଁ ଗାଡ଼ି ଚଳାଚଳ କରିପାରିବ । ଆଉ କ’ଣ ରହିଛି କଟକଣା…
୧.ଏହି ସେତୁ ଦକ୍ଷିଣ ମୁମ୍ବାଇର ସେବରିରୁ ଆରମ୍ଭ ହୋଇ ନଭି ମୁମ୍ବାଇର ନଭା ଶେବା ପର୍ଯ୍ୟନ୍ତ ଯିବ । ଏହି ସେତୁ ଦେଇ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ। ପୂର୍ବରୁ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିଲା।
୨. କେମିତି ରହିବ ସଂଯୋଗୀକରଣ?
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କହିବାନୁସାରେ, ଏହି ସେତୁ ମୁମ୍ବାଇକୁ ମୁମ୍ବାଇ-ଗୋଆ ରାଜପଥ, ଭାସାଇ ଏବଂ ବିରାର, ନାଭି ମୁମ୍ବାଇ ଏବଂ ରାୟଗଡ ଜିଲ୍ଲା ସହିତ ସଂଯୋଗ କରିବ । ଏହା ଫଳରେ ନାଭି ମୁମ୍ବାଇକୁ ଅନେକ ନୂତନ ପ୍ରକଳ୍ପ ଏବଂ ବଡ଼ବଡ଼ କମ୍ପାନୀ ଆସିବା ନେଇ ଆଶା ରହିଛି ।
୩. କେତେ ଲମ୍ବା ଏହି ସେତୁ ?
ଅଟଳ ସେତୁ ୬ ଲେନ୍ ବିଶିଷ୍ଟ। ଏହି ସେତୁଟି ୨୧.୮ କିଲୋମିଟର ଲମ୍ବ ରହିଛି। ଏହାର ୧୬.୫ କିଲୋମିଟର ଅଂଶ ସମୁଦ୍ରରେ ଏବଂ ପ୍ରାୟ ୫.୫ କିଲୋମିଟର ସ୍ଥଳଭାଗରେ ନିର୍ମିତ । ଏହି ସେତୁ ସମୁଦ୍ର ପତ୍ତନଠାରୁ ୧୫ ମିଟର ଉଚ୍ଚରେ ନିର୍ମିତ |
୪.ସେତୁର ମୂଲ୍ୟ କେତେ ରହିଛି?
ଏହି ସେତୁ ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟଳ ସେତୁ ନିର୍ମାଣ ପାଇଁ ୧,୭୭,୯୦୩ ମେଟ୍ରିକ୍ ଟନ୍ ଷ୍ଟିଲ୍ ଏବଂ ୫,୦୪,୨୫୩ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ଏହି ବ୍ରିଜ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଦାବି କରାଯାଇଛି।
୫. ଏହି ସେତୁ କ’ଣ ପାଇଁ ଖାସ୍?
ଏହା କେବଳ ଦେଶର ଦୀର୍ଘତମ ସେତୁ ନୁହେଁ ବରଂ ସମୁଦ୍ର ଉପରେ ନିର୍ମିତ ଭାରତର ଦୀର୍ଘତମ ସେତୁ ମଧ୍ୟ ଅଟେ। ଏହି ସେତୁରେ ସ୍ୱୟଂଚାଳିତ ଟୋଲ୍ ସଂଗ୍ରହ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ମଧ୍ୟ ରହିଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣରେ ଲମ୍ବା ଅର୍ଥୋଟ୍ରୋପିକ୍ ଷ୍ଟିଲ୍ ଡେକ୍ସ ବ୍ୟବହାର କରାଯାଇଛି। ଏହି କାରଣରୁ ସେତୁ ନିର୍ମାଣ ପାଇଁ ଅଧିକ ଖମ୍ବର ଆବଶ୍ୟକ ହୋଇନାହିଁ । ଖାସ୍ କଥା ହେଉଛି ଏହାଯୋଗୁଁ ସମୁଦ୍ର ପଥରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ତେବେ ଭାରତରେ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି ।
୬. କେଉଁ ଯାନ ଚଳାଚଳ କରିପାରିବ?
ମୁମ୍ବାଇ ଟ୍ରାଫିକ ପୋଲିସର ସୂଚନାନୁଯାୟୀ, କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍, ଟୁ-ଏକ୍ସଲ୍ ବସ୍ ଏବଂ ଛୋଟ ଟ୍ରକ୍ ଚଳାଚଳ କରିପାରିବ।
୭. କେଉଁ ଯାନକୁ ଅନୁମତି ଦିଆଯିବ ନାହିଁ?
ମୋଟର ସାଇକେଲ୍, ମୋପେଡ୍, ତିନି ଚକିଆ ଟେମ୍ପୋ, ଅଟୋ ରିକ୍ସା, ଟ୍ରାକ୍ଟର, ସ୍ଲୋ ମୁଭିଂ ଭେହିକିଲ୍ କୁ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ।
୮. କେତେ ରହିବ ଟୋଲ୍?
ଦାବି କରାଯାଉଛି ଯେ, ଏହି ସେତୁ ଦେଇ ଯାତ୍ରା କଲେ ଥରକୁ ୫୦୦ ଟଙ୍କା ମୂଲ୍ୟର ଇନ୍ଧନ ସଞ୍ଚୟ ହେବ। ତେବେ ବ୍ରିଜ ଦେଇ ଯାତ୍ରା କରିବା ପାଇଁ ଟୋଲ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ। ଏକ କାରରେ ଗୋଟିଏ ଥର ଯାତ୍ରା ପାଇଁ ୨୫୦ ଟଙ୍କା ଟୋଲ୍ ହେବ । ଅପରପକ୍ଷେ ପୁନର୍ବାର ଯଦି ଆପଣ ଫେରୁଛନ୍ତି, ତେବେ ଆପଣଙ୍କୁ ମୋଟ ଟୋଲ୍ ୩୭୫ ଟଙ୍କା ଦେବାକୁ ପଡିବ ।
୯.କେତେ ରହିବ ସ୍ପିଡ୍ ଲିମିଟ୍?
ତେବେ ମୁମ୍ବାଇ ଟ୍ରାଫିକ୍ ପୋଲିସ ଅନୁଯାୟୀ, ଏହି ବ୍ରିଜ୍ ଉପରେ ସ୍ପିଡ୍ ଲିମିଟ୍ ଘଣ୍ଟା ପ୍ରତି ୧୦୦ କିମି. ରହିଛି । ଯଦିଓ ବ୍ରିଜ୍ ଉପରେ ଚଢିବା ଓ ଓହ୍ଲାଇବା ବେଳେ ଘଣ୍ଟା ପ୍ରତି ଗତି ୪୦କିମି. ରହିବ ।
ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ
ନୂଆଦିଲ୍ଲୀ: ୨୦୨୪ ଲାଗି ବଢିଲା ପ୍ଲାନ। ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା। ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ। ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି।
ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି। ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ। ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ।
ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି। ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ।
ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା
ନିଶ୍ଚିନ୍ତକୋଇଲି: ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ ଅମାନିଆ ହେଲେ କର୍ମୀ। ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ବିଜେପି ଯୁବ ସଂକଳ୍ପ ସମାବେଶରେ କର୍ମୀଙ୍କ ମଧ୍ୟରେ ଚେୟାର ଫିଙ୍ଗାଫିଙ୍ଗି ପରି ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ବିଜେପିର ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇ ଦେଇଛି ।
ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ନୟନ ମହାନ୍ତି ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି କାରଣରୁ ମଞ୍ଚ ତଳେ ବସିଥିବା ଯୁବ କର୍ମୀଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ, ନାରାବାଜି । ଯାହା ପରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ଯାଏଁ କଥା ଯାଇଥିଲା । ସଭାରେ ଭାଷଣ ଚାଲିଥିବାବେଳେ ଏପରି କାଣ୍ଡକାରଖାନା ଘଟିଯିବାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେପି ଏକ ଶୃଙ୍ଖଳିତ ଦଳ ବୋଲି ନେତା ମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି ବୋଲି ଦଳୀୟ ନେତା ବାହାସ୍ଫୋଟ ମାରୁଛନ୍ତି।
ହେଲେ ଅପରପକ୍ଷେ ୫ହଜାର ଚେୟାର ପଡିଥିଲାବେଳେ ଦେଢ ହଜାର ଲୋକ ଥିଲେ କି ନାହିଁ ବୋଲି ସନ୍ଦେହ କରିଛନ୍ତି ସ୍ଥାନୀୟବାସିନ୍ଦା। ସୋସିଆଲ ମିଡିଆରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ସହ ନାରାବାଜି ମଧ୍ୟ ଭାଇରାଲ ହେଉଛି। ଯାହାକୁ ଦେଖି ସ୍ଥାନୀୟବାସିନ୍ଦା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିଜେପି ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ଯୁବ ସଂକଳ୍ପ ସମାବେଶ ଆୟୋଜିତ କରିଥିଲା।

