ନନ୍ଦିଘୋଷ ବ୍ୟୁରୋ: ଆମେରିକା ସେନା ଉପରେ ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା। । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ । ଦୀର୍ଘ ଦିନ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଆମେରିକୀୟ ସେନା ମାନଙ୍କୁ ଟାର୍ଗେଟ କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା ଆମେରିକା କହିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ
ନନ୍ଦିଘୋଷ ବ୍ୟୁରୋ: ଆଇଟି ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା କଲା ବୟଫ୍ରେଣ୍ଡ। ମହାରାଷ୍ଟ୍ର ପୁଣେରେ ଘଟିଛି ଏ ଚାଞ୍ଚଲ୍ୟକାରୀ ଘଟଣା। ହୋଟେଲରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା କରିଛି ପ୍ରେମିକ। ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରେମିକ ଋଷଭ ନିଗମଙ୍କୁ ମୁମ୍ବାଇରୁ ଗିରଫ କରିଛି ପୋଲିସ। ତାଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ମୃତ ମହିଳା ସଫ୍ଟଓୟାର ଇଂଜିନିୟର ବନ୍ଦନା ଦିବେଦୀ ବୋଲି ଜଣାପଡିଛି। ସେ ପୁଣେରେ ଏକ ଖ୍ୟାତନାମା ଆଇଟି ଫାର୍ମରେ କାମ କରୁଥିଲେ। ଉଭୟ ୧୦ ବର୍ଷ ହେବ ପରସ୍ପର ସମ୍ପର୍କରେ ଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବନ୍ଦନାଙ୍କୁ ଭେଟିବା ଲାଗି ଅଭିଯୁକ୍ତ ଋଷଭ ପୁଣେ ଆସିଥିଲେ। ଗତ ୨୫ ତାରିଖରୁ ଉଭୟ ଏକ ହୋଟେଲ ବୁକ୍ କରି ରହିଆସୁଥିଲେ।ବନ୍ଦନାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲା ପ୍ରେମିକ ଋଷଭ। ଏହାପରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସିସିଟିଭି ଭିଡିଓରେ କଏଦ ହୋଇଛି ହତ୍ଯାବେଳର ଚିତ୍ର। ଶନିବାର ରାତି ପ୍ରାୟ ୧୦ଟାବେଳେ ଋଷଭ ହୋଟେଲ୍ ରୁମ୍ ଛାଡୁଥିବା ଦେଖିବାକୁ ମିଳୁଛି। ପ୍ରେମିକା ବନ୍ଦନାଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସେ ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏହା ପରେ ଋଷଭ ମୁମ୍ବାଇ ଚାଲି ଆସିଥିଲେ।ସେପଟେ ହୋଟେଲରେ ପହଞ୍ଚି ମୃତଦେହ ଉଦ୍ଧାର ସହ ଅଧିକ ତନାଘନା କରୁଛି ପୋଲିସ। ବନ୍ଦନାଙ୍କୁ ହତ୍ୟା କରିବାକୁ ଋଷଭ କେଉଁଠୁ ବନ୍ଧୁକ ଆଣିଲେ ଏହାର ଛାନବିନ କରୁଛି ପୋଲିସ ।
ଆସନ୍ତା ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ
ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୭ରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏହିସବୁ ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ , ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି। କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଫେବ୍ରୁଆରୀ ୨୭ରେ ଭୋଟଗ୍ରହଣ ହେବ। ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନାମାଙ୍କନ ଲାଗି ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କର ଶେଷ ତାରିଖ ୧୫ ଫେବ୍ରୁଆରୀ ରହିଛି। ୧୬ ଫେବରୁଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି।
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ, କହିଲେ ପରିଶ୍ରମର କୌଣସି ବିକଳ୍ପ ନାହିଁ
ସୁନ୍ଦରଗଡ଼: ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ ସଫଳତାର ମନ୍ତ୍ର। କହିଲେ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଭଲ ପାଠ ପଢିବା ସହ ସଫଳ ହେବା ଲାଗି ସମସ୍ତେ ଆତ୍ମବିଶ୍ବାସ ବଢାଇବା ଜରୁରୀ। ସୁନ୍ଦରଗଡ଼ ଜିଲ୍ଲାର ଭବାନୀପୁରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ରାହା ଦେଖାଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେମିତି ପାଠ ପଢି ଜଣେ ଭଲ ମଣିଷ ହୋଇପାରିବା ଏହା କହିଛନ୍ତି ୫ଓ ଅଧ୍ୟକ୍ଷ। ସ୍ଥାନୀୟ ଅଂଚଳର ସ୍କୁଲରୁ ପାଠ ପଢି କିପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ଏଭଳି ଅନେକ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ ସ୍ଥାନୀୟ ବିଏସ ହାଇସ୍କୁଲରୁ ପାଠ ପଢି ଭାରତୀୟ ହକି ଟିମର ଅଧିନାୟକ ହୋଇପାରିଥିଲେ। ସେହିପରି ଆଇଏଏସ ଶଶିକାନ୍ତ ନାୟକ ,ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢୀଙ୍କ କଥା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପାନପୋଷ ହାଇସ୍କୁଲରୁ ପାଠ ପଢି ଜାତୀୟ ମହିଳା ହକି ଦଳର ଅଧିନାୟକ ହୋଇ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି ଖେଳାଳି ସୁଭଦ୍ରା ପ୍ରଧାନ।
ସେହିପରି ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ବାରିଷ୍ଟର ହୋଇପାରିଥିଲେ ଇଗନେସ ନାୟକ। ସମସ୍ତ ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ କହିଛନ୍ତି। ଭଲ ପାଠ ପଢିବା ସହ ଛାତ୍ରଛାତ୍ରୀଙ୍କୁ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଓ କାର୍ଯକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ୫5T ଅଧ୍ୟକ୍ଷ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବା। ଏହାଦ୍ବାରା ଛାତ୍ରଛାତ୍ରୀ ସଫଳତାର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଯାଇପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି କୋକରିକୁଲାର କାର୍ଯକ୍ରମରେ ସାମିଲ ହେବାକୁ କହିଛନ୍ତି। ଜିତିବା ଅପେକ୍ଷା ଭାଗ ନେବା ଅତି ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଛାତ୍ରଛାତ୍ରୀ ଅନେକ କିଛ ଶିଖିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଗୁଡ଼ିକର ରୁପାନ୍ତରଣ କରାଯାଉଛି। ଏଠାକାର ପିଲାମାନେ ମଧ୍ଯ ବଡ଼ ବଡ଼ ସହରରେ ଥିବା ସ୍କୁଲରେ ମିଳୁଥିବା ସୁବିଧା ନିଜ ସ୍କୁଲରେ ପାଇବେ। ସୁନ୍ଦରଗଡ଼ ଜିଲ୍ଲାରେ ୭୪ ସ୍କୁଲ ଓ କଲେଜକୁ ଫାଇଭ ଟିରେ ସାମିଲ କରାଯାଇଛି। ଆସନ୍ତାମାସ ଶେଷ ସୁଦ୍ଧା ସମସ୍ତ କଲେଜର କାମ ସରିବ। ସୋସିଆଲ ମିଡିଆର ଉପକାର ଏବଂ ଅପକାରିତା ଉପରେ କହିଛନ୍ତି ଫାଇଭ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ୟ ପଥରେ ଆଗକୁ ଯିବାକୁ କହିଛନ୍ତି।
ବିଜେଡିରେ ଯୋଗ ଦେଲେ ୩୦ ଜିଲ୍ଲାର ୨୯ ଜଣ ବିଶିଷ୍ଟ କଳାକାର
ଭୁବନେଶ୍ବର: ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ କଳାକାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ବଡ଼ ମିଶ୍ରଣ ପର୍ବ ଆୟୋଜନ ହୋଇଛି । ଆଜି ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ଶଙ୍ଖ ଫୁଙ୍କିଛନ୍ତି । ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ଏମାନଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ । ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଓଡ଼ିଶା ସଂସ୍କୃତି ଓ କଳାର ମାଟି । ନବୀନ ବାବୁଙ୍କ ନେତୃତ୍ୱ ଓ ସାଂସ୍କୃତିକ ଆଭିମୁଖ୍ୟ ଦେଖି ଏହି କଲାକାର ବିଜେଡିରେ ମିଶୁଛନ୍ତି ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର । ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି, ସେଥିପାଇଁ ସେମାନେ ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟରେ ମିଶୁଛନ୍ତି । ଏହା ଓଡ଼ିଶାର କଳାକୁ ଆହୁରି ଆଗକୁ ନେବ ବୋଲି ଆଶା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାରେ କଳାକାର ଓ କଳାର ବିକାଶ କଥା କେହି ଚିନ୍ତା କରି ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖୀ, ଗରିବ, କଳାକାରଙ୍କ ଦୁଃଖ ହୃଦୟରୁ ଅନୁଭବ କଲେ । କେବଳ କଳାକାର ଭତ୍ତାରେ ରହିବେ ନାହିଁ ବୋଲି ରୋଜଗାର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଆମ ପାଇଁ ନୂଆ ପର୍ବ, ନୂଆ ଅଭିନୟ । ସମସ୍ତଙ୍କୁ ଉଚ୍ଚସ୍ତରକୁ ନେବାକୁ ନବୀନ ପଟ୍ଟନାୟକ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଦଳରେ ଯୋଗଦେଇଥିବା କଳାକାରଗଣ ।
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହାତୁଡ଼ିରେ ପିଟି ପିଟି ବିଭତ୍ସ ହତ୍ୟା
ଓ୍ବାସିଂଟନ୍: ଆମେରିକା ଜର୍ଜିଆରେ ଭାରତୀୟ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ହାତୁଡିରେ ତାଙ୍କୁ ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଛାତ୍ରଙ୍କ ନାଁ ହେଉଛି ବିବେକ ।
ହତ୍ୟାକାରୀର କୌଣସି ଘର ନ ଥିବାରୁ ଏହି ଛାତ୍ର କିଛି ଦିନ ଧରି ତାଙ୍କୁ ସାହାଯ୍ୟ କରିଆସୁଥିଲେ। ଏବେ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହତ୍ୟାକାରୀ ପ୍ରଥମେ ଛାତ୍ରଙ୍କ ପଛପଟକୁ ହାତୁଡ଼ିରେ ପିଟିଥିଲା । ତା’ ପରେ ପିଟି ପିଟି ହତ୍ୟା କରିଥିଲା ।
ପୋଲିସର ସୂଚନା ଅନୁସାରେ, ଭାରତୀୟ ଛାତ୍ର ବିବେକ ଏକ ଦୋକାନରେ ପାର୍ଟ ଟାଇମ୍ କାମ କରନ୍ତି । ୨୫ ବର୍ଷ ବୟସ୍କ ବିବେକ ସାଇନିଙ୍କ ମୃତ୍ୟୁ ଜାନୁଆରୀ ୧୮ ରେ ହୋଇଥିଲା । ବିବେକଙ୍କୁ ହତ୍ୟା କରାଯାଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ ବି ଅଛନ୍ତି ।
୧୪ ଜାନୁଆରୀ ସନ୍ଧ୍ୟାରେ ବିବେକ ଜଣେ ବାସହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲା । ଯାହାଙ୍କ ବୟସ ୫୩ ହେବ । ବ୍ୟକ୍ତି ଜଣଙ୍କ ଚିପ୍ସ ଏବଂ କୋକ୍ ମାଗିଥିଲେ ଚିପ୍ସ କୋକ ସହ ପାଣି ଏବଂ କିଛି ଖାଇବା ବି ଦେଇଥିଲେ ବିବେକ । ଦୁଇ ଦିନ ହେବ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିଲେ ବିବେକ ।
ଷ୍ଟୋରରେ ଥିବା କର୍ମଚାରୀଙ୍କ ମତରେ ବ୍ୟକ୍ତି ଜଣଙ୍କ କମ୍ବଳ ଅଛି ନା ନାହିଁ ବୋଲି ପଚାରିଥିଲେ । କମ୍ବଳ ନଥିବାରୁ ଜଣେ କର୍ମଚାରୀ ଜ୍ୟାକେଟ ଦେଇଥିଲେ । ସେ ଦୋକାନ ପାଖରେ ବୁଲିବା ସମୟରେ ସିଗାରେଟ, ପାଣି ଏବଂ ଅନ୍ୟ ଜିନିଷ ମାଗୁଥିଲେ । ଏମିତି କରି ଦୁଇ ଦିନ ଯାଏ ସେ ସେଠାରେ ଥିଲେ ଏବଂ ୧୬ ଜାନୁଆରୀରେ ଷ୍ଟୋର ବନ୍ଦ କରି ଗଲା ବେଳେ ବ୍ୟକ୍ତି ଜଣଙ୍କ ହାତୁଡ଼ିରେ ଆକ୍ରମଣ କରିଥିଲେ ।
ପୋଲିସ ପହଞ୍ଚିଲାବେଳକୁ ବ୍ୟକ୍ତି ଜଣଙ୍କ ହାତୁଡ଼ି ଧରି ସେଠାରେ ଠିଆ ହୋଇଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏବଂ ବିବେଙ୍କ ମୃତ୍ୟୁ ହୋଇସାରିଥିଲା ।
ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର, ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା
ଭୁବନେଶ୍ବର: ନୂଆ ବର୍ଷରୁ ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର । ଦାୟିତ୍ବ ନେଲେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡା । ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର- କଟକ ଟୁଇନସିଟି ପୋଲିସ କମିଶନର ଦାୟିତ୍ୱ ମିଳିଛି । ତେବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପୋଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ କାମ କରିବେ । 5T ଓ ମୋ ସରକାର ଅଧୀନରେ ଟୁଇନସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ସେ ଗୁରୁତ୍ୱ ଦେବେ । ପୋଲିସ ଲୋକଙ୍କ ସେବାରେ ରହିଛି ଓ ଆଗାମୀ ଦିନରେ କାମ କରିଚାଲିବ । ନୂଆ କମିଶନର ଭାବେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିବା ସହ ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ଆଲୋଚନା କରାଯିବ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା ।
ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହେଲେ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ, ଏଲନ ମସ୍କଙ୍କୁ ପକାଇଲେ ପଛରେ
ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଏଲନ ମସ୍କଙ୍କୁ ପଛରେ ପକାଇ ଧନୀ ତାଲିକାରେ ସାମିଲ ହୋଇଛନ୍ତି ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହାସହିତ ସେ ଏଲନ ମସ୍କଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ମସ୍କଙ୍କ କମ୍ପାନୀ ଟେସଲା ସେୟାର ମୂଲ୍ୟରେ ହ୍ରାସ ଧାରା ଜାରି ରହିବା ଯୋଗୁ ତାଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୨୦୪.୭ ବିଲିୟନ ଡଲାର ହୋଇଯାଇଛି। ଅର୍ଥାତ ଦୁଇ ବିଲେନିୟରଙ୍କ ସମ୍ପତ୍ତି ମଧ୍ୟରେ ଏବେ ୨.୯ ବିଲିୟନ ଡଲାରର ପାର୍ଥକ୍ୟ ସୃଷ୍ଟି ହୋଇଛି। ୨୦୨୪ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯଦି ଆୟ କଥା କୁହାଯାଏ ତେବେ ଫ୍ରାନ୍ସର ଏହି ୭୪ ବର୍ଷ ବୟସ୍କ ବିଲେୟନାଏର ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ୭.୨୫ ବିଲିୟନ ଡଲାର ଆୟ କରିଛନ୍ତି। ଅନ୍ୟପଟେ ୫୨ ବର୍ଷୀୟ ମସ୍କଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ବ୍ଲୁମବର୍ଗ ଅନୁସାରେ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦.୫ ବିଲିୟନ ଡଲାର ହ୍ରାସ ଘଟିସାରିଛି। ତେବେ ଆର୍ଣ୍ଣୋଲ୍ଟ ପ୍ରଥମ ଥର ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି ତା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଭାରତୀୟ ବିଲେୟନାଏର ତଥା ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ ତାଙ୍କର ଦବଦବା କାୟମ ରଖିଛନ୍ତି। ଫୋର୍ବସ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪.୪ ବିଲିୟନ ଡଲାର ରହିଛି। ଏହାସହିତ ସେ ବିଶ୍ୱ ଧନୀ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଭାରତୀୟ ଅରବପତି ଗୌତମ ଆଦାନୀ ୯୧.୬ ବିଲିୟନ ଡଲାର ସମ୍ପତ୍ତି ସହ ଧନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି।
ଜମି ହଡ଼ପ ମାମଲାରେ ଇଡିରେ ହାଜର ହେଲେ ଲାଲୁ ଯାଦବ
ପାଟନା: ଚାକିରି ଲାଗି ଜମି ହଡ଼ପ ଘୋଟାଲା ମାମଲାରେ ଇଡିରେ ହାଜର ହେଲେ ଆରଜେଡି ପ୍ରମୁଖ ଲାଲୁ ଯାଦବ। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପାଟନାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଛନ୍ତି। ଜମି ହଡ଼ପ ମାମଲାରେ ଲାଲୁଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି। ଲାଲୁ ଯାଦବ ଏବଂ ପୁଅ ତଥା ବିହାର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା ଇଡି। ଲାଲୁ ଯାଦବଙ୍କୁ ଆଜି ହାଜର ହେବାକୁ ନୋଟିସ ହୋଇଥିବାବେଳେ ଆସନ୍ତାକାଲି ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଏହି ମାମଲାରେ ଗତ ବର୍ଷ ଦିଲ୍ଲୀରେ ଇଡି କାର୍ଯାଳୟରେ ହାଜର ହୋଇସାରିଛନ୍ତି ତେଜସ୍ବୀ ଯାଦବ। ରାଜନୈତିକ କାର୍ଯ୍ଯକ୍ରମର ବ୍ଯସ୍ତତାକୁ ନେଇ ଦିଲ୍ଲୀରେ ହାଜର ହୋଇପାରିବେନି ବୋଲି କହିଥିଲେ ଲାଲୁ ଯାଦବଙ୍କ ସହ ପୁଅ ତେଜସ୍ବୀ ଯାଦବ। ରେଲଵେ ବିଭାଗରେ ଜମି ହଡ଼ପ ମାମଲାରେ ଇଡି ଲାଲୁ ଯାଦବଙ୍କ ସହ ପତ୍ନୀ ରାବଡ଼ି ଦେବୀ, ଝିଅ ତଥା ଆରଜେଡି ସାଂସଦ ମିସା ଭାରତୀଯ ହେମା ଯାଦବ ସହ ପରିବାରର ଅନ୍ଯ ସଦସ୍ଯଙ୍କୁ ସମନ ଜାରି କରିଥିଲା। ସମନକୁ ବିରୋଧୀ ଆକ୍ରୋଶମୂଳକ ଭାବେ ସରକାରଙ୍କ ସହାୟତାରେ କରୁଥିବା ଅଭିଯୋଗ କରିଆସୁଛି ଆରଜେଡି। ମାମଲାରେ ପୁର୍ବରୁ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। ସିବିଆଇ ମାମଲାରେ ଲାଲୁ ଯାଦବ, ରାବଡି ଏବଂ ତେଜସ୍ବଙ୍କୁ ତଳ କୋର୍ଟରୁ ସିବିଆଇ ମାମଲାରେ ଜାମିନ ମିଳିସାରିଛି।ସିବିଆଇ ଚାର୍ଜସିଟ୍ ଅନୁସାରେ ନିଯୁକ୍ତି ଲାଗି କୌଣସି ବିଜ୍ଞାପନ ନବାହାର କରି ଚାକିରି ଦିଆଯାଇଥିଲା। ଏହାର ପ୍ରତିବଦଳରେ ଏକ ଚତୁର୍ଥାଂଶ ଦରରେ ଚାକିରୀ ଆଶାୟୀ କିମ୍ବା ତାଙ୍କ ସମ୍ପର୍କୀଙ୍କଠାରୁ ଜମି ପ୍ରସାଦ ପରିବାରଙ୍କ ସଦସ୍ଯଙ୍କ ନାଁରେ ବିକ୍ରି ହୋଇଥିଲା।…
ରାଜ୍ୟରେ ବଦଳିବ ପାଗ, ପୁଣି ହେବ ବର୍ଷା
ଭୁବନେଶ୍ବର: ପୁଣି ଭିଜିବ ଓଡିଶା । ୩୧ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ହେବ ।
୪ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ । ସେପଟେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଛି । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ହାଲୁକା ଶୀତ ହେବ । ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ଭିଜିବିଲିଟି ରହିବ । ବାକି ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହେବ । ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

