ବଲାଙ୍ଗୀର: ବଲାଙ୍ଗୀର ଟାଉନ୍ ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି I ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ପମ୍ପକୁ ଆସି ଯୁବକ ଜଣକ ହଠାତ୍ ପେଟ୍ରୋଲ ମାଗିଥିଲେ I କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ପମ୍ପ ଜାଳି ଦେବାକୁ ଉଦ୍ୟମ କରିଥିଲା। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଛି I ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଏନେଇ ଥାନାରେ ଏତଲା ଦେଇଛନ୍ତି I ଆକ୍ରମଣ କରି ଫେରାର୍ ମାରିଥିବା ଯୁବକ ଜଣକ ହେଲେ ବରପାଲିପଡ଼ାର ରୋହନ ଜେନା। ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଶିବରାତ୍ରିରେ ସମସ୍ତଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପବିତ୍ର ଶିବରାତ୍ରି ଅବସରରେ ସମସ୍ତଙ୍କ କଲ୍ଯାଣ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସର ଭବ୍ଯ ହୋଇଉଠିଛି । ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଅନନ୍ଯ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଛି । ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କ କଲ୍ଯାଣ କରନ୍ତୁ ।

ସେହିପରି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପୂର୍ବ ଶୋଭାରାଜିକୁ ପୋଷ୍ଟ କରିଛନ୍ତି ନିଜ ଇନଷ୍ଟାଗ୍ରାମରେ । ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ସହ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ।
କଂଗ୍ରେସକୁ ଟିକେଟ ଟେନସନ, ଦିଲ୍ଲୀରେ ସ୍କ୍ରିନଂ କମିଟି ବୈଠକରେ ହେବ କସରତ
ଭୁବନେଶ୍ବର: ଓଡ଼ିଶାରେ ନୁହେଁ, ଦିଲ୍ଲୀରେ ଟିକେଟ ନେଇ ପୁଣି କସରତ ଆରମ୍ଭ କରିବ କଂଗ୍ରେସ । ଆସନ୍ତାକାଲି ଦିଲ୍ଲୀରେ ସ୍କ୍ରିନଂ କମିଟି ବୈଠକରେ କଂଗ୍ରେସ ଟିକେଟ ଆଶାୟୀଙ୍କ ଆବେଦନ ଉପରେ ହେବ ଆଲୋଚନା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଟିକେଟ ପାଇଁ କରାଯାଇଥିବା ପ୍ରଗମନ ଆପରେ କଂଗ୍ରେସର ବିଧାୟକ ଓ ସାଂସଦ ପ୍ରାର୍ଥୀ ହେବାକୁ ଆବେଦନ କରିଥିବା ଆଶାୟୀଙ୍କ ଚୂଡ଼ାନ୍ତ ନାଁ ଦିଲ୍ଲୀରେ ଫାଇନାଲ କରାଯାଇ ହାଇକମାଣ୍ଡକୁ ଦିଆଯିବ । ଅନ୍ୟପଟେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହୁଛନ୍ତି କଂଗ୍ରେସରେ ୪ଟି ଥାକରେ ଟିକେଟ ଆଲୋଚନl ହୁଏ, ଟିକେଟ ଘୋଷଣା ଏତେ ସହଜ ନୁହେଁ l
୨୪ ବର୍ଷ ଧରି କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ପ୍ରତି ନିର୍ବାଚନରେ ଦଳର ଭୋଟ ହାର ବି କମି କମି ଚାଲିଛି । ତୃଣମୂଳସ୍ତରରେ କଂଗ୍ରେସ ସଂଗଠନ ବି ଦୁର୍ବଳ । ହେଲେ ନେତା ହେବାକୁ କିନ୍ତୁ ଆଶାୟୀଙ୍କ ଲମ୍ବା ଲିଷ୍ଟ । ଯାହା କଂଗ୍ରେସର ଆଗୁଆ ଟିକେଟ କସରତରେ କେଁ ପୂରାଇଛି । ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଆଶାୟୀ ଅଙ୍କ ଛିଣ୍ଡି ନଥିବାରୁ ଶନିବାର ଦିଲ୍ଲୀରେ ବସିବ ସ୍କ୍ରିନଂ କମିଟି ବୈଠକ । ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରତି ନିର୍ବାଚନୀ ମଣ୍ଡଳୀରୁ କେଉଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ତାହା ସ୍କ୍ରିନଂ କମିଟି ସ୍ଥିର କରିବ । ପ୍ରଗମନ ଆପରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି । ଏହାସହ ବ୍ଲକ ଓ ଜିଲ୍ଲା ସଭାପତିଙ୍କ ଜରିଆରେ ଅନେକ ପ୍ରାର୍ଥୀ ଆବେଦନ କରିଥିବାରୁ ଏହା ଉପରେ ବିଚାର କରାଯିବ ବୋଲି ଶରତ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୭୦ ଟିକେଟ ଆଗୁଆ ବାଣ୍ଟିବାକୁ ଯୋଜନା କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ଛକାପଞ୍ଝା ଲାଗି ରହିଛି । ପିଇସି ପରେ ସ୍କ୍ରିନଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଏହାପରେ ସିଇସିକୁ ଚୂଡ଼ାନ୍ତ ତାଲିକା ପଠାଯିବ ବୋଲି ପିସିସି ସଭାପତି କହିଛନ୍ତି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, କଂଗ୍ରେସରେ ଟିକେଟ ଘୋଷଣା ଚାରି ଥାକରେ ହେବ । ତେଣୁ ଆଗୁଆ ଟିକେଟ ବାଣ୍ଟିବା ସହଜ ନୁହେଁ ।
କଂଗ୍ରେସ ଅନ୍ଦର ମହଲର ସୂଚନା ଅନୁସାରେ, ନିର୍ବାଚିତ ବିଧାୟକ, ସାଂସଦ ଓ ୨୦୧୯ରେ ଦ୍ବିତୀୟ ସ୍ଥାନରେ ଥିବା ନେତାକୁ ପୁଣିଥରେ ଟିକେଟ ଦେବାକୁ ଦଳ ଭିତରେ ଆପାତତଃ ସ୍ଥିର କରାଯାଇଛି ।
ରାଜସ୍ବ ସଂଗ୍ରହରେ ଓଡ଼ିଶାର ରେକର୍ଡ, ଫେବୃୟାରୀ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ବୃଦ୍ଧି
ଭୁବନେଶ୍ବର: ବଢୁଛି ସରକାରଙ୍କ ରାଜସ୍ୱ । ଗତବର୍ଷ ଅପେକ୍ଷା ଏଥର ଫେବୃଆରୀ ମାସ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ବୃଦ୍ଧି ପାଇଛି ରାଜସ୍ବ । ଅନ୍ତର୍ଜାତୀୟ ସ୍ତରରେ ଖଣି କାରବାରରେ ମାନ୍ଦାବସ୍ଥା ସତ୍ତ୍ୱେ ଗତବର୍ଷ ଅପେକ୍ଷା ଖଣି ରାଜସ୍ବରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଜମିଜମା ରାଜସ୍ବରେ ସର୍ବାଧିକ ବୃଦ୍ଧି ଘଟିଛି । ଗତବର୍ଷ ଅପେକ୍ଷା ଏଥର ୭୨ ପ୍ରତିଶତ ବଢିଛି । ନିଜସ୍ୱ ଟିକସ ଓ ଅଣ ଟିକସ ଉତ୍ସରୁ ମଧ୍ୟ ରାଜସ୍ୱ ସଂଗ୍ରହ ବୃଦ୍ଧି ହେବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛି । ରାଜସ୍ୱ ବଳକା ରାଜ୍ୟ ଭାବେ ପରିଚିତ ଓଡିଶା ଆର୍ଥିକ ପରିଚାଳନାରେ ମଧ୍ୟ ସାରା ଦେଶ ପାଇଁ ମଡେଲ ସାଜିଛି ।
ଗତବର୍ଷ ୭୮,୮୩୪.୪୮ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଫେବୃଆରୀ ୨୦୨୪ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ୯୪,୦୦୩.୧୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ମଧ୍ୟ ୧୮.୬୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଗତମାସ ଶେଷ ପର୍ଯ୍ୟନ୍ତ ମୋଟ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ୪୭,୮୮୪.୩୬ କୋଟି ଟଙ୍କା ହୋଇଥିବାବେଳେ ଗତବର୍ଷ ୪୦,୩୫୫.୮୫ କୋଟି ଟଙ୍କା ସଂଗ୍ରହ କରିଛି । ଏପ୍ରିଲ୍ ୨୦୨୩ରୁ ଫେବୃଆରୀ ୨୦୨୪ ମଧ୍ୟରେ ରାଜ୍ୟରେ ଜିଏସଟି ଜମି ରାଜସ୍ୱ, ଯାନବାହନ ଟ୍ୟାକ୍ସ ଏବଂ ବିଦ୍ୟୁତ୍ ଶୁଳ୍କ ସଂଗ୍ରହରେ ବୃଦ୍ଧି ହେତୁ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି ଘଟିଛି ।
ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଜମି ରାଜସ୍ୱ ୭୨.୨୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିକ୍ରୟ କର ୨୦.୭୧ ପ୍ରତିଶତ ବୃଦ୍ଧି ପାଇଛି । ଖଣି ରାଜସ୍ୱ ବୃଦ୍ଧି ହେତୁ ରାଜ୍ୟର ଅଣ-ଟିକସ ରାଜସ୍ୱ ସଂଗ୍ରହରେ ୧୯. ୮୬ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି । ଫେବୃଆରୀ ଶେଷ ପର୍ଯ୍ୟନ୍ତ ମୋଟ ଅଣ-ଟିକସ ରାଜସ୍ୱ ସଂଗ୍ରହ ୪୬,୧୧୮.୭୯ କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହା ୩୮,୪୭୮.୬୨ କୋଟି ଟଙ୍କା ଥିଲା । ପ୍ରତିକୂଳ ବଜାର ସତ୍ତ୍ୱେ ଖଣି ରାଜସ୍ୱ ସଂଗ୍ରହରେ ୧୫.୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷ ୩୩,୯୩୬.୬୬ କୋଟି ଟଙ୍କା ସଂଗ୍ରହ ତୁଳନାରେ ଚଳିତବର୍ଷ ଖଣିରୁ ରାଜ୍ୟ ୩୯,୧୧୧.୯୯ କୋଟି ଟଙ୍କା ସଂଗ୍ରହ ହୋଇଛି । ଫେବୃଆରୀ ୨୦୨୪ ଶେଷ ପର୍ଯ୍ୟନ୍ତ ସେୟାର ଟ୍ୟାକ୍ସ ହେଉଛି ୪୬,୭୯୩.୮୬ କୋଟି ଟଙ୍କା । ଯାହା ପୂର୍ବ ବର୍ଷର ସମାନ ଅବଧିରେ ୨୭.୮୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ଉତ୍ସରୁ ମୋଟ ରାଜସ୍ୱ ରସିଦ ୧ ଲକ୍ଷ ୫୯ ହଜାର ୮୨୧ କୋଟି ଥିବା ବେଳେ ଗତବର୍ଷ ୧ ଲକ୍ଷ ୨୯ ହଜାର ୪୯୦ କୋଟି ଟଙ୍କା ଥିଲା, ଯାହା ୨୩. ୪୨ ପ୍ରତିଶତ ଅଧିକ ।

