ଜୟପୁର: ସରୁନି ସସପେନ୍ସ । ୮ ଦିନ ପରେ ମଧ୍ୟ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର ହୋଇନାହିଁ । କିନ୍ତୁ ଏଭଳି ଏକ ସମୟରେ ଭାଇରାଲ ହେଉଛି ଦିୟା କୁମାରୀଙ୍କ ଏକ ଭିଡିଓ । ମୁଖ୍ୟମନ୍ତ୍ରୀ ରେସରେ ଥିବା ଦିୟା କୁମାରୀଙ୍କ ଧମକପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ବିଦ୍ୟାଧର ଆସନରୁ ଜିତିଥିବା ଦିୟା ଆକ୍ସନ ମୁଡରେ ନଜର ଆସିଥିବାବେଳେ ସେ ଫୋନରେ କଥା ହେଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଜଣେ ପୋଲିସ ବାବୁଙ୍କୁ ଧମକ ଦେଉଥିବା ଜଣାପଡ଼ିଛି । ଅଶୋକ ଗେହଲଟ ତୁମକୁ ନିଯୁକ୍ତି ଦେଇଛନ୍ତି ନାଁ? ଦେଖ ୪ ଦିନ ଭିତରେ ବିଜେପି ସରକାର ଆସୁଛି ତୁମେ ବଦଳି ହେବ । ଏଭଳି କିଛି କହୁଥିବା ଏହି ଭିଡିଓରେ ଜଣାପଡ଼ିଛି । ସାଙ୍ଗରେ ତାଙ୍କର ସମର୍ଥକମାନେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଜଣେ ୮ ବର୍ଷର ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ସ୍କୁଲ ବସ ଚାଳକ ନାବାଳିକାକୁ ଦୁଷ୍କର୍ମ କରିଥିବାବେଳେ ପିଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଚାପରେ ପୋଲିସବାବୁ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ବାବୁଙ୍କୁ ଧମକ ଦେଉଥିବା କୁହାଯାଉଛି ।
ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୁଦ୍ଧରେ ଧାରଣା ଦିଆଯାଇଛି । ଠିକା ସଂସ୍ଥାର ବେଆଇନ୍ ଭାବରେ ୧୦ ହଜାର ଟଙ୍କା ଆଦାୟ ସାଙ୍ଗକୁ ଶ୍ରମିକ ଛଟେଇକୁ ବିରୋଧ କରାଯାଇଛି । ଏହାସହ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାରକୁ ବିରୋଧ କରି ଆନ୍ଦୋଳନ କରାଯାଇଛି । ଆନ୍ଦୋଳନରେ ୭୦୦ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଆନ୍ଦୋଳନ ଯୋଗୁ ଆଜି ସକାଳୁ ଏମ୍ସ ହସ୍ପିଟାଲ ପରିସରରେ ସଫେଇ କାମ ବନ୍ଦ ରହିଛି । ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଫେ କାର୍ଯ୍ୟ ବନ୍ଦ ରଖିବାକୁ ଚେତାବନୀ ଦିଆଯାଇଛି ।
ପାରାଦୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କଷ୍ଟମ୍ସ ବିଭାଗ
ପାରାଦୀପ: ପାରାଦୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାରେ ତନାଘନା । ତଦନ୍ତକୁ ଜୋରଦାର କରିଛି କଷ୍ଟମ୍ସ ବିଭାଗ । ଜାହାଜର ପାଣି ଟାଙ୍କି ଓ ପିଆଇସିଟି ବର୍ଥର ଯେଉ ସ୍ଥାନରେ ଜାହାଜ ରହିଥିଲା, ସେସବୁ ସ୍ଥାନରେ ସ୍କୁବା ଡାଇଭରଙ୍କ ସହାୟତାରେ ଯାଞ୍ଚ କରାଯାଇଛି । ଟାଙ୍କି କିମ୍ବା ଜାହାଜ ତଳକୁ କୋକେନ ପ୍ୟାକେଟ ଫିଙ୍ଗା ଯାଇଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ । ଦୁଇ ଜଣ ସ୍କୁବା ଡାଇଭର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଛନ୍ତି ।
ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତ ସମୟରେ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହେଉଛି । ତେଣୁ ଦୁଇ ଜଣ ଇଣ୍ଟରପ୍ରିଟରଙ୍କୁ ଆଣି ତଦନ୍ତ କରିଛି କଷ୍ଟମ୍ସ ବିଭାଗ । ପାଣିଟାଙ୍କି କିମ୍ବା ବର୍ଥ ଭିତରେ କିଛି କୋକେନ ପ୍ୟାକେଟ ପଡିଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ । ଜାହାଜର ପାଖାପାଖି ୬ ଜଣ କ୍ରେନ ଅପରେଟର ଓ ଦୁଇ ଜଣ ଇଞ୍ଜିନିୟରଙ୍କ ଉପରେ କଷ୍ଟମ୍ସ ବିଭାଗ ସନ୍ଦେହ କରୁଛି । ତେଣୁ ଏମାନଙ୍କୁ ଖୁବଶୀଘ୍ର କଷ୍ଟମ୍ସ ବିଭାଗ ପଚରାଉଚରା କରିପାରେ ।
ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା ଜନଜାତି ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଏକ ନୂଆ ଅନୁଭୂତି ନେଇ ଫେରିଛନ୍ତି। ଉଦଯାପନୀ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଆଦିବାସୀ ଲୋକନୃତ୍ୟ ଓ ବିଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ସାଥୀ ଛାତ୍ରଛାତ୍ରୀ ଓ ଅତିଥିମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ।

‘ସର୍ଗି ଫୁଲ୍’ କାର୍ଯ୍ୟକ୍ରମର ଶେଷ ଦିନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜୋନସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥିବାରୁ ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ରାଜ୍ୟ ସରକାର, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଧିରେନ୍ଦ୍ର କୁମାର ସେଠୀ, ବଣାଇଁ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶି ସାହୁ, ପାନପୋଷ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପରମାନନ୍ଦ ପୃଷ୍ଟି ଏବଂ ଭବାନିପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯାଇଥିଲା। ନଭେମ୍ବର ୭ରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାରୁ ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ବିଷୟରେ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ ଭିତରେ ଶିଶୁ ସାମ୍ବାଦିକ, ଓଡ଼ିଶୀ ନୃତ୍ୟ, ଷ୍ଟୋରି ଟେଲିଂ, କାର୍ଟୁନ, ୱାର୍ଡ ପଜଲ, ମ୍ୟାଥ୍ ଗେମ୍, ମ୍ୟାଜିକ୍ ସୋ’ ସହିତ ଅଦରକାରୀ ଜିନିଷରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତି ଆଦି କର୍ମଶାଳା ରହିଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ କୌଶଳ ଶିଖିଥିଲେ ଓ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଥିଲେ।
‘ସରଗି ଫୁଲ୍’ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ଆଦି କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହୋଇଥିଲା।
ଆସନ୍ତା ନଭେମ୍ବର ୧୪ରୁ ଗଜପତି ଜିଲ୍ଲାର ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦକ୍ଷିଣ-ଓଡ଼ିଶା ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ଜିଲ୍ଲାରୁ ଜନଜାତି ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ଜୋନସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।

