spot_img
Home Blog Page 228

ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ : ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ l ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ l କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଧାତିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି ପାଠପଢା । ଏହି ବିଦ୍ୟାଳୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଥିବା ବେଳେ ଏକ ବର୍ଷ ହେବ ଏହି ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି l ପୂର୍ବରୁ ଏହି ବିଦ୍ୟାଳୟକୁ ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ଧାତିକା, ଗିଧିବାସ, ନିଶାଗଡିଆ ଗ୍ରାମର ପିଲାମାନେ ପଢିବାକୁ ଆସୁଥିଲେ l ମାତ୍ର ଏବେ ଶିକ୍ଷକ ସମସ୍ୟାକୁ ନେଇ ପିଲାମାନେ ଅନ୍ୟ ସ୍କୁଲ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

 

ନାବାଳିକା ଝିଅକୁ ଗର୍ଭବତୀ କଲା ବାପା : କଙ୍କଡାହାଡ଼ ଥାନାରେ ଅଭିଯୋଗ କଲା ନାବାଳିକା

ନନ୍ଦିଘୋଷ ବ୍ୟୁରୋ : ନାବାଳିକା ଝିଅକୁ ଗର୍ଭବତୀ କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ l ନିଜର ଜନ୍ମକଲା ନାବାଳିକା ଝିଅକୁ ବାପା ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି l ନାବାଳିକା ଜଣଙ୍କ ତିନି ମାସର ଗର୍ଭବତୀ ହୋଇଥିବା ବେଳେ ଏବିଷୟରେ ବାହାରେ ଜଣାଇଲେ ମାରିଦେବାର ଭୟ ଦେଖାଇଥିଲା ବାପା l କିନ୍ତୁ ଗତକାଲି ନାବାଳିକା ଜଣକ ଏସମ୍ପର୍କରେ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି l ପୋଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି । ଏହା ସହ ଅଭିଯୁକ୍ତ ବାପାକୁ ଧରିବା ପାଇଁ ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି l

ଦରମା ମିଳିଲାନି ବୋଲି ଗଡ଼ିଲାନି ଗାଡ଼ି ; ଷ୍ଟିଅରିଂ ଛାଡିଲେ ‘ଆମ ବସ’ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵରରେ ଆମ ବସ୍ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ୍ ଆନ୍ଦୋଳନ। ଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡ଼ିଛନ୍ତି। ଠିକ ସମୟରେ ଦରମା ନ ମିଳିବାରୁ ଘର ଚଳାଇବା ସମସ୍ୟା ହେଉଥିବା କହିଛନ୍ତି ସେମାନେ। କୌଣସି ସାମାଜିକ ସୁରକ୍ଷା ବିନା ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ପ୍ରତି ମାସ ବିଳମ୍ବରେ ଦରମା ମିଳୁଥିବା ବେଳେ ଏ ମାସର 13 ତାରିଖ ହେଲାଣି ଦରମା ମିଳିନାହିଁ । ତିନି ଦିନ ହେବ ଚକ୍ରା ଟ୍ରାନ୍ସପୋର୍ଟ ପକ୍ଷରୁ କୌଣସି ଅଧିକାରୀ କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଡ୍ରାଇଭର଼୍।

ସତ ମାନିଲେ ଟ୍ରମ୍ପ : ଟାରିଫ ଲଗାଇବା ପଡିଲା ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ : ଗତ କିଛି ଦିନ ହେବ ଆମେରିକା ଓ ଭାରତ ମଧ୍ୟରେ ଟାରିଫ୍‌ ଯୁଦ୍ଧର ‌ତୋଫାନ୍‌ ଲାଗିରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର  ସ୍ୱୀକାର କରିଛନ୍ତି ଯେ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ୫୦% ଶୁଳ୍କ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି।

ୟୁକ୍ରେନ ଆକ୍ରମଣ ଉପରେ ପଶ୍ଚିମ କଟକଣାର ଅଂଶ ସ୍ୱରୂପ, ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଏହାର କିଛି ରପ୍ତାନି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପରେ ଭାରତ କ୍ରୋଧିତ ହୋଇଛି। ଯାହାକୁ ଟ୍ରମ୍ପ୍‌ ବାସ୍ତବରେ ଏକ ବଡ଼ କଥା ବୋଲି ସ୍ବୀମାର କରି ଭାରତ ସହିତ ମତଭେଦ ସୃଷ୍ଟି ହୋଇଛି ବୋଲି ମତ ରଖିଛନ୍ତି।

ମୋଦୀ ଏକ ସାକ୍ଷାତକାରରେ ତାଙ୍କର ମତ ରଖି କହିଛନ୍ତି, ‘‘ଭାରତର ରୁଷିଆ ହେଉଛି ସବୁଠାରୁ ବଡ଼ ଗ୍ରାହକ। ମୁଁ ଭାରତ ଉପରେ ୫୦% ଶୁଳ୍କ ଲଗାଇଛି; କାରଣ ସେମାନେ ରୁଷିଆରୁ ତେଲ କିଣୁଛନ୍ତି। ତଥାପି ଏହା କରିବା ସହଜ ନଥିଲା। ଏହା ଦୁଇ ଦେଶର ସଂପର୍କ ଉପରେ ପ୍ରଭାବ ପକାଇଛି।’’

ଟ୍ରମ୍ପ ପ୍ରଥମେ ଭାରତରୁ ଆମଦାନୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଥିଲେ, ତା’ପରେ କହିଥିଲେ ଯେ ଅଗଷ୍ଟ ୨୭ ତାରିଖରୁ ଏହାକୁ ଦ୍ୱିଗୁଣିତ କରି ୫୦% କରାଯିବ। ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ଚେଷ୍ଟା କରୁଥିବାରୁ ଭାରତ ରୁଷୀୟ ତୈଳ କ୍ରୟ ବୃଦ୍ଧି କରିଥିବାରୁ ଦଣ୍ଡ ସ୍ୱରୂପ ଏହି ଶୁଳ୍କ ଲାଗୁ କରାଯିବ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ପ୍ରଶାସନ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଭାରତ ସହିତ ଆଲୋଚନା ଜାରି ରଖିଛି ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବେ। ଏହା କିଛି ସପ୍ତାହର କୂଟନୈତିକ ଅଚଳାବସ୍ଥା ପରେ ସମ୍ପର୍କରେ ଉନ୍ନତିର ଏକ ସଙ୍କେତ।

 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ

ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ। ଗତ ମେ ୨୦୨୩ରେ ମଣିପୁରରେ ହିଂସା ପରଠାରୁ ପ୍ରଥମ ଥର ଲାଗି ମଣିପୁର ଗସ୍ତ କରିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଣିପୁର ମୁଖ୍ୟ ସଚିବ ପୁନୀତ କୁମାର କହିଛନ୍ତି- ମିଜୋରାମ ଆଇଜଲରୁ ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁର ଆସିବେ। ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ସେ ଶାନ୍ତି ପଡ଼ିଆରେ ଉଦବୋଧନ ଦେବେ।  ସେ ଚୁରାଚାନ୍ଦପୁରରେ ୭ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ୨୦୨୩ରୁ ଚାଲିଆସିଥିବା ହିଂସାରେ ଚୁରାଚାନ୍ଦପୁର ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ହିଂସାରେ ରାଜ୍ୟରେ ୨୬୦ ଜୀବନ ଯାଇଛି।ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚୁରାଚାନ୍ଦପୁରରେ ମାତିଛନ୍ତି ଦୁର୍ବୃତ୍ତ। ବିଭିନ୍ନ ସ୍ଥାନରେ କରିଛନ୍ତି ଭଙ୍ଗାରୁଜା। ଚୁରାଚାନ୍ଦପୁରରେ କିଛି ଅସାମାଜିକ ବ୍ୟକ୍ତି କରିଛନ୍ତି ଭଙ୍ଗାରୁଜା। ବିଭିନ୍ନ ରାସ୍ତାରେ ଲଗାଯାଇଥିବା ବ୍ୟାରିକେଡକୁ ସେମାନେ ଭାଙ୍ଗିବା ସହ ରାସ୍ତାର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରିଛନ୍ତି।

ବିହାର ମହାଗଠବନ୍ଧନରେ ଜଟିଳ ହେଉଛି ଆସନ ବୁଝାମଣା : ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଆରମ୍ଭ ହେଲାଣି ବିବାଦ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ମହାଗଠବନ୍ଧନ ଅଧିକ ଶକ୍ତିଶାଳୀ ହୋଇଥିଲେ ବି ବଢିଛି ସମସ୍ୟା । ମହାଗଠବନ୍ଧନ ଲାଗି ନିର୍ବାଚନ ହେବ ଅଧିକ ଜଟିଳ ।  ମହାଗଠବନ୍ଧନରେ ଆଉ ଦୁଇ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପଶୁପତି ପାରସଙ୍କ ଆରଏଲଜେପି ସାମିଲ ହୋଇଥିବାରୁ ଆସନ ବଣ୍ଟନ ପ୍ରକ୍ରିୟା ଅଧିକ ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ମହାଗଠବନ୍ଧନରେ ୮ଟି ଦଳ ରହିଛନ୍ତି । ସେଗୁଡିକ ହେଲା ଆରଜେଡି, କଂଗ୍ରେସ, ସିପିଆଇ, ସିପିଏମ, ସିପିଆଇଏମ(ଏମଏଲ)ଲିବରେସନ, ଭିଆଇପି, ଆରଏଲଜେପି, ଜେଏମଏମ । କଂଗ୍ରେସ ୭୦ରୁ କମ ଆସନରେ ଲଢିବ ନାହିଁ ବୋଲି ଜିଦ୍ ଧରିରହିଛି । ଭିଆଇପି ନେତା ମୁକେଶ ସାହାଣୀ ୬୦ ଆସନ ଦାବି କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ଆସନ ଦାବି କରିଛି । ସିପିଆଇଏମଏଲ ଅତି କମରେ ୪୦ ଆସନ ଲାଗି ଦାବି କରିଛି । ସେପଟେ ଆରଜେଡି ୧୫୦ ଆସନ ଲାଗି ଜିଦ୍ ଧରିବସିଛି । ମୋଟ ବିଧାନସଭା ଆସନ ୨୪୩ ହୋଇଥିବାବେଳେ ମହାଗଠବନ୍ଧନ କିପରି ୮ଟି ଦଳକୁ ସନ୍ତୁଷ୍ଟ କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ଗତ ବିଧାନସଭା ନିର୍ବାଚନରେ ଆରଜେଡି ୧୪୪ଆସନରେ ଲଢି ହାସଲ କରିଥିଲା ୭୫ ଆସନ । କଂଗ୍ରେସ ୭୦ ଆସନରେ ଲଢି ପାଇଥିଲା ୧୯ ଆସନ । ସିପିଆଇଏମଏଲ ୧୯ ଆସନରେ ଲଢି ୧୨ ଆସନ ପାଇଥିବାବେଳେ ସିପିଏମ ୪ ଆସନରେ ଲଢି ପାଇଥିଲା ୨ ଆସନ । ସିପିଆଇ 6 ଆସନରେ ଲଢି ପାଇଥିଲା ୨ ଆସନ । ରାମବିଳାସ ପାଶଓ୍ବାନଙ୍କ ନାମରେ ଥିବା ଭୋଟ ତଥା ରାମବିଳାସଙ୍କ ଖଗରିଆ ସମ୍ପ୍ରଦାୟ ଭୋଟକୁ ବିଭାଜିତ କରିବାରେ ପଶୁପତି ସକ୍ଷମ ହେବା ଆଶା କରାଯାଉଥିବାରୁ ମହାଗଠବନ୍ଧନରେ ପଶୁପତି ପ୍ରମୁଖ ଭୂମିକା ନେବେ । ଖଖରିଆ ସମ୍ପ୍ରଦାୟବହୁଳ ଆଲାଉଲି ବିଧାନସଭା ଆସନରୁ ପଶୁପତି ପ୍ରତିନିଧିତ୍ବ ଅତୀତରେ କରିଥିବାରୁ ତାଙ୍କ ଉପରେ ବିଶେଷ  ଭରସା କରିବ ମହାଗଠବନ୍ଧନ । ଯଦି ପଶୁପତିଙ୍କୁ ହାଜିପୁରରୁ ପ୍ରାର୍ଥୀ କରାଯାଏ ତେବେ ରାମବିଳାସଙ୍କ ନାଁରେ ଥିବା ଭୋଟ ବିଭାଜିତ ହେବା ଆଶା ରହିଛି । ଜେଏମଏମକୁ ବାଙ୍କା, ମୁଙ୍ଗେର ଓ ଭାଗଲପୁର ଆସନ ଦିଆଯାଇପାରେ । ପୂର୍ବରୁ ଭିଆଇପି ନେତା ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଭାବେ ତେଜସ୍ବୀ ଘୋଷଣା କରିଥିବାରୁ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଗତ ନିର୍ବାଚନରେ ଭିଆଇପି ୧୧ ଆସନ ଲଢିଥିବାବେଳେ ପାଇଥିଲା ୪ଟି ।

 

ପୋଲିସର ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ପୋଲିସର ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ଜାରି ରହିଛି।ପୋଲିସର ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର କରିଛି ସୁରକ୍ଷାକର୍ମୀ।ଆହୁରି ଅଧିକା ମାଓବାଦୀ ମୃତ୍ୟୁ ହୋଇଥିବା ଆଶଙ୍କା କରୁଛି ପୋଲିସ।ଘଟଣାସ୍ଥଳରୁ ୨ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏବେବି ଗୁଳିବିନିମୟ ଜାରି ରହିଛି।STF, DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି।

ସ୍ପାଇସଜେଟରୁ ଖସିପଡିଲା ଚକ

ସ୍ପାଇସଜେଟରୁ ଖସିପଡିଲା ଚକ। ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ କ୍ୟୁ ୪୦୦ ବିମାନର ଖସିପଡିଲା ଚକ। ତେବେ ବିମାନଟି ମୁମ୍ବାଇରେ ନିରାପଦର ସହ ଅବତରଣ କରିଛି। ଅବତରଣ ବେଳେ ବିମାନର କୌଣସି କ୍ଷତି ଘଟିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ବିମାନ ଚକ ଖସିପଡିବା ସତ୍ତ୍ବେ ବିମାନଟି ଯାତ୍ରା କରିଥିଲା। ତେବେ ଏଥିରେ କୌଣସି ଅଘଟଣ ଘଟି ନଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଚକା ଖସିବା ଘଟଣା ପରେ ମୁମ୍ବାଇ ବିମାନବନ୍ଦରରେ ଏମର୍ଜେନ୍ସି ଜାରି କରାଯାଇଥିଲା।

ରାଜ୍ୟରେ ଉତ୍କଟ ସାର ସମସ୍ୟା: ୧୫ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ରାଜ୍ୟରେ ଉତ୍କଟ ସାର ସମସ୍ୟା । ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ହେଉଛି । ୧୫ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି । ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଫିସ ଓ ବ୍ଲକ ଅଫିସ୍ ସାମ୍ନାରେ ବିକ୍ଷୋଭ । ସାର ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସାର ପାଇଁ ସାରା ରାଜ୍ୟର ଚାଷୀ ହନ୍ତସନ୍ତ  । ଆଧାରକାର୍ଡ ଧରି ପ୍ୟାକ୍ସ, ଲ୍ୟାମ୍ପସ ଆଗରେ ରାତି ଅଧରୁ ଛିଡ଼ା ହେଲେ ବି ଚାଷୀଙ୍କୁ ମିଳୁନି ସାର। ଏହାକୁ ନେଇ ବର୍ଷିଛି ବିଜେଡି। କହିଛି, ସରକାର ବୋଧହୁଏ ବଧିର ହୋଇ ଗଲେଣି । ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ। ରାଜ୍ୟରେ ସାର ସମସ୍ୟା ନାହିଁ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ  । ସମବାୟ ମନ୍ତ୍ରୀ ବି ସେଇ କଥା କହୁଛନ୍ତି। ହେଲେ ସରକାରୀ ତଥ୍ୟ କହୁଛି ଭିନ୍ନ କଥା। ଗଂଜାମ ଜିଲ୍ଲାପାଳ ମାଗିଥିଲେ ୧୯ ହଜାର ୫୦୦ ମେଟ୍ରିକ ଟନ। କିନ୍ତୁ ମିଳିଛି ମାତ୍ର ୧୦ ହଜାର ଟନ। ବାକି ଜିଲ୍ଲାର ବି ସମାନ ସମସ୍ୟା। ଯେତେ ଦରକାର ସେତେ ସାର ମିଳୁନି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଚିଠି ଲେଖିଥିଲେ। କଳାବଜାରୀ ରୋକି ପାରୁନାହାନ୍ତି ସରକାର। ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ନ ମିଳିଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ବିଜେଡି। ଚାଷୀଙ୍କୁ ପ୍ରତାରଣା କରାଯାଇଥିବାରୁ ୧୫ ତାରିଖରେ ରାଜଭବନ ଆଗରେ ବିଜେଡି ଧାରଣା ଦେବ। ତା ପରେ ବି ସରକାର ନ ଚେତିଲେ ଜିଲ୍ଲାପାଳଙ୍କ ଅଫିସି ଓ ବ୍ଲକ ଅଫିସ ଆଗରେ ଧାରଣା ଦେବ ଦଳ। ।

ଚାଷୀମାନେ ବି ଅଭିଯୋଗ କରିଛନ୍ତି, ରାଜ୍ୟରେ ଦେଖାଦେଇଛି ସାରର କୃତ୍ରିମ ଅଭାବ। କଳାବଜାରୀ ହେଉଛି। ଯେଉଁ ସାରର ଦାମ ପ୍ୟାକେଟ ପିଛା ୧୬୦ରୁ୨୭୦ ଟଙ୍କା । ତାହା ବିକ୍ରି ହେଉଛି ୬୦୦ରୁ ୭୦୦ ଟଙ୍କାରେ। ୟୁରିଆ ତ ବିଲକୁଲ ମିଳୁନି। ସାରର ଅଭାବୀ ବିକ୍ରି ଓ ସାର ସଙ୍କଟ ସତ୍ତ୍ଵେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସାର ମିଳୁନଥିବାରୁ ଧାନ ଗଛ ହଳଦିଆ ପଡ଼ିଗଲାଣି। ଏଥିପାଇଁ ଚାଷୀ ହତାଶ ହୋଇଗଲେଣି। ରାଜ୍ୟରେ ସାର ସମସ୍ୟା ଉତ୍କଟ । ହେଲେ କୃଷି ମନ୍ତ୍ରୀ କହିଛନ୍ତି ସାର ମହଜୁଦ ଅଛି । ଯଦି ମହଜୁଦ ଅଛି ତାହେଲେ କାହିଁକି ସବୁ ଜିଲ୍ଲାକୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଣ ହେଉନି? ତାକୁ ନେଇ ଉଠିଛି ପ୍ରଶ୍ନ । ସାର ଅଭାବ ନେଇ ଖୋଦ ମୁଖ୍ୟମନ୍ତ୍ରୀ ବି ବୈଠକ ଡାକି ତାଗିଦ କଲେ । ତଥାପି ଯାଉନି ଚାଷୀଙ୍କ ଦୁଃଖ । ସାର ସଂକଟ ଦୂର ନ ହେଲେ ଆଗକୁ ତୀବ୍ର ହେବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବିଜେଡି

ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ

ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ। ଫାଇଦା ଉଠାଉଛନ୍ତି ପଞ୍ଜୀକରଣ ଅଧିକାରୀ। ଅସୁବିଧାରେ ପଡୁଛନ୍ତି ସାଧାରଣ ଲୋକେ। ଖୋର୍ଦ୍ଧା ଜିଲ୍ଲାରେ ଉତ୍କଟ ରୂପ ନେଇଛି ସମସ୍ୟା। ପଞ୍ଜୀକରଣ ଅଧିକାରୀଙ୍କ ମନମାନୀର ଗଦାଗଦା ଅଭିଯୋଗ ପରେ ମୁଣ୍ଡ ଖେଳାଇଛନ୍ତି ଇନିସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ। ଖୋର୍ଦ୍ଧା ଜିଲ୍ଲାର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଅଧିକ ଦ୍ବନ୍ଦ୍ବ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ୨୦୧୩ ମସିହାରେ ସରକାର ଇଣ୍ଡିଆନ ରେଜିଷ୍ଟ୍ରେସନ ଆକ୍ଟର ସଂଶୋଧନ କରି, ଧାରା ୨୨(କ) ଅନୁସାରେ ସବ ରେଜିଷ୍ଟ୍ରାରଙ୍କୁ ଦଲିଲ ପଞ୍ଜୀକରଣ ହେବ କି ନାହିଁ, ଏହାର ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିଲେ। ଯାହାର ଫାଇଦା ଉଠାଇ ସବ-ରେଜିଷ୍ଟ୍ରାରମାନେ ଅଯଥା କାରଣ ଦର୍ଶାଇ ଲୋକଙ୍କୁ ହଇରାଣ କରୁଛନ୍ତି। ଏ ବାବଦରେ ସରକାରଙ୍କୁ ବାରମ୍ବାର କହିବା ପରେ ମଧ୍ୟ କିଛି ବାଟ ଫିଟୁ ନଥିବାରୁ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ବିକାଶ ଅଭିଯାନ।

ପାର୍ଟ ପ୍ଲଟ କିଣାବିକା କରିବାକୁ ଜୁନ୍ ମାସରେ ଓଡ଼ିଶା ଡେଭେଲପମେଣ୍ଟ ରୁଲ୍ସର ସଂଶୋଧନ ହୋଇଥିଲା। ଚାଷ ଜମି ପାଇଁ କୌଣସି କଟକଣା ନଥିବା ବେଳେ, ଘରବାଡ଼ି ଜମି କିଣାବିକା ପାଇଁ ଲେ-ଆଉଟ ବାଧ୍ୟତାମୂଳକ ହୋଇଥିଲା। ହେଲେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ୫୦୦ ବର୍ଗମିଟର ପର୍ଯ୍ୟନ୍ତ ବିନା ଲେ-ଆଉଟରେ ଜମି ବିକ୍ରି କରି ପାରିବେ ବୋଲି ଅନୁମତି ମିଳିଥିଲା। ଯାହାର ଫାଇଦା ଉଠାଉଛନ୍ତି ସବ ରେଜିଷ୍ଟ୍ରାର। ଏହି ବାହାନାରେ ଚାଷ ଜମିର ଦଲିଲ ମଧ୍ୟ କରୁନାହାନ୍ତି। ସେହିପରି ଚାଷ ଜମି ବିକ୍ରି ପରେ ଜୀବନ ଯାକ ଏହା ଘରବାଡ଼ି ହୋଇପାରିବ ନାହିଁ ବୋଲି ସରକାର ରଖିଥିବା ସର୍ତ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ସବ ରେଜିଷ୍ଟ୍ରାରମାନେ ଦଲିଲ ପଞ୍ଜୀକରଣ କରିବାକୁ ଥିବା ବେଳେ, ତାଙ୍କ ଉପରେ ଅନ୍ୟ ବିଭାଗର ଆଇନକୁ ଲଦି ଦିଆଯାଉଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରାଯାଉଛି। କିନ୍ତୁ ଖାଲି ପ୍ରତିଶ୍ରୁତି ମିଳୁଛି ବୋଲି ଅଭିଯୋଗ କରିଛି ଓଡ଼ିଶା ବିକାଶ ଅଭିଯାନ।