ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାମକୁ ଭୁଲିଗଲା ବିଜେପି । ନବକୃଷ୍ଣ ଚୌଧୁରୀଙ୍କ ବଦଳରେ ପୋଷ୍ଟରରେ ଲେଖା ହୋଇଛି ନବ କିଶୋର ଚୌଧୁରୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବହୁ ପୋଷ୍ଟର ଏଭଳି ଭ୍ରମ ଦେଖିବାକୁ ମିଳିଛି । ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ଭୁଲ୍ ରହିଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଉଛି । ଓଡ଼ିଶାର ଅନ୍ୟତମ ବିପ୍ଲବୀ ପୁରୁଷ, ସ୍ବାଧିନତା ସଂଗ୍ରାମୀ, କୃଷକ ନେତା, ଭାରତ ଛାଡ଼ ଆନ୍ଦୋଳନର କର୍ମୀ, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାମକୁ ବିଜେପି ଭୁଲ୍ ଲେଖିଛି। ମୋ ଦେଶ ମୋ ମାଟି ଅଭିଯାନରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଛି । ସାରା ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଓଡ଼ିଶାର ବୀର ପୁରୁଷଙ୍କ ଗାଁ ସମେତ ସଂଗ୍ରାମୀ ଗାଁ ସଂଗୃହିତ ହୋଇଛି ମାଟି । ରାଜଧାନୀରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥିବାବେଳେ ବିଜେପି ପକ୍ଷରୁ ସ୍ବାଗତ କରିବା ପାଇଁ ଭବ୍ୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ବିପ୍ଲବୀ ଏବଂ ଓଡ଼ିଶାର ବୀର ପୂତ୍ରଙ୍କ ପୋଷ୍ଟରମାନ ବିଜେପି ପକ୍ଷରୁ ଲଗାଯାଇଛି । ମାତ୍ର ବିଡ଼ମ୍ବନାର ବିଷୟ ଏହିକି ଯେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନବ କିଶୋର ଚୌଧୁରୀ ଲେଖାଥିବା ପୋଷ୍ଟରକୁ ବୁଦ୍ଧିଜୀବୀଙ୍କ ସମେତ ସାଧାରଣ ଲୋକେ ମଧ୍ୟ ନିନ୍ଦା କରୁଛନ୍ତି ।
ଇଣ୍ଟରନେଟରେ ବଢୁଛି ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ, ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ ପ୍ରସାରଣ ପ୍ରସଙ୍ଗରେ ସୁପାରିସଗୁଡିକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ କେନ୍ଦ୍ରଶାସିତ ଓ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ପରାମର୍ଶ । ଦୁଇମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ବା ଏଟିଆର ପଠାଇବା ଲାଗି କମିଶନ ଦେଇଛନ୍ତି ନିର୍ଦ୍ଦେଶ । ଇଣ୍ଟରନେଟରେ ଶିଶୁ ଯୌନ ସଂକ୍ରାନ୍ତ ମ୍ୟାଟେରିଆଲ ବା ସିଏସଏଏମଗୁଡିକୁ ନିୟନ୍ତ୍ରଣ କରିବା ସହ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି କମିଶନ ।
୨୦୨୩ରେ ବର୍ତ୍ତମାନ ସୁଦ୍ଧା ଏହି ଧରଣର ୪ ଲକ୍ଷ ୫୦ ହଜାର ୨୦୭ଟି ମାମଲା ପରିଲକ୍ଷିତ ହୋଇଥିବାବେଳେ ଦିନକୁ ଦିନ ଏହି ଧରଣର ମ୍ୟାଟେରିଆଲର ପ୍ରଡକ୍ସନ ଓ ଡିଷ୍ଟ୍ରିବ୍ୟୁସନ ସଂଖ୍ୟା ବଢୁଥିବା ଜଣାଯାଇଛି । ୨୦୨୧ରେ ଏହି ମାମଲା ସଂଖ୍ୟା ୧ ଲକ୍ଷ ୬୩ ହଜାର ୬୩୩ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୨ ଲକ୍ଷ ୪ ହଜାର ୫୬ ।
ଯୌନ ଉତ୍ତେଜନାସୃଷ୍ଟିକାରୀ ଦୃଶ୍ୟାବଳୀ, ଶିଶୁଙ୍କୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲ, ଶିଶୁଙ୍କୁ ଯୌନ ଶୋଷଣ ଆଦିକୁ ଚାଇଲଡ ପର୍ଣ୍ଣୋଗ୍ରାଫି ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି । ସୂଚନା ଓ ପ୍ରଯୁକ୍ତି ଆଇନ ୨୦୦୦ରେ ରହିଥିବା ଯୌନ ଉତ୍ତେଜନା ସଂକ୍ରାନ୍ତ ସଂଜ୍ଞାର ପୁନଃସମୀକ୍ଷା କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି କମିଶନ ।
ଇଣ୍ଟରନେଟର ପ୍ରସାରିତ ହେଉଥିବା ଦୃଶ୍ୟଗୁଡିକୁ ମନିଟରିଂ କରିବା ସହ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଶିଶୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲଗୁଡିକ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ଲାଗି ପ୍ରସ୍ତାବିତ ସ୍ବତନ୍ତ୍ର କେନ୍ଦ୍ରୀୟ ପୋଲିସ ୟୁନିଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ କମିଶନ କହିଛନ୍ତି । ଆଇନଜୀବୀ, ବିଚାରପତି, ପୋଲିସ, ସରକାରୀ ଅଧିକାରୀଙ୍କୁ ଏସମ୍ପର୍କରେ ପ୍ରଶିକ୍ଷଣ ଦେବା ଲାଗି ସୁପାରିସ କରିଛନ୍ତି କମିଶନ । ସେହିପରି ଏହି ଧରଣର ମ୍ୟାଟେରିଆଲଗୁଡିକୁ ତୁରନ୍ତ ହଟାଇଦେବା ଲାଗି ମିଡିଆ ପ୍ଲାଟଫର୍ମଗୁଡିକୁ କମିଶନ ପରାମର୍ଶ ଦେଇଛନ୍ତି ।
ଗାଜାର ଟନେଲ ବନ୍ଦ କରିବାକୁ ସ୍ପଞ୍ଜ ବୋମା ବ୍ୟବହାର କରୁଛି ଇସ୍ରାଏଲ
ଗାଜା: ହମାସକୁ ସାବାଡ କରିବା ଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଗାଜାରେ ବହୁ ଟନେଲ ଥିବାବେଳେ ଏହା ଜରିଆରେ ଅସ୍ତ୍ରଶସ୍ତ୍ର ଚାଲାଣ ସମେତ ସୈନ୍ୟ ସଂଗ୍ରହ କରାଯାଉଥିବାରୁ ଟନେଲଗୁଡିକୁ ଟାର୍ଗେଟ କରିଛି ଇସ୍ରାଏଲ । ଏଥିଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଏହି ସ୍ବତନ୍ତ୍ର ଧରଣର ବୋମା ଏକ ରାସାୟନିକ ଅସ୍ତ୍ର ଏବଂ ପାରମ୍ପରିକ ବିସ୍ଫୋରକଠାରୁ ଅଲଗା ।
ତାହା ଫୁଟେ ନାହିଁ କିନ୍ତୁ ବିସ୍ଫୋରଣ ପରେ ଏହା ଫେଣ ଆକାରରେ ପରିବ୍ୟାପ୍ତ ହୋଇଥାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ବିସ୍ଫୋରଣ ପରେ ଫେଣଗୁଡ଼ିକ କଠିନ ଆକାର ଧାରଣ କରିଥାଏ । ବିଶେଷ କରି ଟନେଲଗୁଡିକୁ ଏହା ଜରିଆରେ ବନ୍ଦ କରିଦିଆଯାଇଥାଏ । ସ୍ପଞ୍ଜ ବୋମା ସାହାଯ୍ୟରେ ଗାଜା ମେଟ୍ରୋଗୁଡିକୁ ବନ୍ଦ କରିଦିଆଯାଇଥାଏ । ଫଳରେ ଗୋପନ ସୁଡଙ୍ଗରୁ ଇସ୍ରାଏଲ ଉପରେ ହମାସର ସମ୍ଭାବ୍ୟ ଆକ୍ରମଣକୁ ବନ୍ଦ କରିଦିଆଯାଇଥାଏ ।
ଗାଜା ମେଟ୍ରୋ ହେଉଛି ଶହ ଶହ ମାଇଲବ୍ୟାପୀ ଟନେଲ । ଏହି ଟନେଲଗୁଡିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଏ ହମାସ । ଏପରିକି ପଣବନ୍ଦୀଙ୍କୁ ବି ଏହି ଟନେଲରେ ରଖାଯାଇଥିବା ଇସ୍ରାଏଲ ବିଶ୍ବାସ କରୁଛି । ସନ୍ଦିଗ୍ଧ ଟନେଲଗୁଡିକ ଉପରକୁ ସ୍ପଞ୍ଜ ବୋମା ଫୋପଡ଼ାଦିଆଯିବା ପରେ ତାହା କଠିନ ହୋଇଥାଏ । ଫଳରେ ହମାସ ଆତଙ୍କୀମାନେ ଏହି ଟନେଲକୁ ବ୍ୟବହାର କରିବା ସମ୍ଭବ ହୋଇ ନଥାଏ ।
ଇସ୍ରାଏଲ-ହମାସ ଅସ୍ତ୍ରବିରତି ନେଇ ଜାତିସଂଘରେ ପ୍ରସ୍ତାବ, ୩୪ଟି ରାଷ୍ଟ୍ର ଦେଲେନି ଭୋଟ
ନ୍ୟୁୟର୍କ: ଇସ୍ରାଏଲ-ହମାସ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ସାଧାରଣ ଆସେମ୍ବିଲିର ଏକ ପ୍ରସ୍ତାବରୁ ବିରତ ରହିଛି ଭାରତ । ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ନେଇ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ଆସେମ୍ବ୍ଲିର ଦଶମ ଜରୁରୀ ଅଧିବେଶନ ବସିଥିଲା । ଅସ୍ତ୍ରବିରତି ପ୍ରସ୍ତାବକୁ ଜୋର୍ଡାନ ଆଗତ କରିଥିବାବେଳେ ଏହାକୁ ବାଂଲାଦେଶ, ମାଳଦ୍ବୀପ, ପାକିସ୍ତାନ, ଋଷ ଓ ସାଉଥଆଫ୍ରିକା ସମ୍ମତି ଜଣାଇଥିଲେ ।
ପ୍ରସ୍ତାବ ସପକ୍ଷରେ ୧୨୦ ରାଷ୍ଟ୍ର ଭୋଟ ଦେଇଥିବାବେଳେ ବିପକ୍ଷରେ ୧୪ ରାଷ୍ଟ୍ର ଭୋଟ ଦେଇଥିଲେ । ୩୪ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ଭାରତ ସମେତ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, ୟୁକ୍ରେନ ଓ ବ୍ରିଟେନ ଭୋଟଦାନରୁ ବିରତ ରହିଥିଲେ । ତେବେ ଜୋର୍ଡାନ ପକ୍ଷରୁ ଆଗତ ପ୍ରସ୍ତାବରେ ହମାସ ସଂଗଠନ ସମ୍ପର୍କରେ କୌଣସି ତଥ୍ୟ ନଥିବା ଜଣାଯାଇଛି ।
ତୁରନ୍ତ ଅସ୍ତ୍ରବିରତି ସହ ମାନବିକତା ଦୃଷ୍ଟିରୁ ଯୁଦ୍ଧବନ୍ଦ ଲାଗି ପ୍ରସ୍ତାବରେ ରହିଥିଲା ଉଲ୍ଲେଖ । ସେପଟେ ଭୋଟଦାନରୁ ବିରତ ରହିବା ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।

