spot_img
Home Blog Page 2308

ଗୁଗଲ ଟ୍ରେଣ୍ଡ୍ ହିସାବରେ ୨୦୨୩ରେ ଚର୍ଚ୍ଚାରେ ଥିଲେ ଏହି ୧୦ ଖବର

ନନ୍ଦିଘୋଷ ବ୍ୟୁରୋ: ସରି ଆସୁଛି ୨୦୨୩ । ତେବେ ଏହି ବର୍ଷର ଟ୍ରେଣ୍ଡ୍ ରେ ରହିଥିବା ଘଟଣାଗୁଡିକ ଗୁଗୁଲ୍ ତାର ବ୍ଲଗ୍ ରେ ସେୟାର କରିଛି  । ୨୦୨୩ରେ ଚର୍ଚ୍ଚିତ ଥିବା ଖବର ଗୁଡିକ ଗୁଗୁଲ୍  ପ୍ରକାଶ କରିଛି  ।  ଚନ୍ଦ୍ରାୟାନ -୩ ଠାରୁ ଆରମ୍ଭ କରି ସତୀଶ କୌଶିକ୍ ଙ୍କ ପର୍ଯ୍ୟନ୍ତ ୨୦୨୩ରେ ଯାହା ଚର୍ଚ୍ଚାରେ ରହିଥିଲା ତେବେ ଆସନ୍ତୁ ଜାଣିବା ସେହି ବିଷୟରେ  ।

ଚଳିତବର୍ଷ ଭାରତର ତୃତୀୟ ମୁନ୍ ମିଶନ୍ ସମଗ୍ର ବିଶ୍ବରେ ଦୃଷ୍ଟି ଆକର୍ଷଣ କରିଥିଲା  । ଏହି ମିଶନ୍ କେବଳ ମହାକାଶ ଅନୁସନ୍ଧାନ ପାଇଁ ନୁହେଁ  ବରଂ ବିଶ୍ବ ମହାକାଶ ଦୌଡରେ ଭାରତ ଆଗକୁ ବଢୁଥିବାର ନଜର ଆସିଛି  । ଗୁଗୁଲ୍ ଇଣ୍ଡିଆରେ ଚନ୍ଦ୍ରାୟାନ୍ -୩ ହେଉଛି ୨୦୨୩ର ସବୁଠୁ ଖୋଜା ଯାଇଥିବା ଖବର  ।

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ଏକ ରାଜନୈତିକ ପରିବର୍ତନ କୁ ସୂଚାଇଥିଲା । ନିର୍ବାଚନର ଏହି ପରିଣାମ ଭାରତରେ ରାଜନୀତିର ଭବିଷ୍ୟତ ଏବଂ ରାଷ୍ଟ୍ରୀୟ ନୀତି କୁ ଦର୍ଶାଇଥିଲା  ।

ହମାସର ୭ ଅକ୍ଟୋବର ୨୩ ରେ ଆକ୍ରମଣ ଏବଂ ଗାଜାରେ ଇସ୍ରାଏଲ୍ର  ସାମରିକ କାର୍ଯ୍ୟ,  ଇସ୍ରାଏଲ୍ ରେ ଚାଲୁଥିବା ଘଟଣାଗୁଡିକ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା  । ଏହି ଘଟଣା ସୋସିଆଲ୍ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା  ।

ଭେଟରାନ୍ ବଲିଉଡ୍ ଅଭିନେତା ସତୀଶ କୌଶିକ୍ ଙ୍କ ଅକାଳ ମୃତ୍ୟୁର ଖବର ମଧ୍ୟ ଗୁଗୁଲ୍ ଅନୁଯାୟୀ ଚଳିତବର୍ଷର ଭାରତରେ ଖୋଜାଯାଇଥିବା ଖବର ମଧ୍ୟରୁ ଅନ୍ୟତମ  । ଏଥିରୁ ଜଣାପଡିଥିଲା ଯେ ସତୀଶ କୌଶିକ୍ କେବଳ ମନୋରଞ୍ଜନ ଜଗତରେ ନୁହେଁ ବରଂ ଲୋକଙ୍କ ମନରେ ବି ତାଙ୍କର ଛାପ ଛାଡିଯାଇଛନ୍ତି  । ତେବେ ବଲିଉଡ୍ ଜଗତରେ  ତାଙ୍କର ଅବଦାନ ଫ୍ୟାନ୍ସ ମାନେ ନିଶ୍ଚୟ ମନେ ରଖିବେ  ।

୨୦୨୩ର ବାର୍ଷିକ ବଜେଟ୍  ବିଭିନ୍ନ କ୍ଷେତ୍ର ଉପରେ ଧ୍ୟାନ ଦେଇ ପ୍ରଯୁକ୍ତି ବିଦ୍ୟା , ନିଯୁକ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯାଇଥିଲା  ।  ଦୈନନ୍ଦିନ ଜୀବନ ଏବଂ ବ୍ୟବସାୟ ଉପରେ ବଜେଟ୍ ର ପ୍ରଭାବ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିତର୍କ ସୃଷ୍ଟି କରିଥିଲା  ।

ତୁର୍କୀ ଏବଂ ଉତ୍ତର ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଚଳିତବର୍ଷର ହେଡଲାଇନ୍ ପାଲଟିଥିଲା  । ଏହି ଭୂକମ୍ପର ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ଅର୍ନ୍ତଜାତୀୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା କରାଯାଉଥିଲା  ।

ସମାଜବାଦୀ ପାର୍ଟିର ପୂର୍ବତନ ସାସଂଦ ତଥା ଗ୍ୟାଙ୍ଗଷ୍ଟର୍ ଅତିକ୍ ଅହମଦ୍ ହାଇପ୍ରୋଫାଇଲ୍ ହତ୍ୟା ଏବଂ ଅପରାଧିକ ମାମଲାରେ ଜଡିତ ଥିବାରୁ ଚଳିତବର୍ଷର ମୁଖ୍ୟଖବରରେ ପାଲଟିଥିଲେ  । ଏହି ମାମଲା ରାଜନୈତିକ କ୍ଷେତ୍ରରେ  ଥାଇ  ଅପରାଧ ମୂଳକ କାର୍ଯ୍ୟ କରିବା ବିଷୟରେ ଲୋକଙ୍କ ଚିନ୍ତା ବଢାଇଦେଇଥିଲା  ।

ଚଳିତବର୍ଷ ଚର୍ଚ୍ଚିତ ଚଳଚ୍ଚିତ୍ର ଫ୍ରେଣ୍ଡସ୍ ର ଅଭିନେତା ମାଥ୍ୟୁ ପେରିଙ୍କର ଅକସ୍ମାତ ମୃତ୍ୟୁ ତାଙ୍କର ପ୍ରଶଂସକଙ୍କର ହୃଦୟ ଭାଙ୍ଗିଦେଇଥିଲା  । ଏହା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ତାଙ୍କ ମୃତ୍ୟୁ ଖବର ଏହି ବର୍ଷ ଗୁଗୁଲ୍ ରେ ଖୋଜାଯାଇଥିବା ମୁଖ୍ୟ ୧୦ ଖବର ମଧ୍ୟରେ ରହିଥିଲା  । ଡିପ୍ରେସନ୍ କାରଣରୁ ସେ ଖାଉଥିବା ଔଷଧ କେଟାମାଇନ୍ ର ପ୍ରଭାବ  ପାଇଁ ମାଥ୍ୟୁ ପେରିଙ୍କର ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳିଥିଲା  ।

ମଣିପୁରରେ ଜାତିଗତ  ହିଂସା ଏବଂ ଅଶାନ୍ତି ଉତ୍ତରପୂର୍ବ ଭାରତୀୟ ରାଜ୍ୟ କୁ ହେଡଲାଇନ୍ ରେ ରଖିଥିଲା  । ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଏକ ବଡ ଧରଣର ସଂଘର୍ଷ ହୋଇଥିଲା । ଯେଉଁଥିରେ କି ସମଗ୍ର ମଣିପୁର ନିଆଁ ଲାଗିବା , ଅପହରଣ , ହତ୍ୟା ଭଳି ଅପରାଧ ସହ ସଂଘର୍ଷ କରୁଥିଲା ।

ବାଲେଶ୍ବରର ବାହାନଗାରେ ହୋଇଥିବା ଏକ ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା  । ଜୁନ୍ ୨ରେ ଓଡିଶାରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ,ଏସଏମ୍ବିଟି ବାଙ୍ଗଲୋର୍ – ହାଓଡା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡି ୩ଟି ଯାକ ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା  । ଯେଉଁଥିରେ କି ଶହ ଶହ ଲୋକ ପ୍ରାଣ ହରାଇଥିଲେ  । ଘଟଣାଟି ଲୋକଙ୍କ ମନରେ ଏକ ଗଭୀର ଛାପ ଛାଡିଦେଇଯାଇଥିଲା  । ତେବେ କୌଣସି ନା କୌଣସି କାରଣରୁ ୨୦୨୩ ବର୍ଷଟି ବେଶ୍ ଚର୍ଚ୍ଚାରେ ରହିଥିଲା  ।

 

 

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଗିବେ ୯୦ ପ୍ଲାଟୁନ୍ ଫୋର୍ସ

ପୁରୀ: ଦିନକ ପରେ ବିଦାୟ ନେବ ୨୦୨୩ ଓ ଆସିବ ୨୦୨୪ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ଦିନ ଆରମ୍ଭ କରିବାକୁ ପୁରୀରେ ଲାଗିବ ଗହଳି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ପୁରୀରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ଅବସରରେ ପୁରୀରେ ମୁତୟନ ହେବେ ୯୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଲେଣ୍ଟର ମୁତୟନ ରହିବେ ।

ସୁରକ୍ଷା ଦାୟିତ୍ବରେ ୨୦ ଡିଏସପି, ୫୦ରୁ ଊର୍ଦ୍ଧ୍ବ ଇନ୍ସପେକ୍ଟର ଓ ୧୪୦ ଏଏସଆଇ ରହିବେ । ପାନୀୟ ଜଳ, ଟଏଲେଟ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକ, ଛୋଟ ପିଲାଙ୍କୁ ଧରି ଆସିଥିବା ମହିଳା ଓ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଛି । ଏମାନଙ୍କୁ ଦର୍ଶନରେ ସହଯୋଗ କରିବାକୁ ପ୍ରାୟ ୫୦ ଜଣ ଭଲେଣ୍ଟର ନିୟୋଜିତ ରହିବେ । ଯେଉଁ ବରିଷ୍ଠ ନାଗରିକ ନିଜ ପରିବାର ସହ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଏହାସହ ସିଂହଦ୍ବାରରେ ପ୍ରବେଶ ପରେ ଦିବ୍ୟାଙ୍ଗଙ୍କୁ ନେଇ ଶ୍ରୀଜୀଉଙ୍କ ଦର୍ଶନ କରାଇବାକୁ କଲେଣ୍ଟର ନିୟୋଜିତ ରହିବେ । ସେହିପରି ମନ୍ଦିର ଭିତରେ ମହାପ୍ରଭୁଙ୍କ ସମ୍ମୁଖରେ ଯେମିତି ଗହଳି ନହେବ ସେଥିପାଇଁ ପୋଲିସ ମୁତୟନ ରହିବେ ।

ନୂଆବର୍ଷରେ ପୁରୀକୁ ଆସି ଭକ୍ତ ଏକ ନୂଆ ଅନୁଭୂତି ସାଉଣ୍ଟିବେ । ସେହିଦିନ ଏସି ସେଡ କାର୍ଯ୍ୟକ୍ଷମ ହେବ । ଯାହା ପୁରୀ ଆସିଥିବା ଭକ୍ତଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ । ସେହିପରି  ନିୟମ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ । ଏନେଇ ଜେଟିପି, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ସହ ପୋଲିସ ପ୍ରଶାସନର ବୈଠକ ହୋଇଛି । ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ପୁରୀ ଏସପି କନଓ୍ବର ବିଶାଲ ସିଂ ।

ଡିସେମ୍ବର ୩୧ ରାତି ୧୨ଟାରୁ ପୁରୀରେ ଟ୍ରାଫିକ କଟକଣା ଲାଗୁ ହେବ । ପୁରୀବାସୀଙ୍କ ପାଇଁ କୌଣସି ଟ୍ରାଫିକ କଟକଣା ରହିବ ନାହିଁ । ପୁରୀର ଦୁଇଟି ସ୍ଥାନରେ ନୋ ଭେଇକିଲ ଜୋନ୍ କରାଯାଇଛି । ମରିଚକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ ରହିବ । ସେହିପରି ଲାଇଟ୍ ହାଉସରୁ ସି-ବିଚ୍ ଥାନା ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ୍ ରହିବ । ମାଳତିପାଟପୁରରେ ପୁରୀକୁ ଆସୁଥିବା ବସ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ତିନି ଓ ଚାରିଚକିଆ ଯାନ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ, ଶରଧାବାଲି ଓ ଯାତ୍ରିକାରେ ଚାରିଚକିଆ ଜାନ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି । ମାର୍କେଟ ଛକ ଓ ବଡଦାଣ୍ଡରେ ଦୁଇଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସମୁଦ୍ର କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର କୂଳକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବ ପୋଲିସ ପ୍ରଶାସନ । ଏଥିପାଇଁ ୪ଟି ପୋଲିସ ପୋଷ୍ଟ କରାଯାଇଛି । ସମୁଦ୍ର କୂଳରେ ହଟସ୍ପଟ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହାସହ ସମୁଦ୍ର କୂଳରେ ଦୁଇଟି ମେଡିକାଲ ଏଡ ପୋଷ୍ଟ ରହିବ । ଯାହା କୌଣସି ଅଘଟଣରେ ତୁରନ୍ତ ମେଡିକାଲ ସହାୟତା ଯୋଗାଇ ପାରିବେ । ଏହାସହ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ଉପରେ ପୋଲିସ ପ୍ରଶାସନ ସମେତ ଲାଇଫ୍ ଗାର୍ଡଙ୍କ ମଧ୍ୟ ନଜର ରହିବ । କୌଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସ ପ୍ରଶାସନ ଓ ଲାଇଫ ଗାର୍ଡଙ୍କ ସହାୟତା ନେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ହୋଟେଲ ଆସୋସିଏସନ ସହ ବୈଠକ କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି ।

ରାମଗୋପାଲ ବର୍ମାଙ୍କୁ ହାଇକୋର୍ଟଙ୍କ ଝଟକା, ‘ବ୍ୟୁହମ୍’ ଉପରେ ଲଗାଇଲେ ପ୍ରତିବନ୍ଧକ

ହାଇଦ୍ରାବାଦ : ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କୁ ଝଟକା ଲାଗିଛି । ଫିଲ୍ମ ‘ବ୍ୟୁହମ୍’ବହୁ ଦିନ ଧରି ବିବାଦରେ ରହିଥିଲା  । ଏହି ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିବାଦ କାରଣରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ତେଲେଙ୍ଗାନ ହାଇକୋର୍ଟ ଫିଲ୍ମ ‘ବ୍ୟୁହମ’ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଏହି ଫିଲ୍ମ ଗତକାଲି ଅର୍ଥାତ୍ ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା । ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି ।

ଜଷ୍ଟିସ ସୁରେପଲ୍ଲୀ ନନ୍ଦାଙ୍କ ଖଣ୍ଡପୀଠ ରାମ ଗୋପାଳ ଭର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସେନ୍ସର ବୋର୍ଡ ସାର୍ଟିଫିକେଟ୍ ବାତିଲ କରିଛନ୍ତି। ସୁଚନାନୁଯାୟୀ, ଶୁକ୍ରବାର ଦିନ ଏହାର ଶୁଣାଣି କରି  ମାମଲାଟିକୁ ଏଠାରେ ସ୍ଥଗିତ ରଖିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି  ୧୧ ଜାନୁଆରୀ ୨୦୨୪ରେ ହେବ। ଏହି ପ୍ରସଙ୍ଗରେ ପୂର୍ବରୁ  ‘ବ୍ୟୁହମ୍’ର ନିର୍ମାତା କହିଥିଲେ ଯେ, ଚଳଚ୍ଚିତ୍ରଟି ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଥିବାରୁ ଏହାର ରିଲିଜ୍ ବନ୍ଦ ହୋଇପାରିବ ନାହିଁ।

ଆର୍ଟିଷ୍ଟିକ ଏକ୍ସପ୍ରେସନକୁ ଦମନ କରାଯାଇ ପାରିବ ନାହିଁ ବୋଲି  କୋର୍ଟରେ ଫିଲ୍ମ ନିର୍ମାତା ମତ ରଖିଥିଲେ ।  ତେଲୁଗୁ ଦେଶମ ପାର୍ଟି ସାଧାରଣ ସମ୍ପାଦକ ନାରା ଲୋକେଶ ଏହି ଫିଲ୍ମ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ ।  ସେ ଆବେଦନରେ ଫିଲ୍ମ ନିର୍ମାତା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ତାଙ୍କ ଆବେଦନରେ ସେ ଏହି ଫିଲ୍ମକୁ ଏକ ପ୍ରମୋଟେଡ ଫିଲ୍ମ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ଫିଲ୍ମରେ ତାଙ୍କ ନେତା ଓ ଦଳର ନାମ ବ୍ୟବହାର କରାଯାଇଛି ବୋଲି ନାରା ଲୋକେଶ ତାଙ୍କ ଆବେଦନରେ ସ୍ପଷ୍ଟ ଭାବେ ଉଲକଲେଖ କରିଛନ୍ତି ।  ତାଙ୍କୁ ଫିଲ୍ମ ମାଧ୍ୟମରେ ଖୋଲାଖୋଲି ବଦନାମ କରାଯାଉଛି ବୋଲି ମଧ୍ୟ କହିଛନ୍ତି ।   ଜଷ୍ଟିସ ସୁରେପଲ୍ଲୀ ନନ୍ଦାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି ଦିନସାରା କରିଥିଲେ । ସେନ୍ସର ବୋର୍ଡ ଏବଂ ଫିଲ୍ମ ନିର୍ମାତାଙ୍କ ମତାମତ ମଧ୍ୟ କୋର୍ଟ ଶୁଣାଣି କରିଛନ୍ତି ।  ସେନ୍ସର ବୋର୍ଡ କୋର୍ଟଙ୍କୁ କହିଛି ଯେ, ଫିଲ୍ମ ଆରମ୍ଭରେ ଏକ ଲାଇନ ଯୋଡି ରାମ ଗୋପାଳ ବର୍ମାଙ୍କୁ ଡିସକ୍ଲାଇମର ବଦଳାଇବାକୁ କୁହାଯାଇଛି।

ଓଡ଼ିଶା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସା, କ୍ୟାପିଟାଲ୍ ହସ୍ପି‌ଟାଲରେ ଅନୁଧ୍ୟାନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ। ଓଡ଼ିଶାର ସରକାରୀ ହସ୍ପିଟାଲରେ ମିଳୁଥିବା ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ କରିଛନ୍ତି ରାୱତ । ଏଠାରେ ସ୍ୱାସ୍ଥ୍ୟ ସୁବିଧା ନେଇ ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ଦିଆଯାଉଥିବା ମାଗଣା ଔଷଧ, ଧାଡିରେ ଠିଆ ହୋଇ ଔଷଧ ନେବା, ଅସ୍ତ୍ରୋପଚାର ଗୃହ, ୧୭ କୋଟି ବ୍ୟୟରେ ହୋଇଥିବା ମଡୁଲାର ଅପରେସନ ଥିଏଟରକୁ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟରେ ମିଳୁଥିବା BSKY ସୁବିଧାକୁ ବି ପ୍ରଶଂସା କରିଛନ୍ତି । ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅତି ଉନ୍ନତମାର ବୋଲି କହିଛନ୍ତି । ରୋଗୀଙ୍କ ସହ ଆଲୋଚନା ବି କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା BSKYର ପ୍ରଶଂସା କରିବା ସହ ଓଡ଼ିଶାର ସ୍ୱାସ୍ଥ୍ୟ ଭିତିଭୂମିର ପ୍ରଶଂସା କରିଛନ୍ତି ଡକ୍ଟର ଧନ ସିଂ ରାୱତ। ଉତ୍ତରାଖଣ୍ଡରେ ଏବେ ରୋଗୀଙ୍କୁ 5 ଲକ୍ଷ ଯାଏ ମାଗଣା ଚିକିତ୍ସା ସୁବିଧା ମିଳୁଥିବା ସେ କହିଛନ୍ତି।

ଚୀନର ସ୍ପାଏ ବେଲୁନକୁ ନେଇ ଚାଞ୍ଚଲ୍ୟକର ଖବର, ଆମେରିକାର ISP ବ୍ୟବହାର କରୁଥିଲା ଡ୍ରାଗନ

ୱାଶିଂଟନ: ଚୀନର ସ୍ପାଏ ବେଲୁନକୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର । ଖୋଦ ଆମେରିକାର ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ବା ଆଇଏସପିକୁ ବ୍ୟବହାର କରି ତଥ୍ୟ ପାଉଥିଲା ଡ୍ରାଗନ । ସ୍ପାଏ ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ଜାରି ରହିଥିବାବେଳେ ତଥ୍ୟ ହାସଲ କରିବା ପରି ଗୁରୁତର ଅଭିଯୋଗ ଏବେ ପଦାକୁ ଆସିଛି ।

ସ୍ପାଏ ବେଲୁନ ସହ ଆମେରିକାର ଆଇଏସପି ମଧ୍ୟରେ ଯୋଗସୂତ୍ର ରହିଥିଲା ଯାହା ଫଳରେ ଆମେରିକାର ବହୁ ତଥ୍ୟ ଚୀନ ହାସଲ କରିଥିବା ସୂଚନା ମିଳିଛି । ଆମେରିକାର ବିଭିନ୍ନ ଅଞ୍ଚଳ ପ୍ରଦିକ୍ଷଣ କରୁଥିବାବେଳେ ସ୍ପାଏ ବେଲୁନ ଜରିଆରେ ଚୀନ ବହୁ ତଥ୍ୟ ପାଇଥିବା କୁହାଯାଇଛି । ଗତ ଫେବ୍ରୁଆରୀରେ ସ୍ପାଏ ବେଲୁନକୁ ନେଇ ସସପେନ୍ସ ବଢିଥିବାବେଳେ ଏହାକୁ ଖସାଇଦେଇଥିଲା ଆମେରିକା ।

ତେବେ ବେଲୁନଟି ସ୍ପାଏ ବେଲୁନ ନୁହେଁ ବରଂ ପାଣିପାଗ ଗବେଷଣା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଦାବି କରିଥିଲା ଚୀନ । ଭୂଗର୍ଭସ୍ଥ ଅସ୍ତ୍ରାଗାର, ଏୟାରବେସ, ଷ୍ଟ୍ରାଟେଜିକ ମିସାଇଲ ଆଦି ଗଚ୍ଛିତ ରହିଥିବା ଆମେରିକାର ଉତ୍ତର ପଶ୍ଚିମାଞ୍ଚଳରେ ଏହି ବେଲୁନ ଉଡିଥିବା ଦେଖାଯାଇଥିଲା ।

କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ବର: ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନାର ପରିବର୍ଦ୍ଧିତ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ନାମି ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ୍ କୋଡପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଛି।

ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ, ଏମ୍ବିବିଏସ୍, ବିଡ଼ିଏସ୍, ବିଏଚ୍ଏମ୍ଏସ୍, ବି. ଫାର୍ମା ଭଳି ପାଠ୍ୟକ୍ରମ ରହିଥିଲା । ଏହାକୁ ବର୍ତ୍ତମାନ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯାଇଛି । ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି।

ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍.ଟେକ୍, ଏମ୍ଏସ୍ ଏଗ୍ରି, ଏମ୍ଏସ୍ସି ଫରେଷ୍ଟ୍ରି, ମେଡ଼ିକାଲ ସାଇନ୍ସରେ ପିଜି, ଏମ୍ବିଏ, ଏମ୍ସିଏ, ଏମ୍.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚଡି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ। ପି.ଏଚ୍.ଡ଼ି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମ ସଂପୃକ୍ତ ହୋଇଥିବା ଆବଶ୍ୟକ । ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ। ସେହିପରି ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ ।

ଏହାସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ଯଥା ଏନ୍ଆଇଟି, ଆଇଆଇଟି, ଆଇଆଇଏମ୍, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କାଳିଆ ଯୋଜନାର ହିତାଧିକାରୀ ପରିବାରର ପିଲାମାନେ ଏହି ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେଲଫ୍ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ ନାହିଁ । କେବଳ ଗୋଟିଏ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ। ୟୁଜି, ପିଜି, ପିଏଚ୍ଡ଼ି ଏବଂ ପି୍ରମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲର ମେସ୍ ଖର୍ଚ୍ଚ ବାବଦରେ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍ନିକ୍, ଆଇଟିଆଇ ବିଦ୍ୟାର୍ଥୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ବର୍ଷର ୧୦ ମାସ ପାଇଁ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଦିଆଯିବ।

ପୁଣି ଋଷର ବଡ଼ ଧରଣର ଆକ୍ରମଣ, ଜୀବନ ହାରିଲେ ୩୧ ୟୁକ୍ରେନ ନାଗରିକ

କିଭ୍‌: ୟୁକ୍ରେନ ଉପରେ ଋଷର ବଡ଼ ଧରଣର ଆକ୍ରମଣ । ୩୧ ନାଗରିକ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୧୬୦ ରୁ ଅଧିକ ଲୋକ । ଆକ୍ରମଣରେ ନଷ୍ଟ ହୋଇଛି ଅନେକ ଭିତ୍ତିଭୂମି । ସେପଟେ ନାଟୋ ସଦସ୍ୟରାଷ୍ଟ୍ର ପୋଲାଣ୍ଡ କହିଛି- ତାଙ୍କ ଦେଶର ଆକାଶ ସୀମା ଦେଇ ଋଷର କେତେକ ମିସାଇଲ ଅତିକ୍ରମ କରିଛି । ତେବେ ପୋଲାଣ୍ଡ ଦେଇ କୌଣସି ମିସାଇଲ ଅତିକ୍ରମ କରିନାହିଁ ବୋଲି କହିଛି ଋଷ ବୈଦେଶିକ ବ୍ୟାପାର ବିଭାଗ । ଏନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟକୁ ସମନ ଜାରି କରିଛି ଋଷ ।

ଏହି ହମଲାକୁ ବିରୋଧ କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି- ତାଙ୍କ ଦେଶରେ ବିସ୍ଫୋରଣ ଘଟୁଥିବାର ଶବ୍ଦ ପ୍ରତି ନାଗରିକ ଶୁଣୁଛନ୍ତି । ତେବେ ଏହି ଶବ୍ଦ ସାରା ପୃଥିବୀରେ ପ୍ରତିଧ୍ବନିତ ହେଉ । ତାଙ୍କ ଦେଶକୁ ବନ୍ଧୁ ରାଷ୍ଟ୍ରର ସହାୟତା ଜାରି ରହୁ ବୋଲି ସେ କହିଛନ୍ତି । ଏହି ଆକ୍ରମଣକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ବିରୋଧ କରିଥିବା ସୂଚନା ମିଳିଛି ।

ସେପଟେ ଜାତିସଂଘସ୍ଥିତ ଋଷର ରାଷ୍ଟ୍ରଦୂତ ଭାସିଲି ନେବେନଜାୟା କହିଛନ୍ତି- ୟୁକ୍ରେନରେ ଥିବା କେତେକ ସାମରିକ ଭିତ୍ତିଭୂମି ଉପରେ ହିଁ ଆକ୍ରମଣ ହୋଇଛି । ନାଗରିକଙ୍କ ମୃତାହତ ଘଟଣାରେ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ହିଁ ଦାୟୀ । ୟୁକ୍ରେନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି- ଋଷର 87ଟି କ୍ରୁଜ ମିସାଇଲ, 27ଟି ଡ୍ରୋନକୁ ୟୁକ୍ରେନ ବାହିନୀ ଖସାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ଋଷ ପକ୍ଷରୁ ପ୍ରେରିତ ମୋଟ 110ଟି ମିସାଇଲ ମାଡ କରାଯାଇଥିବାବେଳେ ସେଗୁଡିକୁ ଧ୍ବଂସ କରିଦିଆଯାଇଛି ।

ବହୁ ପ୍ରତିକ୍ଷିତ ଜଳସେଚନ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ, ୧୨୭୨ କୋଟି ଟଙ୍କା ବ୍ୟୟବରାଦ

ନବରଙ୍ଗପୁର: ଜିଲ୍ଲାରେ ବହୁ ପ୍ରତିକ୍ଷିତ ଜଳସେଚନ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଯୋଡ଼ି ହେବେ ମୁଖ୍ୟମନ୍ତ୍ରୀ । ନବରଙ୍ଗପୁରରେ ପାର୍ବତୀ ଗିରିରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ହେବ ଶିଳାନ୍ୟାସ । ଏଥିଲାଗି ୧୨୭୨ କୋଟି ଟଙ୍କା ବ୍ୟୟ୍ବରାଦ ହୋଇଛି।

ପାର୍ବତୀଗିରି ପ୍ରକଳ୍ପରେ ବୃହତ ଉଠା ଜଳସେଚନ ମାଧ୍ୟମରେ ୧୯ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଛି। ସେହିପରି ତୁରୀଗୁଣ୍ଠା ପ୍ରକଳ୍ପରେ ଦୁଇ ନଦୀକୁ ସଂଯୋଗୀକରଣ କରି ୯ ହଜାର ୧୩୫ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରିବା ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ୫୭୭ ଟଙ୍କା ବ୍ୟୟବରାଦ ହୋଇଛି। ଏହି ପ୍ରକଳ୍ପ ଏହାଦ୍ବାରା ୧୦ ହଜାର ଲୋକ ପାନୀୟଜଳର ସୁବିଧା ପାଇବେ। ନବରଙ୍ଗପୁର ଜିଲ୍ଲାର ଚାଷୀ ମାନଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି।

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ଶହ ଶହ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଡେଲକି ଖରିଆର ସମାଜର ରାଜ୍ୟ ସଭାପତି

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସୁନ୍ଦରଗଡ଼ ତଳସରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ବରିଷ୍ଠ ନେତା ତଥା ଡେଲକି ଖରିଆର ସମାଜର ରାଜ୍ୟ ସଭାପତି ନୃପ ଚରଣ ଦଣ୍ଡସେନା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ନୃପ ଏବେ ଜିଲ୍ଲା ହକି ସଂଘର ସଭାପତି ଅଛନ୍ତି । ତାଙ୍କ ସହ ପୂର୍ବତନ ବ୍ୟାଙ୍କ ଅଧିକାରୀ ଉଗ୍ରସେନ ପ୍ରଧାନ ବି ବିଜେଡିରେ ଯୋଗ ଦେଇଛନ୍ତି ।

ଏମାନେ ସମସ୍ତେ ନିଜର ଶହ ଶହ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଛନ୍ତି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ବୋଲି ମତ ରଖିଛନ୍ତି । ବିଜେଡିରେ ଯୋଗଦାନ ପରେ ନୃପ ଦଣ୍ଡସେନା ରଖିଛନ୍ତି ପ୍ରତିକ୍ରିୟା । ୩୫ ବର୍ଷ ଧରି ସେ ପୋଲିସ ଚାକରି କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାକୁ ଅନୁମୋଦନ କରିଥିବାରୁ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ନୃପ ଦଣ୍ଡସେନା । ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ନୃପ ଦଣ୍ଡସେନା ।

ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ, ୧୨ ଶିଳ୍ପୀ ପୁରସ୍କୃତ

ଭୁବନେଶ୍ବର: ୪୧ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏକ ଉଚ୍ଚସ୍ତରୀୟ ଚୟନ କମିଟି ଦ୍ବାରା ସାବ୍ୟସ୍ତ ହୋଇଥିବା ଚଳିତ ବର୍ଷ ୧୨ ଜଣ ଶିଳ୍ପୀଙ୍କୁ ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି ।

ପୂର୍ବରୁ ଏକାଡେମୀ ତରଫରୁ ୮ଟି ପୁରସ୍କାର ପ୍ରଦାନ କରାଯାଉଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ଠାରୁ ଏହାକୁ ବୃଦ୍ଧି କରାଯାଇ ୧୨ଟି ପୁରସ୍କାର ଘୋଷଣା କରାଯାଇଥିଲା ।

ଉତ୍ସବରେ ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଚିତ୍ରରେ ଶିଳ୍ପୀ ସୋଫିୟା ୟାଗିନ, ଦିନେଶ ମୁଦୁଲି, ବିକ୍ରମ କେଶରୀ ଫାରକ, ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା, ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ, କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ, ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କାଳରେ ପୂର୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳୀ ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର-୨୦୨୩ ରେ ପୁରସ୍କୃତ କରାଯାଇଛି । ଉତ୍ସବରେ ପୁରସ୍କୃତ ଶିଳ୍ପୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି । ଏକାଡେମୀର ସଭାପତି ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉତ୍ସବରେ ଅଧ୍ଯକ୍ଷତା କରିଥିଲେ ।