spot_img
Home Blog Page 231

ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଲ। କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି। ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ନିଖୋଜ ମାମଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।ଟ୍ରାଫିକ କନଷ୍ଟେବଲଙ୍କ ଘର ପାରାଦୀପ ଅଂଚଳରେ ହୋଇଥିବାବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନଷ୍ଟେବଲ ଭାବେ କାର୍ଯ୍ୟରତ ଅଛନ୍ତି।

ନଭେମ୍ବର ୫ରୁ କଟକର ଐତିହାସିକ ବାଲିଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ନଭେମ୍ବର ୫ରୁ କଟକର ଐତିହାସିକ ବାଲିଯାତ୍ରା । ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ଥର କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା । ତଳ ପଡ଼ିଆର ୬୦ ଏକର ଜାଗାରେ ବାଲିଯାତ୍ରା ହେବ । ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ । ଉପର ପଡିଆରେ ଗାଡି ପାର୍କିଂ ହେବ । ଅନଲାଇନ ମାଧ୍ୟମରେ ପ୍ଲଟ ବୁକିଂ କରାଯିବ।

ବିଜେଡିରୁ ନିଲମ୍ବିତ ହେଲେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ମଲ୍ଲିକ

ନନ୍ଦିଘୋଷ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେଲେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ମଲ୍ଲିକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି ପ୍ରପୁଲ୍ଲ ମଲ୍ଲିକ। କାମାକ୍ଷାନଗର ପୂର୍ବତନ ବିଧାୟକ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ବିଜେଡି ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି। ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି।

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

ନନ୍ଦିଘୋଷ ବ୍ୟୁରୋ : ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ। ୧୫ତମ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନେଲେ ଶପଥଗ୍ରହଣ। ରାଷ୍ଟ୍ରପତି ଭବନରେ ଶପଥ ସମାରୋହର ଆୟୋଜନ ହୋଇଥଲା। ସମାରୋହରେ ଅନେକ ପ୍ରମୁଖ ବ୍ୟକ୍ତି ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଥିଲେ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଥିଲେ। ଶପଥ ସମାରୋହରେ ଏନଡିଏର ଅନେକ ପ୍ରମୁଖ ନେତା ମଧ୍ୟ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶପଥପାଠ କରାଇଥିଲେ।…ଜଣେ ପଛୁଆ ବର୍ଗ ଗୌଣ୍ଡର ସମ୍ପ୍ରଦାୟର ନେତା ହେଉଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ମହାରାଷ୍ଟ୍ର ରାଜ୍ୟପାଳ ଥିଲେ ରାଧାକ୍ରିଷ୍ଣନ।

୨୦ ଅକ୍ଟୋବର ୧୯୫୭ରେ ତିରୁପୁରରେ ତାଙ୍କର ଜନ୍ମ। ୨୦୨୪ ଜୁଲାଇ ୨୭ରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ସିପି ରାଧାକ୍ରିଷ୍ଣନ। ତେଲଙ୍ଗାନା, ଝାଡ଼ଖଣ୍ଡ ଓ ପୁଦୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟ ଥିଲେ। ତାମିଲନାଡୁର ବାସିନ୍ଦା ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନ।

ରାଧାକ୍ରିଷ୍ଣନଙ୍କ ରହିଛି ଦୀର୍ଘ ରାଜନୈତିକ କ୍ୟାରିଅର। ଯୁବାବସ୍ଥାରୁ ଆରଏସଏସ ଓ ଜନସଂଘ ସହ ସେ ଜଡ଼ିତ। ୧୯୯୬ ଓ ୧୯୯୮ରେ ଲୋକସଭାରେ ଦୁଇଥର ଲାଗି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କୋଏମ୍ବାଟୁରରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି। ଜାତିସଙ୍ଘ ସାଧାରଣ ଆସେମ୍ବ୍ଲିରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦୪ରୁ ୨୦୦୭ ତାମିଲନାଡୁର ବିଜେପି ସଭାପତି ଥିଲେ। ୨୦୨୦ରେ କେରଳରେ ବିଜେପି ପ୍ରଭାରୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ।

ମଧ୍ୟରାତ୍ରିରେ ସିକ୍କିମରେ ଭୂସ୍ଖଳନ : ୪ ଜଣଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ସିକ୍କିମରେ ଭୂସ୍ଖଳନ। ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉପର ରିମ୍ବିରେ ଗତକାଲି ମଧ୍ୟରାତ୍ରିରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ତିନି ଜଣ ନିଖୋଜ ଥିବା ଜଣାପଡିଛି। ଭୂସ୍ଖଳନ ଘଟିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।ସ୍ଥାନୀୟ ଗ୍ରାମବାସୀ ଏବଂ SSB କର୍ମଚାରୀଙ୍କ ସହ ମିଶି ପୋଲିସ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ବନ୍ୟାଗ୍ରସ୍ତ ହ୍ୟୁମ୍ ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବା ପରେ ପ୍ରଭାବିତ ଅଞ୍ଚଳରୁ ଦୁଇଜଣ ଆହତ ମହିଳାଙ୍କୁ ବାହାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତିନି ଜଣ ଏପର୍ଯ୍ୟନ୍ତ ନିଖୋଜ ଥିବା କହିଛନ୍ତି ସ୍ଥାନୀୟ ଏସପି।

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା। ପତ୍ନୀ ଓ ପୁଅ ଆଗରେ ଟାଙ୍ଗିଆରେ ଗଳାକାଟି ହତ୍ୟା କଲା ଦୁର୍ବୃତ୍ତ। ଆମେରିକା ଡାଲାସ ସହରର ଏ ଘଟଣା। ଖରାପ ପଡିଥିବା ଏକ ୱାସିଂ ମେସିନ ବ୍ୟବହାର କରିବାକୁ ମନା କରିବାରୁ ରାଗରେ ହାଣିଦେଲା ଦୁର୍ବୃତ୍ତ। ୱାଶିଂ ମେସିନ୍ ନେଇ ଯୁକ୍ତିତର୍କ ପରେ ଆମେରିକାର ଏକ ହୋଟେଲରେ ଭାରତୀୟ ବ୍ୟକ୍ତିଙ୍କୁ ମୁଣ୍ଡକାଟି ହତ୍ୟା କରିଛି ସ୍ଥାନୀୟ ଜଣେ ବ୍ୟକ୍ତି। ଅଭିଯୁକ୍ତ ଆମେରିକୀୟ ନାଗିରକକୁ ଗିରଫ କରିଛି ପୋଲିସ।

ଭାରତୀୟ ଜଣକ ହୋଟେଲରେ ମ୍ୟାନେଜର ଥିଲେ।ମୃତକ କର୍ଣ୍ଣାଟକ ଅଂଚଳର ୫୦ ବର୍ଷୀୟ ଚନ୍ଦ୍ର ନାଗାମଲ୍ଲାୟା ବୋଲି ଜଣାପଡିଛି। ନାଗାମଲ୍ଲାୟାଙ୍କ ପତ୍ନୀ ଏବଂ ୧୮ ବର୍ଷୀୟ ପୁଅ ମଧ୍ୟ ବାହାରକୁ ଆସି ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ପରିବାର ଲୋକଙ୍କୁ ଧକ୍କା ଦେଇ ନାଗମଲ୍ଲାୟାଙ୍କ ମୁଣ୍ଡ କାଟି ଦେଇଥିଲେ। ଭାରତୀୟଙ୍କ ମୁଣ୍ଡ କାଟିବା ପରେ ଗୋଇଠା ମାରିଥିଲା ଅଭିଯୁକ୍ତ। ହତ୍ୟା ସମୟର ଏକ ଭିଡିଓ ଭାଇରାଲ ହେଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାରଣାସ୍ତ୍ର ଧରି ଡମ୍ପଷ୍ଟର ଅଞ୍ଚଳରୁ ବାହାରକୁ ଯାଉଥିବା ସମୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ନାଗାମଲ୍ଲାୟାଙ୍କ ମୃତ୍ୟୁ ପାଇଁ ଭାରତୀୟ କନସୁଲେଟ୍ ଶୋକ ପ୍ରକାଶ କରିଛି। ହତ୍ୟା ଅଭିଯୋଗରେ ଅଭିଯୁକ୍ତ କୋବୋସ୍ ମାର୍ଟିନେଜ୍ର ହ୍ୟୁଷ୍ଟନରେ ପୂର୍ବରୁ ଅପରାଧିକ ଇତିହାସ ଥିବା ଜଣାପଡ଼ିଛି। ଅଟୋ ଚୋରି ଏବଂ ଆକ୍ରମଣ ପାଇଁ ଅନେକ ଥର ଗିରଫ ହୋଇଛି।

ନେପାଳର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ସୁଶୀଳା କାର୍କି !

ନନ୍ଦିଘୋଷ ବ୍ୟୁରୋ : କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳରେ ରାଜନୈତିକ ସଙ୍କଟ ଖୁବ୍‌ଶୀଘ୍ର ସମାଧାନ ହୋଇପାରେ। ରିପୋର୍ଟ ଅନୁଯାୟୀ, ସୁଶୀଳା କାର୍କିଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରାଯାଇପାରେ। ଏହି ସାମ୍ବିଧାନିକ ସଙ୍କଟର ସମାଧାନ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ନେପାଳ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତାଙ୍କୁ ଶପଥ ପାଠ କରାଇବେ। ତାଙ୍କ ନାମ ଉପରେ ଜେନ-ଜେଡ ସମର୍ଥକଙ୍କ ମଧ୍ୟରେ ଏକମତତା ରହିଛି। କାଠମାଣ୍ଡୁ ମେୟର ଏବଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଲେନ ଶାହ ମଧ୍ୟ କାର୍କିଙ୍କୁ ସମର୍ଥନ କରିଥିଲେ। କୁଳମାନ ଘିସିଙ୍ଗଙ୍କ ନାମ ମଧ୍ୟ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲା। ଘିସିଙ୍ଗ ନେପାଳ ବିଦ୍ୟୁତ୍ ବୋର୍ଡରେ କାର୍ଯ୍ୟ କରିଛନ୍ତି।

ସୁଶୀଳା କାର୍କି ଗତ କିଛି ବର୍ଷ ଧରି ନେପାଳରେ ସରକାର ବିରୋଧୀ ପ୍ରତିବାଦର ମୁହଁ ହୋଇ ଆସିଛନ୍ତି। ମୁଖ୍ୟ ବିଚାରପତି ଭାବରେ, ସେ ନେପାଳ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଅନେକ ନିଷ୍ପତ୍ତି ନେଇଥିଲେ। ଏହି ପଦକ୍ଷେପ ଯୋଗୁଁ ସେ ନେପାଳର ଜେନେରାଲ ଜେଡଙ୍କ ମଧ୍ୟରେ ଲୋକପ୍ରିୟ ହୋଇଗଲେ।

ସେ ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ।

୭୩ ବର୍ଷୀୟା ସୁଶୀଳା ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ମଧ୍ୟ ଥିଲେ। ତାଙ୍କର ଜନ୍ମ ୭ ଜୁନ୍ ୧୯୫୨ରେ ନେପାଳର ବିରାଟନଗରରେ ହୋଇଥିଲା। ୧୧ ଜୁଲାଇ ୨୦୧୬ରେ ସେ ନେପାଳ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। କିନ୍ତୁ, କାର୍କି ପ୍ରାୟ ୧ ବର୍ଷ ପାଇଁ ଏହି ପଦବୀରେ ରହିଥିଲେ। ଏହା ପରେ, ୩୦ ଏପ୍ରିଲ ୨୦୧୭ରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଏହା ପରେ, ତାଙ୍କୁ ମୁଖ୍ୟ ବିଚାରପତି ପଦରୁ ନିଲମ୍ବିତ କରାଯାଇଥିଲା।

କାର୍କି ତାଙ୍କ ପିତାମାତାଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ବଡ଼। ୧୯୭୨ ମସିହାରେ ସେ ବିରାଟନଗରର ମହେନ୍ଦ୍ର ମୋରାଙ୍ଗ କ୍ୟାମ୍ପସରୁ ବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ, ୧୯୭୫ ମସିହାରେ, ସେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୭୮ ମସିହାରେ, ସେ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଗୋଟିଏ ବର୍ଷ ପରେ, ସେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ।

 ଭାରତ ବିଷୟରେ କ’ଣ ଭାବନ୍ତି କାର୍କି?

ବୁଧବାର ଦିନ ଦିଆଯାଇଥିବା ଏକ ସାକ୍ଷାତକାରରେ କାରକି କହିଥିଲେ ଯେ ମୁଁ ଏବେ ବିଏଚୟୁର ଶିକ୍ଷକମାନଙ୍କୁ ମନେ ପକାଏ। ମୁଁ ସେଠାକାର ବନ୍ଧୁମାନଙ୍କୁ ମନେ ପକାଏ। ମୁଁ ଗଙ୍ଗା ନଦୀକୁ ମନେ ପକାଏ। ବିଏଚୟୁର ଦିନଗୁଡ଼ିକୁ ମନେ ପକାଇ ସୁଶୀଳା କହିଥିଲେ ଯେ ଗଙ୍ଗା କୂଳରେ ଏକ ହଷ୍ଟେଲ ଥିଲା। ଗ୍ରୀଷ୍ମ ରାତିରେ ଆମେ ଛାତ ଉପରେ ଶୋଇ ରହୁଥିଲୁ।

ସୁଶୀଳା କାର୍କି ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ନେଇ ସକାରାତ୍ମକ। ସେ ସାକ୍ଷାତକାରରେ କହିଥିଲେ ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଭଲ ମତ ଅଛି। ସେ ଆହୁରି ମଧ୍ୟ କହିଥିଲେ, ‘ଆମେ ବହୁତ ଦିନ ଧରି ଭାରତ ସହିତ ଯୋଗାଯୋଗରେ ନାହୁଁ। ଆମେ ଏହା ବିଷୟରେ କଥା ହେବୁ। ଯେତେବେଳେ କୌଣସି ଆନ୍ତର୍ଜାତୀୟ ପ୍ରସଙ୍ଗ ହୁଏ, ଦୁଇ ଦେଶ ମଧ୍ୟରେ, ସେତେବେଳେ କିଛି ଲୋକ ଏକାଠି ବସି ନୀତି ପ୍ରସ୍ତୁତ କରନ୍ତି।’

ଆହୁରି ଦୁଇଦିନ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରହିବ ଘୂର୍ଣ୍ଣିବଳୟର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ :  ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଦକ୍ଷିଣ ଓଡିଶା ଓt ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ। ଆଜି ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ସମସ୍ତ ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବା ସମ୍ଭାବନା ରହିଛି ।

ଅନ ଲାଇନ୍ ଗେମରେ ଟଙ୍କା ହରାଇ ଜୀବନ ହାରିଲେ ନର୍ସିଂ ଛାତ୍ର

ନନ୍ଦିଘୋଷ ବ୍ୟୁରୋ :  ଅନ ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ର। ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗତ ରାତ୍ରୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ଡ୍ରେସିଂ ରୁମରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଛାତ୍ର ଡ୍ରେସିଂ ରୁମ୍ ଭିତରେ ବେକରେ ଏକ ଗାମୁଛା ସାହାର୍ଯ୍ୟରେ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ଅନ୍ୟାନ୍ୟ କର୍ମଚାରୀ। ପରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଝୁଲନ୍ତା ଅବସ୍ଥାରେ ଫ୍ୟାନରୁ ତଳକୁ ବାହାର କରିଥିଲେ ।

ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା ମାମଲା :ସନ୍ଦିଗ୍ଧ ବ୍ୟକ୍ତିର ଫଟୋ ଜାରି କଲା FBI

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିର ଫଟୋ ଜାରି କଲା ଏଫବିଆଇ। ତାଙ୍କୁ ଧରିବା ପାଇଁ ଲୋକମାନଙ୍କୁ ସାହାଯ୍ୟ ମାଗିଛି ଆମେରିକୀୟ ତଦନ୍ତକାରୀ ସଂସ୍ଥା। ଆକ୍ରମଣକାରୀ ଜଣେ କଲେଜ ପଢ଼ୁଥିବା ଛାତ୍ର। ସେ କଲେଜ କାର୍ଯ୍ୟକ୍ରମ ସମୟରେ ଛାତ୍ରମାନଙ୍କ ସହିତ ମିଶିଥିଲା। ଯାହା ଫଳରେ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଥିଲା।କିର୍କଙ୍କ ହତ୍ୟାରେ ବ୍ୟବହୃତ ରାଇଫଲକୁ ମଧ୍ୟ ଉଦ୍ଧାର କରିଛି ଏଫବିଆଇ।

ଚାଲି କିର୍କଙ୍କୁ ଏକ ଉଚ୍ଚ-ଶକ୍ତିଶାଳୀ ରାଇଫଲ ସାହାଯ୍ୟରେ ଗୁଳି କରାଯାଇଥିଲା।ଯାହାକୁ ଉଦ୍ଧାର କରାଯାଇଛି।ବୁଧବାର ଉଟାହ ଓରେମରେ ଥିବା ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୩୧ ବର୍ଷର ଚାର୍ଲିଙ୍କ ବେକରେ ଗୁଳି ବାଜିଥିଲା। ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଫାୟାରିଂ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ହତ୍ୟାର କିଛି ମୁହୂର୍ତ୍ତ ପୂର୍ବରୁ ଯୁବ ସଂଗଠନ ଟର୍ନିଂ ପଏଣ୍ଟ USAର ସହ-ପ୍ରତିଷ୍ଠାତା କିର୍କ ଜଣେ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ବନ୍ଧୁକ ହିଂସାକୁ ନେଇ ଯୁକ୍ତିତର୍କ ହୋଇଥିଲା।ତା ପରେ ତାଙ୍କୁ ଗୁଳି ବାଜିଥିଲା। ଉଟାହ କଲେଜରେ କିର୍କଙ୍କ କାର୍ଯ୍ୟକ୍ରମ ଦି ଆମେରିକୀୟ କମବ୍ୟାକ୍ ଟୁରର ଏକ ଅଂଶ ଥିଲା। କିର୍କଙ୍କ ସୁରକ୍ଷାରେ ତ୍ରୁଟି ଥିବାର ଅଭିଯୋଗ କରାଯାଇଛି। ସମାବେଶରେ ପ୍ରାୟ ୩ ହଜାର ଲୋକ ଉପସ୍ଥିତ ଥିଲେ।