spot_img
Home Blog Page 233

୧୮ରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ଆସନ୍ତା ୧୬ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ୭ଟି କାର୍ଯ୍ୟଦିବସ ଥିବା ବେଳେ, ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗରେ ଅଧିବେଶନକୁ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିବେ ବାଚସ୍ପତି। ଦେଢ଼ବର୍ଷର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି। ବିଶେଷକରି ଚାଷୀ ସମସ୍ୟା ରାଜ୍ୟରେ ଉତ୍କଟ ରୂପ ନେଇଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ପଚାରିବ ପ୍ରଶ୍ନ। ସାର କଳାବାଜାରୀ ଓ ଚାଷୀଙ୍କୁ ୟୁରିଆ ସାର ନମିଳିବା, ଧାନ ପଞ୍ଜିକରଣ ଠିକ ସେ ନହେବା ଯୋଗୁଁ ସାରା ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବିଜେଡି। କଂଗ୍ରେସ ମଧ୍ୟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଏନଏସି ଘୋଷଣାରେ ପାତରଅନ୍ତର ଭଳି ଅନେକ ପ୍ରସଙ୍ଗକୁ ଗୃହରେ ଉଠାଇବ। ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ସରକାର ବିଫଳ ହୋଇଥିବାରୁ ଦଳ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆରମ୍ଭ କରିଛି ସଜବାଜ।

ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି ଯେ, ଗୃହକୁ ଶୃଙ୍ଖଳିତ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିବେଶନରେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଆଣିବେ, ସରକାର ତାହାକୁ ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରୋଜ ପ୍ରଧାନ। ୧୮ରୁ ୨୫ ତାରିଖ ଯାଏ ବିଧାନସଭାର ମୌସୁମୀ ଅଧିବେଶନ। ୩ ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଘେରିବାକୁ ପ୍ରସ୍ତୁତ କରିଛନ୍ତି ରଣନୀତି।

ଶିକ୍ଷା କ୍ଷେତ୍ରରେ ନବୀନ ଲେଖିଥିଲେ ସ୍ବର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ବର : ନବୀନଙ୍କ ଭିଜନ ସୁଦୂରପ୍ରସାରୀ । ଶିକ୍ଷା କ୍ଷେତ୍ରରେ ନବୀନ ଲେଖିଥିଲେ ସ୍ବର୍ଣ୍ଣିମ ଅଧ୍ୟାୟ । ତାର ପ୍ରମାଣ ଦେଇଛି ଇଣ୍ଡସ ଆକ୍ସନ ରିପୋର୍ଟ । ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶାର ଷ୍ଟୁଡେଣ୍ଟ ରିଟେନସନ୍ ହାର ଥିଲା ସର୍ବାଧିକ ୯୭ ପ୍ରତିଶତ। ଅର୍ଥାତ ୪ଟି ରାଜ୍ୟରେ ରାଇଟ୍ ଟୁ ଏଜୁକେସନ୍ ଆଇନରେ ସ୍କୁଲରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ସବୁଠୁ ଅଧିକ ପିଲା ପାଠ ପଢ଼ା ଜାରି ରଖିଥିଲେ ଓଡ଼ିଶାରେ । ଏହା ହେଉଛି ୨୦୨୩-୨୪ ର ତଥ୍ୟ । ଏହି ରିପୋର୍ଟ ପ୍ରକାଶ କରିଛି ଇନ୍ଦସ୍ ଆକ୍ସନ। ସେସମୟରେ ମାତ୍ର ୩ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ଯାହାକି ସର୍ଭେରେ ସାମିଲ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ । ଏହା କେବଳ 5T ପାଇଁ ସମ୍ଭବ ହୋଇପାରିଥିଲା । ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲା ଯେମିତି ଉଚ୍ଚମାନର ଶିକ୍ଷା ପାଇବେ, ସେଥିପାଇଁ ନବୀନ ପଟ୍ଟନାୟକଙ୍କ  ସରକାର ଯେଉଁ ପ୍ରଚେଷ୍ଟା କରିଥିଲା, ତାର ଫଳସ୍ଵରୂପ ଏହି ସଫଳତା ମିଳିଛି । 5T ଜରିଆରେ ୭ ହଜାର ସରକାରୀ ସ୍କୁଲର ରୂପାନ୍ତରଣ ହୋଇଥିଲା । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏହା ନୂଆ ଦିଗ ଦେଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିଥିଲା ନୂଆ ସମ୍ଭାବନା । ଏହି ସଫଳତା ପଛରେ ରହିଛି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମାଆ, ପ୍ରଶାସକଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଅବଦାନ। ଏଥିପାଇଁ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଡ୍ରପଆଉଟ କମିଥିବାରୁ ଆଜି ଓଡ଼ିଶା ବିଶ୍ବ ଦରବାରରେ ପ୍ରଶଂସିତ । ହେଲେ ଦୀର୍ଘ ୧୪ ମାସ ହେବ ଛାତ୍ରୀ ଅସୁରକ୍ଷିତ। ଅନାହାର ମୃତ୍ୟୁ ହେଉଛି । ମଧ୍ୟାହ୍ନ ଭୋଜନ ଦୁର୍ନୀତି ହେଉଛି । ଯେଉଁ ଓଡ଼ିଶାକୁ ନବୀନ ପଟ୍ଟନାୟକ ଜିରୋରୁ ହିରୋ କରିଥିଲେ, ତାକୁ ବିଜେପି ସରକାର ବର୍ବାଦ ନ କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି ।

ଅଭିଭାବକ ଓ ଶିକ୍ଷାବିତ ବି ସଫଳତାର ଏହି ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏଥିରେ 5T ସ୍କୁଲର ବଡ଼ ଭୂମିକା ରହିଛି । ଘରୋଇ ସ୍କୁଲକୁ ଦେଖି 5T ସ୍କୁଲ ରୂପାନ୍ତର ହୋଇ ସ୍ମାର୍ଟ କ୍ଲାସରୁମ ହୋଇଛି । ଯେଉଁଠି କମ୍ପ୍ୟୁଟର, ଲାବୋରେଟୋରି ସହ ସମସ୍ତ ଭିତ୍ତିଭୂମି ତତ୍କାଳୀନ ସରକାରଙ୍କ ସମୟରେ ବିକଶିତ ହୋଇଥିଲା । ଯାହା ସ୍କୁଲ ଫେରିବାକୁ ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନର ସରକାର ଏହାକୁ ଜାରି ରଖିଲେ ହିଁ ଗୁଣାତ୍ମକ ଶିକ୍ଷା ମିଳି ପାରିବ ବୋଲି ଉଭୟ ଅଭିଭାବକ ଓ ଶିକ୍ଷକ ଦାବି କରିଛନ୍ତି ।

ଗତ ଏକ ବର୍ଷରୁ ଡ୍ରପଆଉଟ ଚିନ୍ତା ପୁଣି ବଢି ଯାଇଛି । ଏହି ଶିକ୍ଷା ବର୍ଷରେ ୭,୬୮୨ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଏଥିସହ ୨୦୨୪-୨୫ ମସିହାରେ ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ଏ ହଜାର ୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ସେହିପରି ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧ ହଜାର ୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ ଟି ଜିଲ୍ଲାରେ ୯୬୫ ପିଲା ବିଦ୍ୟାଳୟ ଆସୁନାହାନ୍ତି । ମାଟ୍ରିକରେ ଫର୍ମ ଫିଲଅପ୍ କରି ୮ ହଜାର ୩୬୨ ପିଲା ପରୀକ୍ଷା ଦେଇ ପାରି ନଥିଲେ ।

ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର ?

ଭୁବନେଶ୍ଵର : ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର। ଏପରି ସନ୍ଦେହର କାରଣ ହେଲା ଗତକାଲିର କ୍ୟାବିନେଟ ନିଷ୍ପତ୍ତି। ଏହି ନିଷ୍ପତ୍ତି ଅନୁସାରେ ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ପ୍ରତି ସ୍ଵାକ୍ଷର ବିନା ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି କ୍ୟାବିନେଟ ନିଷ୍ପତ୍ତି ପରେ ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ, ୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ ସୀମାକୁ ବୃଦ୍ଧି କରାଯାଇଛି । ବିଜେଡି ଅଭିଯୋଗ କରିଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ କରିବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର। ପଂଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିଜେପି ସରକାର ସବୁ କ୍ଷମତାକୁ ଅପହରଣ କରିବାକୁ ଷଡ଼ଯନ୍ତ୍ର କରି  କ୍ୟାବିନେଟ ମୋହର ମାରିଛନ୍ତି । ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାମ ହେଉଥିଲା । ହେଲେ ବିଜେପି ସରକାରରେ ବିକଶିତ ଗାଁ ବିକଶିତ ଓଡ଼ିଶାରେ କୌଣସି ମୁହୂର୍ତ୍ତରେ ବି ଜିଲ୍ଲାପାଳ ଏହାକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି । ଏହା ଜରିଆରେ ସରକାରୀ ଅଧିକାରୀଙ୍କ ଆଗରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ସରକାର ସମର୍ପଣ କରି ଦେଇଛନ୍ତି । ବିରୋଧୀ ବିଧାୟକ କି ବିରୋଧୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ନ ରଖିବାକୁ ଏହା ସରକାରଙ୍କ ନୂଆ ଯୋଜନା ବୋଲି ଆଖ୍ୟା ଦେଇଛି ବିଜେଡି। କାରଣ ଅଧିକାଂଶ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ହେଉଛନ୍ତି  ବିଜେଡି ସମର୍ଥିତ। କାମ କରି ପାରିବେ ନାହିଁ ବୋଲି ସରକାର ଡରୁଛନ୍ତି। ଏମିତି ପାଞ୍ଚ ବର୍ଷ ପଳେଇବ। ବାବୁରାଜ୍ ଆରମ୍ଭ ହୋଇଛି। ବିଡିଓ ଅଣନିଶ୍ଵାସୀ ହୋଇ ପଡ଼ିଥବା  ବିଜେଡି କଟାକ୍ଷ କରିଛି । ନୂଆ ନିୟମ ଜରିଆରେ ସରକାରୀ ବାବୁଙ୍କ ଜରିଆରେ ବ୍ଲକରେ ଦୁର୍ନୀତି କରିବାକୁ ବିଜେପି ଯୋଜନା ରଖିଥିବାର ଅଭିଯୋଗ କରିଛି ବିଜେଡି । ସରକାର ଏହି ଆଦେଶ ପ୍ରତ୍ୟାହାର ନ କଲେ, ପ୍ରତି ବ୍ଲକରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।

ବିଜେପି ସରକାରଙ୍କ କ୍ଷମତା ଅପହରଣ ଷଡ଼ଯନ୍ତ୍ରକୁ ଚିହ୍ନି ବିଜେଡି ସହ ସ୍ଵର ମିଶାଇଛି କଂଗ୍ରେସ । ଅଧିକାଂଶ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଥିବାରୁ ପଞ୍ଚାୟତରେ ଦୁର୍ନୀତି କରି ପାରୁନି ବିଜେପି । ଏବେ ସରକାରୀ କର୍ମଚାରୀଙ୍କୁ କ୍ଷମତା ଦେଇ ଦଳୀୟ ଏଜେଣ୍ଟ ଭାବେ ବ୍ୟବହାର କରି ବିଜେପି ନେତା ଦୁର୍ନୀତି କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପର ପକ୍ଷରେ ସରକାରଙ୍କ ଓକିଲାତି କରିବାକୁ ଯାଇ ବିଜେପି କହିଛି ଯେ ପଞ୍ଚାୟତକୁ ସଶକ୍ତ କରିବ ଏହି କ୍ୟାବିନେଟ ନିଷ୍ପତ୍ତି । ପଞ୍ଚାୟତକୁ ମିଳୁଥିବା ଅର୍ଥ ରାଶି ବଢିବା ସହ ଦାୟିତ୍ବ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବିଜେପି ସଫେଇ ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ। ସରକାରଙ୍କ ନୂଆ ନିୟମ ନେଇ ଏବେଠାରୁ ପଞ୍ଚାୟତରେ ଅସ୍ଥିରତା ଦେଖା ଦେଲାଣି ।

୨୧ଜଣ ଯୁବ ତୀରନ୍ଦାଜ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ମନୋନୀତ

ନନ୍ଦିଘୋଷ ବ୍ୟୁରୋ ; ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ,  ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି । ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ଜଣ ଯୁବ ତୀରନ୍ଦାଜ ଆଗାମୀ ୨୬ତମ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ୨୦୨୫ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବେଦାନ୍ତର ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସ ନ୍ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର SSD  ସ୍କୁଲରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଛନ୍ତି,  ଯେଉଁଠାରେ ମୋଟ ୪୦ଜଣ ତୀରନ୍ଦାଜ ଭାରତୀୟ ରାଉଣ୍ଡ, କମ୍ପାଉଣ୍ଡ ଏବଂ ରିକର୍ଭ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତ ଲାଞ୍ଜିଗଡ଼ର କ୍ରୀଡା ପଦକ୍ଷେପ କଳାହାଣ୍ଡିର ଯୁବ ପ୍ରତିଭାକୁ ବୃତ୍ତିଗତ ତାଲିମ, ଜାତୀୟ ସ୍ତରୀୟ ପ୍ରଶିକ୍ଷଣ, ଆଧୁନିକ ଉପକରଣ ଏବଂ କିଟ୍, ଲଜିଷ୍ଟିକ ସହାୟତା ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରି ସେମାନଙ୍କୁ ପ୍ରୋତ୍ସାହିତ କରୁଛି। ବର୍ତ୍ତମାନ, ୪୦ଜଣ ଛାତ୍ର ତୀରନ୍ଦାଜୀରେ ଏବଂ ଅନ୍ୟ ୪୦ଜଣ ଆଥଲେଟିକ୍ସରେ ତାଲିମ ନେଉଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଯୁବା ତାଲିମ ପାଇଛନ୍ତି। ଏହି ପଦକ୍ଷେପ ଲଗାତାର ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିଆସୁଛି, ପ୍ରଶିକ୍ଷାର୍ଥୀମାନେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସ୍ତରୀୟ ଇଭେଣ୍ଟରେ ୩୭ ପଦକ ଜିତିଛନ୍ତି, ଜାତୀୟ ପ୍ରତିଯୋଗିତାରେ ୨୦ରୁ ଅଧିକ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଦ୍ୱିତୀୟ ଜନଜାତୀୟ ଖେଳ ମହୋତ୍ସବ ୨୦୨୪ରେ ଗୋଟିଏ ଜାତୀୟ ପଦକ ଜିତିଛନ୍ତି।

ଏହି ଗୌରବର ମୁହୂର୍ତ୍ତରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ,  ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଆନନ୍ଦ ପ୍ରକାଶ କରି କହିଛନ୍ତି, ଏହି ସଫଳତା କେବଳ ଯୁବ ତୀରନ୍ଦାଜଙ୍କ ପାଇଁ ନୁହେଁ ବରଂ କଳାହାଣ୍ଡିର ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ପ୍ରତିଫଳିତକରେ ଯେ କେନ୍ଦ୍ରିତ ତାଲିମ ଏବଂ ସଠିକ ସମର୍ଥନ ସମ୍ଭାବନାର ସମନ୍ଵନ୍ୟ କଣ ନକରିପାରେ! ଆମର ପ୍ରୟାସ ହେଉଛି ଏହି ଅଞ୍ଚଳର ତୃଣମୂଳ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଉଚ୍ଚସ୍ତରରେ ଚମକାଇବା ପାଇଁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବା। ଆମର କ୍ରୀଡା କାର୍ଯ୍ୟକ୍ରମରୁ ଏପରି ଆହୁରି ଅନେକ ସଫଳ ତାରକା ଉନ୍ମୋଚିତ ହେବାକୁ ଆମେ ଅପେକ୍ଷା କରୁଛୁ।

ଏହି ପରିପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ସମଗ୍ର ଓଡ଼ିଶାରେ ତୃଣମୂଳ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ। କମ୍ପାନୀ ୫୦୦ରୁ ଅଧିକ ଯୁବକଙ୍କୁ ତୀରନ୍ଦାଜୀ, ହକି, କରାଟେ ଏବଂ ଫୁଟବଲ ତାଲିମଦେଇଛି, ଯେତେବେଳେ ଏହାର ବୃହତ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ୫୦୦ଟି ଗାଁର ୪.୫ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁଛି, ଯାହା ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତିକୁ ବ୍ୟାପିଛି। ଏହାର ପ୍ରମୁଖ ‘ନନ୍ଦଘର’ ପ୍ରକଳ୍ପର ଅଂଶଭାବରେ, ବେଦାନ୍ତ ଓଡ଼ିଶାରେ ୫୩୧ଟି ଆଧୁନିକ ଅଙ୍ଗନୱାଡି ପ୍ରତିଷ୍ଠା କରିଛି, ଯାହା ରାଜ୍ୟରେ ମହିଳା ଏବଂ ଶିଶୁବିକାଶକୁ ପ୍ରୋତ୍ସାହିତ କରୁଛି।

ମିଳିଲାନି ଅନୁମତି, ମଣ୍ଡପରେ ହେବ ଗଣେଶ ବିସର୍ଜନ

କଟକ : ମଣ୍ଡପରେ ହେବ ଗଣେଶ ବିସର୍ଜନ । ନଦୀକୁ ନେବା ସମ୍ଭବ ନଥିବାରୁ ମଣ୍ଡପ କର୍ମକର୍ତ୍ତାଙ୍କ ନିଷ୍ପତ୍ତି । ପବିତ୍ର ଜଳ ସିଞ୍ଚନ କରି ଗଜାନନଙ୍କୁ ଦିଆଯିବ ମେଲାଣି । କଟକ ସହରର ଗଣେଶ ପୂଜା ସରିବା ପରେ ୩ଟି ରବିବାରରେ ପର୍ଯ୍ୟାୟ କ୍ରମେ ଚାଲିଛି ଭସାଣ ଉତ୍ସବ । ତେବେ ସହରର ତିନିଘରିଆ, ନୂଆପଡା ଓ ଖାନନଗରର ୩ଟି ସ୍ଥାନରେ ହୋଇଥିବା ସୁଉଚ୍ଚ ଗଜାନନଙ୍କ ମୂର୍ତ୍ତିର ବିସର୍ଜନକୁ ନେଇ ଚିନ୍ତାରେ ଆୟୋଜକ । ତିନିଘରିଆରେ ୫୮ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯାଇଥିବାବେଳେ ଖପୁରିଆ ନୂଆପଡା, ଖାନନଗରରେ ୩୮ ଓ ୨୫ ଫୁଟର ମୂର୍ତ୍ତି ପୂଜା ପାଇଥିଲେ । ଏହି ବିଶାଳ ମୂର୍ତ୍ତି ବିସର୍ଜନ ପାଇଁ ନେବା ଅସମ୍ଭବ ବୋଲି କହିଛି ପ୍ରଶାସନ ।

ଦୁଇବର୍ଷ ତଳେ ଚାଉଳିଆଗଞ୍ଜର ଯୁବକମାନେ ଏଭଳି ୪୫ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ଗଢିଥିଲେ । ତେବେ ଏହାକୁ ନେଇ ନପାରି ସେହିଠାରେ ଅଗ୍ନୀଶମ ବିଭାଗ ସହାୟତାରେ ସେମାନେ ଜଳସ୍ପ୍ରେ କରି ବିସର୍ଜନ କରିଥିଲେ । ଏବେ ଖାନନଗର, ତିନିଘରିଆ ଗଣେଶ ପୂଜା କମିଟି ମଧ୍ୟ ସେଭଳି ନିଷ୍ପତ୍ତି ନେଇଛନ୍ତି । ପବିତ୍ର ଜଳ ସିଞ୍ଚନ କରି ମୂର୍ତ୍ତିକୁ ସମ୍ମାନର ସହ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏତେ ବଡ ଗଣେଶ ଦେଖିବାକୁ ଭଲ ଲାଗୁଛି ସତ କିନ୍ତୁ ବିସର୍ଜନ କରିବା ସମୟରେ ସମସ୍ୟା ଦେଖାଯାଉଛି । ତେଣୁ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡପରେ ବିସର୍ଜନ କରିବାକୁ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି ।

ଆୟୁଷ୍ମାନ ଦେଉଛି ଯନ୍ତ୍ରଣା, କାର୍ଡ ଥାଇ ଚିକିତ୍ସା ପାଇଁ ହସନ୍ତସନ୍ତ ରୋଗୀ

ଭୁବନେଶ୍ବର : ଆୟୁଷ୍ମାନ ଦେଉଛି ଯନ୍ତ୍ରଣା । ଟଙ୍କା ଗଣି ଚିକିତ୍ସା କରୁଛନ୍ତି ରୋଗୀ । ନାଁ ଶୁଣିଲେ ଫେରାଇ ଦେଉଛି ହସପିଟାଲ । ଅସ୍ତ୍ରୋପଚାର ପରେ ଲମ୍ବା ବିଲ୍ ଦେଖି କାନ୍ଦୁଛନ୍ତି ହିତାଧିକାରୀ । ଯାଜପୁର ଅଞ୍ଚଳର ଚନ୍ଦ୍ରମଣି ସାହୁ । ପୁଅ ପ୍ରଶାନ୍ତର ଗୋଡ଼ରେ ଅସ୍ତ୍ରୋପଚାର କରିବା ପାଇଁ ଭୁବନେଶ୍ଵର ଏମ୍ସକୁ ଆଣିଥିଲେ । ଭାବିଥିଲେ ଆୟୁଷ୍ମାନ୍ କାର୍ଡରେ ମାଗଣା ଚିକିତ୍ସା ପାଇ ପୁଅ ସୁସ୍ଥ ହେବ । ହେଲେ ଅପରେସନ ସିନା ହେଲା ହେଲେ ପରେ ଆବଶ୍ୟକ ଔଷଧ ପାଇଁ ଲମ୍ବା ଚିଠା ଧରାଇ ଦେଲେ ଡାକ୍ତର I ଦୁଇଦିନରେ ୧୦ ହଜାର ଟଙ୍କାର ମେଡ଼ିସିନ୍ କିଣା ସରିଲାଣି । ସେପଟେ ଏମ୍ସ କର୍ତ୍ତୃପକ୍ଷଙ୍କ କହିବା କଥା, ହେଲ୍ଥ ପ୍ୟାକେଜରେ ଆସୁନି ମେଡିସିନ୍ । ପାଖରେ ଟଙ୍କାଟିଏ ନାହିଁ, ପୁଣି ମେଡ଼ିସିନ୍ କିଣା ବୋଝ । କିପରି ପୁଅର ଚିକିତ୍ସା କରିବେ ସେନେଇ ଚିନ୍ତାରେ ଚନ୍ଦ୍ରମଣିଙ୍କ ପରିବାର । ଏଭଳି ଅସୁବିଧା ସାମ୍ନା କରିବାପରେ ବିଏସକେୱାଇକୁ ମନେ ପକାଇଛନ୍ତି ରୋଗୀଙ୍କ ପରିବାର ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନୁଗୁଳରୁ ଆସିଥିବା ବୁଢୀ ମାଉସୀ ବି ଅକଳରେ ପଡ଼ିଛନ୍ତି । ଅନୁଗୁଳରୁ ଆସି ଭୁବନେଶ୍ବର ଏମ୍ସ ହସ୍ପିଟାଲ ଗେଟ ପାଖ ରାସ୍ତା କଡରେ ବସିଛନ୍ତି ବୟସ୍କା ରଜନୀ ବେହେରା । ହାତ ଭାଙ୍ଗି ଯାଇଛି । ଭୁବନେଶ୍ବର ଏକ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ୍ କାର୍ଡରେ ଅପରେସନ ହୋଇଥିଲା I ଅପରେସନ ପରେ ଆଉ ଅଧିକ ଚିକିତ୍ସା ହୋଇ ପାରିବନି କହି ତାଙ୍କୁ ଫେରାଇ ଦେଲେ ହସପିଟାଲ କର୍ତ୍ତୃପକ୍ଷ । ପରିବାର ଲୋକେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଆୟୁଷ୍ମାନ୍ କାର୍ଡରେ ଆଡମିସନ କରିବା ପାଇଁ କହିବାରୁ, ଦୁଇ ସପ୍ତାହ ପରେ ଆସିବାକୁ କହି ଫେରାଇ ଦେଇଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ରୋଗକୁ ନେଇ ଚିନ୍ତାଶୂନ୍ୟଥିଲେ ଗରିବ ଲୋକେ । ବିଏସକେୱାଇ କାର୍ଡ ଉପରେ ଥିଲା ଭରସା । ହେଲେ କାର୍ଡ ଥାଇ ବି ହନ୍ତସନ୍ତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।

ବାଣୀବିହାରରେ ଅପରେସନ ଅଲଆଉଟ, ହଷ୍ଟେଲ ପରେ କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଅପରେସନ ଅଲଆଉଟ । ଅଣଛାତ୍ର ପରେ ଜବରଦଖଲକାରୀ । ହଷ୍ଟେଲ ପରେ ସରକାରୀ କ୍ବାର୍ଟର୍ସରେ ଚଢ଼ାଉ । ତାଲା ଭାଙ୍ଗି ଘର ସିଲ୍ କଲା ଟିମ୍ । କଟିଲା ପାଣି ଓ ବିଦ୍ୟୁତ ସେବା । ସରକାରୀ କର୍ମଚାରୀଙ୍କ ଘର ଭଡା ଦେବା ନେଇ ତାଲିକା ପ୍ରସ୍ତୁତ । ଗୋଟିଏ କି ଦୁଇଟି ନୁହଁ ୫୦ କ୍ବାର୍ଟର  ହୋଇଥିଲା ଜବରଦଖଲ। ବର୍ଷେ କି ଦୁଇ ବର୍ଷ ନୁହଁ ୩୦ ବର୍ଷ ହେଲା ମାଡି ବସିଛନ୍ତି ଘର । କିଏ ହଷ୍ଟେଲରେ କାମ କରୁଛି ତ ଆଉ କିଏ ରୋଷେୟା । ଆଉ କିଏ ରଙ୍ଗ ମିସ୍ତ୍ରୀ । ପାଣି, ବିଦ୍ଯୁତ ସବୁ ମାଗଣା । ସବୁଜ ପରିବେଶ ସାଙ୍ଗକୁ ଭିଆଇପି ଟାଇପ୍ କ୍ବାର୍ଟର୍ସର ସୁବିଧା । ଏପରିକି ରୋଷେଇ କରିବାକୁ କାଠ କି ଗ୍ଯାସ ନୁହେଁ ଲାଗୁଥିଲା ହିଟର । ଅନବରତ ବୁଲୁଥିଲା ଫ୍ୟାନ, ଜଳୁଥିଲା ଲାଇଟ୍ । ବିଦ୍ଯୁତ ବିଲ ଦେବାକୁ ପଡୁନଥିବାରୁ କୁଲର, ଫ୍ରିଜ ବି ଲଗାଇଥିଲେ । କିଏ ଘର ଘର ଭଡାରେ ଲଗାଇଥିଲା ତ ଆଉ କିଏ ପୂର୍ବତନ କର୍ମଚାରୀଙ୍କ ଲିଙ୍କରେ ରହୁଥିଲେ । ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ନାହାନ୍ତି । କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟକୁ ଭଡ଼ାରେ ଦେଇଛନ୍ତି । ଏପରିକି ଜବରଦାଖଲକାରୀ ନିଜେ ମାଡି ପଛପଟକୁ ଭଡ଼ାରେ ଦେଇଛନ୍ତି । କୁଡିଆ ଘରେ ଭିତରୁ ହିଟର, ଫ୍ରିଜ ଓ ଡବଲ ଗ୍ଯାସ ହାଣ୍ଡି ମିଳିଛି । ଗତକାଲି ସନ୍ଧ୍ଯା ଶୁଦ୍ଧା ଘର ଖାଲି କରିବାକୁ ନୋଟିସ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କମିଶନରେଟ ପୋଲିସର ସହାୟତାରେ କ୍ବାର୍ଟର୍ସ ଗୁଡିକୁ ଜବରଦଖଲ ମୁକ୍ତ କରାଯାଇଛି ।

ବାଣୀବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର୍ସ ରହିଛି । ୪୯୨ ଷ୍ଟାଫକୁ ରହିବା ପାଇଁ ଅନୁମତି ମିଳିଛି । ବଳକା ୧୧୮ ଖାଲି ପଡ଼ିଛି । ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ଲୋକେ ରହୁଥିଲେ । ଜବରଦଖଲ ମୁକ୍ତ ହେବା ପରେ ଘର ସିଲ କରାଯିବା ସହ ଆସବାବପତ୍ର ବାହାରେ ରଖି ଦେଇଛନ୍ତି । ଆଉ କିଏ ଉଚ୍ଛେଦ ପୂର୍ବରୁ ଗାଡିରେ ଭର୍ତ୍ତି କରି ନେଇଛନ୍ତି । ପାଣି ଓ ବିଦ୍ୟୁତ ବିଲ ବାବଦକୁ କର୍ତ୍ତୃପକ୍ଷ ମୋଟା ଅଙ୍କର ଟଙ୍କା ପୈଠ କରୁଛି । ଜବରଦଖଲ ମୁକ୍ତ ହୋଇଥିବା କ୍ବାର୍ଟର୍ସ ଗୁଡିକ ବିପଦସଂକୁଳ ଅବସ୍ଥାରେ ଥିବାରୁ ଆର ଆଣ୍ଡ ବି ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଭଙ୍ଗା ଯିବ । ସେପଟେ କ୍ୟାମ୍ପସରୁ ବସ୍ତି ଉଚ୍ଛେଦ ଲାଗି ବିଏମସି ସହିତ ଆଲୋଚନା କରାଯିବ ବୋଲି କହିଛନ୍ତି ଭିସି । ବାଣୀବିହାରରେ ଆଇନଶୃଙ୍ଖଳ ଦୃଷ୍ଟିରୁ ୨ ପ୍ଳାଟୁନ ପୋଲିସ ଫୋର୍ସ ଓ ବଛା ବଛା ପୋଲିସ ଅଧିକାରୀ ମୁତୟନ ହୋଇଥିଲେ ।

ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ, ଦୋକାନ ଓ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ

ବ୍ରହ୍ମପୁର : ଦୋକାନ, ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ । ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ । ଓଡ଼ିଆ ଲେଖିଲେ ଲାଇସେନ୍ସ ନବୀକରଣରେ ମିଳିବ ରିହାତି । ନଲେଖିଲେ ତଣ୍ଡ ଗଣିବେ ସଂପୃକ୍ତ ଦୋକାନୀ ଓ ସଂସ୍ଥା ।  ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ ଏହାକୁ କଡ଼ାକଡ଼ି କରିଛି BeMC । ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ନିଜ ସୂଚନା ଫଳକର ଅନ୍ୟୁନ ଶତକଡା ୬୦ପ୍ରତିଶତ ସ୍ଥାନରେ ଓଡ଼ିଆ ଭାଷାରେ ଲେଖିବେ । ଫଳରେ ଟ୍ରେଡ ଲାଇସେନ୍ସ ନବୀକରଣ ବା ପଞ୍ଜୀକରଣ ସମୟରେ ମୋଟ ଦେୟର ଶତକଡା ୫ ପ୍ରତିଶତ ରିହାତି ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଷ୍ଠାନର ସାଇନବୋର୍ଡକୁ ସଂଶୋଧନ କରିବା ପାଇଁ ୫୫ ଦିନର ମହଲତ ଦିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ନକଲେ ଦୈନିକ ୫ ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବ ।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜନସାଧାରଣ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି । ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ନିର୍ଦ୍ଦେଶନାମାକୁ କିଭଳି କାର୍ଯ୍ୟକାରୀ କରିଛନ୍ତି ସେନେଇ ୬୦ ଦିନ ମଧ୍ଯରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସମେତ ମହାନଗର ନିଗମର କମିଶନର ଓ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ମହିଳାଙ୍କ ସୁରକ୍ଷା ନେଇ ପୋଲିସର ବ୍ଲୁପ୍ରିଣ୍ଟ, ପର୍ଯ୍ୟଟନସ୍ଥଳୀ ଓ ରାଜପଥରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର : କ୍ରିମିନାଲଙ୍କୁ ଧରିବ ହାଇ ରିଜୋଲ୍ୟୁସନ AI କ୍ୟାମେରା । Advance Facial Recognise Systi ଜରିଆରେ ହେବେ ଚିହ୍ନଟ । ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୋଲିସର ବ୍ଲୁପ୍ରିଣ୍ଟ । ପର୍ଯ୍ୟଟନସ୍ଥଳୀ, ରାଜପଥ ସବୁଠି ଲାଗିବ ସିସିଟିଭି । ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ସହ ଜାତୀୟ ରାଜପଥ, ପର୍ଯ୍ୟଟନସ୍ଥଳୀ ଓ ବେଳାଭୂମିମାନଙ୍କରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ଗୋପାଳପୁର ଘଟଣା ପରେ ଏବେ ଅପରାଧୀଙ୍କୁ ଜଗିବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ପୁରୀ, କୋଣାର୍କ ବେଳାଭୂମି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ହେବ କ୍ୟାମେରା ଛାଉଣୀ । ଅତ୍ୟାଧୁନିକ AI କ୍ୟାମେରା ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ରାଜ୍ୟ ବାହାର କମ୍ପାନୀ ସହ ଆଲୋଚନା ସରିଛି । କେବଳ ରାଜଧାନୀ ଭୁବନେଶ୍ବରରେ ୨ ହଜାର କ୍ୟାମେରା ଲାଗିବ । କମାଣ୍ଡ କଣ୍ଟ୍ରୋଲ ରୁମରୁ ଏସବୁକୁ ମନିଟର କରାଯିବ ବୋଲି ହାଇଲେବଲ ମିଟିଂ ପରେ ସୂଚନା ଦେଇଛନ୍ତି ଡିଜିପି ।

ସେପଟେ ସିସିଟିଭି ସର୍ଭେଲାନ୍ସ ରହିବା ଯୋଗୁଁ ଟ୍ରାଫିକ ଖିଲାପକାରୀ ମଧ୍ୟ ସହଜରେ ଖସିପାରିବେ ନାହିଁ । ସ୍ପିଡ଼ ଡ୍ରାଇଭ, ରଙ୍ଗରୁଟ ଡ୍ରାଇଭ, ହେଲମେଟ, ସିଟ ବେଲ୍ଟ, ଟ୍ରିପଲ ରାଇଡିଂ ଓ ହିଟ ଆଣ୍ଡ ରନ ସଂଖ୍ୟା ବଢିବାରେ ଲାଗିଛି । ୨୦୨୪ରେ କେବଳ ୨ ଚକିଆ ଯାନରେ ୫ ହଜାର ୪୯୦ ଟି ଦୁର୍ଘଟଣା ଘଟିଛି । ୩୦୧୭ ଜଣଙ୍କର ଜୀବନ ଯାଇଛି । ହେଲମେଟ ପିନ୍ଧିନଥିବାରୁ ୧୬୯୬ ଜଣଙ୍କର ମୃତ୍ୟୁ ଘଟିଥିବା ସମୀକ୍ଷାରୁ ଜଣାପଡିଛି । ୨୦୨୪ରେ ସାରା ରାଜ୍ୟରେ ୭ ଲକ୍ଷ ୮୯ ହଜାର ୧୫ ଟି ହେଲମେଟ ସଂକ୍ରାନ୍ତୀୟ ନିୟମ ଉଲ୍ଲଙ୍ଘନ ହୋଇଥିବା ସୂଚନା ଦେଇଛି ପରିବହନ ବିଭାଗ । ସିସିଟିଭି ଲାଗିବା ଦ୍ୱାରା ଏହି ସଂଖ୍ୟା କିଛି ମାତ୍ରାରେ କମିବ ବୋଲି ଆଶା କରାଯାଉଛି । ଗତ ରଥଯାତ୍ରା ବେଳେ intelligent enforcient managient systi କୁ ପରୀକ୍ଷାମୂଳକ ଭାବେ ପୁରୀ ଭୁବନେଶ୍ୱର ରାସ୍ତାରେ ବ୍ୟବହାର କରାଯାଇଥିଲା । ସୁଫଳ ମିଳିବା ପରେ ସାରା ରାଜ୍ୟରେ ଏହାର ବ୍ୟବହାର ହେବ ବୋଲି କହିଛନ୍ତି ଡିଜିପି ।

ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନଙ୍କୁ ସମାଲୋଚନା କଲେ ପାକିସ୍ତାନ ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: ଏସିଆକପରେ ଶୁକ୍ରବାରଠାରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି ପାକିସ୍ତାନ । ଓମାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ । ପରେ ଭାରତ ସହ ୧୪ ତାରିଖରେ ପାକିସ୍ତାନର କଡ଼ା ଟକ୍କର ହେବ । ମ୍ୟାଚ ଖେଳିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ନିଜର ଦେଶର ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ଅଧିନାୟକ ସଲମାନ । ସେ କହିଛନ୍ତି କି, ଏବେକାର ଟିମ ବାବର ଆଜମଙ୍କ ଟିମଠାରୁ ଭିନ୍ନ । ବାବରଙ୍କ ଅଧିନାୟକତ୍ବ ଦଳ ଦୁଇବର୍ଷ ବହୁତ ଖରାପ କ୍ରିକେଟ ଖେଳିଛି । ୨୦୨୩ରୁ୨୫ ମଧ୍ୟରେ ଆମେ ଯେଭଳି କ୍ରିକେଟ ଖେଳିଛୁ ଲୋକମାନେ ଆମକୁ ଟ୍ରୋଲ କରିଛନ୍ତି । ଏପରିକି ଏବେ ମଧ୍ୟ ମୋତେ ଯେଭଳି ଟ୍ରୋଲ କରାଯାଉଛି, କେହି ଭଲ କହିଲେ ମଧ୍ୟ କିଛି ଫରକ ପଡ଼ୁନାହିଁ ।

ଟି-୨୦ରେ ଆମ ଦଳର ପ୍ରଦର୍ଶନ ବହୁତ ଖରାପ ରହିଥିଲା । ବାବର ଏବଂ ରିଜଓ୍ବାନଙ୍କ ଧିର ବ୍ୟାଟିଂ ଟି-୨୦ରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯେଉଁ କାରଣରୁ ଦଳରୁ ବାହାରକୁ ଯିବାର ବାଟ ଦେଖା ହୋଇଥିଲା । ସେମାନଙ୍କ ଲାଗି ୨୦୨୪ ବିଶ୍ବକପରେ ପାକିସ୍ତାନ ଲିଗ ପର୍ଯ୍ୟାୟରୁ ବାଦ ପଡ଼ିଥିଲା । ଆମର ଭବିଷ୍ୟତ ପିଢ଼ି ଆଗକୁ ଆହୁରି ଭଲ କ୍ରିକେଟ ଖେଳିବେ ବୋଲି ସେ କହିଛନ୍ତି । ସଲମାନ ଅଲି ଆଗାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ପ୍ରଦର୍ଶନ ଭଲ ରହିଛି। ଦଳ ଖେଳ ପ୍ରତି ନିଜର ଆଭିମୁଖ୍ୟ ମଧ୍ୟ ବଦଳାଇଛି। ଯାହା ଯୋଗୁଁ ପାକିସ୍ତାନର କିମ୍ବଦନ୍ତୀ ୱାସିମ ଆକ୍ରମ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ନିକଟରେ, ୱାସିମ ଆକ୍ରମ ସଲମାନ ଆଗାଙ୍କ ବିଷୟରେ କଥା ହୋଇ କହିଥିଲେ, ‘ସଲମାନ ଅଲି ଆଗାଙ୍କ ବିଷୟରେ ଭଲ କଥା ହେଉଛି ଯେ ସେ ଜଣେ ନିଃସ୍ୱାର୍ଥପର ଅଧିନାୟକ, ଯିଏ ଦଳ ପାଇଁ ନିଜକୁ ବଳିଦାନ ଦେଇଛନ୍ତି, ସେ ଜଣେ ଭଲ ଅଧିନାୟକ ହୋଇପାରିବେ।’