spot_img
Home Blog Page 2337

ସ୍ବାଦିଷ୍ଟ ଖାଇବାକୁ ଦେଲାନି ବୋଲି ମାର ତଣ୍ଟି କାଟିଦେଲା ପୁଅ

0

ମୁମ୍ବାଇ: ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟା କରିଛି  । ତାହା ବି କେବଳ ଖାଦ୍ୟ ପାଇଁ  । କ୍ଷଣିକ କ୍ରୋଧ କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି  । ଭୋଜନ ସ୍ବାଦିଷ୍ଟ ନ ଲାଗିବାରୁ ପ୍ରଥମେ ମା ସହ ଝଗଡା ଆଉ ପରେ ମାର ତଣ୍ଟି କାଟିଦେଲା ପୁଅ  । ଅତର୍କିତ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ପୁଅ ସାମନାରେ ଆଖି ବୁଜିଛି ମା  ।  ପଡୋଶୀ ମାନେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ପୁଅ ଗିରଫ ହୋଇଛି  । ମୁରବାଦ ତାଲୁକା ବେଲୁ ଗାଁରେ ରହୁଥିବା ଏହି ମା ପୁଅଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଲାଗି ରହୁଥିଲା  ।

ରବିବାର ଦିନ ୫୫ ବର୍ଷୀୟ ମହିଳା ଜଣକ ପୁଅକୁ ଖାଇବାକୁ ଦେଉଥିବା ବେଳେ ସେ ହଠାତ ଉତକ୍ଷିପ୍ତ ହୋଇପଡିଥିଲା  । କାହିଁକି ଖାଇବା ସ୍ବାଦିଷ୍ଟ ହୋଇନାହିଁ ବୋଲି ସେ ପାଟି କରିଥିଲା  । ଏହି ସମୟରେ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ମାର ତଣ୍ଟି କାଟି ଦେଇଥିଲା  । ଆଖି ସାମନାରେ ମା ପ୍ରାଣ ହରାଇବା ପରେ ପୁଅ ଏକାଧିକ ନିଦ ବଟିକା ଖାଇ ଦେଇ ନିଜ ରୁମ୍‌ରେ ଶୋଇ ପଡିଥିଲା  ।

ଅଭିଯୁକ୍ତ ଜଣକ ଦୋଷ ସ୍ବୀକାର କରି କହିଛି ଯେ ତା ମା ନିୟମିତ ଭାବେ ତାକୁ ଟେଷ୍ଟି ଖାଇବାକୁ ଦେଉ ନଥିଲା  । ହତ୍ୟା ଦିନ ବି ସମାନ ଖାଦ୍ୟ ମା ପରଷି ଦେଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ସେ ମାକୁ ହତ୍ୟା କରିଥିବା ସ୍ବୀକାର କରିଛି  ।

 

ଏଣିକି ୨୦୦୦ରୁ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନ କଲେ ଲାଗିବ ୪ ଘଣ୍ଟା

ନନ୍ଦିଘୋଷ ବ୍ୟୁରୋ: ଡିଜିଟାଲ ପେମେଣ୍ଟ ବଢିବା ସହ ସେତିକି ମାତ୍ରାରେ ବଢିଚାଲିଛି ଅନଲାଇନ ଠକେଇ  । ଗତ କିଛି ବର୍ଷ ମଧ୍ୟରେ ମାତିଛନ୍ତି ସାଇବର ଠକ  । ଆଉ ଏବେ ସାଇବର ଠକଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର ଓ ଆରବିଆଇ  । ଅନଲାଇନ ଠକେଇକୁ ରୋକିବା ପାଇଁ ପ୍ରଥମ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ କିଛି ନିୟମ ଲାଗୁ ହେବାକୁ ଯାଉଛି  ।

ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ଥର ହେବାକୁ ଥିବା ପ୍ରଥମ ଟ୍ରାଞ୍ଜାକ୍ସନରେ ନୂଆ ନିୟମ ଲାଗୁ କରାଯିବ  । ଏହା ଦ୍ବାରା ଏକ ନିର୍ଦ୍ଦିଷ୍ଟ ରାଶି ନେଣଦେଣ କଲେ ସମୟ ସୀମା ଲାଗୁ ହେବ  । ୨୦୦୦ ରୁ ଅଧିକ ଟଙ୍କା କାରବାର କଲେ ଦୁଇ ଜଣ ୟୁଜର୍ସଙ୍କୁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡିବ  । ୪ ଘଣ୍ଟା ପ୍ରକ୍ରିୟାକୁ ସାମିଲ କଲେ ଡିଜିଟାଲ ପେମେଣ୍ଟରେ ବାଧା ଉପୁଜିବ  । କିନ୍ତୁ ଏହାଦ୍ବାରା ସାଇବର ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ  । ଏହି ପ୍ରକ୍ରିୟାକୁ  IMPS (intrest payment service), UPI ଓ RTGS (ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ)ରେ ସାମିଲ କରାଯିବ  ।

ବର୍ତ୍ତମାନ ଯଦି କୌଣସି ୟୁଜର ଅନଲାଇନ ନେଣଦେଣ ପାଇଁ ନୂଆ UPI ଆକାଉଣ୍ଟ ଖୋଲନ୍ତି ତେବେ ୨୪ ଘଣ୍ଟାରେ କେବଳ ୫୦୦୦ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ  । ଠିକ୍‌ ସେହିପରି ଯଦି NEFT ରେ ଯଦି ପ୍ରଥମ ଥର ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ୨୪ ଘଣ୍ଟାରେ କେବଳ ୫୦ ହଜାର ଟଙ୍କା କାରବାର କରିପାରିବେ  ।

ଗଜପତିରେ ଆତଙ୍କ ରଚିବା ପରେ ରାୟଗଡାରେ ପଶିଲା ମହାରାଷ୍ଟ୍ର ମହାବଳ

ରାୟଗଡା: ଗଜପତିରୁ ଗୁଣୁପୁର । ରାୟଗଡ଼ା ଜିଲ୍ଲାରେ ପଶିଲା ମହାବଳ । ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଗଜପତିରେ ବୁଲୁଥିବାବେଳେ ଏବେ ରାୟଗଡ଼ା ଜଙ୍ଗଲକୁ ଯାଇଥିବା ସୂଚନା ମିଳିଛି । ଗତକାଲି ସଂନ୍ଧ୍ୟାରେ ମହାବଳଟି ଆର.ଉଦୟଗିରି ସୀମା ଅତିକ୍ରମ କରି ରାୟଗଡାରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସନ୍ଦେହ କରୁଛି । ଏଥିପାଇଁ ଗୁଣୁପୁର ରେଞ୍ଜକୁ ସତର୍କତା ଜାରି କରାଯାଇଛି ।

ଗଜପତି ଓ ରାୟଗଡ଼ା ସୀମାରେ ପାଟ୍ରୋଲିଂକୁ ବଢାଇବା ସହ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଥିବାବେଳେ ବାଘ ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍ । ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ପୁରୁଷ ବାଘ ବୋଲି ଜଣାପଡିଛି ।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି । ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସି ଥାଇପାରେ । ଓଡ଼ିଶାରେ ଭଲ ପରିବେଶ ଥିବାରୁ ବାଘଟି ଆସିଥାଇପାରେ ।

ଏଥର ଫିକା ପଡିପାରେ ଛାଡଖାଇ, ବୁଧବାରକୁ ଅପେକ୍ଷା କରିଛନ୍ତି ଲୋକେ

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ଆଜି ଛାଡଖାଇ । ଘରେ ଘରେ ଜମିବ ମାଛ ମାଂସର ଆସର । ତେବେ ଆଜି ମଙ୍ଗଳବାର ଥିବାରୁ ଅନେକ ଲୋକ ଛାଡ଼ଖାଇ ପାଳୁନାହାନ୍ତି । ଆସନ୍ତାକାଲିକୁ କିଛି ଲୋକ ଅପେକ୍ଷା କରିଛନ୍ତି । ତଥାପି ଅନେକ ସ୍ଥାନରେ ମାଛ ମାଂସ ଦୋକାନରେ ଗହଳି ଜମିଛି । କାର୍ତ୍ତିକ ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇ ବ୍ରତ ପାଳୁଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ ।

ପଞ୍ଚୁକ ପରେ କାର୍ତ୍ତିକ ପୂର୍ଣ୍ଣମୀର ପରଦିନ ଅର୍ଥାତ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଛାଡ଼ଖାଇ ପାଳିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି । ଚାହିଦାକୁ ଦୃଷ୍ଟିରେ ରଖି ଦର ମଧ୍ୟ ସମାନ୍ୟ ଅଧିକ ରହିଛି । ଚିକେନ ଓ ମାଛ, ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍, ପରବର୍ତ୍ତୀ ୪୮ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

ଭୁବନେଶ୍ବର: ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । କାଲି ସୁଦ୍ଧା ଏହା ଅବପାତର ରୂପ ନେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ମିଞ୍ଚାଉଙ୍ଗର ପ୍ରଭାବ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । କାଲି ଭିତରେ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ ଜଣାପଡ଼ିବ ।

ସିଷ୍ଟମ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ବାତ୍ୟା ହେଲେ ତା’ର ନାଁ ରହିବ ମିଞ୍ଚାଉଙ୍ଗ । ମିଆଁମାର ଏପରି ନାମକରଣ କରିଛି । ବାତ୍ୟା ମିଞ୍ଚାଉଙ୍ଗ୍ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆଶଙ୍କା କରିଛନ୍ତି । ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସଙ୍କ ଆକଳନ ଅନୁସାରେ, ଆନ୍ଧ୍ରରୁ ବାଂଲାଦେଶ ମଧ୍ୟରେ ବାତ୍ୟା ମିଞ୍ଚାଉଙ୍ଗ୍ ସ୍ଥଳଭାଗ ଛୁଇଁପାରେ ।

ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ । ଚଳିତ ମାସ ବଙ୍ଗୋପସାଗରରେ ବାତ୍ୟା ମିଧିଲି ସୃଷ୍ଟି ହୋଇ ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲା । କିନ୍ତୁ ବାତ୍ୟା ମିଞ୍ଚାଉଙ୍ଗ୍ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ଅଛି ।

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, INS ଇମ୍ଫାଲର ଆଜି ହେବ ଉନ୍ମୋଚନ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମାଜାଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ନିର୍ମିତ ପ୍ରୋଜେକ୍ଟ –ବି ଗାଇଡେଡ ମିସାଇଲ ଷ୍ଟେଲଥ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲର ଆଜି ହେବ ଉନ୍ମୋଚନ । ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହାକୁ ଦେଶ ଲାଗି ଉତ୍ସର୍ଗ କରାଯିବ । ଗତ ଅକ୍ଟୋବର ୨୦ ତାରିଖରେ ଏହାକୁ ଭାରତୀୟ ନୌସେନା ହାତରେ ଅର୍ପଣ କରିଥିଲା ମାଜାଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ।

ଜାହାଜରୁ ପରିବର୍ଦ୍ଧିତ ରେଞ୍ଜର ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷା ପରେ ଏହାକୁ ନୌସେନାରେ ସାମିଲ କରାଯିବ । ଉନ୍ମୋଚନ ଉତ୍ସବରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ । ସାମୁଦ୍ରିକ ପରମ୍ପରା ଅନୁସାରେ ବିଭିନ୍ନ ଭାରତୀୟ ନୌସେନା ଜାହାଜକୁ ପାର୍ବତ୍ୟାଞ୍ଚଳ, ନଦୀ, ବନ୍ଦର, ଦ୍ବୀପ ନାମରେ ନାମିତ କରାଯାଇଥାଏ ।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଏକ ସହରର ନାମାନୁସାରେ ପ୍ରଥମ ଥର ଲାଗି ଏହି ଜାହାଜକୁ ନାମିତ କରାଯାଇଛି । ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ପକ୍ଷରୁ ଏହି ଜାହାଜକୁ ସ୍ବଦେଶୀ କାରିଗରିରେ ନିର୍ମିତ କରାଯାଇଛି । ଏହି ଜାହାଜରୁ ବ୍ରହ୍ମୋସ, ଟର୍ପେଡୋ ଟ୍ୟୁବ ଲଞ୍ଚର, ବୁଡାଜାହାଜ ବିଧ୍ବଂସୀ ରକେଟ ଲଞ୍ଚର, ୭୬ ମିମି ଏସଆରଜିଏମ ମୁଚୟନ ବ୍ୟବସ୍ଥା ରହିଛି ।

ପୁଣି ବଢିପାରେ ନାଇଡୁଙ୍କ ଅଡୁଆ, ନିୟମିତ ଜାମିନ ପ୍ରଦାନ ବିରୋଧରେ ଆଜି ସୁପ୍ରିମ ଶୁଣାଣି

0

ଅମରାବତୀ: ପୁଣି ବଢିପାରେ ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଅଡୁଆ । ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ ବିରୋଧରେ ଆନ୍ଧ୍ରପ୍ରଦେଶ ସରକାର କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ନାଇଡୁଙ୍କ ବିରୋଧରେ ଆଗତ ଏହି ଆବେଦନର ଶୁଣାଣି କରିବେ ଜଷ୍ଟିସ ବେଲା ଏମ ତ୍ରିବେଦୀ, ଏସ.ସି. ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ।

ଗତ ନଭେମ୍ବର ୨୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଖଣ୍ଡପୀଠ ନାଇଡୁଙ୍କୁ ପ୍ରଦାନ କରିଥିଲେ ନିୟମିତ ଜାମିନ । ପୂର୍ବରୁ ଗତ ଅକ୍ଟୋବର ୩୧ରେ ମେଡିକାଲ କାରଣରୁ ନାଇଡୁଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ । ୩୭୧ କୋଟି ଟଙ୍କା ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଗତ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ସିଆଇଡି ।

ନାଇଡୁଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅସାଧୁ ଉପାୟ ଅବଲମ୍ବନ, ବେଆଇନ ସମ୍ପତ୍ତି ହସ୍ତାନ୍ତର ସମେତ ଧାର 465 ଲାଗିଥିଲା । ଏହି ଦୁର୍ନୀତି ମାମଲାରେ ଗତ 2021ରେ ଏକ ମାମଲା ରୁଜୁ ହୋଇଥିଲା ।

ଆଜି ଆପ୍‌ ସାଂସଦ ସଞ୍ଜୟ ସିଂଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଆଜି ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟଙ୍କ ଜାମିନର ଶୁଣାଣି ଗତ ଶନିବାର ହେବାର ଥିଲା । ମାତ୍ର ତାହାକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ମାମଲାର ହେବ ଶୁଣାଣି । ମଦ ନୀତି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି । ଇଡିର ଚାର୍ଜସିଟରେ କୁହାଯାଇଥିଲା- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହା ସହ ଦିଲ୍ଲୀ ମଦ ବିଭାଗରେ ଦିନେଶଙ୍କ ବ୍ୟବସାୟ ସମ୍ପର୍କିତ ପଡିରହିଥିବା ଏକ ସମସ୍ୟାକୁ ବି ସମାଧାନ କରିବାରେ ସଞ୍ଜୟ ସହାୟତା କରିଥିଲେ । ଏହି ମାମଲାରେ ପୂର୍ବରୁ ଦିନେଶଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଲାଗି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଦିଲ୍ଲୀ ମଦନୀତି ମାମଲାରେ ଗତ ଫେବ୍ରୁଆରୀ 26ରେ ମନୀଷ ସିସୋଦିଆ ହୋଇଥିଲେ ଗିରଫ ।

ଭିଜିଲାନ୍ସ ଜାଲରେ କୋରାପୁଟ, ବୈପାରିଗୁଡ଼ା ଥାନା ଅଧିକାରୀ

କୋରାପୁଟ : ଭିଜିଲାନ୍ସ ଜାଲରେ ଆଇଆଇସି । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ  । ତାଙ୍କ ନିକଟରୁ ନଗଦ ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ  । ଏକ ବସରେ ଟଙ୍କା ନେଇ ଘରକୁ ଗଲାବେଳେ ଜୟପୁର ଟାଙ୍କୁଆ ନିକଟରେ ଚଢାଉ କରିଥିଲେ ତଦନ୍ତକାରୀ ଟିମ୍  । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କୁଆଡ଼େ ନେଇଯାଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି । ଆଇଆଇସିଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ  ।

ବୈପାରିଗୁଡ଼ା ଥାନାରେ ଆଇଆଇସିଙ୍କ ଚ୍ୟାମ୍ବରରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ  । ସେଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଏହା ସହ ତାଙ୍କ କ୍ବାର୍ଟରରୁ ଆଉ ୩ ଲକ୍ଷ ଟଙ୍କା ଜବତ କରାଯାଇଛି  । ମୋଟ  ସାଢେ ୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବାବେଳେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ  ।

 

 

ଦିଲ୍ଲୀ -ଏନସିଆରରେ ପ୍ରବଳ ବର୍ଷା, ୯ଟି ବିମାନର ଗତିପଥ ପରିବର୍ତ୍ତନ

ଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ପ୍ରବଳ ବର୍ଷା ଓ ବିଜୁଳି ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ।ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍ଥିତି ଜଟିଳ ହେବାରୁ ଗୁଆହାଟିରୁ ଦିଲ୍ଲୀ ଆସୁଥିବା ଏକ ଭିସ୍ତାରା ବିମାନକୁ ଜୟପୁର ଅଭିମୁଖେ ପରିବର୍ତ୍ତନ କରାଯାଇଛି । ସେହିପରି କୋଲକାତାରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଭିସ୍ତାରା ବିମାନକୁ ଲକ୍ଷ୍ମୌ ଅଭିମୁଖେ ପରିବର୍ତ୍ତିତ କରାଯାଇଛି। ବର୍ଷା ଯୋଗୁ ଦିଲ୍ଲୀ ଓ ମୁମ୍ବାଇରୁ ଆସିବା ଓ ଯିବାକୁ ଥିବା ବିମାନ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ତେବେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ହ୍ରାସ ହେବା ଆଶା କରାଯାଉଛି । ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆରରେ ପାଗ ବଦଳିଥିଲା ​​ଏବଂ ଅନେକ ସ୍ଥାନରେ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଲୋକମାନେ ପ୍ରଦୂଷଣରୁ ମଧ୍ୟ ଆରାମ ପାଇଛନ୍ତି । ଏହାପୂର୍ବରୁ, ପବନ ଏବଂ ମେଘୁଆ ଆକାଶ ନ ଥିବାରୁ ବାୟୁ ଗୁଣବତ୍ତା ଗୁରୁତର ବର୍ଗର ନିକଟତର ହୋଇଥିଲା | ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ବର୍ଷା ହେତୁ ଥଣ୍ଡା ବୃଦ୍ଧି ପାଇଛି । ଆହୁରି ମଧ୍ୟ ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅନେକ ବିମାନ ଚଳାଚଳ ବନ୍ଦ କରିବାକୁ ପଡିଲା କିଛି ବିମାନ ଗତିପଥ ପରିବର୍ତ୍ତନ କରିବାକୁ ପଡ଼ିଲା । ଖରାପ ପାଗ ଯୋଗୁଁ ଆଇଜି ବିମାନ ବନ୍ଦରରେ କାର୍ଯ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଇଣ୍ଡିଗୋ ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶଦାତା ମଧ୍ୟ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସେହିଭଳି ସ୍ପାଇସଜେଟ୍ ଯାତ୍ରୀମାନଙ୍କୁ ଚେତାବନୀ ଦେଇଛି ଯେ ଦିଲ୍ଲୀ ବିମାନ ବନ୍ଦରରେ ସମସ୍ତ ଆଗମନ ଏବଂ ପ୍ରସ୍ଥାନ ପ୍ରଭାବିତ ହୋଇପାରେ ।

IMD ବର୍ଷାକୁ ନେଇ ପୂର୍ବାନୁମାନ କରିଥିଲା

ଭାରତ ପାଣିପାଗ ବିଭାଗ (ଆଇଏମଡି) ବୈଜ୍ଞାନିକ ଆର.କେ ଜେନାମାନି କହିଛନ୍ତି ଯେ ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା | ଆଗାମୀ ଦିନରେ ଦେଶର ଉତ୍ତର ଭାଗରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ହ୍ରାସ ପାଇବ ଏବଂ ଶୀତ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ନଭେମ୍ବର ୨୮ ରୁ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବରେ କୁହୁଡି ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମଧ୍ୟ ପୂର୍ବାନୁମାନ କରିଛନ୍ତି।