spot_img
Home Blog Page 2341

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଆଲିଆ-କ୍ରୀତି ଓ ଅଲ୍ଲୁ ଅର୍ଜୁନଙ୍କ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ପ୍ରାୟ ଏକ ମାସର ଘୋଷଣା ପରେ ଆଜି ପ୍ରଦାନ କରାଯାଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଦିଲ୍ଲୀ ବିଜ୍ଞାନ ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆଲିୟା ଭଟ୍ଟ, କ୍ରୀତି ସେନନ ଏବଂ ଅଲ୍ଲୁ ଅର୍ଜୁନଙ୍କୁ ସେମାନଙ୍କ ଅଭିନୟ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରଥମ ସାଉଥ ଷ୍ଟାର ଭାବେ ଅଲ୍ଲୁ ଅର୍ଜୁନ ଏହି ପୁରସ୍କାର ପାଇଛନ୍ତି ।

ଓ୍ବାହିଦା ରହମାନଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

ଏହି ଅବସରରେ ଓ୍ବାହିଦା ରହମାନଙ୍କୁ ଫିଲ୍ମ ଦୁନିଆରେ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଛି । ଫିଲ୍ମ ଜଗତରେ ଯୋଗଦାନ ପାଇଁ ତାଙ୍କୁ ଦେଶର ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଓ୍ବାହିଦା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ, ‘ଆପଣ ମୋତେ ଏହି ସମ୍ମାନରେ ସମ୍ମାନିତ କରିଥିବାରୁ ଧନ୍ୟବାଦ । ଇଣ୍ଡଷ୍ଟ୍ରି ପାଇଁ ଆଜି ମୁଁ ଏଠାରେ ପହଞ୍ଚିଛି । ମୋତେ ବହୁତ ଭଲ ଡାଇରେକ୍ଟର, ପ୍ରଡ୍ୟୁସର, ମ୍ୟୁଜିକ କମ୍ପୋଜରଙ୍କ ସହଯୋଗ ମିଳିଛି । ମେକଅପ୍ ଓ କଷ୍ଟ୍ୟୁମ୍ ଆର୍ଟିଷ୍ଟଙ୍କ ବି ବଡ଼ ଭୂମିକା ରହିଛି । ମୁଁ ସେମାନଙ୍କୁ ବି ଧନ୍ୟବାଦ ଜଣାଉଛି ।’

ଗଙ୍ଗୁବାଇ କାଠିଆଓ୍ବାଡିର ଗୁଞ୍ଜ

ଗଙ୍ଗୁବାଇ କାଠିଆଓ୍ବାଡିରେ ଯାଦୁଗରୀ ଅଭିନୟ ପାଇଁ ଆଲିୟା ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିରେ ଆଲିୟା ଏକ ଦେହଜୀବୀ ଚରିତ୍ରରେ ନଜରକୁ ଆସିଥିଲେ । ଯାହା କେବଳ ଭାରତ ନୁହେଁ ବିଦେଶରେ ବି ବେଶ ଧୂମ ମଚାଇଥିଲା ।

କ୍ରୀତି ସେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ଆଲିୟାଙ୍କ ସହ କ୍ରୀତି ସେନନଙ୍କୁ ବି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ୨୦୨୧ରେ ରିଲିଜ ହୋଇଥିବା ‘ମିମି’ ଚଳଚ୍ଚିତ୍ର ପାଇଁ କ୍ରୀତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜରକୁ ଆସିଥିଲେ । ତାଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟର ସମ୍ମାନରେ ସମ୍ମାନିତ କରାଯାଇଛି ।

ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ

ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ସମ୍ମାନ ସାଉଥ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି । ଫିଲ୍ମ ‘ପୁଷ୍ପା’ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହାସହ ସାଉଥ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା ଭାବେ ଅଲ୍ଲୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

କରଣ ଜୋହରଙ୍କୁ ‘ଶେରଶାହ’ ଫିଲ୍ମ ପାଇଁ ସ୍ପେଶାଲ ଜୁରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀୟା ଘୋଷାଲଙ୍କୁ ୫ମ ଥର ପାଇଁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ପଲ୍ଲବୀ ଜୋଶୀଙ୍କୁ ‘କାଶ୍ମୀର ଫାଇଲ’ ପାଇଁ ବେଷ୍ଟ ସପୋର୍ଟିଂ ଆଟ୍ରେସ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ଜାତୀୟ ପୁରସ୍କାରର ପୂରା ଲିଷ୍ଟ

ବେଷ୍ଟ ମିଶିଙ୍ଗ ଫିଲ୍ମ – ବୁମ୍ମା ରାଇଡ

ବେଷ୍ଟ ଆସାମୀ ଫିଲ୍ମ – ଅନୁର

ବେଷ୍ଟ ବଙ୍ଗାଳି ଫିଲ୍ମ – kalkokkho- House Of Time

ବେଷ୍ଟ ହିନ୍ଦି ଫିଲ୍ମ – ସରଦାର ଉଧମ

ବେଷ୍ଟ ଗୁଜରାତି ଫିଲ୍ମ – ଲାଷ୍ଟ ଫିଲ୍ମ ଶୋ’

ବେଷ୍ଟ କନ୍ନଡ ଫିଲ୍ମ – ୭୭୭ ଚାର୍ଲି

ବେଷ୍ଟ ମୈଥିଲି ଫିଲ୍ମ – ସମାନ୍ତର

ବେଷ୍ଟ ମରାଠୀ ଫିଲ୍ମ – ଏକଦା କାୟ ଜାଲା

ବେଷ୍ଟ ମଲାୟାଲମ ଫିଲ୍ମ – ହୋମ୍

ବେଷ୍ଟ ମିତେଲିୟନ ଫିଲ୍ମ – eikhoigi yum

ବେଷ୍ଟ ଓଡ଼ିଆ ଫିଲ୍ମ – ପ୍ରତୀକ୍ଷା

ବେଷ୍ଟ ତାମିଲ ଫିଲ୍ମ – kadaisi vivasayi

ବେଷ୍ଟ ତେଲଗୁ ଫିଲ୍ମ – uppena

ବେଷ୍ଟ ଆକ୍ସନ ଡାଇରେକ୍ସନ ଆଓ୍ବାଡ – RRR

ବେଷ୍ଟ କୋରିଓଗ୍ରାଫି – RRR

ସ୍ପେଶାଲ ଜୁରୀ ଆଓ୍ବାଡ – ଶେରଶାହ

ବେଷ୍ଟ ଲିରିକ୍ସ – କୋଣ୍ଡା ପୋଲମ

ବେଷ୍ଟ ମ୍ୟୁଜିକ ଡାଇରେକ୍ସନ – ପୁଷ୍ପା ଦି ରାଇଜ୍

ବେଷ୍ଟ ମେକଅପ୍ ଆର୍ଟିଷ୍ଟ – ପ୍ରିତିଶିଲ ସିଂ ଡିସୋଜା (ଗଙ୍ଗୁବାଇ କାଠିଆଓ୍ବାଡି)

ବେଷ୍ଟ କଷ୍ଟିମ୍ୟୁ ଡିଜାଇନର – ବୀର କପୁର (ସରଦାର ଉଧମ)

ବେଷ୍ଟ ଏଡିଟିଂ – ସଞ୍ଜୟ ଲିଲା ଭଂସାଲି (ଗଙ୍ଗୁବାଇ କାଠିଆଓ୍ବାଡି)

ବେଷ୍ଟ ସ୍କ୍ରିନ ପ୍ଲେ – ଗଙ୍ଗୁବାଇ କାଠିଆଓ୍ବାଡି

ବେଷ୍ଟ ଡାୟଲଗ ରାଇଟର – ଗଙ୍ଗୁବାଇ କାଠିଆଓ୍ବାଡି

ବେଷ୍ଟ ସିନମୋଟୋଗ୍ରାଫି – ସରଦାର ଉଧମ

ବେଷ୍ଟ ଫିଲେମ ପ୍ଲେ ବ୍ୟାକ ସିଙ୍ଗର – ଶ୍ରୀୟା ଘୋଷାଲ

ବେଷ୍ଟ ମେଲ ବ୍ଲେ ବ୍ୟାକ ସିଙ୍ଗର – କାଳ ଭୈରବ

ବେଷ୍ଟ ଚାଇଲ୍ଡ ଆର୍ଟିଷ୍ଟ – ଛେଲ୍ଲି ଶୋ

ବେଷ୍ଟ ସପୋର୍ଟିଂ ଆକ୍ଟର – ପଙ୍କଜ ତ୍ରିପାଠୀ (ମିମି)

ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ – ପଲ୍ଲବୀ ଜୋଶୀ (ଦି କାଶ୍ମୀର ଫାଇଲ)

ବେଷ୍ଟ ଆକ୍ଟର – ଆଲିୟା ଭଟ୍ଟ, କୃତି ସେନନ

ବେଷ୍ଟ ଆକ୍ଟର – ଅଲ୍ଲୁ ଅର୍ଜୁନ

ବେଷ୍ଟ ଡାଇରେକ୍ସନ – ଗୋଦାବରୀ

ବେଷ୍ଟ ହିନ୍ଦି ଫିଲ୍ମ – ସରଦାର ଉଧମ

ବେଷ୍ଟ ଫିଚର ଫିଲ୍ମ – ରକେଟ୍ରି ଦି ନମ୍ବି ଇଫେକ୍ଟ

ଗ୍ରାଉଣ୍ଡ ଆଟାକ ପୂର୍ବରୁ ଇସ୍ରାଏଲ ବିରୋଧରେ ଇରାନ କରିବ କି ଯୁଦ୍ଧ ଘୋଷଣା ?

ନୂଆଦିଲ୍ଲୀ: ଦିନ ଗଡ଼ିବା ସହ ଘନେଇବାରେ ଲାଗିଛି ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ । ଇସ୍ରାଏଲର ଘନ ଘନ ଆକ୍ରମଣରେ ଛାରଖାର ହେଉଛି ଜୀବନ । ଗାଜାର ବିଭିନ୍ନ ସହରରେ ପଡ଼ିଛି କୁଢ଼ କୁଢ଼ ଶବ । ଏମିତି ସ୍ଥିତିରେ ଯୁଦ୍ଧର ସ୍ଥିତି ଆହୁରି ଭୟାବହ ହେବାକୁ ଯାଉଛି । କାରଣ ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ଇରାନର ଏଣ୍ଟ୍ରି ହେବାକୁ ଯାଉଛି । ଦିନେ ଦୁଇଦିନ ମଧ୍ୟରେ ଇରାନ ତରଫରୁ ଆସିଥିବା ବୟାନରୁ ଜଣାପଡୁଛି, ଖୁବଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ ।

ସୋମବାର ଇରାନ ବିଦେଶ ମନ୍ତ୍ରୀ ହୋସେନ ମିରାବଦୋଲ୍ଲା ହିୟାନ କହିଥିଲେ, ‘ଇସ୍ରାଏଲକୁ ଗାଜାରେ ଗ୍ରାଉଣ୍ଡ ଆଟାକ୍ ପାଇଁ ଅନୁମତି ଦିଆଯିବ ନାହିଁ । ଯଦି ଇସ୍ରାଏଲ ଏମିତି କରୁଛି , ତେବେ ପରିଣାମ ଭୋଗିବାକୁ ପଡ଼ିବ ।’ ସେହିପରି ଆଜି ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲି ଖାମେନେଇ କହିଛନ୍ତି, ‘ଯଦି ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଲା ତେବେ ସାରା ଦୁନିଆର ମୁସଲମାନ ଓ ଇରାନର ରେଜିଷ୍ଟାନ୍ସ ଫୋର୍ସକୁ କେହି ଅଟକାଇ ପାରିବେ ନାହିଁ ।’

ଯେକୌଣସି ସମୟରେ ଇସ୍ରାଏଲ ଉପରେ ହୋଇପାରେ ଆକ୍ରମଣ

ଇରାନ ସରକାରଙ୍କ ଟିଭି ଶୋ’ରେ ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି, ‘ଯେକୌଣସି ସମୟରେ ଇରାନ ତରଫରୁ ବ୍ୟାପକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ରେଜିଷ୍ଟାନ୍ସ ଫୋର୍ସ ଇସ୍ରାଏଲ ସରକାରଙ୍କୁ ଗାଜାରେ କୌଣସି ପ୍ରକାର ଆକ୍ରମଣ ପାଇଁ ଅନୁମତି ଦେବ ନାହିଁ । ଆମ ପାଇଁ ସବୁ ବିକଳ୍ପ ଖୋଲା ରହିଛି । ଗାଜାବାସୀଙ୍କ ବିରୋଧରେ ହେଉଥିବା ଯୁଦ୍ଧ ଅପରାଧକୁ ନେଇ ଆମେ ଚୁପ ବସି ପାରିବୁ ନାହିଁ ।’

୩ ଜିଲ୍ଲାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗାଁରେ ହେଉଛି ବିକାଶର ସୂର୍ଯ୍ୟୋଦୟ

ଭୁବନେଶ୍ବର: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଲଟିଛି ବିକାଶର ନୂଆ ଦିଗ । ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିଯାନ । କାର୍ଯ୍ୟକ୍ରମର ଫୋକସରେ ପ୍ରତି ପଞ୍ଚାୟତ ଓ ଗାଁ । ଗାଁ ବିକାଶରୁ ନବୀନ ଓଡ଼ିଶା ଗଠନର ସ୍ବପ୍ନ । ଏହି କ୍ରମରେ ରାଜ୍ୟର ୩ଟି ଜିଲ୍ଲା ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ୩ ଜିଲ୍ଲାରେ କଲେ ଶୁଭାରମ୍ଭ ।

ମୟୂରଭଞ୍ଜର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୮୧ ପ୍ରକଳ୍ପ ପାଇଁ ୧୧୧ କୋଟି  ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସେହିପରି ବରଗଡର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୧୩୫ ପ୍ରକଳ୍ପ ପାଇଁ ୧୨୬ କୋଟି ୫୦ ଲକ୍ଷ ଓ ଦେବଗଡର ଗୋଟିଏ ନିର୍ବାଚନ ମଣ୍ଡଳୀରେ ୯୯୧ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଯୋଜନ ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ।

ମୟୂରଭଞ୍ଜର ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଓ ଉଦଳା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଏହି ଯୋଜନା । ଏସବୁ ନିର୍ବାଚନ ମଣ୍ଡଳୀର ୨୨୩ଟି ପଞ୍ଚାୟତରେ ୩ ହଜାର ୮୧ଟି ପ୍ରକଳ୍ପ ହେବ । ସେହିପରି ବରଗଡ ଜିଲ୍ଲାର ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି ନିର୍ବାଚନ ମଣ୍ଡଳୀର ୨୫୩ଟି ପଞ୍ଚାୟତରେ ହେବ ୩ ହଜାର ୧୩୫ଟି ପ୍ରକଳ୍ପ । ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀରେ ୭୦ଟି ପଞ୍ଚାୟତରେ କାର୍ଯ୍ୟକାରୀ ହେବ ୯୯୧ଟି ପ୍ରକଳ୍ପ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ ।

୩ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ଗାଁ ଲୋକଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ମିଳିବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ ।’

ଆଗକୁ ସେ କହିଛନ୍ତି, ‘ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ସଂରକ୍ଷଣ ଓ ସୁରକ୍ଷା ଜରୁରୀ ।’

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର, ଓ୍ବାର୍କ ହବ୍ ହେବ । ବ୍ୟାଙ୍କିଂ ସୁବିଧା  ମିଳିବ । କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟକୁ ବି ସାମିଲ କରାଯିବ । ଏହା ଆମର ଯୁବ ସମାଜ, ମାଆ, ଚାଷୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ସୁଦୃଢ ହେବା ସହ ଡେଣା ହେବ ଶକ୍ତ ଓ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

୩ ଜିଲ୍ଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର

5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ରୀତା ସାହୁ, ସାଂସଦ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ବିକାଶର ନୂଆ ଯୁଗ ଆସିଛି ବୋଲି ମତ ଦେଇଥିଲେ । 5T ସଚିବଙ୍କ ଗସ୍ତ ଯୋଗୁଁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସିଏମଓ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ପ୍ରକଳ୍ପ ସବୁ ମଞ୍ଜୁର କରିଛନ୍ତି, ସେ ସଂପର୍କରେ 5T ସଚିବ ସୂଚନା ଦେଇଥିଲେ । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା ସେ କହିଛନ୍ତି ।

5T ସଚିବ କହିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା ଏମପିସି କଲେଜ ଉନ୍ନତିକରଣ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ମାଣତ୍ରୀଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।’

ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜ ପାଇଁ ୧.୨୫ କୋଟି,  ସରଣ୍ଡା ବିଶେଶ୍ବର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ସେହିପରି ଦେବଗଡ ଜିଲ୍ଲାର ଗୋହିରା ଡ୍ୟାମ୍‌ କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି, ଝାଡେଶ୍ବର ମନ୍ଦିର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗିହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଓ ରିଆମାଳ ଭିତରପଡାଠାରେ ଡୋକ୍ରା କାରିଗରଙ୍କ ପାଇଁ କମନ ଫ୍ୟାସିଲିଟି ସେଣ୍ଟର ବିକାଶ ପାଇଁ ୦.୪୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଚୁର କରିଛନ୍ତି ।

କାଲି ଇସ୍ରାଏଲ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ :  ଗାଜା-ଇସ୍ରାଏଲ ଯୁଦ୍ଧକୁ ନେଇ ଅସ୍ଥିର ହୋଇ ପଡିଛି ମଧ୍ୟପ୍ରାଚ୍ୟ ଅଞ୍ଚଳ । ଆସନ୍ତାକାଲି ଇସ୍ରାଏଲ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲରେ ତେଲ ଅଭିବରେ ସ୍ଥିତି ନେଇ ଆଲୋଚନା କରିବେ । ବାଇଡେନଙ୍କ ଶୀର୍ଷ ଆଲୋଚନା ସମ୍ଭବତଃ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି ।

ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏ ନେଇ ଘୋଷଣା କରିଛନ୍ତି । ଇସ୍ରାଏଲ ଏବଂ ୱାସିଂଟନ ମିଳିମିଶି ଗାଜାକୁ ନେଇ ଯୋଜନା ପ୍ରସ୍ତୁତ କରିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ପ୍ରତିରକ୍ଷା ବିଭାଗ ସହ ଦୀର୍ଘ ୮ ଘଣ୍ଟାର ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଗାଜା ଯୁଦ୍ଧକ୍ଷେତ୍ରରେ ପ୍ରଭାବିତଙ୍କ ଲାଗି ଆସୁଥିବା ବିଭିନ୍ନ ପ୍ରକାରର ସହାୟତାକୁ ରୋକାଯିବ ନାହିଁ ବୋଲି କରିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ।

ଓଡ଼ିଶା ସହ ଯୋଡି ହେବ ଉତ୍ତର-ପୂର୍ବ ରାଜ୍ୟ, ଆସନ୍ତା ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍

ଭୁବନେଶ୍ୱର :  ଓଡ଼ିଶା ସହ ଯୋଡି ହେବ ଉତ୍ତର-ପୂର୍ବ ରାଜ୍ୟ । ଅକ୍ଟୋବର ୨୯ରୁ ଭୁବନେଶ୍ବରରୁ ଗୌହାଟୀ ଡାଇରେକ୍ଟ ଫ୍ଲାଇଟ୍ । ସପ୍ତାହକୁ ୭ ଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ ।

ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ ।

ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବରରୁ ଗୌହାଟୀକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ମାତ୍ର ଦେଢ଼ ଘଣ୍ଟାରେ ଗୌହାଟୀରେ ପହଞ୍ଚିବେ ଯାତ୍ରୀ । ଭୁବନେଶ୍ବର ସହ ୨୦ଟି ସ୍ଥାନ ସିଧା ଯୋଡ଼ି ହୋଇଥିବା ବେଳେ ଗୌହାଟୀ ୨୧ତମ ସ୍ଥାନ ହେବ । ପୂର୍ବରୁ ଭୁବନେଶ୍ବରରୁ ଗୌହାଟୀକୁ ଭାୟା କୋଲକାତା ଦେଇ ଯାଉଥିଲେ ବିମାନ ଯାତ୍ରୀ । ଏଥିପାଇଁ ୧୨ରୁ ୧୬ ଘଣ୍ଟା ସମୟ ଲାଗୁଥିଲା । ଏବେ ଦିନ ୧ଟା ୨୫ରୁ ଭୁବନେଶ୍ବରରୁ ବାହାରି ୨ଟା ୫୫ରେ ଗୌହାଟୀରେ ପହଞ୍ଚିବ ବିମାନ । ଗୌହାଟୀରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡୁଛି । ଏବେ ଭୁବନେଶ୍ବରରୁ ଦୈନିକ ୫୦ଟି ଫ୍ଳାଇଟ୍‌ ଉଡ଼ାଣ ଓ ୫୦ଟି ବିମାନ ଅବତରଣ କରୁଛନ୍ତି । ୭ ହଜାର ଯାତ୍ରୀ ଆସୁଥିବା ବେଳେ ୬ ହଜାରରୁ ଅଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଯାତ୍ରୀ ସଂଖ୍ୟାକୁ ଦେଖି ବିଭିନ୍ନ ସ୍ଥାନକୁ ସିଧା ବିମାନ ସେବା ବ୍ୟବସ୍ଥା କରାଯାଉଛି ।

ଗୋଟିଏ ଇନିଂସରେ ୧୦ ଓ୍ବିକେଟ ନେଇଥିବା ବୋଲର, ଜନ୍ମଦିନରେ ଜାଣନ୍ତୁ ଅନିଲ କୁମ୍ବଲେଙ୍କ ସମ୍ପର୍କରେ ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଲିଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୩ ବର୍ଷରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ବାଙ୍ଗାଲୋରରେ ଜନ୍ମିତ କୂମ୍ବଲେ ଭାରତୀୟ କ୍ରିକେଟ ଦଳକୁ ଅନେକ ବିଜୟ ଦେଇଛନ୍ତି । ଗୋଟିଏ ଇଂନିଂସରେ ୧୦ ଓ୍ବିକେଟ ଅକ୍ତିଆର କରିଥିବାର ରେକର୍ଡ ରହିଛି । କୁମ୍ବଲେଙ୍କ ଏଭଳି ରେକର୍ଡ ରହିଛି ଯାହାକି ଧୋନି ମଧ୍ୟ ଆଜି ପର୍ଯ୍ୟନ୍ତ କରି ପାରିନାହାନ୍ତି । ଏବେକାର ଅରୁଣ ଜେଟଲି ଷ୍ଟାଡିୟମ ଯାହାକି ପୂର୍ବରୁ ଫିରୋଜ ଶାହା କୋଟଲା ନାମରେ ରହିଥିଲା । ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ଗୋଟିଏ ପାଳିରେ ୧୦ ଓ୍ବିକେଟ ଅକ୍ତିଆର କରିଥିଲେ । ୭୪ ରନ ଦେଇ ପାକିସ୍ତାନର ସମସ୍ତ ଓ୍ବିକେଟ ନେଇଥିଲେ । ୧୯୯୯ ମସିହା ୭ ଫେବୃଆରୀରେ ଅନୁଷ୍ଠିତ ଏହି ମ୍ୟାଚରେ ନିଆରା ରେକର୍ଡ ସ୍ଥାପନ କରିଥିଲେ ।

୧୦୦ ଶତକଡ଼ା ବିଜୟର ରେକର୍ଡ ଅନିଲ କୁମ୍ବଲେଙ୍କ ନାମରେ ରହିଛି । ସେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଅଧିନାୟକ ହୋଇଥିଲେ । ଏହି ମ୍ୟାଚକୁ ଭାରତ ଜିତ ନେଇଥିଲା । ସେପଟେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ହେଉଛନ୍ତି ଅନିଲ କୁମ୍ବଲେ । ସେ ଟେଷ୍ଟରେ ୬୦୦ରୁ ଅଧିକ ଓ୍ବିକେଟ ନେଇଛନ୍ତି । ଏପରିକି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ମ୍ୟାଚରେ ତାଙ୍କରେ ଆଘାତ ଲାଗିଥିଲା । ସେ ମୁଣ୍ଡରେ ଗଜକନା ଭିଡ଼ି ବୋଲିଂ କରିଥିଲେ । ଏବଂ ଓ୍ବେଷ୍ଟଇଣ୍ଡିଜର ଘାତକ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କୁ ଆଉଟ କରି ପାଭିଲିୟନ ପଠାଇଥିଲେ । ଏଭଳି ଅନେକ ମ୍ୟାଚରେ ରେକର୍ଡ ରହିଛି । ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଛନ୍ତି ।

ଭୀଷଣ ବର୍ଷା ଯୋଗୁଁ ଜାମ୍ମୁକାଶ୍ମୀରରେ ଭୂସ୍ଖଳନ, ଫସିରହିଛି ଅନେକ ଗାଡ଼ି

ଶ୍ରୀନଗର : ଭୀଷଣ ବର୍ଷା ଯୋଗୁଁ ଜାମ୍ମୁକାଶ୍ମୀରରେ ଭୂସ୍ଖଳନ । ଭୂସ୍ଖଳନ ପାଇଁ ଜାତୀୟ ରାଜପଥ-୪୪ରେ ଅବରୋଧ ଅବସ୍ଥା ସୃଷ୍ଟି ହୋଇଛି ।ମଙ୍ଗଳବାର ଭୀଷଣ ବର୍ଷା ଯୋଗୁଁ ରାଜପଥରେ ଫସିରହିଛି ଅନେକ ଗାଡି । ହରିୟାଣାରୁ ଆସୁଥିବା ଗାଡିଗୁଡିକ ଫସି ରହିଛି । କାଫେଟେରିଆ ମୋରହ ନିକଟରେ ଫସିରହିଛି ଅନେକ ଗାଡି । ରାସ୍ତା କାମ ଚାଲିଥିବାବେଳେ ଯାତାୟତ ନକରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାମବନର ଡେପୁଟି କମିଶନର । ଯାତାୟତ ନିମନ୍ତେ TCUକୁ ଯାଞ୍ଚ କରିକି ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ସମଲିଙ୍ଗୀ ବିବାହ ନେଇ ‘ସୁପ୍ରିମ’ ରାୟ : ‘କୋର୍ଟ କରିପାରିବେନି ଆଇନ, ଏହା ସଂସଦର ଅଧିକାର’

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ନେଇ ଦାୟିତ୍ୱ ଖସାଇ କେନ୍ଦ୍ର ଉପରେ ଲଦିଦେଲେ ସୁପ୍ରିମକୋର୍ଟ । ଏକାଠି ରହିପାରିବେ ସମଲିଙ୍ଗୀ କିନ୍ତୁ ବିବାହ ସଂସଦର ଅଧିକାର ପରିସରଭୁକ୍ତ । ସର୍ବୋଚ୍ଚ୍ ନ୍ୟାୟାଳୟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠରେ ହୋଇଥିଲା ଶୁଣାଣି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହା ସଂସଦର ଅଧିକାର ପରିସର ମଧ୍ୟରେ ଆସୁଅଛି।

ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀଙ୍କ ଅଧିକାର ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ବିବାହ ଅଧିନିମୟରେ ପରିବର୍ତ୍ତନ ସଂସଦର ଅଧିକାର। ସ୍ବତନ୍ତ୍ର ବିବାହ ନିୟମରେ କିଛି ପରିବର୍ତ୍ତନର ଆବଶ୍ୟକ ଅଛି କି ନାହିଁ ଏହା ସଂସଦକୁ ଖୋଜି ବାହାର କରିବାକୁ ପଡିବ। ଏଥିଲାଗି ସଂସଦଙ୍କୁ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ସ୍ବତନ୍ତ୍ର ବିବାହ ଅଧିନିୟମରେ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିଭିନ୍ନ ସମୁଦାୟ ବିରୋଧ କରି ଆସୁଛନ୍ତି।

ସ୍ବତନ୍ତ୍ର ବିବାହ ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସ୍ବତନ୍ତ୍ର ବିବାହ ଅଧିନିୟମକୁ ଯଦି ରଦ୍ଦ କରାଯାଉଛି ତେବେ ଏହା ସ୍ବାଧୀନତା ପୂର୍ବରୁ ଯୁଗକୁ ଦେଶବାସୀଙ୍କୁ ନେଇଯିବ। ସମଲିଙ୍ଗୀଙ୍କ ସମ୍ପର୍କ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ମାମଲାର ଶୁଣାଣି ଆରମ୍ଭରେ ମତ ପ୍ରକାଶ କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଥିଲେ ଯେ, ଜୀବନସାଥୀ ବାଛିବା ଜୀବନର ଏକ ମହତ୍ବପୂର୍ଣ୍ଣ ଅଂଶ ।

ସାଥି ବାଚିବା ଏବଂ ସେହି ସାଥୀଙ୍କ ସହ ଜୀବନ ଅତିବାହିତ କରିବାର କ୍ଷମତା ଜୀବନ ଏବଂ ସ୍ବାଧୀନତା ଅଧିକାର ମଧ୍ୟରେ ଆସୁଅଛି । ଜୀବନ ଅଧିକାର ଅନ୍ତର୍ଗତ ଜୀବନ ସାଥୀ ବାଛିବାର ଅଧିକାର ରହିଛି । ଏଲଜିବିଟି ସମୁଦାୟ ସମେତ ସମସ୍ତ ବ୍ୟକ୍ତିଙ୍କୁ ଜୀବନସାଥୀ ବାଛିବାର ଅଧିକାର ରହିଛି । ଅଦାଲତ ନିୟମ ପ୍ରସ୍ତୁତ କରିପାରିବ ନାହିଁ। କିନ୍ତୁ ନିୟମର ତର୍ଜମା କରିପାରିବେ। ସମଲିଙ୍ଗୀ ସମ୍ପର୍କକୁ ପୂର୍ବରୁ ସୁପ୍ରିମକୋର୍ଟ ବୈଧ ଭାବେ ସ୍ବୀକୃତି ଦେଇ ସାରିଛନ୍ତି। ଗତ ୧୧ ମେ ୨୦୨୩ରେ ଏହି ମାମଲାରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା ; ମରୁନି ପୋକ୍, ନଷ୍ଟ ହୋଇଗଲାଣି ଧାନ ଫସଲ

କେନ୍ଦୁଝର :  ନିଦ ହଜାଇ ଦେଲାଣି ଚକଡା ପୋକ । ଚାଷୀଙ୍କୁ ଘାରିଛି ଚକଡା ଦାଉରୁ ଧାନ ଫସଲକୁ ବଞ୍ଚାଇବାର ଚିନ୍ତା । ସାର, କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ । ହେଲେ ଚକଡା ପୋକ ଯିବାର ନାଁ ନେଉନି । ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡିଚାଲିଛି ପୋକ। ସମ୍ପୂର୍ଣ୍ଣ ଧାନ ଗଛ ନଷ୍ଟ ହେବାକୁ ବସିଥିବା ବେଳେ, ଧାର କରଜ ସୁଝିବା ଚିନ୍ତାରେ ଅଛନ୍ତି ଚାଷୀକୁଳ ।

କେନ୍ଦୁଝର, ବାଲେଶ୍ବର ଓ ଗଞ୍ଜାମ ପରି ୪ରୁ ୫ଟି ଜିଲ୍ଲାରୁ ଚକଡା ପୋକ ନେଇ ଖବର ଆସିଛି ବୋଲି କହିଛି କୃଷି ବିଭାଗ । କୃଷି ବିଭାଗର ସମ୍ପ୍ରସାରଣ ଟିମ ଘଟଣାସ୍ଥଳକୁ ଯାଇ ଫୋଟୋ ଉଠାଇ ଏହି ଇପେଷ୍ଟ ସର୍ଭେଲାନ୍ସ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି । ଏହାପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରତିଦିନ ମନିଟରିଂ କରୁଛନ୍ତି ।

ପୋକକୁ ଦମନ ପାଇଁ ଚାଷୀଙ୍କୁ ଔଷଧ ଦିଆଯାଉଛି । କୀଟନାଶକ କିପରି ନବ୍ୟାପିବ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । କୃଷି ଅଧିକାରୀ ଓ CDAOଙ୍କ ସହ ଯୋଗାଯୋଗରେ ଅଛନ୍ତି କୃଷି ନିର୍ଦ୍ଦେଶକ । ଔଷଧ ସିଞ୍ଚନ କରାଯାଉଥିବା ବେଳେ, ସବୁ କିଛି ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ।

ରାସ୍ତା କଡ଼ରେ ଭିକାରୀ ବୁଲିଲେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍

ଭୁବନେଶ୍ୱର : ପାର୍ବଣରେ ରାସ୍ତା କଡରେ ବୁଲିବେନି ଭିକାରୀ । ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍ । ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରକୁ ବଞ୍ଜାରାମାନେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି ।

କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ, ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ ।

ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ୍ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।