spot_img
Home Blog Page 2343

ଭାରସାମ୍ୟ ହରାଇ ଓଲଟିଲା ଟିପର, ୫ ମୃତ

ମାଲକାନଗିରି: ଭାରସାମ୍ୟ ହରାଇ ଓଲଟିଲା ଟିପ୍ପର। ମାଲକାନଗିରି ହନ୍ତାଳଗୁଡା ଘାଟିରେ ଓଲଟିଥିଲା ସିମେଣ୍ଟ ବୋଝେଇ ଟିପର। ସିମେଣ୍ଟ ବୋଝେଇ ଟିପରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୩ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି। ଚିତ୍ରକୋଣ୍ଡାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ଯାଉଥିଲା ସିମେଣ୍ଟ ବୋଝେଇ ଟିପର। ଖବର ପାଇ ବିଏସଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଜନ୍ମଦିନରେ ଦୁବାଇ ନନେବାରୁ ସ୍ୱାମୀକୁ ମୁଥ ମାରିଲା ସ୍ତ୍ରୀ, ଚାଲିଗଲା ଜୀବନ

ପୁଣେ: ଜନ୍ମଦିନରେ ଦୁବାଇ ବୁଲାଇବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ୱାମୀ । ହେଲେ ପ୍ରତିଶ୍ରୁତି ରକ୍ଷା କରିପାରିଲେ ନାହିଁ ସ୍ୱାମୀ । ଜନ୍ମଦିନରେ ବୁଲାଇ ନନେବାରୁ ସ୍ବାମୀକୁ ମୁଥ ମାରିଲା ସ୍ତ୍ରୀ। ଆଉ ସ୍ତ୍ରୀର ମୁଥ ମାଡ଼ରେ ଚାଲିଗଲା ସ୍ବାମୀର ଜୀବନ। ମହାରାଷ୍ଟ୍ର ପୁଣେର ଘଟିଛି ଏ ଚାଞ୍ଚଲ୍ୟକର ଘଟଣା।

ସୂଚନା ଅନୁଯାୟୀ, ପତ୍ନୀ ରେଣୁକାଙ୍କ ଜନ୍ମ ଦିନରେ ଏବର୍ଷ ଦୁବାଇ ବୁଲାଇ ନେବାକୁ ପ୍ରତିଶ୍ରୁତି ଦେଇଥିଲା ସ୍ବାମୀ ନି୍ଖିଲ। ଗତକାଲି ଥିଲା ରେଣୁକାଙ୍କର ଜନ୍ମଦିନ। ବାର୍ଥଡେ ସେଲିବ୍ରେସନ ପାଇଁ କଥା ଦେଇ କଥା ନରଖିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ସ୍ବାମୀଙ୍କୁ ମୁଥ ମାରିଥିଲେ ପତ୍ନୀ ରେଣୁକା। ନାକରେ ମୁଥ ମାରିବାରୁ ଗୁରୁତର ହୋଇ ପଡିଥିଲେ ସ୍ବାମୀ ନିଖିଲ ଖାନ୍ନା। ନାକରୁ ରକ୍ତ ବାହାରିବା ସହ ତାଙ୍କର କିଛି ଦାନ୍ତ ଭାଙ୍ଗି ଯାଇଥିଲା । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ନିଖିଲ ଜଣେ ବ୍ୟବସାୟୀ। ୬ ବର୍ଷ ପୂର୍ବରୁ ରେଣୁକାଙ୍କ ସହ ପ୍ରେମ ବିବାହ କରିଥିଲେ ନିଖିଲ। ଜନ୍ମଦିନରେ ପୂର୍ବରୁ ଦିଲ୍ଲୀ ଯିବାକୁ ମଧ୍ୟ କହିଥିଲେ ନିଖିଲ। ହେଲେ କୌଣସି ପ୍ରତିଶ୍ରୁତି ନରଖିବାରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମାମଲାରେ ପତ୍ନୀ ରେଣୁକାଙ୍କୁ ଅଟକ ରଖିବା ସହ ତନାଘନା ଆରମ୍ଭ କରିଛି ପୁଣେ ପୋଲିସ।

କାହିଁକି ଆର୍ମି ଅଫିସରଙ୍କୁ ପସନ୍ଦ କରନ୍ତି ବିକି କୌଶଲ, ଏଥର ଯବାନ ନୁହେଁ ଫିଲ୍ଡ ମାର୍ଶାଲ

ମୁମ୍ବାଇ: ନିକଟରେ ବିକି କୌଶଲଙ୍କ ଦୁଇଟି ଫିଲ୍ମ ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି ଓ ଗୋବିନ୍ଦା ନାମ ମେରା ଦର୍ଶକଙ୍କୁ ସେତେଟା ଛୁଇଁ ପାରିନାହିଁ  । କିନ୍ତୁ ତାଙ୍କ ଆଗାମୀ ଫିଲ୍ମ ସାମ ବାହାଦୀରକୁ ନେଇ ଏବେ ଚର୍ଚ୍ଚା ଜୋର୍‌  । ଫିଲ୍ମର ଟ୍ରେଲର ଓ ବିକିଙ୍କ ଲୁକ୍‌ ଦର୍ଶକଙ୍କ ମନ କିଣି ନେଇଚି  । ଏଥିରେ ସେ ଜଣେ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ  । ଏହା ପୂର୍ବରୁ ବିକି ଉରି ଦ ସର୍ଜିକାଲ ଷ୍ଟ୍ରାଇକରେ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ  ।

ଏକ ସାକ୍ଷାତକାରରେ ବିକି କହିଛନ୍ତି ତାଙ୍କୁ ଫିଲ୍ମରେ ଚରିତ୍ର ପାଇଁ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ବହୁତ ଖୁସି ଲାଗେ  । କେବଳ ସାମ ବାହାଦୂର ଚରିତ୍ର ପାଇଁ ତାଙ୍କୁ ତିନି ଦିନ ମରାଠା ରେଜିମେଣ୍ଟ ସହ ରହିବାକୁ ପଡିଥିଲା  । ଏହି ସମୟରେ ସେ ଯବାନଙ୍କ ସହ ଖୁବ ମଜାମସ୍ତି କରିଥିଲେ  । କିନ୍ତୁ ଯବାନ ମାନେ ରାତି ୩ଟାରେ ଶୋଇ ଭୋର ୫ଟା ଉଠିଯିବା କଥାକୁ ସହଜରେ ହଜମ କରିପାରି ନାହାନ୍ତି ବିକି  ।

ଭାରତୀୟ ସେନାରେ ଅନୁଶାସନ ଭରି ରହିଛି  । ମରାଠା ରେଜିମେଣ୍ଟରେ ୩ ଦିନ ରହଣି ସମୟରେ ଯବାନ ମାନେ ଅନେକ ରିଅଲ୍‌ ହିରୋଙ୍କ କାହାଣୀ ତାଙ୍କୁ ଶୁଣାଇଥିଲେ  । ଯାହା ବିକିଙ୍କୁ ଭାରତୀୟ ସେନା ପ୍ରତି ଆହୁରି ଆକର୍ଷିତ କରିଥିଲା  । ପୂର୍ବରୁ ଉରି ଦ ସର୍ଜିକାଲ  ଷ୍ଟ୍ରାଇକରେ ବିକିଙ୍କୁ ଜଣେ ଯବାନ ଭୂମିକାରେ ଦେଖିବାକୁ ମିଳିଥିଲା  । ମାତ୍ର ୨୫ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଖାପାଖି ୩୬୦ କୋଟି ଟଙ୍କା ରୋଜଗାର କରିଥିଲା  । ରାତାରାତି ଷ୍ଟାର ପାଲଟି ଯାଇଥିଲେ ବିକି କୌଶଲ  ।

ଏବେ ବିକି ସାମ ବାହାଦୂର ଚଳଚ୍ଚିତ୍ରରେ ଶ୍ୟାମ ମାନେକ ଶ’ଙ୍କ ଚରିତ୍ରରେ ନଜର ଆସିବେ  । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଶ୍ୟାମ ଭାରତୀୟ ସେନା ମୁଖ୍ୟ ଥିଲେ  । ଭାରତୀୟ ସେନାର ପ୍ରଥମ ଅଫିସର ଭାବେ ତାଙ୍କୁ ଫିଲ୍ଡ ମାର୍ଶାଲର ଉପାଧି ମିଳିଥିଲା  । ୪ ଦଶକ ପର୍ଯ୍ୟନ୍ତ ସେ ଭାରତୀୟ ସେନାରେ ରହିବା ସହ ୫ ଟି ଯୁଦ୍ଧ ସାମନା କରିଥିଲେ  ।

ଇହୁଦୀ ବିରୋଧୀ ପୋଷ୍ଟକୁ ସମର୍ଥନ କରି ବିବାଦରେ ମସ୍କ, ହରାଇ ପାରନ୍ତି ୬୨୪ କୋଟି

ନନ୍ଦିଘୋଷ ବ୍ୟୁରୋ: ଆରବପତି ଆମେରିକୀୟ ଉଦ୍ଦ୍ୟୋଗପତି ଏଲନ ମସ୍କ ପୁଣି ବିବାଦରେ  । ସୋସିଆଲ ମିଡିଆ Xରେ ପୁଣି ଥରେ ଟ୍ବିଟ କରି ବିବାଦ ଘେରକୁ ଚାଲି ଆସିଛନ୍ତି ମସ୍କ  । ଏଥିପାଇଁ ମସ୍କଙ୍କ କମ୍ପାନୀ Xକୁ ବର୍ଷ ଶେଷ ସୁଦ୍ଧା ୭୫ ମିଲିଅନ ଡଲାର ଅର୍ଥାତ୍‌ ୬୨୪ କୋଟିରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡିବ  ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ମସ୍କଙ୍କ କମ୍ପାନୀ X କୁ ଏଥର ନାମୀଦାମୀ ବ୍ରାଣ୍ଡ୍‌ସ କମ୍ପାନୀ ବିଜ୍ଞାପନ ନ ଦେବାକୁ ବିଚାର କରୁଛନ୍ତି  ।

ଗତ ସପ୍ତାହରେ ମସ୍କ ଏକ ଇହୁଦୀ ବିରୋଧୀ ପୋଷ୍ଟର ସମର୍ଥନ କରିଛନ୍ତି  । ଯାହା ପରେ ଇହୁଦୀ ବିରୋଧୀଙ୍କୁ ମସ୍କ ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି  । ଫଳରେ ଡିଜନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ ସମେତ ବଡ ବଡ କମ୍ପାନୀ ମସ୍କଙ୍କ କମ୍ପାନୀକୁ ବିଜ୍ଞାପନ ଦେବା ପାଇଁ ମନା କରିଛନ୍ତି  ।  ସେହିପରି ଏୟାରବିଏନବି, ଆମାଜନ, କୋକାକୋଲା ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ୨୦୦ରୁ ଅଧିକ ବିଜ୍ଞାପନ ୟୁନିଟକୁ X କୁ ନଦେବା ପାଇଁ ଅଟକାଇ ଦେଇଛନ୍ତି  ।

ଏବେବି କମ୍ପାନୀର ୧.୧ କୋଟି ଡଲାର ଟଙ୍କାର ରାଜସ୍ବ ବିପଦରେ ରହିଛି  । ନିକଟରେ ଜଣେ ଇହୁଦୀ ବିରୋଧୀ ଭିଡିଓ Xରେ ପୋଷ୍ଟ କରିଥିଲା  । ଏହି ପୋଷ୍ଟକୁ ମସ୍କ ଲାଇକ୍‌ କରିବା ସହ ନିଜ ମତ ରଖିଥିଲେ  । ସେ ଲେଖିଥିଲେ ତୁମେ ପ୍ରକ଼ତ ସତ କଥା କହିଲ  । ମସ୍କଙ୍କ ଉତ୍ତରକୁ ଇହୁଦୀ ବିରୋଧୀ ବୟାନ ଭାବେ ଗ୍ରହଣ କରି ତାଙ୍କୁ ସମାଲୋଚନା କରିଥିଲେ ୟୁଜର  ।

 

 

ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବେଙ୍ଗାଲୁରୁ: ହାଲୁକା ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ପରିଦର୍ଶନ କରିବା ଅବସରରେ ତେଜସରେ ଉଡାଣ ଭରିଛନ୍ତି ପିଏମ ମୋଦି।

ଉଡ଼ାଣ ପରେ ମୋଦି କହିଛନ୍ତି- ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି। ଟୁ-ସିଟର ତେଜସ ଟ୍ରେନର ଭାରିଆଣ୍ଟରେ ସେ ଉଡାଣ ଭରିଥିଲେ। ବାୟୁସେନା ଓ ନୌସେନା ଦ୍ବାରା ତେଜସ ପରିଚାଳିତ ହୋଇଥାଏ। ୪ ପଏଣ୍ଟ ୪ ଜେନେରେସନର ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ତେଜସକୁ ଗ୍ରାଉଣ୍ଡ ଅପରେସନରେ ବ୍ୟବହାର କରାଯାଇଥାଏ।

ଚଳିତ ବର୍ଷ ପ୍ରାରମ୍ଭରେ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ବିମାନରେ ଉଡାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ଓ ମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଥିବା ମଠ ଓ ମନ୍ଦିରର ଚାଲିଛି ସୌନ୍ଦର୍ଯ୍ୟକରଣ। ଆସନ୍ତା ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହା ପୂର୍ବରୁ ପରିକ୍ରମା ପ୍ରକଳ୍ପ ଭିତରେ ଥିବା ପ୍ରାୟ ୨୦ରୁ ଅଧିକ ମଠକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ।

ଜଗନ୍ନାଥ ସଂସ୍କୃତି ତଥା ଉତ୍କଳୀୟ ପରମ୍ପରା ଆଧାରିତ ଡିଜାଇନ ଅନୁସାରେ ମଠର ନବୀକରଣ ଚାଲିଥିବା ବେଳେ, ପ୍ରାଥମିକ ସ୍ତରରେ ମଠର ଆଉଟର, ଗ୍ରାଉଟିଙ୍ଗ, ପ୍ଲାଷ୍ଟରିଂ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିଛି। ଏଥିସହ ପରିକ୍ରମା ପ୍ରକଳ୍ପର ସମସ୍ତ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି।

କିଛି ଛୋଟ ଛୋଟ କାର୍ଯ୍ୟ ଡିସେମ୍ବର ୧୫ ମଧ୍ୟରେ ଶେଷ କରାଯିବ। ସେନେଇ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ହୋଇଥିବା ବେଳେ ଏହା ଉପରେ ବିଶେଷ ଧ୍ୟାନ ଦେଇ ଧାର୍ଯ୍ୟ ସମୟ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଂଘ, ଐତିହ୍ୟ ସ୍ଥଳ ରୂପାନ୍ତର କାମ ପାଇଁ ଦେଲେ ଧନ୍ୟବାଦ

ଭୁବନେଶ୍ୱର: ନବୀନ  ନିବାସରେ 5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ। 5T ଉପକ୍ରମ ରେ  ରାଜ୍ୟର  ବିଭିନ୍ନ  ମନ୍ଦିର  ଓ  ଐତିହ୍ୟ   ସ୍ଥଳ  ଗୁଡିକର ରୂପାନ୍ତର  କରାଯାଉଥିବାରୁ ମୁଖ୍ୟମନ୍ତ୍ରଙ୍କୁ ଧନ୍ୟବାଦ  ଜଣାଇଲେ।

ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ମାନଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି।

ହଜାର  ହଜାର  ବର୍ଷର ପୁରୁଣା ମଠ ମନ୍ଦିର ଗୁଡିକର  ବିକାଶ  ଓ  ରୂପାନ୍ତର  ପାଇଁ  ମୁଖ୍ୟମନ୍ତ୍ରୀଙ୍କ  ଐତିହାସିକ  ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ସେବାୟତ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦଘାଟନ ଉତ୍ସବରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସମ୍ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି 5T ଅଧ୍ୟକ୍ଷ।

 

ନଭେମ୍ବର ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଉପଯୁକ୍ତ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରିବ।

ଲେଜର ସ୍କାନିଂ ନେଇ ଆବଶ୍ୟକୀୟ ଯନ୍ତ୍ରପାତି ଆସିଛି। ରତ୍ନଭଣ୍ଡାର ସୁରକ୍ଷା ନେଇ ସ୍କାନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ସ୍କାନିଂ ରିପୋର୍ଟ ହସ୍ତଗତ ପରେ ରତ୍ନଭଣ୍ଡାର ମରାମତି ଓ ଖୋଲିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଗୁରୁତର

0

କାମାକ୍ଷାନଗର: ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ବାପା-ମାଆଙ୍କ ସମେତ ଦୁଇ ଶିଶୁ ଗୁରୁତର। ପଞ୍ଚୁକରେ ଶିବ ମନ୍ଦିରରୁ ଫେରିବା ବେଳେ ଏହି ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଦରସିଂହା ରାମେଶ୍ୱର ମନ୍ଦିରରୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତରମାନେ ହେଲେ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ, ସ୍ତ୍ରୀ ଶର୍ମିଷ୍ଠା ରାଉତ, ୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ । ସମସ୍ତେ ବାଇକ ଯୋଗେ ରାମେଶ୍ୱର ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତି; ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ

ଗାଜା: ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ଦ୍ବିତୀୟ ଦିନ। ପ୍ରଥମ ପର୍ଯ୍ୟାୟରେ ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ୧୧ ବିଦେଶୀ ନାଗରିକ ଅଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଥାଇଲାଣ୍ଡ ଏବଂ ଜଣେ ଫିଲିପିନ୍ସ ନାଗରିକ ମୁକ୍ତି ପାଇଛନ୍ତି । ମୋଟ ୨୪ ଜଣଙ୍କ ମଧ୍ୟରୁ ପ୍ରତିବଦଳରେ ଇସ୍ରାଏଲ ୩୯ ପାଲେଷ୍ଟିନୀୟ ନାଗରିକଙ୍କୁ ମୁକ୍ତ କରିଛି । କତାର ମଧ୍ୟସ୍ଥତାରେ ପଣବନ୍ଦୀ ମୁକ୍ତି ପାଇଛନ୍ତି ।

ଆଜି ଦ୍ବିତୀୟ ପର୍ଯ୍ୟାୟରେ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ତାଲିକା ଦେଇଛି ହମାସ। ଆତଙ୍କୀ ସଂଗଠନ ହମାସ ପାଖରେ ଏବେବି ୨ଶହରୁ ଅଧିକ ପଣବନ୍ଦୀ ରହିଛନ୍ତି । ଗତ ଅକ୍ଟୋବର ୭ ତାରିଖର ଆକ୍ରମଣ ପରେ ହମାସ ଆତଙ୍କବାଦୀ ସେମାନଙ୍କୁ ଇସ୍ରାଏଲରୁ ନେଇ ଆସିଥିଲେ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୫ ବୟସ୍କ ମହିଳା ସମେତ ୪ ଜଣ ଶିଶୁ ରହିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ମୋଟ ୫୦ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କବାଦୀ। ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂଗଠନକୁ ସମସ୍ତ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ। ଗାଜାର ଖାନ୍ ୟୁନିସ ହସ୍ପିଟାଲରେ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେମାନେ ଇସ୍ରାଏଲ ଅଭିମୁଖେ ଯାଇଛନ୍ତି ।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ଏହାପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସେପଟେ ଇଜିପ୍ଟର ରାଫା ସୀମାରୁ ଗାଜାକୁ ମାନବୀୟ ସହାୟତା ଜାରି ରହିଛି। ୧୯୬ଟି ଟ୍ରକ ଦେଇ ଖାଦ୍ୟ, ଔଷଧ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଯାଇଛି। ଗତ ଅକ୍ଟୋବର ୨୧ପରଠାରୁ ଗାଜାକୁ ବର୍ତ୍ତମାନ ସୁଦ୍ଧା ୧୭ଶହ ୫୯ଟି ଟ୍ରକରେ ଖାଦ୍ୟ ସାମଗ୍ରୀ ପଠାଯାଇଛି । ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନର ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ହମାସ ଆକ୍ରମଣରେ ଇସ୍ରାଏଲର ୧୨ ଶହ ଜଣଙ୍କର ମୃତ୍ୟୁ ଘଟିଥିଲା ।