spot_img
Home Blog Page 2352

୯ ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ଦ୍ବାରକା: ୯ ଘଣ୍ଟାର ଅପରେସନ ପରେ ବୋରଓ୍ବେଲ ଉଦ୍ଧାର ହେଲା ଶିଶୁକନ୍ୟା । ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଖୋଲା ନଳକୂଅରେ ଖସିପଡିଥିଲା ଅଢ଼େଇ ବର୍ଷର ଶିଶୁକନ୍ୟା । ଦ୍ବାରକାର କଲ୍ୟାଣପୁର ତାଲୁକାର ରାନ ଗ୍ରାମରେ ଖେଳୁଥିବା ଅବସ୍ଥାରେ ଖୋଲା ନଳକୂଅରେ ଖସିପଡିଥିଲା ଆଞ୍ଜେଲ ସଖ୍ରା । ଖବର ପାଇବା ପରେ ଜିଲ୍ଲାପାଳ ଅଶୋକ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଶିଶୁଟି ୩୦ ଫୁଟ ଭିତରେ ଲାଖିଥିଲା । ଆର୍ମିର ରେସ୍କ୍ୟୁ ଟିମ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା । ତାକୁ ସ୍ଥାନୀୟ ଜାମନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଣି ରକ୍ତରଞ୍ଜିତ ମଣିପୁର, ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ରକ୍ତରଞ୍ଜିତ ମଣିପୁର । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ, ଅନେକ ଆହତ । ରାଜ୍ୟର ସ୍ଥିତି ଅଶାନ୍ତ ହେବା ପରେ ରାଜ୍ୟର ୫ଟି ଉପତ୍ୟକା ଜିଲ୍ଲାରେ ଜାରି ହୋଇଛି କର୍ଫ୍ୟୁ । ଥୋବାଲ ଜିଲ୍ଲାରେ କେତେକ ଅଜଣା ଦୁର୍ବୃତ୍ତ ସ୍ବୟଂଚାଳିତ ବନ୍ଧୁକ ଧରି ଖେଳାଇଛନ୍ତି ଆତଙ୍କ । ସେମାନେ ବଳପୂର୍ବକ ଅର୍ଥ ଦାବି କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ଶାନ୍ତି ରକ୍ଷା ଲାଗି ଆହ୍ବାନ କରିଛନ୍ତି । ହିଂସା ବଢିବା ଆଶଙ୍କାରେ ଥୋବାଲ, ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ, କାକଚିଙ୍ଗ, ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଗତବର୍ଷ ରାଜ୍ୟରେ ବ୍ୟାପକ ହିଂସା ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମେ ୩ ପରଠାରୁ ଘଟିଚାଲିଥିବା ହିଂସାରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ୬୦ ହଜାରରୁ ଅଧିକ ଲୋକ ବାସହୀନ ହୋଇଛନ୍ତି । ତେବେ କିଛିଦିନ ପୂର୍ବେ ମଣିପୁରର ଲଜ୍ଜଘଟଣା ସାରା ଦେଶରେ ଚର୍ଚ୍ଚାରେ ରହିଥିବାବେଳେ ହିଂସା ଦେଖିବାକୁ ମିଳିଥିଲା । ପୁଣି ଏଭଳି ଏକ ଘଟଣା ସାରା ଦେଶରେ ମଣିପୁରକୁ ଖବରର ଶିରୋନାମା ପାଲଟାଇ ଦେଇଛି ।

ପୋଲିସ-ମାଓବାଦୀ ଗୁଳିବିନିମୟ, ଟପ୍ ମାଓନେତା ଏନକାଉଣ୍ଟରରେ ଗୁରୁତର

ମାଲକାନଗିରି: ପୋଲିସ-ମାଓବାଦୀ ଗୁଳିବିନିମୟ । ଟପ୍ ମାଓ ନେତା ପୋଲିସ ଏନକାଉଣ୍ଟରରେ ଗୁରୁତର ସୂଚନା । ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ବୋଲି ପୋଲିସ ଅନୁମାନ କରୁଛି। ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମା ହାତରେ ଲାଗିଛି ଗୁଳି। ଦୁଇ DRG ଯବାନ ଗୁରୁତର ହୋଇଛନ୍ତି।ଗୁରୁତର ଦୁଇ ଯବାନଙ୍କ ସହ ମହିଳାଙ୍କୁ ପୋଲିସ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ଝାଡ଼ଖଣ୍ଡରେ ଖୁବଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ଖୁବ ଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ । ସିଏମ ହେମନ୍ତ ସୋରେନଙ୍କ ବଦଳରେ ତାଙ୍କ ସ୍ତ୍ରୀ କଳ୍ପନା ହୋଇପାରନ୍ତି ଶାସକ । ଏନେଇ ଜୋର ଧରିଛି କଳ୍ପନାଜଳ୍ପନା । ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାନି ସମନ ଜାରି କରିବା ପରେ ନିଷ୍ପତ୍ତି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ସେପଟେ ଏହି କଳ୍ପନାଜଳ୍ପନାରେ ଅଧିକ ଖୋରାକ ଯୋଗାଇଛି ବିଧାୟକ ସରଫରାଜ ଅହମ୍ମଦଙ୍କ ଇସ୍ତଫା । ତେବେ ତିକ୍ତତା କାରଣରୁ ନୁହେଁ ବରଂ ଜେଏମଏମକୁ ଶକ୍ତିଶାଳୀ କରିବା ଲାଗି ସେ ଇସ୍ତଫା ଦେଇଛନ୍ତି କହିଛନ୍ତି । ହେମନ୍ତ ଆଶଙ୍କା କରୁଛନ୍ତି ଜମି ଦୁର୍ନୀତି ମାମଲାରେ ତାଙ୍କୁ ଇଡି ଗିରଫ କରିପାରେ । ତେଣୁ ଆଗୁଆ କ୍ଷେତ୍ର ପ୍ରସ୍ତୁତ ଲାଗି ସେ ପତ୍ନୀ କଳ୍ପନାଙ୍କୁ ସିଏମ କରିବା ଲାଗି ଯୋଜନା କରୁଛନ୍ତି । ଜମି ଦୁର୍ନୀତି ମାମଲାରେ ସିଏମ ହେମନ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ୭ ଥର ସମନ ଜାରି କରିସାରିଲାଣି । ଇଡି ବିରୋଧରେ ହେମନ୍ତ ସୁପ୍ରିମକୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇସାରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଆଶଙ୍କା କରାଯାଉଛି । ଝାଡଖଣ୍ଡରେ ଜମିର କିସମ ପରିବର୍ତ୍ତନ ଦୁର୍ନୀତି ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଲେଣି ୧୪ ଅଭିଯୁକ୍ତ ।

ପିକନିକ ପାଇଁ ଏସଓପି ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ପିକନିକ ପାଇଁ ଏସଓପି ଜାରି କରିଛି ପରିବହନ ବିଭାଗ । ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ । ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପ୍ରମୁଖ ପିକନିକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ୍ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ପିକନିକ୍ ସ୍ପଟ୍ ଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ୍, ପାମ୍ପଲେଟ୍ ବଣ୍ଟନ କରିବ ।

ନୂଆବର୍ଷ ଆରମ୍ଭରୁ ବୋରଓ୍ବେଲ ଟ୍ରାଜେଡି, ୩୦ ଫୁଟ ତଳେ ଶିଶୁ

ଅହମ୍ମଦାବାଦ: ଦେଶରେ ପିଛା ଛାଡୁନି ବୋରଓ୍ବେଲ ଟ୍ରାଜେଡି । ନୂଆ ବର୍ଷ ଆରମ୍ଭରୁ ବିପତ୍ତି । ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଖୋଲା ନଳକୂଅରେ ଖସିପଡିଛି ଅଢ଼େଇ ବର୍ଷର ଶିଶୁକନ୍ୟା । ଦ୍ବାରକାର କଲ୍ୟାଣପୁର ତାଲୁକାର ରାନ ଗ୍ରାମରେ ଖେଳୁଥିବା ଅବସ୍ଥାରେ ଖୋଲା ନଳକୂଅରେ ଖସିପଡିଥିଲା ଆଞ୍ଜେଲ ସଖ୍ରା । ଖବର ପାଇବା ପରେ ଜିଲ୍ଲାପାଳ ଅଶୋକ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଶିଶୁଟି ୩୦ ଫୁଟ ଭିତରେ ଲାଖିଛି । ସେଠାରେ ସ୍ବାସ୍ଥ୍ୟ, ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଥାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ଇଣ୍ଡିଆନ ଆର୍ମିର ଏକ ଟିମ ।

ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଆତଙ୍କବାଦୀ ଘୋଷିତ

ନନ୍ଦିଘୋଷ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଆତଙ୍କବାଦୀ ଘୋଷିତ । ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା UAPA ଅନୁସାରେ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ପଞ୍ଜାବର ପ୍ରଖ୍ୟାତ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ଜଡିତ ଥିଲା ଗୋଲ୍ଡି । ବେଆଇନ ଘୋଷିତ ଖଲିସ୍ତାନୀ ସଂଗଠନ ବାବର ଖଲସା ଇଣ୍ଟରନ୍ୟାସନାଲ ସହ ତାର ସମ୍ପର୍କ ଥିବା ନେଇ ହୋଇଥିଲା ଅଭିଯୋଗ । କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି- ବିଭିନ୍ନ ହତ୍ୟାକାଣ୍ଡ, ବିଭିନ୍ନ ଜାତୀୟତାବାଦୀ ନେତାଙ୍କୁ ଧମକ, ବଟି ମାଗିବା ଆଦି ଘଟଣାରେ ସେ ଥିଲା ସମ୍ପୃକ୍ତ । ପୂର୍ବରୁ କାନାଡା ସରକାର ପକ୍ଷରୁ ଘୋଷିତ ୨୫ ଜଣ ଓ୍ବାଣ୍ଟେଡ କ୍ରିମିନାଲ ତାଲିକାରେ ଗୋଲ୍ଡିର ନାମ ଥିଲା । ୨୦୧୭ରେ ଛାତ୍ର ଭିସା ନେଇ କାନାଡା ଚାଲିଯାଇଥିଲା ଗୋଲ୍ଡି । ୨୦୨୨ ମେ ୨୯ରେ ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ନିଜକୁ ଦାୟୀ କରିଥିଲା ଗୋଲ୍ଡି ।

ନୂଆ ବର୍ଷରେ ପୁରୀ ଶୃଙ୍ଖଳିତ, ରାଜ୍ୟ ସରକାର ଓ ପୁରୀ ପୋଲିସ୍‍କୁ ପ୍ରଶଂସା କଲେ ଭକ୍ତ

ପୁରୀ: ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅତ୍ୟନ୍ତ ଶୃଙ୍ଖଳିତ ବ୍ୟବସ୍ଥା କରିଥିବାରୁ ପୁରୀ ପୋଲିସ୍‍କୁ ସବୁଆଡୁ ପ୍ରଶଂସା ମିଳିବାରେ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଲୋକେ ରାଜ୍ୟ ସରକାର ଓ ପୁରୀ ପୋଲିସ୍‍କୁ ପ୍ରଶଂସାରେ ପୋତି ପକାଉଥିବାବେଳେ କେତେକ ଭକ୍ତ ପୋଲିସ୍‍ର ଏଭଳି ସୁବନ୍ଦୋବସ୍ତ ପାଇଁ ଶହେରୁ ଶହେ ନମ୍ବର ପାଇବାକୁ ହକ୍‍ଦାର ବୋଲି କହିବାକୁ ପଛାଉ ନାହାନ୍ତି ।

ନୂଆବର୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଏହାକୁ କିଭଳି ଶୃଙ୍ଖଳିତ କରାଯାଇ ପାରିବ ସେଥିପାଇଁ ପୋଲିସ୍‍ ପ୍ରଶାସନ ଅଣ୍ଟା ଭିଡିଥିଲା । କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଆଶିଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ୍‍ ଏସ୍‍ପି ବି.କେ.ସିଂହ ଏହାର ତଦାରଖ କରିଥିଲେ । ବଡଦାଣ୍ଡରୁ ଭକ୍ତଙ୍କ ଧାଡି ଲଗାଇବା ଠାରୁ ଆରମ୍ଭ କରି ମନ୍ଦିର ଭିତରେ ଯେଭଳି ସୁରୁଖୁରୁରେ ତିନି ଠାକୁରଙ୍କ ଦର୍ଶନ କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା ।

ତେବେ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ନୂଆକରି ତିଆରି କରିଥିବା ଶୀତତାପ ନିୟନ୍ତ୍ରଣ ଟନେଲ ଏଥିରେ ବିଶେଷ ସହାୟକ ହୋଇଥିଲା । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲରେ ଧାଡିରେ ଛିଡା ହେବା ସହିତ ଆବଶ୍ୟକ ସ୍ଥଳେ ବସିବାର ସୁଯୋଗ ପାଉଥିଲେ । ନିକଟରେ ସେମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ହୋଇଥିଲା । ତେଣୁ ଭକ୍ତମାନେ ପୂର୍ବଭଳି ଆଉ କ୍ଲାନ୍ତି ଅନୁଭବ କରିନଥିଲେ । ପୁଲିସ୍‍ ପ୍ରଶାସନ ମଧ୍ୟ ଏହା ଉପରେ ସତର୍କ ନଜର ରଖିଥିଲା ।

ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ୩୧ ତାରିଖ ରାତିରୁ ଦର୍ଶନ ବ୍ୟବସ୍ଥା ଜାରି ରହିଛି । ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ୩.୭୫ ଲକ୍ଷ ଭକ୍ତ ମନ୍ଦିର ଭିତରେ ଦର୍ଶନ କରି ସାରିଲେଣି । ହେଲେ ପୁଲିସ୍‍ର ସତର୍କ ଦୃଷ୍ଟି ଯୋଗୁଁ କୌଣସି ଅଘଟଣ ସାମ୍ନାକୁ ଆସିନାହିଁ । ଦର୍ଶନ ସାରି ବଡଦାଣ୍ଡକୁ ଫେରୁଥିବା ପଶ୍ଚିମବଙ୍ଗର ଜଣେ ଶିକ୍ଷୟତ୍ରୀ ପାରମିତା ମୁଖାର୍ଜୀ ପୁଲିସ୍‍ ପ୍ରଶାସନର ବନ୍ଦୋବସ୍ତକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଏଥିପାଇଁ ପୁଲିସ୍‍ ପ୍ରଶାସନ ଶହେରୁ ଶହେ ନମ୍ବର ପାଇବା ଉଚିତ୍‍ ବୋଲି କହିଥିଲେ । ସେହିଭଳି ଛତିଶଗଡରୁ ଆସିଥିବା ଶ୍ୱେତା, ପୁନେରୁ ପରିବାର ସହିତ ଆସିଥିବା ସୁରେଖା ରବିକାନ୍ତ, ଖୋରଧାରୁ ଆସିଥିବା କଳ୍ପନା ସେଠୀ, ପାଟନାରୁ ଆସିଥିବା ପୂର୍ଣ୍ଣିମା ଓ ଆଶୁତୋଷ ଏବଂ ଉତ୍ତରପ୍ରଦେଶ ଗୋଣ୍ଡାରୁ ଆସିଥିବା ଈଶ୍ୱର ଶ୍ରବଣ ମିଶ୍ର ରାଜ୍ୟ ସରକାର ଓ ପୁରୀ ପୁଲିସ୍‍ର ଦର୍ଶନ ବନ୍ଦୋବସ୍ତକୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ନୂଆବର୍ଷରେ ନୂଆ ନିୟମ: ମନ୍ଦିର ଭିତରକୁ ପାନ, ଗୁଟଖା, ପଲିଥିନ ଓ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ବର: ନୂଆବର୍ଷରେ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଭକ୍ତ ହୁଅନ୍ତୁ ବା ସେବାୟତ । ମନ୍ଦିର ପରିସରରେ ଖାଇ ପାରିବେନି ପାନ, ଗୁଟଖା । ମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ନେବା ନିଷେଧ । ଏସବୁ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସେହିଭଳି ଲିଙ୍ଗରାଜଙ୍କ କୋଠ ଭୋଗ କେବଳ ଓମଫେଡ ଘିଅରେ ପ୍ରସ୍ତୁତ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆ ବର୍ଷ ଓ ସୋମବାର ଥିବାରୁ ମନ୍ଦିର ପ୍ରବଳ ଭିଡ ସତ୍ତ୍ୱେ ସାହାଣ ମେଲା ଦର୍ଶନ କରି ଶ୍ରଦ୍ଧାଳୁ ଖୁସି ଲାଭ କରିଥିଲେ । ସବୁଦିନ ଭଳି ସକାଳ ୫ ଟାରେ ଖୋଲିବା ସହ ହୋଇଥିଲା ବାବାଙ୍କ ନିତିକାନ୍ତି ।

ଲିଙ୍ଗରାଜ ପରେ ରାମ ମନ୍ଦିରରେ ନୂଆ ବର୍ଷରେ ଦର୍ଶନ କରିବା ପାଇଁ ଲାଗିଥିଲା ଭିଡ । ବର୍ଷର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ପୁରା ବର୍ଷ ସୁଖ ଓ ଶାନ୍ତିରେ କଟିବ ବୋଲି ଆଶା ରଖିଥିଲେ ଶ୍ରଦ୍ଧାଳୁ । ତେଣୁ କିଏ ପରିବାର ସାଙ୍ଗରେ ଆସିଥିଲା ତ ଆଉ କିଏ ମୁଖ୍ୟ ରାସ୍ତାରୁ ଦୁଇପଟରୁ ଲମ୍ବା ଲାଇନରେ ରହି ଦର୍ଶନ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଗୁଡିକରେ ବାହାରେ ଓ ଭିତର ପାଖରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ।

ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜିକରଣ

ଭୁବନେଶ୍ବର: ଜାନୁଆରୀ ୬ରୁ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ଅନଲାଇନ ପଞ୍ଜୀକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ବାନ ଦିଆଯାଇଛି । ବର୍ତ୍ତମାନ ବିଏସକେଓ୍ବାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ । ବିଏସକେଓ୍ବାଇ ନବୀନ କାର୍ଡରେ ପ୍ତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ । ହିତାଧିକାରୀମାନେ www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ ।