spot_img
Home Blog Page 2360

ପୋଲିସ ନଜରରେ ରାଜଧାନୀର ଗଳିକନ୍ଦି, ମଦୁଆ ଓ ଅମାନିଆଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର: ବର୍ଷର ଶେଷ ଦିନ । ରାତି ୧୨ଟାରେ ୨୦୨୪କୁ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ଜାକଜମକରେ ପାଳନ କରିବାକୁ ସମସ୍ତେ ଲାଗି ପଡ଼ିଛନ୍ତି ପ୍ରସ୍ତୁତିରେ । ଏହାର ସୁଯୋଗ ନେଇ ମଦୁଆ ଓ ଅମାନିଆ ରାସ୍ତାରେ ଚରୁଛନ୍ତି ରାଜୁତି । ହେଲେ ନୂଆବର୍ଷ ପୂର୍ବରୁ ଏମାନଙ୍କୁ ସାବାଡ଼ କରିବାକୁ କମିସନରେଟ ପୋଲିସ ବି ପ୍ରସ୍ତୁତ ।

ନିଶାଡ଼ି ଓ ଅମାନିଆ ଡାଳେ ଡାଳେ ଗଲେ କମିସନରେଟ୍ ପୋଲିସ ଯାଉଛି ପତରେ ପତରେ ।  ନୂଆବର୍ଷ ପୂର୍ବରୁ ରାଜଧାନୀରେ ଆକ୍ଟିଭ୍ ମୋଡରେ ପୋଲିସ । ବିଭିନ୍ନ ଛକରେ ବ୍ଲକିଂ କରି ଚାଲିଛି ଚେକିଂ । ମଦ୍ୟପ ଓ ଅମାନିଆ ଗାଡି ଚାଳକଙ୍କୁ କରାଯାଉଛି ଜରିମାନା । କଟକ ରୋଡ, କଳ୍ପନା, ଝାରପଡ଼ା ଛକ, ନନ୍ଦନକାନନ ରୋଡ୍, କିଟ୍ ଛକ୍, ଡେଲଟା ଛକରେ କମିସନରେଟ ପୋଲିସ ଚେକିଂକୁ କରିଛି ଜୋରଦାର । ବରିଷ୍ଠ ଅଧିକାରୀଙ୍କ ସହ ୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇ ଚେକିଂ କରିଥିଲେ । ଆଗକୁ ଭୁବନେଶ୍ବରରେ ସେଫ୍ ସିଟି ଡ୍ରାଇଭ୍ ଜୋରଦାର ହେବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

କମିଲା ଶୀତ, ୩ ଦିନ କୁହୁଡ଼ି କରିବ କଲବଲ

ଭୁବନେଶ୍ବର: ହାଡ଼ ଭଙ୍ଗା ଶୀତରୁ ସାମାନ୍ୟ ଆସ୍ବସ୍ତି । ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ପାଇଁ କୁହୁଡ଼ିର ପ୍ରକୋପ ବଢୁଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

କିଛିଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ପୂରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତୁଆ ସକାଳକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଦାରିଙ୍ଗବାଡ଼ିରେ ତୁଷାରପାତରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ରାସ୍ତାରେ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଥୋଇ ଚାଲିଗଲେ ବିନେଶ ଫୋଗାଟ୍

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ବିନେଶ ଫୋଗାଟ୍ ପେରାଇ ଦେଲେ ଅର୍ଜୁନ ପୁରସ୍କାର । ତେବେ ସେ ତାଙ୍କ ପୁରସ୍କାରକୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଥୋଇ ଦେଇ ଘରକୁ ଫେରି ଯାଇଛନ୍ତି ।

ପୁରସ୍କାର ଫେରାଇବା ପାଇଁ ବିନେଶ ପିଏମଓକୁ ଯାଉଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଏହା ପରେ ସେ ନିଜ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ଛାଡି ଦେଇଥିଲେ । ଫୋଗଟ ତିନି ଦିନ ତଳେ ପୁରସ୍କାର ଫେରସ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଯୁବ କଂଗ୍ରେସ ଏହି ଘଟଣାକୁ ଦେଶ ପାଇଁ ଲଜ୍ଜାଜନକ ଦିନ ବୋଲି ବର୍ଣ୍ଣନା କରିଛି । ଯୁବ କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛି, ଦେଶ ପାଇଁ ଲଜ୍ଜାର ଦିନ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ବିନେଶ ଫୋଗାଟ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ରଖିଛନ୍ତି ।

ପୂର୍ବରୁ ଭାରତୀୟ କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବିନେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମଗ୍ର ଘଟଣା ଏବଂ ସଞ୍ଜୟ ସିଂହଙ୍କୁ ଡବ୍ଲ୍ୟୁଏଫ୍ଆଇର ନୂତନ ସଭାପତି ଭାବେ ନିର୍ବାଚିତ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଚିଠିରେ ବିନେଶ ଫୋଗାଟ ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ନ ମିଳିବା ପାଇଁ ଦୁଃଖ ପ୍ରକାଶ କରିବା ସହ ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ଫେରା ଇଦେବେ ବୋଲି ଲେଖିଥିଲେ ।

ଷ୍ଟେଜ ରେଡ୍ଡି, ରାତିକୁ ଅପେକ୍ଷା: ସବୁଠି ଜିରୋନାଇଟ୍ ସେଲିବ୍ରେସନ ପାଇଁ ଉତ୍ସାହ

ଭୁବନେଶ୍ବର: ୨୦୨୩ର ଶେଷ ଦିନ । ଘଡିରେ ଯେତେବେଳେ ୩ଟି କଣ୍ଟା ୧୨ ଉପରକୁ ଚାଲି ଆସିବ ସାରା ବିଶ୍ବ ପାଳିବ ଜିରୋ ନାଇଟ୍ ସେଲିବ୍ରସନ । ରଙ୍ଗୀନ ଆଲୋକକୁ ଆତସବାଜିରେ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ଼ିଶାରେ ବି ଜିରୋନାଇଟ୍ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ ।

ଗାଁଠୁ ସହର ଏବେ ସମସ୍ତେ ଜିରୋନାଇଟ୍ ସେଲିବ୍ରେସନ ପ୍ରିପାରେସନରେ ଲାଗିଛନ୍ତି । କେଉଁଠି ନାଜଗୀତର ଆଓର ଜମିବ ତ ଆଉ କେଉଁଠି ଭୋଜି ଭାତର । ଠିକ ରାତି ୧୨ଟାରେ ନାଚି, ଗାଇ ସାଙ୍ଗ ସାଥି, ବନ୍ଧୁ ପରିଜନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇ ଆଗାମୀ ଭବିଷ୍ୟତର ମଙ୍ଗଳ କାମନା କରିବେ ଲୋକେ ।

ଷ୍ଟେଜ୍ ରେଡ୍ଡ, ସାଉଣ୍ଡ ସେଟ ବି ହୋଇ ସାରିଛି । କେବଳ ରାତିକୁ ଅପେକ୍ଷା । ବିଳମ୍ବିତ ରାତି ଯାଏଁ ଚାଲିବ ସେଲିବ୍ରେସନ । ଟୁଇନସିଟିରେ ଜିରୋନାଇଟ୍ ଉତ୍ସବ ପାଳନ ଲାଗି ବ୍ୟାପକ ଆୟୋଜନ ହେଉଛି । ହୋଟେଲରୁ ଆରମ୍ଭ କରି ବିଭିନ୍ନ କ୍ଲବ୍ ପକ୍ଷରୁ ଆୟୋଜନ ହୋଇଛି । ଶୃଙ୍ଖଳାର ସହ ଉତ୍ସବ ପାଳନ ଲାଗି ଭୁବନେଶ୍ବର ସମେତ କଟକରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ମଦ୍ୟପଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ । ନିଶା ଖାଇ ଧରାପଡିଲେ ସିଧା ଯିବେ ଥାନାକୁ । ଏଥିସହ ବାହାରେ କାର୍ଯ୍ୟକ୍ରମ ଆୟୋଜନ ଲାଗି ମଧ୍ୟ ରହିଛି କଟକଣା । ରାତି ୧୦ଟା ଯାଏଁ ଉଚ୍ଚ ଶବ୍ଦକାରୀ ସଂଗୀତ ବ୍ୟବହାର କରିପାରିବେ । ରାତି ୧୦ଟା ପରେ ସବୁକିଛି ବନ୍ଦ ହେବ । କଟକର ସମସ୍ତ କ୍ଲବ, ହୋଟେଲ ଓ ସାମାଜିକ ଅନୁଷ୍ଠାନଗୁଡିକୁ ଏନେଇ ସୂଚନା ଦେଇଛି ପୋଲିସ ।

ଗାଜା ଯୁଦ୍ଧ: ଇସ୍ରାଏଲ ଆକ୍ରମଣରେ ୧୬୫ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ

ଗାଜା: ଥମିବାର ନାଁ ନେଉନି ଇସ୍ରାଏଲ ହାମସ ଯୁଦ୍ଧ । ଦିନ ଗଡ଼ିବା ସହ ବଢୁଛି ଯୁଦ୍ଧର ଘମାଘଟା । ନା ହମାସ ମାନୁଛି, ନା ଇସ୍ରାଏଲ ଛାଡୁଛି । କତୃତ୍ବ ଜାହିରର ଏହି ରକ୍ତରଞ୍ଜିତ ଖେଳରେ ପେଶି ହୋଇ ଜୀବନ ହରାଉଛନ୍ତି ସାଧାରଣ ଜନତା । ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି । ୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ୧୪ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଟକ ରଖିଛି ।

ଆଇଡିଏଫ ହଠାତ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଆକ୍ରମଣ କରିବା ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିଛି  । ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ହମାସ କରିଥିବା ଆକ୍ରମଣରେ ଇସ୍ରାଏଲର ୧ ହଜାର ୧୩୯ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏପଟେ ଇସ୍ରାଏଲର ଏଭଳି ବର୍ବର ଆକ୍ରମଣ ପାଇଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରାଯାଇଛି  । ଇସ୍ରାଏଲକୁ ଏହି ଯୁଦ୍ଧ ପାଇଁ ଦାୟୀ କରିବା ସହ ଦଣ୍ଡାଦେଶ ପାଇଁ ଆବେଦନ କରାଯାଇଛି  । ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ନରସଂହାର ବୋଲି କହିଛି ଦକ୍ଷିଣ ଆଫ୍ରିକା ।

ନବରଙ୍ଗପୁରରେ ଦୁଇଟି ଜଳସେଚନ ପ୍ରକଳ୍ପର ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧ ହଜାର ୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ ।

ସେହିପରି ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍‌ ନିର୍ମାଣ କରାଯିବ ।  ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷ ଜମିକୁ ପାଣି ମିଳିପାରିବ । ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପ୍‌ ଲାଇନ୍‌ ମାଧ୍ୟମରେ ଜଳସେଚନ କରାଯିବ ।

ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯୋଗୁଁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ ରୂପାନ୍ତର ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛିଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ନବରଙ୍ଗପୁର ଗସ୍ତ କଥା ମନେ ପକାଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆମ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ପଞ୍ଚାୟତ ସ୍ତରରେ ହେବ ସଚେତନତା ଶିବିର, ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରର ଆୟୋଜନ କରାଯିବ । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ କରିଥିଲେ । ଏହି ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା, ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବର୍ତ୍ତମାନର ପଦକ୍ଷେପକୁ ଆଧାର କରି ବିକାଶ ତ୍ବରାନ୍ବିତ ଓ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏକାନ୍ତ କାମ୍ୟ । ଏହି କ୍ରମରେ ରାଜ୍ୟ ସରକାର ବର୍ତ୍ତମାନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ରାଜ୍ୟର ୬୭୯୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହି ପ୍ରକଳ୍ପକୁ ସମ୍ପୃକ୍ତ ଗ୍ରାମ ବାସିନ୍ଦା, ନିର୍ବାଚିତ ପଞ୍ଚାୟତିରାଜ ପ୍ରତିଷ୍ଠାନ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବିଭିନ୍ନ ଗୋଷ୍ଠୀ ସଙ୍ଗଠନର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଗ୍ରହଣ କରାଯାଇ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଏହାକୁ ସଙ୍କଳନ କରାଯିବ  । ଏହାକୁ ଚୂଢ଼ାନ୍ତ ରୂପ ଦେବା ପାଇଁ ପଞ୍ଚାୟତ ସ୍ତରୀୟ ବୈଠକରେ ଅନୁମୋଦିତ କରାଯିବ ।

ଶ୍ରୀକ୍ଷେତ୍ର ରୂପାନ୍ତରଣରେ ସାମିଲ ହେବେ ଜନସାଧାରଣ । ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ଜାନୁଆରୀ ୫ ତାରିଖରୁ ସବୁ ଘରୁ ସଂଗ୍ରହ ହେବ ଗୁଆ ଚାଉଳ ନଡ଼ିଆ । ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିର, ଭଗବତ ପୀଠ, କୋଠ ଘରେ ଏହାକୁ ରଖାଯିବ । ସେଠୁ ବ୍ଲକସ୍ତରକୁ ଅଣାଯିବ । ପ୍ରତି ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାରୋହ ଲାଇଭ୍ ଷ୍ଚ୍ରିମିଂ କରାଯିବ । ବ୍ଲକସ୍ତରରେ ବି ଏଲଇଡି ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ । ୧୭ ତାରିଖରେ ଲୋକାର୍ପଣ ସମାରୋହରେ ପ୍ରତି ପଞ୍ଚାୟତରୁ ଲୋକ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଞ୍ଚାୟତ ଓ ବ୍ଲକସ୍ତରରେ ବିଭିନ୍ନ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ୧୩୫ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୭ ତାରିଖ ପରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରି ପଞ୍ଚାୟତସ୍ତରରୁ ବଛା ବଛା ବ୍ୟକ୍ତିଙ୍କୁ ପୁରୀ ଆଣି ପ୍ରକଳ୍ପ ବୁଲାଇ ଦେଖାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଂଶଗ୍ରହଣ ଆମ ଓଡିଶା ନବୀନ ଓଡ଼ିଶା ପ୍ରୟାସର ଅନ୍ତର୍ଗତ । ଏଥିପାଇଁ ପୂର୍ବ ଅନୁମୋଦିତ ବଜେଟ୍ ୪ ହଜାର କୋଟି ଟଙ୍କାରୁ ୪୨୧୪କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ଇ-କମର୍ସ ଅପରେଟରଙ୍କ ଉପରେ ଅଙ୍କୁଶ ନା ଖାଉଟିଙ୍କୁ ମାଡ଼ ?

ଭୁବନେଶ୍ବର: ଅନଲାଇନ୍ ଜିନିଷପତ୍ର କିଣିଲେ ଏଣିକି ଗଣିବାକୁ ପଡ଼ିବ ୧ ପ୍ରତିଶତ ଆୟକର । ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀ ସେମାନଙ୍କ ମୋଟ ବିକ୍ରି ବିଲ୍ ଓ ବିକ୍ରି ହେବାକୁ ଥିବା ବିଲ୍ ଉପରେ ଆୟକର ପ୍ରଦାନ କରିବେ । ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ପ୍ରୋତ୍ସାହିତ କରୁଛନ୍ତି । ପ୍ରତ୍ୟକ୍ଷ କର ଲାଗିଲେ ଅଧିକ ବିଲ୍ ହେବାର ସମ୍ଭାବନା ରହିଛି । ଏହା ଲୋକଙ୍କୁ ଅନଲାଇନ୍ କିଣାକୁ ନିରୁତ୍ସାହିତ କରିବ । ଏପରି କରି କେନ୍ଦ୍ର ସରକାର ଖାଉଟିଙ୍କ ସମସ୍ତ ଡାଟାବେସ୍ ସଂଗ୍ରହ କରିପାରିବେ ବୋଲି ଅଭିଯୋଗ ହୋଇଛି ।

ଇ-କମର୍ସ ଅପରେଟରଙ୍କ ଉପରେ ଅଙ୍କୁଶ ନା ଖାଉଟିଙ୍କୁ ମାଡ଼ । ପ୍ରତ୍ୟକ୍ଷ କର ବୋର୍ଡର ସର୍କୁଲାର୍ ଜାରି । ଏଣିକି ଅନଲାଇନ ପ୍ଲାଟଫର୍ମରୁ ଜିନିଷ କିଣିଲେ ଖାଉଟି ଗଣିବେ ଜିଏସଟି ଛଡ଼ା ୧ ପ୍ରତିଶତ ଆୟକର । ମୋଟ ବିଲ୍ ଉପରେ ଟିଡିଏସ୍ ଆକାରରେ ଆୟକର ପ୍ରଦାନ କରିବେ ଇ-କମର୍ସ ଅପରେଟର । ଏଥିରେ ବିକ୍ରି ହେବାକୁ ଥିବା ଜିନିଷ ଉପରେ ଆୟକର ଦେବାକୁ ପଡ଼ିବ । ଯଦି ଜଣେ ଗ୍ରାହକ ୧୦୦ ଟଙ୍କାର ଜନିଷ କିଣୁଛି ତାକୁ ପ୍ୟାକିଂ, ସପିଂ, ସିପିଂ ଫି’ ଓ ପରିବହନ ଖର୍ଚ୍ଚ ଉପରେ ଆୟକର ମିଶି ୧୧୮ ଟଙ୍କା ଦେବାକୁ ପଡ଼ିବ । ଏହାସହିତ ଜିଏସଟି ଗ୍ରାହକ ଗଣିବେ । କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଅର୍ଥନୀତି ସମୀକ୍ଷକ ଓ ବିରୋଧୀ । ଗୋଟିଏ ପଟେ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି । ଅନ୍ୟପଟେ ଇ-କମର୍ସ ଉପରେ ଅଙ୍କୁଶ ଓ ଆୟକର ପରିସୀମା ବୃଦ୍ଧି ପାଇଁ ବିକ୍ରି ବିଲ୍ ଉପରେ ଆୟକର ଲଗାଇଛନ୍ତି । ଏହାଦ୍ବାରା ବିଲ୍ ଦେୟ ଅଧିକ ହେଲେ ଲୋକେ ଅନଲାଇନ୍ କିଣାରୁ ମୁହଁ ଫେରାଇବେ । ଏହାସହିତ ଗ୍ରାହକଙ୍କ ବିଲର ସବୁ ଡାଟା ରହୁଥିବାରୁ ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଡାଟାବେସ୍ ଭଳି କାମ କରିବ ।

ଅନଲାଇନ ପ୍ଲାଟଫର୍ମଗୁଡିକ ବହୁ ଦିନରୁ ନୀତିହୀନ ପ୍ରତିଯୋଗିତା କରିଆସୁଥିଲେ । ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସର୍ବଭାରତୀୟ ବ୍ୟବସାୟୀ ସଂଘ କେନ୍ଦ୍ର ସରକାରଙ୍କୁ ଦାବି କରିଆସୁଛି । ଏବେ ସମାନ ଦରରେ ଇ-କମର୍ସ ଅପରେଟର୍ ବିକ୍ରି କରିବେ । ଅଫଲାଇନ ଓ ଅନଲାଇନ ବ୍ୟବସାୟୀଙ୍କ ସୁସ୍ଥ ପ୍ରତିଯୋଗିତା ପାଇଁ ଏପରି ଅଙ୍କୁଶର ଆବଶ୍ୟକ ଥିଲା ବୋଲି ବ୍ୟବସାୟୀ ମହାସଂଘ କହିଛି ।

ଅନଲାଇନ ପ୍ଲାଟଫର୍ମରେ ଶସ୍ତାରେ ଜିନିଷ କିଣିବା ପାଇଁ ଲୋକଙ୍କୁ ଏକରୁ ଦୁଇଦିନ ଅପେକ୍ଷା କରିବାକୁ ପଡ଼ୁଛି । ଏବେ ଟିଡିଏସ୍ ବ୍ୟବସ୍ଥା ଦ୍ବାରା ଯଦି ସମାନ ଜିନିଷ ପାଇଁ ଅଫଲାଇନ୍ ଓ ଅନଲାଇନରେ ସମାନ ଦର ରହେ ତା’ହେଲେ ଲୋକେ ନିକଟସ୍ଥ ବଜାରରୁ ନିଜ ମନ ମୁତାବକ ଜିନିଷପତ୍ର କିଣିବାକୁ ଅଧିକ ପସନ୍ଦ କରିବେ ।

୨୦୨୪ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ୨୦୨୪ ହେବ ରେକର୍ଡର ବର୍ଷ । ରାଜ୍ୟ ଶାସନ ଭାର ପୁଣିଥରେ ନବୀନଙ୍କ ହାତରେ ରହିବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ଲମ୍ବା ସମୟର ସିଏମ୍ ଭାବେ ରେକର୍ଡ କରିବେ । ବିକଶିତ ଓଡ଼ିଶା ଗଠନ ସହ ରେକର୍ଡ ସଂଖ୍ୟକ ଆସନରେ ବଡ଼ ବିଜୟ ପାଇଁ କାମ ଆରମ୍ଭ କରିଦେଇଛି ବିଜେଡି । ଓଡିଶାର ହକ୍ ପାଇଁ କେନ୍ଦ୍ର ଆଗରେ ଦାବି ଦୋହରାଇ ପୂରଣ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ନେତା ଓ କର୍ମୀ । ଅନ୍ୟପଟେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ୨୪ରେ ଭଲ ପ୍ରଦର୍ଶନ କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ୨୪ ଆଣିବ ବଡ଼ ଆହ୍ବାନ ।

ରଣନୀତି ପ୍ରସ୍ତୁତ, ଗ୍ରାଉଣ୍ଡ ଓ୍ବାର୍କ ଜାରି । ଲକ୍ଷ୍ୟ ବିକଶିତ ଓଡ଼ିଶା ଗଠନ । ହକର ଲଢେଇ ବି ହେବ ଜୋରଦାର । ବିରୋଧୀ ବି ଭିଡ଼ିଲେଣି ଅଣ୍ଟା । ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା । ଦେଶରେ ଶକ୍ତିଶାଳୀ ରାଜନୈତିକ ଦଳ ଭାବେ ଉଭା ହୋଇଥିବା ବିଜେଡି ନାଁରେ ନୂଆବର୍ଷରେ ନୂଆ ରେକର୍ଡ ହେବାକୁ ଯାଉଛି । ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟା ରୂପାନ୍ତରଣ ଦ୍ବାରା ତ୍ବରାନ୍ବିତ ହୋଇଛି । ୨୪ରେ ନବୀନ ଦେଶ ରାଜନୀତିରେ ଇତିହାସ ରଚିବେ । ଓଡ଼ିଶାବାସୀ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରି ଦେଶରେ ସବୁଠୁ ଲମ୍ବା ଅବଧିର ସିଏମ୍ ଭାବେ ରେକର୍ଡ କରିବାକୁ ମନସ୍ଥ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେର୍ଶରେ 5T ଅଧ୍ୟକ୍ଷ ଗ୍ରାଉଣ୍ଡରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ନୂଆ ରୂପ ଦେବା ସହ ଲୋକଙ୍କ କଥାରେ ଶାସନ କଳକୁ ଆଗେଇ ନେଉଛନ୍ତି । ସବୁଠି ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ପ୍ରତିଛବି ପ୍ରତିଫଳିତ ହେଉଛି । ଏହା ବିଜେଡିକୁ ୨୦୨୪ ସାଧାରଣ ନିର୍ବାଚନରେ ବଡ ବିଜୟ ଦେବ ବୋଲି ବିଜେଡି କହିଛି ।

ତୃଣମୂଳସ୍ତରେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଥିବା ବିଜେଡିର ଗୁରୁଦାୟିତ୍ବ ମଧ୍ୟ ୨୦୨୪ରେ ବଢିବ । ସବୁ କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବା ସହ ରାଜ୍ୟର ହକକୁ କେନ୍ଦ୍ର ପାଖରେ ଦୋହରାଇ ପୂରଣ କରିବା ଦଳ ପାଇଁ ରହିବ ଚ୍ୟାଲେଞ୍ଜ । ସେହିପରି କଂଗ୍ରେସ ନୂଆ ପ୍ରଭାରୀଙ୍କ ସହ ଏକଜୁଟ ହୋଇ ଲଢିବା ଦଳ ପାଇଁ ବଡ଼ ଆହ୍ବାନ ହେବ ବୋଲି ଦଳୀୟ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ନିର୍ବାଚନ ଆଉ ୩ରୁ ୪ମାସ ଥିବା ବେଳେ ନୂଆବର୍ଷରେ ନୂଆ ଜୋସରେ ଲକ୍ଷ୍ୟ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ୨୩ରେ ୨୪ ପାଇଁ ପ୍ରସ୍ତୁତିରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠାରୁ ଢେର ଆଗରେ ରହିଛି ବିଜେଡି । ୨୦୧୯ ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ପଞ୍ଚାୟତ, ପୌର ଓ ବିଧାନସଭାର ଉପ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ୨୦୨୪ ନିର୍ବାଚନ ଫଳାଫଳ କ’ଣ ହେବ, ତାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ସର୍ଭେରେ ଓଡ଼ିଶାରେ ପୁଣି ନବୀନ ଓ ବିଜେଡିକୁ ସ୍ପଷ୍ଟ ଜନମତ ମିଳିଛି ।

କେବଳ ଆର୍ଥିକ ପରିଚାଳନା ନୁହେଁ ଡିବିଟି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ବର: ଆର୍ଥିକ ସୁପରିଚାଳନାରେ ଓଡ଼ିଶାର ଶ୍ରେଷ୍ଠତା । କେବଳ ଏହା ନୁହେଁ ଡିବିଟି କ୍ଷେତ୍ରରେ ବି ଉଲ୍ଲେଖନୀୟ ସଫଳତା । ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଛି ସରକାରୀ ଅର୍ଥ । ଦୁର୍ନୀତି ମୁକ୍ତ ପ୍ରଶାସନର ଅନନ୍ୟ ଉଦାହରଣ ଭାବେ ଡିବିଟିର ସଫଳ ପରିଚାଳନାକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ଓଡ଼ିଶାରେ ଡିବିଟିକୁ ବ୍ୟାପକ ସଫଳତା । ୨୦୨୧ରେ ୨୦ ହଜାର ୯୬ କୋଟି, ୨୦୨୨ରେ ୨୫ ହଜାର ୯୦୩ କୋଟି, ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୮ ହଜାର ୭୦୮କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଇଛି ଅର୍ଥ । ମନରେଗା ଓ ଗ୍ରାମୀଣ ଗୃହ ଯୋଜନା ହିତାଧିକାରୀଙ୍କୁ ମିଳିଛି ସିଂହ ଭାଗ । ସ୍ଥିତିର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥ ସଚିବ ବିଶାଳ ଦେବ । ଚଳିତବର୍ଷ ମନରେଗାରେ ଡିବିଟି ମାଧ୍ୟମରେ ୩୪ ଲକ୍ଷ ୬୧ ହଜାର ୩ ଶହ ହିତାଧିକାରୀଙ୍କୁ ୫ ହଜାର ୭୫ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି । ଗ୍ରାମୀଣ ଗୃହ ଯୋଜନାରେ ୨୭ ଲକ୍ଷ ୪୬ ହଜାର ୭୫୪ ହିତାଧିକାରୀଙ୍କୁ ୫ ହଜାର ୧୮୧ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସେହିଭଳି ଧାନ କିଣା ବାବଦକୁ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ୮୦୯ କୋଟି ଟଙ୍କା ଦିଆଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୯ ଶହ ୮୯ କୋଟି, କାଳିଆ ଯୋଜନାରେ ୧୭ ଶହ ୮୬ କୋଟି, କେନ୍ଦୁପତ୍ର ତୋଳାଳିଙ୍କୁ ୨୧୮ କୋଟି ଓ କୃଷି ଯାନ୍ତ୍ରିକ ସବସିଡି ଅଧୀନରେ ୧୯୭ କୋଟି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇଛି ।

କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ୨୫ଟି କାର୍ଯ୍ୟକ୍ରମ ଅଧୀନରେ ୬୧ଟି ଯୋଜନାରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର ହୋଇଛି ସରକାରୀ ଅର୍ଥ । ଛାତ୍ରବୃତ୍ତି ଯୋଜନାରେ ୨୮୫ କୋଟି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୪୨୮ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୯୯ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୯ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସରକାରୀ ଯୋଜନାରେ ଜାଲିଆତି ରୋକିବା, ମଧ୍ୟସ୍ଥଙ୍କ ଭୂମିକାକୁ ମୂଳପୋଛ କରିବା, ସବୁଥିରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ୨୦୧୩ ଜାନୁଆରୀ ପହିଲାରୁ ଡିବିଟି ବ୍ୟବସ୍ଥା ସାରା ଦେଶରେ ଆରମ୍ଭ ହୋଇଥିଲା । ଏକ୍ଷେତ୍ରରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଓଡିଶା । ଡିବିଟି କାରବାର ବୃଦ୍ଧି ହେଉଥିବାରୁ ଲୋକଙ୍କ ଭରସା ସରକାରଙ୍କ ଉପରେ ବଢୁଛି ।

ଓଡ଼ିଶାର ଆର୍ଥିକ ପରିଚାଳନା, ଅର୍ଥନୀତିରେ ଅଭିବୃଦ୍ଧି, ବଳକା ରାଜସ୍ବ ଦିଗକୁ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ବାରମ୍ବାର କରିଆସିଛନ୍ତି ପ୍ରଶଂସା ।