spot_img
Home Blog Page 2373

ବାଘ ଆତଙ୍କ, ଗାଁରେ ପଶି ଗାଇକୁ ଖାଇଲା

ଗଜପତି: ଗାଈକୁ ମାରି ଖାଇଲା ବାଘ । ଗଜପତି ଜିଲ୍ଲା ରାୟଗଡ ବ୍ଲକ କୁମୁଲୁସିଂ  ଅଁଳାବର ଗାଁ ଜଙ୍ଗଲରେ ଗାଈକୁ ଖାଇଲା ମହାବଳ ବାଘ । ଯାହାର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇଛି । ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶର ସାରାଳି ନିକଟରେ ବୁଲୁଥିବାର ଖବର ରହିଥିଲା । ବର୍ତ୍ତମାନ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ୍‌ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି । ଏନେଇ ଗ୍ରାମବାସୀଙ୍କୁ ସତର୍କ କରାଇଛି ବନବିଭାଗ ।ସରକାରୀ ନିୟମ ଅନୁସାରେ  ଗାଈ ମାଲିକ ରୁସାନ ଶବରଙ୍କୁ  ୩୭ ହଜାର ୫୦୦ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ପ୍ରଶ୍ନକାଳକୁ ଚଲାଇ ଦେଉନାହାନ୍ତି ବିରୋଧୀ । ଶୀତ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଶ୍ନକାଳକୁ ଅଚଳ କରିଛନ୍ତି ବିରୋଧୀ । ପୂର୍ବ ରଣନୀତି ଅନୁସାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ନିଜ ଜିଦରେ ଅଟଳ ରହି ହୋହଲ୍ଲା କରିଥିଲେ । ଅସ୍ବାଭାବିକ ସ୍ଥିତି ଉପୁଜିବାରୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି । ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ହେବାର ଥିଲା । ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲି ପାରିଲାନି ପ୍ରଶ୍ନକାଳ ।

 

ହସାମ-ଇସ୍ରାଏଲ ଯୁଦ୍ଧରେ ଲାଗିଲା ବିରତି

ନୂଆଦିଲ୍ଲୀ: ହମାସ ଏବଂ ଇସ୍ରାଏଲ ଯୁଦ୍ଧ ପାଇଁ ବହୁ ଧନ ଜୀବନ ନଷ୍ଟ ହୋଇଛି । ଯୁଦ୍ଧରେ ବିରତି ଆଣିବା ପାଇଁ ବହୁଦିନ ହେବ ପ୍ରୟାସ ଜାରି ରହିଥିଲା । ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଲାଗିଛି ବିରତି । ଯୁଦ୍ଧ ବିରତି ରାଜିନାମାରେ ସମ୍ମତ ହେଲେ ହମାସ ଏବଂ ଇସ୍ରାଏଲ । ବୁଧବାର ସକାଳୁ ଏଭଳି ଖବର ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସରକାରଙ୍କ ସହିତ ବ୍ୟାପକ ଓ ଘନ ଘନ ବୈଠକ କରାଇ ଏହି ରାଜିନାମା ଚୂଡ଼ାନ୍ତ କରାଇଛନ୍ତି। ରାଜିନାମା ଅନୁଯାୟୀ ୪ ଦିନ ଯୁଦ୍ଧ ବା ଅସ୍ତ୍ରବିରତି କରାଯିବ ଓ ଏହି ସମୟରେ ହମାସ୍‌ ମୁଣ୍ଡଜାମିନ ବା ପଣବନ୍ଦୀ ରଖିଥିବା ୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ଏହି ରାଜିନାମାକୁ ୩୮ଜଣ ଇସ୍ରାଏଲୀୟ ମନ୍ତ୍ରୀ ସମର୍ଥନ କରିଛନ୍ତି। କିନ୍ତୁ, ଏହି ରାଜିନାମା ବା ଚୁକ୍ତିକୁ ଚରମପନ୍ଥୀ ‘ଅଜ୍‌ମା ୟହଟିଡ୍‌’ ଓ ‘ରିଲିଜିୟସ୍‌ ଜିଓନିଜିମ୍‌’ ଦଳମାନେ ବିରୋଧ କରିଛନ୍ତି। ଇସ୍ରାଏଲ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହି ଚୁକ୍ତି ମୁଖ୍ୟତଃ ବନ୍ଧକ ରହିଥିବା ମହିଳା ଏବଂ ଶିଶୁ ଉପରେ ଧ୍ୟାନ ଦେଇଛି । ଯଦିଓ ବିଦେଶୀ ବନ୍ଧକ ମୁକ୍ତ ହେବା ନେଇ ଆଲୋଚନା ବର୍ତ୍ତମାନ ବୈଠକରେ ହୋଇନାହିଁ ।

 

 

ଯୁବକଙ୍କ ଉପରେ ମାଡ଼ିଗଲା କାର

ବ୍ରହ୍ମପୁର: ଆସିକା ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା । ଯୁବକଙ୍କ ଉପରେ ମାଡିଗଲା କାର୍ । ରାସ୍ତା ପାଖରେ ଠିଆହୋଇଥିବା ବେଳେ ଧକ୍କା ଦେଲା କାର୍ । ମୃତକ ହେଲେ ସାନଖେମୁଣ୍ଡି ପୋଡାମାରି ଗାଁର ସିମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି,  ଗୁରୁତର ହେଲେ ପାଟପୁର ଥାନା ପଦ୍ମପୁର ଅମୀର ନାୟକ । ଭୁବନେଶ୍ୱର ଯିବା ପାଇଁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଦିଗପହଣ୍ଡିରୁ ଗଜପତି ଯାଉଥିବା ଏକ କାର ପୋଡାମାରି ବସଷ୍ଟାଣ୍ଡ ନିକଟରେ ଧକ୍କା ଦେଇଥିଲା ।  ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଅଟକ ରଖିଛି ।

ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣଙ୍କ ଅଡ଼ୁଆ

କଟକ: ବଢ଼ିଲା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଡୁଆ। ମହିଳା ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ବଲପୁର ସଦର ତହସିଲଦାରଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ନେଇ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏହାସହିତ ଅଭିଯୁକ୍ତ ତଳକୋର୍ଟରେ ଆତ୍ମସମର୍ପଣ କରି ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ଶ୍ରମିକ?

ଉତ୍ତରାଖଣ୍ଡ: ଉତ୍ତରକାଶୀ ସିଲ୍କୟାରା ଟନେଲ ଧସିବା ଘଟଣାରେ ଉପରୁ ଆରମ୍ଭ ହୋଇଛି ଡ୍ରିଲିଂ । ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି । ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ । ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ଯଦି ଅଗର ମେସିନ ଠିକଠାକ କାମ କରେ ତେବେ ଆଉ ୨ରୁ ୩ ଦିନ ମଧ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ଉପରେ ମଧ୍ୟ ଫୋକସ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା, ରେଲୱେ ସହ ଏକାଧିକ ସଂସ୍ଥା କାମ କରୁଛନ୍ତି ।

ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଖନନ କାର୍ଯ୍ୟ ଲାଗି ରାସ୍ତା ନିର୍ମାଣ ଜୋରସୋରରେ ଚଳାଇଛି । ରେସକ୍ୟୁ ଲାଗି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଶାଳକାୟ ପାଇପ ବିମାନ ଯୋଗେ ଉତ୍ତରକାଶୀ ଅଭିମୁଖେ ଯାଇଛି । ଟନେଲ ଭିତରେ ଶ୍ରମିକ କେମିତି ଅଛନ୍ତି, ତାଙ୍କର ସ୍ବାସ୍ଥ୍ୟାବସ୍ଥା କଣ ସବୁକିଛି ଗତକାଲି ଆସିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି। ଶ୍ରମିକଙ୍କ ସହ ୱାକିଟକିରେ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ।

ଆଇସିସିର ନୂଆ ନିୟମ, ବୋଲର ୬୦ ସେକେଣ୍ଡ ବିଳମ୍ବ କଲେ…

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ କ୍ରିକେଟରେ ଏକ ନୂଆ ନିୟମ ଘୋଷଣା କରିଛି । ଏହା ଅନୁସାରେ ଦିନିକିଆ ଓ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଯଦି ବୋଲର ପରବର୍ତ୍ତୀ ଓଭର ପକାଇବା ପାଇଁ ୬୦ ସେକେଣ୍ଡରୁ ଅଧିକ ସମୟ ନିଅନ୍ତି ଓ ଇନିଂସରେ ତିନିଥର ଏପରି ହୁଏ ତେବେ ବୋଲିଂ ଟିମକୁ ପେନାଲ୍ଟି ଲାଗିବ । ଏହି ନିୟମକୁ ପ୍ରଥମେ ଟ୍ରାଏଲ ରୂପେ ଲାଗୁ କରାଯିବ । ଆଇସିସିର ବୋର୍ଡର ଅହମଦାବାଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇସିସିର ବୟାନରେ କୁହାଯାଇଛି, ପୁରୁଷ ଏକଦିବସୀୟ ଓ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୦୨୩ ଡିସେମ୍ୱରରୁ ୨୦୨୪ ଏପ୍ରିଲ ଯାଏ ଟ୍ରାଏଲ ଆଧାରରେ ଷ୍ଟପ୍ କ୍ଲକ୍ କାର୍ଯ୍ୟକାରୀ କରାଯିବ । ଏହି କ୍ଲକକୁ ଓଭର ଗୁଡିକ ମଧ୍ୟ ସମୟ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯିବ । ଯଦି ବୋଲର ଟିମ୍ ଗୋଟିଏ ଓଭର ଶେଷ ହେବା ପରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ପକାଇବାରେ ବିଫଳ ହେଲେ ପେନାଲ୍ଟି ଲାଗିବ । ଇନିଂସରେ ତିନି ଥର ଏପରି କରିବା ପରେ ପାଞ୍ଚ ରନ୍ ପେନାଲ୍ଟି ଲାଗିବ । ଏହାସହ ପିଚ୍ ଓ ଆଉଟଫିଲ୍ଡ ନିରୀକ୍ଷଣ ନିୟମ ପରିବର୍ତ୍ତନକୁ ମଧ୍ୟ ଆଇସିସି ମଞ୍ଜୁରୀ ଦେଇଛି ।

ଆସନ୍ତା ୪ଦିନ ରାଜ୍ୟରେ ଜାରି ରହିବ କୋହଲା ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ପୁରୀ ସମେତ ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୪ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର।

ନ୍ୟାସନାଲ ମିଡିଆ କନକ୍ଳେଭର ଉଦଘାଟନୀ ସମାରୋହରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର । ମଙ୍ଗଳବାର ଉଦଘାଟନୀ ସମାରୋହରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। ପୁସ୍ତକ ଦୁଇଟି ହେଉଛି ’ହେଲଥ କମ୍ୟୁନିକେସନ’ ଏବଂ ’ଗାଁ କଥା’ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।

ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ସଂପ୍ରତି ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ୍ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତ୍ରରେ କାମ କରୁଥିବା ଛାତ୍ରାଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ।

ସେହିଭଳି ଭାବେ ଗାଁ ସମ୍ପର୍କୀୟ ବିଭିନ୍ନ ଅଙ୍ଗେନିଭା କଥାର ଏକ ସଂକଳନ ହେଉଛି “ଗାଁ କଥା”। ଏହା ଫକୀର ମୋହନ ନାହାକଙ୍କ ଚତୁର୍ଥ ଗଳ୍ପ ସଂକଳନ। ହେଲଥ କମ୍ୟୁନିକେସନ୍ ପୁସ୍ତକକୁ ନୂଆଦିଲ୍ଲୀ ସ୍ଥିତ ଜଗରନଟ୍ ପବ୍ଲେକସନ୍ ପ୍ରକାଶ କରିଥିବା ବେଳେ ଗାଁ କଥା ପୁସ୍ତକଟି ପ୍ରକାଶ କରିଛନ୍ତି ଭୁବନେଶ୍ୱରର ପଶ୍ଚିମା ପବ୍ଲିକେସନ୍ ।

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ

ସମ୍ବଲପୁର: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ବୁଧବାର ଶେଷଦିନ । ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଆଜି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ । ପରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ ୧୧ଟା ୫ ମିନିଟରେ ବାଂଙ୍ଗାଲୋର ଗସ୍ତ କରିବେ । ତିନିଦିନିଆ ଓଡ଼ିଶା ଗସ୍ତରେ ମୟୂରଭଞ୍ଜ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଗତକାଲି ଭିସୁଟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହା ସହ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦନ ଲୋଡ଼ିଥିଲେ । ଅନ୍ୟପଟେ ଆସନ୍ତା ୨୬ ତାରିଖରେ ପୁଣି ଓଡ଼ିଶା ଆସିବେ ମହାମହିମ । ୨୬ ତାରିଖରେ ଭୁବନେଶ୍ବରରେ ପହଞ୍ଚି ୨୭ତାରିଖରେ ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।