spot_img
Home Blog Page 2379

ଏସିଆନ ଗେମ୍ସରେ ଚମକୁଛି ଭାରତ, ପଦକ ସଂଖ୍ୟା ୯୫ରେ ପହଞ୍ଚିଲା

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଚମକୁଛି ଭାରତ। ପ୍ରଥମ ଥର ପାଇଁ ଭାରତକୁ ରେକର୍ଡ ମେଡାଲ। ପଦକ ସଂଖ୍ୟା ଏବେ ସୁଦ୍ଧା ୯୫ ହୋଇଥିବା ବେଳେ ୧୦୦ ଟପିବା ସୁନିଶ୍ଚିତ ହୋଇଛି। ଆସନ୍ତା କିଛି ଖେଳ ମେଡାଲ ପାଇଁ ଟକ୍କର ଦେବ ଭାରତ। ପୁରୁଷ କ୍ରିକେଟ, କବାଡି, ବ୍ୟାଡମିଣ୍ଟନରେ ମେଡାଲ ପାଇଁ ଟକ୍କର ଦେବ ଭାରତ। ଏଥିସହ ପ୍ରଥମ ଥର ପାଇଁ ଭାରତ ଏସିଆନ୍ ଗେମ୍ସରେ ୨୦ରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିଛି।

ଭାରତ ପ୍ରଥମ ଥର ମେଡାଲରେ ସେଞ୍ଚୁରୀ ମାରିବାକୁ ଯାଉଛି। ଏସୀୟ କ୍ରୀଡ଼ାରେ କୁସ୍ତିର ମହିଳା ୬୨ କେଜି ଫ୍ରିଷ୍ଟାଇଲ ବର୍ଗରେ ସେମି ଫାଇନାଲରେ ହାରି ଯାଇଥିବା ସୋନମ ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମି ଫାଇନାଲରେ ହାରିବା ପରେ ସେ ବ୍ରୋଞ୍ଜ ପଦକ ପାଇଁ ଚୀନର ଜିଆ ଲଙ୍ଗଙ୍କ ସହିତ ଲଢ଼ିଥିଲେ । ସେ ୬-୪ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସେହିଭଳି ତୀରନ୍ଦାଜୀରେ ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ। ଏହି ଇଭେଣ୍ଟର ଫାଇନାଲରେ ଅତନୁ, ଧୀରଜ ଓ ତୁଷାରଙ୍କୁ ନେଇ ଗଠିତ ଟିମ୍ ଶକ୍ତିଶାଳୀ ଦକ୍ଷିଣ କୋରିଆ ଠାରୁ ୧-୫ରେ ହାରିଯାଇଥିଲା। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଟକରାରେ ଭାରତୀୟ ମହିଳା ଟିମକୁ ଐତିହାସିକ ବ୍ରୋଞ୍ଜ ପଦକ ମିଳିଛି। ସେମି ଫାଇନାଲରେ ଦଳ ଥାଇଲ୍ୟାଣ୍ଡଠାରୁ ପରାସ୍ତ ହୋଇଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ରିକେଟରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। ଭାରତ ଠାରୁ ସେମିରେ ହାରିଥିବା ବାଂଲାଦେଶ ସହ ପାକିସ୍ତାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।

ଆଜିର ସଫଳତା ପ୍ରମାଣ କରିଛି ଯେ, ହକି ଏବେବି ଭାରତର ପ୍ରମୁଖ କ୍ରୀଡା ଭାବେ ସ୍ଥାନ ବଜାୟ ରଖିଛି । ଓଡ଼ିଶାରେ ମଧ୍ୟ ହକି ପ୍ରତି ସମସ୍ତଙ୍କ ଭଲ ପାଇବା ରହିଛି । ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ୱର୍ଣ୍ଣ ପାଇଁ ହକଦାର ଥିଲେ ।

ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।  ଉଲ୍ଲେଖଯୋଗ୍ୟ, ଆଜି ଏସିଆନ ଗେମ୍ସରେ ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତିଛି । ଏହି ବିଜୟ ସହ ଭାରତୀୟ ଦଳ ପାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ପ୍ରକାଶଥାଉକି, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଟିମକୁ ସ୍ପୋନ୍ସର କରିଆସୁଛନ୍ତି । ସେହିପରି ଦୁଇଦୁଇଥର ବିଶ୍ୱକପର ଆୟୋଜନ କରି ହକିକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଥିଲେ ଓଡ଼ିଶା ସରକାର ।

 

ଭାରତର ସ୍ବର୍ଣ୍ଣିମ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ଭାରତର ସ୍ୱର୍ଣ୍ଣିମ ସଫଳତା ପଛରେ ରହିଛି ଓଡ଼ିଶାର ବିଶେଷ ଅବଦାନ। ହକିରେ ଗୋଲ୍ଡ ଜିତି ଇତିହାସ ରଚିବା ପରେ ଏଭଳି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ସ୍ୱର୍ଣ୍ଣିମ ବିଜୟ ପରେ ଦିଲ୍ଲୀପ କହିଛନ୍ତି ଭାରତର ପ୍ରଦର୍ଶନରେ ମୁଁ ବହୁତ ଖୁସି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀପ କହିଛନ୍ତି ସ୍ୱର୍ଣ୍ଣ ସଫଳତା ପାଇଁ ରହିଛି ଓଡ଼ିଶାର ଅବଦାନ।

୨୦୧୮ରୁ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ଲଗାତର ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ସାରା ବିଶ୍ବରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ପ୍ରଥମଥର ପାଇଁ ସେମି ଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ହକି ଦଳ। ହକିକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି।

ରାଜଧାନୀରେ ଅପରାଧୀଙ୍କ ଉପରେ ଲାଗିବ ଅଙ୍କୁଶ, ଦାଦାଗିରିକୁ କରାଯିବନି ବରଦାସ୍ତ

ଭୁବନେଶ୍ୱର: ଦାଦାଗିରି ନୁହେଁ, ରାଜଧାନୀରେ ଚାଲିବ ପୋଲିସଗିରି । ଷୋଳପୂଜାରୁ ଆକ୍ସନ ମୋଡ଼ରେ ଟିମ ପ୍ରତୀକ । ଟ୍ରାକ୍ ରେକର୍ଡ ମୁତାବକ ହାତରେ ପଡିବ ହାତକଡ଼ି । ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ । ଡିସିପିଙ୍କ ନେତୃତ୍ୱ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଜଣ ଲେଖାଏଁ ବଡ଼ଗଡ଼ର ଜଣେ, କ୍ୟାପିଟାଲ, ଧଉଳି ଓ ଜଟଣୀ ଥାନାର ଜଣେ ଲେଖାଏଁ, ଇନଫୋସିଟି ଥାନାର ୩ଜଣ, ନୟାପଲ୍ଲୀରୁ ୫, ଖଣ୍ଡଗିରିରୁ ୬, ଲକ୍ଷ୍ମୀସାଗରରୁ ୧୮ ଏବଂ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ସର୍ବାଧିକ ୨୦ଜଣ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କମିଶନରେଟ ପୋଲିସର ଆରମ୍ଭ ହୋଇଥିବା ଏହି ଅପରେସନ୍ କ୍ଲିନ ସୁଇପରେ ଆଗକୁ ଆହୁରି ଅପରାଧିଙ୍କ ନାଁ ଯୋଡ଼ି ହେବ । ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଆଗକୁ ପାର୍ବଣ ଥିବାରୁ ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ, ସେନେଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ଏପରି କି ପାର୍ବଣରେ ଜୋରଜବରଦସ୍ତ ଚାନ୍ଦା ମାଗୁଥିବା ଅସାମାଜିକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ବାରମ୍ବାର ଅପରାଧରେ ସଂଶ୍ଳିଷ୍ଟ ଥିବା ଅପରାଧୀଙ୍କୁ ହଣ୍ଡ୍ରେଡ୍ ଟେନ୍, ଏନଏସଏରେ ବୁକ୍ କରାଯିବ । ଆଗକୁ ଦୁର୍ଗା ପୂଜା ଓ କାଳୀ ପୂଜା ଥିବାରୁ ଜେଲ୍ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ସମନ୍ୱୟ ବୈଠକରେ କହିଛି କମିଶନରେଟ୍ ପୋଲିସ । ଆଜିଠୁ ଷୋଳପୂଜା ଆରମ୍ଭ ହେଉଛି । ଏଣୁ ବିଭିନ୍ନ ଥାନାରେ ଅପରାଧ ଦମନ ପାଇଁ ରାତିରେ ଅପରାଧିଙ୍କୁ ଉଠାଇବାକୁ ଯୋଜନା କରିଛି ପୋଲିସ୍ ।

ଏଣିକି କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ଭୁବନେଶ୍ୱର: ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ। ଆଗରୁ ସ୍ଥଳ ବିଶେଷରେ ପିଲାଙ୍କ ଗୋଡ଼ରେ ଟ୍ୟାଗ ଲଗାଯାଉଥିଲା। ତେବେ କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ନେଇ ଅଭିଯୋଗ ଆସିବା ପରେ ଆହୁରି କଡ଼ାକଡ଼ି ଭାବେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଷ୍ଟାଫଙ୍କୁ ରିଫ୍ରେସର ଟ୍ରେନିଂ ଦିଆଯିବ। ଏହାସହ ଜନ୍ମ ହେବା ପରେ ପିଲାଙ୍କ ଫୁଟ ପ୍ରିଣ୍ଟ ରଖିବା ବ୍ୟବସ୍ଥା ବି ରହିଛି। ପିଲା ଜନ୍ମ ହେବା ପରେ ମାଆଙ୍କୁ ଦେଖାଯିବା ସହ ଡାକ୍ତର ବି ଦସ୍ତଖତ କରନ୍ତି।

ସରକାରଙ୍କ ତରଫରୁ ପୂର୍ବରୁ ହିଁ ଏସଓପି ସ୍ଥିରିକୃତ ହୋଇଥିବା କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି। ସେପଟେ ପିଲା ଅଦଳବଦଳ ଘଟଣାରେ ଡିଏନଏ ରିପୋର୍ଟ ଆସିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ହସ୍ପିଟାଲ ପକ୍ଷରୁ ପ୍ରଥମରୁ ହିଁ ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା। ପୋଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା ବୋଲି ସେ କହିଛନ୍ତି।

ଏସିଆନ ଗେମ୍ସ: ଜାପାନକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ହକି ଦଳ

ହଙ୍ଗଝୋଉ: ଏସିଆନ ଗେମ୍ସରେ ଜାପାନକୁ ହରାଇ ଭାରତର ସ୍ବର୍ଣ୍ଣିମ ବିଜୟ । ଐତିହାସିକ ବିଜୟ ସହିତ ସୁନା ଜିତିଛି ଭାରତୀୟ ପୁରୁଷ ହକି ଦଳ । ଜାପାନକୁ ୫-୧ ଗୋଲରେ ହରାଇ ଚତୁର୍ଥ ଥର ପାଇଁ ଗୋଲ୍ଡ ହାତେଇଛି ଭାରତ। ପୂର୍ବରୁ ଟିମ୍ ଇଣ୍ଡିଆ ୧୯୬୬, ୧୯୯୮ ଏବଂ ୨୦୧୪ରେ ଗୋଲ୍ଡ ଜିତିଥିଲା ।

ତେବେ ମ୍ୟାଚ ଆରମ୍ଭରୁ ଭାରତ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା। ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲ ଦେଇପାରିନଥିବାବେଳେ ଦ୍ବିତୀୟ କ୍ବାର୍ଟରରେ ଗୋଲ ଦେଇ ବିଜୟ ଆଡକୁ ପାଦ ବଢାଇଥିଲା ଭାରତ। ପ୍ରଥମେ ଦ୍ବିତୀୟ କ୍ବାର୍ଟରରେ ମନପ୍ରୀତ ଦେଇଥିଲେ ଗୋଲ୍। ଏହାପରେ ଅଧିନାୟକ ହରମନପ୍ରୀତ ସିଂ ଆଉ ଗୋଟିଏ ଗୋଲ ଦେଇଥିଲେ। ପରେ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ଅଭିଷେକ ଗୋଲ ଦେଇଥିବାବେଳେ ଶେଷରେ ପୁଣିଥରେ ଅଧିନାୟକ ହରମନପ୍ରୀତ ଗୋଲ ଦେଇ ଭାରତର ସୁନା ଆଶାକୁ ପକ୍କା କରିଥିଲେ।

ଶେଷରେ ଚିମ୍ ଇଣ୍ଡିଆ ୫-୧ଗୋଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏହା ସହିତ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି।

ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ଚିତ୍ତରଞ୍ଜନ ତ୍ରିପାଠୀ ହୋଇଛନ୍ତି ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ। ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଭାବେ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା ପରେ ନୂଆଦିଲ୍ଲୀରେ ଦାୟିତ୍ବ ନେଇଛନ୍ତି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଓଡ଼ିଆ।

ଚାନ୍ଦବାଲି ଏନଏସି ଅନ୍ତର୍ଗତ ବରେହିଁପୁରରେ ଚିତ୍ତରଞ୍ଜନଙ୍କ ଘର। ଉଭୟ ବଲିଉଡ୍ ଏବଂ ଓଲିଉଡରେ ଚିତ୍ତରଞ୍ଜନ ତ୍ରିପାଠୀ ବେଶ୍ ପରିଚିତ। ୨୦୦୭ରେ ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ୍ ସଫଳତା ହାସଲ କରିଥିଲା। ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ଏହି ସିନେମାଟି ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ପରେ ସେ ଆଉ ଏକ ଚଳଚ୍ଚିତ୍ର ‘ମୁଖ୍ୟମନ୍ତ୍ରୀ’ ନିର୍ମାଣ କରିଥିଲେ। ହିନ୍ଦୀ ନାଟକ, ଧାରାବାହିକ ଆଦି କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଅଛନ୍ତି। ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏତଦ୍ ବ୍ୟତୀତ ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟ।

ପାକିସ୍ତାନର ପରମାଣୁ କେନ୍ଦ୍ର ନିକଟରେ ବିସ୍ଫୋରଣ

ଲାହୋର: ପୁଣି ପାକିସ୍ତାନରେ ବିସ୍ଫୋରଣ। ପରମାଣୁ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ପଞ୍ଜାବ ଡେରା ଗାଜି ଖାନ୍ ଜିଲ୍ଲାରେ ଘଟିଛି ଅଘଟଣ ।
କ୍ଷୟକ୍ଷତି ନେଇ ସୂଚନା ମିଳିନଥିବା ବେଳେ ୧୧ ବର୍ଷ ହେଲା ବିସ୍ଫୋରଣ ନେଇ ଧମକ ମିଳୁଥିବା ରିପୋର୍ଟରୁ ପ୍ରକାଶ। ଏହା ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ।

ସୋସିଆଲ୍ ମିଡିଆରେ ଏନେଇ ଭିଡ଼ିଓ ମଧ୍ୟ ଭାଇରାଲ୍ ହେଉଛି। ଯେଉଁଥିରେ ପୋଲିସ ଗାଡ଼ି, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ବିସ୍ଫୋରଣ ସ୍ଥଳକୁ ଯାଉଥିବାର ନଜର ଆସୁଛି ।୨୦୧୨ରୁ ତହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ନେଇ ଧମକ ଦେଇଆସୁଛି ।

ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ହେଲିକପ୍ଟର ଦାବି କଲା ଓଡ଼ିଶା

ଭୁବନେଶ୍ୱର: ନକ୍ସଲ ମୁକାବିଲା ଲାଗି ଓଡ଼ିଶା ମାଗିଲା ହେଲିକପ୍ଟର। ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହାୟତା ଲାଗି ଏକ ସବୁଦିନିଆ ହେଲିକପ୍ଟର ଯୋଗାଇଦେବାକୁ ଦାବି କରିଛି ଓଡ଼ିଶା। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ଏହାସହ ସେ କହିଛନ୍ତି ଯେ, ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥାନରେ ଅଛି। ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲା ନକ୍ସଲ ଉପଦ୍ରୁତ ଥିଲା। ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ମାଓ ଅଧ୍ୟୁଷିତ ଅଂଚଳରେ ନକ୍ସଲଙ୍କ ଉପସ୍ଥିତି ହ୍ରାସ ପାଇଛି । ଜନସାଧାରଣଙ୍କ ଗମନାଗମନ ସୁବିଧା, ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଯୋଗାଣ, ବାୟୁ ସ୍ବାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଉନ୍ନତ ସ୍ବାସ୍ଥ୍ୟସେବାରୁ ମାଓ କାର୍ଯ୍ୟକଳାପ କମିଛି। ମାଓ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରାଜ୍ୟ କେନ୍ଦ୍ରକୁ ଦାବି କରିଛି।

ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ କହିଛି ଓଡ଼ିଶା। ମାଲକାନଗିର ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ବାରା ଲୋକଙ୍କ ଜୀବନଧାରା ବଦଳିଛି। ଅନେକ ମାଓବାଦ ଛାଡି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି୍। ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଦିଲ୍ଲୀରେ ନକ୍ସଲ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ। ଏଥିରେ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପି ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଏଥିରେ ଯୋଗ ଦେଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ ସଂପାଦକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲା ବିଜେଡିର ୫ ଉପଦେଷ୍ଟାଙ୍କୁ ନିଯୁକ୍ତ ଦିଆଯାଇଛି । ପ୍ରମିଳା ବହିଦାର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ ଓ ରାଜକିଶୋର ଦାସ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।