spot_img
Home Blog Page 2402

ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା: ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ : ଏବେ ପୁଣି ଚର୍ଚ୍ଚାରେ ଅଭିନେତା  ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା।  ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ବିବାଦୀୟ ଛାଡ଼ପତ୍ରର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି।

ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ପରିବାର ଅଦାଲତ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଦ୍ଵାରସ୍ତ ହୋଇଥିଲେ ଅନୁଭବ। ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ଆଜି ଏହି ମାମଲାରେ ହାଇକୋର୍ଟ ଶୁଣାଣି ଶେଷ କରିବା ସହିତ ବିଛେଦ ପାଇଁ ଅନୁମତି ଦେଇଛନ୍ତି।

 

ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଶୂନ, ତଥାପି ସ୍ବାସ୍ଥ୍ୟ ବିଭାଗ ଆଲର୍ଟ। ସବୁ ହସ୍ପିଟାଲରେ ହେବ ଫିଭର କ୍ଲିନିକ୍। ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି। ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ଦେଶରେ ଉପରମୁହାଁ ହୋଇଛି। ୫ଟି ରାଜ୍ୟରୁ ୯୮%ରୁ ଅଧିକ ରୋଗୀ ରହିଛନ୍ତି। ୮୮ ପ୍ରତିଶତ କେବଳ କେରଳରୁ। ନୂଆ ଭାରିଏଣ୍ଟ JN1 ଯଦିଓ ବ୍ୟାପିଛି କିନ୍ତୁ ସ୍ଥିତି ସାଂଘାତିକ ହେଉନାହିଁ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ବର ରହୁଛି। କିନ୍ତୁ ରାଜ୍ୟରେ ଗତ ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ। ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି।

କୋଭିଡ କେସ ବଢିବା ଆଶଙ୍କା ଥିବାରୁ ଜିଲ୍ଲା ଚିକିତ୍ସାଳୟଙ୍କୁ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି। ଯଦି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢେ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏବେଠାରୁ କରି ରଖିବେ। ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍, ଇକୋ ସିଷ୍ଟମ ସହ ଆବଶ୍ୟକ ସାମଗ୍ରୀ ରଖିବେ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ଅନୁପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି ସ୍ବାସ୍ଥ୍ୟ ବିଭାଗ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ବୟସ୍କ ଓ କୋମର୍ବିଡମାନେ ମାସ୍କ ବ୍ୟବହାର କରନ୍ତୁ। ଲୋକଙ୍କୁ ଆତଙ୍କିତ ନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଉନି। ହେଲେ ସମସ୍ତେ ନିଜେ ସଚେତନ ରୁହିବା ସହ ଗୁଜବରୁ ଦୂରେଇବାକୁ ଅନୁରୋଧ କରାଯାଇଛି।

କିଡନୀ ଦେବାକୁ କହି ଲୁଟିନେଲେ ୧୨ ଲକ୍ଷ ଟଙ୍କା

କଟକ: କଟକରେ କିଡନୀ ଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏନେଇ କଟକ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରିଛି। ଜଣେ ଅତିରିକ୍ତ ଡିସିପି ଏହାର ତଦନ୍ତକୁ ଅନୁଧ୍ୟାନ କରିବେ। ଖବର ଅନୁଯାୟୀ, ଜଣେ ରୋଗୀଙ୍କୁ କିଡନୀ ଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ଅଭିଯୁକ୍ତ ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି । କିଡନୀ ଦାନ ପାଇଁ ରହିଥିବା ନିୟମ ପାଳନ କରାଯାଇଛି କି ନାହିଁ, ତାହା ଅନୁଧ୍ୟାନ କରାଯାଉଥିବା କଟକ ଡିସିପି ପିନାକି ମିଶ୍ର କହିଛନ୍ତି । ଗତକାଲି କିଡନୀ ଦେବା ନାଁରେ ଟଙ୍କା ଠକିବା ଅଭିଯୋଗରେ ରାଣୀହାଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ ସ୍ଥାନୀୟ ବାସିନ୍ଦା।

ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କୁ କୀଡନୀ ଦେବାକୁ କହିଥିଲେ ଅନୁଗୁଳ ଜିଲ୍ଲାର ମାର୍କଣ୍ଡ ନାଥ ନାମକ ବ୍ୟକ୍ତି । କେନ୍ଦୁଝର ଜିଲ୍ଲାର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ଖରାପ ହେବା ପରେ ମାର୍କଣ୍ଡ ତାଙ୍କ ପତ୍ନୀଙ୍କ କିଡନୀ ଦେବା ପାଇଁ କହିଥିଲେ। ଏହା ପରେ କୁଟୁଲଙ୍କ ଠାରୁ ମାର୍କଣ୍ଡ ୯ ଲକ୍ଷ ୫୦ ହଜାର ଟଙ୍କା ଓ ଅତିରିକ୍ତ ୩ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ଧରା ଛୁଆଁ ଦେଇନଥିଲେ । ଗତକାଲି କୁଟୁଲ ଓ ତାଙ୍କର ପତ୍ନୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କୁ ଅଟକ ରଖିଥିଲେ।

ଏନଏଚରେ ରାତିରେ ଟ୍ରକ୍ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ୱର : ଏନଏଚରେ ରାତିରେ ଟ୍ରକ୍ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’। ଢ଼ାବାରେ ମଧ୍ୟ ବିଶ୍ରାମ ନେଇପାରିବେ ଡ୍ରାଇଭର। ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ସରକାରଙ୍କ ତରଫରୁ ମାଗଣା ଚା’ ଦିଆଯିବ। ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ବଡ଼ ପଦକ୍ଷେପ। ରାତିରେ ମାଗଣା ଚା’ ଦେବାକୁ ଏନଏଚ୍ ପାଖରେ ଥିବା ହୋଟେଲ ଢାବା ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଛି। ଗାଡ଼ି ଚାଳକଙ୍କୁ ଚା’ ଦେବା ସହ ବିଶ୍ରାମ ପାଇଁ ଉତ୍ସାହିତ କରିବେ। ଫଳରେ ଗାଡ଼ି ଚାଳକଙ୍କ ନିଦ ସମସ୍ୟା ଓ ସେଥିପାଇଁ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ।

ଅପରପଟେ, ପ୍ରତି ଜିଲ୍ଲାରେ ହେଉଛି ଟ୍ରକ୍ ଟର୍ମିନାଲ। ସମସ୍ତେ ସଚେତନ ହେଲେ ସଡ଼କ ଦୁର୍ଘଟଣା କମିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ଆଣବିକ ବୋମା ପକାଇବାକୁ ଧମକ ଦେଲେ କିମ୍

ପ୍ୟୋଙ୍ଗୟାଙ୍ଗ: ମତେ ବେଶି ବିରକ୍ତ କଲେ ମୁଁ ଆଣବିକ ବୋମା ପକାଇଦେବି। ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଏଭଳି ମନ୍ତବ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ଗୁରୁବାର ଏହି ସୂଚନା ସାମ୍ନାକୁ ଆସିଛି। ଉତ୍ତର କୋରିଆର ନେତା କହିଛନ୍ତି ଯଦି କୌଣସି ଶତ୍ରୁ ପରମାଣୁ ଅସ୍ତ୍ରରେ ବ୍ୟବହାର କରିବାକୁ ଚେତାବନୀ ଦିଅନ୍ତି ତେବେ ଉତ୍ତର କୋରିଆ ଆଣବିକ ଆକ୍ରମଣ କରିବାକୁ ପଛାଇବ ନାହିଁ । ନିକଟରେ ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନେଇ କିମ ସୈନ୍ୟଙ୍କୁ ଭେଟି ବୈଠକରେ ଏହା କହିଛନ୍ତି । କ୍ଷେପଣାସ୍ତ୍ର ଉତକ୍ଷେପଣରେ ଉତ୍ତର କୋରିଆ କଠିନ ଇନ୍ଧନ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ବ୍ୟବହାର କରିଛି। ଏହାର ଲଞ୍ଚକୁ ନେଇ ଜାପାନ ଉଦବେଗ ପ୍ରକାଶ କରିଥିଲା।

କୁହାଯାଉଛି ଆମେରିକା ଏବଂ ଦକ୍ଷିଣ କୋରିଆ ଏକତ୍ର ଆଣବିକ ଯୋଜନା ପ୍ରସ୍ତୁତ କରୁଥିବା ଦୃଷ୍ଟିରୁ ଉତ୍ତର କୋରିଆ ଏହି ଲଞ୍ଚ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛି। ନିକଟରେ ଆମେରିକା ଏବଂ ଦକ୍ଷିଣ କୋରିଆର ସୈନିକମାନେ ମିଳିତ ସମରାଭ୍ୟାସରେ ଭାଗ ନେଇଥିଲେ।

ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର ବରିଷ୍ଠ କୂଟନୀତିଜ୍ଞମାନେ ଉତ୍ତର କୋରିଆର ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନିନ୍ଦା କରିଛନ୍ତି ଏବଂ ଉତ୍ତର କୋରିଆକୁ ବିନା ସର୍ତ୍ତରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ।

ଲୋକାର୍ପଣ ହେବ ବୈତରଣୀ ନଦୀ ବ୍ୟାରେଜ ପ୍ରକଳ୍ପର ବାମପାର୍ଶ୍ଵ କେନାଲ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନବନିର୍ମିତ ବୈତରଣୀ ନଦୀ ବ୍ୟାରେଜ ପ୍ରକଳ୍ପର ବାମପାର୍ଶ୍ଵ କେନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ୫ ଶହ କୋଟି ଟଙ୍କାରେ ନିର୍ମିତ ଏହି କେନାଲରେ ପ୍ରଥମ ପର୍ଯ୍ୟାୟରେ ୧୮ କିଲୋମିଟର ବିଦ୍ୟାଧରପୁର ଆନିକଟ ଯାଏଁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି କେନାଲ କାର୍ଯ୍ୟକ୍ଷମ ହେବା ପରେ ହଜାର ହଜାର ଚାଷୀ ଉପକୃତ ହେବେ।

୫୦ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ: କମିଶନରେଟ ପୋଲିସ ଜାଲରେ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ

ଭୁବନେଶ୍ୱର : ଡିସକାଉଣ୍ଟରେ କାର୍‌ ଦେବାକୁ କହି ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ କମିଶନରେଟ୍‌ ପୋଲିସ କବଜାରେ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ ଅକ୍ଷୟ ଗୌଡ଼ ଓ ସ୍ତ୍ରୀ ଉଷାରାଣୀ ବାରିକ ଅଟକ। ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, କ୍ଲିଅରାନ୍ସ ସେଲରେ ୫୦ ପ୍ରତିଶତ ରିହାତିରେ କାର୍‌ ବିକିବାକୁ ଦେଉଥିଲେ ଲୋଭନୀୟ ପ୍ରତିଶ୍ରୁତି। ମିଛ ଫଟୋ ଓ ଡକ୍ୟୁମେଣ୍ଟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ଏକାଧିକ ପୋଲିସ ଅଧିକାରୀ ମଧ୍ୟ ଠକେଇର ଶିକାର ହୋଇଛନ୍ତି। ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର  ଓ କ୍ୟାପିଟାଲ ଥାନାରେ ଅଭିଯୁକ୍ତଙ୍କ ନାଁରେ ମାମଲା ରହିଛି। ଠକେଇ ନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା।

ସର୍ବବୃହତ୍ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ଡାଉନ୍

ବ୍ୟୁରୋ ରିପୋର୍ଟ : ବିଶ୍ବର ଅନ୍ୟତମ ସର୍ବବୃହତ୍ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଆଜି ସକାଳଠାରୁ ଡାଉନ୍ ରହିଛି । ଦିନ ୧୧ଟା ପରଠାରୁ Xର ଓ୍ବେବସାଇଟ୍ ଖୋଲୁନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଲକ୍ଷାଧିକ ୟୁଜର ଅସନ୍ତୋଷ ପ୍ରକାଶ କରିବା ସହ ଏକ୍ସ ତଥା ଟ୍ବିଟର ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ସର୍ଭରରେ ଗ୍ଲିଚ୍ କାରଣରୁ ଏଭଳି ହୋଇଥିବା କିଛି ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି।

ଟ୍ବିଟରକୁ ଏଲନ ମସ୍କ ଅଧିଗ୍ରହଣ କରିବା ପରଠାରୁ ୩ ଥର ଏଭଳି ଟେକ୍ନିକାଲ୍ ଗ୍ଲିଚ୍ ଦେଖିବାକୁ ମିଳିଲାଣି। ଗତ ମାର୍ଚ୍ଚ ୫ ତାରିଖରେ ଇଂଲଣ୍ଡ ଏବଂ ଆମେରିକାର ୟୁଜର ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜୁଲାଇ ମାସରେ ମଧ୍ୟ ସର୍ଭର ଡାଉନ୍ ହୋଇଥିଲା। ଟ୍ବିଟର ଡାଉନ୍ ହେବା କାରଣରୁ କୌଣସି ପ୍ରକାରର ପୋଷ୍ଟିଂ ସମ୍ଭବପର ହେଉନାହିଁ ।

ପ୍ରେକ୍ଷାଳୟକୁ ଆସିଲା  ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି

ବ୍ୟୁରୋ ରିପୋର୍ଟ :  ପ୍ରେକ୍ଷାଳୟକୁ ଆସିଲା  ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି । ଫିଲ୍ମରେ ଶାହାରୁଖ ଖାନଙ୍କ ଦମଦାର ଆକ୍ଟିଙ୍ଗ୍ ସାଙ୍ଗକୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଛି। ଫିଲ୍ମ ରିଲିଜ ହେବା କ୍ଷଣିହିଁ ଦର୍ଶକଙ୍କର ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି। ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ତାପସୀ ପୁନ୍ନୁ, ବିକି କୌଶଲ ଏବଂ ବୋମାନ ଏକାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ଫାଷ୍ଟ ଡେ ଫାଷ୍ଟ ସୋରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସପ୍ସ ଦେଖିବାକୁ ମିଳିଛି। ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କରାଯାଇଥିଲା। ବୁଧବାର ପାଇଁ ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇ ସୂଚନା ମିଳିଛି। ଷ୍ଟୋରିରେ ଭରପୁର ମାତ୍ରାରେ ଇମୋସନ ସହିତ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରୁଛି।

ରାଜକୁମାର ହିରାନୀ ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତୀ । ତିନି ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖ୍ ଖାନଙ୍କ ଡଙ୍କି ଫିଲ୍ମ । ପ୍ରଥମେ ପଠାନ, ପରେ ଜୱାନ ଓ ଆଉ ଏବେ ଡଙ୍କି ।  ଫିଲ୍ମ ଆରମ୍ଭରୁ ସିନେମା ହଲରେ ଖଚାଖଚ ଭିଡ ସାଙ୍ଗକୁ ଦର୍ଶକ ସିନେମା ହଲ୍ ବାହାରେ ବାଣ ଫୁଟାଇ ନାଚୁଥିବା ଦେଖିବାକୁ ମିଳୁଛି। ସେଥିରୁ ଅନୁମାନ କରାଯାଉଛି ପଠାନ ଓ ଯବାନ ପରେ ଡଙ୍କିବି ଧୂମ ମଚାଇବ।

ମୋରମ ଚାଲାଣ ବେଳେ ଟ୍ରକ ଓଲଟି ଡ୍ରାଇଭର ମୃତ

ଗଞ୍ଜାମ: ବେଆଇନ ଭାବେ ମୋରମ ଚାଲାଣ ବେଳେ ଟ୍ରକ ଓଲଟି ଡ୍ରାଇଭର ମୃତ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣା ପାହାଡ଼ରୁ ଟ୍ରକଟି ଓଲଟି ପଡ଼ିଲା । ତହସିଲଦାରଙ୍କ ବିନା ପରିମିଶନରେ ଏହି ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲଣ ହେଉଥିଲା ।  ଆଜି ସକାଳୁ ମୋରମ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସେପଟେ ବେଆଇନ ମୋରମ ଚାଲାଣ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।