spot_img
Home Blog Page 2406

ସୁନ୍ଦରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ୍: ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୩ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୨୯୫ରେ ।

ସେପଟେ ସୁନ୍ଦରଗଡ଼ରେ ପହଞ୍ଚି ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ୬ ଜଣିଆ ଟିମରେ କେନ୍ଦ୍ରର ୪ ଜଣ ଓ ରାଜ୍ୟର ୨ ଜଣ ସଦସ୍ୟ ଅଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ତଦନ୍ତକାରୀ ଟିମ୍ ।

ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଓ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି ।

ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା: ଆଜି ମାଆବାପା ଓ ନବଜାତର ଡିଏନଏ ଟେଷ୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ବିବାଦ ଘଟଣା । ୫ ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପର ହେବାକୁ ଯାଉଛି ଅନ୍ତ । ଆଜି ହେବ ଡିଏନ୍ଏ ଟେଷ୍ଟ । କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।

ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ ଓ ତାଙ୍କ ପତ୍ନୀ ଏବଂ ନବଜାତ ଶିଶୁର ସାମ୍ପୁଲ ଫରେନସିକ୍ ଲାବରେଟୋରୀ ପକ୍ଷରୁ ସଂଗ୍ରହ କରାଯିବ । ଏହି ଡିଏନ୍ଏ ସାମ୍ପୁଲକୁ ପରୀକ୍ଷା ଲାଗି ପଠାଯିବ । ରିପୋର୍ଟ ଆସିବା ପରେ ଶିଶୁକନ୍ୟା କାହାର ସ୍ପଷ୍ଟ ହୋଇଯିବ । ନବଜାତ ଶିଶୁ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତରୀ ଟିମ ପକ୍ଷରୁ କୁହାଯାଇଛି । ସେପଟେ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଗତ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ଏକ ପିଲାକୁ ଜନ୍ମ ଦେଇଥିଲେ । ପ୍ରାଣକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ତାଙ୍କର ପୁଅ ହୋଇଥିବା ସୂଚନା ଦିଆଯାଇଥିଲା । ହେଲେ ପିଲାର ଫଟୋ ଉଠାଇବା ବେଳେ ସେ ପିଲାଟି ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ । ଏନେଇ ସେ ତା’ ପରଦିନ ଅର୍ଥାତ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାସହ ଡିଏନଏ ଟେଷ୍ଟ ପାଇଁ ଦାବି ଜଣାଇଥିଲେ ।

ବାନ୍ଧବୀର ଭାବି ସ୍ବାମୀଙ୍କ ପାଖକୁ ଯୁବତୀ ପଠାଇଲେ ଅଶ୍ଳିଳ ଫଟୋ, ତା’ପରେ…

କାନପୁର: କଥାରେ ଅଛି ଶହେ ଶତ୍ରୁଙ୍କଠାରୁ ଜଣେ ବିଶ୍ବାସଘାତକ ସାଙ୍ଗ ଭୟଙ୍କର । ଏହି କଥା କାନପୁରରେ ହୋଇଛି ସତ । ଜଣେ ଯୁବତୀଙ୍କ ବିବାହ ଠିକ ହୋଇ ସାରିଥିବା ବେଳେ ଭାବି ସ୍ବାମୀଙ୍କ ପାଖକୁ ଯୁବତୀଙ୍କ ବାନ୍ଧବୀ ଅଶ୍ଳିଳ ଫଟୋ ପଠାଇ ବାହାଘର ଭାଙ୍ଗିବାକୁ କରିଥିଲେ ଚେଷ୍ଟା । ହେଲେ ଯୁବକ ଜଣଙ୍କ ଉକ୍ତ ଫଟୋକୁ ବିଶ୍ବାସ ନକରି ଭାବି ପତ୍ନୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏହାସହ ପୋଲିସରେ ଏତଲା ଦେଇଥିଲେ । ଘଟଣା କାନପୁରର ବାଦଶାହୀ ନାକା ଅଞ୍ଚଳର ।

ସୂଚନା ଅନୁସାରେ ଦୁଇ ଯୁବତୀ ଡିଗ୍ରୀ କଲେଜରେ ଏକାଠି ପଢ଼ନ୍ତି । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ଦେଢ଼ ମାସ ପୂର୍ବରୁ ଜଣଙ୍କର ବିବାହ ଠିକ ହୋଇଥିଲା । ମଙ୍ଗନ କାର୍ଯ୍ୟକ୍ରମରେ ମଧ୍ୟ ଯୁବତୀ ଜଣଙ୍କ ସାମିଲ ହୋଇଥିଲେ । ମଙ୍ଗନ ଉତ୍ସବରେ ଭରପୂର ମଜା ଉଠାଇବା ସହ ସାଙ୍ଗର ବହୁତ ଫଟୋ ଉଠାଇଥିଲେ । ହେଲେ ସେ ଏହି ଫଟୋ କ’ଣ କରିବ ତାହା ତାଙ୍କ ବାନ୍ଧବୀଙ୍କୁ ଜଣା ନଥିଲା ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସତ ପଦାକୁ ଆସିଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରିଥିବା ଭାବି ଦମ୍ପତି ଯୁବତୀଙ୍କୁ କ୍ଷମା କରିଦେଇଥିଲେ ।

ଆଗାମୀ ଦୁଇ ଦିନ ସାରା ଓଡ଼ିଶାରେ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଆଜି ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ଦୁଇଦିନ ଯାଏଁ ସାରା ଓଡିଶାରେ ପ୍ରବଳ ବର୍ଷା । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ।

ଏହାସହ ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଓ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ବାର୍ଥ ସାର୍ଟିଫିକେଟ ହେବ ଏକକ ଦସ୍ତାବିଜ: ଏସବୁ କ୍ଷେତ୍ରରେ ହେବ ପ୍ରମାଣପତ୍ର

ନୂଆଦିଲ୍ଲୀ: ଆଜିଠୁ ଜନ୍ମଗତ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ । ଶିକ୍ଷାନୁଷ୍ଠାନରେ ଆଡମିସନ, ବିବାହ ପଞ୍ଜିକରଣ, ଡ୍ରାଇଭର ଲାଇସେନ୍ସ, ସରକାରୀ ଚାକିରି ଆଦି କ୍ଷେତ୍ରରେ ଆବଶ୍ୟକ ହେବ ଜନ୍ମଗତ ପ୍ରମାଣପତ୍ର । ଆଜିଠାରୁ ଲାଗୁ ହେବ ଏହି ନିୟମ ।

କେନ୍ଦ୍ରୀୟ ଯୋଜନା ଓ ସେବା କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି କୁହାଯାଇଛି । ସେପ୍ଟେମ୍ବର ୩୦ରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୩ କାର୍ଯ୍ୟକାରୀ ହେବା ପରେ ଏନେଇ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଏହି ଆଇନ କାର୍ଯ୍ୟକାରୀ ହେବା ପଛରେ ରହିଛି କେତେକ କାରଣ । ଏହାଦ୍ବାରା ଦେଶର ଜନସଂଖ୍ୟାଜନିତ ସର୍ଭେ କ୍ଷେତ୍ରରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ସହାୟକ ହେବ । ପଞ୍ଜିକୃତ ଜନ୍ମ-ମୃତ୍ୟୁ ନେଇ ଏକ ଜାତୀୟ ଡାଟାବେସ ପ୍ରସ୍ତୁତିରେ ବି ଏହା ସହାୟକ ହେବ । ରାଜ୍ୟ ଦ୍ବାରା ନିଯୁକ୍ତ ଚିଫ ରେଜିଷ୍ଟ୍ରାର ଓ ରାଜ୍ୟ ଦ୍ବାରା ନିଯୁକ୍ତ ଆଞ୍ଚଳିକ ରେଜିଷ୍ଟ୍ରାରଙ୍କ ନିକଟରେ ବି ତଥ୍ୟ ରହିବ । ରାଜ୍ୟସ୍ତରରେ ବି ଏକ ଡାଟାବେସ ରହିବ । ଏହି ଡାଟାବେସରେ ଅଣପ୍ରତିଷ୍ଠାନ ଭିତ୍ତିକ ପୋଷ୍ୟ ସନ୍ତାନ ଗ୍ରହଣ, ସରୋଗାସୀ, ଅବିବାହିତା ମାତାଠାରୁ ଜାତ ସନ୍ତାନ ଆଦିଙ୍କ ତଥ୍ୟ ରହିବ । ଜାତୀୟ ସ୍ତରରେ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ରାସନ କାର୍ଡ ଆଦି କ୍ଷେତ୍ରରେ ଏହି ଜାତୀୟ ଡାଟାବେସ ବି ପ୍ରସ୍ତୁତ ହେବ ।

ଆଜିଠୁ ଅନଲାଇନ ଗେମ୍ ହେବ ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନ ଗେମ୍ ଉପରେ ଲାଗୁଛି ହେଉଛି ୨୮ ପ୍ରତିଶତ ଜିଏସଟି । ଆଜିଠୁ ମହଙ୍ଗା ହେବ ଅନଲାଇନ୍ ଗେମ୍ । ଏହାସହ କାଜିନୋ ଓ ହର୍ସ ରେସିଙ୍ଗ ଉପରେ ନୂତନ ଜିଏସଟି ହାର ଲାଗୁ ହେଉଛି । ଗତ ଜୁଲାଇ ଏବଂ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ପରିପ୍ରେକ୍ଷୀରେ ସଂଶୋଧନ ମଧ୍ୟ ଗତ ମାସରେ ସଂସଦ ଦ୍ବାରା ପାରିତ ହୋଇଛି । ଏହା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ଜିଏସଟି ହାରର ସମୀକ୍ଷା ଛଅ ମାସ ପରେ କରାଯିବ  । ତେବେ ଜିଏସଟି ଲାଗୁ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଗେମିଂ କମ୍ପାନୀ କହିଛନ୍ତି ।

ତାମିଲନାଡ଼ୁରେ ବଡ଼ଧରଣର ଦୁର୍ଘଟଣା, ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍, ୮ ମୃତ

ଚେନ୍ନାଇ: ତାମିଲନାଡ଼ୁରେ ବଡ଼ଧରଣର ସଡ଼କ ଦୁର୍ଘଟଣା । ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ତାମିଲନାଡ଼ୁର କୁନ୍ନର ସ୍ଥିତ ମାରାପଲମ ପାଖରେ ଖାଇକୁ ବସ୍ ଖସିପଡ଼ିବା ଫଳରେ ୩୫ ଜଣ ଆହତ ହୋଇଛନ୍ତି । ସେହିପରି ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ବସ୍ ଉଟିରୁ ମେଟ୍ଟୁପାଲୟମ ଅଭିମୁକେ ଯାତ୍ରା କରୁଥିଲା । ବସରେ ୫୫ ଯାତ୍ରୀ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ କୁନ୍ନୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ । ଆହତଙ୍କୁ ବଞ୍ଚାଇବା ସହ ହସ୍ପିଟାଲ ପଠାଇଥିଲେ । ଘଟଣାକୁ ନେଇ କୋଏମ୍ବଟୁର ଜୋନର ଡିଆଇଜି ସରଭଣ ସୁନ୍ଦର କହିଛନ୍ତି, ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ସେହିଭଳି କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବେ ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଡ୍ରାଇଭର ବସ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ, ଯେଉଁକାରଣରୁ ବସ୍ କୁନ୍ନୁର ପାଖ ମରାପଲମରେ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ତେବେ ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବାବେଳେ ୫ଜଣ ପୁରୁଷ ସାମିଲ ଅଛନ୍ତି । ଏହାରି ମଧ୍ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୮ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ଏସୀୟ କ୍ରୀଡ଼ା: ପାକିସ୍ତାନକୁ ରେକର୍ଡ ବ୍ୟବଧାନରେ ହରାଇଲା ଭାରତୀୟ ହକି ଦଳ

ହଙ୍ଗଝୋଉ: ଅଧିନାୟକ ହରମନପ୍ରୀତ ସିଂଙ୍କ ଚାରୋଟି ଗୋଲ ସହାୟତାରେ ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ାରେ ପାକିସ୍ତାନକୁ ବଡ଼ ବ୍ୟବଧାନ ୧୦-୨ରେ ପରାଜିତ କରିଛି । ଏହି ବୃହତ ବିଜୟ ସହ ଭାରତ ସେମିଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି । ପାକିସ୍ତାନ ବିପକ୍ଷରେ ଗୋଲ ବ୍ୟବଧାନ ହିସାବରେ ଏହା ଭାରତର ସବୁଠୁ ବଡ଼ ବିଜୟ ଅଟେ । ହରମନପ୍ରୀତ ୧୧ତମ ମିନିଟ, ୧୭ତମ, ୩୩ତମ ଏବଂ ୩୪ତମ ମିନିଟରେ ଗୋଲ୍ କରିଥିଲେ । ସେହିପରି ବରୁଣ କୁମାର (୪୧ତମ ଏବଂ ୫୪ତମ ମିନିଟ) ଦୁଇଟି ଗୋଲ୍ କରିଥିଲେ ।

ମନଦୀପ ସିଂ (୮ତମ ମିନିଟ, ସୁମିତ (୩୦ତମ ମିନିଟ), ରାମେଶ୍ୱର ସିଂ (୪୬ତମ ମିନିଟ) ଏବଂ ଲଲିତ କୁମାର (୪୯ତ ମିନିଟ) ଗୋଲ୍ କରିଥିଲେ । ପାକିସ୍ତାନ ବିପକ୍ଷରେ ଭାରତର ଏହା ପୂର୍ବରୁ ବଡ଼ ବିଜୟର ବ୍ୟବଧାନ ୨୦୧୭ରେ ୭-୧ ଥିଲା । ପାକିସ୍ତାନ ମଧ୍ୟ ଏହି ବ୍ୟବଧାନରେ ଭାରତ ବିରୋଧରେ ସବୁଠୁ ବଡ଼ ବିଜୟ ଲାଭ କରିଥିଲା । ପାକିସ୍ତାନ ଏହି ବିଜୟ ୧୯୮୨ରେ ଦିଲ୍ଲୀରେ ହୋଇଥିଲା ଏସିଆନ ଗେମ୍ସର ଫାଇନାଲରେ ହାସଲ କରିଥିଲା । ଭାରତ ଶନିବାର ୪୧ ବର୍ଷ ପୂର୍ବର ସେହି ଅପମାନଜନକ ପରାଜୟର ପ୍ରତିଶୋଧ ନେଇଛି । ଭାରତୀୟ ଦଳ ଲଗାତାର ଚାରି ବିଜୟ ପରେ ୧୨ ଅଙ୍କ ସହ ପୁଲ-ଏରେ ନିଜର ଶୀର୍ଷ ସ୍ଥାନ ପକ୍କା କରିନେଇଛି । ଦଳକୁ ନିଜର ଶେଷ ମୁକାବିଲାରେ ୨ ଅକ୍ଟୋବରରେ ବାଂଲାଦେଶକୁ ସାମ୍ନା କରିବାକୁ ଅଛି ।

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଗାଡିରେ ୧ ଲକ୍ଷ ୩୫ ହଜାର ନେଇ ଯିବାବେଳେ ସୁନୀଲଙ୍କୁ ଧରିଲା ଭିଜିଲାନ୍ସ । ସିଡିଏ ସେକ୍ଟର-୧୧ ମଧୁସୂଦନ ସେତୁ ନିକଟରେ ଭିଜିଲାନ୍ସ ରେଡ୍ କରିଥିଲା । ପାଖରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଓ ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୁନୀଲ । ପରେ ଟଙ୍କା ଜବତ କରିବା ସହିତ ସୁନୀଲଙ୍କ ୫ଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉ ବେଳେ ତାଙ୍କ ଘରୁ ୮ଲକ୍ଷ ୭୦ ହଜାର ଟଙ୍କା ସହିତ ମୋଟ ୧୦ ଲକ୍ଷ ୧୫ଶହ ୩୫ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିକାଶରେ ସ୍ବର୍ଣ୍ଣିମ ଯୁଗ । ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ । ମୋଟ୍‌ ୩ ହଜାର ୬ ଶହ ୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ । ଏହାଦ୍ବାରା ପ୍ରାୟ ୧୩ ହଜାର ୬ ଶହ ୬୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଏହା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ହଂକଂର ପୋଷାକ ନିର୍ମାତା “ଏପିକ୍ ଗ୍ରୁପ୍” ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯାଉଛି ।

“ଏପିକ୍ ଗ୍ରୁପ୍” ଗ୍ରୁପର ସହାୟକ ସଂସ୍ଥା “ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍” ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬ ଦଶମିକ ୮୫ କୋଟି ଟଙ୍କା ବିନିଯୋଗ କରିବ । ଖୋର୍ଦ୍ଧାରେ ୭ ହଜାର ୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରର ଉନ୍ନତି କରିବାକୁ ଯାଉଛନ୍ତି । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ ଭଳି ଅନେକ କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।

କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଏବଂ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ଯଥାକ୍ରମେ ୨୯୭ ଦଶମିକ ୬୧ କୋଟି ଟଙ୍କା ଏବଂ ୨୧୫ କୋଟି ଟଙ୍କା ବିନିଯୋଗ କରି ସୌର ଶକ୍ତି ପ୍ଲାଣ୍ଟ ଆରମ୍ଭ କରୁଛନ୍ତି । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି ।

ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ମିଳିଛି ପ୍ରୋତ୍ସାହନ । ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଞ୍ଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଇଛି । ୧୦ଟି ଜିଲ୍ଲାରେ ଏହି ସବୁ କ୍ଷେତ୍ରରେ ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।