spot_img
Home Blog Page 2407

ସାନ୍ତାଳୀ-ଓଡିଆ-ଇଂରାଜୀ ଶବ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆହୁରି ସମୃଦ୍ଧ ହେବ ସାନ୍ତାଳୀ ଭାଷା । ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ବିଭିନ୍ନ ଜନଜାତି ଭାଷାରେ ପ୍ରାଥମିକ ଶିକ୍ଷାର ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଛି । ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ ।

ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସାନ୍ତାଳୀ ଭାଷାବିତ୍, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ବିଶିଷ୍ଟ ସାନ୍ତାଳୀ ଭାଷାବିତ୍ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି । ସାନ୍ତାଳୀ ଭାଷା ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି । ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି ।

ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍ ଲାଇନରେ ଉପଲବ୍ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ପ୍ରତି ଜିଲ୍ଲାରେ ଭାଷାଗତ ଗବେଷଣାଗାର ସ୍ଥାପନ କରାଯିବ । ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ।

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ ଟି ସାଇବର ସୁରକ୍ଷା ରଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି ।

ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ । ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ଡିଜିପି ସୁନିଲ କୁମାର ବଂଶଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ ସ୍ବାଗତ କରାଯିବ । ପ୍ରତିଦିନ ଅତି କମ୍ ରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହାସହ ବ୍ଲକ୍‌ ଓ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯିବ । ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ Mini Marathon ଆୟୋଜନ କରାଯିବ ।

୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ evening walk କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୫ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ ଉପସ୍ଥିତ ରହିବେ । ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିବେ।

ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ । ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି ମହିଳା ବିଜୁ ଜନତା ଦଳ । ହଜାର ହଜାର ମହିଳା ମହମବତୀ ଶୋଭାଯାତ୍ରା କରି ବିଜେପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଉଛନ୍ତି । ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମହିଳା ସଶକ୍ତିକରଣକୁ ଗ୍ରହଣ କରିପାରୁନାହିଁ ବିଜେପି ।

ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି ବିଜେପି କଳା ଅଧ୍ୟାୟ ସୃଷ୍ଟି କରିଛି । ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଦୁଇ ବିଜେପି ବିଧାୟକ ଅସମ୍ମାନ କଲେ ତାହାକୁ ନିନ୍ଦା କରିଛି ବିଜେଡି । ହଜାର ହଜାର ମହିଳା ଏକତ୍ରିତ ହୋଇ ବିଜେପିର ଏଭଳି ଘୃଣ୍ୟ ଆଚରଣକୁ ସମାଲୋଚନା କରିଛନ୍ତି । ମହିଳାମାନେ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ସଂରକ୍ଷଣ ବିଲକୁ ପାସ କରାଇଛନ୍ତି ହେଲେ ରାଜ୍ୟରେ ବିଜେପି ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି । ଯାହାକି ବିଜେପି ନେତାଙ୍କ ଅସଲ ଚେହେରା ବୋଲି ବିଜେଡି କହିଛି । ଏଭଳି ଆଚରଣ ପାଇଁ ଦୁଇ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ମହିଳା ।

ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ନକଲି କସମେଟିକ ସାମଗ୍ରୀ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ । 5ଟି ଦୋକାନରୁ ବିପୁଳ ପରିମାଣର ନକଲି କସମେଟିକ ସାମଗ୍ରୀ ଜବତ । ହିନ୍ଦୁସ୍ତାନ ୟୁନିଲିଭର କାମ୍ପାନୀର କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସର ଚଢ଼ାଉ । ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଡାଉ କରି ନକଲି କସମେଟିକ୍ ସାମଗ୍ରୀ ଜବତ କରାଯାଇଛି ।

ବଡ଼ ବଜାର ଖାସପା ସାହିରେ ଥିବା ଓମ ଷ୍ଟୋରରୁ ୪୬୧ଟି ନକଲି ଲାକମି କସମେଟିକ୍ , ଶ୍ରୀ ସାଇ ଟ୍ରେଡିଂ କୋ’ ରୁ ୫୫୩ଟି ଲାକମେ ନକଲି କସମେଟିକ୍, ଭାପୁର ବଜାରର ମନ ପସନ୍ଦ ଦୋକାନରୁ ୮୦୭ଟି ନକଲି କସମେଟିକ୍, ଖୁସି ଲେଡିସ କର୍ଣ୍ଣର ଓ ଭି-୨ ମଲରୁ ୫୧ଟି ନକଲି କସମେଟିକ୍ ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ ସୂଚନା । ଦାମୀ କମ୍ପାନୀର ବ୍ରାଣ୍ଡ ଲଗାଇ ନକଲି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଉଭୟ ବଡ଼ ବଜାର ଓ ଟାଉନ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ ପରେ ତଦନ୍ତ ଜାରି ରହିଛି ।

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ, ୩ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାହେବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଉପକୁଳ ଓଡ଼ିଶାର ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ୧ ତାରିଖଠୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ଠାରୁ ୩ ପ୍ରତିଶତ ନିଅଣ୍ଟିଆ ରହିଛି । ରାଜ୍ୟର ତିନି ଜିଲ୍ଲା ଢେଙ୍କାନାଳ, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ତିନି ଜିଲ୍ଲା ପୁରୀ,କେନ୍ଦ୍ରାପଡା, ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି ।

ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି । ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଅବଧି । ଦୁଇ ହଜାର ଟଙ୍କିଆ ବଦଳ ଅବଧି ଆଜି ସରୁଥିଲା । ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ନୂଆ ଡେଡଲାଇନ ଶେଷ ହେବା ପରେ ଅର୍ଥାତ ୮ ଅକ୍ଟୋବର ୨୦୨୩ରୁ ୨ ହଜାର ଟଙ୍କିଆ ନୋଟକୁ ଜମା ବା ବଦଳାଇବା ପ୍ରକ୍ରିୟା ବନ୍ଦ କରିଦିଆଯିବ । ଅର୍ଥାତ ୨ହଜାର ଟଙ୍କିଆ ନୋଟ୍ ୮ ଅକ୍ଟୋବରରୁ ଅଚଳ ହୋଇଯିବ । ତେବେ ଗୋଟେ ଥରରେ ୨ହଜାର ଟଙ୍କିଆ ନୋଟ୍ ସର୍ବାଧିକ ୨୦ ହଜାର ଟଙ୍କା ଜମା କରାଯାଇପାରିବ ।

ଆପଣ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ୨ହଜାର ଟଙ୍କିଆ ବ୍ୟାଙ୍କ ନୋଟ୍ ମଧ୍ୟ ପଠାଇପାରିବେ । ଏହି କାର୍ଯ୍ୟାଳୟ ମଧ୍ୟରୁ କେଉଁଠାରେ ମଧ୍ୟ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟ ବିନା କୌଣସି ସୀମାରେ ଜମା କରିପାରିବେ । ଯଦି ୭ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ବା ଜମା ସ୍ୱୀକାର କରିବାକୁ ମନା କରନ୍ତି ତେବେ ଆପଣ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଏହାର ଅଭିଯୋଗ କରିପାରିବେ । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ୨୩ ତାରିଖରୁ ଆରମ୍ଭ ହୋଇଥିଲା ବଦଳି ବା ଜମା ପ୍ରକ୍ରିୟା । ଆଜି ଏହା ଶେଷ ହେବାର ଥିଲା ହେଲେ ଆରବିଆଇ ଏହି ଅବଧିକୁ ଆଉ ସପ୍ତାହେ ବଢ଼ାଇ ଦେଇଛି । ଏବେସୁଦ୍ଧା ୩.୫୬ ଲକ୍ଷ କୋଟିରୁ ୩.୪୨ ଲକ୍ଷ କୋଟି ୨୦୦୦ ଟଙ୍କିଆ ନୋଟ୍ ଫେରିଛି । ବର୍ତ୍ତମାନ ମାତ୍ର ୦.୧୪ ଲକ୍ଷ କୋଟି ଟଙ୍କାର ନୋଟ୍ ବଜାରରେ ରହିଛି ।

ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ବିଧାନସଭାରୁ ନିଲମ୍ବନ ଯଥାର୍ଥ: ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନକୁ ଯଥାର୍ଥ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ନିଲମ୍ବନ ଯଥାର୍ଥ । ଗୃହରେ ସବୁ କଥା ଉଠାଇବାର ସୁଯୋଗ ଅଛି । ଶାଳୀନତା ରଖା କରି ଗୃହର ମର୍ଯ୍ୟାଦା ରଖିବା ସଦସ୍ୟଙ୍କ କର୍ତ୍ତବ୍ୟ । ହେଲେ ସେମାନଙ୍କ ଆଚରଣ ଦୁଃଖଦାୟକ । ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ଯେଉଁ ଆଚରଣ କଲା, ସେଥିରୁ ସେମାନଙ୍କ ମାନସିକତା ଜଣାପଡୁଛି । ଏହା ନିନ୍ଦନୀୟ ବୋଲି ପ୍ରତାପ କହିଛନ୍ତି ।

ଏହା ବ୍ୟତୀତ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରିଛନ୍ତି । ପ୍ରତାପ କହିଛନ୍ତି, ଜୟନାରାୟଣ ଜୀବନ ପ୍ରତି ଯେଉଁ ବିପଦ କଥା କହୁଛନ୍ତି, ତାହା ପଲିଟିକାଲ ଡ୍ରାମା । ଏହା ବିହାର କି କାଶ୍ମିର ନୁହେଁ । ବିଜେପି ବିଧାୟକମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାହା ଶାଳୀନତା ବାହାରେ । ତାକୁ ଭିନ୍ନ ମୋଡ଼ ଦେବାକୁ ଜୟନାରାୟଣ ଏପରି କହୁଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ଦଳ

ହଙ୍ଗଝୋଉ: ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ପ୍ରତିଦିନ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଚୀନର ହଙ୍ଗଝୋଉରେ ଚାଲିଥିବା ଏହି କ୍ରୀଡ଼ାରେ ଶନିବାର ସ୍କ୍ୱାଶରେ ଭାରତୀୟ ପୁରୁଷ ଦଳକୁ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତୀୟ ଦଳ ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ଜିତିଛି । ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ପୂର୍ବରୁ ରୋହନ ବୋପନ୍ନା ଏବଂ ଋତୁଜା ଭୋସଲେ ଟେନିସ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ଭାରତର ମୋଟ ମେଡାଲ ସଂଖ୍ୟା ୩୬ରେ ପହଞ୍ଚିଛି । ଏଥିରେ ୧୦ ସ୍ୱର୍ଣ୍ଣ, ୧୩ ରୌପ୍ୟ ଏବଂ ୧୩ ବ୍ରୋଞ୍ଜ ସାମିଲ ଅଛି । ଭାରତୀୟ ମେଡାଲ ଟାଲିରେ ଚତୁର୍ଥ ସ୍ଥାନରେ ରହିଛି ।

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀଙ୍କୁ ମାରି ଗଡ଼ାଇଲେ ଭାରତୀୟ ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ପୁଣିଥରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଠାରେ ଭାରତୀୟ ସେନା ଏବଂ ପୋଲିସ ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ମାରି ଗଡ଼ାଇଛନ୍ତି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ କୁପୱାଡାର ମାଛିଲ ସେକ୍ଟରର କୁମକାରୀ ହ୍ୱାହାମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି । ଗୁରୁବାର ଏବଂ ଶୁକ୍ରବାର ରାତି ସମୟରେ ୨ ଆତଙ୍କବାଦୀ ପାକିସ୍ତାନ ସୀମା ଦେଇ ଭାରତୀୟ ସୀମାରେ ସୁରଙ୍ଗ ରାସ୍ତାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ।

ଭାରତୀୟ ସୀମାରେ ମୁତୟନ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତୀୟ ସେନାକୁ କୌଣସି ପ୍ରକାରର କ୍ଷତି ପହଞ୍ଚିନଥିବା ସୂଚନା । ଜମ୍ମୁ କାଶ୍ମୀର ପୋଲିସର ଇନପୁଟ ଆଧାରରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି । ଶବକୁ ଜବତ କରିବା ପାଇଁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ସୂତ୍ରଙ୍କ ମୁତାବିକ ଆହୁରି ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା ରହିଛି ।

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମସର ସପ୍ତମ ଦିବସରେ ଭାରତକୁ ଟେନିସରୁ ମିଳିଛି ଆଉ ଏକ ସ୍ବର୍ଣ୍ଣ  । ଇତିହାସ ରଚିଛି ଭାରତ  । ମିକ୍ସଡ ଡବଲସରେ ରୋହନ ବୋପାନ୍ନା ଓ ଋତୁଜା ଭୋସଁଲେ ଫାଇନାଲରେ ଚାମ୍ପିଅନ ହୋଇ ଗୋଲ୍ଡ ମେଡାଲ ହାତେଇଛନ୍ତି  । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଅଭିନନନ୍ଦନ ଜଣାଇବା ସହ ଆଗକୁ ଏହି ବିଜୟ ଧାରା ଜାରି ରହି ଦେଶ ପାଇଁ ଆହୁରି ଗର୍ବ ଆଣିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶନିବାର ସପ୍ତମ ଦିବସରେ ପ୍ରଥମ ପଦକ ସୁଟିଂରୁ ଆସିଥିଲା  । ସର୍ବଜୋତ ଏବଂ ଦିବ୍ୟା ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡରେ ରୌପ୍ୟ ହାତେଇଥିଲେ  । ଭାରତ ଏବେ ସୁଦ୍ଧା ସୁଟିଂରୁ ୧୯ଟି ମେଡାଲ ପାଇଥିବାବେଳେ ମୋଟ ୩୫ଟି ମେଡାଲ ଜିତି ୫ମ ସ୍ଥାନକୁ ଖସି ଆସିଛି  । ଗତକାଲି ସୁଦ୍ଧା ୮ଟି ସ୍ବର୍ଣ୍ଣ ହାସଲ କରି ଚତୁର୍ଥ ସ୍ଥାନରେ ଥିଲା  । ଆଜି ଟେନିସରୁ ନବମ ସ୍ବର୍ଣ୍ଣ ହାସଲ ସହ ଭାରତ ଏବେ ସୁଦ୍ଧା ୧୩ ରୌପ୍ୟ ଓ ୧୩ ବ୍ରୋଞ୍ଜ ପାଇଛି  ।