spot_img
Home Blog Page 2454

ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ଆଟାକ !

ନୂଆଦିଲ୍ଲୀ: ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ଆଟାକ । ପାକିସ୍ତାନ ଓ ଇଣ୍ଡୋନେସିଆର କେତେକ ପ୍ରମୁଖ ହ୍ୟାକର ଗ୍ରୁପ ଏକ ସାଇବର ପାର୍ଟି ଆୟୋଜନ କରୁଥିବା ଜଣାପଡ଼ିଛି । ଏନେଇ ସୂଚନା ମିଳିବା ପରେ ଦେଶରେ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ସାଇବର ସିକ୍ୟୁରିଟି ନେଇ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏହି ହ୍ୟାକର ଗ୍ରୁପରେ ୪ ହଜାରରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ରହିଛନ୍ତି । ବିଶେଷ କରି ଦେଶର ଡିଜିଟାଲ ଭିତ୍ତିଭୂମି ନଷ୍ଟ କରିବା ସେମାନଙ୍କ ଉଦ୍ଦେଶ୍ୟ ବୋଲି ବିଚାର କରିଛନ୍ତି ଗୁଇନ୍ଦା ବିଭାଗ ।

ବିଭିନ୍ନ ଓ୍ବେବସାଇଟରେ ଯେପରି ବେଆଇନ ଆକ୍ସେସ ହୋଇପାରିବ ନାହିଁ ସେଥିଲାଗି ଦିଆଯାଇଛି ଗୁରୁତ୍ବ । ଡାଟାଗୁଡିକର ସୁରକ୍ଷା ଲାଗି ସାଇବର ହାଇଜିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି । କେନ୍ଦ୍ରୀୟ ସଂସ୍ଥା ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ କ୍ଷେତ୍ରର ସାଇବର ଭିତ୍ତିଭୂମିକୁ ପ୍ରାଇମ ଟାର୍ଗେଟ କରାଯାଇଛି । ହ୍ୟାକର ଗ୍ରୁପର ଟାର୍ଗେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି । ପୂର୍ବରୁ ଏହି ଗ୍ରୁପର ୧୨ ହଜାର ସରକାରୀ ଓ୍ବେବସାଇଟଙ୍କୁ ଟାର୍ଗେଟ କରିଥିଲା । ଏହି ସଂଗଠନ ପକ୍ଷରୁ ଆମେରିକା, ସୁଇଡେନ ଓ ଇସ୍ରାଏଲ ଉପରେ ବି ସାଇବର ଆକ୍ରମଣ କରାଯାଇଥିଲା ।

୮ ଦିନ ପରେ ଛିଣ୍ଡୁନି ଅଙ୍କକଷା, କିଏ ହେବେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ?

ନନ୍ଦିଘୋଷ ବ୍ୟୁରୋ: ୮ ଦିନ ପରେ ବି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଛି ସସପେନ୍ସ । କିଏ ହେବ ରାଜସ୍ଥାନ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ବିଜେପି ଘୋଷଣା କରିଥିବାବେଳେ ଆଜି ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିପାରେ। ରାଜନାଥ ସିଂଙ୍କ ନେତୃତ୍ବରେ ୩ ଜଣିଆ ଟିମ ରାଜସ୍ଥାନ ପର୍ଯ୍ୟବେକ୍ଷକ ଭାବେ ଆଲୋଚନା କରୁଛନ୍ତି । ବସୁନ୍ଧରା ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ ନା ଆଉ କିଏ ହେବ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ସେହିପରି ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ନିଯୁକ୍ତ ହୋଇଛନ୍ତି ୩ ପର୍ଯ୍ୟବେକ୍ଷକ । ମଧ୍ୟପ୍ରଦେଶରେ ଶାସନ ବଜାୟ ରଖିଛି ବିଜେପି । ଏବେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ପୁଣି ବିଜୟ ହୋଇଛି । ତେବେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ତେଣୁ ମଧ୍ୟପ୍ରଦେଶରେ ନୂଆ ମୁହଁ ମିଳିବା ଆଶା କରାଯାଉଛି । ସୋମବାର ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି ।

ଆଜି ଆସିବ ଧାରା ୩୭୦ର ରାୟ

ନୂଆଦିଲ୍ଲୀ: ସୋମବାର ଆସିବ ଧାରା ୩୭୦ର ରାୟ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ହୋଇଥିବା ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ ।  ୨୦୧୯ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ କୋର୍ଟ ରାୟ ପ୍ରଦାନ କରିବେ । ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ । ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମାମଲାର ମାରାଥନ ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ୍ ସଞ୍ଜୟ କିଶାନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୫ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା  । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ ।

ବର୍ଷା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦

ଡର୍ବାନ: ଟସ୍ ପଡ଼ିବା ପୂର୍ବରୁ ମ୍ୟାଚ୍ ବାତିଲ । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବର୍ଷା ସାଜିଲା ବାଧକ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବାକୁ ଥିଲା । ମାତ୍ର ମ୍ୟାଚ ପୂର୍ବରୁ ପାଗ ଖରାପ ରହିଥିଲା । ବର୍ଷା କାରଣରୁ ଟସ ପଡ଼ିବାରେ ବିଳମ୍ବ ହୋଇଥିଲା । ଆଉଟ୍ ଫିଲ୍ଡ ଶୁଖି ନଥିବାରୁ ଶେଷରେ ମ୍ୟାଚ ବାତିଲ କରାଯାଇଛି । ସେପଟେ ବର୍ଷା ଛାଡ଼ିବାର ମଧ୍ୟ ନାଁ ନେଇନଥିଲା । ଏଣୁ ମ୍ୟାଚ ଆରମ୍ଭ ହେବା ଅସମ୍ଭବ ଥିଲା । ସୁପର ସଣ୍ଡେରେ ସୁପର ମ୍ୟାଚ ରହିଥିବାବେଳେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଆଶା ରଖିଥିଲେ କ୍ରିକେଟପ୍ରେମୀ । ମାତ୍ର ବର୍ଷା ସବୁ ଫିକା ପକାଇ ଦେଇଛି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ବିଜୟ ହୋଇଥିବାବେଳେ ଦମଦାର ଫର୍ମରେ ରହିଛି ଦକ୍ଷିଣ ଆଫ୍ରିକା । ଏଣୁ ଟି-୨୦ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଥିଲା ।

୨ଟି ସ୍ଥାନରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

ନନ୍ଦିଘୋଷ ବ୍ୟୁରୋ: ସାମାନ୍ୟ ଅସାବଧାନତାରୁ କ୍ଷେତରେ ଜଳିଗଲା ପାଚିଲା ଧାନ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ନାମ୍ପୋ, ବାଣିଦା ଓ ଓଲାଲପୁର ମୌଜାର ପ୍ରାୟ ୨୦ ଏକର ପାଚିଲା ଧାନ କ୍ଷେତରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ପୋଡି ନଷ୍ଟ ହେଇଯାଇଛି । ଅଲାଲପୁର ଗ୍ରାମର ଜଣେ ଚାଷୀ ତାଙ୍କ କ୍ଷେତରୁ ଧାନ ଅମଳ ପରେ ନଡାରେ ନିଆଁ ଲଗାଇଥିବା ବେଳେ ପବନରେ ଉଡ଼ି ପାଖ ଜମିରେ ପଡ଼ିଥିଲା । ଫଳରେ ପାଚିଲା ଧାନ କ୍ଷେତରେ ଲାଗିଯାଇଥିଲା ନିଆଁ । ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ବର୍ଷଯାକର ଫସଲ ଜଳିଯାଇଥିବାରୁ ଚିନ୍ତାରେ ଚାଷୀ ।

ଜମିରେ ଲାଗିଲା ନିଆଁ । ବହୁ ପରିମାଣର ଧାନ ପୋଡ଼ି ନଷ୍ଟ । ଅମଳ ପୂର୍ବରୁ ନିଆଁ ଲାଗି ପ୍ରାୟ ୩୦ ଏକର ଜମିରେ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । ପାରଳାଖେମୁଣ୍ଡି ସୀତାସାଗର ହିଡ଼ ନିକଟସ୍ଥ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଜମିରେ ଅଗ୍ନିକାଣ୍ଡ ଘଟିଛି । କ୍ଷୟକ୍ଷତିର ପରିମାଣ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ । ଏ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳେକୁ ପ୍ରାୟ ୩୦ ଏକର ଜମିରେ ନିଆଁ ବ୍ୟାପି ଧାନ ପୋଡ଼ି ଯାଇଥିଲା।

ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ, ମାହୁନ୍ତକୁ କଚାଡି ପଳାଇଗଲା ହାତୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ମାହୁନ୍ତକୁ କଚାଡି ପଳାଇଗଲା ହାତୀ । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି ।  ଯାତ୍ରାରୁ ବାହାରି ହାତୀଟି ଗାଁ ମୁହାଁ ହୋଇଥିବା ଜଣାପଡିଛି । ଆଜି ଧନୁଯାତ୍ରାର ଚତୁର୍ଥ ରାତି ହୋଇଥିବାବେଳେ କଂସ ମହାରାଜଙ୍କ ପାଇଁ ଆସିଥିଲା ହାତୀ । ମାହୁନ୍ତ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବୋଲ ନମାନି ହାତୀଟି ମାହୁନ୍ତଙ୍କୁ କଚାଡ଼ି ସେଠାରୁ ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ସଂଧାନ ମିଳି ନଥିବାବେଳେ ରାତି ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ହାତୀଟି ଚାଲିଯାଇଥିବାରୁ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ନିଖୋଜର ୨ ମାସ ପରେ ଉଦ୍ଧାର ହେଲା କଙ୍କାଳ

ଫୁଲବାଣୀ: ନିଖୋଜର ୨ ମାସ ପରେ ଉଦ୍ଧାର ହେଲା କଙ୍କାଳ । କନ୍ଧମାଳ ଜିଲ୍ଲା ଉର୍ମାଗଡ଼ ଜଳପ୍ରପାତରେ ଖସି ପଡ଼ିଥିବା ଦଶମ ଶ୍ରେଣୀ ଛାତ୍ରଙ୍କ କଙ୍କାଳ ଉଦ୍ଧାର କରିଛି ଗୋଛlପଡ଼l ପୋଲିସ । କଟ୍ରିଙ୍ଗିଆ ପଞ୍ଚାୟତ ନାକଡିସ ଗାଁର ଲିଙ୍ଗରାଜ ବେହେରାଙ୍କ ପୁଅ ରାଖାଲ ଗତ ଅକ୍ଟୋବର ୮ ରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଯାଇଥିଲେ । ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ଜଳପ୍ରପାତରେ ଖସି ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ ମୃତଦେହ ଉଦ୍ଧାର ହୋଇ ପାରି ନଥିଲା । ରବିବାର ସକାଳେ ଗାଁର କିଛି ଲୋକ ମାଛ ଧରିବା ପାଇଁ ନଦୀକୁ ଯାଇଥିବା ବେଳେ ପଥର ସନ୍ଧିରେ କଙ୍କାଳ ଲାଗିଥିବା ଦେଖିବାକୁ ପାଇଥିଲେ । କଙ୍କାଳରେ ଲାଗି ଥିବା ପୋଷାକରୁ ଏହା ରାଖାଲଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଗୋଚ୍ଛାପଡ଼ା ଥାନା ପୋଲିସ କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

ଭୁବନେଶ୍ବର: ଝାରଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ ଆଇଟି ରେଡ ଜାରି ରହିଥିବା ବେଳେ ତାଙ୍କର ଏକ ଟୁଇଟ ଏବେ ଭାଇରାଲ ହେଉଛି  । ୧୨ ଅଗଷ୍ଟ ୨୦୨୨ରେ ସେ ଏହି ଟୁଇଟ କରିଥିଲେ  ।  ଧୀରଜ ସାହୁ ଲେଖିଥିଲେ ଯେ ବିମୁଦ୍ରୀକରଣ ପରେ ବି ଏତେ ମାତ୍ରାରେ କଳାଧନ ଦେଖି ମନ ବ୍ୟଥିତ ହେଉଛି  ।  କିଛି ଜଣାପଡୁନି ଲୋକେ କେମିତି ଏତେ କଳାଧନ ଜମା କରୁଛନ୍ତି  । ଦେଶରୁ କେହି ଯଦି ଭ୍ରଷ୍ଟାଚାର ହଟେଇପାରେ, ସେ ହେଉଛି ଏକ ମାତ୍ର କଂଗ୍ରେସ ଦଳ ବୋଲି ଧୀରଜ ସାହୁ ଟୁଇଟ କରିଥିଲେ । ଆଜି ତାଙ୍କ ପାଖରୁ ଶହ ଶହ କୋଟି ମିଳିବା ପରେ ଏହି ଟୁଇଟ ଏବେ ଭାଇରାଲ ହେଉଛି ।

ଜାଣନ୍ତୁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ବନିଥିବା ବିଷ୍ଣୁଦେବ ସାଏଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସସପେନ୍ସ ଓଭର । ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କ ଉପରେ ସୁନାକଳସ ଢାଳିଛନ୍ତି ହାଇକମାଣ୍ଡ । ରାଜ୍ୟର ପ୍ରଥମ ଆଦିବାସୀ ସିଏମ ହେବେ ବିଷ୍ଣୁଦେବ । ବିଜେପି ରାଜ୍ୟ ସଭାପତି, ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଭାବେ ରହିଛି ଯଥେଷ୍ଟ ଅଭିଜ୍ଞତା । ଅରୁଣ ସାଓ ଓ ବିଜୟ ଶର୍ମା ହେବେ ଉପମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ହେବେ ବାଚସ୍ପତି । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କଲେ ବିଷ୍ଣୁଦେବ । ସେପଟେ ଆସନ୍ତାକାଲି ଆସିପାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସିଏମଙ୍କ ନାଁ ।

ସରପଞ୍ଚରୁ ସିଏମ । ପଛରେ ପଡିଗଲେ ଚର୍ଚ୍ଚିତ ହେଭିଓ୍ବେଟ । ଓବିସି କାର୍ଡ ବଦଳରେ ଆଦିବାସୀ କାର୍ଡ । ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ସିଏମ । ରାଜ୍ୟ ଦେଖିଲା ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେବଙ୍କ ଉପରେ ହାଇକମାଣ୍ଡ କରିଛନ୍ତି ଭରସା । ଦଳର ୫୪ ବିଧାୟକଙ୍କୁ ନେଇ ବସିଥିବା ବୈଠକରେ ବିଷ୍ଣୁଦେବଙ୍କ ନାଁ ଉପରେ ବାଜିଛି ମୋହର । ସିଏମ ଚୟନ ଲାଗି ଦୁଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଓ ବରିଷ୍ଠ ନେତା ଦୁଶ୍ୟନ୍ତ ଗୌତମଙ୍କୁ ନେଇ ଗଠିତ ହୋଇଥିଲା ପର୍ଯ୍ୟବେକ୍ଷକ ଟିମ । ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ହୋଇଛି ନିଷ୍ପତ୍ତି । ନୂଆ ସିଏମ ଘୋଷଣା ହେବା ପରେ କର୍ମୀ ମନାଇଛନ୍ତି ଖୁସି ।

ଏବେ ଆସନ୍ତୁ ନଜର ପକାଇବା ଚର୍ଚ୍ଚାରେ ନଥିବା ବିଷ୍ଣୁଦେବଙ୍କ ଉପରେ । ୨୧ ଫେବ୍ରୁଆରୀ ୧୯୬୪ରେ ବାଗିୟାରେ ତାଙ୍କର ହୋଇଥିଲା ଜନ୍ମ । ୧୯୯୦ରୁ ୧୯୯୮ ଯାଏ ଥିଲେ ମଧ୍ୟପ୍ରଦେଶରୁ ବିଧାୟକ । ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ରାଇଗଡ ଆସନରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ୨୦୧୪ରୁ ୨୦୧୯ ମଧ୍ୟରେ ସେ ହୋଇଥିଲେ କେନ୍ଦ୍ର ଖଣି, ଇସ୍ପାତ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ । ୨୦୦୬ ଓ ୨୦୨୦ରେ ସେ ଥିଲେ ଛତିଶଗଡ ବିଜେପି ମୁଖ୍ୟ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ କୁନକୁରି ଆସନରୁ ହୋଇଛନ୍ତି ବିଜୟୀ ।

ପ୍ରଶ୍ନ ଉଠୁଛି ଅନେକ ହେଭିଓ୍ବେଟଙ୍କୁ ବାଦ୍ ଦେଇ କାହିଁକି ବିଷ୍ଣୁଦେବଙ୍କ ଉପରେ ବାଜିଲା ମୋହର । ସାହୁ ବା ତେଲି ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ଆଦିବାସୀ ନେତା ବିଷ୍ଣୁଦେବ । ଦୁର୍ଗ, ରାୟପୁର ଓ ବିଳାସପୁରରେ ସେମାନଙ୍କ ରହିଛି ଦବଦବା । ଆଦିବାସୀ ଅଧ୍ୟୁଷିତ ସୁରଗୁଜା ଡିଭିଜନରୁ ଆସିଛନ୍ତି ବିଷ୍ଣୁଦେବ । ରାଜ୍ୟ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ଆଦିବାସୀ । ଏସଟିମାନଙ୍କ ଲାଗି ସଂରକ୍ଷିତ ୨୯ ଆସନରୁ ବିଜେପି ୧୭ ଆସନରେ ହୋଇଛି ବିଜୟୀ । ୨୦୧୮ରେ ଏହି ୨୯ ଆସନରୁ ବିଜେପି ହାସଲ କରିଥିଲା ମାତ୍ର ୩ଟି ଆସନ ।

 

ବିନା ଅନୁମୋଦନରେ ଚାଲିଛି ପାଠପଢ଼ା!

ଭୁବନେଶ୍ବର: ରାଜ୍ୟର ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଥିବା ଦୁଇ ବର୍ଷିୟା ଏମବିଏ ଓ ଏମସିଏ କୋର୍ସର ନାହିଁ ଏଆଇସିଟିଇ ଅନୁମୋଦନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଯାଞ୍ଚ ପରେ ଏପରି ତଥ୍ୟ ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ଉପ-ନିର୍ଦ୍ଦେଶକଙ୍କ ପକ୍ଷରୁ ନିୟମ ଖିଲାଫକାରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ତୁରନ୍ତ ଏଆଇସିଟିଇ ଅନୁମୋଦନ ନେବାକୁ ସଂପୃକ୍ତ କଲେଜ ଗୁଡ଼ିକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ଅନୁ୍ଗୁଳ କଲେଜ, ବାଲେଶ୍ବରର ଫକୀର ମୋହନ କଲେଜ, ଭଦ୍ରକ କଲେଜ, କଟକ ଶୈଳବାଳା କଲେଜ, ଢେଙ୍କାନାଳ କଲେଜ, ଭୁବନେଶ୍ବର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ, ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର କଲେଜ ଓ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ । ୮ ଜିଲ୍ଳାର ଏ ସବୁ ସରକାରୀ ସ୍ବୟଂଶାସିତ କଲେଜ ଗୁଡ଼ିକୁ ନେଇ ବିଚିତ୍ର ତଥ୍ୟ ପ୍ରକାଶ ପାଇଛି । ଦୀର୍ଘ ବର୍ଷରୁ ଏ ସବୁ କଲେଜରେ ପଢାଯାଉଥିବା ସେଲଫ୍ ଫାଇନାନସିଂ ଏମବିଏ ଓ ଏମସିଏ କୋର୍ସକୁ ମିଳିନି ଏଆଇସିଟିଇ ଅନୁମୋଦନ । ଦୁଇ ବର୍ଷିୟ ଫୁଲ ଟାଇମ୍ ଏମବିଏ ଓ ଏମସିଏ କୋର୍ସ ପାଠ୍ୟକ୍ରମ ପାଇଁ ଏଆଇସିଟିଇ ଅନୁମୋଦନ ବାଧ୍ୟତାମୂଳକ ।

ହେଲେ ବିନା ଅନୁମୋଦନ, ଏମବିଏ ଓ ଏମସିଏ ପଢାଇବା ଏଆଇସିଟିଇ ନିୟମର ଉଲଂଘନ ଭାବେ ଚିଠି ଜରିଆରେ କଲେଜ ଗୁଡ଼ିକୁ ଦର୍ଶାଇଛି ଉଚ୍ଚଶିକ୍ଷା ବିଭାଗ । ଏହା ଦ୍ବାରା ବୈଷୟିକ ଶିକ୍ଷାର ମାନ ଓ ଗୁଣବତ୍ତା ନିର୍ଦ୍ଧାରଣ କରାଯାଇଥାଏ । ତୁରନ୍ତ ଏଆଇସିଟିଇ ଅନୁମୋଦନ ନେବା ବା ନବୀକରଣ କରିବାକୁ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

କଲେଜ ଗୁଡ଼ିକ ଧୀରେ ଧୀରେ ଉଚ୍ଚଶିକ୍ଷା ବିଭାଗ ଚିଠିର ଜବାବ ରଖୁଛନ୍ତି । କିଛି କଲେଜ ଏ ସବୁ ସେଲଫ୍ ଫାଇନାନସିଂ କୋର୍ସ ଆରମ୍ଭ କରିବା ସମୟରେ ଏଆଇସିଟିଇ ଅନୁମୋଦନ ଆବଶ୍ୟକ ପଡ଼ୁ ନଥିବା ନେଇ ମତ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ସେମାନେ ଏଆଇସିଟିଇ ଅନୁମୋଦନ ପାଇଁ ଆବେଦନ କରିବା ନେଇ ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଅନେକ କଲେଜର ସ୍ବୟଂଶାସିତ ମାନ୍ୟତା କଟି ଯାଇଥିବା ନେଇ ବି ଉଦବେଗ ପ୍ରକାଶ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ସବୁ ସ୍ତରକୁ ଯାଞ୍ଚ କରାଯାଇ ଶିକ୍ଷା ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରୁ କ୍ୟାମେରାପର୍ସନ ଅବଦୁଲଙ୍କ ସହ ପ୍ରିୟ ପ୍ରୀତମ ମହାନ୍ତିଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି ।