spot_img
Home Blog Page 247

ସୁଟିଂ କାର୍ଯ୍ୟକ୍ରମକୁ ସୁଦୃଢ଼​​କରିବା ପାଇଁ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତା

  • ମଉ ସ୍ଥିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍, ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ରହିଛି
  • ସୁଟିଂ କାର୍ଯ୍ୟକ୍ରମକୁ ସୁଦୃଢ଼​​କରିବା ପାଇଁ ସହଭାଗୀତା ବୁଝାମଣାପତ୍ର ସ୍ୱାକ୍ଷରିତ
  • ସୁଟିଂ କାର୍ଯ୍ୟକ୍ରମକୁ ମିଳିବ ନୂତନ ଶକ୍ତି, ୧୪ ଜଣ ସେନା ସୁଟରଙ୍କୁ ସହାୟତା ମିଳିବ

ମୁମ୍ବାଇ: ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ମଉ ସ୍ଥିତ ପ୍ରତିଷ୍ଠିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ), ସୁଟିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ (ଆରଏଫ) ସହିତ ପ୍ରଥମ କର୍ପୋରେଟ୍ ସହଭାଗୀତା କରିଛି । ଏହି ସହଭାଗୀତା ବର୍ତ୍ତମାନ ଏଏମୟୁରେ ତାଲିମ ନେଉଥିବା ୧୪ ଜଣ ସୁଟରଙ୍କୁ ସହାୟତା ପ୍ରଦାନ କରିବ । ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସନ୍ଦୀପ ସିଂହ ଏବଂ ସେନାର ପ୍ରଥମ ମହିଳା ସୁବେଦାର ପ୍ରୀତି ରଜକ ଅନ୍ତର୍ଭୁକ୍ତ ରହିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ ଏହି ଅବସରରେ କହିଛନ୍ତି, “ଭାରତୀୟ ସେନା ଏବଂ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ) ସହିତ ଯୋଡି ହେବା ଆମ ପାଇଁ ସମ୍ମାନର ବିଷୟ। ଏହି ସହଭାଗୀତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତକୁ କ୍ରୀଡ଼ାରେ ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ସଂକଳ୍ପ । ଆମେ ମିଳିତ ଭାବରେ ଏପରି ଚାମ୍ପିଅନମାନଙ୍କୁ ପ୍ରସ୍ତୁତ କରିବୁ ଯେଉଁମାନେ ଦେଶର ଗୌରବ ବଢ଼ାଇବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ଭାରତୀୟ ସେନା କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କଠାରୁ ଆରମ୍ଭ କରି ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀରଜ ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ଉତ୍କୃଷ୍ଟ କ୍ରୀଡ଼ାବିତ ସୃଷ୍ଟି କରିଛି, ଯେଉଁମାନେ ଅନେକ ଥର ଭାରତ ଏବଂ ଭାରତୀୟମାନଙ୍କୁ ଗର୍ବିତ କରିଛନ୍ତି।

ଏହି ସହଭାଗୀତା ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ମେଧାବୃତ୍ତି, ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଅନ୍ତର୍ଜାତୀୟ ଏକ୍ସପୋଜର ବା ଅଭିଜ୍ଞତା ଏବଂ ଉଚ୍ଚସ୍ତରୀୟ ତାଲିମ ଭଳି ବିବିଧ ସୁବିଧା ମାଧ୍ୟମରେ ୨୦୨୮ ଏବଂ ୨୦୩୨ ଅଲିମ୍ପିକ୍ ଗେମ୍ସ ପାଇଁ ଭାରତର ଦୃଢ଼ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା।“

 

ଜମିଲା ଛାଡ଼ଖାଇ ; ଖାଇଗଲେ ୪ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ମାଛ, ମାଂସ ଓ କୁକୁଡ଼ା

ଭୁବନେଶ୍ବର : ଶୁକ୍ରବାର ଛାଡ଼ଖାଇ କରିବାକୁ ଯାଇ ରାଜଧାନୀରେ ଖାଇଗଲେ ୪ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ମାଛ, ମାଂସ ଓ କୁକୁଡ଼ା । ଚଳିତବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଛାଡ଼ଖାଇ ପଡ଼ିବାରୁ କାର୍ତ୍ତିକ ମାସରେ ନିରାମିଷ ଖାଉଥିବା ଲୋକେ ଶୁକ୍ରବାର ଛାଡ଼ଖାଇ ପାଳିଛନ୍ତି । ଏଥିପାଇଁ ଭୁବନେଶ୍ବର ୪ ନମ୍ବର ସମେତ ବିଭିନ୍ନ ଆମିଷ ମାର୍କେଟରେ ବ୍ୟବସାୟୀ ଟନ ଟନ୍ ଦେଶୀ ଓ ସମୁଦ୍ର ମାଛ ସହିତ ଛେଳି ମାଂସ, କୁକୁଡ଼ା ଉପଲବ୍ଧ କରିଥିଲେ । ହେଲେ ବ୍ୟବସାୟୀଙ୍କ ଆଶାନୁରୂପ ବେପାର ହୋଇନଥିବା ଜଣାପଡ଼ିଛି ।

ସକାଳ ୬ଟାରୁ ରାଜଧାନୀରେ ଆମିଷ ବଜାରରେ ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା । ଏହାର କାରଣ ହେଉଛି ଶୁକ୍ରବାର ସନ୍ତୋଷୀ ମାଙ୍କ ବ୍ରତ ପାଳନ କରୁଥିବା ଲୋକେ ଆମିଷ କିଣିନଥିଲେ । ସେହିପରି କେତେକ ଲୋକ ମଧ୍ୟ ମାର୍ଗଶୀର ମାସ ଆରମ୍ଭ ହୋଇଯାଇଥିବାରୁ ମାସର ଶେଷ ଗୁରୁବାର ପର୍ଯ୍ୟନ୍ତ ନିରାମିଷ ଭୋଜନ କରିବାକୁ ମନ ସ୍ଥିର କରିଛନ୍ତି । ଯାହାଯୋଗୁ ଆଜି ଆମିଷ ମାର୍କେଟରେ ବେପାର ମାନ୍ଦା ଧରିଥିଲା । ତେବେ ୟୁନିଟ୍ ୪ ସମେତ ବଡ଼ଗଡ଼, ଡମଣା, କ୍ରାଉନ ନିକଟସ୍ଥ ମାଛ ମାର୍କେଟ, ଭିଏସଏସ ନଗର ମାଛ ବଜାର, ପୁରୁଣା ଭୁବନେଶ୍ବରରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା ।

ନିଖିଳ ଓଡ଼ିଶା ନନଭେଜ ଟ୍ରେଡର୍ସ ଫେଡେରେସନର ହିସାବ ଅନୁଯାୟୀ ଶୁକ୍ରବାର ଭୁବନେଶ୍ବରରେ ୧ କୋଟି ୩ ଲକ୍ଷ ଟଙ୍କାର ମାଛ, ଚିକେନ ୧ କୋଟି ୧୧ ଲକ୍ଷ ୨୫ ହଜାର, ମଟନ ୧ କୋଟି ୨୭ ଲକ୍ଷ ୫୦ ହଜାର ଏବଂ ଅଣ୍ଡା ୩୨ ଲକ୍ଷ ୫୫ ହଜାର ଟଙ୍କାର କାରବାର ହୋଇଛି । ମଟନ କିଲୋ ପିଛା ୮୦୦ରୁ ୮୫୦ ଟଙ୍କା, ଚିକେନ କିଲୋ ପ୍ରତି ୨୪୦ ଟଙ୍କା, ଦେଶୀ ଚିକେନ୍ କିଲୋ ୫୦୦ରୁ ୬୦୦ ଟଙ୍କା ବିକ୍ରି ହୋଇଥିଲା । ଇଲିସି ମାଛ କିଲୋ ୧୮୦୦ ଟଙ୍କାରୁ ୨ ହଜାର ଟଙ୍କା, ପାମ୍ଫ୍ଲେଟ ମାଛ ୬୦୦, ରୋହି ୨୦୦ରୁ ୨୪୦, ଭାକୁର ୨୫୦ରୁ ୩୦୦ ଟଙ୍କା, ଚିଙ୍ଗୁଡ଼ି ୨୦୦ରୁ ୬୦୦ ଟଙ୍କା, ଟାଇଗର ଚିଙ୍ଗୁଡ଼ି କିଲୋ ୬୦୦ ଟଙ୍କାରେ ବିକ୍ରି ହୋଇଛି ।

ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ ; ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା…

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ । ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା । ୩-୪ ଦିନରେ ଆହୁରି ପାରଦ କମିବ ବୋଲି ପୂବାନୁମାନ କରିଛି ପାଣିପାଗକେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭବ ହୋଇଥିବା ବେଳେ ନଭେମ୍ୱରରେ ସାରା ଓଡ଼ିଶାରେ ସ୍ୱଳ୍ପ ଶୀତ ଅନୁଭବ ହେଉଛି । ପଶ୍ଚିମରେ ଏହାର ପ୍ରକୋପ ଅଧିକ ରହିଛି। ଉତ୍ତରରୁ ଶୁଷ୍କ ଓ ଥଣ୍ଡା ବାୟୁ ବହିବା ଦ୍ୱାରା ଆଗାମୀ ୩ ରୁ ୪ ଦିନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ଖସିବ । ଆଉ ରାତ୍ରି ତାପମାତ୍ରା କମ ହେବା ସହ ସାରା ରାଜ୍ୟରେ ଶୀତ ବଢିବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏଁ ପାଗ ଶୁଖିଲା ରହିବ । ଅନ୍ୟଅଟେ ଗତ ୨୪ ଘଂଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଓ ଦାରିଙ୍ଗିବାଡିରେ ୧୩ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ସେହିପରି
ରାଉଲକେଲା ଓ ଭବାନୀ ପାଟଣାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହୋଇଛି ।

ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ଫର୍ମ ଫିଲଅପ ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ବର : ୨୦୨୬ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଆଜିଠୁ ହେବ ଫର୍ମ ଫିଲଅପ । ରେଗୁଲାର ଓ ଏକ୍ସରେଗୁଲାର ଫର୍ମ ପୂରଣ କରାଯିବ । ଗତକାଲି ପ୍ରକାଶ ପାଇଥିଲା ମାଟ୍ରିକ ବୋର୍ଡ଼ ପରୀକ୍ଷା ବିଜ୍ଞପ୍ତି । ଏହି ଫର୍ମ ପିଲଅପ ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପର୍ମ ପୂରଣ ପାଇଁ ୱେବସାଇଟ ମାଧ୍ଯମରେ ସମସ୍ତ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ୱେବସାଇଟ ହେଉଛି www.bseodisha.ac.inରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି।

ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନଲାଇନ ଯୋଗେ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ କରାଯିବ। ଅଫଲାଇନରେ ଫର୍ମଫିଲଅପ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ମଧ୍ୟ ଫର୍ମଫିଲ ଅପ କରାଯାଇପାରିବ। ଏହି ସମୟ ମଧ୍ୟରେ ପତ୍ର ବିନିମୟ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀବି ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରିବେ।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ ; ୭୦୦ ବିମାନ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ । ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଆକାଶ ମାର୍ଗରେ ସାଇବର ଆଟାକ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ସପ୍ତାହେ ଧରି ଏଭଳି ସମସ୍ୟା ଲାଗି ରହିଛି । ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ସମସ୍ୟା ବିମାନ ଚଳାଚଳକୁ ପ୍ରଭାବିତ କରିଛି । ଫ୍ଲାଇଟ୍ ରାଡାର ଅନୁଯାୟୀ ଅତିକମରେ ୭୦୦ ବିମାନ ପ୍ରଭାବିତ ହୋଇଛି । ବିମାନଗୁଡ଼ିକ ରନୱେରେ ଫସି ରହିଛି ।

ଏହିସମୟରେ ଆଇଜିଆଇ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଯାନ୍ତ୍ରିକ ସମସ୍ୟାଟି ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମକୁ ପ୍ରଭାବିତ କରିଛି । ଯାହା ଏୟାର ଟ୍ରାଫିକକୁ ନିୟନ୍ତ୍ରଣ କରେ ଓ ଉଡ଼ାଣ ଯୋଜନା ପାଇଁ ବ୍ୟବହୃତ ହୁଏ । ସମ୍ପୃକ୍ତ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି। ଯାତ୍ରୀମାନଙ୍କୁ ସଂଶୋଧିତ ବିମାନ ସମୟସୂଚୀ ଦିଆଯିବ, ଏନେଇ ଅପେକ୍ଷା କରିବାକୁ ନିବେଦନ କରାଯାଇଛି ।

ନୂଆପଡା ଉପନିର୍ବାଚନରେ ନବୀନଙ୍କୁ ଅଦ୍ଭୂତପୂର୍ବ ଜନ ସମର୍ଥନ: କୃତଜ୍ଞତା ଜଣାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନୂଆପଡା ଉପନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମିଳିଛି ଅଦ୍ଭୁତପୂର୍ବ ଜନ ସମର୍ଥନ । ଆଜି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ନୂଆପଡାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜେଡି ଯେଉଁଠି ବିକାଶ ସେଇଠି । ବିକାଶ ଚାହୁଁଛ ବିଜେଡିକୁ ଭୋଟ ଦିଅ । ନବୀନଙ୍କୁ ନୂଆପଡାରେ ପାଇ ଲୋକେ ସ୍ଵତଃପ୍ରବୃତ୍ତ ଭାବେ ବିଦ୍ୟୁତ ଭଳି ବିକାଶ ପୁରୁଷଙ୍କୁ ଦେଖିବାକୁ ଟାଣି ହୋଇ ଆସିଥିଲେ । ବିଶାଳ ଜନସମୁଦ୍ର ନବୀନଙ୍କ ନେତୃତ୍ଵରେ ହୋଇଥିବା ବିକାଶର ପ୍ରତିଧ୍ଵନି । ଏହା ଲୋକଙ୍କ ହୃଦୟରେ ଗଭୀର ଆସ୍ଥା ଓ ବିଶ୍ଵାସ ଏବେବି ବଜାୟ ରହିଛି । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡାରେ ମେଗା ରୋଡ ଶୋ କରିବା ସହ ଖରିଆର ରୋଡ ଏନଏସି, ନୂଆପଡା ରୋଡ ଏନଏସିରେ ରୋଡ ଶୋ କରିଥିଲେ । ଯେଉଁଥିରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏହା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନବୀନ କରିଥିଲେ ଅନୁରୋଧ ।

ସଭିଙ୍କ ମୁହଁରେ ଗୋଟିଏ ନାଁ: ବିକାଶ ପୁରୁଷ ନବୀନଙ୍କ ଗୋଟିଏ ଝଲକ ପାଇଁ ବ୍ୟାକୁଳ ଆବାଳ ବୃଦ୍ଧବନିତା

ସଭିଙ୍କ ମୁହଁରେ ଗୋଟିଏ ନାଁ । ନବୀନ ହିଁ ଆମ ସରକାର । ବିକାଶ ପୁରୁଷଙ୍କ ଗୋଟିଏ ଝଲକ ପାଇଁ ବ୍ୟାକୁଳ ଆବାଳ ବୃଦ୍ଧବନିତା । କି ଖରା କି ଛାଇ । ନବୀନଙ୍କୁ ଦେଖିବାକୁ ସବୁ କଷ୍ଟ ଭୁଲି ଯାଇଥିଲେ ଜନତା । ସୋରିଷ ପକାଇବାକୁ ବି ଜାଗା ନଥିଲା । ଖଚାଖଚ ଭିଡ଼ରେ ଭରିଯାଇଥିଲା ନୂଅପଡା ମାଟି । ଠିକ ସେତିକି ବେଳେ ନଭଶ୍ଚୁମ୍ବୀ ସୂର୍ଯ୍ୟଙ୍କ କିରଣକୁ କାଟି ଖରିଆରରେ ପହଞ୍ଚିଥିଲେ ନବୀନ । ହେଲିକାପ୍ଟରରୁ ଓହ୍ଲାଇ ସ୍ବାଗତ ପାଇଁ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଜଣାଇଥିଲେ ଧନ୍ୟବାଦ । ପରେ ପରେ ନୂଆପଡାରେ ଅରମ୍ଭ ହୋଇଯାଇଥିଲା ନବୀନଙ୍କ ଗ୍ରାଣ୍ଡ ରୋଡ଼ ଶୋ । ସାରା ଦିନ ମାରାଥନ ପ୍ରଚାର । ଜନତାଙ୍କୁ ବସ ଉପରୁ ଭୋଟ ପାଇଁ ଅପିଲ କରି ଲମ୍ବା ପଥ ବୁଲିଥିଲେ ନବୀନ। ନବୀନଙ୍କ ଝଲକ ପାଇଁ ରାସ୍ତାର ଦୁଇ କଡେ ଖଚାଖଚ ଭିଡ଼ । ବିଭିନ୍ନ ବେଶରେ ସଜେଇ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ ଜନତା । କେଉଁଠି କଟ୍ଟପା ବେଶରେ ନବୀନଙ୍କୁ ସ୍ବାଗତ କରାଯାଇଥିଲା ତ ପୁଣି କେଉଁଠି କିଙ୍ଗ କଙ୍ଗ ବେଶରେ ଜନତା ଓ କର୍ମୀଙ୍କୁ ନବୀନଙ୍କ ଆଗମନରେ ଖୁସିରେ ବିଭୋର ହୋଇପଡ଼ିଥିଲେ। ହାଇଡ୍ରୋଲିକ ବସରୁ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଲେ ଆଶୀର୍ବାଦ ।

ଗତ ୩ ତାରିଖରେ ନବୀନ କୋମନାରେ ପ୍ରଚାର ସାରିଥିବାବେଳେ ଆଜି ଖରିଆର ରୋଡରେ କରିଛନ୍ତି ତୋଫାନୀ ପ୍ରଚାର । ଉପନିର୍ବାଚନରେ କର୍ମୀ ଓ ନେତାଙ୍କ ସହ ଭୋଟରଙ୍କ ମନରେ ଭରିଛନ୍ତି ଜୋଶ । ନୂଆପଡାରେ ବିଳମ୍ବରେ ପହଞ୍ଚିଥିଲେ ସତ। ତଥାପି ନବୀନଙ୍କ ଯାଦୁକରୀ ବ୍ୟକ୍ତିତ୍ବରେ ମଳିନତାର ସାମାନ୍ୟ ଆଭାସ ନଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ଖରିଆର ରୋଡ ପୋଲିସ ଷ୍ଟେସନ ପଡ଼ିଆରେ ପହଂଚିବା ପରେ ଜୋସର ସହ ଆରମ୍ଭ ହୋଇଥିଲା ରୋଡ ଶୋ । ଖରିଆର ରୋଡରୁ ଦଗା, ଦଗାରୁ ବିଜୁ ପଟ୍ଟନାୟକ ସ୍କୋୟାର, ଲଖମାନିଆ ପେଟ୍ରୋଲ ପମ୍ପ ସ୍କୋୟାର ଦେଇ ନୂଆପଡ଼ା ଏନଏସିର ସୂର୍ଯ୍ୟନଗର, ଗାୟତ୍ରୀମନ୍ଦିର ଛକ ପର୍ଯ୍ୟନ୍ତ ରୋଡ ଶୋ କରିଥିଲେ ନବୀନ। ରୋଡ ଶୋ ବେଳେ ନବୀନଙ୍କ ଯାଦୁରେ ନୂଆପରଡ଼ାବାସୀ ଅଭିଭୂତ ହୋଇଥିଲେ। ଖୋଦ ନବୀନଙ୍କ ଶୋକୁ ବାଲକୋନିରୁ ଦେଖିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପରିବାର।

କିଛି ସମୟର ବ୍ରେକ ପରେ ପୁଣି ଆରମ୍ଭ ହୋଇଥିଲା ପ୍ରଚାରର ଦ୍ବିତୀୟ ଇନିଂସ । ଅପରାହ୍ନ ୪ଟାରେ ପରକୋଡ଼ରେ ପହଞ୍ଚି ଥିଲେ ନବୀନ ପଟ୍ଟନାୟକ । ଏହି ସଭାରେ ପୁଣି ପୁଣି ଜନତାଙ୍କୁ ଆର୍ଶୀବାଦ ମାଗିଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ୫ ଶହ ଦିନର ସରକାର ମିଛ ସରକାର । ବିକାଶର ପ୍ରତିଶୃତି ଦେଇ ପ୍ରତାରଣା କରିଛି ବିଜେପି । ଏବେ ତାଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ନବୀନଙ୍କୁ ଆର୍ଶିବାଦ କରି ଅଟକି ପଡିଥିବା ବିକାଶକୁ ପୁଣି ଆଗକୁ ବଢାଯାଉ ବୋଲି ଅନୁରୋଧ କରିଥିଲେ ସ୍ନେହାଙ୍ଗିନୀ । ହାତରେ ଆଉ ମାତ୍ର ଦୁଇ ଦିନ ଥିବାବେଳେ ନୂଆପଡାରେ ଆଜି ବିଜେଡି ସୁପ୍ରିମୋ କରିଛନ୍ତି ମାରାଥନ ପ୍ରଚାର । ସାରା ଦିନ ଲୋକଙ୍କ ଗହଣରେ ରହି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ବିକାଶ ପୁରୁଷ ନବୀନ ପଟ୍ଟନାୟକ ।

ଭୁଲ ଡିପିଆର ଯୋଗୁ ହେଉଛି ଦୁର୍ଘଟଣା: ତ୍ରୁଟି ସୁଧାରିବାକୁ ଗଡ଼କରୀଙ୍କ ପରାମର୍ଶ

ଆରମ୍ଭ ହେଲା ୮୪ତମ ଭାରତୀୟ ରୋଡ୍ କଂଗ୍ରେସ। ଜାତୀୟ ରାଜପଥରୁ ରାଜ୍ୟ ରାଜପଥର ନିର୍ମାଣରେ ଟେକ୍ନୋଲୋଜିର ବ୍ୟବହାର, ସଡ଼କ ସୁରକ୍ଷା, ବର୍ଜବ୍ୟସ୍ତୁର ବ୍ୟବହାର ନେଇ ସମ୍ମିଳନୀରୁ ବାହାରିବ ନିଷ୍କର୍ଷ। ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ସହ ଅନେକ ଅଧିକାରୀ। ସମ୍ମିଳନୀରେ ରାଜ୍ୟ ବାହାରୁ ପ୍ରାୟ ସାଢେ ୩ ହଜାର ପ୍ରତିନିଧି ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ କେନ୍ଦ୍ରୀୟ ରାସ୍ତା ପାଣ୍ଠିରୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଅତିରିକ୍ତ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାସ୍ତା ନିର୍ମାଣ ପୂର୍ବରୁ ଡିପିଆର୍ ପ୍ରସ୍ତୁତିରେ ଗଡ଼ବଡ଼ ଯୋଗୁଁ ଦୁର୍ଘଟଣା କମୁନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଡିପିଆର୍ ପ୍ରସ୍ତୁତି ବେଳେ ଏଲ-୧ ପ୍ରତି ଧ୍ୟାନ ନ ଦେଇ ଅଧିକ ଅର୍ଥରେ ଭଲ ଡିପିଆର୍ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ରାସ୍ତାରେ ଥିବା ବ୍ଲାକ ସ୍ପଟକୁ ତୁରନ୍ତ ଚିହ୍ନଟ କରି ଏହାର ମରାମତି କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାସ୍ତା ହେଉଛି ବିକାଶର ମାପକାଠି। ଭଲ ରାସ୍ତା ହେଲେ ପୁଞ୍ଜିନିବେଶ ଅଧିକ ହେବ ଏବଂ ନିଯୁକ୍ତି ବଢ଼ିବ। ଯାହାର ପ୍ରଭାବ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ପଡ଼ିବ। ଭଲ ମାନର ରାସ୍ତା ନିର୍ଦ୍ଧାରିତ ସମୟରେ ସାରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୫ ବର୍ଷରେ ୭୫ ହଜାର କିଲୋମିଟର ରାସ୍ତା କରିବାକୁ ଓଡ଼ିଶା ସରକାର ଟାର୍ଗେଟ ରଖିଛନ୍ତି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ। ବିକଶିତ ଓଡ଼ିଶା ୨୦୩୬ ପାଇଁ ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା ନିର୍ମାଣରେ ବର୍ଜ୍ୟବସ୍ତୁର ବ୍ୟବହାର ସହିତ ନୂଆ ଦୁର୍ଘଟଣା ବିହୀନ ରାସ୍ତା ଉପରେ ଗୁରୁତ୍ବ ଦେଉଛି ମନ୍ତ୍ରାଳୟ। ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଇଆରସିରେ ଆଲୋଚନା କରାଯିବ ବୋଲି କମିଟି ସଭାପତି କହିଛନ୍ତି। ୧୦ ତାରିଖ ଯାଏଁ ଚାଲିବାକୁ ଥିବା ଭାରତୀୟ ରୋଡ୍ କଂଗ୍ରେସରେ ୨୯ଟି ଟେକ୍ନନିକାଲ ସେସନ ରହିଛି। ଯେଉଁଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀମାନେ ସେମାନଙ୍କ ବେଷ୍ଟ ପ୍ରାକ୍ଟିସ ଉପରେ ଆଲୋଚନା କରିବେ। ଏହାସହ ଆଇଆଇଟି ଓ ଏନଆଇଟି ଛାତ୍ରମାନେ ରାସ୍ତା ନିର୍ମାଣରେ ନୂତନ ଜ୍ଞାନ କୌଶଳର ବ୍ୟବହାର ଉପରେ ସେମାନଙ୍କ ଗବେଷଣା ରଖିବେ।

୫ ଶହ ଦିନର ସରକାରରେ ମିଳଛି କେବଳ ଧୋକା: ନୂଆପଡାରେ ବିଜେପିକୁ ପୁଣି ନବୀନଙ୍କ ଟାର୍ଗେଟ

୫୦୦ ଦିନର ବିଜେପି ସରକାର । କେବଳ ଦେଇଛି ଧୋକା ଆଉ ଧୋକା । ବିଜୁ ବାବୁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ। ମୋ ସରକାର ସମୟରେ ବିକାଶ ସହ ଯୋଡ଼ି ହୋଇଥିଲା ଜିଲ୍ଲା। ଆଜି ପୁଣି ଥରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ଜିତାଇବାକୁ ନିବେଦନ କରି ନୂଆପଡ଼ା ପରକୋଡ଼ରୁ ପୁଣି ଥରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କହିଛନ୍ତି, ମୁଁ ରାଜୁ ଭାଇଙ୍କୁ ମୋ କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ନୂଆପଡ଼ାର ବିକାଶ ପାଇଁ ସବୁ ପ୍ରକାର ସହଯୋଗ ଦେଇଥିଲି। ବିଜୁ ଜନତା ଦଳ କଥା ନୁହେଁ, କାମରେ ବିଶ୍ବାସ କରେ। ବିଜେଡି ସରକାର ସମୟରେ ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା।

ବିଜେଡି ସରକାର ସମୟରେ ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ଯମ କରିଥିଲେ ନବୀନ ସରକାର। ହିସାବ ଦେଇ ନବୀନ କହିଥିଲେ, ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଓ ଆଦିବାସୀ କଲ୍ୟାଣ ପରି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ଏବେ ବିକାଶ ପୂରା ବନ୍ଦ। ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏନି। ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଲୋକଙ୍କୁ ନବୀନ ପଚାରିଥିଲେ ପ୍ରଶ୍ନ। ଆପଣମାନେ ନିଜେ କୁହନ୍ତୁ। ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି? ୩୦୦ ୟୁନିଟ ମାଗଣା ବିଜୁଳି ମିଳିଛି କି? ୩୫୦୦ ଟଙ୍କା ପେନସନ ମିଳିଛି କି? ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି? କଟନି ଛଟନି ବନ୍ଦ ହେଲା କି? ତେବେ କଣ ମିଳିଛି। ମିଳିଛି ତ କେବଳ ଡବଲ ଧୋକା ଧୋକା । ଆମର ବିଏସକେୱାଇ ସମସ୍ତଙ୍କୁ ସୁବିଧା ଦେଉଥିଲା। କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି।

ନବୀନଙ୍କ ଆଜି ଦ୍ବିତୀୟ ଥର ପାଇଁ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯାଇଥିଲେ। ଏହା ପୂର୍ବରୁ ୩ ତାରିଖରେ କୋମନାରେ ନବୀନଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ଯମ ହୋଇଥିଲା। ଏ ନେଇ ଅଭିଯୋଗ କରିଛନ୍ତି ଖୋଦ ନବୀନ ପଟ୍ଟନାୟକ। ପରକୋଡ଼ ସାଧାରଣ ସଭାରେ ଭୋଟରଙ୍କୁ ସମ୍ବୋଧନ କଲାବେଳେ ଏ ନେଇ କ୍ଷୋଭ ପ୍ରକାଶ କରିଥିଲେ ବିଜେଡି ସୁପ୍ରିମୋ। କହିଥିଲେ, ମୁଁ ୩ ତାରିଖରେ କୋମନା ଆସିଥିଲି। ମୋ ମିଟିଂରେ କେମିତି ଅଧିକ ଲୋକ ଆସିପାରିବେନି ସେଥିପାଇଁ ସବୁ ପ୍ରକାର ଯୋଜନା ହୋଇଥିଲା। ଭୋଟ ଚୋରି କରିକି ସରକାର ଗଢ଼ିବେ। ପ୍ରାର୍ଥୀ ବି ଚୋରି କରିପାରିବେ, କିନ୍ତୁ ଭୋଟ ପାଇବେ ନାହିଁ। କୋମନା ମିଟିଂରେ ଯେଉଁ ଦୁଃଖ ଓ ଅସନ୍ତୋଷ ଦେଖିଥିଲି ଆଜି ବି ସେୟା ଦେଖିଛି। ଆପଣ ସମସ୍ତେ ଜାଣନ୍ତି ଆପଣଙ୍କ ସହ ବିଜେପି ଓ ମୋ ସହ କେମିତି ବେଇମାନି କରିଛି। ଏଇଥିପାଇଁ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆମେ ପ୍ରାର୍ଥୀ କରିଛୁ। ଆଉ ନୂୁଆପଡ଼ାରେ ରହି ଆପଣଙ୍କ ସେବା କରିବାକୁ କହିଛି। ଆପଣଙ୍କୁ ଅନୁରୋଧ ୧୧ ତାରିଖରେ ଭୋଟରେ ଏହାର ଜବାବ ଦେବେ। ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ॥

ବଜେଟ ମ୍ୟାନେଜମେଣ୍ଟରେ ସରକାର ଫେଲ: ବଜେଟ ଅର୍ଥ ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ବଜେଟ ମ୍ୟାନେଜମେଣ୍ଟରେ ସରକାର ଫେଲ । ବଜେଟ ଅର୍ଥ ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ । ବିଶେଷଜ୍ଞ କହିଲେ ଅତିରିକ୍ତ ବଜେଟର ନାହିଁ ଆବଶ୍ୟକ । ଅପାରଗ ସରକାର କହି ଘେରିଲେ ବିରୋଧୀ । ଶୀତ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ । ଅତିରିକ୍ତ ବଜେଟ ପାଇଁ ସରକାର ଜାରି ରଖିଛନ୍ତି କସରତ । ସବୁ ବିଭାଗର ଅତିରିକ୍ତ ବଜେଟ ପ୍ରସ୍ତାବକୁ ସମୀକ୍ଷା କରୁଛି ଅର୍ଥ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ତାଙ୍କ ଯୁକ୍ତି ହେଉଛି ସରକାର ବଜେଟ ପରେ ବଜେଟ ଆଣୁଛନ୍ତି । ହେଲେ ବଜେଟ ମ୍ୟାନେଜମେଣ୍ଟରେ ବିଜେପି ସରକାର ସଂପୂର୍ଣ୍ଣ ଫେଲ ମାରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟକୁ ସବୁ ବିଭାଗକୁ ଆବଣ୍ଟନ କଲେ । ହେଲେ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି ରାଜ୍ୟ ସରକାର । ବହୁ ବିଭାଗ ବଜେଟ ଅର୍ଥର ୪୦ରୁ ୫୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ଅତିରିକ୍ତ ବଜେଟର କଣ ଆବଶ୍ୟକ ରହିଛି ବୋଲି ପ୍ରଶ୍ନ କରିଛନ୍ତି ପଂଚାନନ । ତେବେ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନଥିବାରୁ ଗାଁ ଗାଁରେ ବିକାଶ କାମ ସଂପୂର୍ଣ୍ଣ ଠପ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗୁରୁବାର ମତ୍ସ୍ୟ ଓ ପଶୁ ସମ୍ପଦ, ପଂଚାୟତରାଜ ଓ ପାନୀୟଜଳ, ମିଶନ ଶକ୍ତି, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ବଜେଟ ପ୍ରସ୍ତାବକୁ ତର୍ଜମା କରିଛି ଅର୍ଥ ବିଭାଗ । ଅର୍ଥନୈତିକ ସମୀକ୍ଷକ ଦିଲ୍ଲୀପ ବିଶୋଇ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ବଜେଟ ଅର୍ଥ ଖର୍ଚ୍ଚ ଅତ୍ୟନ୍ତ ନୈରାଶଜନକ ଥିଲା । ମାତ୍ର ୩୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା । ବଜେଟ ଅର୍ଥ ଖର୍ଚ୍ଚରେ ମାନ୍ଦାବସ୍ଥା ଲାଗି ରହିଛି । ସରକାର କିନ୍ତୁ କହୁଛନ୍ତି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଖର୍ଚ୍ଚ କରାଯାଇଛି । ଯାହାକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ନୂଆ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିବାକୁ କୌଣସି ନିଦ୍ଦିଷ୍ଟ ପ୍ଳାନ ନକରିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇଆସୁଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ ସଠିକ ଭାବେ ଖର୍ଚ୍ଚ ହୋଇପାରୁନଥିବା ବେଳେ ଅତିରିକ୍ତ ବଜେଟ କେବଳ ଆଣିବା ପାଇଁ ସରକାର ଆଣୁଛନ୍ତି ବୋଲି ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ।