spot_img
Home Blog Page 2484

ସଧବା ମହିଳାଙ୍କ ସିନ୍ଦୂର ଖେଳ

ବ୍ୟୁରୋ ରିପୋର୍ଟ: ମଙ୍ଗଳବାର ହେଉଛି ମହାମାୟାଙ୍କ ପବିତ୍ର ବିଜୟା ଦଶମୀ । ମଣ୍ଡପରେ ଆଜି ଦଶହରା ପାଳନ କରାଯାଉଛି । ଗାଁଠୁ ସହର ସବୁଠି ଉତ୍ସବମୁଖର ହୋଇ ଉଠିଛି । ରାଜ୍ୟର ବିଭିନ୍ନ ମଣ୍ଡପରେ ଚାଲିଛି ସିନ୍ଦୁର ଖେଳ । ମା’ଙ୍କ ମଥାର ସିନ୍ଦୁରରେ ଭରୁଛି ସଧବା ମହିଳାଙ୍କ ସିନ୍ଥି। ନିଜ ନିଜ ଭିତରେ ସିନ୍ଦୁର ଲଗାଇ ସ୍ବାମୀଙ୍କ ସମେତ ପରିବାରର ମଙ୍ଗଳ କାମନା କରୁଛନ୍ତି ବାରବାଟୀ ପୂଜା ମଣ୍ଡପର ମହିଳାମାନେ। ନିଆରା ପରମ୍ପରା ଭାବେ ସିନ୍ଦୁର ଖେଳ ବାଲେଶ୍ବର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ।

ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଶେଷ ପର୍ବ। ଆଉ କିଛି ସମୟ ପରେ ଧରାଧାମରୁ ବିଦାୟ ନେବେ ମା ଦଶଭୁଜା। ଏଥିପାଇଁ ସବୁଠି ବିଧି ଅନୁସାରେ କରାଯାଉଛି ମା’ଙ୍କୁ ଆବାହନ। ଯାଜପୁର ଜିଲ୍ଲା ବ୍ୟାସନଗର ସହରର ନହକା ପୂଜାମଣ୍ଡପରେ ସିନ୍ଦୁର ଖେଳ ମାଧ୍ୟମରେ ମାଙ୍କୁ ବିଦାୟ ଦେଉଛନ୍ତି ସାଧବା ନାରୀ ମାନେ ।

ବିଜୟା ଦଶମୀ ଥିବା ବେଳେ ସମ୍ବଲପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ମା ମହିଷାମର୍ଦିନୀଙ୍କ ବିଜୟ ଦଶମୀରେ ସିନ୍ଦୁର ଖେଳ ହୋଇଛି । ବିଶେଷ କରି ଯେଉଁ ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରାରେ ମାଙ୍କୁ ପୂଜା କରାଯାଏ ସେହି ସ୍ଥାନ ମାନଙ୍କରେ ମା ଦୁର୍ଗାଙ୍କୁ ଝିଅ ରୂପେ ପୂଜା କରି ଆଜି ବିଦାୟ ଓ ବିସର୍ଜନ କରୁଥିବାରୁ ସିନ୍ଦୁର ଖେଳର ପରମ୍ପରା ରହିଛି ।

ଚଳନ୍ତା ପ୍ଲେନରେ ଇଂଜିନ୍ ବନ୍ଦ ଉଦ୍ୟମ କରି ଗିରଫ ହେଲେ ଛୁଟିରେ ଥିବା ପାଇଲଟ୍

ନୂଆଦିଲ୍ଲୀ: ଚଳନ୍ତା ପ୍ଲେନର ଇଂଜିନ ବନ୍ଦ କରିବାକୁ ଚେଷ୍ଟା କରି ଅଫ୍ ଡ୍ୟୁଟି ପାଇଲଟ୍ ଗିରଫ । ବିମାନଟି ଓ୍ବାସିଂଟନରୁ କାଲିଫର୍ଣ୍ଣିଆ ଯାଉଥିଲା । ଘଟଣା ଘଟିଛି ଅଲାସ୍କା ଏୟାରଲାଇନ୍ସରେ । ରବିବାର ଡ୍ୟୁଟିରେ ନଥିବା ପାଇଲଟ ଜୋସେଫ ଇମର୍ସନ ପ୍ଲେନର ଇଂଜିନ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ତେବେ କାର୍ଯ୍ୟରତ ପାଇଲଟ୍ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇବା ପରେ ଜୋସେଫଙ୍କୁ ଗିରଫ କରାଯାଇଛି । ଏବେ ଜୋସେଫଙ୍କୁ ମଲ୍ଟନୋମାହ କାଉଣ୍ଟି ଡିଷ୍ଟେସନରେ ରଖାଯାଇଛି । ବିମାନରେ ୮୦ ଯାତ୍ରୀ ଥିଲେ । ଅଲେସ୍କା ଏୟାରଲାଇନ୍ସ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି ।

ରିପୋର୍ଟ ଅନୁସାରେ ଜୋସେଫ ଅପରେଟିଂ ପାଇଲଟଙ୍କ ପାଖ ସିଟରେ ବସିଥିଲେ । ହଠାତ ସେ ଫାୟାର ସପ୍ରେସନ ସିଷ୍ଟମକୁ ଆକ୍ଟିଭ କରିବାକୁ ଚେଷ୍ଟା କରିଥିଲେ । ଏହା ଆକ୍ଟିଭ ହେଲେ ପ୍ଲେନରେ ଇନ୍ଧନ ସପ୍ଲାଏ ବନ୍ଦ ହୋଇଯାଇଥାଏ ଓ ବିମାନ ତଳକୁ ଖସି ପଡ଼ିଥାଏ । ହେଲେ ବିମାନର ପାଇଲଟ ଜୋସେଫଙ୍କୁ ଅଟକାଇବା ସହ ପୋର୍ଟଲ୍ୟାଣ୍ଡରେ ବିମାନର ଜରୁରୀ ଅବତରଣ କରାଇଥିଲେ ।

ଆମେରିକୀୟ ନ୍ୟୁଜ ଚ୍ୟାନେଲ ଦି ନ୍ୟୁୟର୍କ ଟାଇମ୍ସ ଅନୁସାରେ, ବିମାନ ଅବତରଣ ପରେ ୮୩ ଲୋକଙ୍କ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଥିଲା । ଏହାସହ ଜୋସେଫଙ୍କୁ ମାନସିକ ସ୍ତରରେ ଅସୁସ୍ଥ ବୋଲି କୁହାଯାଇଛି ।

ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯିବା ବେଳେ ମାଡ଼ି ବସିଲା ପୋଲିସ, ୪୭ ଲକ୍ଷ ଜବତ

ଗ୍ବାଲିୟର: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ପୋଲିସକୁ ବଡ଼ ସଫଳତା । ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳାଇବାକୁ ଯାଇ ଜଣେ ଗିରଫ । ଅଭିଯୁକ୍ତ ପାଖରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଜବତ । ଅଭିଯୁକ୍ତ ଜଣଙ୍କ ମୋରେନାର ସୁଲତାନ କରୋସିୟା ବୋଲି ଜଣାପଡ଼ିଛି । ତନ୍ତମନ୍ତ୍ର ମାଧ୍ୟମରେ ଏହି ଅଚଳ ଟଙ୍କାକୁ ବଦଳାଇବାକୁ କରିଥିଲା ଯୋଜନା । ଏକ ଅଳିଆ ଗଦାରୁ ସେ ଏହି ଟଙ୍କା ପାଇଥିବା ଓ ସେବେଠାରୁ ଲୁଚାଇ ରଖିଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ।

ଟଙ୍କାକୁ ବଦଳାଇବାକୁ ତାନ୍ତ୍ରିକ ପାଖକୁ ଯାଉଥିଲା

ଅଭିଯୁକ୍ତ କହିଛି, ପୁରୁଣା ଟଙ୍କାକୁ ନୂଆ ଟଙ୍କାରେ ପରିବର୍ତ୍ତନ କରିବାକୁ ଜଙ୍ଗଲରେ ରହୁଥିବା ଜଣେ ତାନ୍ତ୍ରିକ ପାଖକୁ ନେଉଥିଲା । ଫୋନ କଲରେ ଜଣେ ତାନ୍ତ୍ରିକ ଜଣଙ୍କ ଏହି ପୁରୁଣା ନୋଟ୍ ବଦଳାଇ ପାରିବ ବୋଲି କହିଥିଲା । ଏକ ଜିନକୁ ସେ ବଶ କରି ରଖିଛି ଓ ସେ ଏହି ନୋଟକୁ ନୂଆ ନୋଟରେ ପରିଣତ କରିପାରିବ ବୋଲି ତାନ୍ତ୍ରିକ କହିଥିଲା ।

ପୋଲିସ କହିଛି, ଗୁପ୍ତ ସୂଚନା ମିଳିବା ପାରେ ମୋରେନା ରାସ୍ତାରେ ଜଣେ ବାଇକ ଚାଳକକୁ ଅଟକା ଯାଇଥିଲା । ପୋଲିସକୁ ଦେଖି ବ୍ୟକ୍ତି ଜଣଙ୍କ ଖସି ଯିବାକୁ ଚେଷ୍ଟା କରିଥିଲା । ତା’ ବ୍ୟାଗରୁ ୪୭ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ ମିଳିଥିଲା ।

ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ: କହିଲେ- ଭିନ୍ନ ଧର୍ମର ଯୋଡ଼ିଙ୍କ ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍

ଆହ୍ଲାବାଦ: ଭିନ୍ନ ଧର୍ମର ଯୁବକ ଓ ଯୁବତୀଙ୍କ ଲିଭ୍ ଇନ୍ ରିଲେସନସିପକୁ କେବଳ ଟାଇମ୍ ପାସ୍ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ‘ଯେପର୍ଯ୍ୟନ୍ତ ଏହି ସମ୍ପର୍କକୁ ବିବାହର ରୂପ ଦେବାକୁ ଉଭୟ ପ୍ରସ୍ତୁତ ହୋଇ ନଥିବେ ଏହାରୁ ସୁରକ୍ଷା ଦିଆଟାଇ ପାରିବ ନାହିଁ ।’

ଜୀବନ ଫୁଲଶଯ୍ୟା ନୁହେଁ, ଏହା ବହୁତ କଠିନ ବୋଲି କୋର୍ଟ କହିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । କୁମାରୀ ରାଧିକା ଏବଂ ସୋହେଲ ଖାନଙ୍କ ଆବେଦନର ବିଚାର କରି ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ବିଚାରପତି ରାହୁଲ ଚର୍ତୁବେଦୀ ଏବଂ ଏମଏଏଚ ଇଦରିସିଙ୍କ ଖଣ୍ଡପୀଠ ।

ଆବେଦନରେ କୁହାଯାଇଥିଲା, ଉଭୟ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଚାହୁଁଛନ୍ତି । ତେଣୁ ମଥୁରା ରିଫାଇନାରୀ ଥାନାରେ ହୋଇଥିବା ଅପହରଣ ମାମଲାକୁ ରଦ୍ଦ କରିବା ସହ ଗିରଫଦାରୀ ଅଟକାଇବାକୁ ନିବେଦନ କରାଯାଇଛି ।

କୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି, ‘ସୁପ୍ରିମକୋର୍ଟ କିଛି ମାମଲାରେ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଅନୁମତି ଦେଇଚନ୍ତି । ହେଲେ ଦୁଇ ମାସର ସମୟ ଓ ୨୦ରୁ ୨୨ ବର୍ଷ ବୟସରେ ଏମିତି ସମ୍ପର୍କକୁ ନେଇ ସେମାନେ ହୁଏତ ଭମ୍ଭୀର ଭାବେ ବିଚାର କରି ନପାରନ୍ତି । ଏଥିରେ ବିଶ୍ବାସଠାରୁ ସମ୍ପର୍କର ଅଧିକ ମହତ୍ବ ରହିଥାଏ । ଯେ ପର୍ଯ୍ୟନ୍ତ ଉଭୟ ଏହାକୁ ବିବାହର ରୂପ ଦେଇ ନଥିବେ ଓ ପରସ୍ପରକୁ ବିଶ୍ବାସକୁ ନେଇ ନଥିବେ ସେ ପର୍ଯ୍ୟନ୍ତ କୋର୍ଟ ଏମିତି ସମ୍ପର୍କକୁ ନେଇ କୌଣସି ନିଷ୍ପତ୍ତି ଶୁଣାଇବେ ନାହିଁ ।’

ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକାଳରେ ବିକାଶର ଶିଖର ଛୁଇଁଛି ଓଡ଼ିଶା

ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସରର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି । ନିଜ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେଇଛନ୍ତି ଭି.କେ. ପାଣ୍ଡିଆନ ।  ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନେଇଥିଲେ ପଦକ୍ଷେପ ।

ପରେ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତ ।

ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭି.କେ ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ବହୁବାର ନିମନ୍ତ୍ରଣ କରାଯାଇଛି । ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଥିଲେ । ଭିନ୍ନକ୍ଷମଙ୍କ ସଶକ୍ତିକରଣରେ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।

୨୦୦୭ରୁ ୨୦୧୧ ଯାଏଁ ଗଞ୍ଜାମ ଜିଲ୍ଲାପାଳ ଥିଲେ ଭି.କେ. ପାଣ୍ଡିଆନ । ଏହି ସମୟରେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଲାଗୁ କରିଥିଲେ ।

ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ସେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି ଭି.କେ ପାଣ୍ଡିଆନ ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସରେ ନେବା ପରେ ଭି.କେ. ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । ନୂଆ ଦାୟିତ୍ବ ମିଳିବା ପରେ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । କହିଲେ- ଏବେ ଓଡ଼ିଶାର ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ ।

ମାନସ କହିଛନ୍ତି, ‘ନୂଆ ଭୂମିକା ଓ ନୂଆ ଦାୟିତ୍ବ ପାଇଁ ଆପଣଙ୍କୁ ଶୁଭେଚ୍ଛା । ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ ହେଉଛନ୍ତି ଭି.କେ. ପାଣ୍ଡିଆନ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ହେବା ପରେ ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ଦ୍ବାରା ବିକାଶ ଧାରା କ୍ଷୀପ୍ର ହେବ ।’

ପୁଟିନଙ୍କୁ ହୃଦଘାତ: ଚିତ୍କାର ଶୁଣି ଉଦ୍ଧାର କଲେ ସୁରକ୍ଷା କର୍ମୀ

ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟନଙ୍କୁ ନେଇ ବଡ଼ ଖବର । ଋଷ ରାଷ୍ଟ୍ରପତି ପୁଟନଙ୍କୁ ହୃଦଘାତ । ନିଜ ବେଡରୁମ୍ ଚଟାଣରେ ପଡ଼ି ଚିତ୍କାର କରୁଥିବା ବେଳେ ଉଦ୍ଧାର କଲେ ନିୟୋଜିତ ସୁରକ୍ଷାକର୍ମୀ । ଡାକ୍ତରୀ ଟିମ୍ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ କୁହାଯାଇଛି, ମସ୍କୋ ସମୟ ଅନୁସାରେ ରାତି ପ୍ରାୟ ୯ଟାରେ ପୁଟିନଙ୍କୁ ହୃଦଘାତ ହୋଇଥିଲା । ତାଙ୍କ ବେଡରୁମରୁ କିଛି ଶବ୍ଦ ଶୁଣି ଦୁଇଜଣ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ଯାଇଥିଲେ । ସେତେବେଳେ ପୁଟିନ ବେଡ ପାଖ ଚଟାଣରେ ପଡ଼ିଥିଲେ ଓ ପାଖରେ ଟେବୁଲ ଓ କିଛି ବାସନ ପଡ଼ିଥିଲା । ହୃଦଘାତ ହେବା ପରେ ପୁଟିନ ଟେବୁଲକୁ ଧରିବାକୁ ଚେଷ୍ଟା କରିବା ବେଳେ ତଳେ ପଡ଼ି ଯାଇଥିଲେ ଓ ଟେବୁଲ ବି ଗଡ଼ି ପଡ଼ି ଶବ୍ଦ ହୋଇଥିବା କୁହାଯାଉଛି ।

ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’: ବିଜୟା ଦଶମୀରେ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ହାମୁନ’ । ବଙ୍ଗୋପସାଗର ମଧ୍ୟରେ ନେଇ ବଳ ଗୋଟାଉଛି । ବର୍ତ୍ତମାନ ଏହା ପାରାଦୀପ ଠାରୁ ୨୩୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଗତି କରୁଛି । ଦୀଘା ଠାରୁ ୨୪୦ କିଲୋମିଟର ଓ ଖେପୁପଡ଼ା ଠାରୁ ୨୮୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ହାମୁନ । ଆଗାମୀ ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।

ଆସନ୍ତାକାଲି ସୁଦ୍ଧା ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଗଭୀର  ଅବପାତର ରୂପ ନେଇ ସ୍ଥଳ ଭାଗ ଛୁଇଁବ । ଏହାର ପ୍ରଭାବରେ ଆଜି ଉତ୍ତର ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହେବ । ବାକି ଜିଲ୍ଲାରେ ପାଗ କୋହଲା ରହିବ । ସମୁଦ୍ର ଅଶାନ୍ତ ଥିବାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ବିଶ୍ବକପ୍: ପାକିସ୍ତାନ ବିପକ୍ଷ ବିଜୟକୁ ୧୭ ଲକ୍ଷ ଶରଣାର୍ଥୀଙ୍କୁ ସମର୍ପଣ କଲା ଆଫଗାନିସ୍ତାନ ଟିମ୍

ଚେନ୍ନାଇ: ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ହରାଇ ଆଫଗାନିସ୍ତାନ ନିଜ ଦେଶର ଶରଣାର୍ଥୀଙ୍କ ଉପରେ ହେଉଥିବା ନିର୍ଯାତନାର ପ୍ରତିଶୋଧ ନେଇଛି । ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ୮ ଓ୍ବିକେଟରେ ପାକିସ୍ତାନକୁ ହରାଇବା ସହ ଏହି ବିଜୟକୁ ପାକିସ୍ତାନରୁ ବିତାଡ଼ିତ ହେୁଥିବା ୧୭ ଲକ୍ଷ ଆଫଗାନୀ ଶରଣାର୍ଥୀଙ୍କୁ ସମର୍ପଣ କରିଛି ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ।

କିଛିଦିନ ପୂର୍ବରୁ ପାକିସ୍ତାନ ନିଜ ଦେଶରେ ଥିବା ଆଫଗାନିସ୍ତାନ ସମେତ ଅନ୍ୟ ଦେଶର ଶରଣାର୍ଥୀଙ୍କୁ eଭେମ୍ବର ୧ ତାରିଖ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଫଗାନିସ୍ତାନ ସରକାର ପାକିସ୍ତାନର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇବା ସହ ଏହା ସ୍ବୀକାର କରାଯିବ ନାହିଁ ବୋଲି କହିଛି ।

ପାକିସ୍ତାନର ଏହି ନିଷ୍ପତ୍ତିକୁ ଆଫଗାନିସ୍ତାନ ଟିମ୍ ବିଶ୍ବକପ୍ ମୈଦାନରେ ନେଇଛି । ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଇବ୍ରାହିମ ଜାଦରାନ ୮୭ ରନର ଧୂଆଁଧାର ପ୍ରଦର୍ଶନ ସହ ପାକିସ୍ତାନକୁ ପରାଜୟର ବାଟ ଦେଖାଇ ଦେଇଥିଲେ । ଏହି ମ୍ୟାଚରେ ଜାଦରାନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ପୁରସ୍କାର ଗ୍ରହଣ କରିବା ପରେ ଜାଦରାନ କହିଥିଲେ, ‘ଏହି ସମ୍ମାନକୁ ମୁଁ ଦେଶବାଦୀଙ୍କ ସମେତ ପାକିସ୍ତାନରୁ ତଡ଼ା ଖାଉଥିବା ଆଫଗାନୀ ଶରଣାର୍ଥୀଙ୍କୁ ସମର୍ପିତ କରୁଛି ।

ଜାଦରାନଙ୍କ ଏହି ବୟାନ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡ଼ିଆ ୟୁଜର୍ସ ଜାଦରାନଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ।

ରାଜଧାନୀର ୬ଟି ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ବର: ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ । ମା’ଙ୍କ ଦର୍ଶନ କରିବାକୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ରାଜଧାନୀରେ ମା’ଙ୍କ ଦର୍ଶନ କରିବା ସହ ରାବଣ ପୋଡ଼ିର ମଜା ଉଠାଇବେ ଲୋକେ । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ଏଯାବତ ୬ଟି ପୂଜା ମଣ୍ଡପକୁ ଦିଆଯାଇଛି ଅନୁମତି । ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ଦେଲେ ସୂଚନା ।

ସୂଚନା ଅନୁସାରେ ଭୁବନେଶ୍ବରରେ ୮ରୁ ଅଧିକ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ପାଇଁ ଅନୁମତି ମଗାଯାଇଥିଲା । ତେବେ ଏଯାବତ ୬ଟି ସ୍ଥାନକୁ ରାବଣ ପୋଡ଼ି ଅନୁମତି ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି ।

ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ରାବଣ ପୋଡ଼ି ପାଇଁ ଅନୁମତି ମିଳିନି । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ବିଚାରକୁ ନେଇ ଅଗ୍ନିଶମ ବିଭାଗ ଏହି ଅନୁମତି ଦେଇଛି ।

ରାବଣପୋଡି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ । ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ମଣ୍ଡପ ନିକଟରେ ନିୟୋଜିତ ରହିବେ । ଲୋକେ ଦଶହରା ବୁଲାବୁଲି ସହ ଏହି ସବୁ ପୂଜା ମଣ୍ଡପରେ ରାବଣ ପୋଡ଼ିର ମଜା ଉଠାଇ ପାରିବେ ।

ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ଜାଗାରେ ଯାଞ୍ଚ ଆରମ୍ଭ ହୋଇଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୯ ଭିତରେ ଶେଷ ହେବ ରାବଣ ପୋଡ଼ି । ରାବଣ ପୋଡ଼ି ସ୍ଥାନରୁ ୧୦୦ ମିଟର ଭିତରେ ପ୍ରବେଶ ଓ ଚଳାଚଳ ନିଷେଧ ହେବ । ନିର୍ଦ୍ଦିଷ୍ଟ ଡେସିବଲ ଓ ବ୍ରାଣ୍ଡର ବାଣ ଫୁଟାଇବାକୁ ଅନୁମତି ମିଳିଛି । ମାନସିକ ଓ ହୃଦରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ସେହିପରି ଛୋଟ ପିଲାଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।