spot_img
Home Blog Page 2503

ଟ୍ରେନ ଅଟକାଇ ପ୍ରତିବାଦ କଲେ ଯାତ୍ରୀ

ଖୋର୍ଦ୍ଧା: ଟ୍ରେନକୁ ଅଟକାଇ ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ । ଖୋର୍ଦ୍ଧା ରୋଡ ଷ୍ଟେସନ ନିକଟ ତାପଙ୍ଗ ଷ୍ଟେସନରେ ଘଟିଛି ଏପରି ଅଭାବନୀୟ ଘଟଣା । ତାପଙ୍ଗ ଷ୍ଟେସନରେ ପଲାସା-କଟକ ଟ୍ରେନକୁ ଅଟକାଇଲେ ଯାତ୍ରୀ । ଟ୍ରେନ୍ ଆଗରେ ଠିଆ ହୋଇ କରିଛନ୍ତି ପ୍ରତିବାଦ । ଟ୍ରେନରେ ଅଧିକା ବଗି ଲଗାଇବା ଦାବିରେ ଧାରଣା ଦେଇଥିଲେ ଯାତ୍ରୀ । ଫଳରେ ଘଣ୍ଟାଏ ପର୍ଯ୍ୟନ୍ତ ଅଟକି ରହିଲା ଟ୍ରେନ୍ । ନିୟମିତ ଭାବରେ ବିଭିନ୍ନ କାମରେ ଭୁବନେଶ୍ବରକୁ ଯାତ୍ରା କରୁଛନ୍ତି ଏହି ଅଞ୍ଚଳର ଯାତ୍ରୀ । ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ । ତେବେ ଏହି ଟ୍ରେନରେ ବଗି କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ଏହାର ପ୍ରତିବାଦରେ ଆଜି ତାପଙ୍ଗ ଷ୍ଟେସନରେ ପ୍ରତିବାଦ କରିଛନ୍ତି ଯାତ୍ରୀ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ୍ ହୋଇଛି ।

କାଲିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ଭିଡ଼

ଭୁବନେଶ୍ବର: ମଙ୍ଗଳବାରଥିଲା ଛାଡ଼ଖାଇ। କିନ୍ତୁ ବୁଧବାର ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼। ମଙ୍ଗଳବାରରେ ଅଧିକାଂଶ ଲୋକ ଖାଉ ନଥିବାବେଳେ ପ୍ରକୃତ ଛାଡ଼ଖାଇ ଆଜି ପାଳନ କରୁଛନ୍ତି ଲୋକେ । ଧର୍ମମାସରେ ନିରାମିଷ ଭୋଜନ କରିଥିବା ଲୋକେ ବୁଧବାର ଆମିଷ ବଜାରରେ ଭିଡ଼ ଜମାଇଥିବାବେଳେ ବେପାର ଧୁମ ଜମୁଛି । ଆମିଷ ମାର୍କେଟରେ ଆଜି ହିଁ ଛାଡଖାଇର ଅସଲ ଭିଡ । ଗତକାଲି ଛାଡଖାଇ ଥିଲା । କିନ୍ତୁ ଗତକାଲି ମଙ୍ଗଳବାର ଥିବାରୁ ଅଧିକାଂଶ ଆମିଷ ପ୍ରିୟ ଲୋକ ଆଜି ମନ ପସନ୍ଦର ଆମିଷ ଘରକୁ କିଣି ନେଉଛନ୍ତି । ମାଛ, ମଟନ, ଚିକେନ, କଙ୍କଡା, ଚିଙ୍ଗୁଡି ସବୁଠି ଲୋକଙ୍କ ଭିଡ । ଦର ଟିକେ ଉଚ୍ଚା ଥିଲେ ସୁଦ୍ଧା ସେଥିପ୍ରତି ଗ୍ରାହକଙ୍କ ଧ୍ୟାନ ନାହିଁ । ଘରକୁ ଆମିଷ ନେଇ ଛାଡଖାଇ ପାଳିବାକୁ ବଜାରରେ ଜମିଛି ଲୋକଙ୍କ ଭିଡ଼ ।

 

 

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ପରାଜୟର କାରଣ କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଭାରତ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଭାରତ ବଡ଼ ସ୍କୋର କରିବା ସତ୍ତ୍ବେ ପରାଜୟ ବରଣ କରିଛି । ୨୨୨ ରନର ବିଶାଳ ସ୍କୋର କରିବା ପରେ ମଧ୍ୟ ଭାରତର ପରାଜୟକୁ ନେଇ ପ୍ରଂଶସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭାରତ ପରାଜୟର କାରଣ କହିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ କହିଛନ୍ତି କି, ଅତ୍ୟଧିକ କାକର ପଡ଼ିବା ବୋଲରଙ୍କୁ ବୋଲିଂରେ ଅସୁବିଧା ହୋଇଥିଲା । ଯଦିଓ ପ୍ରଥମରୁ ଓ୍ବିକେଟର ପତନ ଘଟିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ଅଷ୍ଟ୍ରେଲିଆକୁ ବିଜୟ ଦେଇଛି । ଆମେ ମ୍ୟାକ୍ସଓ୍ବେଲଙ୍କ ଓ୍ବିକେଟକୁ ଟାର୍ଗେଟ କରିଥିଲୁ । କିନ୍ତୁ ହାତଛଡ଼ା କଲୁ । ସେପଟେ ୧୯ ଓଭର ପାଇଁ ଆମେ ଜଣେ ଅଭିଜ୍ଞ ବୋଲରଙ୍କୁ ରଖିଥିଲୁ । ଅକ୍ଷର ପଟେଲ ପୂର୍ବରୁ ଭଲ ବୋଲିଂ ମଧ୍ୟ କରିଛନ୍ତି । ମାତ୍ର ଶେଷ ୨ ଓଭରରେ ୪୩ ରନ ଆବଶ୍ୟକ ରହିଥିଲା । କିନ୍ତୁ ଆମେ ବିଜୟୀ ହୋଇପାରିଲୁନି।

ସୂଚନା ଥାଉକି, ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୩ ଓ୍ବିକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିଥିଲା । ଋତୁରାଜ ଗାଏକ୍ବାଡଙ୍କ ଶତକୀୟ ପାଳି ବଳରେ ଭାରତ ବିଶାଲ ସ୍କୋର କରିଥିଲା । ମାତ୍ର ମ୍ୟାକ୍ସଓ୍ବେଲଙ୍କ ଶତକ ଆଗରେ ଗାଏକ୍ବାଡଙ୍କ ଶତକ ଫିକା ପଡ଼ିଛି ।

ଯେତେବେଳେ ଶ୍ରମିକଙ୍କ ପାଖରେ ପହଞ୍ଚିଥିଲେ NDRF ଟିମ୍, ଜାଣନ୍ତୁ କ’ଣ ଥିଲା ସେ ସମୟର ଦୃଶ୍ୟ

ଉତ୍ତରାଖଣ୍ଡ: ଜିତିଲା ଜୀବନ । ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ସଫଳ । ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି । ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା । କିନ୍ତୁ ସବୁ କିଛି ଫେଲ ମାରିଥିଲା । ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା। ଯେତେବେଳେ ଶ୍ରମିକମାନେ ଏନଡିଆରଏଫ ଟିମକୁ ଦେଖିଥିଲେ ଖୁସି ହୋଇଯାଇଥିଲେ। NDRF ଟିମ ସେମାନଙ୍କୁ କହିଥିଲେ କି, ଆମେ ତୁମକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆସିଛୁ। ଭୟ କରନାହିଁ । ସେପଟେ ଫସି ରହିଥିବା ଶ୍ରମିକମାନେ ମଧ୍ୟ ଆମକୁ ଦେଖି ବେଶ ଖୁସି ହେବା ସହ କିଛି ସମୟ କଥା ହୋଇଥିଲେ । ଏତେଦିନ ଟନେଲ ଭିତରେ କେମିତି ରହିଲେ ସେ ସ୍ମୃତିକୁ ବଖାଣିଥିଲେ ।

କଟକ ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ

କଟକ: ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ।  ଉତ୍କଳୀୟ ପରମ୍ପରା. ଐତିହ୍ୟ ଓ ଗୌରବମୟ ଅତୀତର ଗାଥାକୁ ନେଇ ଦୁଲୁକୁଛି ବାଲିଯାତ୍ରା ପଡିଆ । ଉଦଘାଟନୀ ପରଠାରୁ ବାଲିଯାତ୍ରାରେ ଖଚାଖଚ ଭିଡ଼ ପରିଲକ୍ଷିତ ହେଉଛି। ସୁଆଦିଆ ଖାଦ୍ୟ ସାଙ୍ଗକୁ ଶହ ଶହ ସଂଖ୍ୟାରେ ଲାଗିଛି ଷ୍ଟଲ । ବାଲିଯାତ୍ରା ବୁଲି ଘରକରଣା ସାମଗ୍ରୀ କିଣ ନେଉଛନ୍ତି ଦର୍ଶକ। ଏହାସହ ବିଶାଳକାୟ ଦୋଳିର ମଜା ଉଠାଉଛନ୍ତି ଦେଖଣାହାରୀ। ବାଲିଯାତ୍ରାରେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଛି । ଏସବୁ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଦର୍ଶକ । ମହାନଦୀ କୂଳର ସୁଲୁସୁଲିଆ ପବନରେ ବୁଲିବା ସାଙ୍ଗକୁ ମିନାବଜାରର ମଜା ଉଠାଇଛନ୍ତି ଦର୍ଶକ। ଚଳିତ ବର୍ଷ ତଳ ଉପର ପଡିଆରେ ୧୨୪୦ଟି ଷ୍ଟଲ ପଡିଛି । ଏଥିରେ ସରକାରୀ ଷ୍ଟଲ କେବଳ ୨୦୦ ରହିଛି । ବାଲିଯାତ୍ରାରେ ଦେଖଣାହାରୀଙ୍କ ସୁରକ୍ଷା ପ୍ରତି ଅଧିକ ସତର୍କ ଦୃଷ୍ଟି ଦିଆଯାଇଛି । ନଜର ରଖିବାକୁ ୭୭୭ଟି ସିସିଟିଭି କ୍ୟାମେରା ଲାଗିଛି । ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୂତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯାଇଛି । ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡିକରେ ସିଏମସି ଓ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ୍ ମଧ୍ୟ ଲଗାତର ଚଢାଉ ଜାରି ରଖିଛି ।

ପୁଣି ବାତ୍ୟା ଭୟ, ଆଜି ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପ ସାଗରରେ ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଚି। ସମୁଦ୍ର ଭିତରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆାଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି ।

ଆାଇଏମଡିର ଜିଏଫଏସ ମଡ଼େଲ ଅନୁସାରେ ବାତ୍ୟା ‘ମିଗଜାଉଂ’ ଆାହୁରି ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉତ୍ତର – ପଶ୍ଚିମ ଦିଗେର ଗତି କରିବ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି  । ଡିସେମ୍ବର ୫ ତାରିଖ ବେଳକୁ ‘ମିଗଜାଉଂ’ ଉତ୍ତର ଆାନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜିଏଫଏସ ମଡ଼େଲ ଆାକଳନ କରିଛି । ସେହିପରି ଇସିଏମ ମଡେଲର ଆାକଳନ ଅନୁସାରେ ଏହି ସିଷ୍ଟମ ଡିସେମ୍ବର ୨ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ।

ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ‘ମିଗଜାଉଂ’ ୬ ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ମଡ଼େଲକୁ ତର୍ଜମା କରି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉଂ’ ସୃଷ୍ଟି ହେବ ବୋଲି ଆାକଳନ କରିଛି । ଏହି ସମୟରେ ସମୁଦ୍ର ଭିତରେ ପବନର ଗତି ୬୦ ରୁ ୭୦ କିମି  ଓ ସ୍ଥଳ ବିଶେଷରେ ୮୦ କିମି ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ତେବେ ପରବର୍ତ୍ତୀ ସମୟରେ ଏହାର ତୀବ୍ରତା ଓ ଲ୍ୟାଣ୍ଡଫଲ ନେଇ କୈାଣସି ପୂର୍ବାନୁମାନ କରିନି ଆଇଏମଡ଼ି ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଶ୍ରମିକ, ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଜଣ ଶ୍ରମିକ। ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ଓଡ଼ିଆ। ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ଖବର ଶୁଣି ମୋତେ ବହୁତ ଖୁସି ଲାଗିଲା । ଆମ ଲୋକମାନେ ସୁରକ୍ଷିତ ଘରକୁ ଫେରିବ । ଏଥିପାଇଁ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ୍ ଓ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଉଛି ।

ଟନେଲରୁ ସମସ୍ତ ୫ ଜଣ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ଦିଆଯାଇଛି। ମୟୂରଭଂଜ ବାଙ୍ଗିରିପୋଷି ଅଞ୍ଚଳର ଧୀରେନ ନାଏକ, ରାଜୁ ନାଏକ ଏବଂ ବିଶ୍ବେଶ୍ବର ନାଏକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳର ଭଗବାନ ଭତ୍ରା। ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ଉଦ୍ଧାର ହୋଇଛନ୍ତି। ଏହି ଖୁସି ଖବର ପାଇବା ପରେ ପାଞ୍ଚ ଜଣକ ପରିବାରରେ ଖୁସି ଲହରି ଖେଳିଯାଇଥିଲା। ବାଣ ଫୁଟାଇ ନାଚ ଗୀତ କରି ସେମାନେ ଖୁସି ବ୍ୟକ୍ତି କରିଥିଲେ।

ଜିତିଲା ଜୀବନ; ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୫ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି…

ଉତ୍ତରକାଶୀ: ପ୍ରତୀକ୍ଷାର ଅନ୍ତ ହେଲା। ଦୀର୍ଘ ୧୭ ଦିନର କସରତ ପରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୫ ଶ୍ରମିକ। ପ୍ରଥମେ ଅସୁସ୍ଥ ଓ ବୟସ୍କ ଶ୍ରମିକଙ୍କୁ କରାଯାଉଛି ଉଦ୍ଧାର।

ସୂଚନା ଅନୁଯାୟୀ, ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରୁଛି NDRF ଟିମ୍ । ଏଥିସହିତ ସେନା ଓ SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

ଅଧିକ ପଢନ୍ତୁ- ରାଟ-ହୋଲ୍ ମାଇନିଂ ସିଷ୍ଟମ କ’ଣ? ଯାହା ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ପାଇଁ ପାଲଟିଛି ବରଦାନ

ଚୀନରେ ବ୍ୟାପୁଛି ନିମୋନିଆ, ଆଲର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: ଚୀନରେ ନିମୋନିଆ, ଆଲର୍ଟରେ ରାଜ୍ୟ ସରକାର। ଚୀନ ନିମୋନିଆ ନେଇ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ମିଶନ ମୋଡରେ ନୂଆ ଭୂତାଣୁ ମୁକାବିଲା ପାଇଁ ପ୍ରାକ୍-ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଯଦିଓ H9N2 ଭାଇରସ୍ ନୂଆ ନୁହେଁ, ଏବଂ ଏଯାଏଁ ଓଡ଼ିଶାରେ ଏହା ଟ୍ରେସ୍ ହୋଇନି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ଏହାକୁ ପୁରୁଣା ଭାଇରସ୍ ଭାବେ ବିବେଚନା କରୁଛି। ତେବେ ରାଜ୍ୟରେ ସର୍ଭେଲାନ୍ସ ବଢ଼ାଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରେ ଏକାସଙ୍ଗେ ଅନେକ ରୋଗାକ୍ରାନ୍ତ ହେଲେ ମାସ୍ ଟେଷ୍ଟିଂ ବି ଆରମ୍ଭ କରାଯିବ। ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରାଯିବ।

ଆରଏମଆରସି ତଥ୍ୟ ଅନୁଯାୟୀ ବର୍ତ୍ତମାନ ଲାଗି ରହିଥିବା ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସ୍ ଯୋଗୁଁ ହେଉନି। ସେହିପରି ରାଜ୍ୟରେ ନୂଆ ଭାଇରସର ତଥ୍ୟ ମିଳିନି। ହେଲେ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନପାୱାର୍, ମେଡିସିନ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥଣ୍ଡା କାଶ ରୋଗୀଙ୍କୁ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍ କରିଛି।

ଚୀନରେ ନୂଆ ନିମୋନିଆ ଅଧିକାଂଶ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି। ସେମାନଙ୍କ ନିଶ୍ବାସ ନେବାକୁ ବି ପ୍ରଭାବିତ କରୁଛି । ଲମ୍ବା ସମୟ ଧରି ଥଣ୍ଡା, କାଶ, ଜ୍ବର ଲାଗି ରହୁଛି। ଯାହା ଚୀନକୁ କଲବଲ କରିଛି। ହେଲେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କେବଳ ସତର୍କ ରହିବାକୁ ପଡ଼ିବ।

ଗିରଫ ହେଲେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

ବୈପାରିଗୁଡ଼ା: ଗିରଫ ହେଲେ କୁବେର ଆଇଆଇସି। ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ପୁଳାପୁଳା ସମ୍ପତ୍ତି ଠାବ ହେବା ପରେ ଗିରଫ ହୋଇଛନ୍ତି। ସୁଶାନ୍ତଙ୍କ ନିକଟରୁ ଏଯାଏ ଜବତ ହେଲାଣି ୩୭ ଲକ୍ଷରୁ ଅଧିକ ଟଙ୍କା। ତାଙ୍କ କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିବାବେଳେ ବୈପାରିଗୁଡ଼ା କାର୍ଟର୍ସରୁ ୩ ଲକ୍ଷ, ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏସବୁ ୫ଶହ ଟଙ୍କିଆ ନୋଟ୍ ବୋଲି ସୂଚନା ମିଳିଛି ।

ଆଇଆଇସି କୋଉଠୁ ଏତେ ଟଙ୍କା ଆଣିଲେ ସେନେଇ କଟକ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରୁଛି । ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସୁଶାନ୍ତ କୁମାର ଶତପଥୀ । ବସରେ ଟଙ୍କା ନେଇ ଘରକୁ ଯାଉଥିବାବେଳେ ପ୍ରଥମେ ରେଡ୍ କରି ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି।

ପରେ ଥାନାରେ ତାଙ୍କ ଚ୍ୟାମ୍ବରରୁ ୧ ଲକ୍ଷ ୮୦ ହଜାର, ସେଠାକାର କ୍ବାର୍ଟର୍ସରୁ ୩ ଲକ୍ଷ ଓ ଆଜି ଆଜି କଟକ କ୍ବାର୍ଟର୍ସରୁ ଆଉ ୨୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଏଯାଏ ମୋଟ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ କଲାଣି ଭିଜିଲାନ୍ସ । ଏହାଛଡ଼ା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।