spot_img
Home Blog Page 2526

ବସ୍ତି ବାସିନ୍ଦାଙ୍କ ପାଇଁ ତିନୋଟି ଆବାସ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ତିନୋଟି ଆବାସ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କରିଛନ୍ତି ହିତାଧିକାରୀ । ଚନ୍ଦ୍ରଶେଖରପୁର, ଶାନ୍ତିନଗର ଓ ସୁବୁଧିପୁରରେ ଏହି ତିନୋଟି ପ୍ରକଳ୍ପରେ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେଇଛନ୍ତି ସରକାର । ସରକାରୀ ଓ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ପାଞ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ ୨୬୦୦ ବସ୍ତିବାସନ୍ଦାଙ୍କୁ ଘର ଯୋଗାଇ ଦିଆଯିବ ।

ସେ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘର ନିର୍ମାଣ ସଂପୂର୍ଣ୍ଣ ହୋଇ ବିଡିଏକୁ ହସ୍ତାନ୍ତର କରାଯାଇଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ଫ୍ଲାଟ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଚ୍ଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି । ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି ।

ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଚନ୍ଦ୍ରଶେଖରପୁର ହାଇସିଂ ପ୍ରକଳ୍ପ ସମେତ ଶାନ୍ତିନଗର ପ୍ରକଳ୍ପରେ ମୋଟ ୧୩ଶହ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ । ସେମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୬୦ ଘର ନିର୍ମାଣ ସରିଥିବା ବେଳେ ୩୨୬ ଜଣଙ୍କୁ ଘରି ଆଲର୍ଟ ସରିଛି । ସେହିଭଳି ସବୁଦ୍ଧିପୁରରେ ୩୪୨ଟି ଫ୍ଲାଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ ମଧ୍ୟରୁ ୩୦ଟି ଘର ନିର୍ମାଣ ସରିଛି । ଆଉ କିଛି ସମୟପରେ ମୁଖ୍ୟମନ୍ତ୍ରୀ ତିନୋଟି ଯାକ ହାଇସିଂ ପ୍ରକଳ୍ପକୁ ଲୋକାର୍ପଣ କରିବେ ।

ଏହିସବୁ ହାଉସିଂ ପ୍ରକଳ୍ପରେ ସ୍ବେରେଜ, ଡ୍ରେନେଜ, ଷ୍ଟ୍ରିଟ ଲାଇଟ ସହ ବହୁମୁଖି ଆମେନିଟି ସେଣ୍ଟର ଓ ନେବରହୁଡ ସପିଂ ବ୍ୟବସ୍ଥା ରହିଛି । ବହୁମୁଖି ଆମେନିଟି ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଷ୍ଟଡି ରୁମ, ଲାଇବ୍ରେରୀ ଓ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ରହିଛି । ଭୁବନେଶ୍ବରରେ ୩୨୦ ବର୍ଗ ଫୁଟର ୱାନ ବିଏଚକେ ଘରର ମୁଲ୍ୟ ୩୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ଲୋକଙ୍କୁ ଦେଢ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯାଉଛି । ବସ୍ତିବାସିନ୍ଦା ଦୁଇଟି ପର୍ଯ୍ୟାୟରେ ଏହି ଅର୍ଥ ପୈଠ କରିବେ । ଯେଉଁମାନେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ହେବେ ବିଡିଏ ସେମାନଙ୍କୁ ବ୍ୟାଙ୍କରୁ ଋଣ କରିବାରେ ସହଯୋଗ କରିବ ।

ଯେତେବେଳେ ଦେଶ ଶୋକ ପାଳନ କରୁଥିଲା ସେତେବେଳେ ଡ୍ରେସିଂରୁମରେ କ’ଣ କରୁଥିଲେ ଖେଳାଳୀ ?

ନନ୍ଦିଘୋଷ ବ୍ୟୁରୋ: ଚଳିତ ୨୦୨୩ ବିଶ୍ୱକପରେ ଲଗାତାର ୧୦ଟି ମ୍ୟାଚ୍‌ ଜିତି ରୋହିତ ସେନା ଫାଇନାଲରେ ପହଞ୍ଚିଥିଲା । କିନ୍ତୁ  ଅଷ୍ଟ୍ରେଲିଆଠାରୁ ହାରିବାର କଷ୍ଟ ଆଉ ଯନ୍ତ୍ରଣା ହୁଏତ  ବର୍ଷ ବର୍ଷ ଧରି ସେମିତି ରହିବ । କ୍ରିକେଟ ମଇଦାନରେ ଗୋଟିଏ ପଟେ ବିପକ୍ଷ ଦଳ ଖୁସିର ଉତ୍ସବ ପାଳନ କରୁଥିବାବେଳେ  ଭାରତୀୟ ଖେଳାଳୀଙ୍କ ଭାବବିହ୍ୱଳ ହେବାର ଦୃଶ୍ୟ କିଏ ବା ଭୁଲିପାରିବ?  କିନ୍ତୁ ନିଶ୍ଚିତ ଭାବରେ ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ଯେତେବେଳେ ଆମେ ଦର୍ଶକ ହୋଇ ହାରିବାକୁ ଗ୍ରହଣ କରିପାରିନାହୁଁ ସେତେବେଳେ କେମିତି ଥିବ ଭାରତୀୟ ଖେଳାଳିଙ୍କ ସ୍ଥିତି ? କ’ଣ ସବୁ ଆଲୋଚନା ହେଉଥିବ । ହାରିବା ପରେ କେମିତି ଥିବ ଡ୍ରେସିଂ ରୁମର ଦୃଶ୍ୟ ?

ସବୁ ଥର ଭଳି ଏଥର କିନ୍ତୁ ଡ୍ରେସିଂ ରୁମରେ ସେ କ୍ରେଜ୍‌ ନଥିଲା । ପୂରା ଅନ୍ଧାର ଛାଇ ଯାଇଥିଲା ।  କିଛି ଚେହେରା ମିସିଂ ଥିଲା ।  ପ୍ରତି ଥର ଭଳି  ଚଳିତ ଥର ଡ୍ରେସିଂ ରୁମରେ  ଫିଲ୍ଡିଂ ପାଇଁ ମେଡାଲ ସେରମନି ହେବାର ଥିଲା ।  କିନ୍ତୁ କୌଣସି ଚେହେରାରେ ହସ ନଥିଲା । ଭଙ୍ଗା ହୃଦୟ ଆଉ ଉଦାସ ଚେହେରାରେ ସମସ୍ତେ ମନମାରି ବସିଥିବାବେଳେ ହଠାତ୍‌ ଏକ ସାନ୍ତ୍ୱନାର ସ୍ୱର ଶୁଣା ଯାଇଥିଲା । କେହି ଜଣେ ହଠାତ୍‌ ମନୋବଳ ବଢ଼ାଇବାକୁ ଚେଷ୍ଟା କଲେ ।

ଏହି କଣ୍ଠ ସ୍ୱର ଥିଲା  ଫିଲ୍ଡିଂ କୋଚ୍‌ ଦିଲ୍ଲୀପଙ୍କର ।  ବିରାଟ କୋହଲି,ଶୁଭମନ ଗିଲ, ଶ୍ରେୟସ ଅୟର, ରବିନ୍ଦ୍ର ଜାଡେଜା, ମୋହମ୍ମଦ ସମି, ମୋହମ୍ମଦ ସିରାଜ ସମସ୍ତେ ଉଦାସ ଥିଲେ ।  କିନ୍ତୁ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପ  ମନୋବଳ ଭାଙ୍ଗି ନଥିଲେ କି ଅନ୍ୟର ସାଥ୍‌ ମଧ୍ୟ ଛାଡ଼ିନଥିଲେ । ମାହୋଲକୁ ଠିକ୍‌ କରିବାକୁ ଖୁବ୍‌ ଚେଷ୍ଟା କରିଥିଲେ ।  ମ୍ୟାନ୍‌ ଇନ୍‌ ବ୍ଲୁର ମନୋବଳ ବଢ଼ାଇଥିଲେ ।  ସେ କହିଲେଯେ ମୁଁ ଜାଣିଛି ଏହା ଆମ ସମସ୍ତଙ୍କୁ ଖୁବ୍‌ କଷ୍ଟ ଦେଇଛି । କିନ୍ତୁ ଆମର ସବୁ ଚେଷ୍ଟା ପରେ ମଧ୍ୟ ପରିଣାମ ଆମ ପକ୍ଷରେ ନଥିଲା ।  ରାହୁଲ ଦ୍ରାବିଡଙ୍କ ବାର୍ତ୍ତା ମଧ୍ୟ ସେ ଦେଲେ ।  ଯେଉଁଥିରେ ରାହୁଲ କହିଥିଲେ ଆମେ ସମସ୍ତେ ନିଜକୁ ନେଇ ଗର୍ବ ଅନୁଭବ କରିପାରିବା ।  ମୁଁ ପ୍ରତ୍ୟେକ ଖେଳାଳିଙ୍କୁ ପ୍ରଶଂସା କରୁଛି ।  ଏହା ସହିତ ଅଭ୍ୟାସ ଶେସନ ସମୟରେ ଖେଳାଳୀଙ୍କ ଲକ୍ଷ୍ୟ ଏବଂ ଜୋଶକୁ ପ୍ରଶଂସା କଲେ ଟି ଦିଲ୍ଲୀପ ।  ତେବେ ପୂରା ମ୍ୟାଚରେ ଥିବା ଭାଇଚାରା ମୋତେ ବେଶ୍‌ ପସନ୍ଦ ଆସିଲା ।  ମଇଦାନରେ ସମସ୍ତେ ଗୋଟିଏ ଟିମ୍‌ ହୋଇ ଆଗକୁ ବଢ଼ିଥିଲେ ଏବଂ ପ୍ରତ୍ୟେକ ପରସ୍ପରର ସାଥ୍‌ ଦେଉଥିଲେ  ବୋଲି ସେ କହିଛନ୍ତି ।

ଟି. ଦିଲ୍ଲୀପ ବିରାଟ କୋହଲିଙ୍କୁ  ଟିମ୍‌ ଇଣ୍ଡିଆର ପ୍ଲେୟାର ଅଫ୍ ଦ ମ୍ୟାଚ୍‌ ଘୋଷଣା କଲେ ।  ଏହାପରେ ରବିନ୍ଦ୍ର ଜାଡେଜା କୋହଲିଙ୍କୁ ମେଡାଲ ପିନ୍ଧାଇଲେ ।  ଏହା ସହିତ ବିରାଟ ଜଣେ ଚମତ୍କାର ଖେଳାଳି ଏବଂ ମଇଦାନରେ ପାଦ ଦେବାମାତ୍ରେ ଚମତ୍କାର କରନ୍ତି ବୋଲି ଟି ଦିଲ୍ଲୀପ କହିଛନ୍ତି ।

 

ଉନ୍ନାଓରେ ଅଭାବନୀୟ ଘଟଣା; ବିଦ୍ୟୁତଘାତରେ ଗୋଟିଏ ପରିବାରର ୪ ଶିଶୁ ମୃତ

ଉନ୍ନାଓ: ଉନ୍ନାଓ ଜିଲ୍ଲାର ବାରସଗୱର ଅଞ୍ଚଳରେ ବିଦ୍ୟୁତଘାତରେ ୪ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଏରିଆ ଅଧିକାରୀ (ନଗର) ଆଶୁତୋଷ କୁମାର କହିଛନ୍ତି ଯେ ବାରାସଗୱର ଥାନା ଅଞ୍ଚଳର ଲାଲମନ ଖେଡା ଗାଁର ବାସିନ୍ଦା ବିରେନ୍ଦ୍ର କୁମାରଙ୍କ ଘର ବାରଣ୍ଡାରେ ଏକ ପଙ୍ଖା ରଖାଯାଇଥିଲା । ସନ୍ଧ୍ୟା ସମୟରେ ବାରଣ୍ଡାରେ ଖେଳୁଥିବା ବେଳେ ଜଣେ ଛୁଆ ଫ୍ୟାନକୁ କୌଣସି କାରଣବଶତଃ ଛୁଇଁଥିଲା । ଉକ୍ତ ଶିଶୁଟିକୁ କରେଣ୍ଟ ମାରିଥିବାବେଳେ ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଭାଇ-ଭଉଣୀ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଚାରି ପିଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ସୂଚନାନୁସାରେ ଘରେ ୱାୟରିଂ ବ୍ୟବସ୍ଥା ନଥିବା ବେଳେ ଆର୍ଥିଙ୍ଗର ବ୍ୟବସ୍ଥା କରାଯାଇଥିଲା। ପଙ୍ଖା ମଧ୍ୟ ସମ୍ପୂର୍ଣ୍ଣ ଲୁହାର ଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଯାଇଛି । ତେବେ ମୃତ ପିଲାମାନଙ୍କର ନାମ ମୟଙ୍କ (୯), ହିମାଂଶୀ (୮), ହିମାଙ୍କ (୬) ଏବଂ ମାନସୀ (୫)। ଛୁଆଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡିଛି ପୂରା ପରିବାର।  ନିଜର ୪ ଛୁଆଙ୍କୁ ହରାଇ ମା’ ଏକପ୍ରକାର ପାଗଳି ହୋଇପଡୁଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ବାପା । ଏପଟେ ପିଲାଙ୍କୁ ହରାଇ କେମିତି ବଞ୍ଚିବି ବୋଲି ଛାତି ପିଟିପିଟି  କାନ୍ଦୁଥିବା ମା’ର ଆକୁଳ ଚିତ୍କାର ସମସ୍ତଙ୍କୁ ଧୈର୍ଯ୍ୟ ହରା କରିଦେଇଛି ।

ରିପୋର୍ଟ ଅନୁଯାୟୀ, ଏହି ଅଘଟଣ ସମୟରେ ପିତାମାତା କ୍ଷେତକୁ କାମ କରିବାକୁ ଯାଇଥିଲା ବେଳେ ଘରେ କେବଳ ପିଲାମାନେ ଥିଲେ।

ପରାଜୟକୁ ନେଇ ଏମିତି ଲେଖିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ବିଶ୍ବକପ ୨୦୨୩ ଭାରତରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଘରୋଇ ଦଳ ହାତରୁ ଟ୍ରଫି ଚାଲିଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଫାଇନାଲରେ ପ୍ରଂଶସକଙ୍କୁ ନିରାଶ କରିଥିଲେ । ଭାରତର ପରାଜୟକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ସମାଲୋଚନା ମଧ୍ୟ କରାଯାଉଛି । ଭାରତ ପରାଜୟର କାରଣକୁ ନେଇ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ବହୁ ନିରାଶଜନକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପରାଜୟକୁ ପ୍ରଂଶସକମାନେ ସହଜରେ ଗ୍ରହଣ କରିପାରୁନଥିବାବେଳେ ଖେଳାଳିମାନେ ନିଜର ଭାବବିହ୍ବଳ ପୋଷ୍ଟ କରୁଛନ୍ତି ।

ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଘାତକ ବୋଲର ମହମ୍ମଦ ସାମି ଏକ ପୋଷ୍ଟ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, କାଲି ଆମର ଦିନ ନଥିଲା । ଚଳିତ ବିଶ୍ବକପରେ ମୋତେ ଏବଂ ଆମ ଟିମକୁ ସମର୍ଥନ କରିଥିବା ପ୍ରଂଶସକଙ୍କୁ ଧନ୍ୟବାଦ । ସାମି ପୋଷ୍ଟ କରିଥିବା ଏହି ଭାବୁକ ଟ୍ବିଟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ସ୍ୟାଡଓ୍ବାଲା ଇମୋଜି ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ସାମି ଭାରତୀୟ ଟିମର ସଙ୍କଟମୋଚକ ସାଜିଥିଲେ । ଯଦିଓ ପ୍ରଥମ ୪ଟି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ତଥାପି ପରବର୍ତ୍ତୀ ସମୟରେ ପାଣ୍ଡ୍ୟାଙ୍କ ଆହତ ପରେ ଦଳରେ ଖେଳିବାର ସୁଯୋଗ ପାଇଥିଲେହ । ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ବିଶ୍ବକପରେ ସର୍ବାଧିକ ଓ୍ବିକେଟ ନେଇଛନ୍ତି । ୨୪ ଓ୍ବିକେଟ ନେଇଥିବାବେଳେ ଭଲ ବୋଲିଂ କରିଥିଲେ । ମାତ୍ର ଫାଇନାଲରେ ସାମିଙ୍କ ବୋଲିଂ ମ୍ୟାଜିକ୍ କାମ କରିନଥିଲା । ଭାରତ ପରାଜୟ ହୋଇଥିବାବେଳେ ଏବେ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 

ଫିଲ୍ମରେ ଫ୍ଲପ୍ କିନ୍ତୁ ବ୍ୟବସାୟ କ୍ଷେତ୍ରରେ କୋଟିପତି ଏହି ଅଭିନେତା, ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ସରଭନନ ଅରୁଲ । ଏହି ଅଭିନେତା ମାତ୍ର ଗୋଟିଏ ଫିଲ୍ମ କରିଛନ୍ତି । ଯାହାକି ଫ୍ଲପ ହୋଇଥିଲା । ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ଫିଲ୍ମ ନିର୍ମାଣ କରିଥିଲେ ମାତ୍ର କାହାଣୀ କିମ୍ବା ଅଭିନୟ ଦର୍ଶକଙ୍କ ମହଲରେ ଆଦୃତ ହୋଇପାରିନଥିଲା । ଜେଡିଙ୍କ ନିର୍ଦ୍ଦେଶିତ ଏହି ତାମିଲ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୋତେଲା, ବିବେକ, ଯୋଗୀବାବୁ, ସୁମନ ଏବଂ ବିଜୟ କୁମାର ନଜର ଆସିଥିଲେ । ’ଦି ଲିଜେଣ୍ଡ’ ଫିଲ୍ମ ୨୦୨୨ ମସିହାରେ ରିଲିଜ ହୋଇଥିବାବେଳେ ଏହା ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ସରଭନନଙ୍କ କମ୍ପାନୀ ଦ୍ବାରା ଏହି ଫିଲ୍ମଟି ନିର୍ମିତ ହୋଇଥିବାବେଳେ ଫ୍ଲପ ହୋଇଥିଲା । ମାତ୍ର ଗୋଟିଏ ଫିଲ୍ମ କରିଥିବା ହିରୋ ସରବନନ ୫୪ ବର୍ଷ ବର୍ଷ ବୟସରେ ଫିଲ୍ମରେ ନଜର ଆସିଥିଲା ମାତ୍ର ଏହା ଫ୍ଲପ ହୋଇଥିଲା । ଫିଲ୍ମ ଫ୍ଲପ ହୋଇଥିଲା ସତ କିନ୍ତୁ ତାଙ୍କ ବ୍ୟବସାୟ ବେଶ ଭଲ ହେଉଛି । ଫିଲ୍ମ ବିଜନେସ କ୍ଷତି ସହିତ ସତ କିନ୍ତୁ ସେ କରୁଥିବା ବ୍ୟବସାୟରେ ବେଶ ଉନ୍ନତ ହୋଇଛନ୍ତି । ତାଙ୍କ କମ୍ପାନୀ ୨୫୦୦ କୋଟି ବ୍ୟବସାୟ କରୁଥିବା ୨୦୨୧-୨୨ ଆର୍ଥିକ ବର୍ଷରେ ଜଣା ପଡ଼ିଛି ।

ସରବନନ ଜଣେ ଧନୀ ବ୍ୟବସାୟୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୫୦ରୁ ୨୦୦ କୋଟି । ବଲିଉଡର ତିନି ଖାନ ଏବଂ ରଜନୀକାନ୍ତ ଏବଂଅଲ୍ଲୁ ଅର୍ଜ୍ଜୁନଙ୍କଠାରୁ ମଧ୍ୟ ତାଙ୍କର ଅଧିକ ଦାମୀ କାର ରହିଛି । କାରରେ ତାଙ୍କର ବହୁ ସଉକ ରହିଥିବା ମଧ୍ୟ କୁହାଯାଏ । ତାଙ୍କ କମ୍ପାନୀ ’ଦ ଲିଜେଣ୍ଡ ସରଭନନ ଷ୍ଟୋର’ ବଜାରରେ ଭଲ ବ୍ୟବସାୟ କରୁଛି । ଏବେ ସରଭନନ ନୂଆ ଲୁକରେ ନଜର ଆସିଥିବାବେଳେ ଆଗାମୀ ଦିନରେ ତାଙ୍କ ପ୍ରଯୋଜନା ସଂସ୍ଥାଦ୍ବାରା ଆଉ ଏକ ଫିଲ୍ମରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଯାବତ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

 

 

 

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ସହ ଚୁକ୍ତିନାମା ସ୍ୱାକ୍ଷରିତ, ଖର୍ଚ୍ଚ ହେବ ୬୨୫୫ କୋଟି

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୌଡିବ ମେଟ୍ରୋ । ଏକ୍ଷେତ୍ରରେ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ସୋମବାର ଦିନ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ସହ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ବିଏମଆରସି) ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏମଓୟୁ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡ଼ିବ । ଏମଓୟୁ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ରାଜ୍ୟ ସରକାର ମେଟ୍ରୋ ରେଳର ସ୍ୱପ୍ନ ପୂରଣ କରିବା ଲାଗି ଗତ ଉତ୍କଳ ଦିବସରେ ନିଜେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ । ନିକଟରେ ରାଜ୍ୟ କ୍ୟାବିନେଟ୍ ଏପ୍ରକଳ୍ପକୁ ମୋହର ମାରିବା ପରେ ଆଜି ଡିଏମଆରସି ସହ ଏମଓୟୁ ସ୍ୱାକ୍ଷର ହୋଇଛି।

୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୬୨୫୫ ଟଙ୍କା ଖର୍ଚ୍ଚ ହେବ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପରିବହନ ଇତିହାସରେ ମେଟ୍ରୋ ରେଳ ଯୋଡିବ ସ୍ୱର୍ଣ୍ଣିମ ଫର୍ଦ୍ଦ। ନୂଆ ଓଡ଼ିଶାର ସଂକଳ୍ପକୁ ପୂରଣ କରିବାରେ ଏହି ପ୍ରକଳ୍ପ ଅନେକାଂଶରେ ସହାୟକ ହେବ । ରାଜ୍ୟ ସରକାର ଏବାବଦରେ ଯେତିକି ଟଙ୍କା ନିବେଶ କରିବେ ତାହା ହେଉଛି ଓଡ଼ିଶା ଭିତ୍ତିଭୂମତି ପ୍ରକଳ୍ପ ନିବେଶରେ ସର୍ବକାଳୀନ ରେକର୍ଡ । ନବୀନ ଆହୁରି କହିଛନ୍ତି, ମୁଁ ଖୁସି ମୋ ସରକାର ୨୦୧୯ରେ ଯେଉଁ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଥିଲା ତାକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଛି।

ଡିଏମଆରସି ତତ୍ୱାବଧାନରେ ଏହି ପ୍ରକଳ୍ପ କାମ ଧାର୍ଯ୍ୟ ସମୟରେ ସରିବ  ଏବଂ ଏହା ବିଶ୍ୱସ୍ତରୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ପ୍ରକଳ୍ପ ରାଜ୍ୟର ବିକାଶ ଓ ଅର୍ଥନୀତିକୁ ଆଗକୁ ନେବ । ଡିଏମଆରସିର ଏମଡି ବିକାଶ କୁମାର କହିଛନ୍ତି ଯେ ଓଡ଼ିଶାର ବିକାଶକୁ ଆଗକୁ ନେବାରେ ଏହା ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ୍‌‌ ୨୦ଟି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ରହିଛି। ଅତ୍ୟାଧୁନିକ କୋଚ୍ ସିଗନାଲ୍ ଓ ଟିକେଟ୍ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ନିର୍ମାଣାଧୀନ ଷ୍ଟାଡିୟମର କାନ୍ଥ ଭୁଶୁଡ଼ି ୩ ମୃତ, ୧୦ ଆହତ

ତେଲଙ୍ଗାନାରେ ନିର୍ମାଣାଧୀନ ଷ୍ଟାଡିୟମର କାନ୍ଥ ଭୁଶୁଡ଼ି ୩ ମୃତ, ୧୦ରୁ ଅଧିକ ଆହତ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରଙ୍ଗା ରେଡ୍ଡୀ ଜିଲ୍ଲାର ମୋଇନାବାଦ ଗ୍ରାମରେ ଷ୍ଟାଡିୟମ ନିର୍ମାଣ ଚାଲିଥିବାବେଳେ ଘଟିଛି ଦୁର୍ଘଟଣା।

ମୃତାହତଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି । ଭଗ୍ନାବଶେଷ ବାହାର କରିବା ଲାଗି ନିୟୋଜିତ ହୋଇଛି ଏସ୍କାଭେଟର।

ସମୁଦ୍ର ମଝିରେ ହେଲିକପ୍ଟରରୁ ଓହ୍ଲାଇଲେ, ଭାରତ ଆସୁଥିବା ଜାହାଜକୁ କଲେ ହାଇଜାକ୍

ୟେମେନ: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଏକ ମାଲବାହୀ ଜାହାଜକୁ ହାଇଜାକ୍ କରିବା ସହ କର୍ମଚାରୀଙ୍କୁ ବନ୍ଧକ ରଖିଛନ୍ତି। ଏହି ହାଇଜାକ୍ ପାଇଁ ସମୁଦ୍ର ମଝିରେ ହୁତି ବିଦ୍ରୋହୀମାନେ ହେଲିକପ୍ଟର ଯୋଗେ କାର୍ଗୋ ଜାହାଜ ‘ଗାଲାକ୍ସି ଲିଡର୍’ରେ ଲ୍ୟାଣ୍ଡି କରିଥିଲେ । ଆଉ ତା’ପରେ ୨୫ ଜଣ କ୍ରୁ ମେମ୍ବରଙ୍କୁ ବନ୍ଧକ ବନାଇବା ସହ କାର୍ଗୋ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଜାହାଜକୁ ୟେମେନର ଏକ ବନ୍ଦରକୁ ନେଇଯାଇଛନ୍ତି । ଏହି ଘଟଣାରେ ନିଜକୁ ଦାୟୀ କରିଛି ହୁତି ବିଦ୍ରୋହୀ ।

ହୁତି ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମର ଯୋଦ୍ଧାମାନେ ଲୋହିତ ସାଗରରେ ଏକ ସୈନ୍ୟ ଅଭିଯାନ ଚଳାଇଥିବା ବେଳେ ଇସ୍ରାଏଲ୍ ଜାହାଜକୁ ନିଜ କବଜାକୁ ନେଇଛନ୍ତି । ସେଠାରୁ ଜବତ ଜାହାଜକୁ ୟେମେନ ଉପକୂଳକୁ ନିଆଯାଇଛି । ଜାହାଜର କର୍ମଚାରୀମାନଙ୍କ ସହ ଇସଲାମିକ ନିୟମ ଏବଂ ମୂଲ୍ୟବୋଧ ଅନୁଯାୟୀ ବ୍ୟବହାର କରାଯାଉଛି। ତେବେ ପୂର୍ବରୁ ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର ଆକ୍ରମଣଙ୍କୁ ଦୃଢ ପ୍ରତିବାଦ କରିଥିଲା ହୁତି ବିଦ୍ରୋହୀ । ଯାହାପରେ ଲୋହିତ ସାଗରରେ ତେଲ ଅଭିବ ସହ ସମ୍ପର୍କ ରଖୁଥିବା ଜାହାଜକୁ ଟାର୍ଗେଟ କରାଯିବ ବୋଲି ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଥିଲେ ।

କିନ୍ତୁ ହୁତି ବିଦ୍ରୋହୀଙ୍କର ଏଭଳି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ୍। ସେପଟେ ଇହୁଦୀ ରାଷ୍ଟ୍ର ଏହି ଘଟଣା ପାଇଁ ଇରାନକୁ ଦାୟୀ କରି କହିଛି, ଅପହରଣ ହୋଇଥିବା ଜାହାଜ ଇସ୍ରାଏଲର ନୁହେଁ। ଅପରପକ୍ଷେ ଅନ୍ୟଏକ ବିବୃତ୍ତିରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ‘ଗାଲାକ୍ସି ଲିଡର’ର ଅପହରଣକୁ ନିନ୍ଦା କରିବା ସହ ବିଶ୍ୱ ସ୍ତରରେ ଏହା ଏକ ଗୁରୁତର ଘଟଣା ବୋଲି କହିଛି।

ଆଇଡିଏଫ୍ କହିଛି ଯେ ଏହି ଜାହାଜଟି ବ୍ରିଟିଶ କମ୍ପାନୀ ଅଧୀନରେ ପଞ୍ଜୀକୃତ ।  ଯାହାର ଆଂଶିକ ମାଲିକାନା ଇସ୍ରାଏଲର ଟାଇକନ ଆବ୍ରାହମ ଉଙ୍ଗରଙ୍କ ପାଖରେ ରହିଛି । ତେବେ ଏହି ଜାହାଜକୁ ଏକ ଜାପାନୀ ଫାର୍ମକୁ ଲିଜରେ ଦିଆଯାଇଥିବା ଜଣାପଡିଛି । ଇସ୍ରାଏଲ୍ ସେନା ଅନୁସାରେ ଜାହାଜଟି ତୁର୍କୀରୁ ଭାରତ ଅଭିମୁଖେ ଯାଉଥିଲା । ଯେଉଁଥିରେ ୨୫ କ୍ରୁ ମେମ୍ବରଙ୍କ ସହ ୟୁକ୍ରେନ୍, ବୁଲଗେରିଆ, ଫିଲିପାଇନ୍ସ ଓ ମେକ୍ସିକୋ ସହ ଅନ୍ୟ ଦେଶର ନାଗରିକ ସାମିଲ ରହିଛନ୍ତି  । କିନ୍ତୁ ଏଥିରେ କୌଣସି ଇସ୍ରାଏଲର ନାଗରିକ ନଥିଲେ ।

ଆଇସିସି ଘୋଷଣା କଲା ବିଶ୍ବକପ ଦଳ, ଚାମ୍ପିୟନ ଅଧିନାୟକଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ବିଶ୍ବକପ ୨୦୨୩ ଶେଷ ହୋଇଛି । ଭାରତରେ ଅନୁଷ୍ଠିତ ବିଶ୍ବକପକୁ ଜିତି ନେଇଛି ଅଷ୍ଟ୍ରେଲିଆ । ଫାଇନାଲରେ ଘରୋଇ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ସମାଲୋଚନା । ଭାରତର ପରାଜୟର ମୁଖ୍ୟ କାରଣ କ’ଣ? ଏହାକୁ ନେଇ ତର୍କ, ବିତର୍କ ମଧ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଆଇସିସି ପକ୍ଷରୁ ବିଶ୍ବକପ ପ୍ଲେଇଙ୍ଗ ୧୧ ବଛାଯାଇଛି । ସବୁଠାରୁ ବିଡ଼ମ୍ବନା ବିଷୟ ଏହାକି କି, ଚାମ୍ପିୟନ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ । ମାତ୍ର ଭାରତୀୟ ଦଳର ୬ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ପାକିସ୍ତାନ ଏବଂ ଇଂଲଣ୍ଡର ମଧ୍ୟ ଜଣେ ମଧ୍ୟ ଖେଳାଳିଙ୍କୁ ଏହି ଏକାଦଶ ଦଳରେ ସ୍ଥାନ ମିଳିନାହିଁ ।

ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକଭାବେ ଦଳରେ ସ୍ଥାନ ଦେଇଛି ଆଇସିସି । ରୋହିତଙ୍କ ବ୍ୟତିତ ବିରାଟ କୋହଲି, କେ.ଏଲ. ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜଶପ୍ରିତ ବୁମରାଙ୍କୁ ଦଳରେ ସ୍ଥାନ ମିଳିଛି । ଘାତକ ବୋଲିଂ ପାଇଁ ଜଣାଶୁଣା ଥିବା ପାକିସ୍ତାନ ଟିମର ଜଣେ ମଧ୍ୟ ଖେଳାଳି ଏହି ଦଳରେ ସ୍ଥାନ ପାଇନାହାନ୍ତି । ସେପଟେ ପ୍ଲେଇଙ୍ଗ ୧୧ରେ ରହିଛନ୍ତି କ୍ବିଣ୍ଟନ ଡି କକ୍, ରୋହିତ ଶର୍ମା, ବିରାଟ କୋହଲି, ହାରେଲ ମିଚେଲ, କେ.ଏଲ. ରାହୁଲ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, ରବିନ୍ଦ୍ର ଜାଡେଜା, ଜଶପ୍ରିତ ବୁମରା, ଦିଲଶାନ ମଧୁଶଙ୍କା, ଜାମ୍ପା ଏବଂ ମହମ୍ମଦ ସାମି । ସେପଟେ ୧୨ ନମ୍ବର ସ୍ଥାନରେ ରହିଛନ୍ତି ଦୃତ ବୋଲର କୋଏଜି ।

ତେବେ ସମ୍ପୂର୍ଣ୍ଣ ବିଶ୍ବକପରେ ବ୍ୟାଟିଂ ଏବଂ ବୋଲିଂ ଉପରେ ଯଦି ନଜର ପକାଇବା ତାହେଲେ ଭାରତୀୟ ଖେଳାଳିମାନେ ବେଶ ପ୍ରଭାବ ବିସ୍ତାର କରିଥିଲେ । ବିରାଟ କୋହଲି ସର୍ବାଧିକ ୭୬୫ ରନ ସଂଗ୍ରହ କରିଥିବାବେଳେ ସାମି ସର୍ବାଧିକ ୨୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଫାଇନାଲରେ ସାମି ସେମିତି ଆଖି ଦୃଷିଆ ପ୍ରଦର୍ଶନ କରିନଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଲଢ଼ୁଆ ବୋଲିଂ କରିତ ଦଳକୁ ସଙ୍କଟରୁ ରକ୍ଷା କରିଛନ୍ତି । ମାତ୍ର ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ, ବୋଲିଂ ସାଙ୍ଗକୁ ଫିଲ୍ଡିଂ ଦଳକୁ ବିଜୟର ସ୍ବାଦ ଚଖାଇଛି । ଫାଇନାଲରେ ଭାରତ ରନ ଆଉଟ୍ କ୍ୟାଚ ଏବଂ ଫିଲ୍ଡିଂ ମିସ କରି ମ୍ୟାଚକୁ ମଧ୍ୟ ହାତଛଡ଼ା କରିଥିବା ସମାଲୋଚନା କରାଯାଉଛି ।

ପ୍ୟାଟ୍ କମିନ୍ସଙ୍କୁ ଶୁଭେଚ୍ଛା ଜଣାଇଲେନି କି ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ କ’ଣ ରହିଛି ଭାଇରାଲ୍ ଭିଡ଼ିଓ ପଛର ସତ୍ୟତା

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ରେ ଭାରତକୁ ହରାଇ ୱାଲ୍ଡକପ୍ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲିଆ ଉପ-ମୁଖ୍ୟମନ୍ତ୍ରୀ ରିଚର୍ଡ ମାଲର୍ସ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଆୱାର୍ଡ ସେରେମୋନୀରେ ମୋଦି ଓ ମାଲର୍ସ ବିଜୟ ଟିମର କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟର ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ଭାଇରାଲ୍ ଭିଡ଼ିଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍ ଟ୍ରଫି କମିନ୍ସଙ୍କୁ ଦେବା ପରେ ଷ୍ଟେଜରୁ ଓହ୍ଲାଇଯାଇଥିଲେ। ତେବେ ସେ କମିନ୍ସଙ୍କୁ ଶୁଭେଚ୍ଛା ନ ଜଣାଇ ନିଜେ ଓହ୍ଲାଇବା ସହ ରିଚର୍ଡ ମାଲର୍ସଙ୍କୁ ମଧ୍ୟ ଷ୍ଟେଜରୁ ତଳକୁ ଯିବା ପାଇଁ ଇସାରା ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଭିଡ଼ିଓ ଏଡିଟେଡ୍ ବୋଲି ଜଣାପଡିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଫି ଦେବା ବେଳେ ପ୍ୟାଟ୍ କମିନ୍ସଙ୍କ କଥାବାର୍ତ୍ତା ମଧ୍ୟ କରିଛନ୍ତି । ତା’ ପରେ ଦୁଇ ଜଣ ହାତ ମଧ୍ୟ ମିଳାଇଛନ୍ତି। ସେହିପରି ଷ୍ଟେଜରୁ ଓହ୍ଲାଇବା ପରେ ତଳେ ଛିଡାହୋଇଥିବା ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ।