spot_img
Home Blog Page 253

ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତି କାନ୍ତି

ନନ୍ଦିଘୋଷ ବ୍ୟୁରୋ: ଆଜି ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗହଣ ଥିବାରୁ ଆଜି ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ। ଆଜି ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ସହ ଇନ୍ଦ୍ରହାତୀ ପ୍ରସ୍ତାବ ତଥା ଭାଗବତ ଜନ୍ମ ନୀତି ପାଳିତ ହେବ। ଆଜି ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମାପନ ପରେ ମଙ୍ଗଳ ଆଳତି ସମ୍ପୂର୍ଣ୍ଣ ହୋଇଥିଲା। ପରେ ତଡ଼ପ ଲାଗି, ଅବକାଶ ପୂଜା ସମ୍ପୂର୍ଣ୍ଣ ହେବା ସହ ରୋଷହୋମ, ବେଶ ନୀତି ସମ୍ପୂର୍ଣ୍ଣ କରାଯାଇଥିଲା। ଏହା ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ସକାଳ ଧୂପ ନୀତି ଅନିଷ୍ଠିତ ହେଉଥିବା ବେଳେ, ସକାଳ ଧୂପ ନୀତି ପରେ ଭୋଗମଣ୍ଡପ ନୀତି ଶେଷ କରାଯିବ। ଏହା ପରେ ମଧ୍ୟାହ୍ନ ଧୂପ ନୀତି କରାଯାଇ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ନୀତି ସହ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଦିନ ସାଢ଼େ ୧୨ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପରେ ଶ୍ରୀମନ୍ଦିରରେ ଦେବ ନୀତି ବନ୍ଦ କରାଯିବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଦେବ ନୀତି ଆରମ୍ଭ କରାଯିବା ସହ ପ୍ରଥମେ ଗ୍ରହଣ ମହାସ୍ନାନ ଓ ପରେ ଗ୍ରହଣ ଭୋଗ କରାଯିବାର ପରମ୍ପରା ରହିଅଛି।

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭାରତ ସମେତ ବିଭିନ୍ନ ଦେଶରେ ୩ ଘଣ୍ଟା ହେବ ଦୃଶ୍ଯମାନ

ନନ୍ଦିଘୋଷ ବ୍ୟୁରୋ: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ଯାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯାଇ ସହ ୨ଟା ୪୦ ମଧ୍ୟ ରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଛି । ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯାଇଛି । ଆଜି ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଭିତରକାଠ ନିକଟରୁ ଦର୍ଶନ କରିବେ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଦେବ ନୀତି ଆରମ୍ଭ କରାଯିବ ।

ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ଏହି ଗ୍ରହଣ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଏବଂ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ତେବେ ମେଷ, କନ୍ୟା, ତୁଳା, ବିଛା ଓ ଧନୁ ରାଶିରେ ଚନ୍ଦ୍ର ଶୁଭ ହୋଇନଥିବା କାରଣରୁ ସେମାନେ ସତର୍କତା ଅବଲମ୍ବନ କରିବା ସହ ଚନ୍ଦ୍ର ଗ୍ରହଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ଗର୍ଭବତୀ ଥିବା ମହିଳାମାନେ ଏହି ଚନ୍ଦ୍ର ଗହଣରେ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ସନ୍ତାନର ମଙ୍ଗଳ ପାଇଁ କୋଳରେ ନଡିଆ ରଖି ବିଷ୍ଣୁଙ୍କୁ ଆରଧାନା କରିବା ସହ ଦାନଧର୍ମ କଲେ ମଙ୍ଗଳ ହେବ ବୋଲି କୁହାଯାଉଛି ।….

ଗୁଜରାଟରେ ଛିଣ୍ଡିଲା ରୋପ ୱେ : ଚାଲିଗଲା ୬ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟର ପାବାଗଡ଼ରେ କାର୍ଗୋ ରୋପୱେ ତାର ଛିଣ୍ଡି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ପାବାଗଡର ପାହାଡ ଉପରେ ଥିବା ମନ୍ଦିରରେ ଏକ ମାଲବାହୀ ରୋପୱେ ଛିଣ୍ଡି ଯାଇଥିଲା। ଶ୍ରମିକ ଏବଂ ଲିଫ୍ଟମ୍ୟାନ୍ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ରଶି ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଛି, ଏବଂ ଏହାର ତଦନ୍ତ ଚାଲିଛି। ପଞ୍ଚମହଲ କଲେକ୍ଟର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଲେକ୍ଟରଙ୍କ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଘଟିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।ପାବାଗଡ଼ ମନ୍ଦିର ପ୍ରାୟ 800 ମିଟର ଉଚ୍ଚରେ ଅବସ୍ଥିତ, ତୀର୍ଥଯାତ୍ରୀମାନେ ଶିଖରରେ ପହଞ୍ଚିବା ପାଇଁ ପ୍ରାୟ 2,000 ପାହାଚ ଚଢ଼ିବାକୁ କିମ୍ବା କେବୁଲ କାର୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଖରାପ ପାଗ ଯୋଗୁଁ ସକାଳଠାରୁ ଜନସାଧାରଣଙ୍କ ବ୍ୟବହାର ପାଇଁ ରୋପୱେ ବନ୍ଦ କରିଦିଆଯାଇଥିଲା। 1,471 ଫୁଟ ଉଚ୍ଚତାରେ ଏହି ମନ୍ଦିର ଅବସ୍ଥିତ। ପାହାଡ଼ ଉପରେ ଦେବୀ କାଳୀଙ୍କ ପାଇଁ ଏକ ମନ୍ଦିର ଅଛି। ପ୍ରତିବର୍ଷ ଏହି ମନ୍ଦିରକୁ ପ୍ରାୟ ୨୫ ଲକ୍ଷ ପର୍ଯ୍ୟଟକ ଆସନ୍ତି।

ସମସ୍ୟାର ପାହାଡ ସୃଷ୍ଟି କଲାଣି ସାର

ନନ୍ଦିଘୋଷ ବ୍ୟୁରୋ: ସାର ଅଭାବକୁ ନେଇ ସମସ୍ୟାରେ ଚାଷୀକୂଳ। କେଉଁଠି ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି ତ ଆଉ କେଉଁଠି ସାର ନ ଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ। ୟୁରିଆ ସାରର ଅଭାବ ଯୋଗୁଁ ଚାଷକାମ ପଛେଇଯାଇଛି । ସାର ମିଳୁନଥିବା ଯୋଗୁଁ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବରଗଡ଼ରେ ସାର ବୋଝେଇ ଟ୍ରକକୁ ଚାଷୀମାନେ ଅଟକ ରଖିଥିବା ବେଳେ ନୂଆପଡ଼ାରେ ପ୍ରଶାସନ ବିରୋଧରେ ସ୍ବର ଉଠାଇଛି ବିଜୁ ଜନତା ଦଳ । କଳାହାଣ୍ଡିରେ ସମବାୟ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ହେଲେ ଜିଲ୍ଲା କୃଷି ଅଧିକାରୀଙ୍କ ଠାରୁ ଯୋଗାଣ ମନ୍ତ୍ରୀ କହୁଛନ୍ତି, ସାରର ଅଭାବ ନାହିଁ, ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି।

ସମସ୍ୟାର ପାହାଡ ସୃଷ୍ଟି କଲାଣି ସାର । ଭଲ ଫସଲ ଅମଳ କରିବା ସ୍ବପ୍ନରେ ଥିବା ଚାଷୀ ଏବେ ହତାଶ । ଖରା, ବର୍ଷାରେ ଲମ୍ବା ଲାଇନ୍ ଲଗାଇଲେ ବି କଳାହାଣ୍ଡିରେ ମିଳୁନି ସାର । ନୂଆପଡ଼ାରେ ବି ସମାନ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଛି ବିରୋଧୀ ବିଜେଡି । ବରଗଡ଼ରେ ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ । ମନ୍ତ୍ରୀ, ଅଧିକାରୀ କହୁଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। ଆସନ୍ତୁ ନଜର ପକାଇବା ସାର ଅଭାବ ଯୋଗୁଁ କିପରି ଅଛି ଗ୍ରାଉଣ୍ଡରେ ସ୍ଥିତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ପ୍ୟାକସ୍ ସାମ୍ନାରେ ଚାଷୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସାର ଅଭାବ ଯୋଗୁଁ ଚାଷୀକୂଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁରେ ୩ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସାର ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜିଳ୍ଲାର ୧୩ଟି ବ୍ଲକରେ ସାର ଅଭାବ ଯୋଗୁଁ ବଜାରରୁ ଚାଷୀ ଚଢା ଦରରେ ସାର କିଣି ଖର୍ଚ୍ଚାନ୍ତ ହେଉଛନ୍ତି । ବର୍ତମାନ ଚାଷ ପାଇଁ ସାର୍ ନିହାତି ଆବଶ୍ୟକ ଥିବା ବେଳେ ସାର ନ ମିଳିଲେ ଚାଷ ନଷ୍ଟ ହେବ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।  କିନ୍ତୁ ଜିଲ୍ଲା କୃଷି ଅଧିକାରୀ କହୁଛନ୍ତି, ସାରର ଅଭାବ ନାହିଁ।

ସାର ଅଭାବକୁ ନେଇ ତାତିଛନ୍ତି ଚାଷୀ । ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଏବେ ଲାଗି ରହିଛି ସାର ସଙ୍କଟ । ଚାଷୀ ବାରମ୍ବାର ଦାବି ଜଣାଇଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ମିଳୁନାହିଁ ୟୁରିଆ । ବରଗଡରେ ତିନୋଟି ସାର ବୋଝେଇ ଟ୍ରକକୁ ଅଟକ ରଖିଛନ୍ତି ଚାଷୀ। ପ୍ୟାକସରେ ସାର ମିଳୁନଥିବା ବେଳେ ଘରୋଇ ଡିଲରଙ୍କ ପାଖକୁ କେମିତି ଯାଉଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଚାଷୀଙ୍କ ପାଇଁ ନୂଆପଡ଼ାରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଚାଷୀଙ୍କୁ ଶୀଘ୍ର ସାର ଯୋଗାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଦଳ । ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। କଳାବଜାରୀ ରୋକିବାକୁ ପଦକ୍ଷେପ ନିଆଯାଉଛି। ସାର ଅଭାବକୁ ନେଇ ଚିନ୍ତାରେ ଚାଷୀ କୂଳ । ଖରିଫ ଧାନ ବିକ୍ରି ନେଇ ଚାଷୀ ପଞ୍ଜୀକରଣ ବଢୁଥିବା ବେଳେ ସାର ଅଭାବ ଯୋଗୁଁ ଚାଷ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ।

ଓଡ଼ିଶାରୁ ପଳାଇଲା କି ଆଉ ଏକ କମ୍ପାନୀ ?

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ପୁଣି ଏକ ଶିଳ୍ପ ସଂସ୍ଥା ମୁହଁ ଫେରାଇଥିବାର ଚର୍ଚ୍ଚା ଜୋର ଧରିଲାଣି। ନବୀନ ପଟ୍ଟନାୟକ ସରକାର ସମୟରେ ଚୁକ୍ତି ହୋଇଥିବା ସେମିକଣ୍ଡକ୍ଟର୍ କମ୍ପାନି ଆନ୍ଧ୍ର ପ୍ରଦେଶ ଚାଲିଯାଇଥିବା ସନ୍ଦେହ ଉପୁଜିବା ପରେ ବିବାଦ ମୁଣ୍ଡ ଟେକିଛି। ବାରମ୍ବାର ଶିଳ୍ପ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଉଥିବାରୁ ସରକାରଙ୍କ ଶିଳ୍ପ ନୀତିକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ୟୁକେର କମ୍ପାନୀ ଏସ୍ଆରଏଏମ୍ ଆଣ୍ଡ୍ ଏମ୍ଆରଏଏମ୍ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ବି ଚୁକ୍ତି କଲେଣି।

ଓଡ଼ିଶା ସହ ୟୁକେର କମ୍ପାନୀ SRAM ଆଣ୍ଡ୍ MRAM କମ୍ପାନୀ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଏ ନେଇ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। କମ୍ପାନୀ ପ୍ରତିଷ୍ଠା ଗଂଜାମ ଜିଲ୍ଲା ଛତ୍ରପୁର ପାଖରେ ଚିହ୍ନଟ ହୋଇଥିଲା ୮୦୦ ଏକର ଜମି। ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ, ପାଖରେ ଗୋପାଳପୁର ବନ୍ଦର ଓ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଥିବାରୁ ସୁବିଧା ହେବ ବୋଲି ଏହି ସ୍ଥାନ ଚିହ୍ନଟ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ହଜାର କୋଟି ନିବେଶ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ୨୦୨୫ ସୁଦ୍ଧା କାମ ଆରମ୍ଭ କରିବାର ଯୋଜନା ଥିଲା। ହେଲେ ସେହି କମ୍ପାନୀ ଛୁ ମାରିବାକୁ ବସିଥିବାର ସନ୍ଦେହ ଉପୁଜିଲାଣି। କାରଣ ଛତ୍ରପୁରରେ କାମ ତ ଆରମ୍ଭ ହୋଇନି, ସେପଟେ ସେହି କମ୍ପାନି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସଂସ୍ଥା ଚୁକ୍ତିନାମା ସ୍ବାକ୍ଷର କରିଛି।

ଅମରାବତୀରେ ସେମିକଣ୍ଡକ୍ଟର୍ ଶିଳ୍ପ କରିବାକୁ ୨୫ହଜାର କୋଟି ନିବେଶ କରିବ SRAM ଆଣ୍ଡ୍  MRAM । ଏହା ଆଉ ଏକ ଚୁକ୍ତିନାମା ନା ସଂପୃକ୍ତ କମ୍ପାନୀ ଓଡ଼ିଶା ଛାଡ଼ିଲା, ତାହା SRAM ଆଣ୍ଡ୍ MRAM ସ୍ପଷ୍ଟ କରିନି। ହେଲେ ବାରମ୍ବାର ବିଭିନ୍ନ କମ୍ପାନୀ ଓଡ଼ିଶା ଛାଡ଼ିବାକୁ ଯୋଜନା କରୁଥିବାରୁ ପ୍ରଶ୍ନ କରିଛନ୍ତି ବିରୋଧୀ। କମ୍ପାନୀ ଫେରିଯିବା ଖବର ଆସୁଥିବା ବେଳେ ସରକାର କିପରି ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ସମୟରେ ଭିତ୍ତିଭୂମି ଓ ଶାନ୍ତିର ବାତାବରଣ ଦେଖି ନିବେଶକ ଓଡ଼ିଶାମୁହାଁ ହେଉଥିଲେ। ହେଲେ ବିଜେପି ସରକାର ସମୟରେ ଓଡ଼ିଶାକୁ ନିବେଶକ ନିରାପଦ ମନେ କରୁ ନଥିବାରୁ ଫେରି ଯାଉଥିବା ବିଜେଡି ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି, ସରକାର କେବଳ ଭାଷଣବାଜିରେ ସୀମିତ। ଦୃଢ଼ ଭାବେ ଓଡ଼ିଶା ପାଇଁ ଦାବି କରିବାକୁ ସକ୍ଷମ ହେଉ ନାହାନ୍ତି। …

SRAM ଆଣ୍ଡ MRAM ଓଡ଼ିଶା ଛାଡ଼ିବ ନା ନାହିଁ, ସେ ନେଇ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ। ସେମିକଣ୍ଡକ୍ଟର୍ ଶିଳ୍ପକୁ ଗୁରୁତ୍ଵ ଦେଉଛନ୍ତି ସରକାର। ଓଡ଼ିଶାକୁ ଦୁଇଟି ନୂଆ କମ୍ପାନୀ ଆସୁଥିବା ସଫେଇ ଦେଇଛନ୍ତି। ଦୁର୍ଗା ପୂଜା ସମୟରେ ଗୋଟାଏ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ହେଲେ ଅନ୍ୟ କମ୍ପାନୀ କି SRAM ଆଣ୍ଡ୍ MRAM ଏ ନେଇ କୌଣସି ସ୍ପଷ୍ଟ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ଆଇଟି ମନ୍ତ୍ରୀ।

ପୂର୍ବରୁ ଜେଏସଡବ୍ଲୁ ଇଭି ଓଡ଼ିଶା ଛାଡ଼ିଛି। ଆର୍ସେଲର ମିତ୍ତର ଷ୍ଟିଲ ପ୍ଲାଣ୍ଟ ଓ ଓ୍ବାରି ସୋଲାର ପ୍ରକଳ୍ପ ବି ଆନ୍ଧ୍ରମୁହାଁ ହୋଇଥିଲେ। ବିଜେପି ସରକାର ଅମଳରେ ନିବେଶକଙ୍କୁ ସୁହାଇବା ପରି ବାତାବରଣ କରାଯାଉଥିବାର ଡିଣ୍ଡିମ ପିଟାଯାଉଛି। ହେଲେ ନିବେଶକମାନେ ଓଡ଼ିଶା ଛାଡ଼ୁଥିବାରୁ ପ୍ରାଶାସନିକ ସଙ୍କଟ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି।

ଓଡ଼ିଶାର କଂସା ଶିଳ୍ପ ଐତିହ୍ୟଉପରେ ରଚିତ ଗବେଷଣାତ୍ମକ ପୁସ୍ତକମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) , ପକ୍ଷରୁ ପ୍ରସ୍ତୁତ“କଂସା : ପରମ୍ପରା ଗଠନ, ଭବିଷ୍ୟତରୂପରେଖ ” ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜିଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି, ଯାହା ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଛି ।ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫  ଦ୍ୱାରା ପରିଚାଳିତ ଗଭୀରଗବେଷଣାକୁ ପ୍ରତିପାଦିତ କରିଛି । ପୁସ୍ତକ ଉନ୍ମୋଚନ ଉତ୍ସବରେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ, ଏମଜିଏମର ପରିଚାଳନା ନିର୍ଦ୍ଦଶକ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି କଂସା ଧାତୁର ସଂରକ୍ଷଣ ଦିଗରେ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ କାରିଗରମାନଙ୍କୁ ସମ୍ମାନିତ କରିଥିଲେ ।

ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଉପଲବ୍ଧ ଏହି ପୁସ୍ତକରେଓଡ଼ିଶାର ୧୮ଟି ଗ୍ରାମର କଂସା (କାଉଁଡ଼ି ଧାତୁ) ଶିଳ୍ପର ଜୀବନ୍ତ ପରମ୍ପରାକୁ ବର୍ଣ୍ଣନା କରୁଛି, ଯାହା ଗବେଷକ ଓ ଫେଲୋମାନଙ୍କ ଏକ ଉତ୍ସର୍ଗୀକୃତ ଦଳ ଦ୍ୱାରା ପାଞ୍ଚ ମାସର ବ୍ୟାପକ କ୍ଷେତ୍ର କାର୍ଯ୍ୟ ଉପରେ ଆଧାରିତ ।

ଓସିଓ ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫ ଏକ ବହୁବିଷୟକ ଦଳକୁ ଏକତ୍ରିତ କରିଛି ଯେଉଁଥିରେ ଅନ୍ତର୍ଭୁକ୍ତ ଅଛନ୍ତି ଗବେଷଣା ଫେଲୋ  ଵିଲାଶ ସର୍ଦାର ଓ ସତ୍ୟଭାମା ମାଝୀ, ଆର୍କାଇଭିଷ୍ଟ ଫେଲୋ କୀର୍ତ୍ତି କୁମାରୀ, ଶିବଦାସ୍ ସେନ୍ ଗୁପ୍ତଙ୍କ ବିଶେଷଜ୍ଞ କ୍ୟୁରେସନ ଅଧୀନରେ ଏହା କରାଯାଇଛି । ସେମାନଙ୍କର ସମ୍ପୂର୍ଣ୍ଣ ଗବେଷଣା ଓଡ଼ିଶାର କଂସା ଶିଳ୍ପ ପରମ୍ପରାର ସବୁଠାରୁ ବ୍ୟାପକ ସମସାମୟିକ ଦସ୍ତାବେଜୀକରଣ ସୃଷ୍ଟି କରିଛି ।

ଏହି ପ୍ରକାଶନ ଉତ୍ସର୍ଗୀକୃତ ପ୍ରୟାସରୁ ଉତ୍ପନ୍ନ ଓ କେବଳ ଏକ ପୁସ୍ତକଠାରୁ ଅଧିକ କିଛି ପ୍ରତିନିଧିତ୍ୱ କରୁଛିଏହା ଏକ ସାଂସ୍କୃତିକ ନିଶ୍ଚିତତା, ହସ୍ତଶିଳ୍ପର ଚିରସ୍ଥାୟୀ ପ୍ରାସଙ୍ଗିକତା ଉପରେ ଏକ ସୂକ୍ଷ୍ମ ପ୍ରତିଫଳନ,” ବିଶିଷ୍ଟ କଳାକାର ଓ କ୍ୟୁରେଟର ବୋଷ କୃଷ୍ଣମାଚାରୀ ଏହାକୁ ରଚନା କରିଛନ୍ତି । ଏହି ପୁସ୍ତକ କେବଳ କଂସା ତିଆରିର ଜଟିଳ ବୈଷୟିକ ପ୍ରକ୍ରିୟାକୁ ନୁହଁ, ବରଂ ଶିଳ୍ପର ବ୍ୟାପକ ସାମାଜିକ-ସାଂସ୍କୃତିକ ପ୍ରସଙ୍ଗକୁ ମଧ୍ୟ ଆଲୋକପାତ କରୁଛି । ଏହି ଦସ୍ତାବିଜ଼ୀକରଣରେ ପାରମ୍ପରିକ କୌଶଳ, ଦେଶଜ ଶବ୍ଦକୋଷ, ସାଂସ୍କୃତିକ ମହତ୍ତ୍ୱ, ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଓ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର କାରିଗର ସମ୍ପ୍ରଦାୟଗୁଡ଼ିକର ସମସାମୟିକ ଆହ୍ୱାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହି ଚିରକାଳୀନ ପରମ୍ପରାକୁ ବଜାୟ ରଖିବା ଓ ନବୀକରଣ କରୁଥିବା ମାଷ୍ଟର କାରିଗରମାନଙ୍କୁ ସମ୍ମାନିତ କରାଯାଇଛି । ଏହି ସ୍ୱୀକୃତି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ କାରିଗରମାନେ ପାଳନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱ ଦେଉଛି ।

ଏହି ପ୍ରକାଶନ ଓଡ଼ିଶାର ବିବିଧ ଶିଳ୍ପ ପରମ୍ପରାକୁ ଦସ୍ତାବିଜ଼ କରିବା ଓ ପାଳନ କରିବା ପାଇଁ ବିଶିଷ୍ଟ କ୍ୟୁରେଟର ପ୍ରେମଜିଶ୍ ଆଚାରିଙ୍କ ଦ୍ୱାରା ଧାରଣା କରାଯାଇଥିବା ଅଭିଲାଷୀ ପଦକ୍ଷେପ ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ) ର ପ୍ରଥମ ପ୍ରମୁଖ ଫଳାଫଳକୁ ଚିହ୍ନିତ କରୁଛି । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅନୁଯାୟୀ, ଓଡ଼ିଶାରେ ୩୦ରୁ ଅଧିକ ବିଭିନ୍ନ ଶିଳ୍ପ ରହିଛି, ପ୍ରତ୍ୟେକ ଅନନ୍ୟ ପରମ୍ପରା ଓ ସାଂସ୍କୃତିକ ମହତ୍ତ୍ୱ ସହିତ ଯଡିତ ।

ଏମ୍ ଜି ଏମ୍ ଫାଉଣ୍ଡେସନ୍, ଏମ୍ ଜି ଏମ୍ ଗ୍ରୁପ ଓଡ଼ିଶାର ସାମାଜିକ ରୂପାନ୍ତରଣ ବିଭାଗ, ସ୍ୱାସ୍ଥ୍ୟସେବା, ଶିକ୍ଷା, କଳା, କ୍ରୀଡା, ଓ ଗ୍ରାମୀଣ ବିକାଶରେ ବ୍ୟାପକ ପଦକ୍ଷେପ ମାଧ୍ୟମରେ ସମାବେଶୀ ବୃଦ୍ଧି ଓ ସମ୍ପ୍ରଦାୟ ଉନ୍ନତି ପ୍ରୋତ୍ସାହନ କରୁଛି ।ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) ଏକ ଡିଜାଇନ ଷ୍ଟୁଡିଓ ଯାହା ଓଡ଼ିଆ ଶିଳ୍ପ ଓ କାହାଣୀ ଉପରେ ଧ୍ୟାନ ଦେଇ ଅନନ୍ୟ କଳାକାର ରେସିଡେନ୍ସି କାର୍ଯ୍ୟକ୍ରମ ଆୟୋଜନା କରୁଥିବା ସମୟରେ ନୃଗୋଷ୍ଠୀ-ପ୍ରେରିତ, ପରିବେଶ-ଅନୁକୂଳ ଉତ୍ପାଦ ସୃଷ୍ଟି କରୁଛି ।

ଏହି ଗବେଷଣାତ୍ମକ ପୁସ୍ତକ  ଗବେଷକ, ନୀତି ନିର୍ମାତା, କାରିଗର, ଓ ସାଂସ୍କୃତିକ ଉତ୍ସାହୀମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପଦ ଭାବରେ ସେବା କରିବ ବୋଲି ଆଶା କରାଯାଉଛି । ଏହି ଦସ୍ତାବେଜୀକରଣ ସ୍ଥାନୀୟ ଓ ବିଶ୍ୱବ୍ୟାପୀ ଉଭୟ ସ୍ତରରେ ଓଡ଼ିଶାର ଶିଳ୍ପ ଐତିହ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି, ଯାହା ଏହି ପ୍ରାଚୀନ ପରମ୍ପରାଗୁଡ଼ିକର ସଂରକ୍ଷଣ ଓ ପୁନର୍ଜୀବନରେ ଅବଦାନ ରଖିବ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହି ପୁସ୍ତକ କାରିଗର ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କର କୌଶଳ ଓ କାହାଣୀ ପ୍ରଦର୍ଶନ ପାଇଁ ଏକ ମଞ୍ଚ ପ୍ରଦାନ କରି ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି, ଯାହା ସମ୍ଭାବ୍ୟ ଭାବରେ ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ନୂତନ ପଥ ଖୋଲିବାରେ ସହାୟକ ହେବ ।

କର୍କଟ ରୋଗ, ନା ହୃଦରୋଗ? ଭାରତରେ କେଉଁ କାରଣରୁ ସର୍ବାଧିକ ମୃତ୍ୟୁ ହୁଏ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ମୃତ୍ୟୁର ପ୍ରମୁଖ କାରଣ ଉପରେ ପ୍ରକାଶିତ ନୂତନ ରିପୋର୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଗମ୍ଭୀର ପରିସ୍ଥିତି ଆଣିଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ହୃଦରୋଗ ଏବେ ମୃତ୍ୟୁର ସବୁଠାରୁ ବଡ଼ କାରଣ ପାଲଟିଛି, ଯେତେବେଳେ ଶ୍ୱାସକ୍ରିୟା ସଂକ୍ରମଣ ଏବଂ କର୍କଟ ଏହାର ପଛରେ ରହିଛି। ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଦେଶରେ ଏବେ ସ୍ୱାସ୍ଥ୍ୟ ନୀତିଗୁଡ଼ିକୁ କେଉଁ ଦିଗରେ ନେବା ଆବଶ୍ୟକ।

ରିପୋର୍ଟ ଅନୁଯାୟୀ, ଶ୍ୱାସକ୍ରିୟା ସଂକ୍ରମଣ, ଗର୍ଭାବସ୍ଥା ସମସ୍ୟା କିମ୍ବା ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ରୋଗ ଭଳି ସଂକ୍ରାମକ ରୋଗ ଏବେ ବି ରହିଛି, କିନ୍ତୁ ସେମାନଙ୍କର ଅଂଶ ହ୍ରାସ ପାଉଛି। ସେହିପରି ହୃଦରୋଗ, ମଧୁମେହ, କର୍କଟ ଏବଂ ଷ୍ଟ୍ରୋକ୍ ଭଳି ଅଣ-ସଂକ୍ରାମକ ରୋଗ (NCD) ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ମୃତ୍ୟୁରେ ସେମାନଙ୍କର ଅବଦାନ ଏବେ ଅଧାରୁ ଅଧିକ। ଏହି ପରିବର୍ତ୍ତନ ଭାରତ ସମ୍ମୁଖରେ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଅଣ-ସଂକ୍ରାମକ ରୋଗ କାହିଁକି ନିରନ୍ତର ବୃଦ୍ଧି ପାଉଛି।

ଭାରତରେ କେଉଁ ରୋଗ ଯୋଗୁଁ କେତେ ମୃତ୍ୟୁ ହୁଏ?

ରିପୋର୍ଟରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ମୋଟ ମୃତ୍ୟୁର ୩୧% ପାଇଁ ହୃଦରୋଗ ଦାୟୀ। ଏହା ପରେ, ୯.୩% ମାମଲାରେ ଶ୍ୱାସକ୍ରିୟା ସଂକ୍ରମଣ ଏବଂ ୬.୪% ମାମଲାରେ କର୍କଟ ଦାୟୀ ବୋଲି ଜଣାପଡିଥିଲା। ସେହି ସମୟରେ, ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗ ୫.୭%, ପାଚନ ରୋଗ ୫.୩%, ଅସ୍ପଷ୍ଟ ଜ୍ୱର ୪.୯%, ଅଜଣା ଦୁର୍ଘଟଣା ୩.୭%, ମଧୁମେହ ୩.୫% ଏବଂ ବୃକକ୍/ମୁତ୍ର ରୋଗ ୩% ମୃତ୍ୟୁର କାରଣ ଥିଲା। ଏହି ସଂଖ୍ୟାରୁ ସ୍ପଷ୍ଟ ଯେ ଭାରତରେ ମୃତ୍ୟୁର ଗ୍ରାଫ୍ ଆଉ କେବଳ ସଂକ୍ରାମକ ରୋଗ ଉପରେ କେନ୍ଦ୍ରିତ ନୁହେଁ। ଯଦି ଆମେ ବୟସ ଅନୁସାରେ ପରିସ୍ଥିତିକୁ ଦେଖିବା, ତେବେ ପରିସ୍ଥିତି ଆହୁରି ସ୍ପଷ୍ଟ ହୋଇଯାଏ।

୩୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ହେଉଛି ହୃଦରୋଗ, ଯାହା ସିଧାସଳଖ ଖରାପ ଜୀବନଶୈଳୀ ସହିତ ଜଡିତ। ସେହିପରି, ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। ଏହି ତଥ୍ୟ ସୂଚାଇ ଦିଏ ଯେ ବୟସ୍କମାନେ ହୃଦରୋଗ ସହିତ ସଂଘର୍ଷ କରୁଥିବା ବେଳେ, ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ଚାପ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଅଣସଂକ୍ରମିତ ରୋଗ କାହିଁକି ବୃଦ୍ଧି ପାଉଛି?

ଅଣ-ସଂକ୍ରମିତ ରୋଗ (NCDs) ଅର୍ଥାତ୍ ହୃଦରୋଗ, କର୍କଟ, ମଧୁମେହ ଏବଂ ଷ୍ଟ୍ରୋକ୍ ଭଳି ରୋଗ ଆଜି ଭାରତରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ପାଲଟିଛି। ସେମାନଙ୍କର ବୃଦ୍ଧି ପାଉଥିବା ଗତି ଅନେକ ସାମାଜିକ ଏବଂ ଜୀବନଶୈଳୀ ସମ୍ବନ୍ଧୀୟ କାରଣର ପରିଣାମ। ପ୍ରଥମ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ। ତେଲିଆ ଖାଦ୍ୟ, ଜଙ୍କଫୁଡ୍ ଏବଂ ଅଧିକ ଲୁଣ ଏବଂ ଚିନି ସେବନ ହୃଦୟ ଏବଂ ମଧୁମେହ ଭଳି ରୋଗକୁ ଜନ୍ମ ଦେଉଛି। ଦ୍ୱିତୀୟ କାରଣ ହେଉଛି ଶାରୀରିକ କାର୍ଯ୍ୟକଳାପର ଅଭାବ। ସହରାଞ୍ଚଳ ଜୀବନ ଯୋଗୁଁ ଲୋକମାନେ ବସି ରହି ପ୍ରତିଦିନ ବ୍ୟାୟାମ କରିପାରନ୍ତି ନାହିଁ।

ଦ୍ରୁତ ଜୀବନଶୈଳୀ, ଚାକିରି ଚାପ ଏବଂ ଅସ୍ଥିର ସାମାଜିକ ପରିବେଶ ଅନେକ ରୋଗ ସୃଷ୍ଟି କରୁଛି। ଏଗୁଡ଼ିକ ହୃଦରୋଗ ଏବଂ ଆତ୍ମହତ୍ୟାର ମାମଲା ମଧ୍ୟ ବୃଦ୍ଧି କରୁଛି। ଧୂମପାନ, ମଦ୍ୟପାନ ଏବଂ ପ୍ରଦୂଷଣ ମଧ୍ୟ ଏହି ରୋଗଗୁଡ଼ିକୁ ପ୍ରୋତ୍ସାହିତ କରେ। ତେଣୁ, ଭାରତକୁ ଏବେ ଜୀବନଶୈଳୀ ଉନ୍ନତି, ସଚେତନତା ଏବଂ ନିବାରଣ ଉପରେ ଧ୍ୟାନ ଦେବାକୁ ପଡିବ।

ନିଜକୁ କିପରି ସୁରକ୍ଷିତ ରଖିବେ?

ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ, ଯେପରିକି ହୃଦ୍‌ରୋଗ, ମଧୁମେହ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ।

ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରନ୍ତୁ।

ଆପଣଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆବଶ୍ୟକ ହେଲେ ପରାମର୍ଶ କିମ୍ବା ହେଲ୍ପଲାଇନ୍ ବ୍ୟବହାର କରନ୍ତୁ ।

ଧୂମପାନ ଏବଂ ମଦ୍ୟପାନ ଭଳି ଅଭ୍ୟାସରୁ ଦୂରରେ ରୁହନ୍ତୁ ।

ଘର ଏବଂ ଆଖପାଖ ପରିଷ୍କାର  ରଖନ୍ତୁ ।

 

ଏମିତି ପ୍ରେମିକ କାହାକୁ ନମିଳୁ, ଯୋଜନାବଦ୍ଧ ଭାବେ ହତ୍ଯା …

ନନ୍ଦିଘୋଷ ବ୍ୟୁରୋ: ପ୍ରେମିକ ସାଜିଲା ହତ୍ଯାକାରୀ । ବିଶ୍ବାସରେ ବିଶ ଦେଇ ତଣ୍ଟିଚିପି ମାରି ପଥର ଖଣିରେ ପୋତିଦେଲା । ନୟାଗଡ଼ ଜିଲ୍ଲା ହରିପୁର ଗାଁର ନିରୁପମା ପରିଡ଼ା ହତ୍ଯାକାଣ୍ଡ ଉପରୁ ଉଠିଲା ପରଦା । ଭୁବେଶ୍ବରରେ କେୟାର ଟେକର ଭାବେ କାମ କରୁଥିଲେ ନିରୁପମା । ତାଙ୍କ ରୋଜଗାରରେ ଚଳୁଥିଲା ପରିବାର । ପ୍ରେମିକ ଦେବାଶିଷ ବିଷୋୟୀକୁ ଗିରଫ କରି ତଦନ୍ତ କରୁଛି ପୋଲିସ୍ ।

ଭୁବନେଶ୍ବରରୁ ନିଖୋଜ, ତାପଙ୍ଗରୁ ମିଳିଲା ମୃତଦେହ । ନୟାଗଡ଼ ନିରୁପମା ହତ୍ଯା ଘଟଣାରୁ ହଟୁଛି ପରଦା । ବିଶ୍ବାସରେ ବିଷ ଦେଇ ହତ୍ଯା କରିଥିଲା ପ୍ରେମିକ । ୮ ମାସ ପରେ ଉଦ୍ଧାର ହେଲା ଗଳିତ ମୃତଦେହ । ପ୍ରେମିକ ଦେବାଶିଷକୁ ଗିରଫ କଲା ପୋଲିସ । ନାଁ ନିରୁପମା ପରିଡ଼ା । ବୟସ ୨୨ ବର୍ଷ । ଘର ନୟାଗଡ଼ ଜିଲ୍ଲା ହରିପୁର ଗାଁ । ଘରର ଏକମାତ୍ର ଝିଅ । ପାଠପଢା ପରେ ଭୁବନେଶ୍ବର ଭରତପୁର ଅଞ୍ଚଳରେ କେୟାର ଟେକର ଭାବେ କାମ କରୁଥିଲେ । ଜାନୁଆରୀ ୨୪ରେ ଘରକୁ ଯାଉଛି କହି ଯିବା ପରେ ଆଉ ମିଳି ନଥିଲା ପତ୍ତା । ଘରକୁ ନ ଫେରିବାରୁ ଜାନୁଆରୀ ୨୭ରେ ଏକ ନିଖୋଜ ମାମଲା ଦାୟର ହୋଇଥିଲା । ୮ ମାସ ପରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଳିଙ୍ଗା ମୁଣ୍ଡିଆ ଖଣିରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଗୋଟିଏ ନୁହେଁ ୩ ତିନିଟି ଏତଲା ଦେଇଥିଲେ ପରିବାର । ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ଅନ ଲାଇନରେ ଅଭିଯୋଗ ମଧ୍ଯ କରିଥିଲେ । ହେଲେ ପୋଲିସ ମାମଲା ରୁଜୁ କରି ଚୁପ ରହିଲା । ଆଜି ପୋଲିସର ନିଷ୍କ୍ରିୟତାରୁ ତାଙ୍କ ଝିଅ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଭିଯୁକ୍ତ ପ୍ରେମିକ ଦେବାଶିଷକୁ ଗିରଫ କରିବା ସହ ତା ନିକଟରୁ ନିରୁପମାଙ୍କ ମୋବାଇଲ,  ATM କାର୍ଡ, ଏକ ବ୍ୟାଗ୍ ଜବତ କରିଛି ପୋଲିସ୍ । ଉଭୟଙ୍କ ମଧ୍ୟରେ ବହୁଦିନରୁ ସମ୍ପର୍କ ଥିଲା । କିନ୍ତୁ କୌଣସି କଥାକୁ ନେଇ ତିକ୍ତତା ହେବା ପରେ ନିରୁପମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଦେବାଶିଷ । ଯୋଜନା ମୁତାବକ ଜାନୁୟାରୀ ୨୪ ତାରିଖ ଦିନ ନିରୁପମାଙ୍କୁ ଦେଖା କରିବାକୁ ଡାକି ଗାଡିରେ ବସାଇ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ପଥର ଖଣି ନିକଟକୁ ନେଇଗଲା ।  ସେଠାରେ ତଣ୍ଟିଚିପି ହତ୍ୟା କରିବା ପରେ ମାଟି ଖୋଳି ପୋତିଦେଇଥିଲା । ପରେ ଭୁବନଶ୍ବର ଫେରି ପୂର୍ବବତ କାମ କରୁଥିଲା । ଦେବାଶିଷକୁ ରଣପୁର ଥାନାକୁ ଡାକି ପଚରାଉଚରା ପରେ ମଧ୍ୟ କିଛି ମାନି ନଥିଲା । ତେବେ ସ୍ପେଶାଲ ସ୍କ୍ବାଡ ତଦନ୍ତ କରି ଦେବାଶିଶ ଓ ତା ସହଯୋଗୀ ରଣଜିତ ଓରଫ କାହ୍ମାକୁ ଗିରଫ କରିଛି । ଜେରାବେଳେ ପୋଲିସ ଆଗରେ ସବୁ ସତ ମାନିଛି ଦେବାଶିଷ ।ଘଟଣା ପଛରେ ଆଉ କାହାର ହାତ ରହିଛି ସେନେଇ ତଦନ୍ତ କରୁଛି ପୋଲିସ  ।

କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ

ନନ୍ଦିଘୋଷ ବ୍ୟୁରୋ: କଟକ ଲିଙ୍କରୋଡରେ ବିଳମ୍ବିତ ରାତିରେ ରାସ୍ତା ଉପରେ ଜଣେ ଫୁଲ ବ୍ଯବସାୟୀ ଗୋଡ କଟା ଅବସ୍ଥାରେ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଆକ୍ରମଣ ନୁହେଁ ଦୁର୍ଘଟଣା ଯୋଗୁଁ ବ୍ଯବସାୟୀ ଗୋଡ଼ ହରାଇଥିବା ସ୍ପଷ୍ଟ କଲେ ଡିସିପି । ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁର୍ବୁତ୍ତମାନେ ବିଚ ରାସ୍ତାରେ ହାଣି ଗୋଡ ଅଲଗା କରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ମଦପିଇ ବ୍ଯବସାୟୀ ଜଣକ ଦୁର୍ଘଟଣା ଘଟାଇଥିଲେ । ଡିଭାଇଡରରେ ବାଡ଼େଇ ହୋଇ ତାଙ୍କ ଗୋଡ଼ କଟିଥିବା କହିଛନ୍ତି ଡିସିପି ।

କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ । ଗଣ୍ଡଗୋଳ ନୁହେଁ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା ପୋଲିସ୍ । ମଦ ନିଶାରେ ଗାଡ଼ି ଚଳାଉଥିଲେ ବ୍ଯବସାୟୀ । ଶୁକ୍ରବାର ରାତିରେ ଘଟିଥିଲା ଘଟଣା । କଟକ ଲିଙ୍କ ରୋଡ ନିକଟସ୍ଥ ଅରୁଣୋଦୟ ମାର୍କେଟ ଅଂଚଳରେ ରାସ୍ତା ଉପରେ ଜଣ ଫୁଲ ବ୍ଯବସାୟୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ତାଙ୍କର ଗୋଡ଼ କଟି ଯାଇଥିଲା । ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ହସିପିଟାଲରେ ଭର୍ତ୍ତି କରିଥିଲା । ଗୁରୁତରଙ୍କୁ ପରେ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଗୋଡ଼ କାଟି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।

ଅଭିଯୋଗ ପରେ କଟକ ଡିସିପି ନିଜେ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ । ଆଖପାଖ ସିସିଟିଭି ଯାଞ୍ଚ ପରେ ପ୍ରକୃତ ଘଟଣା ପଦାକୁ ଆସିଛି । ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ମୋଟର ସାଇକେଲରେ ଦ୍ରୁତ ଗତିରେ ଯାଇ ଦୁର୍ଘଟଣା ଘଟାଇଛନ୍ତି । ବାଇକ ଡିଭାଇଡରରେ ବାଡ଼େଇ ହେବା ପରେ ସାଇଲେନ୍ସରରେ ତାଙ୍କ ଗୋଡ଼ କଟି ଯାଇଥିଲା । ଦୁର୍ଘଟଣାର ୮ ମିନିଟ ପରେ ଆଉ ଏକ ଗାଡି ସେଠାରେ ପହଚି ପୋଲିସକୁ ଖବର ଦେଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ତେବେ ସେ ସୁସ୍ଥ ହେବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ ।

ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ । ଯୋଗ୍ୟତା ଥାଇ ମଧ୍ଯ ଏନଏସି ଘୋଷଣା କରାଯାଉ ନଥିବାରୁ ପ୍ରତିବାଦ ଜୋର ହେବାରେ ଲାଗିଛି । ଗଞ୍ଜାମ ଶେରଗଡ ସମେତ ଖଇରା ଓ କଣ୍ଟାମାଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶେରଗଡ ଓ ଖଇରାରେ ବନ୍ଦ ପାଳନ କରାଯାଇଛି । ଶୀଘ୍ର NAC ଘୋଷଣା କରାନଗଲେ ଆଗକୁ ଆହୁରି ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଦିଆଯାଇଛି ଚେତାବନୀ ।

NAC ଘୋଷଣାରେ ଅବହେଳା । ଯୋଗ୍ୟତା ଥାଇ ଦିଆଯାଉନି ମାନ୍ୟତା । ପ୍ରତିବାଦରେ ତେଜୁଛି ଅସନ୍ତୋଷର ବହ୍ନି । ଗଡୁନି ଚକ ଅଖ । ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମେତ ସ୍କୁଲ କଲେଜ ବନ୍ଦ । ଜୋରଦାର ପିକେଟିଂ । ଏ ହେଉଛି ଗଞ୍ଜାମ ଶେରଗଡର ଦୃଶ୍ୟ । ପୂର୍ବ ସରକାରରେ ଶେରଗଡ଼କୁ NAC ଘୋଷଣା କରିଥିବାବେଳେ ନୂଆ ସରକାର ଶେରଗଡକୁ ଏହି ତାଲିକାରୁ ବାଦ ଦେଇଛନ୍ତି । ଶେରଗଡ଼ ପଞ୍ଚାୟତକୁ NAC ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସେହିପରି ବାଲେଶ୍ଵର ଖଇରାକୁ ଏନଏସି ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ଆଗାମୀ ଦିନରେ ସରକାର ଦାବି ପୂରଣ ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ଏନଏସି ଘୋଷଣା ଦାବି ଜୋର ଧରିଛି । କଣ୍ଟାମାଳରେ ଦଶ ହଜାରରୁ ଅଧିକ ଲୋକ ଥିବା ବେଳେ ସମସ୍ତ ସରକାରୀ ଦପ୍ତର ରହିଛି । ଭୌଗୋଳିକ ଦୃଷ୍ଟିକୋଣରୁ ଏହା ସହରାଞ୍ଚଳ ମାନ୍ଯତା ପାଇବା କଥା । ହେଲେ ରାଜ୍ୟ ସରକାର ନିକଟରେ ଯେଉଁ ୨୮ ଗୋଟି ନୂତନ ଏନଏସି ଘୋଷଣା କରିଛନ୍ତି  ସେଥିରେ କଣ୍ଟାମାଳ ନାହିଁ l ପୂର୍ବ ସରକାରରେ କଣ୍ଟାମାଳକୁ ଏନଏସି ଘୋଷଣା ନେଇ ପ୍ରସ୍ତାବ ରହିଥିଲା । ହେଲେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ଯକାରୀ କରି ନଥିବାରୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସରକାର ଏଥିପ୍ରତି ଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ଉପୁଜିବା ଆଶଙ୍କା ଦେଖାଦେଇଛି ।