spot_img
Home Blog Page 2550

ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଗି

ପୁରୀ: ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଟ୍ରେନ୍ ବଗିରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିଲା l ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ନିଆଁ ଲାଗିବା ଦ୍ବାରା ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇ ଉଠିଥିଲା l ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି l ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି l ପୂର୍ବରୁ ମଧ୍ୟ ବହୁଥର ଟ୍ରେନରେ ନିଆଁ ଲାଗିଥିବା ନଜିର ରହିଛି ।

ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଏ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।  ଉଦ୍ଧାର ପରେ ବୃଦ୍ଧାଙ୍କୁ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡିପ୍ ବୋରଓ୍ବେଲରେ ୨୦ ଫୁଟ ତଳେ ପଡ଼ିଯାଇଥିଲେ ବୃଦ୍ଧା । ଉଦ୍ଧାର ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୃଦ୍ଧା ପଡ଼ିଥିବା ଗାତ ଭିତରେ ଏକ ବିଷଧର ସାପ ମଧ୍ୟ ରହିଥିଲା । ତେବେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ବହୁତ ଚ୍ୟାଲେଞ୍ଚପୂର୍ଣ୍ଣ ଥିବା କହିଛନ୍ତି ଟିମ୍ ।

ବୃଦ୍ଧା ଜଣଙ୍କ ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୁଃଖୀ ନେଗୀ । ଗତକାଲି ବୃଦ୍ଧା ଜଣକ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ । ଆଉ ଗତକାଲି ହିଁ ବୋରଓ୍ବେଲରେ ପଡି ଯାଇଥିଲେ ।

ଡିପ୍ ବୋରଓ୍ବେଲର ପଡ଼ିଗଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଅଘଟଣ । ଡିପ୍ ବୋରଓ୍ବେଲରେ ପଡିଗଲେ ବୃଦ୍ଧା । ବୃଦ୍ଧା ଜଣକ ବୋରଓ୍ବେଲର ୨୦ ଫୁଟ ତଳେ ଥିବା ଜଣାପଡିଛି । ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ବୃଦ୍ଧ ମହିଳା ଖଲିଆପାଲି ପଚଂୟତ ଗୋବିନ୍ଦପୁର ଗାଁର ୬୦ ବର୍ଷିୟା ଦୁଃଖୀ ନେଗୀ ବୋଲି ଜଣାପଡିଛି I ଗତ କାଲି ବୃଦ୍ଧା ନିଜ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ I ଗତ କାଲି ରାତିରେ ଝିଅ ଘର ବାଡି ପଟେ ଏକ ବୋର ଓ୍ବେଲରେ ପଡିଯାଇଥିଲେ I ବୋରଓ୍ବେଲଟି ନୂଆକରି ଖୋଳା ଯାଇଥିବା ବେଳେ ପ୍ରାୟ ୨୦ଫୁଟ ଅଧିକ ଓସାରିଆ ଥିବାରୁ ମହିଳା ଖସି ପଡିଥିଲେ Iତେବେ ବର୍ତ୍ତମାନ ମହିଳା ୨୦ ଫୁଟ ତଳେ ଥିବା ବେଳେ ସୋନପୁର ଓ ତରଭା  ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି I ବର୍ତ୍ତମାନ ବୋଲଓ୍ବେଲ ଭିତରକୁ  ଅକ୍ସିଜେନ ଦିଆଯାଇଛି ଓ  ଜେସିବି ମେସିନ ଡକାଯାଇ ମହିଳାଙ୍କୁ ଉଦ୍ଧାର କରିବା ପ୍ରୟାସ କରାଯାଉଛି I

କଟକରେ ଚାଞ୍ଚଲ୍ୟ! କାଠଯୋଡ଼ି ବ୍ରିଜ୍ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଗୋପାଳପୁର ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର । କାଠଯୋଡ଼ି ବ୍ରିଜ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଶବକୁ ଉଦ୍ଧାର କରି ଏସସିବି ପଠାଇଛି ଅଗ୍ନିଶମ ବିଭାଗ । ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଛାତ୍ର ଜଣକ ହେଉଛନ୍ତି କଲ୍ୟାଣନଗରର ସାହିଲ ଜେନା।

ସେ କଲ୍ୟାଣ ନଗର ସତସଙ୍ଗ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ଗତ ୧୦ ତାରିଖରେ ସେ ସ୍କୁଲକୁ ସାଇକେଲରେ ଯାଇ ଆଉ ଘରକୁ ଫେରି ନଥିଲେ। ଖୋଜାଖୋଜି ପରେ ସାହିଲ ନମିଳିବାରୁ ପରିବାର ଲୋକେ ମଧୁପାଟଣା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । କାଠଯୋଡ଼ି ବ୍ରିଜ ତଳୁ ସାଇକେଲଟି ମିଳିବା ପରେ ସକାଳୁ ଛାତ୍ରଙ୍କ ମୃତଦେହ ମିଳିଥିଲା । ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଏସସିବି ପଠାଇଛି । ସିସିଟିଭି ଫୁଟେଜରୁ ଛାତ୍ର ଜଣକ ସ୍କୁଲରୁ ବାହାରି ଯାଉଥିବାର ଦୃଶ୍ଯ ଦେଖିବାକୁ ମିଳିଛି ।

ମାଟିତଳୁ ନାବାଳିକାଙ୍କ ଶବ ମିଳିବା ଘଟଣାରେ ୩ ଗିରଫ

ନୟାଗଡ଼: ମାଟି ତଳୁ ନାବାଳିକା ଝିଅର ଶବ ଉଦ୍ଧାର ଘଟଣାରେ ନୟାଗଡ଼ ନୂଆଗାଁ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ l ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ବାପାକୁ ଖୋଜୁଛି ପୋଲିସ l ଏହି ଘଟଣା ଅନର କିଲିଂ ବୋଲି ସନ୍ଦେହ କରୁଛି ପୋଲିସ  l ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ନୟାଗଡ ନୂଆଗାଁ ଥାନା ସୋରଡ଼ା ଗାଁର ବିପ୍ର ନାୟକଙ୍କ ନାବାଳିକା ଝିଅ ଜଣେ ପୁଅକୁ ପ୍ରେମ କରୁଥିଲା । ବାପା ମା’ ତାଗିତ କରିବା ପରେ ଝିଅ ମାନି ନଥିଲା l ଏହି ଘଟଣାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା l

ଗତ ୧୦ ତାରିଖରେ ଝିଅକୁ ଆକଟ କରିବାକୁ ପରିବାର ଲୋକେ ପିଟି ପିଟି ମାରି ଦେଇଥିବା ସନ୍ଦେହ କରୁଛି ପୋଲିସ l ଘଟଣାକୁ ଲୁଚାଇବାକୁ ଯାଇ ମୃତଦେହକୁ ଏକ କାରରେ ନେଇ ଫୁଲୁବାଣୀ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋତି ଦେଇଥିଲେ l ନୂଆଗାଁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଞ୍ଚଳ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା l ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ପୋତା ହୋଇଥିବା ସ୍ଥାନରୁ ଶବକୁ ଉଧାର କରିଥିଲେ l ନୂଆଗାଁ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାବାଳିକାର ପିଉସା ପତିତପାବନ ପ୍ରଧାନ, ୨ ସମ୍ପର୍କୀୟ ଭାଇ ବିକାଶ କୁମାର ନାୟକ ଏବଂ ଚିନ୍ମୟ ନାୟକ । ଫେରାର ଥିବା ବାପାକୁ ଖୋଜୁଛି ପୋଲିସ ।

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ୧୬ ତାରିଖ ବେଳକୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ୧୬ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି  । ୧୬ ଓ ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  ।

୧୬ ତାରିଖରେ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିବ ପବନ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ଏହିସବୁ ଜିଲ୍ଲା ଗୁଡ଼ିକରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଏହାଛଡ଼ା ୧୬ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଅମଳ ଉପଯୋଗୀ ଧାନ । ଏଣୁ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସାମ୍ଭାବ୍ୟ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି ।

ଆଜି ବିଶ୍ବ ମଧୁମେହ ଦିବସ, ୫ଟି ଜିନିଷ ଖାଇବା କମ୍ କଲେ ବର୍ତ୍ତିପାରିବେ ମଧୁମେହରୁ

ଭୁବନେଶ୍ବର: ଆଜି ବିଶ୍ବ ମଧୁମେହ ଦିବସ । ବିଶ୍ବବ୍ୟାପୀ ପାଳିତ ହେଉଛି ଦିବସ । ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ କେବଳ ମଧୁମେହରେ ୨୦୧୬ ରେ ପ୍ରାଣ ହରାଇଥିଲେ ୧୬ ଲକ୍ଷ ଲୋକ । ଏହାର ପ୍ରଭାବ ଏପରି ଯେ ଆସନ୍ତା ୨୦୨୪ ବେଳକୁ ବିଶ୍ବର ପ୍ରାୟ ୬୩ କୋଟି ଲୋକ ମଧୁମେହରେ ପୀଡିତ ହେବେ । ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା । ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି । ୧୯୨୨ରେ ଇନସୁଲିନର ଆବିଷ୍କାର କରିଥିବା ସାର୍ ଫ୍ରେଡରିକ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ହିଁ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ବିଶ୍ବର ୧୭୦ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଛି । କାନାଡାର ମହାବିଜ୍ଞାନୀ ଫ୍ରେଡରିକଙ୍କୁ ମେଡିସିନ ଲାଗି ୧୯୨୩ରେ ମିଳିଥିଲା ନୋବେଲ ସମ୍ମାନ ।

ଆଜି ଶିଶୁଦିବସ, ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ

ଭୁବନେଶ୍ବର: ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ  । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ  । ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେକରୁଥିଲେ । ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ ।

ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁମାନେ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ  । ୧୯୬୪ ମସିହା ମଇ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା  । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା  । ଯାହାକି ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି  । ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହାର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ  ।

କରାଚି ବନ୍ଦରରେ ଚୀନର ସମରସଜ୍ଜା, ଦକ୍ଷିଣ ଏସିଆରେ ହଲଚଲ

ନନ୍ଦିଘୋଷ ବ୍ୟୁରୋ: କରାଚି ବନ୍ଦରରେ ଚୀନର ସମରସଜ୍ଜା । ଉଭୟ ପାକିସ୍ତାନ ଓ ଚୀନ ପକ୍ଷରୁ ସର୍ବବୃହତ ନୌସମରାଭ୍ୟାସ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଦକ୍ଷିଣ ଏସିଆ ହୋଇଛି ହଲଚଲ । ଭାରତୀୟ ମହାସାଗରରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିବାକୁ ଯୋଜନା ଜାରି ରଖିଥିବାବେଳେ ସି ଗାର୍ଡିଆନ-୩ ସମରାଭ୍ୟାସକୁ ଗୁରୁତ୍ବ ଦିଆଯାଉଛି ।

ଗତ ୫ ବର୍ଷ ଧରି ଭାରତ ମହାସାଗରରେ ଚୀନର ବହୁ ଗୁପ୍ତଚର ଜାହାଜ ପଇଁତରା ମାରିବା ଦେଖାଯାଉଛି । ଗତବର୍ଷ କଲମ୍ବୋରେ ସି ୟାନ ୬ ଜାହାଜ ମୁତୟନ ହୋଇଥିବାକୁ ନେଇ ଅନେକ ସସପେନସ ପ୍ରକାଶ ପାଇଥିଲା । ମୁତୟନ ହୋଇଥିବା ଜାହାଜ ମଧ୍ୟରେ ରହିଛି ଟାଇପ ୦୩୯ ଡିଜେଲ ଇଲେକ୍ର୍ଟିକ ସବମେରିନ । ଏହି ଜାହାଜ ନୌସେନାର ଅନେକ ଗୋପନୀୟ ତଥ୍ୟ ହାସଲ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଗତ ୨୦୧୩ରୁ ଚୀନର ପିପୁଲସ ଲିବରେସନ ଆର୍ମି ନାଭି ବା ପ୍ଲାନ ପକ୍ଷରୁ ଭାରତ ମହାସାଗରରେ ୮ ଥର ବୁଡାହାହାଜ ମୁତୟନ ହେଲାଣି ।

କରାଚି ବନ୍ଦରରେ ଚୀନର ଟାଇପ-୯୨୬ ସବମେରିନ ମୁତୟନ ହୋଇଥିବାବେଳେ ଟାଇପ ୫୨ ଡି ଡେଷ୍ଟ୍ରୟର, ଦୁଇଟି ଟାଇପ ୫୪ ଫ୍ରିଗେଟ, ଟାଇପ ୯୦୩ ଜାହାଜ ମୁତୟନ ହୋଇଛି । ଦୂରଗାମୀ ଅପରେସନ କରିବାରେ ଏହି ସବୁ ଜାହାଜ ସକ୍ଷମ । ଗତବର୍ଷ ଭାରତର ପ୍ରତିବାଦ ସତ୍ତ୍ବେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଡେରା ପକାଇଥିଲା ଚୀନ ଜାହାଜ ଓ୍ବାନ ଓ୍ବାଙ୍ଗ ୫ । ଏପରିକି ଓଡିଶାସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଭାରତୀୟ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ଗୋପନ ତଥ୍ୟ ହାସଲ ଏହାର ଉଦ୍ଦେଶ୍ୟ ଥିଲା ବୋଲି ଅଭିଯୋଗ ହୋଇଥିଲା ।

ଉତ୍ତରକାଶୀରେ ଟନେଲ ଧସିବା ଘଟଣା: ଆସନ୍ତାକାଲି ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭାବନା

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ ଧସିବା ଘଟଣା । ଘଟଣାସ୍ଥଳରେ ଜାରି ରହିଛି ମେଗା ରେସ୍କ୍ୟୁ ଅପରେସନ । ବୁଧବାର ହିଁ ସମସ୍ତଙ୍କୁ ଉଦ୍ଧାର ସମ୍ଭାବନା ରହିଛି ବୋଲି କହିଛନ୍ତି ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ସମ୍ପାଦକ ରଞ୍ଜିତ କୁମାର ସିହ୍ନା । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର ।

୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି । ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ।

ହାଇଡ୍ରୋଲିକ ଜ୍ୟାକ ଜରିଆରେ ୯୦୦ ମିଲିମିଟର ଓସାରର ଏକ ପାଇପକୁ ଟନେଲ ଭିତରକୁ ପଠାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଶା ରଖିଛନ୍ତି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନରେ ଜଳସେଚନ ବିଭାଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି  ।

ଅନ୍ୟପଟେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ସେମାନେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା । ଏନେଇ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।