ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ସେପଟେ ଆଜି ପାଟନାରେ କଂଗ୍ରେସର ମେଗାସମାବେଶ। ଭୋଟ ଚୋରି ବିରୋଧରେ ଅଭିଯାନ ପରିପ୍ରେକ୍ଷୀରେ ଏହି ରାଲିର ଆୟୋଜନ କରାଯାଇଛି। ଗାନ୍ଧି ମଇଦାନରେ ହେବାକୁ ଥିବା ସମାବେଶରେ ସାମିଲ ହେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ବିଭିନ୍ନ ଦଳର ବହୁ ନେତା । ଏହି ରାଲି ଗତ ଅଗଷ୍ଟ ୧୭ରୁ ସାସାରାମରୁ ଆରମ୍ଭ ହୋଇଥିଲା। ପରେ ଏହା କୁଟୁମ୍ବା, ଔରାଙ୍ଗାବାଦ, ପୁନାମା ନବାଦା, ସିକନ୍ଦର, ଜାମୁଇ, ମୁଙ୍ଗେର, ସୁଲତାନଗଞ୍ଜ, ଭାଗଲପୁର, ପୂର୍ଣ୍ଣିଆ, ଦରଭଙ୍ଗା, ସୀତାମଢ଼ି, ପଶ୍ଚିମ ଚମ୍ପାରନ, ଆରା ଦେଇ ପାଟନାରେ ପହଞ୍ଚିଥିଲା। ୧୬ ଦିନର ଏହି ଯାତ୍ରା ୨୦ ଜିଲ୍ଲା ଦେଇ ୧୩ଶହ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପ୍ରାୟ ୧୧୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ ଏହି ଯାତ୍ରା ଯାଇଥିଲା। ସ୍ବଚ୍ଛ ଭୋଟର ତାଲିକା ଓ ଅବାଧ ନିର୍ବାଚନ ଲାଗି ଜନସାଧାରଣଙ୍କୁ ସାମିଲ କରିବା ନିମନ୍ତେ କଂଗ୍ରେସ votechori.in ପୋର୍ଟାଲ ଲଞ୍ଚ କରିଥିଲା। ଏହି ପୋର୍ଟାଲରେ ନିଜର ମତ ଉପସ୍ଥାପନ କରିବା ଲାଗି ଆହ୍ବାନ ଦିଆଯାଇଥିଲା ।
ରାଜ୍ୟ ସ୍ଵାୟତ୍ତ ଶାସନ ଦିବସରରେ ୭ ସହରକୁ ମ୍ୟୁନିସିପାଲିଟି ମାନ୍ୟତା, ୧୬ ନୂଆ ଏନଏସି ଘୋଷଣା କଲେ ସରକାର
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା । ୭ ସହରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଛି । ସେହିପରି ୧୬ ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା । ଓଡ଼ିଶା ସହରାଞ୍ଚଳ ମିଶନକୁ ଅଧିକ ପ୍ରୋତ୍ସାହନ । କ୍ୟାପିଟାଲ ରିଜିଅନ ରିଂ ରୋଡ଼ ମାଧ୍ୟମରେ ଖୋର୍ଦ୍ଧା-ଭୁବନେଶ୍ବର-କଟକ-ଚୌଦ୍ବାର ଅଞ୍ଚଳର ବିକାଶ କରାଯିବ । ସହରାଞ୍ଚଳରେ ହ୍ଵାଟ୍ସଆପ୍ ମାଧ୍ୟମରେ ଆମ ବସ ସେବାର ଟିକେଟ ବୁକିଂ କରି ହେବ । ସହରରେ ଖାଲଖମା ରାସ୍ତା ସମସ୍ୟା ଦୂର କରିବାକୁ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଅଭିଯୋଗ ଆଧାରରେ ପଦକ୍ଷେପ ନନେଲେ ଅଧିକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
କରଞ୍ଜିଆ, ବୌଦ୍ଧ, ଆସିକା, ଭଞ୍ଜନଗର, ଛତ୍ରପୁର, ପୋଲସରା ଓ କବିସୂର୍ଯ୍ୟନଗରକୁ ମ୍ୟୁନିସିପାଲିଟି କରାଯିବାକୁ ଘୋଷଣା ହୋଇଛି । ସେହିପରି ୧୬ ନୂଆ NAC ଘୋଷଣା କରିଛନ୍ତି ସରକାର । ଲୋଇସିଂହା, ସୋହେଲା, ସାଲେପୁର, ବଡମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଟାଙ୍ଗୀ, ବୋରିଗୁମ୍ମା, କପ୍ତିପଦା, ଯଶୀପୁର, ଜୟପାଟଣା, ରାସଗୋବିନ୍ଦପୁରକୁ ମିଳିଛି NAC ମାନ୍ୟତା । ସହରରେ ରହୁଥିବା ଲୋକଙ୍କ ପାଇଁ ପାଣି, ଡ୍ରେନ, ବିଦ୍ୟୁତ, ପାର୍କ, ରାସ୍ତା, ବହୁମୁଖୀ କେନ୍ଦ୍ର ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ସହରୀକରଣ ଯୋଜନାରେ ୬ ହଜାର କୋଟିର ବଜେଟ ରହିଛି । କ୍ୟାପିଟାଲ ରିଜିଅନ ରିଂରୋଡ଼ ହେଲେ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଚୌଦ୍ବାରର ବହୁମୁଖୀ ବିକାଶ ହେବ । ରାସ୍ତା ସମସ୍ୟା ପାଇଁ ୧୯୨୯ ଟୋଲ ଫ୍ରି ନମ୍ବରରେ ଯୋଗଯୋଗ କରି ସମାଧାନ କରାଯିବ । ସହଯୋଗ ସେବାର ସଂପ୍ରସାରଣ ପାଇଁ ନଗର ଉନ୍ନୟନ ବିଭାଗ ଓ ଟାଟା ଷ୍ଟିଲ ମଧ୍ୟରେ MOU ହୋଇଛି । ଆମ ବସ୍ ପାଇଁ ହ୍ଵାଟସ୍ ଆପ୍ ଆଧାରିତ ଟିକେଟ୍ ବୁକିଂର ଶୁଭାରମ୍ଭ ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ଗୋଶାଳା ଓ ବହୁମୁଖୀ ହଲର ଉଦଘାଟନ ହୋଇଛି । ରାଜ୍ୟରେ ରାଜସ୍ବ ସଂଗ୍ରହ ଅଭିବୃଦ୍ଧି ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି ଧାମନଗର NAC । ରେମୁଣା ଏନଏସି ଓ କୋରାପୁଟ ମ୍ୟୁନିସିପାଲିଟିକୁ ପୁରସ୍କୃତ କରାଯିବା ସହ ୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି ।
ଭୁବନେଶ୍ଵର ପଳାଶୁଣୀରେ ବର୍ଜ୍ୟବସ୍ତୁ ଉଦ୍ଧାର କେନ୍ଦ୍ର, ଗାଡକଣରେ ଥିବା ପ୍ଳାଜମା ଦହନ କେନ୍ଦ୍ର ଓ ବିଏମସି ହ୍ବାଟସଅପ ବଟ୍ ସୁବିଧାର ଶୁଭାରମ୍ଭ ହୋଇଛି । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମେୟର ଏବଂ କମିଶନର ୨୮ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ୧୨ଟି ୱାର୍ଡ ଅଫିସ, ବିଭିନ୍ନ ୱାର୍ଡରେ ପାର୍କ ଓ ମିନି ପାର୍କ, ମିଶନ ଶକ୍ତି ଗୃହ, କମ୍ୟୁନିଟି ସେଣ୍ଟର, ଶୌଚାଳୟ ଏବଂ କିଛି ଆରସିସି ଡ୍ରେନର ଉଦଘାଟନ ହୋଇଛି । ୩୫୦ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଛି । ଯେଉଁଥିରେ ୨୦ରୁ ଅଧିକ କିନ୍ନର ଓ ଦିବ୍ୟାଙ୍ଗଙ୍କୁ ସାମିଲ କରାଯାଇଛି ।
ରାଜ୍ୟବ୍ୟାପୀ ବିଭିନ୍ନ ସହରାଞ୍ଚଳରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇଥିବା ବେଳେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ମେୟର, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିମଳ ସେବାରେ ଉତ୍କୃଷ୍ଟତା ପାଇଁ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି ।
ଅତିଥି ଅଧ୍ୟାପକରେ ଚାଲିଛି କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ, ସମସ୍ୟାର ଅନ୍ତ କେବେ ?
ନନ୍ଦିଘୋଷ ବ୍ୟୁରୋ: ଅତିଥି ଅଧ୍ୟାପକରେ ଚାଲିଛି କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ । ନିଯୁକ୍ତି ହୋଇନାହାନ୍ତି ସ୍ଥାୟୀ ପିଜିଟି ଶିକ୍ଷକ । ଲାଗି ରହିଛି ଅଧ୍ୟାପକ ଓ କର୍ମଚାରୀଙ୍କ ଅଭାବ । ଏହା ସାଙ୍ଗକୁ ପର୍ଯ୍ୟାପ୍ତ ନାହିଁ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା, କମୁଛି ଶିକ୍ଷାର ମାନ । ଫଳରେ ଗାରିମା ହରାଇବାକୁ ବସିଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ।
ଅବ୍ୟବସ୍ଥା ଘେରରେ ଗଜପତି ଜିଲ୍ଲାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ । ରାଜ୍ୟର ସର୍ବ ପୁରାତନ ମହାବିଦ୍ୟାଳୟ ହୋଇଥିବା ସତ୍ତ୍ଵେ ଅବହେଳିତ ଅବସ୍ଥାରେ ରହିଛି ଏହି ମହାବିଦ୍ୟାଳୟ । ୧୮୯୭ରେ ପ୍ରତିଷ୍ଠା ହୋଇଥିବା ଏହି ମହାବିଦ୍ୟାଳୟ ବେଶ କିଛିବର୍ଷ ଧରି ରାଜ୍ୟରେ ଉନ୍ନତମାନର ଶିକ୍ଷା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହାର ଭିତ୍ତିଭୂମି ତଥା ଶ୍ରେଣୀ କୋଠା ଆକର୍ଷଣୀୟ ଓ ଶିକ୍ଷା ପାଇଁ ରହିଛି ଅନୁକୂଳ ପରିବେଶ । କଲେଜ ପରିସରରେ ରହିଛି ଯୁକ୍ତ ଦୁଇ, ଡିଗ୍ରୀ ସହ ସ୍ନାତକୋତ୍ତର ବିଭାଗ । ମୋଟ ୩୪୦୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ୧୭ଟି ୟୁଜି ଓ ୧୩ଟି ପିଜି ପାଠ୍ୟକ୍ରମ ରହିଛି । ଆବଶ୍ୟକ ଅନୁଯାୟୀ ମୋଟ ୬୩ ଜଣ ଅଧ୍ୟାପକ ପଦବୀ ଅନୁମୋଦନ ଥିବା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୪୪ । ସେହିଭଳି ୬୮ଟି ସହଯୋଗୀ କର୍ମଚାରୀ ଅନୁମୋଦିତ ଥିବା ବେଳେ ଅଛନ୍ତି ମାତ୍ର ୨୧ ଜଣ । ଏକ ବୃହତମ ଲାଇବ୍ରେରୀ ଥିବା ବେଳେ ଦୀର୍ଘ ବର୍ଷ ହେଲା ଲାଇବ୍ରେରୀଆନ ପଦବୀ ଖାଲି ପଡ଼ିଛି । ଏହାଛଡା ପାନୀୟ ଜଳ ଓ ଆବଶ୍ୟକ ଶୈଚାଳୟ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ ।
ଗତ କିଛିଦିନ ମଧ୍ୟରେ ଏଠାରୁ ୭ ଅଧ୍ୟାପକ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି । କଲେଜରେ ଯୁକ୍ତ ଦୁଇ ସଂଲଗ୍ନ ହୋଇ ରହିଥିବା ବେଳେ ଯୁକ୍ତ ଦୁଇ ଶିକ୍ଷାଦାନ କରିବାକୁ ଏଯାଏଁ ଗୋଟିଏ ବି ସ୍ଥାୟୀ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଅଭିଜ୍ଞ ଅଧ୍ୟାପକ ନିଯୁକ୍ତି ନ ହେବା ଯୋଗୁଁ ଶିକ୍ଷାର ମାନ ଓ କଲେଜ ପରିଚାଳନାରେ ଅନେକ ସମସ୍ୟା ଉପୁଜଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି । ସମସ୍ୟା ନେଇ ଉଚ୍ଚ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରା ଯାଉଥିଲେ ସୁଦ୍ଧା କଲେଜର ବିକାଶ ପାଇଁ ସେଭଳି ତତ୍ପରତା ପ୍ରକାଶ ପାଉ ନଥିବା ଅଭିଯୋଗ ହୋଇଛି ।
ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ…
ପୁରୀ : ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର। ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ । ୱେବସାଇଟରେ ଜଗନ୍ନାଥ ଦର୍ଶନ ନେଇ ଦିଆଯାଇଛି ଫେକ୍ ତଥ୍ୟ । ଦର୍ଶନ ସମୟ ଅନୁସାରେ ଟଙ୍କା ନିର୍ଦ୍ଧାରିତ ନେଇ ୱେବସାଇଟରେ ତଥ୍ୟ ରହିଛି । ଶ୍ରୀମନ୍ଦିରରେ ଦର୍ଶନ ନିଶୁଳ୍କ ରହିଥିବା ବେଳେ ୱେବସାଇଟରେ ରହିଛି ବିଭିନ୍ନ ବର୍ଗର ଦେୟ ଯୁକ୍ତ ଦର୍ଶନ ନେଇ ତଥ୍ୟ । ଲୋକଙ୍କ ପାଇଁ ଗଳାବାଟ ଦର୍ଶନକୁ ଇଣ୍ଡିଆ ଥ୍ରିଲସ୍ ତଥ୍ୟ ଆହୁରି ପ୍ରୋତ୍ସାହିତ କରିବା ଭଳି । ଜଗନ୍ନାଥ ଦର୍ଶନ ପାଇଁ ୫୦ ଟଙ୍କା, ୧୦୦ ଟଙ୍କା, ୫୦୦ ଟଙ୍କାର ରେଟ ଚାର୍ଟ ଦେଇଛି ଉକ୍ତ ୱେବସାଇଟ । ଇଣ୍ଡିଆ ଥ୍ରିଲ୍ସ ୱେବସାଇଟରେ ଜଗନ୍ନାଥ ମନ୍ଦିର, ଏହାର ଇତିହାସ ଓ ଦର୍ଶନକୁ ନେଇ ତଥ୍ୟ ରହିଛି । ଶ୍ରୀମନ୍ଦିରରେ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଉକ୍ତ ୱେବ୍ ସାଇଟ୍ ଭକ୍ତଙ୍କ ଭାବାବେଗ ସହ ଖେଳିଛି ଖେଳ । ବାହାରୁ ଆସୁଥିବା ସାଧାରଣ ଭକ୍ତ ଏହି ତଥ୍ୟ ଦେଖିଲେ ଭ୍ରମିତ ହେବା ସ୍ବାଭାବିକ । ୱେବସାଇଟ ତଥ୍ୟ ଅନୁସାରେ ସକାଳ ୭ଟାରୁ ରାତି ୧୨। ଅପରାହ୍ନ ୪ଟାରୁ ରାତି ୮ ମଧ୍ୟରେ ସ୍ଵତନ୍ତ୍ର ଦର୍ଶନ ନେଇ ତଥ୍ୟ ରହିଛି । ଯାହାର ମୂଲ୍ୟ ୫୦ ଟଙ୍କା ବୋଲି ଦର୍ଶାଯାଇଛି। ଶୀଘ୍ର ଦର୍ଶନ ପାଇଁ ୧୦୦ ଟଙ୍କା, ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା, ରାତ୍ରି ଦର୍ଶନ ପାଇଁ ୫୦ ଟଙ୍କା ଦର୍ଶାଯାଇଛି ।
ଜୀବନ ହାରିଲେ ୟୁଟ୍ୟୁବ ବ୍ଲଗରଙ୍କ ସାନଭାଇ
ଭୁବନେଶ୍ବର : ଜୀବନ ହାରିଲେ ୟୁଟ୍ୟୁବ ବ୍ଲଗରଙ୍କ ସାନଭାଇ । ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାର ଦାସ ସାନ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଆତ୍ମହତ୍ୟା ନେଇ ସନ୍ଦେହ କରୁଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଇନଷ୍ଟାଗ୍ରାମରେ ଭିଡିଓ ବନାଇ ଲୋକଙ୍କ ମନୋରଞ୍ଜନ କରୁଥିବା ସନ୍ଦୀପଙ୍କ ସାନ ଭାଇଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ପାରିବାରିକ ଝଗଡା ନା ଆର୍ଥିକ ସମସ୍ୟା କିମ୍ବା ପ୍ରେମ ରେ ଧୋକା ? ଏସବୁକୁ ନେଇ ଚାଲିଛି ଖୋଳତାଡ଼ । ସନ୍ଦେଶ କରିଥିବା ଶେଷ କଲକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । କିନ୍ତୁ ସନ୍ଦୀପଙ୍କ ବାଇକକୁ ବ୍ୟବହାର କରୁଥିବାରୁ ପ୍ରଥମେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲା ପୋଲିସ । କିନ୍ତୁ ସେ ସନ୍ଦୀପ ନୁହଁନ୍ତି, ବରଂ ସନ୍ଦୀପଙ୍କ ସାନ ଭାଇ ସନ୍ଦେଶ ବୋଲି ସ୍ପଷ୍ଟ କରିଛି ପୋଲିସ ।

