spot_img
Home Blog Page 268

ବିଜେପିକୁ ଘାରିଛି ଉପନିର୍ବାଚନ ହାରିବା ଭୟ ; ନୂଆପଡାରେ ପୋଲିସ ବ୍ୟବହାର କରୁଛି ଦଳ

ନୂଆପଡ଼ା : ନୂଆପଡାରେ ପୋଲିସକୁ ବ୍ୟବହାର କରୁଛି ବିଜେପି । ଉପନିର୍ବାଚନରେ ଭୟଭୀତ ବିଜେପି । ମୁନା ଖାଁ କହିଲେ ବସନ୍ତଙ୍କୁ ଅଣଦେଖା ମତଦାନକୁ କରିବ ପ୍ରଭାବିତ । ମଇଦାନକୁ ନବୀନ ଓହ୍ଲାଇଲେ ବିଗିଡିବ ସବୁ ଅଙ୍କ । ବିଜେପିକୁ ଘାରିଛି ଉପନିର୍ବାଚନ ହାରିବା ଭୟ । ନୂଆପଡାରେ ପୋଲିସ ବ୍ୟବହାର କରୁଛି ଦଳ । ସରକାରୀ କଳ ଲଗାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ଜାରୀ ରଖିଛି ପ୍ରୟାସ । କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ପଶିବା ଓ ଉପମୁଖ୍ୟମନ୍ତ୍ରୀ ନୂଆପଡାରେ ସୁଭଦ୍ରା ମେଳା ଆୟୋଜନ କରିବା ଏହାର ପ୍ରମାଣ । ନୂଆପଡା ଉପନିର୍ବାଚନରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ହେଉଛି ତ ବୋଲି ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ନୂଆପଡା ଉପନିର୍ବାଚନ ଫଳାଫଳ ଏକ ନୂତନ ସମୀକରଣ ସୃଷ୍ଟି କରିବ ବୋଲି କଂଗ୍ରେସ କହିଛି । ନିର୍ବାଚନ ସମୟରେ କଣ ପାଇଁ ଡିଆଇଜିଙ୍କୁ ହଟାଇ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। କିଛି ଦିନ ତଳେ ନରେଶ ଅଗ୍ରୱାଲଙ୍କ ଠାରୁ ୭୦ ଲକ୍ଷ ଟଙ୍କା ସିଜ ହେଲା। ନରେଶ ଅଗ୍ରୱାଲ ଜଣେ ବିଜେପି ସାଂସଦଙ୍କ ସମ୍ପର୍କୀୟ। କାଇଁ ପୋଲିସ କିଛି ଆଖିଦୃଶିଆ ପଦକ୍ଷେପ ନେଲାନାହିଁ । ନୂଆପଡ଼ା କଂଗ୍ରେସ ଭବନରେ ପୋଲିସ ଯେପରି ପଶିଲା ତାକୁ ଦଳ ନିନ୍ଦା କରିଛି । ଗଣତନ୍ତ୍ରକୁ ନିର୍ବାଚନ କମିଶନ ସୁରକ୍ଷା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ବିରୋଧୀ ଶାସକ ଦଳକୁ ଆକ୍ଷେପ କରିବା କିଛି ନୂଆ ନୁହେଁ । ଯିଏ ଯେତେ ଯାହା କହିଲେ ବି ବିଜେପିର ସ୍ଥିତି ଯାହା ଆମେ ଜିତିବୁ।

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନୂଆପଡ଼ାରେ ବିଜେଡି ପ୍ରତି ଜନ ସମର୍ଥନ ସେତେ ବଢିବାରେ ଲାଗିଛି । ନଭେମ୍ବର ପ୍ରଥମ ସପ୍ତାହରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ । ନୂଆପଡାରେ ବିଜେଡି ବିଜୟୀ ହୋଇଥିଲା । ଉପନିର୍ବାଚନରେ ମଧ୍ୟ ନୂଆପଡାବାସୀ ବିଜେଡିକୁ ସୁନିଶ୍ଚିତ ବିଜୟୀ କରାଇବେ ବୋଲି ବିଜେଡି ସାଂସଦ ମୁନା ଖାଁ କହିଛନ୍ତି । ଆହୁ କହିଛନ୍ତି, ବସନ୍ତ ପଣ୍ଡା ପଣ୍ଡାଙ୍କ ମନରେ ଦୁଃଖ ଅଛି। ସେ ଜଣେ ପୁରୁଖା ଲୋକ। ତାଙ୍କୁ ଅଣଦେଖା କରାଗଲା। ସେ ଖୋଲା ଖୋଲି କହିପାରୁ ନାହାଁନ୍ତି। କିନ୍ତୁ ତାଙ୍କ ମନରେ ଦୁଃଖ ଅଛି। ଆଉ ତାହା ଭୋଟରେ ପ୍ରତିଫଳିତ ହେବ। ଦଳ ବାହାରୁ ଆଣି ପ୍ରାର୍ଥୀ ଦେଲେ ଅସନ୍ତୋଷ ରହିବା ସ୍ୱାଭାବିକ। ତେଣୁ ୮ ଛାଡି ୧୬ ମନ୍ତ୍ରୀ ଦାୟିତ୍ବରେ ରହିଲେ କିଛି ଫରକ ବିଜେଡି ଉପରେ ପଡିବନି । ବିଜେଡ଼ି ସୁନିଶ୍ଚିତ ବିଜୟି ହେବ।

ଉପନିର୍ବାଚନ ଲାଗି ନଭେମ୍ବର ୯ ତାରିଖ ଯାଏ ଜମିବ ପ୍ରଚାର । ବିଜେଡି ଗଡରକ୍ଷା କରିବା ପାଇଁ ଗ୍ରାଉଣ୍ଡରେ ଜୋରଦାର ପ୍ରଚାର କରୁଛି । ଅନ୍ୟପଟେ ଦୁଇ ଜାତୀୟ ଦଳ ବିଜେଡି ଗଡରେ ଧସେଇ ପଶିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ପ୍ରଚାର ମଇଦାନରେ ଓହ୍ଲାଇବେ ନବୀନ ; ୩ ଓ ୭ ତାରିଖରେ ଯାଇ କରିବେ ପ୍ରଚାର

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନରେ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୩ ଓ ୭ ତାରିଖରେ ସେ ନୂଆପଡ଼ା ଯାଇ ପ୍ରଚାର କରିବେ। ଏହାକୁ ନେଇ ଜୋସ୍ ରେ ଦଳର କର୍ମୀ। ବିଜେଡିରେ ଉତ୍ସାହ ଭରି ଦେଇଛି ଏହି ଖବର। ନବୀନ ପଟ୍ଟନୟକ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଜୟ ହେବ ନୂଆପଡ଼ାର। ଆରମ୍ଭ ହେବ ନୂଆ ଧାରା ସେବା ଓ ବିକାଶର। ତାଙ୍କର ଏହି ବାର୍ତ୍ତା ପରେ କର୍ମୀଙ୍କ ଜୋସ୍ ହୋଇ ଯାଇଛି ଦୁଇ ଗୁଣା କାରଣ ଯେଉଁଠି ନବୀନ ଠିଆ ହୋଇ ଯାଆନ୍ତି, ସେଠାରେ ବିଜେଡିର କ୍ରେଜ୍ ବଢ଼ିଯାଏ। ନବୀନଙ୍କ ଆଗରେ ବିରୋଧୀଙ୍କ କୌଣସି କୌଶଳ କାମ ଦିଏନି। ଏଥର ମଧ୍ୟ ସେ ବିଜେପି ଓ କଂଗ୍ରେସର ଖେଳ ବିଗାଡ଼ିବେ ବୋଲି କୁହାଯାଉଛି । ନବୀନ ପଟ୍ଟନାୟକଙ୍କ ପ୍ରଥମ କାର୍ଯ୍ୟକ୍ରମ ରହିଛି କୋମନାରେ। ଏକ ସାଧାରଣ ସଭାରେ ସେ ଯୋଗ ଦେବେ। ତାଙ୍କୁ ଦେଖିବା ପାଇଁ ସମସ୍ତେ ବେଶ୍ ଉତ୍ସାହିତ। ନୂଆପଡ଼ାର ବିକାଶରେ ନବୀନ ବାବୁ ପ୍ରତ୍ୟକ୍ଷ ଭାବରେ ଜଡ଼ିତ। ତେଣୁ ଜିଲ୍ଲାବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଓ ନୂଆପଡ଼ା ପ୍ରତି ରାଜୁଭାଇ ଢୋଲକିଆଙ୍କ ଉତ୍ସର୍ଗ, ପରିଶ୍ରମ ଏହି ଅଞ୍ଚଳର ବିକାଶକୁ ନୂଆ ଦିଗ ଦେଇଥିଲା। ତୃଣମୂଳସ୍ତରରେ ରାଜେନ୍ଦ୍ର ଢୋଲକିଆଙ୍କ ଦବଦବା ରହିଥିଲା। କାରଣ ସେ ସବୁବେଳେ ଲୋକଙ୍କ ସହିତ ଥିଲେ। ଉପନିର୍ବାଚନ ପାଇଁ ଦୁଇ ଦିନ ପ୍ରଚାର କରିବେ ନବୀନ ପଟ୍ଟନାୟକ। ତେଣୁ ନେତା କର୍ମୀ ଓ ସାଧାରଣ ଲୋକେ ବେଶ୍ ଖୁସି । ଶଙ୍ଖ ଚିହ୍ନକୁ ବିପୁଳ ପରିମାଣରେ ଭୋଟ ଦେଇ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜୟଯୁକ୍ତ କରାଇବେ ବୋଲି କହିଛନ୍ତି ନୂଆପଡ଼ା ଭୋଟର୍।

ନୂଆପଡ଼ା ବାଇଇଲେକସନକୁ ଆଉ ମାତ୍ର ୧୧ ଦିନ। ପ୍ରଚାର ସରିବ ୯ ତାରିଖ ସଂଧ୍ୟାରେ । ତେଣୁ କ୍ୟାମ୍ପେନିଂ ପାଇଁ ହାତରେ କେବଳ ୧୦ ଦିନ। ଯେତିକି ସମୟ ଅଛି, ତାର ସଦୁପଯୋଗ କରି ପ୍ରାଣମୂର୍ଚ୍ଛା ପ୍ରଚାରରେ ମାତିଛନ୍ତି ସବୁ ପ୍ରାର୍ଥୀ। ଦଳୀୟ ହୁଅନ୍ତୁ ବା ନିର୍ଦ୍ଦଳୀୟ ପ୍ରାର୍ଥୀ, ସମସ୍ତେ ନିଜର ଦଳ ବଳ ପାଟ ପଟୁଆର ନେଇ କରୁଛନ୍ତି କ୍ୟାମ୍ପେନିଂ। କେତେବେଳେ ସଭା ସମିତି, ତ କେତେବେଳେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ସେମାନେ। ସମସ୍ତଙ୍କର ଭାଗ୍ୟ ପରୀକ୍ଷା ହେବ ଆସନ୍ତା ୧୧ ତାରିଖରେ। ଫଳ ବାହାରିବ ୧୪ରେ ।

ବେଦାନ୍ତ ଆଲୁମିନିୟମର ଦକ୍ଷତା ମାଧ୍ୟମରେ କଳାହାଣ୍ଡିର ଯୁବପିଢ଼ିଙ୍କୁ ନିଯୁକ୍ତି

ନନ୍ଦିଘୋଷ ବ୍ୟୁରୋ : ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି । ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି । ଯାହାର ନେତୃତ୍ୱ ନେଉଛି ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ । ଯାହା ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ଏବଂ ଲାଞ୍ଜିଗଡ଼ର ୮୦୦ ରୁ ଅଧିକ ଯୁବକଙ୍କୁ ତାଲିମ ଦେଇସାରିଛି । ୫୫% ମହିଳା ଅଂଶଗ୍ରହଣ ସହିତ, କଳାହାଣ୍ଡିରେ ଏହି କାର୍ଯ୍ୟକ୍ରମ ଏହାର ଲୋକଙ୍କ ପାଇଁ ସୁଯୋଗର ଏକ ଦ୍ୱାର ଖୋଲିବା ସହିତ ଲିଙ୍ଗ-ସାମଗ୍ରିକ ନିଯୁକ୍ତିକୁ ବୃଦ୍ଧି କରୁଛି ଏବଂ ଏହି ଅଞ୍ଚଳରେ ନୂତନ ଜୀବନ ଫୁଙ୍କୁଛି । କାହିଁ କେଉଁ ଦଶକ ଧରି କଳାହାଣ୍ଡି ଥିଲା ସୀମିତ ସୁଯୋଗ ଓ ଅପୂର୍ଣ୍ଣ ସ୍ଵପ୍ନର ଅଞ୍ଚଳ। କିନ୍ତୁ ଏବେ ଭାଗ୍ୟ ବଦଳିଛି । ବେଦାନ୍ତର ଭବାନୀପାଟଣା ଓ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ର ଗୁଡ଼ିକରେ ଯୁବକ-ଯୁବତୀ ମାନେ ଆଚରଣିକ ଓ ନିଯୁକ୍ତି-ଯୋଗ୍ୟ କୌଶଳ ଶିଖୁଛନ୍ତି, ଯାହା ତାଙ୍କୁ ନୂତନ ଓ ଆଧୁନିକ ବୃତ୍ତି କ୍ଷେତ୍ରରେ ସୁଯୋଗ ଦେଉଛି ।

ଏହି କେନ୍ଦ୍ର ଗୁଡ଼ିକ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ (OSDA) ଓନାବାର୍ଡ (NABARD) ସହଯୋଗରେ ଚାଲୁଛି । ଏଠାରେ ଅତିଥି ସେବା, ବିକ୍ରୟ, ଖାଦ୍ୟ ଓ ପାନୀୟ ସେବା ଭଳି ବିଭିନ୍ନ ଶିଳ୍ପ-ସଂପର୍କିତ ପଢ଼ା ଶୁଣା ହେଉଛି । ଏପର୍ଯ୍ୟନ୍ତ ଯେଉଁ ୮୦୦ ରୁ ଅଧିକ ଯୁବା ଶିକ୍ଷା ପାଇଛନ୍ତି, ସେଥିରୁ ୭୫% କାମରେ ନିଯୁକ୍ତ, ଯାହା ଏହି ପ୍ରକଳ୍ପର ସଫଳତା ଦର୍ଶାଉଛି ।

ସମ୍ପ୍ରତି ଖାଦ୍ୟ ଓ ପାନୀୟ ବିଭାଗର ୨୨ ତମ ବ୍ୟାଚ୍ ୧୦୦% ପ୍ଲେସମେଣ୍ଟ ହାସଲ କରିଛି । ସେହି ୨୪ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରମାନେ ମଦୁରାଇର AVN Group, ବାଙ୍ଗାଲୋରର Sodexo, ପୁନେର Club Mahindra ଓ ଭୁବନେଶ୍ୱରର Asmita Holidays ଭଳି ପ୍ରସିଦ୍ଧ ସଂସ୍ଥାରେ କାମ ପାଇଛନ୍ତି । ଏବେ ସେମାନେ ସମସ୍ତେ ନ୍ୟୁନତମ ଦରମା ଠାରୁ ଅଧିକ ଆୟ କରୁଛନ୍ତି ।ଯେଉଁ ପରିବାର ପୂର୍ବରୁ ଅନିଶ୍ଚିତ ଆୟ ଉପରେ ନିର୍ଭର ଥିଲେ, ସେଠାରେ ଏହି ନିୟମିତ ଆୟ ଏକ ସମ୍ମାନ ଓ ସୁରକ୍ଷାର ପ୍ରତୀକ ହୋଇ ଉଠିଛି ଏବଂ ଏହା ଅଞ୍ଚଳର ଅନ୍ୟ ଯୁବକ ମାନଙ୍କୁ ମଧ୍ୟ ପ୍ରେରିତ କରୁଛି ।

କଳାହାଣ୍ଡିର ଯୁବକ ମାନଙ୍କ ପାଇଁ ଏହା କେବଳ ଚାକିରି ନୁହେଁ,ଏକ ଆଶା ଓ ନୂତନ ଭବିଷ୍ୟତ।ଏକ ସାଧାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନର ରୂପ ନେଇଛି; ଯାହା ଗ୍ରାମୀଣ ଭାରତର ସଶକ୍ତ ମୁହଁ ଦର୍ଶାଉଛି । ଲାଞ୍ଜିଗଡ଼ର କ୍ଲାସରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ସହରର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ, ଏହି ୮୦୦ ଯୁବମାନଙ୍କ ଗଳ୍ପ ପ୍ରମାଣ କରୁଛି, ସୁଯୋଗ ଓ ସଙ୍କଳ୍ପ ଏକାଠି ହେଲେ, ପରିବର୍ତ୍ତନ ସୁନିଶ୍ଚିତ ।

ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ; ଗଛରେ ବାନ୍ଧି ପିଟିଲେ, ମନ୍ତୁରା ପାଣି ପିଆଇଲେ

ନନ୍ଦିଘୋଷ ବ୍ୟୁରୋ : ସୀମା ଟପିଲା ବର୍ବରତା । ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ଗଛରେ ବାନ୍ଧି ପିଟିଲେ, ମନ୍ତୁରା ପାଣି ପିଆଇଲେ ଲୋକେ । ଏପରିକି ଯୁବକଙ୍କ ସ୍ତ୍ରୀ ଏବଂ ଯୁବକଙ୍କ ବଡ଼ ଭାଇଙ୍କୁ ମଧ୍ୟ ଛାଡିଲେନି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଲ୍ଡି ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଓଲ୍ଡି ଗାଁର ଯୁବକ ଅମରେନ୍ଦ୍ର ବାରିକ ସେହି ଗାଁରେ ଦୀର୍ଘ ଦିନ ହେବ ପୂଜା ପାଠ କରି ଚଳୁଛନ୍ତି । ଅଭିଯୋଗ ଅନୁଯାୟୀ ସେହି ଗାଁର ଜଣେ ବ୍ୟକ୍ତିଙ୍କ ଝିଅକୁ ଗୁଣି ହୋଇଥିବା ସନ୍ଦେହ କରି ଅମରେନ୍ଦ୍ରଙ୍କୁ ଘରୁ ଟେକି ଆଣି ଏକ ଗଛରେ ବାନ୍ଧି ମାଡ଼ ମାରିଥିଲେ ଲୋକେ । ପ୍ରତିବାଦ କରିବାରୁ ତାଙ୍କ ଭାଇକୁ ବି ବାନ୍ଧି ପକାଇଥିଲେ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ପ୍ରାୟ ୩୦ ଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ଦୁଇଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଅମରେନ୍ଦ୍ର ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ଵାରସ୍ଥ ହୋଇଛନ୍ତି ।

ରାଜ୍ୟରେ ଅନୁଭୂତ ହେବ ହାଡଭଙ୍ଗା ଶୀତ ; ୧ ରୁ ୨ ଡିଗ୍ରୀ କମିବ ରାତ୍ରି ତପମାତ୍ରା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ରାତ୍ରି ତାପମାତ୍ରା କମିବ । ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ ରାତ୍ରି ତାପମାତ୍ର କମିବ । ଚଳିତବର୍ଷ ଶୀତ ବିଳମ୍ବରେ ଆସିଛି । ସେପଟେ ବିଭିନ୍ନ ମଡେଲ ଆକଳନ ଅନୁଯାୟୀ ୩୧ କିମ୍ବା ୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ସମୟରେ ଏହା ଏକ ଲଘୁଚାପର ରୂପ ନେବ କିନ୍ତୁ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ୨ଦିନ ପରେ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

ନୂଆପଡ଼ା ବାଇଇଲେକସନ ପାଇଁ ହେଲା ହୋମ୍ ଭୋଟିଂ : ୧୫ଟି ପୋଲିଂ ଦଳ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ ପାଇଁ ଭୋଟିଂ ମେସିନ ଓ ଭିଭିପାଟର ଯୋଗାଣ ଶେଷ ହୋଇଛି  । ଆଜିଠାରୁ ହୋମ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି  । ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି  । ୨୫୦ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ମାନେ ଭୋଟ ଦେବେ । ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ । ୩୦ ଅକ୍ଟୋବରରୁ ୨ ନଭେମ୍ବର ଭିତରେ ଏହି ହୋମ ଭୋଟିଂ ହେବ । ସ୍ୱଚ୍ଛତା ପାଇଁ ଏହି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ କହିଛନ୍ତି  । ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେମିତି ବଞ୍ଚିତ ନହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେଲଙ୍ଗାନା ୱାରଙ୍ଗଲରେ ବର୍ଷାର ତାଣ୍ଡବ, ୪୫ଟି ଅଞ୍ଚଳ ଜଳମଗ୍ନ

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନା ୱାରଙ୍ଗଲରେ ବର୍ଷାର ତାଣ୍ଡବ। ବାତ୍ୟା ମୋନ୍ଥା ପ୍ରଭାବରେ ତେଲଙ୍ଗାନାରେ ମୁଷଳଧାରାରେ ବର୍ଷା ହୋଇଥିବା ଜଣାପଡିଛି। ତେଲଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ୱାରାଙ୍ଗଲ ଏବଂ ହନମକୋଣ୍ଡାରେ ମୁଷଳଧାରାରେ ବର୍ଷା ଯୋଗୁଁ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଥିଲା। ପ୍ରାୟ ୧୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗ୍ରେଟର୍ ୱାରାଙ୍ଗଲ୍ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମା ଅନ୍ତର୍ଗତ ପ୍ରାୟ ୪୫ଟି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଫଳରେ ପ୍ରଶାସନକୁ ବଡ଼ ଧରଣର ସ୍ଥାନାନ୍ତର ଏବଂ ପୁନର୍ବାସ ପଦକ୍ଷେପ ଆରମ୍ଭ କରିବାକୁ ବାଧ୍ୟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ DRF, ଇଞ୍ଜିନିୟରିଂ ଏବଂ ପରିମଳ ଶାଖା କର୍ମଚାରୀଙ୍କୁ ନେଇ ୭ଟି ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇଛି। ଲୋକଙ୍କୁ ଥଇଥାନ କରିବା ପାଇଁ ସାରା ସହରରେ ୧୨ଟି କେନ୍ଦ୍ର ସ୍ଥାପନ କରାଯାଇଛି।

ୱାରାଙ୍ଗଲର ପ୍ରାୟ ୩୦ଟି କଲୋନୀ ଏବଂ ହନମକୋଣ୍ଡାର ୧୫ଟି କଲୋନୀ ଜଳମଗ୍ନ ହୋଇଛି। ବନ୍ୟା ପାଣି ଘରେ ପ୍ରବେଶ କରିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାମକୃଷ୍ଣ ଏବଂ ରାଜସ୍ୱ କଲୋନୀରେ ଫସି ରହିଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଡିଆରଏଫ କର୍ମଚାରୀମାନେ ରଶି ଏବଂ ମେସିନ ବ୍ୟବହାର କରାଯାଉଛି। ଭଦ୍ରାକାଳୀ ଜଳାଶୟରେ ଜଳ ପ୍ରବାହିତ ଯୋଗୁଁ ମନ୍ଦିରଠାରୁ ପଲିଟେକ୍ନିକ୍ କଲେଜ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିନ୍ନା ୱାଡାପାଲି ଏବଂ କଟ୍ଟା ମଲ୍ଲାନା ଭଳି ଛୋଟ ଜଳାଶୟ ମଧ୍ୟ ବୁଡ଼ି ଯାଇଥିଲା। ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

ବେଙ୍ଗଳୁରୁରେ ଛାତିଥରା ଘଟଣା : ଗୋଡ଼ାଇ ଗୋଡ଼ାଇ କାର୍ ମଡ଼ାଇ ଯୁବକଙ୍କୁ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ :ଏକ ସାଧାରଣ ଛୋଟ ସଡ଼କ ଦୁର୍ଘଟଣାରୁ ଜଘନ୍ୟ ହତ୍ୟା। କାର୍ ମଡ଼ାଇ ବାଇକ୍ ଆରୋହୀଙ୍କୁ ହତ୍ୟା କରାଯାଇଛି । ଛାତି ଥରାଇ ଦେବା ଭଳି ଏହି ଘଟଣା ଘଟିଛି ବେଙ୍ଗଳୁରୁରେ ଗତ ୨୫ ତାରିଖ ରାତିରେ। ଜଣେ ଡେଲିଭରି ବୟ ନିଜ ସାଙ୍ଗ ସହିତ ଯାଉଥିଲେ। ଅନ୍ୟପଟେ ଏକ କାରରେ ଯାଉଥିଲେ ଅଭିଯୁକ୍ତ ମନୋଜ କୁମାର ଓ ଆରତୀ ଶର୍ମା। ଅଭିଯୋଗ ଅନୁସାରେ ପ୍ରଥମେ କାର୍ ଓ ବାଇକ୍ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ପରେ ଉଭୟେ ନିଜ ନିଜ ବାଟରେ ଯାଇଥିଲେ। କିନ୍ତୁ ସିସିଟିଭିରୁ ଦେଖା ଯାଇଛି ବାଇକ ଆରୋହୀଙ୍କୁ କାରରେ ପ୍ରାୟ ଦୁଇ କିମି ଗୋଡ଼ାଇଥିଲେ ମନୋଜ ଓ ତାଙ୍କ ସ୍ତ୍ରୀ। ପ୍ରଥମେ ଫେଲ୍ ମାରିବା ପରେ ପୁଣି ୟୁ ଟର୍ନ ନେଇ ସେମାନେ ବାଇକକୁ ଧକ୍କା ଦେଇଥିଲେ। କିଛି ସମୟ ପରେ ମାସ୍କ ପିନ୍ଧି ପୁଣି ଘଟଣାସ୍ଥଳକୁ ଆସିଥିଲେ ଓ ଭାଙ୍ଗି ଯାଇଥିବା ଅଂଶକୁ ଧରି ସେଠାରୁ ପଳାଇ ଯାଇଥିଲେ। କାର୍ ଧକ୍କାରେ ଦୁଇ ବାଇକ ଆରୋହୀ ଛିଟିକି ପଡ଼ିଥିଲେ। ପରେ ଜଣକର ମୃତ୍ୟୁ ହୋଇଥିଲା। ପୋଲିସ ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ଭାବିଥିଲା। ପରେ ତଦନ୍ତରୁ ତାହା ହତ୍ୟା ବୋଲି ଜଣାପଡ଼ିଛି। ମନୋଜ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ ।

ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍। ଦକ୍ଷିଣ କୋରିଆର ବୁସାନରେ ହୋଇଥିବା ବୈଠକରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏଥିପାଇଁ ସହମତି ହୋଇଛି। ଟାରିଫ, ସୋୟାବିନ୍ ଓ ବିରଳ ଧାତୁ କାରବାର ନେଇ ଟ୍ରମ୍ପ ଓ ଜିନପିଙ୍ଗ ମଧ୍ୟରେ ହୋଇଛି ଚୁକ୍ତି। ବିଶେଷ କରି ବିରଳ ଧାତୁ ରପ୍ତାନୀ ଉପରେ ଆଉ ଚୀନ କଟକଣା ରଖିବ ନାହିଁ। ଆମେରିକାକୁ ଏହି ବିରଳ ଧାତୁ ରପ୍ତାନୀ ହେବ। ବର୍ଷେ ଯାଏ ଚୁକ୍ତି ହୋଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯାଇପାରେ। ଫଳରେ ହାଇଟେକ୍ ମ୍ୟାନୁଫ୍ୟାକଚରିଂ, ଇଭି ଓ ପ୍ରତିରକ୍ଷା ଉପକରଣ ନିର୍ମାଣରେ ଆମେରିକାର କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ। ଏସବୁ ସାମଗ୍ରୀ ଉପରେ ଚୀନର ଏକଚାଟିଆ ଅଧିକାର ଜାହିର କରୁଥିବା ଅଭିଯୋଗ କରି ଟ୍ରମ୍ପ କଡ଼ା ଟାରିଫ ଲଗାଇଥିଲେ। ଏବେ କହିଛନ୍ତି, ଚୀନ ଉପରେ ଶୁଳ୍କ ୫୭ ପ୍ରତିଶତରୁ ୪୭ ପ୍ରତିଶତ କରାଯିବ । ଅର୍ଥାତ ୧୦ ପ୍ରତିଶତ ରିହାତି ଦେବେ ଟ୍ରମ୍ପ। ସେହିପରି ଆମେରିକାର ସୋୟାବିନ କିଣିବାକୁ ରାଜି ହୋଇଛି ଚୀନ। ବୈଠକକୁ ବହୁତ ବଢିଆ ବୋଲି କହିଛନ୍ତି ଟ୍ରମ୍ପ। ଚୀନ ଓ ଆମେରିକା ମଧ୍ୟରେ ଏହି ସବୁ ବିବାଦୀୟ ପ୍ରସଙ୍ଗ ଯୋଗୁଁ ଦ୍ଵିପାକ୍ଷିକ ସଂପର୍କରେ ଦେଖା ଦେଇଥିଲା ତିକ୍ତତା। ଯାହାକି ବିଶ୍ଵ ବାଣିଜ୍ୟକୁ ପ୍ରଭାବିତ କରିଥିଲା। ଏବେ ଟ୍ରମ୍ପ କହିଛନ୍ତି, ଆସନ୍ତା ଏପ୍ରିଲରେ ସେ ଚୀନ ଗସ୍ତ କରିବେ।

ପୋଲିସ SI ମହାକେଳେଙ୍କାରୀ ଘଟଣା : ଜାମିନ ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା। ଆଜି ମୁକୁଳିଲେ ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ। ଜାମିନ ମିଳିବା ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଗତକାଲି ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ମିଳିଥିଲା ଜାମିନ। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଜାମିନ ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି ପରୀକ୍ଷାର୍ଥୀ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ବ୍ରହ୍ମପୁର ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପୂର୍ବରୁ କରିଥିବାବେଳେ ଏବେ ଏହି ମାମଲାର ସିବିଆଇ ତଦନ୍ତ ସୁପାରିସ କରିଥିଲେ ସରକାର।

ମାମଲାରେ ଏଯାଏଁ ଗିରଫ ହୋଇଛନ୍ତି ୧୨୩ ଜଣ। ୧୧୪ ଆଶାୟୀ ଓ ୯ ଦଲାଲ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ହାଇକୋର୍ଟରେ ଖାରଜ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ପତ୍ନୀ ଦିପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ ଆବେଦନ। ଏଭଳି ସଙ୍ଗୀନ ମାମଲାରେ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ। ପୋଲିସ ଏସଆଇ ଚାକିରି ଲାଗି କୋଟି କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପ୍ରତି ଆଶାୟୀ ପରୀକ୍ଷାଙ୍କ ପିଛା ୨୫ ଲକ୍ଷ ନେବାକୁ ହୋଇଥିଲା ଡିଲ। ପ୍ରତି ଆଶାୟୀ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ପୂର୍ବରୁ ଉତ୍ତର ପୁସ୍ତିକା ସହ ଅଭ୍ଯାସ କରିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା।