spot_img
Home Blog Page 269

ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ପାଣି କମିବା ପରେ ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା

ନନ୍ଦିଘୋଷ ବ୍ୟୁରୋ: ବୈତରଣୀ ଓ ସୁବର୍ଣ୍ଣରେଖାରେ କମିଛି ବନ୍ୟା ପାଣି, କିନ୍ତୁ ବଢ଼ି ଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ରାସ୍ତାଘାଟ, ବିଲବାଡିରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଭଦ୍ରକ, ଯାଜପୁର ଓ ବାଲେଶ୍ବର ଜିଲ୍ଲାର ୫୦ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେପଟେ ରେଙ୍ଗାଲି ଡ୍ୟାମ ଖୋଲିଥିବାରୁ ବ୍ରାହ୍ମଣୀରେ ତୃତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟାରେ ଲୋକେ ନିଜର ସବୁ କିଛି ହରେଇ ସାରିଥିବା ବେଳେ, ସୁଧ ନେବାକୁ ଘର ସାମ୍ନାରେ ଛିଡା ହେଲେଣି ଘରୋଇ ଋଣଦାତା ।

ଅନ୍ୟପକ୍ଷେ ରିଲିଫକୁ ନେଇ ଗାଁ ଗାଁରେ ଦେଖିବାକୁ ମିଳୁଛି ଅସନ୍ତୋଷ । ବୈତରଣୀ ବନ୍ୟାରେ ଧୋଇ ହୋଇଗଲା ୨୦ ନମ୍ବର ଜାତୀୟ ରାଜପଥ ସାଙ୍ଗକୁ ଗାଁ ରାସ୍ତା । ସେପଟେ ହଜାର ହଜାର ହେକ୍ଟର ଜମିରେ ସାରଦ ଧାନ ତଳି ଉପରେ ଲହଡି ମାରୁଛି ବନ୍ୟା ଜଳ । ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥର ବୋଡକ ନିକଟରେ ରାସ୍ତା ଧୋଇଯାଇଥିବାରୁ ଏବେ ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି ଲୋକେ । ସେହିପରି ୪ଟି ବ୍ଲକର ୩୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ତଳି ଉଜୁଡି ଯିବାକୁ ବସିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଥିଲେ ବି ଦୁର୍ଦ୍ଦଶା ବଢୁଛି। ନଷ୍ଟ ହୋଇଯାଇଛି ଚାଷୀଙ୍କ ବର୍ଷର ଅମଳ। ରାଜଘାଟରେ ବିପଦ ସଙ୍କେତ ତଳକୁ ପାଣି ଖସିଥିଲେ ବି ବାଲିଆପାଳ ଓ ଭୋଗରାଇ ବ୍ଲକର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ପାଣି ଘେରରେ ରହିଛି ବାଲିଆପାଳ ବ୍ଲକର ୮ରୁ ଅଧିକ ଗାଁ । ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ବର୍ଷ ଯାକ କିପରି ପରିବାର ପ୍ରତିପୋଷଣ ହେବ ଓ ଚାଷ କାମ ପାଇଁ କରିଥିବା ଋଣ କିପରି ପରିଶୋଧ କରିବେ ସେ ଚିନ୍ତାରେ ଘାରି ହେଉଛନ୍ତି ବନ୍ୟା ବିପନ୍ନ।

ସେପଟେ ବନ୍ୟା ଛାଡିବା ପରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଘାଇ ମରାମତି କାମ । ବୈତରଣୀର ଶାଖା କାଣୀ ନଦୀରେ ଭୟଙ୍କର ବନ୍ୟା ଆସିବା ଯୋଗୁଁ ସମଗ୍ର ଦଶରଥପୁର ଅଞ୍ଚଳ ଜଳମଗ୍ନ ହୋଇଥିଲା । ଚାରି ଦିନରେ ଘାଇ ମରାମତି ସରିବ ବୋଲି ଜଳସମ୍ପଦ ବିଭାଗ କହିଛି । ଗୋଟେ ପଟେ ଋଣ ଟଙ୍କା ଶୁଝିବାକୁ ଘରୋଇ ସଂସ୍ଥାର ଅଧିକାରୀ ଚାପ ପକାଉଥିବା ବେଳେ, ଏଯାଏଁ ସରକାରୀ ସ୍ତରରେ ଆରମ୍ଭ ହୋଇନି କ୍ଷୟକ୍ଷତି ଆକଳନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ବିପନ୍ନ ।

ବୈତରଣୀ ଓ ସୁବର୍ଣ୍ଣରେଖା ପରେ ଏବେ ବ୍ରାହ୍ମଣୀରେ ତୃତୀୟ ଥର ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ବେଳେ, କୁମ୍ଭୀରକୁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକର ଧୋଇଆ ଅଞ୍ଚଳରେ ଥିବା ୫୦ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ବନ୍ୟାଠୁ ବଳି ଯାଇଛି ବନ୍ୟା ପରର ସ୍ଥିତି । ଦୁର୍ଦ୍ଦଶା ବଢ଼ି ଚାଲିଥିବା ବେଳେ, ଏବେ ଲୋକେ ଭଙ୍ଗା ଘରକୁ ସଜାଡ଼ିବାରେ ଲାଗିଛନ୍ତି ।

ଜାପାନରେ ଚନ୍ଦ୍ରାୟନ-୫କୁ ନେଇ ମୋଦିଙ୍କ ବଡ଼ ଘୋଷଣା, ଇସ୍ରୋ-ଜାକ୍ସା ମିଳିତ ଭାବେ କରିବେ କାମ

ନନ୍ଦିଘୋଷ ବ୍ୟୁରୋ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚନ୍ଦ୍ରାୟନ-୫କୁ ନେଇ ବଡ଼ ଘୋଷଣା । ଭାରତର ଇସ୍ରୋ ଏବଂ ଜାପାନର ଜାକ୍ସା (ଜାପାନ ଏୟାରସ୍ପେଶ ଏକ୍ସପ୍ଲୋରେଶନ) ମିଳିତ ଭାବେ କାମ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ମୋଦି କହିଲେ, ଆମେ ଚନ୍ଦ୍ରାୟନ-୫ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ସହଯୋଗକୁ ସ୍ବାଗତ କରୁଛୁ । ଆମର ସକ୍ରିୟ ସହଯୋଗ ପୃଥିବୀ ସୀମଠୁ ଉପରକୁ ଯାଇ ଅନ୍ତରୀକ୍ଷରେ ମାନବ ଜାତିର ପ୍ରଗତିର ପ୍ରତୀକ ବନିବ । ପ୍ରଧାନମନ୍ତ୍ରୀ ଟୋକିଓରେ ନିଜ ସମକକ୍ଷ ଶିଗେରୁ ଇଶିବାଙ୍କ ସହ ଆଲୋଚନା କରିବା ପରେ ମିଡିଆ ବ୍ରିଫିଂ କରିବା ସମୟରେ ଇସ୍ରୋ ଓ ଜାକ୍ସା ମଧ୍ୟରେ ସହଯୋଗର ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ଦଶକ ପାଇଁ ଭାରତ ଓ ଜାପାନ ସହଯୋଗର ରୋଡମ୍ୟାପ ପ୍ରସ୍ତୁତ କରି ସାରିଛୁ ।  ଦୁନିଆରେ ସବୁଠୁ ବଡ଼ ଦୁଇ ଅର୍ଥବ୍ୟବସ୍ଥା ଓ ଲୋକତନ୍ତ୍ର ମଧ୍ୟରେ ସହଯୋଗ ନା କେବଳ ଦୁଇ ଦେଶ ପାଇଁ ବରଂ ସାରା ବିଶ୍ବ ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ସମତ୍ବପୂର୍ଣ୍ଣ ବୋଲି ଆମେ ସହମତ ହୋଇଛୁ ।

୧୦ ବର୍ଷରେ ଜାପାନ କରିବ ୧୦ ଟ୍ରିଲିୟନ ୟେନର ନିବେଶ

ମିଡିଆ ବ୍ରିଫିଂ ବେଳେ ମୋଦି କହିଥିଲେ, ଆଗାମୀ ୧୦ ବର୍ଷ ମଧ୍ୟରେ ଜାପାନ ଭାରତରେ ୧୦ ଟ୍ରିଲିୟନ ୟେନର ନିବେଶ କରିବ । ଆଜି ଜାପାନ ଓ ଭାରତ ମଧ୍ୟରେ ସହଯୋଗ ଏକ ସୁବର୍ଣ୍ଣ ଯୁଗ ଆରମ୍ଭର ଦୃଢ଼ ମୂଳଦୁଆ ପକାଇଛି । ଆମେ ନିବେଶ, ଆବିଷ୍କାର ଓ ଆର୍ଥଇକ ସୁରକ୍ଷା ସମେତ ଅନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ୧୦ ବର୍ଷର ରୋଡମ୍ୟାପ ପ୍ରସ୍ତୁତ କରିଛୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଜାପାନ ଏକ ସ୍ବତନ୍ତଅ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ନିୟମ ଆଧାରିତ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ । ଦୁଇ ଦେଶ ପ୍ରତିରକ୍ଷା ଉଦ୍ୟୋଗ ଓ ନୂତନତ୍ବ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦ ଓ ସାଇବର ସୁରକ୍ଷାକୁ ନେଇ ଦୁଇ ଦେଶର ଚିନ୍ତା ସମାନ । ପ୍ରତିରକ୍ଷା ଓ ସମୁଦ୍ର ସୀମା ସୁରକ୍ଷା ବୃଦ୍ଧି କରିବାରେ ଦୁଇ ଦେଶର ହିତ । ଏହି ସହଯୋଗ ବିଶ୍ବାସ ଉପରେ ସ୍ଥାପନ ହୋଇଛି । ଗୋଟିଏ ସମୃଦ୍ଧ ବିଶ୍ବ ନିର୍ମାଣରେ ଦୃଢ଼ ଲୋକତନ୍ତ୍ରଙ୍କ ମଧ୍ୟରେ ସହଯୋଗ ରହିଥାଏ । ଜାପାନ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶଙ୍କୁ ଆଗାମୀ ପୀଡ଼ର ପ୍ରତିବନ୍ଧକକୁ ମୁକାବିଲା କରିବା ପାଇଁ ପରସ୍ପରଙ୍କ କ୍ଷମତାର ଲାଭ ଉଠାଇବାର ଆବଶ୍ୟକତା ରହିଛି ।

ବିରାଟ-ରୋହିତ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବେ କି ନାହିଁ ?

ନନ୍ଦିଘୋଷ ବ୍ୟୁରୋ: ଏବେ କ୍ରିକେଟ ଜଗତରେ ଗୋଟିଏ ଚର୍ଚ୍ଚା । ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବେ ନା ନାହିଁ । ଯାହାକୁ ନେଇ କ୍ରିକେଟ ଏକ୍ସପର୍ଟ ଏବଂ ପୂର୍ବ ଖେଳାଳି ନିଜ ନିଜ ମତ ରଖୁଛନ୍ତି । କ୍ରିକେଟ ପ୍ରଶଂସକମାନେ ମଧ୍ୟ ଏମାନଙ୍କ ଖେଳିବା ନ ଖେଳିବାକୁ ନେଇ ଜାଣିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବୟାନ ଆସିଛି । ସେ ଏମିତି କିଛି କହିଛନ୍ତି, ଯାହା ବିରାଟ ଓ ରୋହିତଙ୍କ ପ୍ରଶଂସକଙ୍କୁ ଖୁସି କରିଦେବ ।

ଇରଫାନ ଫଠନଙ୍କ ଅନୁସାରେ, ବିରୋଟ ଏବଂ ରୋହିତଙ୍କୁ ସେମାନଙ୍କ ଫିଟନେଓ ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ରଖିବାକୁ ପଡ଼ିବ । ଯଦି ସେମାନେ ଫିଟ୍ ରହିବେ, ବିଶ୍ବକପ୍ ବି ଖେଳି ପାରିବେ । ଏହାସହ ମହମ୍ମଦ ଶାମୀଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପଠାନ ।

ପଠାନ କହିଛନ୍ତି, ମୁଁ ରୋହିତଙ୍କ ସହ କଥା ହୋଇଥିଲି । ସେ ତାଙ୍କ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ବିରାଟ ବି ଇଂଲଣ୍ଡରେ ପ୍ରାକ୍ଟିସ୍ କରୁଛନ୍ତି । ମୋର ପୂରା ବିଶ୍ବାସ ରହିଛି ଏହି ଦୁଇ ଖେଳାଳିଙ୍କୁ ଫିଟ୍ ରହିବାକୁ ପଡିବ । ମୁଁ ମହମ୍ମଦ ଶାମୀଙ୍କ ଏକ ବୟାନ ଶୁଣିଛି । ଏଥିରେ ସେ ବିଶ୍ବକପ୍ ଖେଳିବାକୁ ଇଚ୍ଛା ଥିବା କହୁଛନ୍ତି । ଏହା ଭଲ କଥା ଯେ, ସବୁ ଖେଳାଳି ସେମାନଙ୍କୁ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ଏହା ସ୍ଥିର ହୋଇଯିବ ଏମାନେ ୨୦୨୭ ବିଶ୍ବକପରେ ଖେଳିବେ ନା ନାହିଁ ।

ସୂଚନାଯୋଗ୍ୟ, ବିରାଟ ଏବଂ ରୋହିତ ଶେଷ ଥର ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ପ୍ରଦର୍ଶନ ଦମଦା ଥିଲା । ଆଉ ଏହି କାରଣରୁ ଭାରତ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାସଲ କରିଥିଲା । ଏମାନଙ୍କ ବ୍ୟତୀତ ଶାମୀ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ଚଳିତବର୍ଷ ଅକ୍ଟୋବରରେ ଭାରତ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ ଖେଳିବ । ଆଉ ଏଥିରେ ଉଭୟ ରୋହିତ ଏବଂ ବିରାଟଙ୍କୁ ପୁଣି ଥରେ ପଡ଼ିଆରେ ଦର୍ଶକ ଦେଖିବାକୁ ପାଇବେ ।

ଶାମୀଙ୍କ କଥା କହିବା ତ, ୨୦୨୫ ଆଇପିଏଲରେ ବହୁତ ଖରାପ ବୋଲିଂ କରିଥିଲେ । ସନରାଇଜର ହାଇଦ୍ରାବାଦ ତରଫରୁ ୯ଟି ମ୍ୟାଚ ଖେଳି ୫୬.୧୭ ପ୍ରତିଶତରେ ମାତ୍ର ୬ ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ । ବାରମ୍ବାର ଆହତ କାରଣରୁ ଟିମ୍ ଇଣ୍ଡିଆର ନିୟମିତ ଭାବେ ଭେଳି ପାରୁନାହାନ୍ତି । ଏମିତି ସ୍ଥିତିରେ ଭାରତୀୟ ଟିମକୁ ତାଙ୍କର ପ୍ରତ୍ୟାବର୍ତ୍ତନ କେବେ ହେବ ତାହା ବର୍ତ୍ତମାନ କହିବା କଷ୍ଟକର ।

ଏପଟେ ମୁକେଶ ଅମ୍ବାନୀଙ୍କ ମିଟିଂ, ସେପଟେ ରିଲାଏନ୍ସର ବୁଡ଼ିଗଲା ୭୧ ହଜାର କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଏସିଆର ନମ୍ବର ଓ୍ବାନ ବ୍ୟବସାୟୀ ମୁକେଶ ଅମ୍ବାନୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ)କୁ ନିବେଶକ ମାନେ ବହୁତ ଆଶା ନେଇ ଅନାଇଥିଲେ । ଆଶା ଥିଲା ମୁକେଶ ତାଙ୍କ ଟେଲିକମ କମ୍ପାନୀ ଜିଓ ରିଲାଏନ୍ସ ଆଇପିଓକୁ ନେଇ କିଛି ଘୋଷଣା କରିବେ । ଏହାସହ ଏମିତି ଅନ୍ୟ କିଛି ଘୋଷଣା ବି କରିବେ ଯାହା ତାଙ୍କ ନିବେଶକଙ୍କୁ ଭଲ ଲାଭ ଦେବ । ଟେଲିକମ କମ୍ପାନୀ ଆଇପିଓ ଘୋଷଣା ହେଲା ସତ । ହେଲେ ଏହା ୨୦୨୬ ମଧ୍ୟ ଭାଗକୁ ଆସିବ । ଏପରିକି ଆଇପିଓ ଆସିବାର କୌଣସି ନିର୍ଦ୍ଧିଷ୍ଟ ତାରିଖ ବି କୁହାଯାଇନି । ନା କୌଣସି ବଡ଼ ଘୋଷଣା କରାଯାଇଛି । ଫଳରେ ରିଲାଏନ୍ସ କମ୍ପାନୀର ସେୟାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଗୁରୁତ୍ବପୁର୍ଣ୍ଣ କଥଶ ହେଲା ଆଇପିଓ ଘୋଷଣା ପରେ କମ୍ପାନୀର ସେୟାର ୧୪୦୦ ଟଙ୍କା ଲେଭଲ ପାର କରିଯାଇଥିଲା । ମାତ୍ର ୨୫ ମିନିଟ ପରେ ଏହା ୧୩୫୦ ଟଙ୍କା ଲେଭଲକୁ ଖସି ଆସିଥିଲା । ଅର୍ଥାତ ଏହି ସମୟରେ କମ୍ପାନୀ ସେୟାରରେ ୩.୭୫ ପ୍ରତିଶତ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ମାର୍କେଟ ପ୍ୟାକକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଲା ।

ଶୁକ୍ରବାର ଅପରାହ୍ନ ୨ଟାରେ ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ମୁକେଶ ଅମ୍ବାନୀ ଟେଲିକମ ଆର୍ମ ରିଲାଏନ୍ସ ଜିଓର ଆଇପିଓ ଘୋଷଣା କରିଛନ୍ତି । ଏହି କାରଣରୁ କମ୍ପାନୀ ସେୟାରରେ ଏକ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାସହ କମ୍ପାନୀର ସେୟାର ୧୪୦୩ ଟଙ୍କା ସହ ଦିନର ଶ୍ରେଷ୍ଠ ସ୍ତରରେ ପହଞ୍ଚି ଯାଇଥିଲା । ଏହାପରେ କମ୍ପାନୀ ପକ୍ଷରୁ କୌଣସି ବଡ଼ ଘୋଷଣା କରାଯାଇ ନଥିଲା । ଯାହା ନିବେଶଙ୍କ ମଧ୍ୟରେ ନିରାଶ ଭରି ଦେଇଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ସାୟାରରେ ଲାଭ ବୁକିଂ ଆରମ୍ଭ ହୋଇଯାଇଥିଲା । ପ୍ରାୟ ୨୫ ମିନିଟ ମଧ୍ୟରେ କମ୍ପାନୀର ସେୟାର ୩.୭୫ ପ୍ରତିଶତ ତଳକୁ ଖସିବା ସହ ୧୩୫୦.୩୦ ଟଙ୍କାରେ କାରବାର କରିବାକୁ ଲାଗିଲା । ଅପରାହ୍ନ ୩ଟା ୫ ମିନିଟରେ କମ୍ପାନୀର ସେୟାର ୧.୯୦ ପ୍ରତିଶତ ହ୍ରାସ ସହ ୧୩୬୧.୩୦ ଟଙ୍କାରେ କାରବାର କରୁଛି । ଦିନକ ପୂର୍ବରୁ କମ୍ପାନୀର ସେୟାର ୧୩୮୭.୬୫ ଟଙ୍କାରେ ବନ୍ଦ ହୋଇଥିଲା । ଶୁକ୍ରବାର ସାମାନ୍ୟ ହ୍ରାସ ସହ ୧୩୮୪.୨୦ ଯଙ୍କାରୁ ଆରମ୍ଭ ହୋଇଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ମାତ୍ର ୨୫ ମିନିଟରେ କମ୍ପାନୀକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଗଲା । ସଂଖ୍ୟାକୁ ଦେଖିଲେ କମ୍ପାନୀର ସେୟାର ଦିନର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚି ଯିବା ସହ ମାର୍କେଟ କ୍ୟାପ ୧୮,୯୭,୮୩୭.୪୭ କୋଟି ଟଙ୍କା ଥିଲା । କମ୍ପାନୀର ସେୟାର ହ୍ରାସ ପାଇବା ସହ କାର୍ମେଟ କ୍ୟାପ ୧୮,୨୬,୫୫୦.୨୦ କୋଟି ଟଙ୍କାକୁ ଖସି ଆସିଛି । ଏହାର ଅର୍ଥ କମ୍ପାନୀର କାର୍ମେଟ କ୍ୟାପକୁ ୭୧,୨୮୭.୨୭ ଟଙ୍କାର କ୍ଷତି ଘଟିଛି ।

ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ, ମୁକେଶ ଅମ୍ବାନୀ ଜିଓର ଆଇପିଓ ଘୋଷଣା କଲେ ସତ ହେଲେ ଏହା ଆସନ୍ତା ବର୍ଷ ମଧ୍ୟ ଭାଗରେ ଲାଗୁ ହେବ । ହେଲେ ନିବେଶକ ଆଶା କରୁଥିଲେ ଦୀପାବଳି ପାଖାପାଖିରେ ଆଇପିଓ ଆସିଯିବ । ଏହି କାରଣରୁ ରିଲାଏନ୍ସ କମ୍ପାନୀ ସେୟାରରେ ଲାଭ ବୁକିଂ ଦେଖିବାକୁ ମିଳିଥିଲା ।

ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ: ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲରେ ରଖିଦେବା ଦରକାର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ । ଅନୁପ୍ରବେଶକାରୀକୁ ନେଇ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖି ଦେବାକୁ କହିଛନ୍ତି ମହୁଆ । ପଣ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକୁ ନେଇ କାର୍ଯ୍ୟାନୁଷ୍ଠାନକୁ ନେଇ ଏପରି ଆପତ୍ତିଜନକ ବୟାନ ଦେଇଛନ୍ତି ମହୁଆ । ନିଜ ଭାଷଣରେ ମହୁଆ ଦର୍ଶାଇଛନ୍ତି ଯେ, ବେଆଇନ ଅନୁପ୍ରବେଶ ପାଇଁ କେନ୍ଦ୍ର ସରକାରଙ୍କ ଏବଂ ତାଙ୍କ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଦାୟୀ ।

‘ମୁଣ୍ଡ କାଟି ଟେବୁଲରେ ରଖି ଦିଅ’

ସେ କହିଛନ୍ତି, ମୁଁ ପଚାରିବାକୁ ଚାହେଁ, ସେ (ଅମିତ ଶାହ) କେବଳ ଅନୁପ୍ରବେଶ ଅନୁପ୍ରବେଶ ଚିଲ୍ଲାଉଛନ୍ତି । ସୀମା ସୁରକ୍ଷାରେ ଥିବା ଏଜେନ୍ସ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଆସୁଛି । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଗଷ୍ଟ ୧୫ ତାରିଖରେ କହିଥିଲେ ଅନୁପ୍ରବେଶ ହେଉଛି ଓ ଏହି କାରଣରୁ ଜନସଂଖ୍ୟାରେ ପରିବର୍ତ୍ତନ ଘଟୁଛି । ପ୍ରଧାନମନ୍ତ୍ରୀ ଏ କଥା କହୁଥିବା ବେଳେ ପ୍ରଥମ ଧାଡିରେ ବସିଥିବା ଅମିତ ଶାହ ତାଳି ବଜାଉଥିଲେ ।

ଆଗକୁ ସେ କହିଛନ୍ତି, ଯଦି ଭାରତର ସୀମାକୁ ସୁରକ୍ଷା ଦେବାକୁ କେହି ନାହାନ୍ତି । ଯଦି ଅନ୍ୟ ଦେଶର ଲୋକେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶ କରି ଆମ ମାଆ ଓ ଭଉଣୀଙ୍କ ଉପରେ ନଜର ପକାଉଛନ୍ତି, ଆମ ଜମି ହଡପ କରୁଛନ୍ତି, ତେବେ ପ୍ରଥମେ ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା କଥା

ବିଏସଏଫକୁ ବି ଟାର୍ଗେଟ

ମୋଦି ସରକାର ଭାରତରେ ଅବୈଧ ଭାବେ ରହୁଥିବା ରୋହିଙ୍ଗିଆ ଓ ବାଂଲାଦେଶୀଙ୍କୁ ବାହାର କରିବାକୁ ଅପରେଶନ ପୁଶବ୍ୟାକ ଆରମ୍ଭ କରିଥିବା ବେଳେ ମହୁଆଙ୍କ ଏପରି ବିବାଦୀୟ ବୟାନ ଆସିଛି । ସେତିକି ନୁହେଁ, ମହୁଆ ସୀମା ସୁରକ୍ଷା ବଳ (ବିଏସଏଫ)କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ବିଏସଏଫ ଏଠାରେ ଅଛନ୍ତି, ହେଲେ ସେମାନେ କ’ଣ କରୁଛନ୍ତି । ମୂଳ ଭାରତୀୟ ବିଏସଏଫକୁ ଡରୁଛନ୍ତି । ଏଠି ପଶ୍ଚିମବଙ୍ଗରେ ଆମକୁ କୌଣସି ଅନୁପ୍ରବେଶ ଦେଖାଯାଉନି । ତାଙ୍କ ବୟାନରୁ ଜଣାପଡୁଛି, ସୀମା ସୁରକ୍ଷାରେ ନିୟୋଜିତ ବିଏସଏଫର ଭୁମିକା ପଶ୍ଚିମବଙ୍ଗର ସ୍ଥାନୀୟ ଲୋକଙ୍କ ବାସ୍ତବତା ସହ ମେଳ ଖାଉନି । ଅନ୍ୟପକ୍ଷେ, ମହୁଆ ମୋଇତ୍ରାଙ୍କ ବୟାନକୁ ନେଇ ବିଜେପିର ଜଣେ କର୍ମକର୍ତ୍ତା ସନ୍ଦୀପ ମଜୁମଦାର ନଦିଆର କୋତବାଲି ଥାନାରେ ଏତଲା ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଛନ୍ତି ।

ରାହୁଲଙ୍କୁ ଶାହଙ୍କ ଟାର୍ଗେଟ

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି । ଶକ୍ରବାର ଗୌହାଟୀ ରାଜଭବନରେ ନବନିର୍ମିତ ବ୍ରହ୍ମପୁତ୍ର  ୟୁନିଟର ଉଦଘାଟନ କରିଛନ୍ତି । ଏହି ସମୟରେ ଭାଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶାହ ଟାର୍ଗେଟ କରିଛନ୍ତି । ସେ କହିଛନ୍ତିଳ ରାହୁଲ ଗାନ୍ଧି ନକରାତ୍ମକ ରାଜନୀତି ଆରମ୍ଭ କରି ଦେଇଛନ୍ତି । ସେ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଭୋଟର ତାଲିକାରେ ଅନୁପ୍ରବେଶକାରୀ ସାମିଲ ହୋଇ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ସାମାନ୍ୟତମ ଲଜ୍ଜା ଥିଲେ ପ୍ରଧାନମନ୍ତ୍ରୀ ଏବଂ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି

ନନ୍ଦିଘୋଷ ବ୍ୟରୋ : ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି। ପ୍ରଧାନମନ୍ତ୍ରୀଙ୍କୁ ନେଇ ଅସମ୍ମାନଜନକ ଟିପ୍ପଣୀର ପ୍ରତିବାଦରେ ତାତିଲେ ବିଜେପି କର୍ମୀ। ପାଟନାରେ କଂଗ୍ରେସ କାର୍ଯ୍ୟାଳୟରେ ବିଜେପି କର୍ମୀ ହଙ୍ଗାମା କରିଛନ୍ତି। ବିଜେପି କର୍ମୀ କଂଗ୍ରେସ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଥିଲେ। ଗେଟ ଭାଂଗି ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ ଅଫିସ ପରିସରକୁ ପଶି ଲୋକଙ୍କୁ ପିଟିଥିଲେ ବିଜେପି କର୍ମୀ । ଅଫିସରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଭଂଗାରୁଜା। ଇଟା ପଥର ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି କର୍ମୀ ପ୍ରତିବାଦ କରିଥିଲେ। ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା।

ପୁଣି ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ: ରୁଦ୍ରପ୍ରୟାଗ ଏବଂ ଚମୋଲୀରେ ବଦଲଫଟା ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପୁଣି ବାଦଲଫଟା ବର୍ଷା। ଚାମୋଲି ଓ ରୁଦ୍ରପ୍ରାୟାଗ ଜିଲ୍ଲାରେ ବାଦଲଫଟା ବର୍ଷାରେ ୮ ଜଣ ନିଖୋଜ ହୋଇଯାଇଥିବା ସୂଚନା। ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲାରେ ବାଦଲ ଫାଟିବାରୁ ବନ୍ୟା ଆସି ବ୍ୟାପକ କ୍ଷତି ଘଟିଛି। ଘର ଏବଂ ପୋଲ ଭାଙ୍ଗିଯାଇଅଛି। ମାଟି ଅତଡ଼ା ଓ ଭଗ୍ନାବଶେଷ ତଳେ ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି। ଅନେକ ଗୃହପାଳିତ ପଶୁ ମଧ୍ୟ ପୋତି ହୋଇ ରହିଛନ୍ତି। ଭଗ୍ନାବଶେଷ ତଳେ ଫସି ଅନେକ ଆହତ ହୋଇଛନ୍ତି। ରୁଦ୍ରପ୍ରୟାଗ ଜିଲ୍ଲାରେ ୬ ଜଣ ନିଖୋଜ ହୋଇଛନ୍ତି। ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ସଙ୍ଗମସ୍ଥଳରେ ଜଳସ୍ତର ଲଗାତର ବୃଦ୍ଧି ପାଉଛି। କେଦାରନାଥ ଉପତ୍ୟକାର ଲାୱାରା ଗାଁରେ ପ୍ରବଳ ସ୍ରୋତରେ ମୋଟର ରୋଡରେ ଥିବା ଏକ ପୋଲ ଭାସିଯାଇଛି। ଚେନାଗଡରେ ମଧ୍ୟ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।ନଦୀ ଜଳ ଜନବସତି ଅଞ୍ଚଳରେ ପ୍ରବେଶ କରିଛି। ଯାହା ଫଳରେ ପ୍ରଶାସନ ପ୍ରଭାବିତ ଘରଗୁଡ଼ିକୁ ଖାଲି କରିବାକୁ ବାଧ୍ୟ ହୋଇଛି। ରୁଦ୍ରପ୍ରୟାଗରେ ଥିବା ହନୁମାନ ମନ୍ଦିର ବୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

ଆଜିଠାରୁ ଓଡ଼ିଶାରେ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୫ ଜଣ ବିଧାୟକ ଯୋଗ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସାରା ଦେଶରୁ ୩୯୫ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଚାଲିବ। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। ୩୧ ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

ଶିକ୍ଷକଙ୍କ ନାଁରେ କଳଙ୍କ ! ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ। ସୁନ୍ଦରଗଡ଼ ବଣାଇଁ ଅଞ୍ଚଳର ଏକ ବିଦ୍ୟଳୟରେ ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ୭ ଜଣ ଛାତ୍ରୀ ଆଣିଛନ୍ତି ଏ ଅଭିଯୋଗ। ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଗୁରୁଣ୍ଡିଆ ଥାନାରେ ଏତଲା ଦିଆଯାଇଛି। ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଫେରାର ହୋଇଯାଇଛନ୍ତି। ଗୁରୁଣ୍ଡିଆ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଶିକ୍ଷକ ଜଣକ ଛୁଟିରେ ଥିବାରୁ ତଦନ୍ତରେ ବିଳମ୍ବ ହେଉଛି।

୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ : ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବା। ଆମେରିକାର ଶୁଳ୍କ ବିବାଦ ମଧ୍ୟରେ ହେଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ ପରେ ଚୀନ ଯିବେ। ସେଠାରେ ମୋଦି ସାଂଘାଇ ସହଯୋଗ ସଂଗଠନ SCO ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମୟରେ ସେ ଅନେକ ଦେଶର ମୁଖ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ବିଶେଷ ରଣନୀତି ଏବଂ ବିଶ୍ୱ ସହଭାଗିତାକୁ ଏକ ନୂତନ ଦିଗ ଦେବା ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅର୍ଥନୈତିକ ଏବଂ ନିବେଶ ପ୍ରସଙ୍ଗ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସେମିକଣ୍ଡକ୍ଟର ସମେତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ ଭାରତ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପରମ୍ପରା, ସଭ୍ୟତାଗତ ବନ୍ଧନ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାର ଏକ ସୁଯୋଗ ମଧ୍ୟ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। SCO ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ନେତାମାନଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଜାପାନ ଏବଂ ଚୀନର ଏହି ଗସ୍ତ ଭାରତର ଜାତୀୟ ସ୍ୱାର୍ଥ ଏବଂ ପ୍ରାଥମିକତାକୁ ଆହୁରି ମଜଭୁତ କରିବ। ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଇବାରେ ସହଯୋଗ କରିବ ବୋଲି କହିଛନ୍ତି ପିଏମ ମୋଦି।