spot_img
Home Blog Page 2718

ରାଜଧାନୀରେ ଦୁଇଟି କାର୍ ଦୁର୍ଘଟଣା: ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ପିଟିଲା, ଅନ୍ୟଟି ୨୦ ଫୁଟ ତଳକୁ ଖସିଲା

ଭୁବନେଶ୍ବର: ରାଜଧାନୀରେ ଡବଲ କାର୍ ଦୁର୍ଘଟଣା । ଗୋଟିଏ ବମିଖାଲରେ ଘଟିଥିବା ବେଳେ ଅନ୍ୟଟି ଶିଖରଚଣ୍ଡୀ ଛକରେ ।

ବମିଖାଲରେ ଓଭରବ୍ରିଜ ତଳେ ଥିବା ବିଦ୍ୟୁତ୍ ଖୁଣ୍ଟ ସହ ପିଟି ହୋଇଗଲା କାର୍ । ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି । ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କାରଟି ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିଲା । ବମିଖାଲ ବ୍ରିଜ ତଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି

ସେହିପରି ଶିଖରଚଣ୍ଡୀ ଛକରେ ୨୦ ଫୁଟ ତଳକୁ ଖସି ପଡ଼ିଲା କାର୍ । ଶିଖରଚଣ୍ଡୀ ଗୋଲେଇ ଛକ ଡିଭାଇଡ଼ର ଭାଙ୍ଗି ତଳେ ପଡିଛି କାରଟି । କାର ଭିତରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପହଞ୍ଚି ଇନଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସ୍ପଷ୍ଟ ହୋଇନି ।

ପାକିସ୍ତାନରେ ୧୨ କୋଟି ୫୦ ଲକ୍ଷ ଲୋକ ଗରିବ: ପଦକ୍ଷେପ ନନେଲେ ଭୋକରେ ମରିଯିବେ ୪୦ ପ୍ରତିଶତ ଲୋକ

ଇସଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନରେ ଲୋକେ ଭୋକରେ ହେଉଛନ୍ତି ଆଉଟୁ ପାଉଟ । ନା ଲୋକଙ୍କ ପାଖରେ ଖାଇବାକୁ ଅଛି ପଇସା, ନା ପିନ୍ଧିବାକୁ ଅଛି ଲୁଗା । ପିଲାଙ୍କୁ ଦୁଇ ବେଳା ଖାଇବାକୁ ଦେବାକୁ ବାପାମାଆ ଅସମର୍ଥ । ଋଣରେ ବୁଡ଼ି ଥିବା ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗରିବଙ୍କ ସଂଖ୍ୟା । ଗରିବ ସୀମାରେଖା ତଳେ ଅଛନ୍ତି ୧୨ କୋଟି ୫୦ ଲକ୍ଷ ଲୋକ । ବିଶ୍ବ ବ୍ୟାଙ୍କ୍ ପାକିସ୍ତାନକୁ ଆର୍ଥିକ ସ୍ଥିତିକୁ ନେଇ ଜାରି କରିଛି ଚେତାବନୀ ।

ବିଶ୍ବବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସଙ୍କଟ ଚରମସ୍ତରରେ ପହଞ୍ଚିଛି । ଯେଉଁଠାରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହେବ । ଦେଶରେ ଆର୍ଥିକ ସ୍ଥିରତା ଆଣିବା ଲାଗି କୌଣସି ଉପାୟ କର ନଚେତ ଭୋକ ଉପାସରେ ରହିବାକୁ ପ୍ରସ୍ତୁତ ରୁହ ବୋଲି କହି ଚରମବାଣୀ ଶୁଣାଇ ଦେଇଛି ବିଶ୍ବବ୍ୟାଙ୍କ । ଏହାସହ ବିଶ୍ବବ୍ୟାଙ୍କ ପାକିସ୍ତାନକୁ ପ୍ରଶ୍ନ କରିଛି, ୪୦ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଜନସଂଖ୍ୟା ସହ ରହିବାକୁ ଚାହୁଁଛ ନା ଉଜ୍ଜଳ ଭବିଷ୍ୟତ ଲାଗି କିଛି ନୂଆ ନୀତି ଆଣିବାକୁ ଚେଷ୍ଟା କରୁଛ ।

ନିର୍ବାଚନ ପୂର୍ବରୁ ଆଗାମୀ ସରକାରକୁ ନୂଆ ନୀତି ଆପଣାଇବା ଉପରେ କାର୍ଯ୍ୟ କରିବାକୁ କୁହାଯାଇଛି । ଦେଶର ଅବସ୍ଥା ଋଣଦାତା ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ବାରା ସମ୍ପୂର୍ଣ୍ଣ ରୂପେ ଠିକ୍ କରାଯାଇପାରିବ ନାହିଁ । ସ୍ଥିରତା ଆଣିବାକୁ ହେଲେ ଦେଶ ଭିତରେ ହିଁ କଠୋର ନୀତି ଲାଗୁ କରିବା ଆବଶ୍ୟକ ବୋଲି ପାକିସ୍ତାନକୁ କହିଛି ବିଶ୍ବବ୍ୟାଙ୍କ ।

ପାକିସ୍ତାନ ପାଇଁ ନୀତିଗତ ସୁଧାର ଆଣିବା ଲାଗି ସମୟ ଆସିଛି । ନୂତନ ସରକାର ଆସିବା ପୂର୍ବରୁ ବିଚାର ବିମର୍ଶ କରିବା ସହ ନୂଆ ପଲିସି ଜାରି କରିବାକୁ ପଡ଼ିବ । ପାକିସ୍ତାନ ଦରଦାମ ବୃଦ୍ଧି, ବିଜୁଳୀ ସଂକଟ, ଜଳବାୟୁ ସଂକଟ, ପୋଷଣ ଅଭାବ ଆଦି ବିଭିନ୍ନ ପରିସ୍ଥିତିରେ ଛନ୍ଦି ହୋଇପଡ଼ିଛି । ଏସବୁ ଭିତରେ ଜଳବାୟୁ ବିକାଶ କ୍ଷେତ୍ରରେ ବିଶ୍ବରେ ସବୁଠାରୁ ତଳସ୍ତରର ଦେଶ ସୂଚୀରେ ରହିଛି ପାକିସ୍ତାନ । ମାନବ ବିକାଶ କ୍ଷେତ୍ରରେ ଏସିଆର ବିଭିନ୍ନ ଦେଶଠାରୁ ବହୁ ପଛରେ ପାକିସ୍ତାନ । ଆଫ୍ରିକାର କୌଣସି ଏକ ଛୋଟ ଦେଶ ସହ ପାକିସ୍ତାନ ସମାନ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଯେଉଁଠି ୪୦ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି । ବିଶ୍ବର ବିଭିନ୍ନ ଦେଶ ତୁଳନାରେ ପାକିସ୍ତାନରେ ପ୍ରାୟ ୨ କୋଟି ୩ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି ।

ବିଶ୍ବ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ବିଶ୍ବ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି । ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ପ୍ରଦାନ କରାଯାଉଛି। ଏହି କ୍ରମରେ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି । ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ ।

ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି । ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ ।

୯ ବର୍ଷରେ ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ୧୦କୋଟିରୁ ଅଧିକ ନଗଦ ଅର୍ଥ

ଭୁବନେଶ୍ୱର: ଏକ ନମ୍ବର ଖବରକାଗଜର ଦୋନମ୍ବରୀ କାରବାର । ସମ୍ବାଦ ଲୋନ୍ ସ୍କାମର ସାଂଘାତିକ ସତ । କର୍ମଚାରୀଙ୍କ ନାଁରେ ଲୋନ୍, ହେଲେ ଭର୍ତ୍ତି ହେଉଥିଲା ଇଷ୍ଟର୍ଣ୍ଣ ମିଡିଆର ଆକାଉଣ୍ଟ । ଲକ୍ଷେ କି କୋଟିଏ ନୁହେଁ, ୨୦୧୦ରୁ ୨୦୧୯ ଅର୍ଥାତ ୯ ବର୍ଷରେ ଜମା ହୋଇଛି ୧୦ କୋଟିରୁ ଅଧିକ ନଗଦ ଅର୍ଥ । ସମ୍ବାଦ ଅଫିସରେ ରେଡ୍, ଆକାଉଣ୍ଟ ଖୋଳତାଡ଼ରୁ ଏପରି ପ୍ରମାଣ ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଲୋନ ସ୍କାମ ପାଇଁ ସମ୍ବାଦ କରୁଥିଲା ପ୍ରିପ୍ଲାନ୍ । ବାସ୍ତବ ଦରମା ଓ ଲୋନ୍ ପାଇଁ ଦାଖଲ ସାଲାରି ସ୍ଲିପ୍ ଥିଲା ପୂରା ଅଲଗା ।

ଇଏସଆଇ କାର୍ଯ୍ୟାଳୟରେ ଖୋଳତାଡ଼ ପରେ ସାଲାରି ସ୍ଲିପର ସତ ପାଇଛି ଇଓଡବ୍ଲୁ । କର୍ମଚାରୀଙ୍କ ନାଁରେ ଲୋନ୍ ଇସ୍ୟୁ ହେବା ପରେ ଟଙ୍କା ଉଠାଇ ନେଉଥିଲେ ସମ୍ବାଦର କିଛି ନିର୍ଦ୍ଧିଷ୍ଟ ଅଧିକାରୀ । ଏହାକୁ ଜମା କରାଯାଉଥିଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଆକାଉଣ୍ଟରେ । ୯ ବର୍ଷରେ ଯେଉଁ ୧୦ କୋଟିରୁ ଅଧିକ ନଗଦ ଜମା ହୋଇଛି ତାହା କର୍ମଚାରୀଙ୍କ ଲୋନ୍ ଟଙ୍କା କି ନୁହେଁ । ଏପଟେ ଲୋନ୍ ସ୍କାମ ତାଲିକା ଭଳି ସମ୍ବାଦ ଶୋଷଣର ତାଲିକା ବି ଖୁବ ଲମ୍ବା । କର୍ମଚାରୀଙ୍କୁ ESI ଓ EPF ବାବଦରେ ବି ଭଣ୍ଡାଉଥିଲା ଏହି ବଡ଼ ଗଣମାଧ୍ୟମ ।

ଯାହାର ପ୍ରମାଣ ଆପଣଙ୍କ ଆଖିଆଗରେ । ସମ୍ବାଦର ଏ ଅଫର ଲେଟର ଉପରେ ନଜର ପକାନ୍ତୁ । ୨୦୧୯ ସେପ୍ଚେମ୍ବର ୯ ତାରିଖରେ ରାଜକୁମାର ମିଶ୍ରଙ୍କୁ ସର୍କୁଲେସନର ସିନିଅର ଏକଜିକ୍ୟୁଟିଭ ଭାବେ ନିଯୁକ୍ତିପତ୍ର ମିଳିଛି । ଏବେ ନଜର ପକାନ୍ତୁ ସମ୍ବାଦର ଚଞ୍ଚକତା ଓ ଠକେଇ ଉପରେ । ସମ୍ପୂର୍ଣ୍ଣ ଖାଲିପଡ଼ିଛି EPF ଓ ESI ଘର । ESI ଓ EPF ବାବଦ ଟଙ୍କା ଡିପୋଜିଟର ନିୟମକୁ ଜାଣିଶୁଣି ଉଲଂଘନ କରାଯାଇଛି । କର୍ମଚାରୀଙ୍କ ଅଂଶ ସହ ସମ୍ବାଦ ନିଜର ଅଂଶ ମଧ୍ୟ EPF ଆକାଉଣ୍ଟରେ ଡିପୋଜିଟ୍ କରିନାହିଁ ।

ସମ୍ବାଦ କର୍ମଚାରୀଙ୍କୁ ଏ ଅଧିକାର ଦେବାକୁ ସିନା ଭୁଲିଗଲା ହେଲେ ଲୋନ୍ ଲୁଟିବାକୁ ଭୁଲିଲାନି । ଚାକିରି କରିବାର ଦିନ କେଇଟା ପରେ ରାଜକୁମାରଙ୍କ ଆକାଉଣ୍ଟରୁ ବି ଲୋନ୍ କରି ହଡପ କରିଥିଲା ସମ୍ବାଦ । ପରେ ଲୋନ୍ ବନ୍ଦ କରିବାକୁ ଅଭିଯୋଗ ପରେ ବି କିଛି ନଜାଣିଲା ଭଲି ଚୁପ୍ ବସିଗଲେ ଲୋନ ସ୍କାମର କାର୍ପଟଦାର ବୈଜୟନ୍ତୀ କର ।  ସେପଟେ ସମ୍ବାଦ ଲୋନ ସ୍କାମର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ସୁଦାମ ପ୍ରଧାନ । ୫ହଜାର ଟଙ୍କା ଦରମା ପାଉଥିବାବେଳେ ତାଙ୍କ ନାଁରେ ବି ସମ୍ବାଦ କରିଥିଲା ଲୋନ୍ ।

ତାଙ୍କରି ମୁହଁରୁ ଶୁଣନ୍ତୁ କେମିତି କର୍ମଚାରୀଙ୍କୁ ଶୋଷଣ କରୁଥିଲା ସମ୍ବାଦ । ପ୍ରତିଦିନ ଖୋଲୁଛି ସମ୍ବାଦର ଲୋନ ସ୍କାମର ନୂଆ ନୂଆ ଗୁମର । କର୍ମଚାରୀଙ୍କୁ ଲୁଟି ଠିଆ ହୋଇଥିବା ସମ୍ବାଦ ବିରୋଧରେ ଇଓଡବ୍ଲୁ ହାତରେ ଲାଗିଛି ପର୍ଯ୍ୟାପ୍ତ ପ୍ରମାଣ । ବ୍ୟାଙ୍କ ସ୍ତରରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ହେଲେ ସତକୁ ଗ୍ରହଣ କରିବାକୁ ନଛୋଡ଼ବନ୍ଧା ସମ୍ବାଦ ତଦନ୍ତରେ ବାଧା ଦେବାକୁ ଚେଷ୍ଟା କରୁଛି ।

୨୦୨୪ରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ: ପ୍ରଭୁ ଚାଓ୍ବଲା

ଭୁବନେଶ୍ୱର: ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ । କାରଣ ଓଡ଼ିଶାରେ ନାହାନ୍ତି ବିରୋଧୀ ଦଳ । ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ନାହାନ୍ତି । ଇଣ୍ଡିଆନ ଏକ୍ସପ୍ରେସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏଭଳି କହିଛନ୍ତି ଏହାର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା । ପ୍ରଭୁ ଚାଓ୍ବଲା କହିଛନ୍ତି, ଓଡ଼ିଶାରେ ରହିଛି ନବୀନ ଯାଦୁ । ନବୀନଙ୍କ ହାତ ହଲିଲେ ଦଳର ଭୋଟ ବଢୁଛି । ନବୀନଙ୍କ ଯାଦୁକୁ ଆଜିଯାଏ କେହି ବୁଝିପାରିନାହାନ୍ତି । ନବୀନ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ । ନବୀନଙ୍କ ବିକଳ୍ପରେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭୁ ।

ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ତାଙ୍କ କାମ ହିଁ ଝଡ ସୃଷ୍ଟି କରେ । ୨୦୨୪ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସେପଟେ ବିରୋଧୀଙ୍କ ଚିରାଚରିତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଭୁଚାଓ୍ବାଲା କହିଛନ୍ତି ନେତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ । ବିରୋଧୀ ଅସହିଷ୍ଣୁ ହୋଇ ବିଭିନ୍ନ ରାଜନୈତିକ ଅଭିଯୋଗ କରୁଛନ୍ତି । ଯେପରି ସମ୍ବାଦପତ୍ରରେ ସମ୍ପାଦକଙ୍କ ବିନା ଅନୁମତିରେ କୌଣସି ଖବର ଛପେ ନାହିଁ, ସେହିଭଳି ଶାସନରେ ଶାସନ ମୁଖ୍ୟଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ସେ କହିଛନ୍ତି ।

ଡିସେମ୍ବର ସୁଦ୍ଧା ଖୁସି ଖବର ପାଇବେ ପ୍ରାଥମିକ ଶିକ୍ଷକ, ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିଶ୍ରୁତି

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ଖୁସି ଖବର ପାଇବେ ରାଜ୍ୟର ପ୍ରାଥମିକ ଶିକ୍ଷକ । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସିଏମଓ ସହିତ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ମହାସଚିବ ତି ଚାରୁଲତା ମହାପାତ୍ର । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ।

ଗତ ୧୮ ତାରିଖରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ଶିକ୍ଷକ । ଆଜି ସିଏମଏଓ କାର୍ଯ୍ୟଳୟ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲା । 5T ସଚିବଙ୍କ ଉପସ୍ଥିତିରେ ଶିକ୍ଷକଙ୍କ ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସିଏମଓ ସହିତ ଶିକ୍ଷକଙ୍କ ସକାରାତ୍ମକ ଆଲୋଚନା ହୋଇଛି । ଡିସେମ୍ବର ସୁଦ୍ଧା ଦାବି ସମ୍ପର୍କରେ ଖୁସି ଖବର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ରାଜଧନୀରେ ASO ଚାକିରୀ ଦେବା ନାଁରେ ୪୦ ଲକ୍ଷ ଠକେଇ ଅଭିଯୋଗ, ଜଣେ ଠକ ଗିରଫ

ଭୁବନେଶ୍ୱର: ରାଜଧନୀରେ ASO ଚାକିରୀ ଦେବା ନାଁରେ ଠକେଇ । ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଠକକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାଧବ ସେଠି । ସେ ଉତ୍କଲ ବିଶ୍ୱବିଦ୍ୟାଳୟର ଏକାଡେମୀ କୋଡ଼ିନେଟର ବିଭାଗର କର୍ମଚାରୀ । ଠକ ମାଧବ ପ୍ରାୟ ୪୦ଜଣଙ୍କୁ ଠକିଥିବା ଜଣା ପଡ଼ିଥିବା ବେଳେ ଏବେସୁଦ୍ଧା ୫ ଜଣ ପୋଲିସ ପାଖରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଠକେଇର ଶିକାର ହୋଇଥିବା ଅଧିକାଂଶ ବାଣୀବିହାର ଛାତ୍ର। ମାଧବ ବିଶ୍ୱବିଦ୍ୟାଳୟରେ ଚାକିରି କରିଥିବାରୁ ଅନେକ ଆଶାୟୀଙ୍କୁ ନିଜ ଜାଲ ରେ ଫସାଇବା ସହଜ ହେଉଥିଲା । ଆଉ ଟଙ୍କା ନେବାପରେ ଆଉ ଧରା ଛୁଆ ନ ଦେବାପରେ ଠକେଇ ଶିକାର ହୋଇଥିବା ଯୁବକ ମାନେ ଥାନାରେ ଅଭିଯୋଗ କରିଥିଲେ।

 

ଗୁଜରାଟର ବଲସାଡରେ ହମସଫର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲସାଡ: ଗୁଜରାଟର ବଲସାଡରେ ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ବ୍ରେକ ଭ୍ୟାନର କୋଚରେ ଧୂଆଁ ଦେଖାଯାଇଥିଲା । ତେବେ ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଇଛି ଯେ ଟ୍ରେନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଛି । ନିଆଁ ଲାଗିବା ଖବର ଜାଣିବା ପରେ ରେଲୱେ ବିଭାଗ ତତ୍ପରତା ଦେଖାଇଥିଲା । ସଙ୍ଗେ ସଙ୍ଗେ ପାଖ କୋଚର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା ଏବଂ କେହି ମୃତାହତ ହୋଇନଥିବା ସୂଚନା । ନିଆଁ କବଳରେ ଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯାଇଛି ଏବଂ ଟ୍ରେନ୍ ଆଗକୁ ବଢ଼ିଛି ।

ନିଆଁ ଲାଗିବା ଖବର ଶୁଣିବା ମାତ୍ରେ ରେଲୱେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ ନିଆଁକୁ କାବୁ କରିଛନ୍ତି । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଟ୍ରେନଟି ମୁମ୍ବାଇରୁ ଅହମ୍ମଦାବାଦ ଯାଉଥିଲା । ସୂଚନାଥାଉକି, ଗତମାସରେ ମଦୁରାଇ ପାଖ ଏକ ପର୍ଯ୍ୟଟକ ଟ୍ରେନର ଏକ ଡବାରେ ନିଆଁ ଲାଗିବା କାରଣରୁ ଅତିକମରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦ ଜଣ ଆହତ ହୋଇଥିଲେ । ଟ୍ରେନଟି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ରାମେଶ୍ୱରମ ଯାଉଥିଲା ।

୨୯ରେ ଘୂର୍ଣ୍ଣିବଳୟ, ଅକ୍ଟୋବର ପହିଲାରେ ଲଘୁଚାପ

ଭୁବନେଶ୍ୱର: ୨୯ରେ ଘୂର୍ଣ୍ଣିବଳୟ, ଅକ୍ଟୋବର ପହିଲାରେ ଲଘୁଚାପ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନସାଗର ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଫଳରେ ଅକ୍ଟୋବର ପହିଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଚୋରି କରିଥିବା ଦୋକାନରେ ସୁନା ବିକ୍ରି ଉଦ୍ୟମ କରି ଧରାପଡ଼ିଲା ଚାଲାକ ଚୋର

ବାଙ୍କୀ: ପଦାରେ ପଡିଲା ଚୋରର ଚାଲାକି । ଯେଉଁ ଦେକାନରୁ ସୁନା ଚୋରି କରିଥିଲା ସେହି ଦେକାନରେ ବିକ୍ରି ପାଇଁ ଉଦ୍ୟମ କରି ଧରାପଡିଲା ଚୋର । ବାଙ୍କୀ ଥାନା କିଆପଲ୍ଲା ପଞ୍ଚାୟତର ଘଟଣା । ଗତ ୨୧ ତାରିଖ ରାତିରେ ତାରିଣୀ ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ କିଛି ସୁନା ଗହଣା ସହିତ ନଗଦ ୧୨ ହଜାର ଟଙ୍କା ଦୁର୍ବୁତ୍ତ ଚୋରି କରି ନେଇଥିଲେ ।

ଚୋରି କରିଥିବା ଗହଣାରୁ ଗୋଟିଏ ସୁନା ମୁଦି ବିକ୍ରି କରିବା ପାଇଁ ଚୋର ଜଣକ ତାର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ସେହି ଗହଣା ଦୋକାନକୁ ପଠାଇଥିଲା । ଗହଣା ଦୋକାନୀ ନିଜ ସୁନା ମୁଦିକୁ ଚିହ୍ନିପାରି ତାକୁ ଅଟକ ରଖିଥିଲେ । ତାକୁ ପଚରାଉଚରା କରିବା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା । ପରେ ସମ୍ପୃକ୍ତ ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ । ବାଙ୍କୀ ପୋଲିସ ଚୋରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।