ନୂଆଦିଲ୍ଲୀ: ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ବିଶେଷକରି ଭାରତ ଓ ବାଙ୍ଗଲାଦେଶ ସମେତ ଅନେକ ରାଷ୍ଟ୍ରରେ ପାଳନ ହୁଏ ବନ୍ଧୁତ୍ବ ଦିବସ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ ।
ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ । ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ କରାଇଦେବାକୁ କହି ଅଧ୍ୟାପକ ତପନ କୁମାର ପୃଷ୍ଟି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର ଠାରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରନ୍ତି ତପନ କୁମାର ପୃଷ୍ଟି । ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ମାଗିଥିଲେ ତପନ । ଏନେଇ ସଦର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନକଲି ସାର୍ଟିଫିକେଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।
‘ମୋ ଘର’ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା “ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ ସଂପର୍କରେ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟରେ କାର୍ଯ୍ୟକ୍ଷମ ୩୯ଟି ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷମାନେ ଯୋଗ ଦେଇଥିଲେ ।
ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ଗରିବ ତଥା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଋଣସହାୟତା ପ୍ରଦାନ ଜରିଆରେ ପକ୍କା ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ “ମୋ ଘର” ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ରାଜ୍ୟ ସରକାର ତରଫରୁ ହିତାଧିକାରୀଙ୍କୁ ଗୃହଋଣ ବାବଦରେ ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି ।ବ୍ୟାଙ୍କ ତରଫରୁ ହିତାଧିକାରୀମାନଙ୍କୁ ଋଣ ପ୍ରଦାନରେ ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଅସୁବିଧାର ସମୁଖୀନ ହେବାକୁ ପଡିପାରେ, କିନ୍ତୁ ଗୃହନିର୍ମାଣ କରିବାକୁ ଇଛୁକ ଯୋଗ୍ୟ ଆବେଦନକାରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଆତ୍ମନିରୀକ୍ଷଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତାକରିବାକୁ ମୁଖ୍ୟଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ବୈଠକରୁ ଜଣାଯାଇଛି ଯେ ଶୁକ୍ରବାର ସୁଦ୍ଧା ବିଭିନ୍ନ ବିଭିନ୍ନ ପଂଚାୟତ ସମିତି ସ୍ତରରେ ୨ଲକ୍ଷ ୭୬ ହଜାର୨୫୦ଟି ଆବେଦନ ଗ୍ରହଣ କରାଯାଇଛି । ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ପ୍ରାଥମିକ ଆବଶ୍ୟକତା ରହିଥିବା ବ୍ୟାଙ୍କମାନଙ୍କ ଦ୍ୱାରା ସେ ସବୁର ଯାଂଚ, କ୍ଷେତ୍ର ପରିଦର୍ଶନ ଓ ଆଇନ୍ ପରାମର୍ଶଦାତାଙ୍କ ଠାରୁ ମତ ସଂଗ୍ରହ କରିବା ପ୍ରକ୍ରିୟାର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବ୍ୟାଙ୍କମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।
ବ୍ୟାଙ୍କମାନେ ଆବଶ୍ୟକ କଲେ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ ଓ ପ୍ରୋସେସିଂ କାର୍ଯ୍ୟରେ ସହାୟତା ପାଇଁ ସଂପୃକ୍ତ ବ୍ଲକ କର୍ତ୍ତୃପକ୍ଷମାନେ ସହାୟତା ପ୍ରଦାନ କରିବେ। ଯେଉଁ ବ୍ୟାଙ୍କ ମୁଖ୍ୟମାନେ ଅଦ୍ୟାବଧି ସେମାନଙ୍କ ଅଧିନସ୍ଥ ଶାଖା ବ୍ୟାଙ୍କକୁ “ମୋ ଘର” ଗାଇଡଲାଇନ୍ ପ୍ରେରଣ କରି ନାହାଁନ୍ତି, ସେମାନେ ଯଥାଶୀଘ୍ର ତାହା ପ୍ରେରଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବ୍ରାଞ୍ଚ ମ୍ୟାନେଜର ମାନେ ଆବଶ୍ୟକ ଥିବା ବ୍ୟାଙ୍କ ସଂପର୍କିତ ଆଇଟି ପ୍ଲାଟଫର୍ମରେ ଆରଏଚ୍ (ରୁରାଲ ହାଉସିଂ) ପୋର୍ଟାଲକୁ ଅପଡେଟ୍ (ଅନ୍ୟତନ) କରିବାକୁ କୁହାଯାଇଛି, ଯାହାକି ସେମାନଙ୍କ ପାଇଁ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜାଣିବାକୁ ସୁବିଧା ହେବ।
ବିଭିନ୍ନ ବ୍ୟାଙ୍କକୁ ସେମାନଙ୍କ ଦ୍ୱାରା ଗୃହ ଋଣ ମଂଜୁର ହେବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ୧୫ ଦିନ ମଧ୍ୟରେ ‘ମୋ ଘର’ ଯୋଜନା ସଂପର୍କିତ ପ୍ରଡକ୍ଟ କୋଡ୍ ସମସ୍ତ ଶାଖାକୁ ପ୍ରେରଣ କରିବାକୁ ମୁଖ୍ୟ ଶାସନ ସଚିବ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଶାଖା ମାନଙ୍କରେ ରହିଥିବା ବିଭିନ୍ନ ଅନୁସନ୍ଧାନକୁ ଦୂର କରିବା ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀ (ଫିଲ୍ଡ ଅଫିସର) ମାନେ ଏ ଦିଗରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଭେଟି କୃତଜ୍ଞତା ଜଣାଇଲେ ଅଣସଂଗଠିତ ଶ୍ରମିକ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଣସଂଗଠିତ ଶ୍ରମିକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ କୃତଜ୍ଞତା । ଡେଲିଭରି ବୟ, କଳାକାର, ଶିଳ୍ପୀ, ବୁଲାବିକାଳି,ସେଲୁନ ସ୍ପା କର୍ମଚାରୀ,ପଥର କରୀଗର, ବୁଲା ମାଛବିକାଳି, କମାର, କୁମ୍ଭାର, ଲୋକକଳା କଳାକାରଙ୍କ ଭଳି ପାଖାପାଖି ୫୦ ଟି ବର୍ଗର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି । ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୫୦ ଟି ବର୍ଗର ଅଣସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ନେଇ ଘୋଷଣା କରିବା ସହ ସହାୟତା ରାଶି ବୃଦ୍ଧି କରିଥିଲେ ।
ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିଲେ । ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୭ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ନିସ୍ପତି ଭାରତ ବର୍ଷରେ ବିରଳ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।
୧୨ ବର୍ଷ ପୂରୁଣା ମାମଲାରେ ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ
ଲକ୍ଷ୍ନୌ: ୧୨ ବର୍ଷ ପୂରୁଣା ମାମଲାରେ ବିଜେପି ସାଂସଦ ରାମ ଶଙ୍କର କଠେରିଆ ଦୋଷୀ ସାବ୍ୟସ୍ଥ । ଆଗ୍ରାର ଏମପି-ଏମଏଲଏ କୋର୍ଟ କଠେରିଆଙ୍କୁ ଧାରା ୧୪୭ ଏବଂ ୩୨୩ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉତ୍ତରପ୍ରଦେଶର ଇଟାୱାରୁ ବିଜେପି ସାଂସଦ ଅଛନ୍ତି ରାମ ଶଙ୍କର । ବିଜେପି ସାଂସଦଙ୍କ ଉପରେ ସାକେତ ମଲରେ ଟୋରେଣ୍ଟ କମ୍ପାନୀର ଅଫିସରେ ହଙ୍ଗାମା କରି ଭଙ୍ଗାରୁଜା କରିବାର ଆରୋପ ରହିଛି । ୧୬ ନଭେମ୍ବର ୨୦୧୧ରେ ଘଟଣା ଘଟିଥିଲା । ଏହି ମାମଲାରେ କୋର୍ଟ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଏଭଳି ସ୍ଥିତିରେ ରାମ ଶଙ୍କର କାଠେରିଆଙ୍କ ସାଂସଦ ସଦସ୍ୟତା ରଦ୍ଦ ହେବ ବୋଲି ଆଶଙ୍କା କରାଯାଇଛି ।
ପ୍ରକାଶଥାଉକି, ଟୋରେଣ୍ଟ ପାୱାର ଲିମିଟେଡ ଆଗ୍ରାର ସାକେତ ମଲରେ ସ୍ଥିତ କାର୍ଯ୍ୟାଳୟରେ ମ୍ୟାନେଜର ଭାବେଶ ରସିକ ଲାଲ ଶାହ ବିଜୁଳି ଚୋରି ସହ ସମ୍ବନ୍ଧିତ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ସ୍ଥାନୀୟ ସାଂସଦ ରାମ ଶଙ୍କର କାଠେରିଆଙ୍କ ସହ ଆସିଥିବା ୧୦ରୁ ୧୫ ସମର୍ଥକ ଭାବେଶ ରସିକ ଲାଲ ଶାହଙ୍କ କାର୍ଯ୍ୟାଳୟରେ ପସିଥିଲେ ଏବଂ ତାଙ୍କ ସହ ମାରପିଟ ଆରମ୍ଭ କରିଦେଇଥିଲେ । ଆକ୍ରମଣରେ ଭାବେଶ ଗଭୀର ଭାବେ ଆହତ ହୋଇଥିଲେ । ଏହାପରେ ଟୋରେଣ୍ଟ ପାୱାରର ସୁରକ୍ଷା ନୀରିକ୍ଷକ ସମେଧି ଲାଲ ହରିପର୍ବତ ଥାନାରେ ମାମଲା ରୁଜୁ କରିଥିଲେ । ମାମଲା ଆଧାରରେ ସାଂସଦ ରାମ ଶଙ୍କର ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମକଦ୍ଦମା ହୋଇଥିଲା ।

